ଅନ୍ତିମ ସଂସ୍କାର
ଅନ୍ତିମ ସଂସ୍କାର
ଦିନ ସାରା ପଥ ଚଲା ପରିଶ୍ରମ ତଥା ଆର୍ଥିକ ଅସ୍ୱଛଳତା କାରଣରୁ ଶାରୀରିକ କ୍ଳେଶଯୁକ୍ତ ଶରୀରଟାକୁ ଅସଜଡା ଶେଯରେ ଗଡାଇ ଦେଇଥାଏ।ଏକ ବିଶେଷ କାରଣରୁ ଜଣକ ସହିତ ଭେଟିବାକୁ ଯାଇଥାଏ। ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଗଲି ଏବଂ ଅପେକ୍ଷା କଲି ଉପରିସ୍ଥ ଅଧିକାରୀଙ୍କ ଆସିବାକୁ।ବାରମ୍ବାର ଫୋନ୍ କରି କରି ଥକି ଗଲି ।କାରଣ ଅଧିକାରୀ ଜଣକ୧୦ମିନିଟ ମଧ୍ୟରେ ପହଞ୍ଚି ଯିବେ ବୋଲି କହୁଥାନ୍ତି। କିଛି ଉପାୟ ନପାଇ ଠିକଣା ସ୍ଥାନରେ ନିର୍ଘାତିଆ ଖରାରେ ଠିଆ ହୋଇ ଥାଏ। ଏତେ ସମୟ ଅପେକ୍ଷା ମୋ ପକ୍ଷରେ ଅସହ୍ୟ ହୋଇପଡିଲା।ଉଠେଇଲି ଫୋନ୍। ଏଥରକ କିନ୍ତୁ ଆରପଟୁ ନୀରବ, କେହି ହେଲେ ଉତ୍ତର ଦେଲେନାହିଁ। ବଡ଼ କଷ୍ଟ ଲାଗୁଥାଏ।ହୁଏତ କୈ।ଣସି କାରଣରୁ ଅଧିକାରୀ ଜଣକ ବ୍ୟସ୍ତତା ଭିତରେ ଥିବେ ଭାବି ପୁନର୍ବାର ଅପେକ୍ଷା କଲି। ଗନ୍ତବ୍ୟ ସ୍ଥଳରେ ଯିଏ ବି ଦେଖୁଥାନ୍ତି କହୁଥାନ୍ତି ,କାହିଁକି ଏଠି ଠିଆ ହୋଇଛ? ହେଲେ ମୁଁ ନୀରବ ଥାଏ। ଅସହ୍ୟ ଖରାରେ ଦିନ୧୦ରୁ ଆସି ଦିନ୧.୪୦ହେଲା। ପାଖରେ ଗୋଟିଏ ଝୁମ୍ପୁଡି ଘର ଥାଏ। ମୁଁ ସେଇଠି ଠିଆ ହୋଇଥାଏ। ଏତେ ସମୟ ଠିଆ ହେବା ଜଣେ ମହିଳା ଦେଖୁଥାନ୍ତି। ପ୍ରଥମରୁ କହି ରଖେ ପେଶାରେ ଜଣେ ଶିକ୍ଷୟତ୍ରୀ, ଶିକ୍ଷକ ଜାତି ଭାରି ସ୍ଵାଭିମାନୀ। ମୁଁ ତନ୍ମଧ୍ୟରୁ ଜଣେ। ହଁ ,ମହିଳା ଜଣକ ଆସି ତାଙ୍କ ଘରକୁ ଡାକିଲେ ଅତି ଭଦ୍ର ଓ ନମ୍ରତାରେ।