ଓଡ଼ିଆ ଗଳ୍ପ ଓ କବିତା - ୧

Children


2  

ଓଡ଼ିଆ ଗଳ୍ପ ଓ କବିତା - ୧

Children


ଜହ୍ନମାମୁଁ -୬୧

ଜହ୍ନମାମୁଁ -୬୧

2 mins 7.5K 2 mins 7.5K

ତାଜା ମିଠାଇ

ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା ।

ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ? ମନେ ହୁଏ କିଛି ଶୁଭସମାଚାର ।”

ବୀର କହିଲା “ଆଜ୍ଞା ହଁ, ସମାଚାର ଶୁଭ, ଆପଣଙ୍କର ନାତି ହୋଇଛି । ମା’ ଓ ପିଲା ଦୁହେଁ ଭଲ ଅଛନ୍ତି ପିଲା ହେବା ପରେ ତ ମୁଁ ଏହି ଖବର ଦେବାକୁ ଦୌଡି ଆସିଛି ।”

ରାମଚନ୍ଦ୍ର ଅତି ଆନନ୍ଦିତ ହୋଇ ସେ ଚାକରକୁ ଟଙ୍କାଟିଏ ପୁରସ୍କାର ଦେଲେ; ତା’ପରେ ସେ କହିଲେ, “ତୁ ଆମଘରକୁ ଯାଇ ଏକଥା ସମସ୍ତିଙ୍କୁ କହ ଓ ବଡ ଟୋକେଇଟିଏ ନେଇ ରଘୁମିଶ୍ରର ମିଠାଇ ଦୋକାନକୁ ଆସ୍ । ମୁଁ କିଛି ମିଠାଇ କିଣିବା ଲାଗି ଏଠାରୁ ସେଇଠାକୁ ଯାଉଛି । ବଡ ଟୋକେଇଟିଏ ଆଣିବୁ ।”

ବୀର ଘରକୁ ଚାଲିଯିବା ପରେ ରାମଚନ୍ଦ୍ର କଥାବାର୍ତ୍ତା ଶେଷକରି, ତୁରନ୍ତ ମିଠା ଦୋକାନରେ ଯାଇ ପହଁଚିଲେ ।

ରଘୁମିଶ୍ର ରାମଚନ୍ଦ୍ରଙ୍କୁ ଦେଖି କହିଲେ, “ଆସନ୍ତୁ ମହାଶୟ, ଆପଣ ତ କେବେ ହେଲେବି ମୋ ଦୋକାନକୁ ଆସନ୍ତି ନାହିଁ ।”

ରାମଚନ୍ଦ୍ର କହିଲେ “ଏବେ ତ ଜରୁରୀ ଦରକାର । ମୋ ପାଇଁ ଶହେ ଲଡୁ ଓ ଦଶସେର ଜଲିପି ଦରକାର । ଦେଇ ପାରିବ ତ?”

ମିଶ୍ର କହିଲେ “ନିଶ୍ଚୟ ଦେବି । ଏପଟେ ଗଣିବି, ସେପଟେ ଦେବି ।”

ରାମଚନ୍ଦ୍ର କହିଲେ “ଦେଖ, ତାଜା ମିଠା ଯେପରି ହୋଇଥିବ । ବାସି ଚଳିବ ନାହିଁ ।”

ମିଶ୍ର କହିଲେ “ଏଥିରେ ପୁଣି ଆଉ ସନ୍ଦେହ ଅଛି । ଏକବାର ତାଜା ମିଠା । କାହିଁ ପାତ୍ର ଆଣନ୍ତୁ ।”

କଥାବାର୍ତ୍ତା କରୁ କରୁ ସଜା ହୋଇଥିବା ମିଠାଇକୁ ଦେଖି ରାମଚନ୍ଦ୍ର କହିଲେ, “ଆହା ଏତେ ଗୁଡିଏ କାମ ତୁମେ କ’ଣ ଏକଲା କରୁଛ?”

ରଘୁମିଶ୍ର ଖୁସି ହୋଇ ଯାଇ କହିଲା, “ଆଉ କିଏ କରିବ? ମୋତେ ସାହାଯ୍ୟ କରିବାକୁ କେହି ନାହିଁ । ବଡ ପରିଶ୍ରମ । ଏତେ ଗୁଡିଏ ମିଠା ବନାଇବାକୁ ମୋତେ ଦୁଇରାତ୍ରି ଅନିଦ୍ରା ହେବାକୁ ହୁଏ । ଆଉ ସଜାଇବାକୁ ଗୋଟିଏ ରାତ୍ରି ଲାଗେ । ତିନିରାତ୍ରି ଅନିଦ୍ରା ହେବା ପରେ ଦୋକାନରେ ଏତକ ମିଠାଇ ବିକ୍ରି ହୁଏ ।”

ରାମଚନ୍ଦ୍ର କହିଲେ “ଓହୋ, ଏପରି କଥା? ମୁଁ ତ ଜାଣି ନଥିଲି । ଯାହା ହେଉ ଏବେ ମୁଁ ତାହା ଜାଣିଗଲି ।”

ଇତିମଧ୍ୟରେ ବୀର ଟୋକେଇଟିଏ ଧରି ସେଠାରେ ଆସି ପହଁଚିଗଲା । ମିଶ୍ର ଖୁସି ହୋଇ ବୀରକୁ କହିଲେ, “ଟୋକେଇ ମୋତେ ଦେ, ମୁଁ ମିଠାସବୁ ଓଜନ କରିବା ପରେ ସଜାଇ କରି ଦେବି ।”

ରାମଚନ୍ଦ୍ର ମୁହଁ ଶୁଖାଇ କହିଲେ, “ମିଶ୍ରେ, ମୁଁ ବଡ ଦୁଃଖିତ ମୁଁ ତୁମ ଦୋକାନରୁ କିଛି କିଣିବି ନାହିଁ । ମୁଁ ତ ସଜ ଓ ତାଜାମିଠା କିଣିବାକୁ ଚାହୁଁଥିଲି । ହେଲେ ତୁମର ତ ଏହା ତିନିଦିନର ବାସି ମିଠେଇ । ମୋର ନୂଆ ନାତି ହୋଇଛି ଆଉ ମୁଁ ସମସ୍ତିଙ୍କର ମୁହଁ ମିଠା କରିବି କ’ଣ ତମର ଏହି ବାସି ମିଠାଇରେ? ମୁଁ ଯାଉଛି ଅନ୍ୟ କେଉଁ ଦୋକାନରେ ଦେଖେ । ତୁମେ ତୁମର ସଜ ମିଠାଇ ନେଇ ବିକୁଥାଅ ।”

ମିଶ୍ର ଏବେ ବୁଝିଗଲେ ଯେ କଥାବାର୍ତ୍ତା ମଧ୍ୟରେ ସେ ନିଜର ଭୂଲ୍ କଥାଟି କହିଦେଇଛନ୍ତି । ମିଶ୍ରେ ତାଙ୍କ ମନେ ମନେ ବଡ ଛଟପଟ ହେଲେ । କିନ୍ତୁ କ’ଣ ବା ଆଉ ସେ କରିବେ? ସେତେବେଳକୁ ମୁଖିଆ ରାମଚନ୍ଦ୍ର ଅନ୍ୟ ମିଠାଇ ଦୋକାନକୁ ଚାଲିଗଲେଣି ।


Rate this content
Originality
Flow
Language
Cover Design