Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Inspirational

3  

Prakash Sahoo

Inspirational

ଏକାମୁଁ

ଏକାମୁଁ

5 mins
7.4K


ଏହି ଲେଖାର ଶୀର୍ଷକ ଅତି ରୋମାଞ୍ଚକ ।ଏହା କାହାର ନାଁ ହୋଇପାରେ ଅବା କେଉଁ ଏକ ଓଡ଼ିଆ ଶବ୍ଦର ପ୍ରତିଶବ୍ଦ ।କିନ୍ତୁ ଏହାର ଉତ୍ତର ନକରାତ୍ମକ। ଏକାମୁଁ, କିଏ ନ ଜାଣନ୍ତି ଏହି ଚାରିଖଣ୍ଡ ମୌଜାରେ ।ସବୁ ଛୋଟ ବଡ ସଭା ,ସମିତିରେ ସଭାପତି ଭାବେ ଏକାମୁଁ ଲୋକଙ୍କର ପ୍ରଥମ ପସନ୍ଦ ।ସବୁ ସମସ୍ୟା ,କଳି ,ଝଗଡାର ସମାଧାନ ତାଙ୍କ ପାଖରେ ରହିଛି । ଏକାମୁଁ କିଏ ? ଯଦି ଏହାର ସନ୍ଧିବିଛେଦ କରିବା ଏକାମୁଁ ଅର୍ଥାତ ଏକ ମାମୁଁ ।ଏକାମୁଁ ଆମ ଗାଁର ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି " ଏକ ସାହୁ"। ମୁଁ ସେହି ବୟସରୁ ଡାକେ ଏହି ନାମରେ ଯେଉଁ ବୟସରେ ସମ୍ପର୍କର ହିସାବ ଥିକ ଭାବେ ବୁଝି ନ ଥିଲି । ଆଉ ଏବେ ବି ଡାକେ ସେହି ନାମରେ । ସେହି ଡାକର ପ୍ରତିଧ୍ୱନି ମୋ କର୍ଣ୍ଣ ଯୋଡିକୁ ମଧୁର ଆଭାଷେ । ଅଜଣା ଅନୁଭବ ଦେହ ଆଉ ମନକୁ ଛୁଇଁ ଯାଏ । ସମାଜରେ ଥିବା ସମ୍ପର୍କର ମାପ ଫିତାରେ ଯଦି ମପାଯାଏ ପରିଣାମରେ ସେ ମୋ ଜେଜେବାପା ହେବେ ।କଥା କହିବାର ଶୈଳୀ ଆଉ ପରିବେଷଣ ଏପରି ଯେ କେହି ବି କୀଟଟେ ଗୁଡ଼ିଆଣି ଜାଲରେ ସନ୍ଧି ହେଲା ପରି କିଛି କ୍ଷଣ ପାଇଁ ବାନ୍ଧି ହୋଇ ରହିଯିବେ । ନିଜ କଥାରେ ସର୍ବଦା କିଛି ଆଧୁନିକ ଶବ୍ଦର ପ୍ରୟୋଗ କରିବାରେ ବି ପ୍ରଚେଷ୍ଟା କରନ୍ତି।

