Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Devi

Others

4  

Minakshi Devi

Others

ପିଶାଚ

ପିଶାଚ

13 mins
14.5K


ପିଶାଚ

 

ମୀନାକ୍ଷୀ ଦେବୀ

 

ଟିନି ସାପୋଇ ଖେଳୁଛି । କୋଉଠୁ ଗୋଟେଇ ଆଣିଛି କୋଇଲା ଖଣ୍ଡେ । ସାଙ୍ଗମାନଙ୍କ ସାଙ୍ଗରେ ମିଶି ସିମେଣ୍ଟ ଚଟାଣରେ କଳାକଳା ଗାର ଟାଣିଛି । ଖପରା ବଦଳରେ ବଡ଼ ଗୋଡ଼ିଖଣ୍ଡେ ଧରି ଖେଳୁଛି । ଗୋଟେ ଗୋଡ଼ରେ ଡେଇଁ ଡେଇଁ ଯାଉଛି । ପୁଣି କେତେବେଳେ ଦି’ଗୋଡ଼ ଲଗେଇ ଠିଆ ହେଇଯାଉଛି ।

ନିରୁପମା ଏକଲୟରେ ନାତୁଣୀକୁ ଚାହିଁରହିଥିଲେ । କୋଲକତା ଆସିଲେ ସେ ସବୁଦିନ ସନ୍ଧ୍ୟାରେ ନାତୁଣୀର ଖେଳଜାଗାକୁ ନିଶ୍ଚୟ ଯିବେ । ଚାରିଆଡ଼େ ବଡ଼ବଡ଼ ଆପାର୍ଟମେଣ୍ଟ । ଝିଅ ରହୁଥିବା ଆପାର୍ଟମେଣ୍ଟ ସହିତ ଆଉ ପାଞ୍ଚଟା ଆପାର୍ଟମେଣ୍ଟକୁ ନେଇ ଗୋଟେ କଲୋନୀ । କଲୋନୀର ଚାରିପଟେ ପାଚେରି । ବେସ୍ମେଣ୍ଟରେ ଗାଡ଼ି ପାର୍କିଂ ପାଇଁ ଜାଗା । ସେଇଠି ଗୋଟିଏ ପଟରେ ପିଲାମାନେ ଖେଳନ୍ତି । ବୟସ ଅନୁସାରେ ପିଲାମାନଙ୍କର ଅଲଗା ଅଲଗା ଦଳ । ଟିନି ସାଙ୍ଗରେ ଆଉ ପାଞ୍ଚଜଣ ଝିଅ ଭାରି ସାଙ୍ଗ । ବେଳେବେଳେ ଏକାଠି ହୋଇ ସାଇକେଲ ଚଲାନ୍ତି । କିଏ ଫାଷ୍ଟ ହେବ ସେ’ନେଇ କମ୍ପିଟେସନ୍ । ଦୁଲଦାଲ୍ ହେଇ କଚଡ଼ା ଖାଆନ୍ତି । ହାତଗୋଡ଼ ଛିଣ୍ଡେ । ଖଣ୍ଡିଆଖାବରା ହେଇଥିଲେ ସାଙ୍ଗମାନେ ଘରକୁ ପଠେଇଦିଅନ୍ତି । ବେଳେବେଳେ ଦୌଡ଼ାଦୌଡ଼ି ଖେଳ ହୁଏ । ପୁଅପିଲାମାନେ ବି ମିଶନ୍ତି । ଟିନି ସବୁବେଳେ ଦୌଡ଼ାରେ ଆଗୁଆ । ସମସ୍ତଙ୍କ ଭିତରେ ସେ ନିଶ୍ଚୟ ଫାଷ୍ଟ ହେବ ।

ନିରୁପମାଙ୍କୁ ଖୁସି ଲାଗେ ପିଲାଙ୍କ ଖେଳ ଦେଖିବାକୁ । ଅତୀତ ଆଖି ଆଗରେ ଉଭା ହୁଏ । ତାଙ୍କ ବାଲ୍ୟକାଳରୁ ଆଜି ସୁଦ୍ଧା ପଚାଶ ବର୍ଷରୁ ଅଧିକ ବିତିଗଲାଣି । କେତେ କ’ଣ ପରିବର୍ତ୍ତନ ହେଲାଣି ସମାଜର, ମଣିଷର; କିନ୍ତୁ ଛୋଟପିଲାଟିର ମନ ସବୁବେଳେ ସମାନ । ଆଜିଠୁ ପଚାଶ ବର୍ଷ ପୂର୍ବର ଆଉ ଆଜିଠୁ ପଚାଶ ବର୍ଷ ପରର ବି । ଭାରତର କେଉଁ ନିପଟ ମଫସଲର ଅପାଠୁଆ ପିଲାଟିର ସରଳ ମନ ପରି ମଧ୍ୟ ସରଳ କୋମଳ ମନଟିଏ ହେଉଛି ବୈଷୟିକ ଉନ୍ନତିର ଶେଷ ସୀମାରେ ପହଞ୍ଚିଥିବା ଆମେରିକୀୟ ଛୋଟ ପିଲାଟିର । ତାଙ୍କ ପିଲାବେଳେ ବି ଏଇସବୁ ଖେଳ ଥିଲା । ସାପୋଇ, ଦଉଡ଼ାଦଉଡ଼ି, ଲୁଚୁକାଳି ସାଙ୍ଗକୁ ବୋହୂଚୋରି, ପୁଚି, ଦଉଡ଼ି ଡିଆଁ । ଗାଁ ଦାଣ୍ଡରେ ଖପରାରେ ଘର କାଟି ସେମାନେ ସାପୋଇ ଖେଳୁଥିଲେ । ଲୁଚୁକାଳି ଖେଳୁଥିଲେ କାହା ଖଳାବାଡ଼ିରେ । ବର୍ଷାଦିନେ ବାହାରେ ଖେଳି ନପାରିଲେ କାହା ବାଡ଼ିଘର କି ବାରିପଟ ବାରଣ୍ଡାରେ କଉଡ଼ି ଖେଳ ହୁଏ ।

ସେତେବେଳେ ଖେଳଣା କହିଲେ ଥିଲା କେତୋଟି ମାଟି କଣ୍ଢେଇ । ହାଟପାଳିରେ କି ଯାତ୍ରା ସମୟରେ କିଣା ହେଉଥିଲା । ଅକ୍ଷିତୃତୀୟାରେ ପୂଜା ହେଉଥିବା ମାଟିଘଡ଼ିସବୁ ପୂଜା ପରେ ପିଲାଙ୍କ ପ୍ରିୟ ଖେଳଣା ପାଲଟିଯାଉଥିଲା । ନିରୁପମା ଛୋଟବେଳେ ସେଇ ମାଟିଘଡ଼ିରେ ଭାତ-ଡାଲି ରାନ୍ଧି ବୋହୂବୋହୂକା ଖେଳ ଖେଳୁଥିଲେ । ପିଲାବେଳେ ମା’ଖୁଡ଼ୀଙ୍କ ଭଙ୍ଗା ଚୁଡ଼ିସବୁ ସଂଗ୍ରହ କରି ପିଲାମାନେ ‘ଦାନ’ ଖେଳୁଥିଲେ । ଚକ୍ ଖଡ଼ିରେ ଘର କଟା ହେଉଥିଲା । ଚାରି ପ୍ରକାର ଅଲଗା ରଙ୍ଗର ଚୁଡ଼ିରୁ ଚାରି ଚାରି ଖଣ୍ଡ ନେଇ ଦାନ ହେଉଥିଲା । ଠିକ୍ ଲୁଡୁ ଖେଳ ପରି ଖେଳ । ଏବେ ନାତୁଣୀ ସାଙ୍ଗରେ ଲୁଡୁ ଖେଳିଲାବେଳେ ନିରୁପମାଙ୍କର ପିଲାଦିନର ସେ ଦାନ ଖେଳ କଥା ମନେପଡ଼େ ।

