Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Tragedy

4.9  

Bauribandhu Lenka

Tragedy

ସେ ତ ଭକତ ଜୀବନ ଧନ

ସେ ତ ଭକତ ଜୀବନ ଧନ

8 mins
14.4K


ଆଷାଢ ମାସର ଏକ ମେଘୁଆ ସନ୍ଧ୍ୟା । ବ୍ୟାଙ୍କରୁ ଫେରି ଅବିନାଶ ପୋଷାକ ବଦଳେଇ ବସି ପଡିଲେ ଡ୍ରଇଁ ରୁମ୍ ର ସୋଫା ଉପରେ ଏକ ଭାରାକ୍ରାନ୍ତ ମନ ନେଇ । ସ୍ତ୍ରୀ ଅଞ୍ଜଳି ଅବିନାଶଙ୍କୁ ଦେଖି ପଚାରିଲେ, " କଣ ହେଲାକି ଅଫିସରୁ ଆସି ଏମିତି ବସିପଡିଲ ? କେବେ ତ ଏପରି ଥକା ମାରି ବସିବା ମୁ ଦେଖିନାହିଁ । ନିଶ୍ଚୟ କଣ କିଛି ଘଟିଛି। ଯାଅ ଟିକିଏ ଫ୍ରେସ୍ ହୋଇ ଆସ । ମୁଁ ଚାହା କରି ଆଣୁଛି ।" ଅବିନାଶ କିଛି ନକହି ଗାଧୁଆଘରକୁ ଯାଇ ଧୁଆ ଧୋଇ ହୋଇ ଆସିଲେ। ଅଞ୍ଜଳି କିଛି ବିସ୍କୁଟ୍ ସହ ଚାହା ଆଣି ଦେଲେ ଅବିନାଶଙ୍କୁ । ନିଜେ ମଧ୍ୟ ଗୋଟିଏ କପ୍ ଚାହା ନେଇ ଅବିନାଶଙ୍କ ପାଖରେ ବସିପଡିଲେ। ଅଞ୍ଜଳି କିଛି ପଚାରିବା ପୂର୍ବରୁ ଅବିନାଶ ପଚାରିଲେ କଣ ପିଲାମାନେ କେହି ଦିଶୁନାହାନ୍ତି ? ଅଞ୍ଜଳି ଆଶ୍ଚର୍ଯ୍ୟ ହୋଇ ଭାବିଲେ ନିଶ୍ଚୟ କିଛି ଘଟିଛି ଅଫିସରେ । ସେ ଅବିନାଶଙ୍କୁ କହିଲେ," କଣ ହୋଇଛି ତୁମର ଆଜି ? ଏ ସମୟରେ ପିଲାମାନେ କଣ ଘରେ ଥାଆନ୍ତି ? ବଡ ଝିଅ ତ ତା ଚାକିରି ଜାଗାରେ ଆଉ ସାନ ଝିଅ ଓ ପୁଅ — ଏ ଦୁଇ ଜଣ ପ୍ରତିଦିନ ସନ୍ଧ୍ୟାରେ ଟ୍ୟୁସନ୍ ପାଇଁ ଯାଆନ୍ତି— ଏ କଥା କଣ ତମେ ଜାଣିନ ? ଏମିତି ଅନ୍ୟ ମନସ୍କ ହୋଇ କଣ ପଚାରୁଛ ? କଣ ଅଫିସ୍ ରେ କାହା ସହିତ ପାଟି ତୁଣ୍ଡ ହୋଇଛି ନା ଆଉ କଣ ହୋଇଛି ?" ଆରେ ସେପରି କିଛି ନୁହେଁ— ଅବିନାଶ କଥାର ମୋଡ ବଦଳାଇବାକୁ ଚାହୁଁଥିଲେ । ହେଲେ ଅଞ୍ଜଳି ସ୍ତ୍ରୀ ଭାବରେ ତାଙ୍କ ସହ ତିରିଶ ବର୍ଷ ଅତିବାହିତ କଲା ପରେ ତାଙ୍କୁ ଠିକ୍ ଭାବେ ବୁଝିଛନ୍ତି । ସେ ଅବିନାଶଙ୍କୁ ଏପରି ଏକ ଭାରାକ୍ରାନ୍ତ ମାନସିକତା ଭିତରୁ ବାହାର କରିବାକୁ ଚାହୁଁଥିଲେ । ପୁଣି ପଚାରିଲେ , " କଣ ମୋତେ ବି କହିବନି ? ଏପରି କଣ ଗୁପ୍ତ କଥା ଯେ ତୁମର ସ୍ତ୍ରୀ ହୋଇ ବି ମୋର ଜାଣିବାର ଅଧିକାର ନାହିଁ ? ମୁଁ ଅଧିକାର ସାବ୍ୟସ୍ତ କରାବାକୁ ଚାହୁନି ଅବିନାଶ ! ତୁମର ଏପରି ଚେହେରା ଦେଖିଲା ପରେ ମୋତେ କିପରି ଅସ୍ୱସ୍ତିକର ଲାଗୁଛି ଯାହା ମୁଁ ଶବ୍ଦରେ ପ୍ରକାଶ କରି ପାରୁନାହିଁ । କଣ କହିବନି ? ଦୁଃଖକୁ ଅନ୍ୟ ସମ୍ମୁଖରେ ପ୍ରକାଶ କଲେ ମନ ହାଲୁକା ହୋଇଯାଏ— ଏ କଥା ତମେ ଅନେକ ଥର ମୋତେ କହିଛ ହେଲେ ଆଜି ତମେ କିପରି ନିଜର ଦୁଃଖକୁ ନିଜ ସ୍ତ୍ରୀକୁ କହିବାକୁ କୁଣ୍ଠା ପ୍ରକାଶ କରୁଛ ?"

