Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

"ନୂଆ ସକାଳ"

"ନୂଆ ସକାଳ"

10 mins
9.0K


କ୍ଷୁଦ୍ରଗଳ୍ପ:"ନୂଆ ସକାଳ "

=============

ସରକାରୀ ଚାକିରୀରୁ ଅବସର ନେବାର ବୟସ ସୀମାକୁ ଅଠାବନରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରା ନ ଯାଇଥିଲେ ଜଙ୍ଗଲ ବିଭାଗର ଚନ୍ଦକା ବନଖଣ୍ଡ ଅଧିକାରୀଙ୍କ ଅଫିସ ର ବରିଷ୍ଠ କିରାଣି ବିଘ୍ନେଶ ବାବୁ ଗତବର୍ଷ ମାର୍ଚ୍ଚରୁ ଅବସର ନେଇ ସାରନ୍ତେଣି। ଯେଉଁଦିନ ଏ ସମ୍ବନ୍ଧୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା, ତାଙ୍କ ଅଫିସରେ ତାଙ୍କ ପୂର୍ବରୁ ଓ ତାଙ୍କ ପାଖାପାଖି ଅବସର ନେବାକୁ ଥିବା ପ୍ରାୟ ସମସ୍ତ ସହକର୍ମୀ ଖୁସି ହେଲା ବେଳେ ବିଘ୍ନେଶ ବାବୁ କିନ୍ତୁ ସାମାନ୍ୟ ଟିକେ ଖୁସି ହେଇ ପାରି ନଥିଲେ ସେଦିନ।

ଦୀର୍ଘ ସଇଁତିରିଶ ବର୍ଷ ଧରି ଗୋଟେ ନିର୍ଦ୍ଦିଷ୍ଟ ଧରାବନ୍ଧା ଧାରାବାହିକ ଜୀବନଶୈଳୀ କୁ ଆପଣେଇ ଆଦ୍ୟ ଯୌବନରୁ ଜୀବନର ଗୋଧୂଳି ଛୁଇଁବା ଭିତରେ ଜୀବନର ଦିନଟିଏ ନିଜ ପାଇଁ କିମ୍ବା ନିଜର ପରିବାର ପାଇଁ ମୁକ୍ତ ଭାବରେ ବଞ୍ଚି ନ ପାରିଥିବାର ଅବଶୋସ ଏଣିକି ଅଧିକରୁ ଅଧିକ ବିଚଳିତ କରୁଥିଲା ତାଙ୍କୁ। ତାଙ୍କ ଆଖି ସାମ୍ନାରେ ଅଥଚ , ତାଙ୍କ ଅଲକ୍ଷରେ ପିଲା ଦୁହେଁ କେତେବେଳେ ବଡ଼ ହେଇଗଲେ ତାହା ସେ କେମିତି ଜାଣିପାରିଲେ ନାହିଁ ସେକଥା ଭାବିଲେ ନିଜ ପ୍ରତି ଖୁବ ବେଶୀ ଦୟାହୁଏ ତାଙ୍କର, ଭାରି ଅସହାୟ ମନେ କରନ୍ତି ନିଜକୁ। ପତ୍ନୀଙ୍କ ସହ ବସି କେବେ ଘଂଟାଏ ଅନ୍ତରଙ୍ଗ ଆଳାପ କରି ପାରି ନଥିବାର ଅପରାଧ ବୋଧ ଏଣିକି ଅଧିକାଂଶ ବେଳେ ବହୁତ ଭାରି ଭାରି ଲାଗେ।

ପୁଅ ଅଂଶୁମାନ ଦୁଇବର୍ଷ ହେଲା ଇଂଜିନିଅରିଙ୍ଗ ପଢା ଶେଷକରି ବେଙ୍ଗାଲୁରୁରେ ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀରେ ମୋଟା ଅଙ୍କ ଦରମାରେ କାର୍ଯ୍ୟରତ। ଚାକିରି କରିବା ପରେ ବିଗତ ଦୁଇବର୍ଷ ଭିତରେ ଅତିବେଶିରେ ଦୁଇ-ତିନିଥର ଘରକୁ ଆସିଛି। ତାହାପୁଣି ଦିନେ କି ଓଳିଏ ପାଇଁ। ଅବଶ୍ୟ ମଝିରେ ମଝିରେ ତା ମାଆ ପାଖକୁ କିଛିକିଛି ପଇସା ପଠାଇ ଦିଏ। ଭୁବନେଶ୍ୱର ଭଳି ଛୋଟ ସହର ଭିତରେ ରହିଲେ ତା'କୁ ଅଣନିଶ୍ୱାସୀ ଲାଗେ। ବିଶେଷକରି ବିଘ୍ନେଶ ବାବୁ ଚାକିରି ଆରମ୍ଭରୁ ରହି ଆସୁଥିବା ଏଇ ଦୁଇ ବଖରିଆ ସରକାରୀ ବାସଭବନଟି ତା'ପାଇଁ ଭାରି ବିରକ୍ତିକର । ପାଠ ପଢୁଥିବା ସମୟରେ ସରକାରୀ କ୍ୱାର୍ଟର ଛାଡି ସହରର କୌଣସି ପ୍ରମୁଖ ସ୍ଥାନରେ ଗୋଟେ ବଡ ଏବଂ ଭଲ ଘରଟିଏ ଭଡାରେ ନେବାଲାଗି ତାଙ୍କୁ କହିବା ପାଇଁ ସେ ତା ମା'ଙ୍କୁ ବହୁତବାର କହିଥିଲା ଯଦିଓ ପତ୍ନୀ ସୌମ୍ୟା ସେ ବାବଦରେ ଥରେହେଲେ କେବେବି ତାଙ୍କୁ କହିନାହାନ୍ତି। କାରଣ,ଜଣେ ସ୍ଵଳ୍ପ ଆୟକାରୀ ସଚ୍ଚୋଟ ସରକାରୀ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ସୌମ୍ୟା ବିଘ୍ନେଶ ବାବୁ ଓ ତାଙ୍କ କାନ୍ଧ ଉପରେ ଥିବା ବୋଝସବୁର ଓଜନକୁ ବେଶ ବୁଝନ୍ତି। ପୁଅକୁ ମଧ୍ୟ ବିଭିନ୍ନ ପ୍ରକାର କଥାକହି ବାପାଙ୍କର ସୁବିଧା-ଅସୁବିଧା ସବୁକୁ ବୁଝାଇବାରେ ଅବହେଳା କରିନାହାଁନ୍ତି କୌଣସି ସମୟରେ। ସେସବୁ ଯାହାବି ହେଉନା କାହିଁକି, ଏବେ ସେ ତା ମନ ପସନ୍ଦର ଜୀବନ ବଞ୍ଚିପାରୁଛି ବୋଲି ତାଙ୍କର ଏହି ଦୁଇ ବଖରିଆ ସରକାରୀ ବାସଭବନଟିକୁ ନେଇ ଅସୁଖ ପ୍ରକାଶ କରୁନାହିଁ।