ଗାଁ ଠୁ ଦୁରେ ରହୁଥିବା ଗାଁର ପିଲା ଗାଁକୁ ପୂଜା ପର୍ବରେ ଫେରିଲେ ନିହାତି ଏକାମୁଁଙ୍କୁ ଦେଖା କରନ୍ତି ।ହେଲେ ପାଖା ପାଖି ଗୋଟେ ଘଣ୍ଟାରୁ ଅଧିକା ସାକ୍ଷାତକାର ନିଅନ୍ତି ସେ,ରହୁଥିବା ସ୍ଥାନର ଜଳବାୟୁ,ଚାଲି ଚଳନା, ଦରମା ,ସ୍ୱାସ୍ଥ୍ୟବସ୍ଥା ଏମିତି ଅନେକ କିଛି ।ଏକାମୁଁଙ୍କ ଶିକ୍ଷାଗତ ଯୋଗ୍ୟତା କେହି ସଠିକ ଭାବେ ଜାଣି ନାହାଁନ୍ତି ।ମଣିଷ ଦେଖି ବୋଧେ ସେ ନିଜ ଶିକ୍ଷାଗତ ଯୋଗ୍ୟତା ବିଷୟରେ କୁହନ୍ତି ।କାହାକୁ କୁହନ୍ତି ଅଷ୍ଟମ ତ କାହାକୁ ମାଟ୍ରିକ ଆଉ କାହାକୁ କୁହନ୍ତି ଏକାଦଶ ।ନିଜ ମନ ଭିତରେ କୌଣସି କଥା ରଖିପାରନ୍ତି ନାହିଁ ।କୌଣସି ସୂଚନା ପାଇବା ମାତ୍ରେ ସେ ଶିଘ୍ର ପ୍ରଘଟ କରିଦିଅନ୍ତି ।ଆଉ ତାଙ୍କ ଦ୍ୱାରା ପ୍ରଘଟିତ ହୋଇଥିବା ବାର୍ତ୍ତାର ବେଗ ଏତେ ଅଧିକା ଥାଏ ଯେ ଘଣ୍ଟାଏ କି ଦୁଇ ଘଣ୍ଟା ଭିତରେ ଦଶ ମାଇଲ ଦୂରେ ଥିବା ପଡୋଶୀ ଗ୍ରାମକୁ ବ୍ୟାପି ସାରିଥାଏ । ବେଶଭୂଷା କହିଲେ ଆଖିରେ ଥାଏ ଏକ ପୁରୁଣା ଅତି ଉଚ୍ଚା କ୍ଷମତା ସମ୍ପନ୍ନ ଚଷମା ହାତରେ ଥାଏ ବାଉଁଶରୁ ତିଆରି ତିନିରୁ ଚାରି ହାତ ଲମ୍ବର ବାଡ଼ି ।ଧୋତି ଆଉ ପଞ୍ଜାବୀ ତାଙ୍କର ପ୍ରିୟ ପୋଷାକ ।ପେଶାରେ ସେ ଚାଷୀ ।ମାତ୍ର ତାଙ୍କ କହିବାର ଢଙ୍ଗ , ଭାବନାକୁ ପ୍ରକାଶ କରିବାର ଶୈଳୀରେ ସେ ଜଣେ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପରି ଲାଗନ୍ତି ।ବୟସ ପାଖାପାଖି ଚାରି କୋଡ଼ି ବର୍ଷ ହେବ ।ଏବେ ବି ତାଙ୍କ ବାହୁରେ ଅପରାକ୍ରମୀ ଶକ୍ତି ଭରି ରହିଛି ।ଏବେ ବି ନିଜ ଚାଷଜମିରେ କାମ କରନ୍ତି ।ଗୃହ ପାଳିତ ପଶୁଙ୍କର ଯତ୍ନ ନିଅନ୍ତି ।ତିନି ଝିଅ ଆଉ ଦୁଇ ପୁଅର ସେ ବାପା। ସମସ୍ତଙ୍କର ବିବାହ ସରିଛି ।ତାଙ୍କର ଜଣେ ପୁଅ ଭାରତୀୟ ସରକାରଙ୍କ ଅଧିନରେ ବଡ ହାକିମ ଅଛନ୍ତି।

ଗାଁ ମୁଣ୍ଡରେ ଥିବା ଦଧିବାମନ ମନ୍ଦିର ବେଢା ହେଉଛି ତାଙ୍କର ପ୍ରିୟ ସ୍ଥାନ ।ଅବଶ୍ୟ ଗାଁର ଲୋକେ ଉପର ବେଳା ଆଉ ଅବସର ସମୟରେ ସେ ବେଢାରେ ଏକାଠି ହୁଅନ୍ତି ।ବିଭିନ୍ନ ଘଟଣାର ଅଲୋଚନା,ତର୍କ ବିତର୍କ ଚାଲେ ।ରାଜନୀତି, ଖେଳ,ଗାଁର ବିଭିନ୍ନ ସମସ୍ୟାକୁ ନେଇ ଚାଲେ ଦୀର୍ଘ ସମୟ ଯାଏ ଏହି ଆଲୋଚନା ଚକ୍ର ।ଆଉ ଏହି ତର୍କ ବିତର୍କରେ ଯଦି ଏକାମୁଁ ଅଛନ୍ତି ତ ଖଟି ପୁରା ଜମି ଯାଏ ।ମୋ ଦେଖିବାରେ ଏକାମୁଁଙ୍କୁ କଥାରେ ଆଜି ଯାଏ କେହି ହରାଇ ପାରିନାହାନ୍ତି ।ଅବଶ୍ୟ ନିଜ କଥାକୁ ଠିକ ବୋଲି ପ୍ରମାଣ କରିବା ପାଇଁ କଳାକୁ ଧଳା ଆଉ ଧଳାକୁ କଳା ବି କରିପାରନ୍ତି ।ନିଆରା ବ୍ୟକ୍ତିତ୍ଵର ମଣିଷଟିଏ। ସେ ନାସ୍ତିକ ,ସେ ଠାକୁରଙ୍କୁ ବିଶ୍ୱାସ କରନ୍ତି ନାହିଁ ସର୍ବଦା ନିଜ କର୍ମରେ ବିଶ୍ଵାସ କରନ୍ତି ।ତାଙ୍କ ମତରେ ଠାକୁର ଅଛନ୍ତି ମନରେ ଦେହରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ନିରର୍ଥକ ।