ଅବିନାଶ କଥା ଆରମ୍ଭ କରିବାକୁ ଯାଇ କହିଲେ , " ଶୁଣ ଅଞ୍ଜଳି ଏ ବ୍ୟାଙ୍କ ଚାକିରି ଯେତିକି ଭଲ ସେତିକି ଖରାପ ମଧ୍ୟ । ଏଇ ଦେଖ ସେଦିନ କେଡେ ଖୁସିରେ ଆମେ ସମସ୍ତେ ଯାଇ ରେଷ୍ଟୁରାଣ୍ଟରେ ମୋର ପ୍ରମୋସନ ପାଇଁ ସେଲିବ୍ରେଟ୍ କରିଥିଲେ । ମୋ ଅପେକ୍ଷା ତମେ ଆଉ ପିଲାମାନେ ଅଧିକ ଖୁସି ଥିଲେ। ଆଜି କିନ୍ତୁ ସବୁ ଖୁସି ହଜି ଯାଇଛି । ଏ ସବୁ ସେଇ କାଳିଆର ନାଟ । ଏ ହାତରେ ଦେଇ ସେ ହାତରେ ନେଇଗଲା । ଅଞ୍ଜଳି ଭାବିଲା ପ୍ରମୋସନ୍ ବୋଧେ କ୍ୟାନ୍ସେଲ୍ ହୋଇଯାଇଛି । ସେ ନିଜକୁ ରୋକି ନପାରି ପଚାରିଲା," କଣ ପ୍ରମୋସନ୍ କ୍ୟାନ୍ସେଲ୍ ହୋଇଗଲା ? " ଅବିନାଶ କହିଲେ, " ଆରେ ସେପରି କଣ ହୁଏ । ପ୍ରମୋସନ୍ କ୍ୟାନ୍ସେଲ୍ ହୋଇନାହିଁ ହେଲେ ମୋର ଟ୍ରାନ୍ସଫର ସୁଦୂର ନର୍ଥ ଇଷ୍ଟ୍ କୁ ହୋଇଯାଇଛି । ସ୍ଥାୟୀ ପୋଷ୍ଟିଙ୍ଗ୍ ନୁହେଁ । ଇନିସ୍ପେକ୍ସନ୍ କାମରେ ନର୍ଥ ଇଷ୍ଟ୍ ର ବିଭିନ୍ନ ବ୍ରାଞ୍ଚମାନଙ୍କୁ ଯାଇ ଇନିସ୍ପେକ୍ସନ୍ କରିବାକୁ ପଡିବ । ହେଡ୍ କ୍ୱାଟର୍ ଗୋହାଟୀରେ । ସର୍ବ ଭାରତୀୟ ଚାକିରି । ଯିବାକୁ ହିଁ ପଡିବ । ପିଲାମାନେ ଏଠାରେ ପଢୁଛନ୍ତି । ପରିବାର ସହ ଯିବା ସମ୍ଭବ ନୁହେଁ । ସହଜେ ବି ମୋର ପୋଷ୍ଟିଙ୍ଗ୍ ଗୋଟିଏ ସ୍ଥାନରେ ନୁହେଁ ଏକୁଟିଆ ହିଁ ଯିବାକୁ ହେବ ।" ଅବିନାଶଙ୍କ ମନରେ ସାହସ ଦେବାପାଇଁ ଓ ସମସ୍ୟାକୁ ହାଲୁକା କରିବା ଉଦ୍ଦେଶ୍ୟରେ ଅଞ୍ଜଳି ସାଙ୍ଗେ ସାଙ୍ଗେ କହିଲେ , " ଏଥିପାଇଁ ଏତେ ଚିନ୍ତା କରିବାର କଣ ଅଛି ? ମୋ ଉପରେ କଣ ତମର ଭରସା ନାହିଁଁ । ଚାହୁଁ ଚାହୁଁ ଦୁଇ ବର୍ଷ କୁଆଡେ କଟିଯିବ ଆଉ ତମେ ପୁନଶ୍ଚ ଭୁବନେଶ୍ୱର ଫେରି ଆସିବ । ଯେଉଁମାନେ ନର୍ଥ ଇଷ୍ଟ୍ ରେ କାର୍ଯ୍ୟ କରନ୍ତି ସେମାନେ ହୋମ୍ ଷ୍ଟେଟ୍ କୁ ଫେରିଲା ପରେ ତାଙ୍କୁ ଚଏସ୍ ପୋଷ୍ଟିଙ୍ଗ୍ ମିଳେ ବୋଲି ତମେ ଥରେ କେଉଁ ପ୍ରସଙ୍ଗରେ କହିବାର ମୁଁ ଶୁଣିଛି । ତେଣୁ ଫେରିଲା ପରେ ତମର ଭୁବନେଶ୍ୱର ପୋଷ୍ଟିଙ୍ଗ ନିଶ୍ଚିତ । ସେହି ସମୟରେ ତମେ ବଡ ଝିଅର ବିଭାଘର ଉପରେ ଟିକେ ଅଧିକ ଧ୍ୟାନ ଦେଲେ ବିଭାଘର ସୁରୁଖୁରୁରେ ହୋଇଯିବ । "