ଝିଅ ଅର୍ପିତା ଗତବର୍ଷ ସ୍ନାତକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଇ ଉତ୍ତୀର୍ଣ୍ଣ ହେଲାପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ପଢିବା ସହ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ପାଠ ବ୍ୟତୀତ ଅନ୍ୟାନ୍ୟ ଅନେକ ସୁଗୁଣର ଅଧିକରିଣୀ ଅର୍ପିତା ବିଲକୁଲ ତା ମାଆଙ୍କ ପରି ଶାନ୍ତଶିଷ୍ଟ, ନମ୍ର ଓ ସଂସ୍କାରୀ ପିଲା। କଥାବାର୍ତ୍ତା,ଚାଲି-ଚଳନ, ଆଚାର-ବ୍ୟବହାର ଓ ବେଶଭୁଷା ସବୁଥିରେ ଖୁବବେଶି ମାର୍ଜିତ। ଆଜିକାଲିର ସହରି ବାତାବରଣ ଭିତରେ ଏମିତି ଗୋଟେ ସୁଶୀଳା କନ୍ୟାର ପିତା ହିସାବରେ ନିଜକୁ ବହୁତ ଭାଗ୍ୟବାନ ମନେକରିବା ସଂଗେ ସଂଗେ ନିଜର ପିତୃତ୍ୱକୁ ନେଇ ମନେମନେ ଗର୍ବିତ ହୁଅନ୍ତି ବିଘ୍ନେଶ ବାବୁ।

ଚାକିରୀରେ ଯୋଗଦେବା ପରେପରେ, ସେ ମ୍ୟାନେଜର ପଦବୀ କୁ ଉନ୍ନୀତ ନହେବା ପର୍ଯ୍ୟନ୍ତ ତା ବାହାଘର ପ୍ରସଙ୍ଗ ନ ଉଠାଇବା ପାଇଁ ଅଂଶୁମାନ ମୂଳରୁହିଁ ତା ମା'ଙ୍କୁ ରୋକଠୋକ କହିଦେଇଛି। ପୁଅପିଲା,ଚାକିରି କରି ନିଜ ଗୋଡ଼ରେ ନିଜେ ଛିଡାହେଲାଣି। ତେଣୁ,ପୁଅକୁ ନେଇ ତାଙ୍କ ମନ ଭିତରେ ବିଶେଷ କିଛି ଉଦବିଘ୍ନତା ନାହିଁ। ବିଘ୍ନେଶ ବାବୁ ମନେମନେ ସ୍ଥିର କରିଥିଲେ, ଚାକିରିରୁ ଅବସର ନେବାମାତ୍ରେ ଭବିଷ୍ୟନିଧି ପାଣ୍ଠିରେ ଯାହାକିଛି ଥିବ ସେତକ ଉଠାଇ ,ଯୋଗ୍ୟ ବରପାତ୍ରଟିଏ ଖୋଜି ଅର୍ପିତାକୁ ହାତରୁ ଦି'ହାତ କରିଦେଇ ଶାନ୍ତିରେ ଟିକେ ନିଶ୍ୱାସ ମାରିବେ।

ବିଘ୍ନେଶ ବାବୁଙ୍କ ଅଫିସରେ ତାଙ୍କର ସହକର୍ମୀମାନେ ପ୍ରାୟ ସମସ୍ତେ ଅର୍ପିତା ବିଷୟରେ ଜାଣନ୍ତି। ତେଣୁ,ସେମାନେ କୁହନ୍ତି, ଆପଣ ଖାଲି ଅଯଥାରେ ବ୍ୟସ୍ତ ହେଉଛନ୍ତି। ଅର୍ପିତା ପରି ଝିଅଟିଏ ଘରେ ଥିଲେ ବରପାତ୍ର ଖୋଜିବା କଣ ଦରକାର ଯେ, ଆଜି 'ହଁ 'କହିଲେ କାଲି ଦୁଆର ଆଗରେ ବରପାତ୍ର ମାନଙ୍କର ଲମ୍ବା ଧାଡ଼ି ଲାଗିଯିବ, ଖାଲି ବାଛିବା କଥା ଯାହା। ନିଜ ଝିଅ ବିଷୟରେ ଏଇସବୁ ପ୍ରଶଂସା ପୂର୍ଣ୍ଣ କଥା ଶୁଣିବା ବେଳେ ବିଘ୍ନେଶ ବାବୁଙ୍କ ଛାତିଫୁଲି କୁଣ୍ଢେମୋଟ ହେଇଯାଏ। ସେ ମନେମନେ ଭାବନ୍ତି,"ଅର୍ପିତା ପରି ଝିଅର ବାପ ହେବାଠୁଁ ବଡ ଭାଗ୍ୟ ଆଉ କଣ ହେଇପାରେ !"