ଝିଅମାନେ ସେତେବେଳେ ସ୍କୁଲରୁ ଫେରି ଦାଣ୍ଡରେ ଲୁଚୁକାଳି ଖେଳିବାଟା ନିଶ୍ଚିତ ଥିଲା । ମଝିଦାଣ୍ଡରେ କି କାହା ଖଳାବାଡ଼ିରେ ଲୁଚକାଳି ଖେଳ ଜମୁଥିଲା । ନିରୁପମାଙ୍କ ସାଙ୍ଗରେ ମାନସୀ, ନଳିନୀ, ସବିତା, କାଦମ୍ବିନୀ ପ୍ରଭୃତି ଝିଅମାନେ ଖେଳୁଥିଲେ । ସେମାନଙ୍କ ସାନଭଉଣୀମାନେ ବି ଖେଳିବାକୁ ପଛରେ ଗୋଡ଼ାଉଥିଲେ ।

ଜୀବନର ରାସ୍ତା ସରିବାକୁ ବସିଲାଣି । ଏତେଦିନ ପରେ ବି ପିଲାଦିନର ସବୁକଥା ଗୋଟିଗୋଟି ହୋଇ ମନେ ଅଛି । ଲାଗୁଛି ଯେମିତି ଏଇ କାଲି ସବୁ ଘଟିଛି । ମଣିଷର ମନ ସବୁବେଳେ ଏମିତି । ଅତି ସୁଖର ଦିନକୁ କି ଅତି ଦୁଃଖର ଦିନକୁ ସେ କେବେ ବି ଭୁଲିପାରେନି । ନିରୁପମାଙ୍କ ମନ ଫେରିଯାଉଥିଲା ଅତୀତକୁ; କିନ୍ତୁ ଆଖି ଥିଲା ଟିନି ଉପରେ । ସାପୋଇ ଖେଳୁଥିବା ଟିନିର ପ୍ରତ୍ୟେକଟି ମୁଦ୍ରାକୁ ଲକ୍ଷ୍ୟ କରୁଥିଲେ ନିରୁପମା । ଜନ୍ମ ସମୟରେ କେଡ଼େ ଟିକିଟିଏ ହେଇଥିଲା ଟିନି ! ଅଣ୍ଡରୱେଟ୍ ବି ଥିଲା । ସେଇଦିନ ନିରୁପମା ତା ନାଁ ଦେଇଥିଲେ ‘ଟିନି’ । ସେଇଦିନୁ ସମସ୍ତେ ଡାକିଲେ ‘ଟିନି’ । ଟିନିକୁ ଏବେ ଦଶବର୍ଷ ପୂରି ଏଗାର ଚାଲିବ । ବାଳିକାରୁ ସେ କିଶୋରୀ ହେଉଛି । କେତେ ସୁନ୍ଦର ଦିଶୁଛି ତା’ର ଟିକି ମୁହଁଟି ! ନୂଆ ଚମକରେ ତା’ ମୁହଁଟି ଉଜ୍ଜ୍ୱଳିଉଠୁଛି । ନିଜ ଭାବନାରେ ନିଜେ ଚମକିପଡ଼ିଲେ ନିରୁପମା । ହଠାତ୍ ତାଙ୍କ ମନ ଭିତରକୁ ହାବୁକା ହାବୁକା ଭୟ ପଶିଆସିଲା । ସମ୍ବାଦପତ୍ରରେ ପଢ଼ିଥିବା ହୃଦୟବିଦାରକ ସମ୍ବାଦସବୁ ବଡ଼ବଡ଼ ଅକ୍ଷରରେ ଯେମିତି ଆଖି ଆଗରେ ଭାସିଉଠିଲା । ନିରୁପମା ବିକଳ ହେଇ ନାତୁଣୀକୁ ଚାହିଁରହିଲେ ।

ଏମିତି ଦିନ ନାହିଁ, ଯେଉଁଦିନ ସମ୍ବାଦପତ୍ରରେ ଝିଅମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଖବର ନବାହାରୁଛି । ଏଇ ନିକଟରେ ତ ମାତ୍ର ଛ’ବର୍ଷର ଶିଶୁକନ୍ୟା ଉପରେ ଯେଉଁ ଅତ୍ୟାଚାର ହେଇଛି, ତାହା ପ୍ରତ୍ୟେକ ମଣିଷର ହୃଦୟ ଥରେଇଦେଇଛି । କେତେ କେତେ ଘଟଣା ଲୋକଲୋଚନର ଅନ୍ତରାଳରେ ରହିଯାଉଛି । ଲୋକଲଜ୍ଜା ଭୟରେ ଝିଅଟିଏ, ନାରୀଟିଏ, ତା’ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ କହିପାରୁନି ।

ଏସବୁ ଘଟଣା ଶୁଣିଲେ କି ପଢ଼ିଲେ ନିରୁପମା ଦିନସାରା ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ସେଇ ଅତ୍ୟାଚାରୀ ପିଶାଚମାନଙ୍କୁ ଅଭିଶାପ ଦିଅନ୍ତି । ପୁରୁଷଜାତି ପ୍ରତି ବିଦ୍ୱେଷରେ ମନ ଭରିଯାଏ । ସେଇ ଟିକି ଝିଅଟି ମୁହଁରେ ନିଜ ଝିଅ, ନିଜ ଭଉଣୀଙ୍କ ମୁହଁ ଦେଖାଯାଏନି କେମିତି ? ନିରୁପମାଙ୍କ ମନରେ ଭାବନା ଆସେ... ବିଭିନ୍ନ ପ୍ରକାର ଭାବନା । ଆଗକାଳରେ ବଣଜଙ୍ଗଲରେ କାଳେ ବଡ଼ ବଡ଼ ରାକ୍ଷସ ରହୁଥିଲେ । ସେମାନଙ୍କର ବଡ଼ ବଡ଼ ଲୋମ ଥିଲା... ବଡ଼ ବଡ଼ ଦାନ୍ତ ଥିଲା । ଅଳ୍ପ କେତେଦିନ ତଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ‘ନିର୍ଭୟା’ ଘଟଣା ନିରୁପମାଙ୍କର ମନେପଡ଼ୁଥିଲା । କଣ୍ଡକ୍ଟର, ଡ୍ରାଇଭରଠାରୁ ଆରମ୍ଭ କରି ମାତ୍ର ଷୋହଳ ବର୍ଷ ବୟସର ତରୁଣ ବି ଦୁଷ୍କର୍ମରେ ସାମିଲ ହୋଇଥିଲା । ନାବାଳକ ବୋଲି ଯାହାର ଦଣ୍ଡ କୋହଳ କରାଯାଇଥିଲା, ସେ କିନ୍ତୁ ଥିଲା ସବୁଠାରୁ ଭୟଙ୍କର । ଏତେ ଛୋଟ ବୟସରୁ ଏତେ କୁତ୍ସିତ ଚିନ୍ତାଧାରା !

