Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Others

5.0  

Arabinda Rath

Others

ମଧୁର ପ୍ରତିଶୋଧ

ମଧୁର ପ୍ରତିଶୋଧ

15 mins
446




ଲେ- ଅରବିନ୍ଦ ରଥ


ଡାକ୍ତର ବାବୁଙ୍କ କ୍ଲିନିକ ଆଗରେ ଲମ୍ବା ଲାଇନ୍ । ଭାରି ଭଲ ଡାକ୍ତର ସେ। ଲୋକେ କୁହନ୍ତି ତାଙ୍କ ହାତରେ ଅଛି କୁହୁକ ସ୍ପର୍ଶ। ସେ ଥରେ ଦେଖିଦେଲେ ରୋଗ ଅଧା ଭଲ ହୋଇଯାଏ। ସେଇଥି ପାଇଁ ତ ଘର ଆଗରେ ସଦା ବେଳେ ବାଲିଯାତ୍ରା ପରି ଲୋକ। ବାବୁ ଡାକ୍ତରଖାନାରୁ ଫେରିବା ପରେ ଲାଗି ଯାଏ ରୋଗୀ ମାନଙ୍କର ଲମ୍ବା ଲାଇନ୍। ଜଣେ ପିଲା ହାତରେ କିଛି ଟୁକୁରା କାଗଜ ଧରି ଠିଆ ହୋଇଥାଏ। କ୍ରମ ଅନୁସାରେ ସେ କାଗଜରେ ନମ୍ବର ଲେଖା ଯାଇଥାଏ। ଜଣଜଣ କରି ରୋଗୀ ମାନଙ୍କୁ ଭିତରକୁ ଛାଡିବା ତା କାମ। ଡାକ୍ତରବାବୁ ଦେଖି ସାରିଲା ପରେ ରୋଗୀଦେଖା ପାଉଣା ଟା ବି ସେ ପିଲା ହିଁ ରଖେ। ସେଇ ରୋଗୀଦେଖା ପଇସାରୁ ଆଜି ଡାକ୍ତରବାବୁଙ୍କ ଘରେ ତିନି ତିନିଟା ଦାମୀ ଗାଡି, ବିରାଟ ଆଲିସାନ ମହଲ, ଚାକର ବାକର ସବୁ କିଛି। ତାଙ୍କ ଚଳଣି ଯିଏ ଦେଖିବ ଭାବିବ ରଜା ଘର ଲୋକ କି ଆଉ। ଡାକ୍ତରଖାନାର ସିନା ତାଙ୍କ ପୋଷ୍ଟିଙ୍ଗ, ମାତ୍ର ନିଜ ଘରେ ଛୋଟମୋଟିଆ ଡାକ୍ତରଖାନା ଟେ ଖୋଲି ପକେଇଛନ୍ତି। ଆଗ ଘରେ ରୋଗୀ ଦେଖି ପକେଟ୍ ଫୁଲ ହେବା ପରେ ଡାକ୍ତରଖାନା ଆଡେ ମୁହଁ ଦେଖେଇ ପୁଣି ଘରକୁ ପଳେଇ ଆସନ୍ତି।


ଏତେ ଭଲ ହାତ ହେଲେ କଣ ହେବ ବାବୁଙ୍କ ପାଟି ଓ ଗୁଣ ବଡ ଖରାପ। ପଇସା ପାଇବା ପାଇଁ ବାପା କୁ ବି ଛାଡିବା ଲୋକ ନୁହଁ ସେ । ପାଉଣା ନ ଦେଇ ଯିଏ ଦେହ ଦେଖେଇବାକୁ ଚେଷ୍ଟା କରିବ, ତା ଅବସ୍ଥା ଖରାପ ବୋଲି ଜାଣ। ଡାକ୍ତରବାବୁ ମାନ ଇଜ୍ଜତ ସବୁ ସାରିଦେବେ। ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହ ହାତାହାତି ହେବାର ବି ନଜିର ଅଛି।

କଣ କରିବ ମଦନା । ତା ଭାଗ୍ଯ ଟା ଖରାପ। ତା ସ୍ତ୍ରୀ ର ଦେହ କାଲି ରାତି ଠୁ ଭୀଷଣ ଖରାପ। ରଖେଇ ବସେଇ ଦଉନି। ଘଡି କୁ ଘଡି କାନ୍ଦ ବୋବାଳି ଛାଡୁଛି। ସେଇଥି ପାଇଁ ଆଜି ଦୋକାନ ବନ୍ଦ କରି ମଦନା ସକାଳୁ ଡାକ୍ତର ବାବୁ ଘର ବାରଣ୍ଡାରେ ଅଧିଆ ପଡିଛି ।

ମଦନା ସେଇ ଛୋଟ ସହରର ବିଖ୍ଯାତ ଲୋକଙ୍କ ଭିତରୁ ଜଣେ। ତା ଦୋକାନ ତିଆରି ଜଳଖିଆର ପ୍ରସିଦ୍ଧି କାହିଁରେ କଣ। ବରା ଘୁଘୁନି, ପୁରି, ଗୁଲୁଗୁଲା, ବୁନ୍ଦି ଲଡୁ ଏମିତି କେତେ ଜାତିର ଜଳଖିଆ ସକାଳ ୬ ଟା ବେଳକୁ ଦୋକାନର ଡାଲାରେ ଶୋଭା ପାଆନ୍ତି। ଅତି ବେଶିରେ ଅଧ ଘଣ୍ଟା ଭିତରେ ସବୁ ଖାଲି ହୋଇଯାଏ। ସକାଳ ୬ ଟା ରୁ ଦିନ ଏଗାରଟା ଭିତରେ ତା ଦୋକାନ ଆଗରେ ବି ଲାଗେ ଏଇପରି ଗହଳି। ସ୍କୁଲପିଲା, ବୁଢା, କଲେଜ ପଢୁଆ ଭେଣ୍ଡିଆ ମାନେ, ଅଫିସ ରେ କାମ କରୁଥିବା କର୍ମଚାରୀ ସବୁ ତା ପାଖରେ ଭିଡ ଲଗାନ୍ତି। ଲୋକେ ଖାଆନ୍ତି ଯେତିକି ତା ଠାରୁ ବେଶି ପାର୍ସଲ ଯାଏ। ଏମିତି ସ୍ବାଦିଷ୍ଟ ଜଳଖିଆକୁ କିଏ ବା ହାତଛଡା କରିବାକୁ ଚାହିଁବ। ମଦନାର ବ୍ଯବହାର ବି ବହୁତ ଭଲ। ଧିରସ୍ଥିର କଥାରେ ସେ ସମସ୍ତଙ୍କ ମନ ବାନ୍ଧି ରଖିଥାଏ । ଖାସ୍ ଏହି କାରଣ ପାଇଁ ଘଡିଏ ଡେରି ହୋଇ ଗଲେ ବି ଲୋକେ ଦୋକାନରୁ ଇଞ୍ଚେ ଘୁଞ୍ଚନ୍ତି ନାହିଁ। ଯେତେ ଡେରି ହେଉପଛେ ସେମିତି ଠିଆ ହୋଇ ଜଗି ଥାଆନ୍ତି। ତା ଦୋକାନର ବି ଏକ ନିୟମ ଅଛି। ଯିଏ ଆଗ ଆସିଲା ସେ ଆଗ ପାଇବ। ପଛରେ ଆସିଥିବା ଲୋକ କେବେ ବି ଆଗ ଜଳଖିଆ ନେଇ ପାରିବନାହିଁ, ସେ ଏହି କଥାଟି କାଗଜରେ ଲେଖି ଦୋକାନ ଆଗରେ ଟାଙ୍ଗି ଦେଇଥାଏ। ତା ଗ୍ରାହକ ବି ବେଶ୍ ଖୁସି ଏଇ କାରଣ ପାଇଁ। ଏଇ ଡାକ୍ତର ବାବୁ ତା ଦୋକାନର ସବୁଦିନିଆ ଗ୍ରାହକ। କ୍ଲିନିକରେ ଥିବା ପିଲା ଟି ଯାଇ ହାଜର ହୋଇଯାଏ ମଦନା ପାଖରେ ଜଳଖିଆ ପାଇଁ। ସବୁ ନିୟମର ଟିକେ ବ୍ଯତିକ୍ରମ ଥିଲା ପରି , ଡାକ୍ତରବାବୁଙ୍କ ପାଇଁ ମଦନାର ନିୟମରେ ଟିକେ ବ୍ଯତିକ୍ରମ ଥାଏ। ସମସ୍ତଙ୍କ ଅଜାଣତରେ ସେ ଡାକ୍ତରବାବୁଙ୍କ ଜଳଖିଆ ପାର୍ସଲ କରି ବଢାଇ ଦିଏ ସେ ପିଲା ହାତକୁ। ଡାକ୍ତରଙ୍କର ଖ୍ଯାତି ଏହାର କାରଣ ନୁହଁ। ବରଂ ମଦନା ଭାବେ ସେ ଜଲଦି ଜଳଖିଆ ଖାଇ ରୋଗୀ ମାନଙ୍କୁ ଦେଖିଲେ ସେମାନେ ଉପକୃତ ହେବେ।