ଠିକ ତାର ପରମୁହୂର୍ତ୍ତରେ ମନରେ ସୃଷ୍ଟି ହୁଏ ଭାବାନ୍ତର। ମନକୁ ମନ କୁହନ୍ତି, ମୋ'ପରି ସ୍ଵଳ୍ପ ବେତନ ଭୋଗି ସରକାରୀ ଚାକିରିଆ ପାଇଁ ଝିଅ ଠାରୁ ବଡ ବୋଝ ଆଉ କଣ ବା ହେଇ ଥାଇପାରେ। ପିଲା ମାନଙ୍କର ପେଟ,ପିଠି ଆଉ ପାଠ ପାଇଁ ଯେଉଁ ଲୋକର ରୋଜଗାର ପର୍ଯ୍ୟାପ୍ତ ନୁହେଁ ସେ ଲୋକ ଘରେ ବିବାହଯୋଗ୍ୟା ଝିଅ ଥାଉଥାଉ ଶାନ୍ତିରେ ନିଶ୍ୱାସ କେମିତି ନେଇ ପାରିବ ଯେ !!

ଆଜିକା ଦିନରେ ଝିଅଥିବା ଘରେ କୋଉ ମା'ବାପ ଆଖିମୁଦି ଶୋଇ ପାରିବ ? ଖାଲିଟାରେ ଲୋକେ କୁହନ୍ତି,"ଝିଅ ଘିଅ"।

ବସାଘର ଠାରୁ ଅଫିସ ପାଖାପାଖି ଗୋଟେ କିଲୋମିଟର ଦୂର।। ଆଜିକାଲି ଅଫିସ ଗଲାବେଳେ ବିଘ୍ନେଶ ବାବୁ ରାସ୍ତାଘାଟରେ ଗାଡିଘୋଡାର ଭିଡକୁ ଆଖିରେ ରଖି ନିଜର ପୁରୁଣା ମାତ୍ର ଅତିପ୍ରିୟ ଚେତକ ସ୍କୁଟରଟିକୁ ବାହାର ନକରି ମହାନଗର ନିଗମ ବସ ସେବାକୁ ଅଧିକ ପସନ୍ଦ କରୁଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ବିଘ୍ନେଶ ବାବୁ ଦିନେକାଳେ ବସାକୁ ଆସନ୍ତି ନାହିଁ। ଗଲାବେଳେ ସୌମ୍ୟା ଟିଫିନରେ ଆବଶ୍ୟକତା ଠାରୁ ଟିକେ ବେଶି ପରିମାଣର ରୁଟି ,ସନ୍ତୁଳା,ଆଚାର ଆଦି ଭରି ଦେଇ ଦେଇଥାନ୍ତି। କେବେକେବେ, ସାଙ୍ଗସାଥି ମାନଙ୍କର ବାଧ୍ୟବାଧକତାରେ ଅଫିସ କ୍ୟାଣ୍ଟିନ ରେ କିଛି ଟିକେ ଖାଇନେଲେ ତାଙ୍କର ପେଟ ବିଗିଡି ଯାଏ।

ପାଞ୍ଚଟା ବେଳେ ଅଫିସ ଛୁଟି ହେବାପରେ ଅନ୍ୟମାନେ ତରବର ହେଇ ବାହାରୁ ଥିଲା ବେଳେ ବିଘ୍ନେଶ ବାବୁଙ୍କ ଠାରେ ସେମିତି ବ୍ୟସ୍ତତା ପରିଲକ୍ଷିତ ହୁଏନାହିଁ। ନିଜ ଟେବୁଲ ଉପରେ ଥିବା ଆଜିର କୌଣସି କାମକୁ କାଲିପାଇଁ ଛାଡ଼ିଆସିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ। ସବୁକାମ ଶେଷ କରି ଉଠିଲା ବେଳକୁ ଅଫିସର ପିଅନ କୁ ଛାଡି ଆଉ କେହିବି ନ'ଥାନ୍ତି। ବିଘ୍ନେଶ ବାବୁଙ୍କ ଯୋଗୁଁ ଅଧିକ ଘଣ୍ଟେ ଅଧଘଣ୍ଟେ ଅଫିସରେ ରହିବାକୁ ପଡୁଥିଲେବି ପିଅନ କାଳୁ କେବେ ବିରକ୍ତ ହୁଏନାହିଁ। କାରଣ , ବେଳ ଅବେଳରେ ଏ ଅଫିସରେ ସେ ହିଁ ତା'ପାଇଁ ସବୁଥିରେ ସାହା।

ବିଘ୍ନେଶ ବାବୁଙ୍କର ଅନେକ ସାଙ୍ଗସାଥି ସେମାନଙ୍କ ପିଲାମାନଙ୍କର ବାହାଘର କରି ସାରିଲେଣି। ବିଶେଷ କରି ଯେଉଁ ମାନଙ୍କର ଝିଅ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ ବାହାଘର କାମ ସାରିଦେଇ ବେଶ ନିଶ୍ଚିନ୍ତ ହେଇ ଯାଇ ସାରିଲେଣି। ଗତମାସ

ପଣ୍ଡାବାବୁଙ୍କ ଝିଅ ବାହାଘର ଭୋଜିଖାଇ ଫେରିବା ପରେ ସେଇ ରାତିରେ ଝିଅ ଅର୍ପିତାର ବାହାଘର ପ୍ରସଙ୍ଗରେ ପତ୍ନୀ ସୌମ୍ୟାଙ୍କ ସହ କଥା ଆରମ୍ଭ କରିବାକୁ ଯାଇ କହିଥିଲେ," ଅର୍ପିତା ପାଇଁ ପାତ୍ର ଦେଖିବା ପାଇଁ ସୁରେନ୍ଦ୍ର କୁ କହିଛି। ଭାବିଛି ,ଭଲ ପିଲାଟିଏ ମିଳିଗଲେ ଅପେକ୍ଷା ନକରି ଯଥାଶୀଘ୍ର କାମଟା ସାରି ଦେବାକୁ ପଡିବ। ମୁଣ୍ଡରୁ ଅନ୍ତତଃ ବୋଝଟା ଓହ୍ଲେଇ ଯିବ।"