ନିରୁପମାଙ୍କ ଦେହ ଶୀତେଇଉଠିଲା । ମନେପଡ଼ିଲା ତାଙ୍କ ପିଲାବେଳର ସେ ଦୁଃଖଦ ଘଟଣା । କେଡ଼େ ଛୋଟ ଥିଲେ ସେ ! ଦଶ କି ଏଗାର ବର୍ଷ ବୟସ । ପତଳା ନହନହକା ଦେହରେ ଖାଲି ହାଡ଼ ଦି’ଖଣ୍ଡ । ପଞ୍ଚମ ଶ୍ରେଣୀରେ ପଢ଼ୁଥାନ୍ତି । ଗାଁ ସ୍କୁଲର ସୁନ୍ଦର ସରଳ ପରିବେଶ । ରାତିରେ ଶୋଇଲାବେଳେ ନିରୁପମା ସବୁଦିନେ ଭାବନ୍ତି କେମିତି ସକାଳ ହେବ, ସେ ସାଙ୍ଗମାନଙ୍କ ସାଙ୍ଗରେ ସ୍କୁଲ ଯିବେ । ନ’ଟା ବାଜିଲାମାତ୍ରେ ଗାଁ ପୋଖରୀରେ ବୁଡ଼ଟେ ମାରି ସେଇ ଓଦା ଫ୍ରକ୍-ରେ ଘରକୁ ଦୌଡ଼ୁଥିଲେ । ଡହଡହ ଗରମ ଭାତ ସାଙ୍ଗକୁ ନଡ଼ିଆପକା ଡାଲମା କି ମାଛ ହଳଦୀପାଣି । ତରତରରେ ଦି’ଗୁଣ୍ଡା ଖାଇଦେଇ ଦୌଡ଼ନ୍ତି । ପଛରୁ ବୋଉର ପାଟି ଶୁଭୁଥାଏ “ନିରୁ, ସବୁ ଖାଇକରି ଯା... ବେଳ ହେଇନି ।”

ନିରୁପମା କିଛି ନଶୁଣି ଦୌଡ଼ନ୍ତି । ସାଙ୍ଗମାନେ ଦାଣ୍ଡଦୁଆରେ ବେଗ୍ ଧରି ଅପେକ୍ଷା କରିଥାନ୍ତି । ନିରୁପମା ବି ସକାଳୁ ସକାଳୁ ବେଗ୍ ସଜାଡ଼ିଦେଇଥାନ୍ତି । ବେଗ୍ କାନ୍ଧରେ ପକେଇ ନିରୁପମା ଦୌଡ଼ନ୍ତି ସାଙ୍ଗମାନଙ୍କ ସାଙ୍ଗରେ ।

ନିର୍ମେଘ ଆକାଶ ପରି ସେତେବେଳେ ମନ ଥିଲା ସରଳ, ଭୟଶୂନ୍ୟ । କୌଣସି ଦୁର୍ଭାବନା ମନକୁ କେବେ ଛୁଇଁ ନଥିଲା । ବାପା, ମା’, ଭାଇ-ଭଉଣୀ, ସାଙ୍ଗସାଥୀମାନେ ଥିଲେ ତାଙ୍କର ଦୁନିଆ । ବନ୍ଧନହୀନ ପକ୍ଷୀଟିଏ ପରି ସେ ଥିଲେ ଉନ୍ମୁକ୍ତ । ଭୟର ସ୍ଥାନ ନଥିଲା ତାଙ୍କ ଜୀବନରେ; କିନ୍ତୁ ସେଦିନ ଖେଳଛୁଟି ପରେ ଭୟ ତାଙ୍କ ମନକୁ ପୂରାପୂରି ଜାବୋଡ଼ି ଧରିଲା । ପୂରା ସ୍କୁଲବେଳଟା ଭୟରେ ଭୟରେ କଟିଗଲା ।

ଏପର୍ଯ୍ୟନ୍ତ ସେଦିନର ପ୍ରତ୍ୟେକଟି କଥା ମନେ ଅଛି ନିରୁପମାଙ୍କର । ସେଦିନ ଥିଲା ବୁଧବାର । ସକାଳୁ ଅସରା ଅସରା ବର୍ଷା ଚାଲିଥିଲା । ଅଳ୍ପ ପିଲା ଆସିଥିଲେ ସ୍କୁଲକୁ, ସମସ୍ତେ ପ୍ରାୟ ଓଦା ହୋଇ । ନିରୁପମାଙ୍କୁ ମିଶେଇ ପଞ୍ଚମ ଶ୍ରେଣୀରେ ମାତ୍ର ପନ୍ଦରଜଣ ପିଲା । ହେଡମାଷ୍ଟର ନରେନ୍ଦ୍ର ଗୁରୁଜୀ ବର୍ଷା ପାଇଁ ଛୁଟି ଦେଇଥାନ୍ତି ଅନ୍ୟ ସବୁ ଶ୍ରେଣୀ ପିଲାଙ୍କୁ; କିନ୍ତୁ ପିଅନ ହାତରେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ତାଗିଦ୍ କରିଦେଇଥାନ୍ତି, ବୋର୍ଡ ପରୀକ୍ଷା ଅଳ୍ପଦିନ ରହିଲା, ପଞ୍ଚମ ଶ୍ରେଣୀର ଛୁଟି ନାହିଁ । ସବୁଦିନ ପରି ଚାରିଟା ଯାଏ ପଢ଼ାହେବ । ହେଡ୍ ସାର୍ ନିଜେ ଗଣିତ ପରୀକ୍ଷା କରିବେ । ତାଙ୍କ ବସାଘରୁ ଶ୍ରେଣୀର ଗଣିତ ଖାତା ଆଣିବାକୁ ସେ ମନିଟର ଭାବରେ ନିରୁପମାଙ୍କୁ ପିଅନ ହାତରେ ନିର୍ଦ୍ଦେଶ ଦେଇଥାନ୍ତି ।