ସ୍ତ୍ରୀଙ୍କର ଏପରି ଦମ୍ଭ ଦେଖି ଅବିନାଶ ଟିକିଏ ଭାବୁକ ହୋଇଗଲେ । ଦୁଃଖରେ ନିଜକୁ ନିଜେ କହିବାକୁ ଲାଗିଲେ— କାହିଁକି ଏପରି ଖେଳ ମୋ ସଙ୍ଗରେ ଖେଳୁଛୁରେ କାଳିଆ । ଏ ହାତରେ ଦେଇ ସେ ହାତରେ ନେଇ ଯାଉଛୁ । କାହିଁକି ତୋତେ ଆଉ ଡାକିବି ?

ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ ଏକ ନିଆରା ସମ୍ପର୍କ । ଯେ ଭକ୍ତିର ସହ ନିଜକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପଣ କରିଦିଏ ସେ ତାକୁ କୋଳେଇ ନିଅନ୍ତି । ଯେ ଦୁଃଖ ଆଉ ସୁଖକୁ ଏକାବୋଲି ଭାବି ତାଙ୍କ ନିକଟରେ ଶରଣାପନ୍ନ ହୁଏ ସେ ତାହାର ସମସ୍ତ ଦାୟିତ୍ୱ ନିଜ ଉପରକୁ ନେଇଥାନ୍ତି। ଅବିନାଶ ଭାବ ବିହ୍ୱଳ ହୋଇ ଦୁଃଖରେ ଅଭିମାନ କରି କାଳିଆକୁ ଗାଳି ଦେବାକୁ ଆରମ୍ଭ କରିଦେଲେ। ଖୋଲାଖୋଲି ଭାବେ କହି ପକେଇଲେ — ଜୀବନ ସାରା ଡାକି ଡାକି ଯଦି ଏଇଆ କଲୁ ଆଉ କାହିଁକି ତୋତୋ ଡାକିବି । ପ୍ରମୋସନ୍ ପରେ ତୋତେ ଦର୍ଶନ କରି କେତେ କଣ ଅଳି କରିଥିଲି ସେ ସବୁ କଣ କିଛି ଶୁଭିଲାନି ? ହଁ କିପରି ବା ଶୁଣନ୍ତୁ ? କାନ କେଉଁଠି ଅଛି ଯେ ଶୁଣିବୁ ? ଚାଲୁଣୀ ପରିକା ଆଖି ଦୁଇଟାରେ ଜଳ ଜଳ କରି ଚାହିଁଛୁ । କିଏ କଣ କହୁଛି ଯଦି ଶୁଣୁଥାନ୍ତୁ ମୋତେ ଆଜି ଏ ଦୁର୍ଦଶା କଣ ଭୋଗିବାକୁ ପଡିଥାନ୍ତା ? ଆଜିଠାରୁ ଠିକ୍ ଜାଣି ଗଲି ତୁ ଗୋଟେ ନିଦା ପଥର । ଦୟା ମାୟା ତୋର କିଛି ନାହିଁ । ଆଉ କେବେ ବି ତୋ ଦୂଆରକୁ ଆସିବିନି ଯେ ପର୍ଯ୍ୟନ୍ତ ତୁ ନିଜେ ମତେ ନ ଡାକିଛୁ ।