ସେ ଛୋଟ ସହରଟିରେ ସମସ୍ତଙ୍କ ପାଖେ ପରିଚିତ ମଦନା କୁ ବି ଡାକ୍ତର ଭଲରେ ଜାଣନ୍ତି। ବାଟରେ ଦେଖିଲେ ଭଲମନ୍ଦ ପଚାରନ୍ତି। ତାଙ୍କ ଗାଁ କୁ ଅନେକ ଥର ମଦନା ଦୋକାନର ଲଡୁ, ଜଳଖିଆ ନେଇ ଯାଇଛନ୍ତି। ତା ଛଡା ତାଙ୍କ ଘରକୁ ଆସୁଥିବା ଅତିଥି ମାନଙ୍କୁ ବି ଆପ୍ଯାୟିତ କରାଇଥାନ୍ତି ମଦନା ଜଳଖିଆରେ। ସେତିକି ବିଶ୍ବାସ ନେଇ ମଦନା ଦଉଡି ଆସିଛି କ୍ଲିନିକକୁ। କାଳେ ତା ସ୍ତ୍ରୀ କୁ ଆଗ ଦେଖିଦେବେ। ବେଳ କୁ ବେଳ ଯନ୍ତ୍ରଣା ବଢି ଚାଲିଛି। ଅସମ୍ଭାଳ ହୋଇ ସ୍ତ୍ରୀ କାନ୍ଦିବା ଆରମ୍ଭ କଲାଣି। କିନ୍ତୁ ଏତେ ବେଳ ଯାଏ ତାକୁ ଡକରା ହୋଇନି। ନିଜ ଯାଗାରୁ ଉଠି ମଦନା ସେ ପିଲା ପାଖକୁ ଗଲା ।

----- କହିଲା ବାବୁ ଟିକେ ଡାକ୍ତରଙ୍କୁ କୁହ ମଦନା ଆସିଛି । ମୋ ସ୍ତ୍ରୀ ର ଦେହ ଭୀଷଣ ଖରାପ। ସେ ଆଉ ସମ୍ଭାଳି ପାରୁନି। କାନ୍ଦି ଭୂଇଁରେ ଗଡିଲାଣି। ତାକୁ ଟିକେ ଦେଖିଦେଲେ ତା ପ୍ରାଣ ଟା ରହି ଯାଆନ୍ତା।

ସେ ପିଲା ଟା ନ ଚିହ୍ନିଲା ପରି କହିଲା।

-- – ଆରେ ତୁମ ମଦନା ହୁଅ କି ବେଦନା ହୁଅ ମୋର କଣ ଗଲା । ବାବୁ କହିଛନ୍ତି ପାଳି କରି ଛାଡିବା ପାଇଁ। ଆଗ ଟିକେଟ କାଟି ଅପେକ୍ଷା କର। ଯଦି ତୁମ ପାଳି ପଡିବ ମୁଁ ଡାକି ଦେବି। ନ ହେଲେ କାଲି କି ଆସିବ। ଆଜି ବାବୁ ଯିବେ ସହରକୁ । ଏତିକିି କହି ତାଚ୍ଛଲ୍ଯ କରିବା ପରି ହସିଲା।

ବହୁତ ବାଧିଲା ମଦନାକୁ। ସେ ନିଜ ସ୍ତ୍ରୀ କୁ ଦେଖିଲା। ସତରେ ବଚାରି ର ଅସମ୍ଭାଳ ଅବସ୍ଥା। ସେ କେବେ ବି ଏତେ ଅଧର୍ଯ୍ଯ ହୁଏନି। ଘରର ଯାବତୀୟ କାମ କଲା ପରେ ବି ମଦନା କୁ ଦୋକାନ କାମରେ ସାହାଯ୍ଯ କରେ। ଦିନେ କେବେ କହିନି କଷ୍ଟ ହେଉଛି ବୋଲି। ଆଜି ସେମିତି କିଛି ହୋଇଛି ବୋଲି ସିନା ଭୂଇଁରେ ଲୋଟୁଛି।

ପୁଣି ଥରେ ଅନୁରୋଧ କଲା ସେ ପିଲା କୁ ।

---- ବାବୁ ଥରେ ଯାଇ ବାବୁ ଙ୍କୁ କୁହ। ଯଦି ସେ ମନା କରି ଦେବେ ମୁଁ ଏଇ ଯାଗାରେ ବସିଥିବି। ମୋ ସ୍ତ୍ରୀ କୁ ଦେଖ , କେମିତି ବିକଳ ହୋଇ ବୋବାଳି ଛାଡୁଛି।


ମୋ କଥା ମାନୁନ ତ? ହଉ ଆସ ବାବୁଙ୍କ ପାଖକୁ । ସେ ଯାହା କହିବେ।

ସେ ପିଲା ସହ ମଦନା ଗଲା ଡାକ୍ତରଙ୍କ କୋଠରୀ ପାଖକୁ। ଦେଖିଲା ଡାକ୍ତର କାହା ସହ ବସି ଗପସପ କରୁଛନ୍ତି। ଥଟ୍ଟାମଜା ଟାହିଟାପରା ଚାଲିଛି। ସେ ଲୋକ ଟି କୁ ଦେଖିଲେ କେହି ବି କହିବନି ଯେ ସେ ଜଣେ ରୋଗୀ ବୋଲି।

ନିଜକୁ ସମ୍ଭାଳି ନ ପାରି ମଦନା ପଚାରିଲା –----ଏ ବାବୁ କଣ ରୋଗୀ ନା କଣ?

ଆରେ ନାଁ ସେ ରୋଗୀ ନୁହଁ । ତାଙ୍କୁ କୁହନ୍ତି ମେଡିସିନ ରିପ୍ରେସେଣ୍ଟେଟିଭ୍।

---- ମାନେ?