ବିବାହର ପରଠୁଁ ଦୀର୍ଘ ଏତେବର୍ଷ ସଂସାର କରିବା ଭିତରେ ସ୍ୱାମୀଙ୍କର ଛୋଟବଡ କୌଣସି ନିଷ୍ପତ୍ତିର ବିରୋଧ କରିନାହାନ୍ତି କେବେ ସୌମ୍ୟା। ସେଦିନ କିନ୍ତୁ କାହିଁକି କେଜାଣି କିଛି କହିବାରୁ ନିଜକୁ ନିବୃତ୍ତ କରି ନପାରି କହିଥିଲେ,"ଅର୍ପିତାର ବାହାଘର କୁ ନେଇ ଏବେଠାରୁ ତମେ ଏତେ ବ୍ୟସ୍ତ କାହିଁକି ହେଉଛ ? ବୟସ କୋଉ ବଳି ପଡ଼ିଲାଣି ଯେ। ଆଜିକାଲି ଯୁଗରେ ଝିଅମାନେ ପୁଅ ମାନଙ୍କ ଠାରୁ କୋଉଥିରେ ପଛରେ ଅଛନ୍ତି କି।

ଅର୍ପିତା କୁ ବୋଝ ବୋଲି ଭାବନା। ତା'ର ଏକମାତ୍ର ଇଛା ଯେ ସେ ଆଇଏଏସ ଅଫିସର ଟିଏ ହେବ ନଚେତ ଅଧ୍ୟାପିକା ଚାକିରୀ ଖଣ୍ଡେ ପାଇଗଲା ପରେ ବାହାହେବ। ମା'ବାପ ହେଇ ପିଲାଟାର ଏଇ ଗୋଟିଏ ଇଛା କଣ ଆମେ ପୁରଣ କରି ପାରିବା ନାହିଁ ?"

ସୌମ୍ୟାଙ୍କର କଥା ସରିବା ପୂର୍ବରୁ ବିଘ୍ନେଶ ବାବୁ ଶୋଇ ସାରିଥିଲେ। ସେ ମୂଳରୁ ସେମିତି। ଭୁଲ ହେଉ ବା ଠିକ ହେଉ, ଥରେ ଯଦି କୌଣସି ବିଷୟରେ କିଛି ଗୋଟେ ସିଦ୍ଧାନ୍ତ ନେଇଗଲେ ତା'ଉପରେ ଆଉ କୌଣସି ବ୍ୟକ୍ତି ଠାରୁ ଭଲମନ୍ଦ କିଛି ପଦେ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସୌମ୍ୟା କିନ୍ତୁ ସ୍ୱାମୀଙ୍କର ଏପରି ଅତର୍କିତ ଓ ଅନାବଶ୍ୟକ ନିଷ୍ପତ୍ତିକୁ ନେଇ କୌଣସି ଆଡୁ ନିଜକୁ ମନେଇ ନେଇ ନ ପାରିଥିଲେ ମଧ୍ୟ ନୀରବ ରହିଯିବାକୁ ଏକ ପ୍ରକାର ବାଧ୍ୟ ଥିଲେ।

ଦିନେ ଦୁଇଦିନ ପରେ ଅର୍ପିତା କ୍ଲାସରୁ ଫେରି ଖାଇସାରିବା ପରେ ଏଣୁତେଣୁ କଥା କହିବା ଭିତରେ ବାପାଙ୍କର ନିଷ୍ପତ୍ତି ବିଷୟରେ ଦେଢ଼ିଆ ତେଢ଼ିଆ କରି ତା କାନରେ ପକେଇ ଦେବାପରେ ଲକ୍ଷକଲେ ଗୋଟେ ମୁହୁର୍ତ୍ତରେ ତା ମୁହଁର ସବୁଯାକ ସରସତା କେମିତି ଏକ ଅପରିପ୍ରକାଶ୍ୟ ନୈରାଶ୍ୟପଣରେ ପରିବର୍ତ୍ତିତ ହେଇଯାଇଥିଲେ ମଧ୍ୟ ଉପରକୁ କୌଣସି ପ୍ରତିକ୍ରିୟା ପ୍ରଦର୍ଶନ କରିପାରି ନଥିଲା। କାରଣ, ସେ ବାପାଙ୍କୁ ଖୁବ ଭଲ କରି ଜାଣିଥିଲା। ଏକଥା ବି ଜାଣିଥିଲା ଯେ ବାପାଙ୍କ ନିଷ୍ପତ୍ତି ସବୁବେଳେ ଚୁଡାନ୍ତ ହିଁ ଥିଲା।

ଅର୍ପିତା ପାଇଁ ଭଲ ପ୍ରସ୍ତାବଟିଏ ଦେଇଛନ୍ତି ସେକ୍ରେଟାରିଏଟରେ ବରିଷ୍ଠ କିରାଣି ଚାକିରି କରୁଥିବା ତାଙ୍କ ଗାଁ'ସାଙ୍ଗ ସୁରେନ୍ଦ୍ର। ପିଲାଟି କୌଣସି ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଫାଇନାନ୍ସ ମ୍ୟାନେଜର ଅଛି। ସୌମ୍ୟ ,ଶୁଶୀଳ ଏବଂ ଉଚ୍ଚଶିକ୍ଷିତ ମଧ୍ୟ। ପ୍ରତିଷ୍ଠିତ ତଥା ସଂପନ୍ନ ପରିବାରର ଏକମାତ୍ର ଉତ୍ତରାଧିକାରୀ। ଆସନ୍ତା କାଲି ଝିଅକୁ ଦେଖିବାପାଇଁ ପୁଅଘର ତରଫରୁ ପୁଅର ବାପା,ମା ଓ ମଉସା ଆସିବେ। ତେଣୁ ବିଘ୍ନେଶ ବାବୁ ଆଜି ଟିକେ ଆଗୁଆ ଅଫିସ ଛାଡି ସିଟି ବସଷ୍ଟାଣ୍ଡକୁ ଆସି ତାଙ୍କ ଘରପାଖ ଛକ ଦେଇ ଯାଉଥିବା ବସ କୁ ଅପେକ୍ଷା କଲାବେଳେ ସାଙ୍ଗ ସୁରେନ୍ଦ୍ର ସ୍କୁଟର ଅଟକେଇ ଡାକଟେ ପକେଇ ପାଖକୁ ଆସି ପଚାରିଲା,"ଆରେ ସାଙ୍ଗ, କାଲି ପାଇଁ ପ୍ରସ୍ତୁତ ଅଛୁ ତ?"।