ଅବିନାଶ ଭାବ ବିହ୍ୱଳ ହୋଇ କେତେ କଣ ଗପି ଚାଲିଥିଲେ କାଳିଆ ଠାକୁରଙ୍କୁ ଗାଳି କରି କରି । ଅଞ୍ଜଳି ତାଙ୍କୁ ପ୍ରକୃତିସ୍ଥ କରାଇଲେ । ଇତି ମଧ୍ୟରେ ପୁଅ ଓ ଝିଅ ଟ୍ୟୁସନ୍ ରୁ ଫେରି ଆସିଥିଲେ ।

ଅବିନାଶଙ୍କୁ ଯିବାକୁ ପଡିଥିଲା ସୁଦୂର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ଆସାମ ରାଜ୍ୟର ରାଜଧାନୀ ଗୋହାଟୀ ସହରକୁ ।

×××× ×××××× ××××××

ଦୁଇ ବର୍ଷ ଅତିକ୍ରାନ୍ତ ହେଲାପରେ ଅବିନାଶ ଫେରି ଆସିଛନ୍ତି ତାଙ୍କର ଅତି ପ୍ରିୟ ସହର ଭୁବନେଶ୍ୱରକୁ । ମନରେ ଅନେକ ଆଶା। ତାଙ୍କୁ ଭୁବନେଶ୍ୱରରେ ପୋଷ୍ଟିଙ୍ଗ୍ ନିଶ୍ଚୟ ମିଳିବ କାରଣ ବ୍ୟାଙ୍କର ଟ୍ରାନ୍ସଫର ପଲିସି ଅନୁସାରେ ଉତ୍ତର ପୂର୍ବାଞ୍ଚଳରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ଫେରିଥିବା ଅଧିକାରୀ ମାନଙ୍କୁ ସେମାନଙ୍କର ପସନ୍ଦ ମୁତାବକ ପୋଷ୍ଟିଙ୍ଗ୍ ଦେବା ପାଇଁ ବ୍ୟବସ୍ଥା ରହିଛି। ଅବିନାଶଙ୍କର ପ୍ରଥମ ପସନ୍ଦ ଭୁବନେଶ୍ୱର ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଥିଲେ ।

