Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚାବିରିଙ୍ଗ୍
ଚାବିରିଙ୍ଗ୍
★★★★★

© ସତ୍ୟବତୀ ସ୍ୱାଇଁ

Others Romance

5 Minutes   13.6K    18


Content Ranking

ମା! ଦେଖିଲୁ ଏ ଚାବି ରିଙ୍ଗଟା । କଳଙ୍କି ଲାଗି ଗଲାଣି । କେଉଁ ମରଘଟ କାଳର ।  ପୁରା ରଙ୍ଗ ଛାଡି ଗଲାଣି । ଝିଅ ସୁକ୍ତା ଆଲମୀରାରୁ ଚାବିରିଙ୍ଗ୍ ଟିଏ ପାଇ କହୁଥିଲା ।

ନଷ୍ଟ ହେଇ ଗଲାଣି ଯଦି ଫିଙ୍ଗି ଦେ କହିଲା ମା’ ଶୃତି । ଟଣ କରି ଚାବି ରିଙ୍ଗଟା ଆସି ଶୃତି ଲେଖା ଟେବୁଲ ତଳେ ପଡ଼ିଲା । ଝଣ କରି ଶବ୍ଦଟା ଶୃତିକୁ କିଛି ମନେ ପକାଇବାକୁ ବାଧ୍ୟ କରୁଥିଲେ ଯେପରି । ଶୃତି ଚାବିଟିକୁ ନିରିକ୍ଷଣ କଲା । ଶୃତିର ସ୍ମୃତି ଲ୍ୟାପଟପ ଖୋଲିଗଲା ଅଚାନକ । ଏଇଟା.....ଏଇଟା...ଏଇଟା...

*****************

ଭବିଷ୍ୟତ ପାଇଁ ସୁନ୍ଦର ସ୍ବପ୍ନଟିଏ ଦେଇ ଶୃତିକୁ ବିଦା କଲା ରେଭେନ୍ସା ତା କୋଳରୁ । ସରିଗଲା ସ୍ନାତକ ପାଠ ପଢା ।

ଭାରି ଇଛା ଥିଲା ଆଗକୁ ଆହୁରି ବଢିବାକୁ,ପଢିବାକୁ । ଇଚ୍ଛାମାନେ ଏମିତି ।  ଇଛା ମାନଙ୍କର ଶୋଷର ଶେଷ ନ ଥାଏ  । ଗୋଟିଏ ପରେ ଗୋଟିଏ ଆସି ଯାଆନ୍ତି ଆପେ ଆପେ ଜୀବନକୁ । ପାଇଲେ ଖୁସି ଲାଗେ,ନ ପାଇଲେ ହତାଶା ଜାବୁଡି ଧରେ ।  ଶୃତିର ଆଗ୍ରହ ଅର୍ଥାଭାବ ସୁଅରେ କୁଆଡେ ଭାସିଗଲା ।

ଭାରି ବାଧିଲା । "ମୋ ବାପାଙ୍କ ପଇସା ଥିଲେ ମୁଁ ବି ମନ ଚାହିଁବା ପର୍ଯ୍ୟନ୍ତ ପଢି ପାରିଥାନ୍ତି"ଚିନ୍ତାରେ ସକାଳ ଯାଇ ସଂଜ ନଉଁ ଥିଲା ଶୃତିର??? ଏଇ ଅଵଶୋଷରେ ଛଟ ପଟ ହେଲାବେଳେ ନିଖିଳେଶ ଆସି ଥିଲା ତାଙ୍କ ଘରକୁ ।  ତା ହାଇସ୍କୁଲର "ପରମ ଶତ୍ରୁ" ବନ୍ଧୁ ନିଖିଳେଶ  ।  ମନ ହେଲେ ସେ ଶୃତି ଘରକୁ ଆସେ । ଶୃତି ବୋଉ ହାତ ସରୁ ଚକୁଳି ତାର ଭାରି ପସନ୍ଦ । ରାଜା ଘର ଛୁଆ ନିଖିଳେଶ୍ । ଏ ଛୋଟ ଛୋଟ କଥା ତାଙ୍କ ଘରେ କଣ ହେଉଥିବ !! ବୋଉ ବି ଖୁସି ହୁଏ ଏଡ଼େ ବଡ଼ ଘର ଛୁଆ....ତା ହାତ ଜିନିଷ ଆନନ୍ଦରେ ଖାଉଛି ଭାବି । ଅଭାବି ଲୋକଙ୍କର ଏଇଟା ଗୋଟିଏ ସମ୍ପଦ" ଦେବାରେ,ଖୁଆଇବାରେ ଆନନ୍ଦ" ।