–--------- ତୁମ ବୁଝିବା ଭାଷାରେ କହିଲେ ସେମାନେ ଡାକ୍ତରଙ୍କ ଅନ୍ନଦାତା। ସିଏ ଯେଉଁ ମେଡିସିନ ଲେଖିବାକୁ କହିବେ ବାବୁ ସେଇ କମ୍ପାନୀ ର ମେଡିସିନ ଲେଖିବେ। ଆଉ ତା ବଦଳରେ ବାବୁ ପାଇବେ କମିସନ। ଯେତେ ବେଶୀ ଲେଖିବେ ସେଇ ଅନୁସାରେ ପ୍ରାପ୍ଯ ମିଳିବ। ତା ସାଙ୍ଗକୁ ଟିଭି, ଫ୍ରିଜ୍ , ଦାମୀ ଉପହାର, ବିଦେଶରେ ବୁଲିବାର ବନ୍ଦୋବସ୍ତ ଏମିତି ବହୁତ କିଛି। ଏଇ ବାବୁ ଜଣଙ୍କ ଦୟାରୁ ଆଜି ଆମ ବାବୁ ଙ୍କ ଘରକୁ ଆସିବ ଲକ୍ଷେ ଟଙ୍କିଆ ଫ୍ରିଜ୍। ସେଇ ବାବଦରେ କଥାବାର୍ତ୍ତା ଚାଲିଛି।

ମଦନା କିଛି ବୁଝି ପାରିଲାନି। କ୍ଲିନିକ ଆଗରେ ଲୋକଙ୍କର ଭିଡ। ସବୁ ଚାହିଁଛନ୍ତି ଜଣେ ଗଲାପରେ ସେମାନେ ଆସି ନିଜ ରୋଗ ବିଷୟରେ କହିବେ। କିଛି ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସବୁ ଜାଣିଲା ପରେ ବି ଡାକ୍ତର ବସି ଖୁସିଗପ କରିବାରେ ବ୍ଯସ୍ତ।

ନ ଚାହିଁ ବି ମଦନା ପାଟିରୁ ବାହାରି ପଡିଲା

- - - ଯଦି ନ ଦେଖିବେ ତେବେ ମନା କଣ ପାଇଁ କରି ଦେଉ ନାହାଁନ୍ତି। ବାହାରେ କେତେ ଲୋକ ହଇରାଣ ହେଉଛନ୍ତି।

ଗୁଟଖା ଖିଆ ମଳିଛିଆ ଦାନ୍ତ ନିକୁଟିି ସେ ପିଲା ହସିଲା। କହିଲା

---- ଓଃ କଟକ ଚିନ୍ତା ବାଇମୁଣ୍ଡି କୁ ଗିଳି ଯାଉଛି ନା କଣ ? ଆରେ ଯଦି ଏତେ ବ୍ଯସ୍ତ ସରକାରୀ ଡାକ୍ତରଖାନା କୁ ପଳଉନ। ସେଇଠି ଦେଖେଇ ଦେବ। ଏ ଯାଗାରେ କଣ ପାଇଁ କୁକୁର ଙ୍କ ପରି ଭୁକି ହେଉଛ।

ମଦନା ଏଥର ରାଗି ଗଲା। କହିଲା ଡାକ୍ତରଖାନା ର ଡାକ୍ତର ଯଦି ଘରେ ବସି ବେପାର କରିବେ ସେଠି ରୋଗୀ ଦେଖିବ କିଏ ? ଯଦି ବାବୁ ଡାକ୍ତରଖାନା କୁ ଯାଉଥାଆନ୍ତେ ଆମେ ଏଠାକୁ ଆସନ୍ତୁ କଣ ପାଇଁ। ସେଠାକୁ ନ ଯାଇ ନିଜ ଘରେ ତ ଡାକ୍ତରଖାନା ଖୋଲିଛନ୍ତି। ତେବେ ସେଠିକୁ ଯିବାର ଉପଦେଶ ଦେବାର ଅଧିକାର କୁଆଡୁ ଆସିଲା ତୁମର।

ଏତିକି ଶୁଣି ପିଲା ଟା ଦବି ଗଲା। ମଦନା କହିଲା

–-----ତୁମର ଆସିବା ଦରକାର ନାହିଁ। ବାବୁ ମୋତେ ଭଲରେ ଜାଣିଛନ୍ତି। ମୁଁ ନିଜେ ଯାଇ ତାଙ୍କୁ ଦେଖା କରିବି। ତୁମ କଥା ଭାବି ମୋତେ ଆଶ୍ଚର୍ଯ୍ଯ ଲାଗୁଛି। ସବୁ ଦିନ ମୋ ଦେକାନରୁ ଜଳଖିଆ ଆଣୁଛ। ମୁଁ କେବେ ବି ତୁମକୁ ଏମିତି ବ୍ଯବହାର କରିଛି? କିନ୍ତୁ ତୁମେ ମୋତେ କଣ ପାଇଁ ଏମିତି କଥାବାର୍ତ୍ତା କରୁଛ।

ପିଲା ଟା ମନା କରିବା ପରେ ବି ଧିରେଧିରେ ଯାଇ ଡାକ୍ତରଙ୍କ କୋଠରୀ ପାଖରେ ପହଞ୍ଚିଲା ସେ। ଆସ୍ତେ କବାଟ ଖୋଲି କହିଲା-

---- ଆଜ୍ଞା ମୁଁ ମଦନା। ମୋ ସ୍ତ୍ରୀ ର ଦେହ ଭୀଷଣ ଖରାପ। କାନ୍ଦିକାନ୍ଦି ଭୂଇଁରେ ଗଡି ଯାଉଛି। ସକାଳୁ ଆସି ବସିଛି। ଆଉ ସେ ସମ୍ଭାଳି ପାରୁନି ତା କୁ ଟିକେ ଦେଖିଦେଇଥାନ୍ତେ..........

ଡାକ୍ତର ଙ୍କ ମୁହଁରେ କ୍ରୋଧର ବହ୍ନି। ସେ ବେଲ୍ ମାରି ପିଲାଟିକୁ ଡାକିଲେ।

---- କଣ ପାଲା ଚାଲିଛି ଏଠି। ତୋତେ ପଇସା ଦେଇ କଣ ପାଇଁ ରଖିଛି। ଯିଏ ପାରିବ ପଶି ଆସିବ। କଣ ମନ୍ଦିର ହୋଇଛି ନା କଣ। କାମ କରିବାକୁ ଇଚ୍ଛା ନ ଥିଲେ ପଳା ଏ ଠୁ।

ଗାଳି ଶୁଣି ପିଲା ଟା ମୁହଁ ପୋତି ଠିଆ ହୋଇଥାଏ। ଏଥର ମଦନା ଆଡକୁ ଚାହିଁ କହିଲେ--

--- ଆରେ ଏ ବୁଢା, ତୋତେ ଭଦ୍ରାମୀ ଜଣା ନାହିଁ। ଶଳା ତୋ ବୋପା ଘର ବୋଲି ଭାବିଲୁ ନା କଣ।

ଆଜ୍ଞା ମୋତେ ଚିହ୍ନି ପାରିଲେନି ବୋଧେ....... ମୁଁ ଜଳଖିଆ ଦୋକାନୀ ମଦନା.......