ତାଙ୍କ ଶ୍ରେଣୀର ଛୁଟି ହେବନି ବୋଲି ଶୁଣି ନିରୁପମାଙ୍କ ମନ ଖରାପ ହୋଇଗଲା । ଏ ପାଗରେ ମନ ହେଉଥିଲା ଗରମ ମୁଢ଼ି ସାଙ୍ଗରେ ନଡ଼ିଆ, ଚିନି ଗୋଳେଇ ସାଙ୍ଗମାନଙ୍କ ସାଙ୍ଗରେ ମିଶି ଖାଇବାବୁ । ପଢ଼ିବାକୁ ଟିକିଏ ବି ମନ ନଥିଲା । ତାଙ୍କର କ’ଣ, କୋଉ ପିଲାର ବି ମନ ନଥାଏ । ସମସ୍ତେ ମୁହଁକୁ ମୁହଁ ଯୋଡ଼ି ଗପୁଥାନ୍ତି । ଆରମ୍ଭରୁ ସାହିତ୍ୟ ଶିକ୍ଷକ ଆସି ବ୍ୟାକରଣ ପଢ଼ାଇଲେ । ତା’ପରେ ବିଜ୍ଞାନ ଶିକ୍ଷକ । ତା’ପରେ ଗୋଟେ ପିରିୟଡ୍ ସେମିତି ଖାଲିରେ ଗଲା । ହେଡ୍ ସାର୍ ଅଫିସ୍ ରୁମ୍-ରେ ବୋଧେ ବ୍ୟସ୍ତ ଥାଆନ୍ତି । ବର୍ଷା ବି ପୂରା ଛାଡ଼ି ନଥାଏ । ନିରୁପମା ବାହାରିଲେ ହେଡ୍ ସାର୍-ଙ୍କ କ୍ୱାଟର୍ସରୁ ତାଙ୍କ ଶ୍ରେଣୀ ପିଲାଙ୍କ ଅଙ୍କ ଖାତା ଆଣିବାକୁ । ସ୍କୁଲ ହତା ଭିତରେ ଶିକ୍ଷକମାନଙ୍କ ପାଇଁ ପାଞ୍ଚଟା ଆଜବେଷ୍ଟସ୍ କ୍ୱାଟର୍ସ । ସାହିତ୍ୟ ସାର୍-ଙ୍କ ଛଡ଼ା କେହି ନିଜ ସ୍ତ୍ରୀ, ପିଲାଙ୍କୁ ଆଣି ନଥାନ୍ତି । ନରେନ୍ଦ୍ର ଗୁରୁଜୀଙ୍କ ପରିବାର ବି ଗାଁରେ ଥାଆନ୍ତି । ବେଳେବେଳେ ଗୁରୁଜୀଙ୍କ କହିବା ମୁତାବକ ନିରୁପମା ଓ ତା’ର ସାଙ୍ଗମାନେ ଗୁରୁଜୀଙ୍କ ଘର ଓଳେଇଦିଅନ୍ତି । ନଳକୂଅରୁ ପାଣି ମାରି ରଖିଦିଅନ୍ତି । ପରିବା କାଟିଦିଅନ୍ତି । ଦିନବେଳେ ଗୁରୁଜୀମାନଙ୍କ କ୍ୱାଟର୍ସରେ ତାଲା ପଡ଼େନି, ବାହାରୁ କିଳିଣି ଦିଆଯାଏ ।

ଝିପିଝିପି ବର୍ଷାରେ ଓଦା ହୋଇ ନିରୁପମା ଦୌଡ଼ିଲେ ନରେନ୍ଦ୍ର ଗୁରୁଜୀଙ୍କ ଘରକୁ । ଗୁରୁଜୀଙ୍କ ଘରେ କୋଉଠି କ’ଣ ଅଛି ଖାଲି ନିରୁପମାଙ୍କୁ ନୁହେଁ, ସବୁ ଝିଅଙ୍କୁ ଜଣା । ନିରୁପମା କବାଟ ଖୋଲି ଭିତରକୁ ପଶିଲେ । ମୋଟ୍ ଦି’ବଖରା ଘର । ଭିତରକୁ ଶୋଇବାଘର । ଗୁରୁଜୀ ସବୁବେଳେ ଶୋଇବାଘର ଥାକରେ ସ୍କୁଲର ଖାତାପତ୍ର ରଖନ୍ତି । ଶୋଇବାଘର ଦୁଆର ଖୋଲା । ନିରୁପମା ଥମେଇ ଥମେଇ ଗଲେ । ଦାଣ୍ଡଦୁଆର ବନ୍ଦ ହୋଇନି, ଶୋଇବାଘର କବାଟ ବି ଖୋଲା । ଗୁରୁଜୀ ତ ଅଫିସ୍ ରୁମ୍-ରେ ଅଛନ୍ତି । ଶୋଇବାଘରେ ତା’ହେଲେ କିଏ ?

କିନ୍ତୁ ଭିତରୁ ଗୁରୁଜୀଙ୍କ ପାଟି ଶୁଭିଲା, “ନିରୁ, ଖାତା ନେଇଯା... ଏଇଠି ଅଛି ।” ନିରୁପମା  ନିର୍ଦ୍ୱନ୍ଦ୍ୱରେ ଭିତରକୁ ପଶିଗଲେ । ଶୋଇବାଘର ଝରକା ବନ୍ଦ । ଭାରୀ ଅନ୍ଧାରୁଆ ଦିଶୁଛି । ଗୁରୁଜୀ ଖାଲି ଲୁଙ୍ଗିଖଣ୍ଡେ ପିନ୍ଧି ଖଟ ଉପରେ ବସିଛନ୍ତି । “ଆ... ଏଇଠି ମୋ ପାଖରେ ବସ୍... ।” ଗୁରୁଜୀଙ୍କ ସ୍ୱର କେମିତି ଗୋଟେ ଶୁଭୁଥିଲା । ଥରୁଥିଲା ବେଶି... । ନିରୁପମାଙ୍କୁ ଅଡ଼ୁଆ ଲାଗିଲା । ଭୟ ବି ଲାଗିଲା । ତାଙ୍କ ପାଦ ଚଳିଲାନି । ସେ ଚୁପଚାପ୍ ଠିଆହୋଇ ରହିଲେ ।

ହଠାତ୍ ନିରୁପମା କିଛି ବୁଝିବା ଆଗରୁ ସିଂହ ହରିଣଛୁଆ ଆଡ଼କୁ ଝପଟିଆସିଲା ପରି ତାଙ୍କ ଆଡ଼କୁ ନରେନ୍ଦ୍ର ଗୁରୁଜୀ ମାଡ଼ିଆସିଲେ । ଦୁଇହାତରେ ଜାବୋଡ଼ି ଧରିଲେ ତାଙ୍କୁ । ନିରୁପମାଙ୍କୁ ଲାଗୁଥିଲା ଯେମିତି ମୁହୂର୍ତ୍ତକ ମଧ୍ୟରେ ତାଙ୍କର ନିଃଶ୍ୱାସ ବନ୍ଦ ହୋଇଯିବ । ନରେନ୍ଦ୍ର ଗୁରୁଜୀଙ୍କ ହାତ ତାଙ୍କ ଦେହର ଆପତ୍ତିଜନକ ସ୍ଥାନମାନଙ୍କରେ ଘୂରିଯାଉଥିଲା । ନିରୁପମାଙ୍କ ମୁଣ୍ଡ ବୁଲାଉଥିଲା । ବାନ୍ତି ଲାଗୁଥିଲା ତାଙ୍କୁ । ସେ ଖାଲି ଚିତ୍କାର କରୁଥିଲେ, “ମତେ ଛାଡ଼ିଦିଅ... ଗୁରୁଜୀ ଛାଡ଼ିଦିଅ”; କିନ୍ତୁ ତାଙ୍କ ଗଳାରୁ ସ୍ୱର ବାହାରୁଥିଲା କି ନାହିଁ ସେ ଜାଣିପାରୁ ନଥିଲେ । ହଠାତ୍ ବାହାରୁ ପିଅନ ପହଲିର ଡାକ ଶୁଭିଲା, “ଗୁରୁଜୀ... ଗୁରୁଜୀ !”