"ଆରେ ସୁରେନ୍ଦ୍ର ! ଆ ଆ, ମୁଁ ମନେମନେ ତୋତେ ହିଁ ଖୋଜୁଥିଲି। ମୁଁ ଖୋଜିବାକୁ,ତୁ ଆସିଯିବା-ବହୁତ ଦିନ ବଞ୍ଚିବୁ ରେ ତୁ।"-ବିଘ୍ନେଶ ବାବୁ କହୁକହୁ ସୁରେନ୍ଦ୍ର ବାବୁଙ୍କ ହାତକୁ ଧରିପକେଇ ବସ ଷ୍ଟାଣ୍ଡ ସାମ୍ନା ଗେଟର ବାଁ ପାଖ ଚା ଦୋକାନ ଆଡକୁ ଏକ ପ୍ରକାରେ ଟାଣିନେଇଗଲେ।

ଚାହା ଦୁଇ କପ ଦେବାପାଇଁ ଦୋକାନୀକୁ କହିସାରି ବିଘ୍ନେଶ ବାବୁ କଥା ଆରମ୍ଭ କଲେ," ଆରେ, କାଲି ସେମାନେ ଦିନ ଦଶଟା ବେଳେ ଆସିବେ ବୋଲି ତୁ ତ ଜାଣିଛୁ। ମୋତେ କାହିଁକି କେଜାଣି ଡର ଡର ଲାଗୁଛି। ମୋ ଅଫିସ ଭଲ ତ ମୁଁ ଭଲ,ଏକଥା ତ ତୋତେ ଅଛୁପା ନୁହେଁ। ବାହାଘର ସାହାଘର ଭଳି କଥାକୁ ମୁଁ ଜମାରୁ ନୁହେଁ ଭାଇ,ଇଏ ପୁଣି ଝିଅ ବାହାଘର କଥା। ତୁ ଟିକେ ସକାଳୁ ସକାଳୁ ଆସି ନ ପହଁଚିଲେ ମୋ ଅକଲ ଗୁଡୁମ ହେଇଯିବ।"

"ବ୍ୟସ୍ତ କାହିଁକି ହେଉଛୁ ଯେ, ଅର୍ପିତା କଣ ଏକୁଟିଆ ତୋଅରି ଝିଅ,ମୋର କେହି ନୁହେଁ କି? ତୋ କହିବାକୁ ମୁଁ କଣ ଅପେକ୍ଷା କରିବି? ତୁ ବିଛଣା ଛାଡ଼ିବା ଆଗରୁ ମୁଁ ହାଜିର ହେଇଯାଇଥିବି।"-କହୁକହୁ ସୁରେନ୍ଦ୍ର ବାବୁ ଶେଷ ସୁଡୁକା ମାରି ଚା'ଗିଲାସ ଟା ଷ୍ଟାଣ୍ଡ ଉପରେ ଥୋଇଦେଇ ସ୍କୁଟର ଚାବି ବାହାର କରିବା ପାଇଁ ପକେଟରେ ହାତ ପୁରେଇଲେ।

ଘରକୁ ଫେରିବା ପରେ ବିଘ୍ନେଶ ବାବୁ ଅର୍ପିତାର ବାହାଘର କଥା ଭାବି ଭିତରେ ଭିତରେ ଭାଙ୍ଗି ପଡୁଥିଲେ। ତାଙ୍କୁ ଲାଗୁଥିଲା ଝିଅର ବାପା ହେବାଠୁଁ ଏ ଦୁନିଆରେ ଆଉକିଛି ବଡ ଦୁଃଖ ନଥାଇପାରେ । ବିଘ୍ନେଶ ବାବୁଙ୍କ ମୁହଁକୁ ଚାହିଁ ତାଙ୍କ ମନଭିତର ର ଭାବାନ୍ତରକୁ ବୁଝିବାରେ ସୌମ୍ୟାଙ୍କୁ ଆଦୌ ଅସୁବିଧା ହେଲାନାହିଁ। ବିଘ୍ନେଶ ବାବୁ ଉପରକୁ ଯେତିକି କଠୋର ଓ ସାହସୀ ଲାଗନ୍ତି ଭିତରେ ତା'ଠାରୁ କାହିଁ କେତେଗୁଣା କୋମଳ,ସ୍ନେହୀ ଓ ଅସାମାନ୍ୟ ଭାବେ ଦୁର୍ବଳ। ଅନ୍ୟବେଳ ହେଇଥିଲେ ସୌମ୍ୟା କିଛି ନା କିଛି ପଦେ କହିଥାନ୍ତେ, ମାତ୍ର ,ବର୍ତ୍ତମାନ ପରିପ୍ରେକ୍ଷୀରେ ଚୁପ ରହିବାକୁ ଶ୍ରେୟସ୍କର ମନେକଲେ। କାରଣ, ଅର୍ଦ୍ଧାଙ୍ଗିନୀ ହେଇଥିବା ଦୃଷ୍ଟିରୁ ସ୍ୱାମୀଙ୍କ ମାନସିକ ଅଚଳାବସ୍ଥା ଦୂର କରିବା ପାଇଁ ଏକ ଦୃଢ଼ ମାନସିକ ସହଯୋଗର ଆବଶ୍ୟକତା ଥିବାର ଉପଲବ୍ଧି ତାଙ୍କ ପାଇଁ କିଛି ନୂଆ କଥା ନଥିଲା।

ରାତି ବଢି ଚାଲିବା ସଙ୍ଗେସଙ୍ଗେ ବିଘ୍ନେଶ ବାବୁଙ୍କ ଆଖିରୁ ନିଦ କ୍ରମଶଃ ଅପସରି ଯାଉଥିଲା। ଜଣେ ବାପା ହିସାବରେ ବିଘ୍ନେଶ ବାବୁଙ୍କ ଜୀବନରେ ଏ ପ୍ରକାର ଅନୁଭବ ଆଜିହିଁ ପ୍ରଥମ। ଯେଉଁ ଝିଅ ତାଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଏତେ ଗୌରବ ଆଣିଦେଇଛି, ଯାହାର ଚରିତ୍ର,ସ୍ଵଭାବ,ଚାଲିଚଳନ ବିଷୟରେ ଘରଠୁଁ ବାହାର ସମସ୍ତେ ପ୍ରସଂଶାରେ ଶତମୁଖ ସେଇ ତାଙ୍କରି ଝିଅ ଅର୍ପିତା ଯାହାକୁ ସେ ଏ ଯାଏ ଆଖି ପୁରାଇ ଥରେ ଦେଖିବାର ପ୍ରୟାସ ମଧ୍ୟ କରିନାହାନ୍ତି ! ବାପା ହେଇ ଏତେବର୍ଷ ଭିତରେ ଥରୁଟିଏ ଝିଅକୁ ପାଖରେ ବସାଇ ତା'ର ଇଛା-ଅନିଚ୍ଛା,ଭଲମନ୍ଦ ପଚାରି ବୁଝିବା ପାଇଁ ଘଡ଼ିଏ ସମୟ ବାହାର କରି ପାରିନାହାନ୍ତି ଜଣେ ବଡବାବୁର କାର୍ଯ୍ୟବ୍ୟସ୍ତତାରୁ !!