----- ଓଃ ଆପଣ ଏତେ ବିଖ୍ଯାତ ଲୋକ ବୋଲି ଜାଣି ନଥିଲି। ନିଜକୁ ରାଷ୍ଟ୍ରପତି ଭାବିଲୁ ନାଇଁ, କହିଲା କଣ ନା ମଦନା। ଭାରି ଭିଆଇପି ଲୋକ ଟେ। ତୁମେ ସବୁ ନିଜକୁ ଭାବୁଛ କଣ ? ମୋ ଆଗରେ ଠିଆ ହେବାର ଔକାତ୍ ଅଛି କି ତୋର, କହିଲା କଣ ନା ମଦନା। ରୂପ ଭେକ ଦେଖିଲେ ଲାଗୁଛି, ରେଳଷ୍ଟେସନ୍ କି ବସଷ୍ଟାଣ୍ଡରେ ଭିକ ମାଗୁଥିବୁ। ପଳା ଏଠୁ ନୋହିଲେ ବେକରେ ଧକ୍କିଆ ମାରି ବାହାର କରିଦେବି।


– ବୁଝିଲେ ଆଜ୍ଞା, ଆମ ମାନଙ୍କର ଅବସ୍ଥା ବଡ ଖରାପ। ଉଦାହରଣ ଆପଣଙ୍କ ସାମନାରେ। ଭିକାରି, ଦରିଦ୍ର, ନୀଚ୍ଚ ଲୋକ ବି ନିଜ ପରିଚୟ ଦେଇ କହୁଛନ୍ତି ଆମେ ଅମୁକ.......ଆମେ ସମୁକ........। ୟାଙ୍କ ଲାଗି ତ ବସିଛୁ ଆମେ। ଆଗରେ ବସି ଥିବା ଲୋକଟିକୁ ଲକ୍ଷ୍ଯ କରି କହିଲେ ଡାକ୍ତର।

ବିରକ୍ତିରେ ଜର୍ଜରିତ ଡାକ୍ତର ହାତରେ ଧରିଥିବା ପେନ୍ କୁ ମଦନା ଆଡେ ଫୋପାଡି କହିଲେ--

---- ଆବେ ଭାଗ୍ ଏଠୁ। କଣ ମୋ ଘରେ ଚାହା ପିଇ ଯିବୁ ବୋଲି ଭାବିଛୁ ନା କଣ? ସକାଳଟାରୁ ମୁଡ୍ ଟା ଅଫ୍ କରିଦେଲା ଭିକାରି କୋଉଠିକାର।

ମଦନା ଆଖିରେ ଲୁହ ଜକେଇ ଆସିଲା। ତା ଜୀବନ କାଳରେ ସେ କାହାଠୁ ଏମିତି କଥା ଶୁଣି ନ ଥିଲା। ଅପମାନରେ ଜର୍ଜରିତ ଓ ରକ୍ତାକ୍ତ ହୋଇସାରିଥିଲା ମନ ଓ ହୃଦୟ। ଅଜଣା ଲୋକର ଅପମାନ ଏତେ କଷ୍ଟଦାୟକ ନୁହଁ ଯାହା ଜଣେ ପରିଚିତ ଲୋକଠାରୁ ମିଳେ। କାନ୍ଧରେ ପକାଇଥିବା ଗାମୁଛାରେ ଆଖି ପୋଛିଲା ମଦନା। କିଛି ବି କହିବାର ଶକ୍ତି ହରାଇସାରିଥିଲା ସେ। ବାହାରକୁ ଆସି ଭୂଇଁରେ ଲୋଟୁଥିବା ସ୍ତ୍ରୀ’କୁ ଧରି ସହର ଅଭିମୁଖେ ବାହାରିଗଲା। ସହରରେ ସରକାରୀ ଡାକ୍ତରଖାନାରେ ସ୍ତ୍ରୀ’କୁ ଦେଖାଇଲା। ସମସ୍ଯା ଗମ୍ଭୀର ନଥିଲା। ଅତ୍ଯଧିକ ପରିଶ୍ରମ ଓ ଖାଇବା ପିଇବାରେ ଅନିୟମିତତା ପାଇଁ ଦେହର ଅବସ୍ଥା ଏମିତି ହୋଇଯାଇଥିଲା। ଡାକ୍ତର ଲେଖିଥିବା ଔଷଧ ଧରି ଘରକୁ ଫେରି ଆସିଲା। ଦିନ ଦୁଇଟାରେ ସ୍ତ୍ରୀ ର ଦେହ ଭଲ ହୋଇଗଲା। କିନ୍ତୁ ମଦନା ମନରେ ଜଳୁଥିଲା ଅପମାନ ର ବହ୍ନି। ବହୁ ଚେଷ୍ଟା କରି ବି ନିଜକୁ ବ୍ଯବସ୍ଥିତ କରି ପାରୁ ନ ଥିଲା। ସ୍ତ୍ରୀ ବାରମ୍ବାର ପଚାରିବା ସତ୍ତ୍ବେ ସେ ମୁହଁ ଖୋଲୁ ନ ଥିଲା।

କାହାକୁ ବା କହିବ। ଡାକ୍ତର ତାକୁ ଏମିତି ଅପମାନିତ କରିବେ ସେ ସ୍ବପ୍ନରେ ବି କଳ୍ପନା କରି ନ ଥିଲା। କି ଦୋଷ ରୁ ତାକୁ ଏତେ ଅପମାନ ସହିବାକୁ ପଡିଲା ତାର ଉତ୍ତର ପାଉନଥିଲା ସେ। ଅଜାଣତରେ ତା ମନ ଭିତରେ ପ୍ରତିଶୋଧର ମଞ୍ଜି ପୋତି ହୋଇ ସାରିଥିଲା। ବେଶ୍ କିଛି ଦିନ ଯାଏ ସେ ଡାକ୍ତର ବା ତା ପିଲାର ଦେଖା ମିଳିଲା ନାହିଁ। ବୋଧ ହୁଏ ନିଜ ଭୁଲ ବୁଝିପାରି ସେମାନେ ଜଳଖିଆ ଦୋକାନ ଆଡେ ଆସିବା ବନ୍ଦ କରି ଦେଇଥିଲେ। ଧିରେଧିରେ ମଦନା ବି ମନରୁ ପାଶୋରି ଦେଲା ସେ ଦିନ ର ଘଟଣା।

ଏବେ ମଦନା ର ପୁଅ ତା ସହ ଦୋକାନରେ ବସୁଛି। ସହରରୁ ନୂଆ ପ୍ରକାରର ଜଳଖିଆ ସବୁ ଶିଖି ଆସିଛି। ଥରେ ଖାଇଥିବା ଲୋକ ବାରବାର ଦୋକାନ କୁ ଦଉଡିବାକୁ ଲାଗିଲେଣି। ସଂନ୍ଧ୍ଯା ବେଳେ ପୁଅ ବିକୁଛି ଚାର୍ଟ ଓ ଗୁପଚୁପ୍। କି ଅମୃତ ପକଉଛି ଭଗବାନଙ୍କୁ ଜଣା, ଲୋକ ପୋକମାଛି ପରି ହାଉଯାଉ। ଲମ୍ବା ଲାଇନ ଲଗେଇଲେ ଜିନିଷ ମିଳିବ। ସେ ଦୋକାନରୁ କେବେ କେହି ଖାଲି ହାତରେ ଫେରିନି। ମାତ୍ର ଅପେକ୍ଷା ଟିକେ କରିବାକୁ ପଡେ। ମଦନାର ଆମାୟିକ ବ୍ଯବହାର ଓ ଜିନିଷର ସ୍ବାଦ ତଥା ଗୁଣବତ୍ତା ପାଇଁ ଲୋକ ମାନେ ଭିଡ ଜମାଇବାରେ ଅବହେଳା କରନ୍ତି ନାହିଁ। ପରିସ୍ଥିତି ଏପରି ହେଲାଣି ଯେ ମଦନା ଦୋକାନର ଗହଳି ଦେଖି ଖେଳନା ବାଲା, ବେଲୁନ ବାଲା ଓ ମନୋହରି ଦୋକାନି ସବୁ ପାଖରେ ପସରା ମେଲେଇ ବସିବା ଆରମ୍ଭ କଲେଣି। ଅପେକ୍ଷା କରିବା ସମୟ ଭିତରେ ଲୋକେ ତାଙ୍କ ପାଖରୁ ବି କିଛି କିଣି ନିଅନ୍ତି। ସେମାନେ ବି ଖୁସ୍। ଏବେ ତ ନୂଆ ବାହା ହୋଇଥିବା ଦମ୍ପତ୍ତିଙ୍କ ପାଇଁ ମଦନା ଦୋକାନକୁ ଯିବା କୌଣସି ଯାତ୍ରା ଦେଖାରୁ କମ୍ ନୁହଁ। ତା ଜିନିଷର ଏତେ ଚାହିଦା ବଢିଲାଣି ଯେ ସହରରୁ ଲୋକେ ଆସୁଛନ୍ତି ତା ଦୋକାନ କୁ ଖାଇବା ପାଇଁ। ସେତିକି ରେ ମଦନା ର ଆତ୍ମା ତୃପ୍ତ ହୋଇଯାଏ। ପୁଅ କୁ ଆକଟ କରି କହି ଥାଏ