ନରେନ୍ଦ୍ର ଗୁରୁଜୀଙ୍କ ହାତ କୋହଳ ହେଇଗଲା । ସିଂହର ପଞ୍ଝାରୁ ଖସିଗଲା ଭୀତତ୍ରସ୍ତ ହରିଣଛୁଆ । ନିରୁପମା ଦୌଡ଼ି ପଳେଇଲେ ଘର ଭିତରୁ । ତାଙ୍କ ଦେହ ଥରୁଥିଲା । ତାଙ୍କୁ ଭାରି ଲାଜ ଲାଗୁଥିଲା, କିଏ ଜାଣିଲେ କ’ଣ ଭାବିବେ ! ସେ ଏକଥା କାହାକୁ ଜଣାଇବାକୁ ଚାହୁଁ ନଥିଲେ । ତାଙ୍କୁ ଭୟଙ୍କର ଭାବରେ ଘୃଣା ବି ଲାଗୁଥଲା । ପୁରୁଷଜାତି ପ୍ରତି ବିଦ୍ୱେଷରେ ତାଙ୍କ ମନ ଭରିଯାଇଥିଲା ।

ଗୁରୁଜୀଙ୍କ ଘରୁ ବାହାରି ନିରୁପମା ସିଧା ଦୌଡ଼ିଥିଲେ ସ୍କୁଲ୍ ପଡ଼ିଆରେ ଥିବା ନଳକୂଅ ପାଖକୁ । ପାଣି ମାରି ଭଲକରି ମୁହଁ ଆଉ ଗୋଡ଼ହାତ ଧୋଇଲେ । ମୁଣ୍ଡରୁ ନିଆଁ ବାହାରୁଛି । ଆଞ୍ଜୁଳା ଆଞ୍ଜୁଳା ପାଣି ଢାଳିଲେ ମୁଣ୍ଡରେ । ପଡ଼ିଆ ମଝିରେ ଥିବା ପତାକା ଖୁଣ୍ଟକୁ ଆଉଜି ଅନେକ ସମୟ ଯାଏ ବସିଲେ । ଆଖିରୁ ଅନବରତ ଲୁହ ବୋହୁଥାଏ । ଏମିତି କେତେ ସମୟ ଚାଲିଗଲା ସେ ଜାଣି ନାହାନ୍ତି । କ୍ଲାସ୍-ରେ ତାଙ୍କୁ ଖୋଜା ପଡ଼ିବଣି ।

ନିରୁପମା ପୁଣିଥରେ ମୁହଁ ଧୋଇଲେ । ଫ୍ରକ୍-ରେ ମୁହଁ ପୋଛି ଡରି ଡରି ଶ୍ରେଣୀକୁ ଆସିଲେ । ସବୁ ପିଲା ପଳେଇଲେଣି । ଖାଲି ସବିତା ଆଉ କାଦମ୍ବିନୀ ତାଙ୍କୁ ଅପେକ୍ଷା କରି ବସିଥା’ନ୍ତି । ତାଙ୍କୁ ଦେଖୁଦେଖୁ ସବିତା ପାଟିକଲା, “କୁଆଡ଼େ ଯାଇଥିଲୁ ? ସ୍କୁଲ୍ କେତେବେଳୁ ଛୁଟି ହୋଇଗଲାଣି । ହେଡ୍ ସାର୍-ଙ୍କ ଦେହ ଖରାପ । ପହଲି ଆସି ଖବର ଦେଲା । ଆମେ ତତେ ଜଗିଥିଲୁ । ତୁ ତ ଗଣିତ ଖାତା ଆଣିବାକୁ ହେଡ୍ ସାର୍-ଙ୍କ ଘରକୁ ଯାଇଥିଲୁ । ଏତେ ଡେରି କାହିଁକି ହେଲା ?”

ନିରୁପମା କ’ଣ କହିଥା’ନ୍ତେ ସାଙ୍ଗମାନଙ୍କୁ ? କେମିତି କହିଥା’ନ୍ତେ ଗୁରୁ-ଶିଷ୍ୟଙ୍କ ପବିତ୍ର ସଂପର୍କକୁ ଏଇ ନରେନ୍ଦ୍ର ଗୁରୁଜୀଙ୍କ ପରି ପିଶାଚମାନେ ହିଁ କଳୁଷିତ କରୁଛନ୍ତି ? ଲାଜରେ ଛାତ୍ରୀଟି କାହା ଆଗରେ ପ୍ରକାଶ କରିପାରେନି । ଅଥଚ ନିଜ ଝିଅଠାରୁ ବି ସାତସାନ ଝିଅଟି ପ୍ରତି ଏପରି ଘୃଣ୍ୟ ବ୍ୟବହାର କରିବାକୁ ଟିକିଏ ବି ଖରାପ ଲାଗେନି ଏଇ ମୁଖାଧାରୀ ପଶୁମାନଙ୍କୁ । ତାଙ୍କରି ପରି ସାନ ଝିଅମାନଙ୍କୁ କ’ଣ କହି ନିଜ ଦୁଃଖ ବୁଝେଇବେ ନିରୁପମା ! ସ୍କୁଲସାରା ପ୍ରଚାର ହେଇଯିବ ।

ନିରୁପମା ବେଗ୍ ଉଠାଇ ଚୁପଚାପ୍ ଚାଲିଲେ । ଘରେ ବି ଚୁପଚାପ୍ ରହିଲେ ନିରୁପମା । ନରେନ୍ଦ୍ର ଗୁରୁଜୀଙ୍କ ଶ୍ରେଣୀକୁ କେମିତି ଯିବେ ଭାବି ଭାବି ତାଙ୍କୁ ରାତିସାରା ନିଦ ହେଲାନି । ତାଙ୍କୁ ଭାରି ଅସ୍ଥିର ଲାଗୁଥିଲା । ବୋଉ ବ୍ୟସ୍ତ ହେଲା । “କ’ଣ ହେଇଚି ତୋର କହୁନୁ... ଜର କି ଝାଡ଼ା ତ ନାହିଁ, ସ୍କୁଲ୍ ବନ୍ଦ କରୁଛୁ କାହିଁକି ? ପେଟ ଟାଣୁଛି କି ?” ପୋଲିସ୍ ଜେରା କଲାଭଳି ବୋଉ କେତେ କଥା ପଚାରିଲା । ସେ ବୋଧେ କିଛି ସନ୍ଦେହ କରୁଥିଲା ।

ଚାରିଦିନ ପରେ ନିରୁପମା ସ୍କୁଲ୍ ଗଲେ; କିନ୍ତୁ ନରେନ୍ଦ୍ର ଗୁରୁଜୀଙ୍କ ଶ୍ରେଣୀକୁ ଗଲେନି । ବାହାରକୁ ଯିବା ନାଁରେ ସେଇ ବାହାରେ ବାହାରେ ରହିଲେ । ଏପଟ ସେପଟ ହେଲେ କ୍ଲାସ୍ ସରିବା ଯାଏ । ଗୁରୁଜୀ ବି ତାଙ୍କୁ କ୍ଲାସକୁ ଡାକୁ ନଥିଲେ ।

ଏ ଭିତରେ ଝିଅ ବାହାଘର ପାଇଁ ନରେନ୍ଦ୍ର ଗୁରୁଜୀ ଛୁଟି ନେଇ ଗାଁକୁ ଗଲେ । ସେଇ ଛୁଟି ଭିତରେ ତାଙ୍କର ବଦଳି ହୋଇଗଲା । ନିରୁପମା ଆଶ୍ୱସ୍ତ ହେଲେ; କିନ୍ତୁ ତାଙ୍କ ଭିତରେ ସେଦିନର ଭୟଟି ବସାବାନ୍ଧି ରହିଗଲା । ସେ ଏକୁଟିଆ ଯିବାକୁ ଡରିଲେ । କୌଣସି ପୁରୁଷଲୋକ ପାଖକୁ ଏକୁଟିଆ ଗଲେନି । ସେଇଦିନଠାରୁ ସେ ଯେମିତି ବଡ଼ ହୋଇଗଲେ । ପୁରୁଷର ହାବଭାବ ଆଉ କଥାବାର୍ତ୍ତାରୁ ତା’ର ଉଦ୍ଦେଶ୍ୟ ଠଉରେଇନେଲେ । ବିପଦରେ ପଡୁପଡୁ ଉପସ୍ଥିତ ବୁଦ୍ଧି ବଳରେ ଖସିଆସିଲେ ।