ସେ ମଧ୍ୟ ହାସ୍ୟପ୍ରବାଦୀ ପୁରୁଷ , ଗାଁର ଛୋଟ ପିଲା ଆଉ କୁଆଁରୀ ମାନଙ୍କ ସହିତ ମିଶିବାକୁ ,ସେମାନଙ୍କ ସହିତ ଖୁସି ହେବାକୁ ଭଲ ପାଆନ୍ତି।

ମୁଁ ତାଙ୍କ ସହିତ ଅନେକ ଥର କଥା ହୋଇଛି ତାଙ୍କ ପିଲା ସମୟ ଆଉ ଏବେର ସମୟର ଅନ୍ତରକୁ ଖୁବ କୁହନ୍ତି। ତାଙ୍କ କଥା ମୋତେ ମତେ କଡା ଲାଗେ ଯେତେବେଳ ସେ ଆଧୁନିକ ପିଲାଙ୍କ ବିପକ୍ଷରେ ବହୁତ କିଛି କୁହନ୍ତି ।ଆଉ ସେହି ପିଲାଙ୍କ ଭିତରେ ମୁଁ ବି ପରୋକ୍ଷରେ ରହିଥାଏ। ପ୍ରକୃତରେ ସେ ଜଣେ ସହୃଦୟ ମଣିଷ। ଗାଁର କୌଣସି ବ୍ୟକ୍ତି ଵିଶେଷଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ସେ ତିଳେ ମାତ୍ର ବିଳମ୍ବ ନ କରି ହାଜର ହୋଇଯାଆନ୍ତି ତାଙ୍କ ପାଖରେ କିଛି ଆଶ୍ବାସନା ନିଶ୍ଚୟ ଦେଇ ଆସନ୍ତି ।ଗାଁର କୌଣସି ପିଲା ଭଲ ଚାକିରି ପାଇଲେ ଅବା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ସେ ନିଜର ଖୁସି ବ୍ୟକ୍ତ କରନ୍ତି ।ସବୁ ଆଡେ କୁହନ୍ତି ଆମ ଗାଁର ପିଲା ଦେଖ ଦେଶ ପାଇଁ ସୀମାରେ ଲଢ଼ିବାକୁ ଚାଲିଗଲା ।ଆମ ଗାଁରେ ଏତିକି ସଂଖ୍ୟକ ଡାକ୍ତର ଏତିକି ସଂଖ୍ୟକ ଇଂଜିନିଅର ଏତିକି ସଂଖ୍ୟକ ସରକାରୀ ଚାକିରୀରେ ଆଉ ଆମ ଗାଁରେ ଲୋକେ ଏମିତି ,ଆମ ଗାଁରେ ଏମିତି ପର୍ବ ହୁଏ .....ଏମିତି ଅନେକ କଥା କୁହନ୍ତି।