ଟ୍ରାଞ୍ଜିଟ୍ ଲିଭ୍ ନନେଇ ସେ ଜୋନାଲ ଅଫିସ୍ ଅଭିମୁଖେ ଯାଇଥିଲେ କାର୍ଯ୍ୟରେ ଜଏନ୍ କରିବା ପାଇଁ। ଅବିନାଶ ଆଗରୁ ସେ ଅଫିସ୍ ରେ ଅନେକ ବର୍ଷ ଆଗରୁ କାମ କରିଛନ୍ତି । ସେଠାରେ କାର୍ଯ୍ୟରତ ପ୍ରାୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଭଲ ଭାବରେ ପରିଚିତ। ଜୋନାଲ ମ୍ୟାନେଜର ମଧ୍ୟ ଓଡିଆ ଲୋକ ଓ ସେ ଅବିନାଶଙ୍କୁ ଭଲ ଭାବେ ଜାଣିଛନ୍ତି। ଅବିନାଶ ଅଫିସ୍ ରେ ପହଞ୍ଚି ସମସ୍ତଙ୍କ ସହ ଭେଟ ହେଲା ପରେ ଜୋନାଲ ମ୍ୟାନେଜରଙ୍କ ଚାମ୍ବର ଭିତରକୁ ପ୍ରବେଶ କଲେ। ଜୋନାଲ ମ୍ୟାନେଜର ଆଗରୁ ପରିଚିତ ଥିବାରୁ ସ୍ମିତ ହସ ହସି ଅବିନାଶଙ୍କୁ ବସିବା ପାଇଁ ଇଶାରା କରିଥିଲେ । ଗୌହାଟୀ ଓ ନର୍ଥ ଇଷ୍ଟ୍ ବିଷୟରେ ଅଳ୍ପ କେଇ ପଦ କଥା ହେଲା ପରେ ସେ ଅବିନାଶଙ୍କୁ କେଉଁ ବ୍ରାଞ୍ଚକୁ ଯିବାକୁ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ । ଅବିନାଶଙ୍କୁ ଅକାଳରେ ବଜ୍ରପାତ ହେଲା ପରି ଅନୁଭବ ହେଲା। ଅନେକ ଆଶଙ୍କା ଓ ଉତ୍କଣ୍ଠା ମଧ୍ୟରେ ସେ କିଛି କ୍ଷଣ ନିରବ ହୋଇଯାଇଥିଲେ । ମନରେ ସାହସ ସଞ୍ଚୟ କରି ଅବିନାଶ କହିଲେ , " ସାର୍ ମୁଁ ଆପଣଙ୍କୁ ଆଗରୁ ଆସି ଦେଖାକରି ମୋର ଅସୁବିଧା ସମ୍ପର୍କରେ ଜଣାଇଥିଲି । ଭୁବନେଶ୍ୱର ମୋର ପ୍ରଥମ ପସନ୍ଦ ରହିଛି। ଭୁବନେଶ୍ୱରରେ ମୋର ପୋଷ୍ଟିଙ୍ଗ ହେଲେ ମୋର ବଡ ଝିଅର ବିବାଘର କାର୍ଯ୍ୟଟି ସୁରୁଖୁରୁରେ କରିପାରନ୍ତି। " ଜୋନାଲ ମ୍ୟାନେଜର ସିଧା ସଳଖ ମନା କରିଦେଇଥିଲେ । ଭୁବନେଶ୍ୱରରେ ଭ୍ୟାକାନ୍ସି ରହିଥିବା ସତ୍ତ୍ୱେ ସେ ଅବିନାଶଙ୍କୁ ପୁରୀ ବ୍ରାଞ୍ଚର ମୁଖ୍ୟ ଭାବେ ଯିବାପାଇଁ ରୋକ୍ ଠୋକ୍ କହି ଦେଇଥିଲେ । ତାଙ୍କ ସ୍ୱର ଟିକେ ରୁକ୍ଷ ହୋଇ ଯାଇଥିଲା। ବିରକ୍ତି ଭରା ସ୍ୱରରେ ସେ କହିଥିଲେ , " ଜାଣିଛ ପୁରୀ ବ୍ରାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରାଞ୍ଚ। ସେହି ବ୍ରାଞ୍ଚକୁ ବ୍ୟାଙ୍କର ସମସ୍ତ ଉଚ୍ଚ ସ୍ତରୀୟ ପଦାଧିକାରୀ ବିଭିନ୍ନ ସମୟରେ ପରିଦର୍ଶନ କରିଥାନ୍ତି। ସେଥିପାଇଁ ବ୍ରାଞ୍ଚକୁ ସମ୍ପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ ଓ ନବୀକରଣ କରାଯାଇଛି। ତମେ ଏହି ସବୁ କାର୍ଯ୍ୟକୁ ତୁଲାଇବା ସହ ବ୍ରାଞ୍ଚର ବ୍ୟବସାୟିକ ସମୃଦ୍ଧି କରିବାକୁ ଉପଯୁକ୍ତ ଭାବି ତମକୁ ବ୍ରାଞ୍ଚ ମୁଖ୍ୟ ଭାବେ ପୋଷ୍ଟିଙ୍ଗ୍ ଦେବା ଲାଗି ସ୍ଥିର କରିଛି। ତମକୁ ସେ ବ୍ରାଞ୍ଚକୁ ଯିବାକୁ ପଡିବ ।"