ଆଜି ସେଦିନର କଥାସବୁ ମନେପଡୁଛି । ତାଙ୍କର ଦଶ-ଏଗାର ବର୍ଷର ଦେହରେ କ’ଣ ଆକର୍ଷଣ ଥିଲା କେଜାଣି, ନରେନ୍ଦ୍ର ଗୁରୁଜୀଙ୍କ ପରି ଝିଅ ବାହାଘର କରିବାକୁ ଯାଉଥିବା ବୟସ୍କ ଲୋକ ତାଙ୍କ ସହିତ ଏମିତି ଅଶାଳୀନ ବ୍ୟବହାର କଲା ! ଏବେ ତ ଆହୁରି ଜଘନ୍ୟ ଘଟଣାସବୁ ଘଟୁଛି । ଭଲକରି କଥା କହି ଶିଖି ନଥିବା ଟିକି ଝିଅଟି ମଧ୍ୟ ଏଇ ପିଶାଚମାନଙ୍କ କବଳରୁ ମୁକ୍ତି ପାଉନି । ଛୋଟ ଝିଅଟିକୁ ଦେଖିଲେ ନିଜର ଝିଅ କି ଭଉଣୀ ବୋଲି ଏମାନଙ୍କ ମନକୁ ଆସେନି କେମିତି ? ମଣିଷପଣିଆ କୁଆଡ଼େ ଯାଏ ସେମାନଙ୍କର ? ସେଇ ଦଶ-ଏଗାର ବର୍ଷ ବୟସରୁ ନିରୁପମା ନିଜକୁ ଭୟଭୀତ ଅବସ୍ଥାରେ ପାଇଥିଲେ । ଆଜି ଇତିହାସର ପୁନରାବୃତ୍ତି ହେଉଛି । ଖାଲି ଆଜି ନୁହେଁ, କେଉଁ ଆଦିମ କାଳରୁ ନାରୀ ପ୍ରତି ପୁରୁଷର ଅତ୍ୟାଚାରର କାହାଣୀ ଦ୍ରୌପଦୀଙ୍କ ଅସରନ୍ତି ଶାଢ଼ି ପରି ଲମ୍ବିଆସିଛି ।

ଟିନି ଶୋଇଯାଇଛି ନିଶ୍ଚିନ୍ତରେ । ତା’ ମୁଣ୍ଡ ସାଉଁଳିଦେଲେ ନିରୁପମା । ଏଇ ଅଳ୍ପ ବୟସରୁ ଟିନି କେତେ କଥା ଜାଣିଲାଣି, ନିରୁପମା ତା’ ବୟସରେ କିଛି ଜାଣି ନଥିଲେ । ଲଭ୍, କମେଣ୍ଟ, ଇଭ୍ଟିଜିଂ– କେତେ କେତେ ଶବ୍ଦ ସେ କହୁଛି । ଟିଭିରୁ, ସିନେମାରୁ ଜାଣୁଛି । ସମୟ ଆଉ ପରିସ୍ଥିତି ଯୋଗୁଁ ବୟସ ତୁଳନାରେ ଅଧିକ ବଡ଼ ହୋଇଯାଉଛନ୍ତି ଆଜିର ପିଲାମାନେ । ଟିନି ଆଜି ତା’ ନୋଟ୍ ପ୍ୟାଡ୍-ରେ ନିରୁପମାଙ୍କୁ ଗୋଟେ ଦୃଶ୍ୟ ଦେଖେଇଲା । ଜଣେ ଯୁବକକୁ ଜଣେ ଯୁବତୀ ଗୋଟାଏ ପରେ ଗୋଟେ ଗୋଇଠା ମାରିଚାଲିଥିବାର ଦୃଶ୍ୟ । ଟିନି ନିରୁପମାଙ୍କୁ ବୁଝେଇଦେଉଥିଲା, ‘‘ଜାଣିଛନା ଆଈ... ନେଟ୍-ରେ ଏ ସିନ୍ ଆସିଥିଲା, ମୋ ସାଙ୍ଗମାନେ ଡାଉନ୍ଲୋଡ୍ କରିଥିଲେ । ମୋ ପାଖକୁ ପଠାଇଛନ୍ତି । ପୁଅଟା ବହୁତ ବଦମାସ । ଗୋଟେ ଲୋନ୍ଲି ଜାଗା ଦେଖି ଝିଅକୁ କମେଣ୍ଟ ମାରୁଥିଲା । ଝିଅଟା ଜୁଡ଼ୋ କରାଟେ ଜାଣିଛି । ଏମିତି ଗୋଇଠା ମାରିଲା ଯେ, ପୁଅଟା କ୍ଷମା ମାଗିଲା ।’’

ଟିନିର କଥା ଶୁଣି ନିରୁପମାଙ୍କୁ ଖୁସି ଲାଗିଲା । ସତରେ ତ ! ଝିଅମାନଙ୍କ ହାତରେ ତ ବଢ଼ିଆ ଅସ୍ତ୍ର ଅଛି । ଜୁଡ଼ୋ, କରାଟେ ଶିଖିଲେ ସେମାନେ ସହଜରେ ଅତ୍ମରକ୍ଷା କରିପାରିବେ । ନିରୁପମା ଖୁସିରେ ଟିନିକୁ କହିଲେ, “ତୁ ଶିଖୁନୁ... ତୁମ ସ୍କୁଲରେ ଶିଖାହେଉନି ?” “ସ୍କୁଲରେ ଏଇ ମାସରୁ ଷ୍ଟାର୍ଟ ହବ ବୋଲି ମାମ୍ କହୁଥିଲେ । ମମି ବି କହୁଥିଲା, ପାଖରେ ଯୋଉଠି ଥିବ, ମତେ ସେଇଠି ଟ୍ରେନିଂ ଦେବ । ମୋ ସାଙ୍ଗମାନେ ବି କରାଟେ ଶିଖିଲେଣି । ସେମାନେ କହୁଥିଲେ ଭାରି ମଜା ଲାଗୁଛି ଶିଖିବାକୁ ।”

ଟିନି ନିରୁପମାଙ୍କୁ ବିବରଣୀ ଦେଉଥିଲା । ଭାରି ଗପୁଡ଼ି, ଥରେ ଗପ ଆରମ୍ଭ କଲେ ସରେନି ତା’ର । ନିରୁପମା ବି ଭାବୁଥିଲେ ଝିଅକୁ କହିବେ ଟିନିକୁ ଶୀଘ୍ର ଜୁଡ଼ୋ, କରାଟେ ଟ୍ରେନିଂ ଦେବ । ଟିନି ପରି ଝିଅମାନେ ଯଦି ଜୁଡ଼ୋ, କରାଟେ ପରି ଆତ୍ମରକ୍ଷାର କୌଶଳ ଶିଖନ୍ତେ, ତା’ହେଲେ ତ ଏଇ ପିଶାଚମାନଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୁଅନ୍ତା ।