ହଠାତ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ସରକାରୀ କର୍ମଚାରୀ ବିଘ୍ନେଶ ବାବୁଙ୍କ ମନ ଭିତରର ଦାୟିତ୍ୱହୀନ ପିତୃତ୍ୱ ଦ୍ରୁତ ଜାଗ୍ରତ ହେଲା। ସବୁକିଛି ଠିକଠାକ ଲାଗୁଥିବା ତାଙ୍କର ସେ ଦୁଇ ବଖରିଆ ସରକାରୀ ବାସଭବନଟି ପିଲାମାନଙ୍କ ବସବାସ ଓ ଚଳପ୍ରଚଳ ପାଇଁ ଖୁବ ଅପ୍ରସସ୍ଥ ଲାଗିଲା। ଭାବନାର ଗତିବେଗ କ୍ରମେକ୍ରମେ ବିଘ୍ନେଶ ବାବୁଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିଲା। ତାଙ୍କ ଭିତରୁ ଏକ ବ୍ୟସ୍ତ ପିତୃତ୍ୱ ର କେମିତି ଏକ ବିବ୍ରତ ସ୍ୱର ଶୁଣିପାରୁଥିଲେ ସେ। ବହୁତ ପୂର୍ବରୁ କରଣୀୟ କିଛି କର୍ତ୍ତବ୍ୟ ଯାହା ସେ କରିପାରି ନ ଥିଲେ ସେ ସବୁକୁ ସକାଳ ହେବା ପୂର୍ବରୁ ଯଥାସମ୍ଭବ ସାରି ଦେବାକୁ ମନସ୍ଥ କରି ନେଲେ ବିଘ୍ନେଶ ବାବୁ। ଝିଅକୁ ଥରେ ଆଖିପୁରେଇ ଦେଖି ନେବାକୁ,ଝିଅ କପାଳରେ ବାପ ହାତର ସ୍ନେହବୋଳା ସ୍ପର୍ଶ ଦେଇ ଭଲମନ୍ଦ ଟିକେ ପଚାରି ନେବାକୁ,ଖାସ କରି ଥରୁଟିଏ ନିଜ ଝିଅର ବାପା ହେବାକୁ।

କାନ୍ଥଘଣ୍ଟାକୁ ଚାହିଁଲେ, ସମୟ ସାଢ଼େଦୁଇଟା। ବିଘ୍ନେଶ ବାବୁ ଡ୍ରଇଂରୁମ ସୋଫାରୁ ଉଠିଆସି ନିଜ ବେଡରୁମ ଭିତରକୁ ଚାହିଁଲେ। ସୌମ୍ୟା ଶାନ୍ତିରେ ଶୋଇଯାଇଛନ୍ତି। ଅପେକ୍ଷାରେ ମୁହୂର୍ତ୍ତେ ସମୟ ନଷ୍ଟ ନକରି ଅର୍ପିତାର ବେଡ଼ରୁମ ଆଡ଼କୁ ପାଦ ବଢାଇଲେ ବିଘ୍ନେଶ ବାବୁ।

ଅର୍ପିତାର ଶୋଇବା ଘର ଦୁଆର ପାଖରେ ପହଞ୍ଚି ଦେଖିଲେ ଦୁଆର ଅଧାମେଲା ଅଛି, ଜଳୁଥିବା ଟେବୁଲ ଲ୍ୟାମ୍ପ ପାଖରେ ଖୋଲା ଖାତା ଉପରେ ମୁଣ୍ଡରଖି ଶୋଇଯାଇଛି ଅର୍ପିତା। ହାତରେ କଲମ ସେମିତି ରହିଛି ଲାଗୁଛି ଯେମିତି ଗଣିତର କୌଣସି ଏକ କଠିନ ପ୍ରଶ୍ନ ସମାଧାନ କରୁକରୁ ମନେ ପଡୁନଥିବା ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମନେ ପକାଉଛି।

ଖୁବ ସନ୍ତର୍ପଣତାର ସହ ପାଦ ଚିପି କୋଠରୀ ଭିତରକୁ ପଶି ଟେବୁଲ ସାମ୍ନାରେ ନୀରବରେ ଦଣ୍ଡାୟମାନ ହେଇ ଅର୍ପିତାର ନିରୀହ ମୁହଁ ଉପରେ ଦୃଷ୍ଟି କେନ୍ଦ୍ରିତ କଲେ ବିଘ୍ନେଶ ବାବୁ। ସରକାରୀ ବଡ଼ମେଡିକାଲର ପୁରୁଣା ପଙ୍ଖା ପରି ତାଙ୍କର ଦୟନୀୟ ଆଖି ଯୋଡିକ ଅର୍ପିତାର ମୁଣ୍ଡ ଠାରୁ ପାଦ ଯାକେ ଖୁବ ଧୀରେ ଧୀରେ କେଇଥର ବୁଲିବା ଭିତରେ ବାହାହେଇ ପରଘରକୁ ଯିବାକୁ ଯୋଗ୍ୟା ପଲଟିଯାଇଥିବା ଅର୍ପିତା ତାଙ୍କ ଆଖି ସାମ୍ନାରେ ଦୀର୍ଘ ଏକୋଇଶ ବର୍ଷ ତଳର ସେଇ କୁନି ଛୁଆରେ ଦ୍ରୁତ ରୂପାନ୍ତରିତ ହେବାକୁ ଲାଗିଲା। ଫ୍ୟାନ ପବନରେ ଫୁରଫୁର ହେଇ ଉଡୁଥିବା ଝୁରଝୁରିଆ ଅଲରା ବାଳ ଗୁଡିକ ବିଘ୍ନେଶଙ୍କ ଅପାରଗ ପିତୃତ୍ୱକୁ ବିଦ୍ରୁପ କରି ସତେ ଯେପରି ,କହୁଥିଲେ," ତମେ ଅର୍ପିତାର ବାପା ନୁହେଁ ବିଘ୍ନେଶ ବାବୁ,ତମେ ବନବିଭାଗ ର ଚନ୍ଦକା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଦାୟିତ୍ୱବାନ ଓ ସଚ୍ଚୋଟ ବଡ଼ବାବୁ କେବଳ।"