ଅବିନାଶ ଏ ସବୁ କଥା ଶୁଣିବା ସମୟରେ ମନେ ମନେ କ୍ରୋଧିତ ହୋଇ ଯାଇଥିଲେ ଏବଂ ସିଧା ସଳଖ

କହିଥିଲେ ଯେ , " ଆପଣ ବ୍ୟାଙ୍କର ନୀତି ନିୟମକୁ ଉଲଙ୍ଘନ କରି ମୋତେ ସେ ବ୍ରାଞ୍ଚକୁ ପଠାଇବାକୁ ଚାହୁଁଛନ୍ତି । ମୁଁ ଏହାର ବିରୁଦ୍ଧରେ ମୋର ଅପିଲ ପିଟିସନ୍ ହେଡ୍ ଅଫିସ୍ କୁ ପଠାଇବି ଓ ଯେ ପର୍ଯ୍ୟନ୍ତ ଏହାର ନିଷ୍ପତି ନମିଳିଛି ସେ ପର୍ଯ୍ୟନ୍ତ ମୁଁ ପୁରୀ ବ୍ରାଞ୍ଚରେ ଯୋଗ ଦେବି ନାହିଁ । " ଏହିପରି କହି ଅବିନାଶ ଚାଲି ଆସିଥିଲେ ଓ ଛୁଟିରେ ରହିଥିଲେ।

ସବୁତ ସେଇ କାଳିଆର ଖେଳ। ଭକ୍ତକୁ ବାରମ୍ବାର ପରୀକ୍ଷା କରିଥାନ୍ତି । କାହାର ସାମାନ୍ୟତମ ଅହଂକାରକୁ ସେ ସହି ପାରନ୍ତି ନାହିଁ । ସେଥିପାଇଁ ଭାଗବତରେ ଅଛି ପରା — ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି। ସେ ଭକ୍ତ ମନର ଭାବକୁ ମଧ୍ୟ ବୁଝିଥାନ୍ତି । ଭକ୍ତର ଅଭିମାନକୁ ମଧ୍ୟ ହୃଦୟରେ ଅନୁଭବ କରିଥାନ୍ତି । ଭକ୍ତର ଅଭିମାନକୁ ସମ୍ମାନ ଦେଇଥାନ୍ତି ଭକ୍ତର ଜୟ ହେଲେ ସେ ଖୁସି ହୋଇ ଥାନ୍ତି। ଏହି ଅବିନାଶ ଦିନେ କହିଥିଲା ଆଉ କାଳିଆକୁ ଡାକିବ ନାହିଁ କି ତା ଦୁଆରକୁ ଦର୍ଶନ କରିବାକୁ ଆସିବ ନାହିଁ । ଅବିନାଶର ମନରେ କାଳିଆ ପ୍ରତି ଅଭିମାନ ଥିଲା ଆଉ କିଛି କ୍ଷଣ ପାଇଁ ଅହଂକାର ମଧ୍ୟ ତାକୁ ଗ୍ରାସ କରିଥିଲା । ଯାହା ହେଲେ ଭଗବାନ କେବେବି ଭକ୍ତକୁ ନିରାଶ କରନ୍ତି ନାହିଁ । ଅବିନାଶର ସେଦିନର ସେ ଅଭିମାନ ଭରା କଥା— ଆଉ କେବେବି ତୋ ଦୁଆରକୁ ଆସିବିନି ଯେ ପର୍ଯ୍ୟନ୍ତ ତୁ ନିଜେ ନଡାକିଛୁ — ଭଗବାନ କଣ ଭୁଲି ପାରିବେ ? ରକ୍ତ ମାଂସର ମଣିଷ ଅବିନାଶ କାଳିଆର ଏ ସବୁ ନାଟକ କିପରି ବା ଏତେ ସହଜରେ କିପରି ବା ବୁଝି ପାରନ୍ତା ।