ଅଥଚ ଏ ଦୁନିଆରେ କେତେ ଭଲ ଲୋକ ଅଛନ୍ତି ! ଅନ୍ୟର ପୁଅଝିଅଙ୍କୁ ନିଜର କରିପାରିବାର ଭାବପ୍ରବଣତା ନୁହେଁ, ପ୍ରମାଣ ମଧ୍ୟ ସୃଷ୍ଟି କରିପାରନ୍ତି ସେମାନେ । ବରଫ ପରି ବିଗଳିତ ହୋଇଯାଆନ୍ତି ଛୋଟ ପିଲାଟିର ସ୍ନେହରେ ।

ସେଇ ସଂସାର-ଅଜଣା ପିଲାବେଳର ଆଉ ଗୋଟିଏ ଘଟଣା । ନରେନ୍ଦ୍ର ଗୁରୁଜୀଙ୍କୁ ଭେଟିବା ଆଗରୁ ନିରୁପମା ଭେଟିଥିଲେ ସନାତନ ଗୁରୁଜୀଙ୍କୁ । ତୃତୀୟ ଶ୍ରେଣୀରେ ପଢ଼ୁଥା’ନ୍ତି । ଭଲ ପଢ଼ୁଥିବାରୁ ସ୍କୁଲରେ ତାଙ୍କର ସୁନାମ ଥାଏ । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ସିଲେକ୍ଟ ହେଇଥା’ନ୍ତି । ତୃତୀୟ ଶ୍ରେଣୀର ଶ୍ରେଣୀଶିକ୍ଷକ ଥାଆନ୍ତି ସନାତନ ଗୁରୁଜୀ । ନିରୁପମାଙ୍କ ବୃତ୍ତି ପାଇବା ଯେମିତି ସେ ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ଭାବୁଥା’ନ୍ତି । ନିରୁପମା ସେତେବେଳେ ବୃତ୍ତି ପରୀକ୍ଷାର ଗୁରୁତ୍ୱ କିଛି ବୁଝି ନଥା’ନ୍ତି । ମାତ୍ର ଆଠବର୍ଷ ବୟସ । ଘରକୁ କେହି କୁଣିଆ ଆସିଲେ ନିରୁପମାଙ୍କର ସ୍କୁଲ୍ ଯିବାକୁ ମନ ହୁଏନି । ସନାତନ ଗୁରୁଜୀ କିନ୍ତୁ ସବୁବେଳେ ଜଗିଥା’ନ୍ତି ନିରୁପମାଙ୍କ ପାଠପଢ଼ାକୁ । ଦିନେ ସ୍କୁଲ୍ ବନ୍ଦ କଲେ କେତେ ଗାଳି, ପୁଣି କେତେ ସ୍ନେହଭରା ତାଗିଦ୍ ।

ଟିଉସନ୍ କରି ପଇସା ରୋଜଗାର କରିବାର ଚିନ୍ତାଧାରା ସନାତନ ଗୁରୁଜୀଙ୍କର ନଥିଲା । ସ୍କୁଲ୍ ପଢ଼ା ବାଦ୍ ସନ୍ଧ୍ୟା ସମୟରେ ନିରୁପମାଙ୍କୁ ପଢ଼ାଉଥିଲେ ସନାତନ ଗୁରୁଜୀ । ସେତେବେଳେ ପଞ୍ଚମ ଶ୍ରେଣୀ ପିଲାଙ୍କର ବୋର୍ଡ ପରୀକ୍ଷା ଥାଏ । ସେମାନଙ୍କ ପାଇଁ ସନ୍ଧ୍ୟାବେଳେ କୋଚିଂ କ୍ଲାସ୍ ହେଉଥାଏ । କୋଚିଂ କ୍ଲାସ୍ ପାଇଁ ଗାଁରୁ ଆସୁଥିବା ପଞ୍ଚମ ଶ୍ରେଣୀ ପିଲାଙ୍କ ସାଙ୍ଗରେ ନିରୁପମା ସବୁଦିନ ସନ୍ଧ୍ୟାରେ ସ୍କୁଲକୁ ଆସୁଥିଲେ । ଦିନେ ନଆସିଲେ ସନାତନ ଗୁରୁଜୀଙ୍କ କଡ଼ା ତାଗିଦ୍... ପୁଣି ସ୍ନେହଭରା ଉପଦେଶ । ଗୁରୁଜୀଙ୍କ ସେ ଗାଳି ଭିତରେ କେତେ ଯେ ଆତ୍ମୀୟତା ଲୁଚିରହିଥିଲା, ସେତେବେଳେ ସେସବୁ ବୁଝିବାର ଶକ୍ତି ନିରୁପମାଙ୍କର ନଥିଲା । ଆଜି ସେସବୁ କଥା ଭାବିଲେ ଆଖିରୁ ଲୁହ ଝରିଆସେ । ସନାତନ ଗୁରୁଜୀ ତାଙ୍କ ପରିଶ୍ରମର ମୂଲ୍ୟ କେବେ ବି ଚାହିଁ ନାହାନ୍ତି, ନିରୁପମାଙ୍କ ପରିବାର ବି କେବେ ଦେବା ପାଇଁ ଚିନ୍ତା କରି ନାହାନ୍ତି; ବରଂ ଅନେକ ଥର ନିରୁପମାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି ସନାତନ ଗୁରୁଜୀ ।

ବୃତ୍ତି ପରୀକ୍ଷା ପୂର୍ବରୁ ଥିଲା ବୃତ୍ତି ପରୀକ୍ଷା ପାଇଁ ଟେଷ୍ଟ୍ ପରୀକ୍ଷା । ଗାଁରୁ ପାଞ୍ଚ କିଲୋମିଟର ଦୂରରେ ସେଣ୍ଟର । ସନାତନ ଗୁରୁଜୀ ସାଇକଲରେ ବସେଇ ନିରୁପମାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ । ଦୁଇ ସିଫ୍ଟ୍ ପରୀକ୍ଷା । ପରୀକ୍ଷା ମଝିରେ ଅଧଘଣ୍ଟାଏ ଖାଇବା ଛୁଟି । ଗୁରୁଜୀ ତାଙ୍କୁ ହୋଟେଲରେ ଭାତ ମାଛ ତରକାରି ଖୁଆଇ ପରୀକ୍ଷା ପରେ ଆଣି ଘରେ ଛାଡ଼ିଦେଲେ ।