ଶୃତି କିନ୍ତୁ ତାକୁ ପରମ ଶତ୍ରୁ ନାମ ଦେଇଥିଲା । ଦଶମ ଶ୍ରେଣୀର ପିଲା ସେ  ।  ଶୃତି ନବମ । ସବୁ ପ୍ରତିଯୋଗିତାରେ ଶୃତି ପ୍ରଥମ ହୁଏ ।  ସେ ନେଇ ନିଖିଳେଶର ଭାରି ରାଗ ତା ଉପରେ ।  ଓର ଉଣ୍ଡେ ଶୃତିକୁ ହରାଇବାକୁ ଖେଳ,ଗୀତ,ଗପ,ତର୍କ ପ୍ରତି ଯୋଗୀତାରେ । ପ୍ରଥମ ହେଇ ପାରେନି ନିଖିଳେଶ୍ । ସେଥିପାଇଁ ସବୁ ବେଳେ ଫଁ ଫଁ ହୁଏ ଶୃତି ଉପରେ ।

ଏଇ ରାଗ ଭିତରେ ଥିଲା କିନ୍ତୁ ବନ୍ଧୁତାର ସୁନ୍ଦର ଭାଵ ଧଳା ଗୋଲାପଟିଏ ପରି । ମୁହଁ ଫୁଲା ଫୁଲି ହୁଅନ୍ତି ସତ, ଛଡ଼ା ଛଡି ହୋଇ ଖାଆନ୍ତି ପରସ୍ପରର ଟିଫିନ୍ । ଶୃତି ଖୁସି ହୁଏ କାହିଁକି ନା ଏମିତି ଭାଇଟିଏ ତା ମା’ ତାକୁ ଦେଇନି । ସେ କେବଳ ଏକା ।

ଆରେ ବାଃ! କି ହ୍ୟାଣ୍ଡସମ ହୋଇ ଯାଇଛ ନିଖିଳେଶ !! ଚିଲେଇଲା ଶୃତି ।

ନିଖିଳେଶ କିନ୍ତୁ ସିଧା ଚାହିଁ ପାରୁ ନଥିଲା ଶୃତିକୁ । ଏ ଭିତରେ ସେ ବହୁତ ମାଇଚିଆ ହୋଇଯାଇଥିଲା ବୋଧେ...ଖିଆ ପିଆ ସାରିଲା ପରେ ନିଖିଳେଶ ପଚାରିଲା ତୋର ଆଗାମୀ ଯୋଜନା କଣ,ଶୃତି??

ଚାକିରି......ସଂକ୍ଷେପରେ ଥିଲା ଶୃତିର ଉତ୍ତର ।

ଆଉ ତୁମର???ଶୃତି ପଚାରିଲା ।  ଇଂଜିନିୟରିଙ୍ଗ ଶେଷ ନ ହେଉଣୁ ମୋର ପ୍ଲେସ ମେଣ୍ଟ ହୋଇ ଯାଇଛି ଗୋଟେ କମ୍ପାନୀରେ  । ବାବା ମୋ ବାହାଘର ଖୋଜୁଛନ୍ତି । ହେଲେ .....।

ପାଟିରୁ କଥା ଛଡେଇ ଶୃତି କହିଲା ହେଲେ ତୁମେ ଗୋଟିଏ କାହାକୁ ଭଲ ପାଉଛ,କହି ପାରୁନ ମୁହଁ ଖୋଲି ।

ହଁ ତ ...ଠିକ ସେଇଆ ।  ତୁ କେମିତି ଜାଣିଲୁ??,ନିଖିଳେଶ ମୁହଁ ସାରା ପ୍ରଶ୍ନବାଚୀ ନେସି ହୋଇଗଲା ।