ଅପିଲ ପିଟିସନ୍ ର ନିଷ୍ପତି ଡେରି ହୋଇ ଚାଲିଲା । ଅବିନାଶ ଉପାୟ ଶୂନ୍ୟ ହୋଇ ପୁରୀ ବ୍ରାଞ୍ଚରେ ଯାଇ ଯୋଗ ଦେଲେ । ବ୍ରାଞ୍ଚର ପରିବେଶ ଅତ୍ୟନ୍ତ ସୁଖପ୍ରଦ ଓ ଆକର୍ଷଣୀୟ ଥିଲା । ଅବିନାଶ ପରିବାର ନନେଇ ଏକୁଟିଆ ପୁରୀରେ ରହିଲେ ଓ ସପ୍ତାହରେ ଥରେ ଭୁବନେଶ୍ୱର ଆସି ବୁଲି ଯାଉଥିଲେ । କାଳିଆ ପ୍ରତି ମନ ଭିତରେ ଥିବା ଅଭିମାନ ସେପରି ଅତୁଟ ଥାଏ । ସମୟେ ସମୟେ ମନେ ମନେ ଭାବେ , " ହଁ ପୁରୀରେ ମୋର ପୋଷ୍ଟିଙ୍ଗ ହେବାଟା ତୋରି ଚକ୍ରାନ୍ତ ରେ କାଳିଆ । ଆଜି ମୁଁ ଅନୁଭବ କରୁଛି ଏ ସବୁ ତୋରି ଖେଳ । ଏତେ ଭଲ ପରିଚିତ ଥିବା ଜୋନାଲ ମ୍ୟାନେଜର ହଠାତ୍ ମୋ ପ୍ରତି ଏପରି ଅନ୍ୟାୟ କେବେ ବି କରି ନଥାନ୍ତେ । ଠିକ୍ ଅଛି ପୁରୀ ସିନା ଆସିଛି ହେଲେ ତୋ ମନ୍ଦିରକୁ କେବେବି ଯିବି ନାହିଁ ଯେ ପର୍ଯ୍ୟନ୍ତ ତୁ ନ ଡାକିଛୁ।"

ଭକ୍ତର ଅଭିମାନ ସେ ଠିକ୍ ବୁଝନ୍ତି । ଭକ୍ତର ଜୟ ହେଲେ ସେ ଖୁସି ହୁଅନ୍ତି । ହଠାତ୍ ଦିନେ ଜୋନାଲ ମ୍ୟାନେଜରଙ୍କ ପାଖରୁ ଫୋନ୍ କଲ୍ ଆସିଲା । ସେ ପଟରୁ ଜୋନାଲ ମ୍ୟାନେଜର କହୁଥିଲେ— "ବ୍ୟାଙ୍କର ଚେୟାରମ୍ୟାନ୍ ଓ ତାଙ୍କ ସହ ଜେନେରାଲ ମ୍ୟାନେଜର ଓ ସେ ନିଜେ , ଏସ୍. ଏଲ୍. ବି. ସି. ମିଟିଙ୍ଗ ଶେଷ ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବେ । ଦର୍ଶନର ସମସ୍ତ ବ୍ୟବସ୍ଥା କରିବାକୁ ହେବ । ମେ ଫେୟାର ହୋଟେଲ ରେ ରାତ୍ରି ଭୋଜନ କରିବା ପରେ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବେ ।" ଅବିନାଶ ଠିକ୍ ଅଛି କହି ଫୋନ୍ ରଖି ଦେଇଥିଲେ ।

ନିର୍ଦ୍ଧାରିତ ଦିନ ସନ୍ଧ୍ୟାରେ ଚେୟାରମ୍ୟାନଙ୍କ ସହିତ ଅନ୍ୟ ଉଚ୍ଚ ପଦାଧିକାରୀମାନେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ ଆଉ ଅବିନାଶ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ଚେୟାରମ୍ୟାନଙ୍କୁ । ଅନେକ ଫଟୋ ଉଠିଥିଲା । ଚେୟାରମ୍ୟାନଙ୍କ ସହିତ ଅନ୍ୟ ଉଚ୍ଚ ପଦାଧିକାରୀ ମାନଙ୍କୁ ନେଇ ଅବିନାଶ ପ୍ରବେଶ କରିଥିଲେ ଶ୍ରୀମନ୍ଦର ଭିତରକୁ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରତ୍ନ ସିଂହାସନ ପର୍ଯ୍ୟନ୍ତ ଯାଇ ପୂଜାର୍ଚ୍ଚନା କରି ଫେରି ଆସିଥିଲେ । ଅବିନାଶଙ୍କ ଅନୁରୋଧ ରକ୍ଷା କରି ଚେୟାରମ୍ୟାନ ଅଳ୍ପ ସମୟ ପାଇଁ ବ୍ରାଞ୍ଚ ମଧ୍ୟ ପରିଦର୍ଶନ କରିଥିଲେ । ଅବିନାଶର ସାମ୍ନା ଚେୟାରରେ କିଛି ସମୟ ବସି ବ୍ରାଞ୍ଚ ସମନ୍ଧରେ କଥା ହୋଇ ଖୁସି ହୋଇଥିଲେ। ଅବିନାଶର ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧରେ ମଧ୍ୟ ବାର୍ତ୍ତାଳାପ କରିଥିଲେ । ତାପରେ ରାତ୍ରି ଭୋଜନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