ମୁଁ ପଞ୍ଚମ ଶ୍ରେଣୀ ଯାଏ ତ ବାହାରେ ରହି ପଢ଼ିଲି ପୁଣି ଯୁକ୍ତ ଦୁଇ ପଢିବା ସରୁ ସରୁ ବି ଗାଁ ଛାଡି ଦେଇଥିଲି ।ମାତ୍ର ଆଠରୁ ଦଶ ବର୍ଷ ପାଇଁ ମୋର ସମ୍ପର୍କ ରହିଛି ଗାଁ ସହିତ ଆଉ ଏକାମୁଁଙ୍କ ସହିତ ।ତଥାପି ଗାଁର ମୋହ ଆଜି ବି ମୋ ହୃଦୟରେ ରହିଛି ।ଗାଁରେ ବିତିଥିବା ପିଲା ଦିନ ।ଏକାମୁଁଙ୍କ ସହିତ ବିତିଥିବା ସମୟ ଆଜ ବି ମୋତେ ଟାଣି ନିଏ ଗାଁ ଆଡକୁ ।ସହରରେ ମିଳୁଥିବା ଏତେ ସବୁ ସୁବିଧା ,ସୁଯୋଗ ,ମନୋରଞ୍ଜନ ମନ ହୁଏ ଗାଁକୁ ଆଉ ନ ଫେରିବାକୁ କିନ୍ତୁ ମୋର ହୃଦୟ ବାଧା ଦିଏ। ଗାଁର ସେହି ଏକାମୁଁଙ୍କ କଥା ମନେ ପଡେ ।ମନେ ପଡ଼େ ସେହି ଅସୀମ ଧାନ କ୍ଷେତ ମଝିରେ ଛିଡା ହୋଇ ସଞ୍ଜ ବେଳର କୋହଲା ପବନର ସ୍ପର୍ଶ,ପାଖକୁ ଲାଗି ଥିବା ପୁରୁଣା ବିରାଟକାୟ ବରଗଛରେ ଥିବା ବୁଢ଼ୀ ପିଶାଚର କୋକୁଆ ଭୟ । ମନେ ପଡେ ମଝି ନଦୀ ଗର୍ଭରୁ ବାଲି ଆଣିବାର ସନ୍ତରଣ ପ୍ରତିଯୋଗିତା । କବାଡି ଖେଳ,ଗୋଟି ଖେଳ, ଦୀପାବଳୀର ରାବଣ ପୋଡି ....

ଗାଁରେ ବିତି ଥିବା ମୋ ପିଲା ଦିନ ମୋ ମାନସପଟରେ ଚିରସ୍ମରଣୀୟ ହୋଇ ରହିଛି ।କେବେ ଗାଁ ଗଲେ ଏକାମୁଁଙ୍କ ସହିତ ଦେଖା ହୁଏ। ମୁଁ ତାଙ୍କ ଆଶୀର୍ବାଦ ନିଏ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ,ଗାଁ ହାଲଚାଲ ବୁଝି ନିଏ ।କିନ୍ତୁ ଅଗ ପରି ଆଉ ତାଙ୍କ ମୁହଁ ରେ ଖୁସି ଦେଖିବାକୁ ମିଳେନି ।ତାଙ୍କ ଭାଷାର ଆଉ ଚମକ ଆସେନି ।ତାଙ୍କ ମତରେ ବଦଳି ସାରିଛି ଏହି ଗାଁ ଆଉ ବଦଳି ସାରିଛି ଏହି ଗାଁର ଚାଲି ଚଳନ। ବଦଳି ସାରିଛନ୍ତି ଗାଁର ଲୋକମାନେ ଗାଁର ଲୋକେ ଏବେ ସହର ମୁହାଁ ।ଖାଲି ପଡ଼ିଛି ଗାଁର ସରକାରୀ ବିଦ୍ୟାଳୟ। ଚାଷ କାମରେ ଆଉ ଗାଁ ଲୋକଙ୍କର ଇଛା ନାହିଁ ।ଗାଁରେ ରାଜୁତି କରୁଛି ଏବେ ଅତ୍ୟାଧୁନିକ ସଭ୍ୟତା ।ଭାଗବତ ଟୁଙ୍ଗି ଖାଲି ପଡ଼ିଛି ।ଘଣ୍ଟା ମୃଦଙ୍ଗ ସେମିତି ପଡି ରହିଛି।

ଏକାମୁଁ ଆଜି ନିଜ ବୟସର ଅପରାହ୍ଣରେ ପହଁଚି ସାରିଛନ୍ତି ।ତାଙ୍କ ଦେହରେ ଏବେ ବି ସତବଳ ଅଛି ।କିନ୍ତୁ ଏବେ ସେ ଗଭୀର ସ୍ରୋତ ଥିବା ନଦୀ ଧାରର ଓଦାବାଲିରେ ଠିଆ ହୋଇଛନ୍ତି ।କେତେ ବେଳେ ବି ସେ ବାଲି ଅତଦା ହୋଇ ନଦୀ ସ୍ରୋତରେ ଭାସି ଯାଇପାରେ ଆଉ ଭସାଇ ନେଇପାରେ ନଦୀର ଆର ପାରିକୁ ଏକାମୁଁଙ୍କୁ....।

ପ୍ରକାଶ ସାହୂ


Rate this content
Log in

Similar oriya story from Inspirational