ଓହୋ ଏମିତି ଅନ୍ଦାଜରେ କହି ଦେଲି । ବାଜିଯିବ ବୋଲି ଜାଣି ଥିଲି ନା କଣ--ଶୃତି କହିଲା ।  ଶୃତି ସବୁ ବେଳେ ଏପରି ଖିଲ ଖିଲ ଫୁଲ ପରି, ଫୋ ଫା କଥା ।

ତଳକୁ ମୁହଁ ପୋତି ନିଖିଲେଶ କହିଲା ---ମୁଁ ପ୍ରେମରେ ପଡି ଯାଇଛି ।  ମୁକୁଳି ପାରୁନି ।

ମାନେ???ଶୃତି ବିସ୍ମୟରେ ଅସ୍ଥିର ।

ମାନେ....ମାନେଟା ଏଇଆ ଯେ...ମୁଁ ଯାହାକୁ ଭଲ ପାଏ ତାକୁ ଭାରି ଡରେ । କହି ପାରୁନି ଭଲ ପାଏ ବୋଲି ।

ତାହେଲେ ମୋ ସନ୍ଦେହ ସତ । ତୁମେ ପକ୍କା ମାଇଚିଆ, ଡରୁଆ, ଛେରୁଆ । ଭଲ ପାଅ,ପୁଣି କହି ପାରୁନ???

ବୁଝିଲ ନିଖିଳେଶ !ଯାହାର ସାମାନ୍ୟତମ ସାହସ ନାହିଁ ଗୋଟିଏ ଝିଅକୁ ଭଲ ପାଏ ବୋଲି କହିବା ସେମିତି କା ଅନାଡ଼ିକୁ କିଏ ପସନ୍ଦ କରିବ?? ।

ତୁ ଟା ନ ହେଲେ ବୀର । କହି ପକାଇ ଥାନ୍ତୁ ଆଗତୁରା ଭଲ ପାଉ ବୋଲି ନିଖିଳେଶର ଦୃଢୋକ୍ତି ।

ହେ....ଦେଖିବ ମୁଁ ଯାହାକୁ ଭଲ ପାଇବି କାଳ ବିଳମ୍ବ ନକରି କହିଦେବି ଶୃତି କହିଲା ।

ଓହୋ ଏମିତି କି??ତୁ କିନ୍ତୁ ଜାଣି ନାହୁଁ ମୁଁ କେତେ ଭଲ ପାଏ ତାକୁ । କାଳେ ସେ ନା କରିଦେବ ସେଇ ଭୟରେ କୁହେ ନାହିଁ । ମୁଁ ତାକୁ ଭଲ ପାଏ ଏତକ ପାଥେୟ କରି ଖୁସିରେ ବଞ୍ଚି ହେବ । କିନ୍ତୁ ତା" ନା" ଶୁଣି ବଞ୍ଚି ହେବନି । ବଞ୍ଚିକି ମଲା ପରି ଲାଗିବ ।  ଅପେକ୍ଷା କରିଛି କାଳେ ତା ଆଡୁ ଭଲ ପାଇବାଟା ଫୁଟି ଉଠିବ!!! କହିଲା ନିଖିଳଳେଶ ।

ତୁମର ତାହେଲେ ଏକତରଫା ପ୍ରେମ । ସେ ଝିଅ ଜାଣିଛି କି ନାହିଁ ତୁମେ ତାକୁ ଭଲ ପାଅ??ଶୃତିର ଜିଜ୍ଞାସା ।

ନା, ଜାଣିନି ।

ହୋ... ହୋ ..ହୋଇ ହସି ଉଠିଲା ଶୃତି । ଯା’...ପୁଅ.. ଯା’... ତୁମ ଦେଇ ଖଡା ଶିଝିବନି । ଶୃତି ହସ ବନ୍ଦ ହେଉନଥିଲା ।