----ଗ୍ରାହକ ହେଲେ ଇଶ୍ବର। ତାଙ୍କୁ କେବେହେଲେ ଖରାପ ବ୍ଯବହାର ନ କରିବା ପାଇଁ।

ମଦନା ର ପୁଅ ବି ବାପର ଗୁଣ ଆଣିଛି। କଥା ଏମିତି କହିବ ଯେ ଘାଇଲା ବାଘୁଣି ବି ପୋଷା କୁକୁର ପରି ଲାଙ୍ଗୁଡ ହଲେଇବ।

ଥରେ ସହରରୁ ଖାସ୍ ବରାଦ ଆସିଲା ମନ୍ତ୍ରୀଙ୍କର। ତାଙ୍କ ଘରକୁ କୁଣିଆ ଆସିବେ। ସବୁ ଜାତିର ଜଳଖିଆ , ଚାର୍ଟ, ଗୁପଚୁପ୍ ନେବା ପାଇଁ ଗାଡି ଆସି ଠିଆ ହେଲା। ସୁଦାମ, ପୁଅ କୁ ଧରି ମନଯୋଗ ସହକାରେ ସବୁ ଜିନିଷ ତିଆରି କରି ପଠେଇଲା। ସେଦିନ ମନ୍ତ୍ରୀଙ୍କର ପତ୍ନୀ ନିଜେ ଫୋନ ରେ ସୁଦାମ କୁ ପ୍ରଶଂସା କରି କହିଲେ

----- ମଦନା ବାବୁ। ଆପଣଙ୍କ ଜିନିଷ ସବୁ ଖାଇ ଅତିଥି ମାନେ ଏତେ ଖୁସି ହେଲେ କଣ କହିବି। ସୁଦୁର ଦିଲ୍ଲୀ ରୁ ସେମାନେ ଆସିଥିଲେ। କହିଲେ ଏମିତି ଜିନିଷ ଆମେ କୁଆଡେ ବି ଖାଇନୁ। ଏବେ ଖାସ୍ ଏମିତି ଖାଇବା ଖାଇବାକୁ ଆମକୁ ଦିଲ୍ଲୀ ରୁ ଆସିବାକୁ ପଡିବ। ଅସଲ କଥା ଟି ହେଲା ଆମ ଝିଅ କୁ ଦେଖିବାକୁ ପୁଅ ଘରର ଲୋକ ଆସିଥିଲେ। ଗୋଟିଏ ଥରରେ କଥା ଫାଇନାଲ ହୋଇଗଲା ।

ହସି ହସି କହିଲେ - - -

ମୋ ଝିଅ ଠୁ ବେଶି ଆପଣଙ୍କ ଜିନିଷ ତାଙ୍କୁ ଭଲ ଲାଗିଲା। ବାହାଘର ଆସନ୍ତା ମାସରେ । ପ୍ରଥମ ନିମନ୍ତ୍ରଣ ଆପଣଙ୍କୁ ରହିଲା। ଯେତେ କାମ ଥାଉପଛେ ପରିବାର ଧରି ଆସିବେ। ମୁଁ ନିଜେ ଗାଡି ପଠେଇବି ଆପଣ ମାନଙ୍କୁ ଆଣିବା ପାଇଁ।

ଫୋନ ଟି ରଖି ସାରିବା ପରେ ମଦନା ଆଖିରୁ ଲୁହ କେତେ ବୁନ୍ଦା ଝରି ଆସିଲା। କାହିଁ ଜଳଖିଆ ବାଲା ମଦନା , କାହିଁ ମନ୍ତ୍ରୀଙ୍କର ଘର। ତା ପରି ଲୋକଟିକୁ ନିଜେ ଫୋନ କରି ସେ ଡାକିଛନ୍ତି ବାହାଘରକୁ ଯିବା ପାଇଁ। ନିଜ ଉପରେ ଥିବା ଆତ୍ମବିଶ୍ବାସ ଆହୁରି ବଢିଗଲା। ମନ ଭିତରେ ଶୋଇ ରହିଥିବା ସେ ପ୍ରତିଶୋଧର ମଞ୍ଜି ଟି ହଠାତ୍ ଶାଖା ପ୍ରଶାଖା ମେଲି ମହା ଦ୍ରୁମରେ ରୂପାନ୍ତରିତ ହେଲା। ନିଜକୁ ଅତି ସାଧାରଣ ଭାବୁଥିବା ମଦନାର ଯେ କିଛି ଅସ୍ତିତ୍ବ ଅଛି, ପ୍ରଥମ ଥର ପାଇଁ ସେ ହୃଦୟଙ୍ଗମ କଲା। ଖୁସି ଖବର ଟା ଘରେ ସମସ୍ତେ ଜାଣିଲା ପରେ ତାର ଛାତି ଆହୁରିି ଚଉଡା ହୋଇଗଲା। କାରଣ ଗର୍ବ ହୋଇପାରେ ବା ହୋଇପାରେ କିଛି ଦୁର୍ମୂଲ୍ଯ ଜିନିଷ ପାଇଯିବାର ଖୁସି। କିନ୍ତୁ ଯେତେବେଳେ ତା ମନରେ ସେଦିନର କଥା ପଳେଇ ଆସେ ତା ଅସ୍ତିତ୍ବକୁ ଧ୍ବସ୍ତବିଧ୍ବସ୍ତ କରି ଦିଏ। ସବୁ ଖୁସି ରେ ଗ୍ରହଣ ଲାଗିଯାଏ ଓ ସେ ଗୁମସୁମ ହୋଇ ବସିପଡେ। ସ୍ତ୍ରୀ ଓ ପୁଅ କିଛି ବୁଝିପାରନ୍ତିନି । କୁହନ୍ତି ବେଶୀ ଖଟଣି ପଡିବାରୁ ଏମିତି ହେଉଛି। ପୁଅ ବାରବାର କୁହେ ତାକୁ

--- ବାପା, ତୁମେ କିଛି ଦିନ ଆରାମ କର। ମୁଁ ସବୁ ସମ୍ଭାଳି ଦେବି। ମୋ ଉପରେ ଭରସା ରଖ । ତୁମେ ଏମିତି ମୁହଁ ଶୁଖେଇ ରହିଲେ ଆମ ମାନଙ୍କୁ ଜମା ବି ଭଲ ଲାଗୁନି।

ହସି ଦିଏ ସେ କୁହେ

--- ତୁ ବୁଝିବୁନି ରେ ପୁଅ। ମୋର କିଛି ବି ଦୁଃଖ ନାହିଁ। କିନ୍ତୁ ଜଣେ ଲୋକ ମୋତେ ଋଣୀ କରି ଦେଇଛି। କେମିତି ସେ ଋଣ ଶୁଝିବି ସେଇ କଥା ଭାବିଲା ବେଳକୁ ମୋ ମନଟା ଟିକେ ନିରସିଆ ହୋଇଯାଉଛି।