ବିଶାଳ ସାଗରର ଅଭ୍ୟନ୍ତର ପ୍ରଦେଶର ଛୋଟିଆ ଢେଉଟି ଯେମିତି ବେଳାଭୂମିରେ ମୁଣ୍ଡ ନ ପିଟିବା ଯାକେ ଗତିଶୀଳତା ବଜାୟ ରଖେ ଠିକ ସେମିତି ବିଘ୍ନେଶ ବାବୁଙ୍କ ପିତୃତ୍ୱର ଅତଳ ସାଗରରେ ଅଚାନକ ସୃଷ୍ଟି ହେଉଥିବା ଦୁର୍ବଳ ତରଙ୍ଗ ସବୁ ଏକସଙ୍ଗେ ବେଳାଭୂମି ଆଡକୁ ପ୍ରବଳ ବେଗରେ ଆଗେଇ ଆସୁଥିଲେ। ପିତୃତ୍ୱ ର ଅନୁଭବ ଦୁନିଆର ସବୁଠାରୁ ଶକ୍ତ ମଣିଷକୁ ମଧ୍ୟ ଯେକୌଣସି ବାପା ସହ ସମାନ ଦୁର୍ବଳ କରିଦିଏ।

ଅର୍ପିତାର ମୁଣ୍ଡ ପାଖରେ ବସିପଡିଲେ ବିଘ୍ନେଶ ବାବୁ। ଏକସଙ୍ଗେ ଦୁଇଟି ଯାକ ହାତ ମମତାର ସ୍ପର୍ଶ ଦେବାକୁ ବ୍ୟାକୁଳ ହେଇ ଉଠିଲେ। ବାଁ ହାତକୁ ଝିଅ ମୁଣ୍ଡର ପଛପଟେ ଦେଇ ଡାହାଣ ହାତରେ ମୁହଁ ଉପରକୁ ଉଡ଼ିଆସୁଥିବା ଅଲରା ବାଳ ଗୁଡିକୁ ସଯତ୍ନରେ ଆଡେଇ ଦେଇ କୋଳ ଉପରକୁ ଉଠେଇ ଆଣିଲେ ବିଘ୍ନେଶ ବାବୁ। ଘନୀଭୂତ ପିତୃତ୍ୱର ପ୍ରଥମ ବର୍ଷାର ଟୋପା ଟି ଅର୍ପିତାର କପାଳ ଉପରେ ପଡିବା ମାତ୍ରେ କୋଠରୀ ଭିତରେ ଆଦ୍ୟ ଆଷାଢ଼ ର ପହିଲି ବର୍ଷାରେ ଓଦା ମାଟିର ବାସ୍ନା ପରି ଛୋଟିଆ ଘର ଭିତରର ଆହୁରି ବହୁତ ଛୋଟ କୋଠରୀଟି ଭିତରେ ବିସ୍ତାରିତ ହେଇଗଲା ଶାଶ୍ୱତ ପ୍ରେମର ଅନନ୍ତ ଆକାଶ।

"ବାପା !!!"-ଅର୍ପିତା କଣ୍ଠରୁ ନିସୃତ ଶବ୍ଦଟି ସ୍ୱପ୍ନ ଆଉ ସତ ଭିତରର ପାର୍ଥକ୍ୟ ଖୋଜୁଥିଲା ସମ୍ଭବତଃ।

"ହଁ ରେ ମାଆ, ତୋ ବାହାଘର ବିଷୟରେ ଭାବୁଥିଲି ଯେ ନିଦ ହେଲାନାହିଁ। ଗୋଟେ ଛୋଟିଆ ନିଷ୍ପତ୍ତି ନେବାବେଳକୁ ମନରେ ଟିକେ ଦ୍ଵନ୍ଦ ସୃଷ୍ଟି ହେଲା। ମା ଥକ୍କାରେ ଶୋଇଯାଇଛି ତେଣୁ ତାକୁ ନିଦରୁ ଉଠେଇବା ଉଚିତ ମନେ ହେଲାନାହିଁ। ଭାବିଲି ତୋତେ ପଚାରି ନେଲେ ବି ଚଳିବ। ସେଥିପାଇଁ ତୋ ପାଖକୁ ଟିକେ ଚାଲି ଆସିଲି।"- ପ୍ରଥମ ବନ୍ୟାରେ ଫୁଲି ଉଠିଥିବା ନଦୀ କୁଳଲଙ୍ଘି ଅବାଟରେ ବୋହିଗଲା ଭଳି ଅର୍ପିତା ଆଖିରୁ ବୋହିଯାଇ କାନପାଖ ବାଳକୁ ଭିଜେଇ ଦେଉଥିବା ଲୁହ ପୋଛୁପୋଛୁ ବିଘ୍ନେଶ ବାବୁ