ହଁ .... ହଅସ ...ହଅସ । ଆଛା ତୁ କହିଲୁ ତୋର କିଏ ପସନ୍ଦ ହେଇନି ଏ ଯାଏ । ?? ନିଖିଳେଶର ପ୍ରଶ୍ନ ।

ନା ବାବା ନା । ମୋ ବାପା କେମିତି ରାଗ ଜାଣିଛ ,ନା??ଠିଆ ଚିରି ଦେବେ । ତା ଛଡା ମୁଁ ଯେତିକି ଜାଣିଛି ଚେଷ୍ଟା କରି କଣ ଭଲ ପାଇଁ ହୁଏ???"ଭଲ ପାଇବା ହେଇଯାଏ" । ଭଲ ପାଇବା ଈଶ୍ୱରଙ୍କ ଦାନ । ଭଲ ପାଇବା ଥାଏ ଆଖିରେ,ହୃଦୟରେ । ମୋ ପରି ଶୁଷ୍କ ,ନିରସ, ଶ୍ୟାମଳି,ଗରିବ ମୂଲ ଲାଗୁଥିବା ବାପାର ଝିଅଟାକୁ ତୁଚ୍ଛାଟାରେ କିଏ ଭଲ ପାଇବ??

ହେଉ ଛାଡ଼...ତୁମେ କୁହତ ତୁମେ ଭଲ ପାଉଥିବା ଝିଅଟିର ନାଁ ,ଠିକଣା??ହୁଏତ ତୁମ ଦୁହିଁଙ୍କୁ ମିଳେଇବାରେ ସାହାଯ୍ୟ କରି ପାରେ କହିଲା ଶୃତି ଟପିକ ଚେଞ୍ଜ କରି ।

ହୁ ....ଦୀର୍ଘଶ୍ଵାସ ଛାଡି ନିଖିଳେଶ କହିଲା ସେଇ ଆଶାରେ ତ ଆସିଥିଲି । କିନ୍ତୁ ଏଥର ନୁହେଁ ଆଉ କେବେ କହିବି । ଶୁଖିଲାରୁ ତୁ ଯେବେ ଓଦା ହେଇଯିବୁ । ବୁଝି ପାରିବୁ ଆଉ କାର ଛାତିର ଧକ୍ ଧକ୍ ଶବ୍ଦ,ପଢି ପାରିବୁ ତୋତେ ଭଲ ପାଉଥିବା ମଣିଷର ଆଖି!!

କଣ ବିଳିବିଳେଉଛ ନିଖିଳେଶ!!!ଶୃତି ହଲେଇ ଦେଇ କହିଲା ।

ନା ସେ କିଛି ନୁହେଁ ତୋ ପରି ହୁଣ୍ଡିଙ୍କ ପାଇଁ ତ ଆଦୌ ନୁହେଁ---କହିଲା ନିଖିଳେଶ୍ ।

ଗଲାବେଳେ ଦେଇ ଯାଇଥିଲା ଗୋଟିଏ ଚାବି ରିଙ୍ଗ । ଯେଉଁ ଥିରେ ପିଲାଟିଏ ହାତ ମୁଠାରେ ଧରିଥିଲା ଗୋଟିଏ ନୀଳଜହ୍ନ । ତଳେ ଲେଖା ଥିଲା MY LOVE ।

ଲଭ ବିନା ବଂଚିହୁଏ ନା କଣ??ଲଭ ତ କୋମଳ ହୃଦୟର ଦିବ୍ୟ ଭାଵ । ଟୁକୁଟାଏ ହୃଦୟ ପାଖୁଡାଏ ଫୁଲର ମହକ ତ ଲଭ । ରଙ୍ଗୀନ ପ୍ରଜାପତି ମନ,ଚେନାଏ ହସ ଯେଉଁଠି ଫିଙ୍ଗି ଦିଏ କୋଟିଏ ଫଗୁଣ । ଟୋପେ ଲୁହ ଗାତ କରିଦିଏ ଛାତିରେ,ଦରଜରେ ଆଂଚୁଡ଼ି ହୋଇଯାଏ ଦେହ, ମନ,ପ୍ରାଣ!!!ସମସ୍ତେ ପ୍ରେମିକ ବା ପ୍ରେମକା ହୋଇ ଏସବୁ ବିଷ ନୀଳକଣ୍ଠ ପରି ପିଇ ପାରିବେ ନା କଣ??