ଟେଷ୍ଟ୍ ପରୀକ୍ଷାରେ ନିରୁପମା ପୂରା ସେଣ୍ଟରରେ ଫାଷ୍ଟ୍ ହୋଇଥିଲେ, ନନା, ବୋଉ ସମସ୍ତେ ଖୁସି ହେଲେ । ସବୁଠାରୁ ବେଶି ଖୁସି ହେଲେ ସନାତନ ଗୁରୁଜୀ । ଆହୁରି ଆଗ୍ରହରେ ଲାଗିପଡ଼ିଲେ ନିରୁପମାଙ୍କୁ ପଢ଼ାଇବାରେ । ବୃତ୍ତି ପରୀକ୍ଷାର ସେଣ୍ଟର ପଡ଼ିଲା ଦଶ କିଲୋମିଟର ଦୂରରେ । ନିରୁପମାଙ୍କୁ ଯାଇ ରହିବାକୁ ପଡ଼ିଲା ସେଇଠି । ଡାଲି, ଚାଉଳ, ହାଣ୍ଡି, କରେଇ ଆଉ ବିଛଣାପତ୍ର ମୁଣ୍ଡେଇ ତାଙ୍କ ଘରୁ ଗୋଟେ ଲୋକ ଗଲା ସାଙ୍ଗରେ । ଖରାଛୁଟିରେ ସ୍କୁଲ ବନ୍ଦ ଥିବାରୁ ଗୋଟେ ସ୍କୁଲରେ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ କହିଥାନ୍ତି । ପରୀକ୍ଷା ଥିଲା ତିନିଦିନ । ନିରୁପମା ପ୍ରଥମକରି ବୋଉକୁ ଛାଡ଼ି ଯାଇଥା’ନ୍ତି । ମୁଣ୍ଡ କୁଣ୍ଡାଇ ଜାଣି ନଥା’ନ୍ତି । ସନାତନ ଗୁରୁଜୀ ତାଙ୍କ ମୁଣ୍ଡ କୁଣ୍ଡେଇଦିଅନ୍ତି । କୂଅରୁ ପାଣି କାଢ଼ି ତାଙ୍କୁ ଗାଧୋଇଦିଅନ୍ତି । ଅନ୍ୟ ସ୍କୁଲରୁ ଆସିଥିବା ପିଲାମାନେ ହସନ୍ତି, ତାଙ୍କୁ ଥଟ୍ଟା କରନ୍ତି । ଆଜିର ପରିସ୍ଥିତିରେ ସେଦିନର କଥାସବୁ କଳ୍ପନା କରିହେଉନି । ସେତେବେଳେ ସନାତନ ଗୁରୁଜୀଙ୍କ ଗୁରୁତ୍ୱ ବୁଝି ନଥିଲେ ନିରୁପମା । ତିନିଦିନ ବୃତ୍ତି ପରୀକ୍ଷା ଚାଲିଲା । ନିଜ ଝିଅ ପରି ଦାୟିତ୍ୱ ନେଇ, ନିଜ ହାତରେ ଖୁଆଇ, ପାଖରେ ଶୁଆଇ ସନାତନ ଗୁରୁଜୀ ଶେଷରେ ପରୀକ୍ଷା ସରିବା ପରେ ନିରୁପମାଙ୍କୁ ଆଣି ତାଙ୍କ ଘରେ ପହଞ୍ଚେଇଲେ ।

ନିରୁପମା ବୃତ୍ତି ପାଇବା ଦିନ ସବୁଠାରୁ ବେଶି ଖୁସି ହୋଇଥିଲେ ସନାତନ ଗୁରୁଜୀ । ତା’ପରେ ଚତୁର୍ଥ ଶ୍ରେଣୀରେ ଶ୍ରେଣୀଶିକ୍ଷକ ବଦଳିଲେ । ସନାତନ ଗୁରୁଜୀଙ୍କ ସ୍ନେହଶ୍ରଦ୍ଧା ନିରୁପମା ଭୁଲିଗଲେ । ସ୍କୁଲ୍-ଜୀବନ ପରେ ତାଙ୍କୁ କେବେ ବି ମନେପକେଇ ନଥିଲେ । ସନାତନ ଗୁରୁଜୀଙ୍କ କଥା ଭାବିଲେ ଏବେ ଅନୁପମ ପିତୃତ୍ୱରେ ଛଳଛଳ କୋମଳ ମୁହଁଟିଏ ଅସ୍ପଷ୍ଟ ହୋଇ ଦିଶେ ନିରୁପମାଙ୍କ ଆଖି ଆଗରେ । ଗୁରୁଜୀଙ୍କ ଋଣ ସେ ଶୁଝି ନାହାନ୍ତି । ଶୁଝିବାର ଚିନ୍ତା ବି କରି ନାହାନ୍ତି । ଏବେ ସେକଥା ଭାବିଲେ ମନରେ ଅବସୋସ ଆସେ, ଗୁରୁଜୀଙ୍କ ବିଶାଳ ବ୍ୟକ୍ତିତ୍ୱ ଆଗରେ ମୁଣ୍ଡ ନଇଁଯାଏ । ନିରୁପମା ମନେମନେ ଠାକୁରଙ୍କୁ ଡାକନ୍ତି, “ହେ ପ୍ରଭୁ ! ସବୁ ପୁରୁଷ ସନାତନ ଗୁରୁଜୀଙ୍କ ପରି ଭଲମଣିଷ ହୁଅନ୍ତେ କି !”

ସନାତନ ଗୁରୁଜୀଙ୍କ କଥା ଭାବୁଭାବୁ କେତେବେଳେ ଶୋଇଯାଇଥିଲେ ନିରୁପମା । ସେଇ ରାତିରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ନିରୁପମା ବସିଛନ୍ତି ତାଙ୍କ ବାଲ୍କୋନିରେ । ହଠାତ୍ ବସ୍ଟେ ରହିଲା ତାଙ୍କ ଘର ସାମ୍ନାରେ । ଚିକ୍ମିକ୍ ଜହ୍ନ-ଆଲୁଅରେ ସବୁଆଡ଼ ଝିଲ୍ମିଲ୍ କରୁଥିଲା । ସେଇ ଜହ୍ନ-ଆଲୁଅରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ ନିରୁପମା । ହଠାତ୍ ବସ୍-ର ଡୋର୍ ଖୋଲିଗଲା, ଆଉ ଜଣଜଣ କରି ଛଅଜଣ ଲୋକ ତଳକୁ ଖସିପଡ଼ିଲେ । ମନେହେଉଥିଲା କେହି ଯେମିତି ସେମାନଙ୍କୁ ଭିତରୁ ଧକ୍କା ଦେଇ ଠେଲିଦେଉଛି । ତା’ପରେ ବସ୍-ର ଡୋର୍ ପାଖରେ ଦେଖାଦେଲା ଏକ ନାରୀ ମୂର୍ତ୍ତି । ଏ କ’ଣ ନିର୍ଭୟା ! ନିରୁପମା ଏକଲୟରେ ନାରୀଟିକୁ ଚାହିଁଥିଲେ । ନା... ଏ ତ ନିର୍ଭୟା ନୁହେଁ । ନିର୍ଭୟା ତ ସେଦିନ କ୍ଷତବିକ୍ଷତ ହୋଇଥିଲା ସେଇ ଛଅଜଣ ପିଶାଚଙ୍କ ଅତ୍ୟାଚାରରେ । ନିରୁପମା ନାରୀର ମୁହଁଟିକୁ ପୁଣି ଚାହିଁଲେ, ଚିହ୍ନିବାକୁ ଚେଷ୍ଟା କଲେ ।

ନାରୀଟି କ୍ରମଶଃ ଦେଖାଯାଉଥିଲା ମହୀଷମର୍ଦ୍ଦିନୀ ଦୁର୍ଗାଙ୍କ ପରି ଆଉ ବ୍ୟାପିଯାଉଥିଲା ଦିଗରୁ ଦିଗନ୍ତ ପର୍ଯ୍ୟନ୍ତ ।

 

ଚକୋଲେଟ୍ ଲେନ୍, ଝାଞ୍ଜିରୀମଙ୍ଗଳା, କଟକ-୭୫୩୦୦୯

ଫୋନ୍-୯୩୩୭୨୭୨୨୪୭

*****


Rate this content
Log in

More oriya story from Minakshi Devi