ଏତିକି କହି ସେ ଚୁପ୍ ହୋଇଯାଏ। ଆଉ ଯାହା ବି ପଚାରିଲେ ସେ କିଛି ବି କୁହେନି। ପୁଅ ମନେମନେ ଭାବେ କଣ ଏମିତି ଋଣ ଯେ ବାପା ଶୁଝି ନ ପାରି ଏମିତି ବ୍ଯସ୍ତ ହୋଇ ରହୁଛନ୍ତି। କିନ୍ତୁ ସେ ଋଣ ବିଷୟରେ କେବେ ବାପ କୁ ପଚାରିବାର ସାହାସ କୁଳେଇ ପାରିନି।

ଏମିତି ରେ କିଛି ଦିନ ବିତିଗଲା। ସବୁ ଲୋକ ଜାଣିଲେ ଯେ ମଦନାକୁ ଖୋଦ୍ ମନ୍ତ୍ରୀଙ୍କର ଘରୁ ଫୋନ ଆସିଛି ଓ ସେ ମନ୍ତ୍ରୀଙ୍କ ଝିଅ ବାହାଘରରେ ଅତିଥି ହେବାର ସୁଯୋଗ ପାଇଛି। ଦୋକାନର ଖ୍ଯାତି ଆହୁରି ବଢିଗଲା। ସେ ମନ୍ତ୍ରୀଙ୍କ ଦଳରେ କୁଜି ନେତା ସବୁ ଦୋକାନରେ ଭିଡ ଲଗାଇଲେ। ସେଇ ସହରର ଥାନା ବାବୁ ଆସି ନିଜେ କହିଛନ୍ତି ଯଦି କିଏ ହଇରାଣ କରିବ ତାଙ୍କୁ ଜଣାଇବା ପାଇଁ। ମୋଟାମୋଟି କହିବାକୁ ଗଲେ ମଦନା ସେଇ ଅଞ୍ଚଳର ଜଣେ ମାନ୍ଯଗଣ୍ଯ ବ୍ଯକ୍ତି ହିସାବ ରେ ପରିଗଣିତ ହେଲା।

ସବୁ ଦିନ ଶହଶହ ଲୋକଙ୍କ ଗହଣରେ ସେ ଖୋଜୁଥିଲା ସେ ଡାକ୍ତର ବାବୁକୁ। ଭାବୁଥିଲା କେବେ ତ ଆସିବ ତା ଦୋକାନ କୁ। ସେ ନ ହେଲେ ତା ପିଲା ତ ଆସିବ। ମାତ୍ର ସେମାନଙ୍କୁ ଦେଖୁ ନ ଥିଲା ସେ। ପୁଣି ଭାବିଲା ଡାକ୍ତର ହାତରେ ବହୁତ ଲୋକ। କାହାକୁ ପଠେଇ ତା ଦୋକାନ ରୁ ଜଳଖିଆ ନେଇ ଯାଉଥିବ। କିନ୍ତୁ ସେ ଜାଣି ଥିଲା ଯେ ଦିନେ ନା ଦିନେ ଡାକ୍ତର ଆସିବ, ଆଉ ବାକିଆ ପଡିଥିବା ଅପମାନର ଋଣ କୁ ଶୁଝି ସେ ପ୍ରତିଶୋଧ ନେବ।

ସେଦିନ ସଂନ୍ଧ୍ଯାରେ ଦୋକାନ ଆଗରେ ଲମ୍ବା ଲାଇନ୍। ଲୋକ ମାନେ ଠିଆ ହୋଇ ଜଗି ଥାଆନ୍ତି କେତେ ବେଳେ ତାଙ୍କ ପାଳି ପଡିବ। ଗୋଟେ ନାଲିଆ ରଙ୍ଗର ଲମ୍ବା ଗାଡି ଆସି ଦୋକାନ ଆଗରେ ଠିଆ ହେଲା। ଆଖି ବୁଲେଇ ମଦନା ଦେଖିଲା ଗାଡିରେ ଡାକ୍ତର ତା ପରିବାର ଲୋକଙ୍କୁ ଧରି ନବାବ ଠାଣିରେ ବସି ଲଗାତାର ହର୍ଣ୍ଣ ମାରି ଚାଲିଛି।

ତା କାନ ପାଖ ତାତି ଗଲା। ପେଟ ଭିତରେ କିଛି ଗୋଟେ ଘୁଡୁଘୁଡୁ ଶବ୍ଦ କରିବା ଆରମ୍ଭ କଲା। ଆଖିରେ ଜଳି ଉଠିଲା ପ୍ରତିଶୋଧର ନିଆଁ। ତାକୁ ଆଜି ଯାହା ହେଲେ ବି ଡାକ୍ତରର ଗର୍ବଭଞ୍ଜନ କରିବାକୁ ପଡିବ। ମୁହଁରେ କିଛି ପ୍ରତିକ୍ରିୟା ନ ଦେଖେଇ ଚୁପଚାପ୍ ବସି ରହିଲା। କିଛି ସମୟ ପରେ ବହୁ ପ୍ରତିକ୍ଷିତ ସେହି ସମୟ ଆସି ପହଞ୍ଚିଲା। ଡାକ୍ତର ନିଜେ ଗାଡିରୁ ଓହ୍ଲେଇ ଲମ୍ବା ପାହୁଣ୍ଡ ପକେଇ ଆସି ମଦନା କୁ କହିଲେ-

---- କିଓ ମଦନା କଣ ଜାଣି ପାରୁନ ନା କଣ? ମୁଁ ସେତେ ବେଳୁ ହର୍ଣ୍ଣ ମାରୁଛି ପରା। କିଛି ଜିନିଷ ଦରକାର । ଟିକେ ଜଲଦି ପାର୍ସଲ କରିଦିଅ। ଗାଡିରେ ଘର ଲୋକ ସବୁ ବସିଛନ୍ତି। ଜିନିଷ ସାଙ୍ଗେସାଙ୍ଗେ ଦିଅ।

ଡାକ୍ତର କଥାରେ ଥିଲା ଗର୍ବ, ଔଦ୍ଧତ୍ଯ ଓ ବଡପଣିଆର ଛିଟା। ଦୋକାନ ରେ ଜମି ଥିବା ଲୋକ ମାନେ ନମସ୍କାର କଲେ ଡାକ୍ତରକୁ। ନ ଦେଖିଲା ପରି ସେ କହିଲା “ହଁ” ହେଲା ହେଲା। ସତେ ଯେମିତି ତାକୁ ନମସ୍କାର କରୁଥିବା ଲୋକ ଗୁଡିକ ପୋକ ମାଛି। ଡାକ୍ତର ଗପି ଚାଲିଥାଏ--

--- ମୁଁ ସହରରୁ ଖବର ପାଇଲି ଯେ ମଦନା ଦୋକାନ ରେ ସବୁଠୁ ଭଲ ଖାଇବା ଜିନିଷ ତିଆରି ହଉଛି ବୋଲି। ଏପରିକି ସହରରୁ ଲୋକ ଆସୁଛନ୍ତି ଏ ଦୋକାନ କୁ। ମୁଁ ମନେମନେ ଭାବିଲି ଯେ ଥରେ ନିଜେ ଯାଇ ଦେଖିନେବା ଟା ଭଲ। ଏ ଛୋଟ ଜାଗାଟାରେ କଣ ଏମିତି ତିଆରି ହଉଛିଯେ ଲୋକ ମାନେ ଜନ୍ଦା ପିମ୍ପୁଡି ପରି ଭିଡ ଲଗଉଛନ୍ତି।