ଚାବି ରିଙ୍ଗ ଟାକୁ ଅନେକ ସମୟରେ ଭଲ ପାଇବାକୁ ଇଚ୍ଛାହୁଏ ଶୃତିର । ହାତରେ ମୁଠାଇ ଅନୁଭବ କରେ ନିଖିଳେଶକୁ ।

ଶୃତି ପରି ଝିଅ ମାନେ କଣ ଭଲ ପାଇଁ ପାରନ୍ତି??ସ୍ବପ୍ନ ଦେଖିବାକୁ ସେମାନଙ୍କୁ ମନା ।  ସିଟି ପାସ କରି ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଲା ପରେ ପରେ ବାପା ତା ବିବାହ ଗୋଟିଏ କ୍ଲର୍କ ସହ କରି ଦେଲେ ।

ଯେଉଁଦିନ ଶୃତିର ବିବାହ ପରେ ହଠାତ ବ୍ଳକରେ "ରିଚା" ନିଖିଳେଶର ସହପାଠୀ ସହ ଦେଖା ହୋଇଗଲା । ସେ କହିଲା "ଶୃତି!ନିଖିଳେଶ ତୋତେ ଏତେ ଭଲ ପାଉ ଥିଲା ଅଥଚ ତୁ ତାକୁ ବୁଝି ପାରିଲୁନି??ବିଚାରା ....ନିକି!! । ବହୁତ କାନ୍ଦିଛି ତୋ ବାହା ଘର ଦିନ ।

ସେଦିନ ଆକାଶରୁ ଖସି ଠୋ ହେଇ ଯାଇଥିଲା ଶୃତି ।

ତାହେଲେ ତା ହୃଦୟର ଏ ସ୍ୱର କଣ ନିଖିଳେଶ ପାଇଁ??ତା ମନ କଣ ନିଖିଳେଶକୁ ଭଲ ପାଉଥିଲା??

ବୋଧ ହୁଏ ତା ଅଜାଣତେ ନିଖିଳେଶ ପାଇଁ ପ୍ରେମର ବିଜଟିଏ ପୋତି ହୋଇ ଯାଇ ଥିଲା ତା ଭିତରେ । ଯାହା ତାକୁ ଜଣା ନଥିଲା । ତା ହୃଦୟ କିନ୍ତୁ ଜାଣି ଥିଲା । ନଚେତ ତା କଥା ଭାବିଲେ ଏତେ ଅସୁସ୍ଥ ଅସୁସ୍ଥ ଲାଗେ କାହିଁକି??କାହିଁକି ତା କଥା ଭାବି ଗୋଡ଼ରୁ ମୁଣ୍ଡ ଯାଏ ଏକ ଅପୂର୍ବ ଶିହରଣ ଖେଳି ଯାଏ??? ଏକା ଏକା ମୁହୁର୍ତ୍ତରେ ନିଖିଳେଶ ମୁହଁ ଦିଶି ଯାଏ ତାକୁ ।  ନିଖିଳେଶ ଭଲ ମନ୍ଦ ଜାଣିବାକୁ ମନ ଇଛା କରେ । ଏହାରି ନାମ କଣ ଭଲ ପାଇବା??