ଅଳ୍ପ କିଛିଦିନ ପରେ ନିଜ ଚାମ୍ବରରେ ବସିଥିବା ସମୟରେ ପୋଷ୍ଟମ୍ୟାନ ଗୋଟିଏ ପ୍ୟାକେଟ୍ ଆଣି ଦେଇଥିଲା । ଅବିନାଶ ପ୍ୟାକେଟଟି ଖୋଲି ଦେଖିଲେ ସେଥିରେ ବ୍ୟାଙ୍କର ଇନ୍-ହାଉସ୍ ମାଗାଜିନ୍ ଥିଲା । ମାଗାଜିନ୍ ଭିତରେ ଅବିନାଶ ଦେଖିଲେ ସେଥିରେ ଚେୟାରମ୍ୟାନଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟର ଫଟୋ ଯେଉଁଥିରେ କି ଚେୟାରମ୍ୟାନଙ୍କୁ ସିଂହଦ୍ୱାର ସମ୍ମୁଖରେ ଅବିନାଶ ଫୁଲତୋଡା ଦେଇ ସ୍ୱାଗତ କରୁଥିବା ଫଟୋଟି ବଡ ଆକାରରେ ପୃଷ୍ଠାର ମଧ୍ୟ ଭାଗରେ ସ୍ଥାନିତ ହୋଇଛି । ଅବିନାଶଙ୍କର ଖୁସିର ସୀମା ରହିଲା ନାହିଁ । ସନ୍ଧ୍ୟାରେ ସେ ମନ୍ଦିରକୁ ଗଲେ ଓ ଗରୁଡ ସ୍ତମ୍ଭ ନିକଟରେ ଠିଆ ହୋଇ ନିଜର ସବୁ ଲୁହକୁ ନିଗାଡି ଦେଇଥିଲେ । ଭକ୍ତର ଅନ୍ତର କଥା ଭଗବାନ ଭଲ ଭାବେ ଜାଣନ୍ତି ବୋଲି ସେ ଦିନ ଉପଲବ୍ଧି କରିଥିଲେ । ଯେଉଁ ପୁରୀ ବ୍ରାଞ୍ଚକୁ ସେ ଆସିବାକୁ ଅରାଜି ହେଉଥିଲେ ଏବେ ସେହି ପୁରୀକୁ ଛାଡିବା ଲାଗି ତାଙ୍କର ଆଉ ଇଚ୍ଛା ହେଲା ନାହିଁ । ଅଳ୍ପ କିଛି ଦିନ ଅନ୍ତରରେ ଜୋନାଲ ମ୍ୟାନେଜରଙ୍କର ବଦଳି ହୋଇଗଲା । ମାତ୍ର ଗୋଟିଏ ବର୍ଷ ପରେ ଅବିନାଶଙ୍କର ମଧ୍ୟ ଭୁବନେଶ୍ୱର ଜୋନାଲ ଅଫିସ୍ କୁ ବଦଳି ଆଦେଶ ଆସିଗଲା । ହେଲେ ଅବିନାଶ ଅଧିକ ଦିନ ଭୁବନେଶ୍ୱରରେ ରହିପାରିଲେ ନାହିଁ । ସେ ପଦୋନ୍ନତି ପାଇ କଟକକୁ ସ୍ଥାନାନ୍ତରିତ ହେଲେ। ପରେ ପରେ ତାଙ୍କର ବଡ ଝିଅର ବିଭାଘର ମଧ୍ୟ ସୁରୁଖୁରୁରେ ସମାପନ ହୋଇଗଲା ।

ସତରେ କାଳିଆ ତୋର ଲୀଳା ଅପାର । ଭକ୍ତର ଅଭିମାନକୁ ଉପଯୁକ୍ତ ସମ୍ମାନ ଦେଇଥାଉ । ଭକ୍ତ କହିଥିଲା ବୋଲି ନିଜେ ଡାକି କରି ନେଇ ଗଲୁ ପାଖକୁ । ଅବିନାଶ ସିନା ପରେ ବୁଝିଲା ହେଲେ ତୁ ଠିକ ବୁଝି ସୁଝି ସବୁ କରିଥିଲୁ । ସତରେ ତୁ ଭକତ ଜୀବନ ଧନ। ସେ ତୋତେ ଖୋଜିଲେ ତୁ ତାକୁ ଖୋଜଉ ସେ ଜୀବ ତୁ ଜୀବନ।

***


Rate this content
Log in

Similar oriya story from Tragedy