କିଛି ତ ଥିବ, ନ ହେଲେ ସହର ର ରେଷ୍ଟୁରାଣ୍ଟ ଛାଡି ଲୋକେ କଣ ପାଇଁ ଲୋକେ ଏଠିକୁ ଦଉଡୁଛନ୍ତି।

କିଛି ପ୍ରତିକ୍ରିୟା ନ ଦେଖେଇ ଚୁପ ହୋଇ ବସିଥାଏ ମଦନା। କିନ୍ତୁ ବାସ୍ତବରେ ସେ ମନର ତୁଣୀରରୁ ବାକ୍ଯରୂପକ ଶର କାଢି ଲକ୍ଷ୍ଯଭେଦ କରିବାକୁ ପ୍ରସ୍ତୁତ କରୁଥାଏ ନିଜକୁ। ଲମ୍ବା ଲାଇନ୍ ରେ ଛିଡା ହୋଇଥାଏ ମେହେନ୍ତର ହାଡୁ । ଜିନିଷ ପାଇଁ ବରାଦ ଦେଇ ଅପେକ୍ଷା କରିଥାଏ ନେବା ପାଇଁ। ଡାକ୍ତର ବାବୁ କୁ ଦେଖି ନିଜକୁ ଟିକେ ସାଇଡ୍ କରିନେଲା ଓ ସମ୍ମାନର ସହ କହିଲା ଆପଣ ଆଗ ନିଅନ୍ତୁ ସାରେ।

--- ଆରେ ମଦନା କଣ ଶୁଭୁଛି ନା ନାହିଁ। ଯାହା ନେବି ସେ ଗୁଡିକ ଟିପି ରଖ। ମୁଁ ଗାଡିରେ ଅପେକ୍ଷା କରିଛି। ମୋତେ ନେଇ ଗାଡିରେ ଜିନିଷ ଦେଇ ଦେବ। କହିଲେ ଡାକ୍ତର।

ମୁହଁ କୁ ଯଥା ସମ୍ଭବ ଶାନ୍ତ ରଖି ମେହେନ୍ତର କୁ ଡାକିଲା ମଦନା, କହିଲା

– ଆସ ତୁମ ଜିନିଷ ନେଇଯିବ।

ସେ ଲମ୍ବା ଲାଇନ ଆଡେ ଲକ୍ଷ୍ୟ କରି କହିଲା ତା ପରେ କିଏ ଆଗକୁ ଆସନ୍ତୁ।

ଏଥର ଧର୍ଯ୍ଯଚ୍ଯୁତି ଘଟିଲା ଡାକ୍ତର ବାବୁଙ୍କର। ଏମିତି ତ ଅହଙ୍କାର ରେ ସେ ଫାଟି ପଡୁଛନ୍ତି। ପୁଣି ତାଙ୍କରି ଆଗରେ ମେହେନ୍ତର କୁ ଜିନିଷ ଦେଇ ଦେବା ଟା ବଡ ବାଧିଲା। ସେ ଟିକେ ଉଚ୍ଚ ଗଳାରେ କହିଲେ--

---- କଣ ମଣିଷ ଚିହ୍ନି ହଉନି ନା କଣ? କହୁଛି ପରା ମୋ ଘର ଲୋକେ ଗାଡିରେ ବସିଛନ୍ତି, ଜିନିଷ ଜଲଦି ଦରକାର। ଏମିତି ନ ଶୁଣିବା ପରି ଫୁଟାଣି କଣ ପାଇଁ। ବେଶୀ ବିକ୍ରି ହେଇଛି ବୋଲି ମଣିଷ ଜାଣି ହେଉନି କି?

ବାସ୍ ଏତିକି କଥା ହିଁ ଦରକାର ଥିଲା ମଦନା କୁ ବିସ୍ଫୋଟିତ କରିବା ପାଇଁ। ମୁହଁ ରାଗରେ ଲାଲ ପଡି ଯାଇଥାଏ। ମନରେ ଚଳଚିତ୍ରର ଦୃ ଶ୍ଯ ପରି ଭାସି ଚାଲିଥାଏ ସେଦିନ ର ଘଟଣା ସବୁ। ବଡ ପାଟିରେ କହିଲା--

---- ହୋ ବାବୁ, ରଖ ତୁମ ବଡଲୋକି ତୁମ ପାଖରେ। ସେମିତି ଜିନିଷ ଦେଇ ହେବନି। ଲାଇନ୍ ରେ ଆସ। ତୁମ ପାଳି ପଡିଲେ ବଳେ ଡାକିବି। ମୋ ପାଖରେ ସବୁ ସମାନ। ତୁମ ଦୟାରେ ଦୁନିଆ ଚାଲିଛି ନା କଣ? ଏମିତି ବାହାପିଆ ପରି କଥାବାର୍ତ୍ତା କରନି ଜମା।

----- କଣ କହିଲୁ? ତୁ କାହା ସହ କଥା ହେଉଛୁ ଜାଣିଛୁ ତ? ଆରେ ମୁଁ ଡାକ୍ତର ଅନୁଭବ ସାମନ୍ତରାୟ। ମୋତେ କିଏ ନ ଜାଣେ। ତୁ ଗୋଟେ ଛାରପୋକ ପରି ମଣିଷ ମୋ ଆଗରେ ଫୁଠାଣି ମାରୁଛୁ। ମୋ ପାଖରେ ଯେତିକି ଟଙ୍କା ଅଛି ଫିଙ୍ଗିଦେଲେ ତା ଭିତରେ ତୁ, ତୋ ଘର ଓ ଦୋକାନ ଲୁଚିଯିବ। ବଡଲୋକି କାହାକୁ ଦେଖଉଛୁ।

ମଦନା ଚିହିଁକି ଉଠିଲା।

–---ହାଃ ହାଃ ହାଃ ହଁ ସେଇ ଛାରପୋକ ଯେତେ ବେଳେ କାମୁଡେ ଲୋକଙ୍କର ଚେତା ହଜିଯାଏ। ମୁଁ ସେଇ ଛାରପୋକ। ଡାକ୍ତର ବାବୁ ନିଜ ଇଜ୍ଜତ ଏଠି ଆଉ ନ ସାରି ଘରକୁ ପଳା। ତୋ ଅବସ୍ଥା ଦେଖିଲେ ଦୟା ଲାଗୁଛି। ଗାଡି ଆଡେ ଟିକେ ନଜର ବୁଲା। ତୋ ଘର ଲୋକେ କେମିତି କୁନୁମୁନିଆ ହୋଇ ତୋତେଦେଖୁଛନ୍ତି। ଚାରିପଟକୁ ଥରେ ଦେଖ୍। ତୋ କ୍ଲିନିକ୍ ରେ କେତେ ଲୋକଙ୍କୁ କୁକୁର ବିଲେଇ ପରି ବ୍ଯବହାର କରିଛୁ। ଲୋକଙ୍କ ଜୀବନ ବଞ୍ଚେଇବା ତୋ କାମ, ସେ କାମ ଛାଡି ଦଲାଲି କରୁଛୁ, ତୋତେ ଲାଜ ଲାଗୁନି। ଆରେ ତୋତେ ଜିନିଷ ନ ଦେଇ ବରଂ ରାସ୍ତାରେ ବୁଲୁଥିବା ଗାଈ କୁକୁରଙ୍କୁ ଦେଲେ ଲାଭ ଅଛି। ଯା ଭାଗ୍ ଏଠୁ, ନୋହିଲେ ଗରମ ତେଲ ଫିଙ୍ଗିଦେବି ଯେ କାଉଁକାଉଁ ହୋଇ ଦଉଡି ପଳେଇବୁ। କହିଲା କଣ ନା ମୋ ଜିନିଷ ପ୍ଯାକ୍ କରି ଗାଡିରେ ପହଞ୍ଚେଇଦେବ। ଭାବିଲୁ ତୋ ବୋପାର ହଳିଆ ସବୁ,ତୋ ବୋଲ ମାନି ଚଳିବେ। ତୁ ଯେତେ ବଡ ହେଲେ ମୋର କିଛି ଯାଏ ନି କି ଆସେନି। ରଖ ତୋ ପଇସା ତୋ ପାଖରେ। ତୁ ବଡ ହୋଇ ଗଲେ ମୁଁ ସାନ ହୋଇ ଯିବିନି। ମୋ ଜାଗାରେ ମୁଁ ପୁରା ଠିକ୍ ରେ ଅଛି।