ସେଇଥି ପାଇଁକି ବାପା ଘରୁ ଶାଶୁ ଘରକୁ ଆସିଲା ବେଳେ ସେ ଚାବି ରିଙ୍ଗ ମୋହଟା ତାକୁ ବାଧ୍ୟ କରିଥିଲା ସାଙ୍ଗରେ ଆଣିବାକୁ!!! ।  ଏତେ ଦିନ ଧରି କେବେବି ଦେଖା ହେଇନି ନିଖିଳେଶ ।  ଏଇ କାରଣଟା ପାଇଁ ତା ବାହା ଘରକୁ ବି ଆସି ନଥିଲା ନିଖିଳେଶ ।

ଦେଖା ହେଲେ ସେ ପଚାରନ୍ତା "ଏତେ ଯଦି ଭଲ ପାଉ ଥିଲ ଖୋଲି କହିଲନି କାହିଁକି"?? କେବେ ବି ଶୃତି ଜାଣି ଜାଣି ତାଙ୍କ ଅଂଚଳର ସବୁଠାରୁ ବଡ଼ ଲୋକ , ଏଡ଼େ ବଡ଼ ଘର ପୁଅକୁ ଭଲ ପାଇଁ ପାରି ଥାନ୍ତା କି?? ଏମିତି ଭଲ ପାଇବା କେବଳ ଫିଲ୍ମରେ ସମ୍ଭବ । କଞ୍ଚା ଖାଇ ଦେଇ ଥାନ୍ତେ ତା ନିରୀହ ବାପା ମା’ ଙ୍କୁ.... ତା ବାପାଟା । ବଣୁଆ ବାଘଟିଏ ସେ । ହେଲେ ନିଖିଳେଶ୍ ସେ ବି ତ ଡରିଲା, ନା??

ପ୍ରଶ୍ନ ତ ପ୍ରଶ୍ନ !!ତାକୁ ସିଧା କରି ଚାହିଁ ପାରିବ ତ ସେ??ଚାବି ରିଙ୍ଗଟାକୁ ଛାତିରେ ଜାକି ଅଣ ନିଃଶ୍ବାସୀ ହୋଇ ପଡୁଥିଲା ଶୃତି ।  ଭଲ ପାଇବାଟା ବୋଧେ ଏମିତି ।  ସାମାନ୍ୟ ଜିନିଷ ଟା ସମୟ ପଡିଲେ ଏତେ ମୂଲ୍ୟବନ ହୋଇଯାଏ!! । ଶୃତିକୁ ଲାଗୁଥିଲା ଏ କଳଙ୍କି ଲଗା ଚାବିରିଙ୍ଗ ନୁହେଁ ବରଂ କୋଟି ନିଧି । ନିର୍ଜୀବ ବସ୍ତୁ ଟା ରେ ଏତେ ଭଲ ପାଇବା ବାସୁଛି??ଏତେ ଆପଣାର ଲାଗୁଛି?? ହେଇ ଗଲାଣି ଦୀର୍ଘ ତେର ବର୍ଷ ପୂର୍ବ କଥା ।

ଝିଅ ସୁକ୍ତା କହିଲା ମା’ ଚାବି ରିଙ୍ଗଟା ଦିଅ,ଫିଙ୍ଗିଦେଇ ଆସେ ଡ଼ଷ୍ଟବିନରେ  ।  କଣ ଦେଖୁଛ ସେଥିରେ??

ଦଶ ବର୍ଷର ଝିଅ କଣ ବୁଝିବ "ମା’ ତାର କଣ ଦେଖୁଛି ତୁଛା ଚାବି ରିଙ୍ଗଟାରେ??

ହାତରେ ରିଙ୍ଗ ଟାକୁ ଜାବୁଡି ଧରି ଶୃତି ଅନୁଭବ କରୁଥିଲା ନିଖିଳେଶ୍ ର ସ୍ନାତକ ପାସ ପର ତାଙ୍କ ଘରେ କଥା ହେବାର ମୁହଁକୁ....।

କେତେ ବୋକା ଥିଲା ସେ !! ତା ଆତ୍ମା ବୁଝି ପାରିଥିଲା ନିଖିଳେଶ ଭଲ ପାଇବାକୁ । ସେଇ ପାଇଁ ତ ଏ ଚାବି ରିଙ୍ଗଟାରେ ଏତେ ମୋହ, ଆସକ୍ତି!!! ଅଥଚ ସେ......!

ସତ୍ୟବତୀସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର

ଚାବି ରିଙ୍ଗ ରଙ୍ଗ ଶୃତି

Rate the content


Originality
Flow
Language
Cover design

Comments

Post

Some text some message..