ମାଆ, ମୁଁ ଅନେକ ବେଳୁ ଦେଖୁଛି, ତୁମେ ଏ ଡହଡହ ଖରାରେ ଠିଆ ହୋଇଛ। ଆସ ମୋ ଘରେ ବସିବ। ହେଲେ ମୁଁ ଯାଉ ନ ଥାଏ । ପ୍ରଥମରୁ କହିଛି ମୁଁ ବଡ଼ ସ୍ଵାଭିମାନୀ। ମୁଁ ଗଲିନି। କିଛି ବାଟ ଆଗକୁ ଗଲି। ସେହି ଖରାରେ ଖରାରେ ଚାଲୁଥାଏ। ଭାରି ଶୋଷ ଲାଗିଲା। ରାସ୍ତା ପାଖ ଦୋକାନରୁ ପାଣି ମାଗି ପିଇଲି। ଖରାରେ ମୁଣ୍ଡଟା ଝାଇଁ ଝାଇଁ ହେଉଥାଏ। ଦୋକାନୀ ଭାଇର ଅନୁରୋଧରେ ତାଙ୍କ ଦୋକାନର ସାମ୍ନାରେ ପଡିଥିବା ବେଞ୍ଚରେ ବସିଲି।ଦୋକାନୀ ଜଣକ ଭାରି ଭଦ୍ର। ବାରମ୍ବାର ଅପେକ୍ଷା କରିବାର କାରଣ ପଚାରୁଥାନ୍ତି ।।
ମୋର ନିମ୍ନରକ୍ତଚାପ ରୋଗ ଅଛି। ଆରମ୍ଭ ହୋଇଗଲା ବେମାର। ଆଉ ପାଦେ ଯିବା ପାଇଁ ସାହସ ନ ଥାଏ। କିନ୍ତୁ ଯିବାକୁ ହେବ। ମୋ ଘର ଆନୁମାନିକ ୬/୭କିଲୋମିଟର। ସେ ଜାଗାରୁ ଆସିବାକୁ ନା ଅଟୋ କି ରିକ୍ସାର ??? ଏଭଳି ସମୟରେ ଏକମାତ୍ର ଉପାୟ ପାଦ। ଶାରୀରିକ କ୍ଳେଶଯୁକ୍ତ ଯନ୍ତ୍ରଣା ମଧ୍ୟରେ ପାଦେ ପାଦେ ଚାଲି ଚାଲି ଘର ଅଭିମୁଖେ ଯାତ୍ରା ଆରମ୍ଭ କଲି। ଯାହାହେଉ ପ୍ରଚଣ୍ଡ ଖରାର ପ୍ରକୋପ ସାଙ୍ଗକୁ ଆସି ଥିବା କାର୍ଯ୍ୟ ନ ହୋଇ ପାରିବାର ଦୁଃଖ ମଧ୍ୟରେ ଘୋସାଡି ଘୋସାଡି ଶରୀର ଆଗକୁ ଯାଉଥାଏ।। ଅନେକ ବାଟ ଖରାରେ ଚାଲି ଚାଲି ଆସିବାବେଳେ ମନରେ ଦୁଃଖ ଅନୁଭବ କରୁଥାଏ। ଲାଗୁଥାଏ ସତେ ଯେମିତି ମୁଁ ମୋ ନିଜ ଶବକୁ ନିଜ କାନ୍ଧରେ ବୋହି ଚାଲୁଛି। ଆଉ କିଛି ବାଟ ଗଲାପରେ ହୁଏତ ନିଜ ଶବକୁ ନିଜେ ସଂସ୍କାର କରିବି। ହେଲେ ନିଛାଟିଆ ରାସ୍ତାରେ ଗୋଟିଏ ହେଲେ ବି ଗଛଲତାର ଛାଇ ନ ଥାଏ। ସେ ଯାହାହେଉ ଏମିତି ଭାବୁଭାବୁ ଗୋଟିଏ ଅଟୋ ପହଞ୍ଚିଗଲା। ୩୦ଟଙ୍କା ଦେଇ କିଛି ବାଟ ଆସିଲି। ପୁନର୍ବାର ଆଉ ଏକ ଅଟୋ ଉଦ୍ଦେଶ୍ୟରେ ଚାଲିବା ଆରମ୍ଭ କଲି। ଏ ନିସ୍ବାର୍ଥପର ମଣିଷ ମାନଙ୍କର ଅମାନୁଷିକ କାର୍ଯ୍ୟ ଚିନ୍ତାକରି ନିଜ ଉପରେ ବି ରାଗ ଆସୁଥାଏ। ବୃକ୍ଷ ଶୂନ୍ୟ ଧରାଧାମରେ ମଣିଷର ଅନ୍ତିମ ପର୍ଯ୍ୟାୟରେ କ'ଣ ହେବ? ସେଥିପାଇଁ ତ ଏ ଧରାକୁ ସବୁ ସମୟରେ କିଛି ନା କିଛି ଘୋର ବିପତ୍ତି ପଡୁଅଛି । ପରବର୍ତ୍ତୀ ପିଢ଼ି ନିଶ୍ଵାସ ନେବାକୁ ଅମ୍ଳଜାନ ଟିକେ ପାଇବେ ତ;ପରିବେଶ ପ୍ରଦୂଷଣ ଓ ଅନିୟମିତ ଋତୁଚକ୍ର ପାଇଁ କିଏ ଦାୟୀ ହେବ? ସବୁଠାରୁ ବଡ଼ କଥା, ମଣିଷର ମୃତ୍ୟୁ ପରେ ଅନ୍ତିମ ସଂସ୍କାର କିପରି ହେବ। ଆଜି କାଲି ତ ଏଥିପାଇଁ ଆଉ କାଠର ଆବଶ୍ୟକ ହେଉନାହିଁ। ବିଦ୍ୟୁତ ଚାଳିତ ଚୁଲିରେ କିଛି କ୍ଷଣରେ ସବୁ ଶେଷ। ମନେ ମନେ ଚିନ୍ତା କଲି ଜୀବନର ଅଧା ସମୟ ତ ଚାଲିଗଲାଣି। ପିଲାମାନଙ୍କୁ ପାଠପଢାଇବା ଛଡା ଅନ୍ୟ କିଛି କରିପାରିଲିନି।
ଏଣିକି କିଛି ଗୋଟେ କରିବାର ପ୍ରବଳ ଇଛା ହେଲା।ନିଜର ନିତ୍ୟନୈମିତିକ କାର୍ଯ୍ୟ ସମ୍ପାଦନ ପରେ କଛି ସମୟ ବୃକ୍ଷ ରୋପଣ କାର୍ଯ୍ୟ କରିବି। ସେଥିପାଇଁ ନିଜକୁ ପ୍ରସ୍ତୁତ କଲି। ଆମ ଘର ପାଖରେ ଗୋଟିଏ ବିସ୍ତୀର୍ଣ୍ଣ ପଡିଆ ଅଛି।ତା ଚାରିପାଖରେ ଏବଂ ଗାଁ ମୁଣ୍ଡ ପଡିଆଜମି। ନିଶ୍ଚିତ ଭାବରେ ବୃକ୍ଷ ରୋପଣ କରି,ତାର ଲାଳନପାଳନ ଓ ଯତ୍ନ ନେଇ ବିରାଟ ଜଙ୍ଗଲ ସୃଷ୍ଟି କରିପାରିବି। ଅନ୍ତତଃ ପକ୍ଷେ ମୋ ମୃତ୍ୟୁ ପରେ ମୋ ଶବ ବିଦ୍ୟୁତ ଚାଳିତ ଚୁଲିରେ ନୁହେଁ, ଶୁଖିଲା କାଠରେ ହିଁ ସଂସ୍କାର ହେବ। ତତ୍ ସହିତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇପାରିବ ଏବଂ ପ୍ରଚୁର ପରିମାଣରେ ଅମ୍ଳଜାନ ମିଳିବ। ମୋ କାମ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ।ମୋ ଦେଖାଦେଖି ଅନ୍ୟମାନେ ମଧ୍ୟ ବୃକ୍ଷ ରୋପଣ ପାଇଁ ଆଗ୍ରହୀ ହେବେ। ତା ହେଲେ ମୁଁ ଯେଭଳି କଷ୍ଟ ଭୋଗକଲି ହୁଏତ ଆଉ କେହି ସେମିତି ଅସୁବିଧାର ସମ୍ମୁଖୀନ ହେବେନାହିଁ। ଏମିତି ଭାବି ଭାବି କେତେ ବେଳେ ଆସି ଘର ପାଖରେ ପହଞ୍ଚି ଯାଇଥାଏ।