ରାସ୍ତା ଉପରେ ସମସ୍ତଙ୍କ ସାମନା ରେ ଡାକ୍ତର ବାବୁ ର ଏମିତି ବସ୍ତ୍ରହରଣ ହେବ, ଏ କଥା ସେ ସ୍ବପ୍ନରେ ଚିନ୍ତା କରି ନଥିଲା। ସବୁଠୁ ଆଶ୍ଚର୍ଯ୍ଯର କଥା ହେଲା ମଦନାକୁ ଏମିତି କହିବାରୁ କେହି ଜଣେ ହେଲେ ବି ବିରତ କରୁ ନ ଥା’ନ୍ତି। କରିବ ବା କିଏ ? ସବୁ ତ ଡାକ୍ତରର ରୁକ୍ଷ ବ୍ଯବହାରର ମୁକ ସାକ୍ଷୀ। ମଦନା ର ପୁଅ ବାପର ବିଶ୍ବଋପ ଦେଖି ତଟସ୍ଥ ହୋଇଗଲା। ଘରକୁ ଦଉଡି ଯାଇ ତା ମାଆକୁ ଡାକିଆଣିଲା ବେଳକୁ ମାଆ କହିଲା--

---- ଧନରେ ତୋ ବାପା କେବେ କାହାକୁ ଟାଣ କଥା ପଦେ କହିନାହାନ୍ତି। ସେ ଏମିତି ହେବାର କାରଣ ଟା ଆଗ ଶୁଣ। ସବୁ କଥା ପୁଅ ପାଖରେ ବଖାଣି କହିଲା

– -- ତୋ ବାପା ମଝିରେ ଗୁମ୍ ମାରି ବସିବାର କାରଣ ଏଇ ଡାକ୍ତର। ମନରେ ଯାହା ଅଛି ସବୁ ବାହାର କରିଦେଲା ପରେ ହିଁ ସେ ଶାନ୍ତି ପାଇବେ। ତୁ ଜମା ପାଟି ନ ଫିଟେଇ ଦୋକାନ ଜଗି ଥା।

ଲଜ୍ଜା, ଅପମାନରେ ଡାକ୍ତର ମୁହଁ ଲାଲ ପଡି ଯାଇଥାଏ। ମଦନା ପରି ଅକିଞ୍ଚନ ହାତରେ ଆଜି ଏ ରକମର କୀର୍ତ୍ତନ ହେବାର ଥିଲା ସେ କଥା ତାଙ୍କ ଚିନ୍ତାଶକ୍ତି ବାହାରେ ଥିଲା। ଏ ପରିସ୍ଥିତିରେ କଣ କହିବ, କଣ କରିବ ଭାବି ପାରୁ ନ ଥିଲା।

ପୁଣି କହିଲା ମଦନା

--- ଆରେ ମୋ ଦେକାନ ରୁ ଯିବ ନା ନାହିଁ। ତୁମକୁ କିଛି ବିକ୍ରି କରିବାର ନାହିଁ। ତୁମର କିଣିବାର କ୍ଷମତା ଥିଲେ ବି ମୋର ବିକ୍ରି କରିବାର ଆଗ୍ରହ ନାହିଁ। ଆରେ ହଁ …... ତୁମର ଜିନିଷ ଟା ମୋ ପାଖରେ ଅଛି। ନେଇ ଯାଅ। ଏତିକି କହି ସେଦିନ ଡାକ୍ତର ତା ଉପରକୁ ଫିଙ୍ଗିଥିବା ପେନଟିକୁ ତା ମୁହଁ କୁ ଫିଙ୍ଗିଦେଲା।

ଲୋକ ମାନେ ପଥର ପରି ଠିଆ ହୋଇ ରହିଥାଆନ୍ତି। ଏ ପରିସ୍ଥିତିରେ ତାଙ୍କର କଣ କରିବା ଉଚିତ ସେ କଥା ବୋଧେ ଭାବୁଥାନ୍ତି। ଡାକ୍ତର ମୁହଁ ପୋତି ଚୁପଚାପ ନିଜ ଗାଡି ପାଖକୁ ଚାଲିଗଲା। ଗାଡି ଷ୍ଟାର୍ଟ କରି ସେ ଜାଗା ଛାଡିଗଲା ପରେ ମଦନା ହୋଃ ହୋଃ ହୋଇ ହସିଲା। ଏକଦମ୍ ମନଖୋଲା ହସ। ପୁଅ ଚାହିଁଲା ବାପାର ମୁହଁ କୁ। ମୁହଁର ଭାବଭଙ୍ଗୀରୁ ଜଣା ପଡୁଥିଲା ଯେ ତା ବାପା ସେତେବେଳକୁ ବହୁତ ଦିନରୁ ବାକିଥିବା ଋଣ ଶୁଝି ସାରିଥିଲା।

ମଦନା ଲାଇନ୍ ରେ ଛିଡା ହୋଇଥିବା ଲୋକଙ୍କ ଆଡକୁ ଲକ୍ଷ୍ଯ କରି କହିଲା

--- ବାବୁ ଏବେ ତୁମେ ଆସ ତୁମ ଅର୍ଡର ରେଡି ହୋଇଗଲା।

କଣ ସବୁ ଘଟିଗଲା ସେ ବିଷୟରେ ଧ୍ଯାନ ନ ଦେଇ ଲୋକେ ଲାଇନରେ ନିଜନିଜ ଯାଗା ରେ ଠିଆ ହୋଇଗଲେ। ଆଜି ମଦନା ଦୋକାନରେ ସ୍ପେଶାଲ ଚାର୍ଟ ଓ କୁଲଫି ଖାଇବାର ମଜା ନ ନେଇ କାହିଁକି ଏ ବାଜେ କଥାରେ ସେମାନେ ମୁଣ୍ଡ ପୁରାନ୍ତେ ଭଲା।

କିଛି ଦିନ ଗଲା ପରେ ଜଣେ ଗ୍ରାହକ ଆସି ମଦନା କୁ କହିଲା

--- ଭାଇ ସେଦିନ ଏମିତି ଜଳଖିଆ ଦେଲ ଯେ ଡାକ୍ତରର ସବୁ ଢିଲା ସ୍କୃ ଟାଇଟ୍ ହୋଇଯାଇଛି। ଏବେ ସମସ୍ତଙ୍କୁ ଆଜ୍ଞା, ଆପଣ କରି କଥା କହିବା ସାଙ୍ଗକୁ ମନ ଦେଇ ରୋଗୀ ସେବା କରୁଛି। ଏବେ ବେଶି ସମୟ ଡାକ୍ତରଖାନାରେ ବିତୁଛି। ଘରେ ରୋଗୀ ଦେଖା ବହୁତ କମି ଗଲାଣି।

ମଦନା ଆକାଶକୁ ଚାହିଁ କହିଲା, ବେଳେବେଳେ ଏମିତି ମଧୁର ପ୍ରତିଶୋଧ ଲୋକଙ୍କ ଜୀବନ ପରିବର୍ତ୍ତନ କରିଦେଇଛି। ଯାହା ହେଉ ଲୋକଟା ସୁଧୁରି ଗଲା।


**********************************


Rate this content
Log in