ଏତକ କହିସାରି ଅର୍ପିତାର ଆଖିରେ ଆଖି ମିଳାଇ ପ୍ରତ୍ୟୟର ପ୍ରଥମ ଶିଳାନ୍ୟାସ କଲେ।

"ବାପା, ତମ ଝିଅ କଣ ଜୀବନରେ ଥରେ ହେଲେ କେବେ ତମ ନିଷ୍ପତ୍ତିର ବିରୋଧାଚରଣ କରିଛି ? ଆଜି କାହିଁକି ମନରେ ଏ ପ୍ରକାର ସଂଶୟ ବାପା !! କୁହ,ମୋ ଅଜାଣତରେ ମୁଁ ସେମିତି କିଛି ଭୁଲ କରିଦେଇଛି କି? ପଚାର ବାପା ,ଭରସା ରଖ ଯେ ତମ ପ୍ରଶ୍ନର ଉତ୍ତର ନିଶ୍ଚୟ ତମେ ଆଶା କରୁଥିବା ଉତ୍ତର ହିଁ ହେବ।"- ଏକା ନିଶ୍ୱାସରେ କହିସାରିଲା ବେଳକୁ ଅର୍ପିତାର କଣ୍ଠ ବାସ୍ଫରୁଦ୍ଧ ହେଇ ଉଠିଲା।

ଅଳ୍ପ ହସି ବିଘ୍ନେଶ ବାବୁ କହିଲେ,"ନାଁ ରେ ମା, ତୁ ତ ମୋ ସୁନା ଝିଅ, ତୁ କେମିତି କିଛି ଭୁଲ କରିବୁ ଯେ ! କାହିଁ କେବେଠାରୁ ଏଯାଏଁ ମୋ ଭିତରେ ଡାଳ ପନକା ମେଲି ମହାଦ୍ରୁମ ପାଲଟି ଯାଇଥିବା ଗୋଟେ ବିରାଟ ଭୁଲକୁ ମୁଁ ଏଇ ଏବେଏବେ ସୁଧାରି ଫେରିଲି ଆମ ଏଇ ଛୋଟିଆ ଘରକୁ। "

ଛାତି ଭିତରେ ଆଡା ପଡିଥିବା ଦୀର୍ଘଶ୍ଵାସଟିକୁ ବାହାରକୁ ଠେଲିଦେଇ ସେ ପୁଣି କହିଲେ," ମୁଁ ଭାବୁଛି ,ତୁ ସ୍ନାତକୋତ୍ତର ଶେଷକଲା ପରେ ଦିଲ୍ଲୀ ଯାଇ ଅନ୍ତତଃ ପକ୍ଷେ ବର୍ଷକ ପାଇଁ ସିଭିଲ ସର୍ଭିସ ପାଇଁ ପ୍ରଶିକ୍ଷଣ ନେ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ,ତୁ ନିଶ୍ଚୟ କୃତକାର୍ଯ୍ୟ ହେବୁ। ତା'ପରେ ତୋ ମନ ପସନ୍ଦର ଯୋଗ୍ୟ ପାତ୍ରଟିଏ ଖୋଜି ତୋ'ର ବାହାଘର କରିବି। ତୋ'ର ମତ କଣ ମା?"

ଅର୍ପିତା କିଛି ନକହି ବାପାଙ୍କ ହାତକୁ ଦୁଇ ହାତରେ ଜାବୁଡି ଧରି ଛୋଟପିଲାଟିଏ ପରି କାନ୍ଦି ଉଠିଲା। ସତେଅବା ଯୁଗଯୁଗ ଧରି ଆକାଶରେ ଭାସି ବୁଲଥିବା ବାଦଲ ଖଣ୍ଡିକ ଘନୀଭୂତ ହେଇ ଅକସ୍ମାତ ବରସି ଗଲା।ବିଘ୍ନେଶ ବାବୁ ଝିଅର ମୁଣ୍ଡକୁ ଛାତିରେ ଜାବୁଡି ଧରି ନିଜ ଆଖିରୁ ଗଡି ଆସୁଥିବା ଲୁହକୁ ନପୋଛି ଅବାଧରେ ବୋହିଯିବାକୁ ଦେଇ ନୀରବ ହେଇଗଲେ ସତେ ଯେପରି ତାଙ୍କୁ ତାଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିଲା।

ବହୁତ ଆଗରୁ ଦୁଆର ପାଖରେ ନୀରବରେ ଛିଡାହେଇ ସବୁକିଛି ଦେଖୁଥିବା ଆଉ ଶୁଣୁଥିବା ସୌମ୍ୟା ପଣତରେ ଲୁହ ପୋଛିପୋଛି କୋଠରୀ ଭିତରକୁ ପଶିଆସି ଗୋଟେ ହାତ ସ୍ୱାମୀଙ୍କ କାନ୍ଧରେ ରଖି ଏବଂ ଆର ହାତରେ ଅର୍ପିତାର ମୁଣ୍ଡକୁ ସାଉଁଳେଇ ଦେଇ କହିଲେ," ଆରେ, ମୋ'ର ଏ ଛୋଟିଆ ଘରକୁ ତମେ ବାପଝିଅ ଦୁହେଁ ମିଶି ରାତାରାତି ଏତେ ବଡ଼ କରିଦେଲ ଅଥଚ ମୋତେ କେହି ଏଯାଏଁ ଡାକୁନ !!!"

ବିଘ୍ନେଶ ବାବୁ ଓ ସୌମ୍ୟା ଉଭୟ ଏକସଙ୍ଗେ ଆତ୍ମତୃପ୍ତି ପରିପୂର୍ଣ୍ଣ ହସ ହସୁଥିଲେ। ମଧ୍ୟରାତ୍ରର ବହଳ ଅନ୍ଧକାରର ବକ୍ଷଚିରି ଉଇଁ ଆସୁଥିଲେ ସମାନ୍ତରାଳ ଭାବେ ଦୁଇଟି ସୂର୍ଯ୍ୟ ଅର୍ପିତାର ଦି'ଆଖି ଭିତରେ।।

--------------©----------------

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ-୩୧

ଦୁରଭାଷ କ୍ରମାଙ୍କ: ୯୯୩୭୫୪୮୪୩୧

୯୪୩୮୬୭୦୧୨୦

-----(ବର୍ତ୍ତମାନ ର ଠିକଣା)-------

ପ୍ଲଟ ନଂ-୩୪୨,ସେକ୍ଟର-୫,

ନୀଳାଦ୍ରି ବିହାର,ଚନ୍ଦ୍ରଶେଖର ପୁର

ଭୁବନେଶ୍ୱର-୨୧


Rate this content
Log in