ବାପାଙ୍କ ନିକଟକୁ ଚିଠି
ବାପାଙ୍କ ନିକଟକୁ ଚିଠି
ପିତା ସ୍ଵର୍ଗ ପିତା ଧର୍ମ ପିତାହିଁ ପରମ ତପଃ
ପିତରି ପ୍ରୀତିମା ପନ୍ନେ ତୁଷ୍ୟନ୍ତି ସର୍ବ ଦେବତାଃ।
ପୂଜନୀୟ ବାାପା,
ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ମୁଁ ଆଶାକରେ ଆପଣ ସ୍ଵର୍ଗଲୋକରେ ଗୋଲକ ବିହାରୀ ଶ୍ରୀ ବିଷ୍ଣୁଙ୍କ ଅପାର କରୁଣାରୁ ଭଲରେ ଥିବେ। ମୁଁ ମଧ୍ୟ ଏଠାରେ ଭଲରେ ଅଛି।
ବାପା,ଏହି ମିଛ ମାୟା ସଂସାରରେ ଆପଣ ସ୍ଵାର୍ଥ ରହିତ ହୋଇ ଯେଉଁ ଛୋଟ ଚାରାଟି ରୋପଣ କରି ,ତାହାର ଯତ୍ନ ନେଇ ଅନେକ ଝଡ ଝଞ୍ଜା ଓ ବିପଦ ଆପଦରୁ ସୁରକ୍ଷା ଦେବା ପାଇଁ ଆପଣ ନିଜେ ଦୃଢ ପ୍ରାଚୀର ଭାବେ ଜଗି ରହି ତାହାର ଆବଶ୍ୟକୀୟ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ ସେହି ଚାରାଟି ଏବେ ମହାଦ୍ରୁମରେ ପରିଣତ ହୋଇ ନିଜର ଶାଖା ପ୍ରଶାଖା ମେଲେଇ ସାରିଛି । ସେହି ମହାଦ୍ରୁମରେ ଏବେ ସୁନ୍ଦର ସୁନ୍ଦର ଫୁଲ ଫୁଟି ପରିବେଶକୁ ବେଶ ଶୋଭା ବିମଣ୍ଡିତ କରିଛି । ଆପଣଙ୍କ ଆଶୀର୍ବାଦରୁ ସେ ଭଲରେ ଅଛି । ନିଜର ସଂସାରକୁ ନେଇ ଖୁସିରେ ରହିଛି । ହେଲେ ଏହି ଖୁସି ଟିକକ ଅନ୍ତରରେ ନୁହେଁ ବାହ୍ଯ ମାତ୍ର ।କାରଣ ଏବେ ମୁଁ ବୁଝି ପାରୁଛି ଛୋଟ ଚାରାଟି ଲଗାଇ ତାହାର ଯତ୍ନ ନେଇ, ତାକୁ ସୁରକ୍ଷା ଦେଇ ବଢାଇବା ଯେ କେତେ କଷ୍ଟ ତାହା କେବଳ ଅନୁଭବୀ ହିଁ ଜାଣିପାରେ ।ଏବେ ବୁଝି ପାରୁଛି ଆପଣ ମୋ ପାଇଁ କେତେ ଦୁଃଖ ଯନ୍ତ୍ରଣା ସହି ଛାତି ତଳେ ଚାପି ରଖି ମୋତେ ଖୁସି ରଖିବା ପାଇଁ ମିଳଛ ହସ ହସି ନଥିବେ । ହେଲେ ବେଳେବେଳେ ମୁଁ ଆପଣଙ୍କୁ ପାଷାଣ ବୋଲି ମନେ ମନେ ରାଗି ଗାଳି କରୁଥିଲି,ଅଭିମାନ କରୁଥିଲି। ଭାବୁଥିଲି ବାପା ମୋତେ ଭଲ ପାଉ ନାହାଁନ୍ତି । ମୋ ପାଇଁ ଅମୁକ ଶମୁକ ଆଣି ଦେଉ ନାହାନ୍ତି, କଥା କଥାରେ ତାଗିଦ କରୁଛନ୍ତି। ତାହା ଯେ ମୋ ଭଲ ପାଇଁ ଥିଲା ଏବେ ଜାଣିପାରୁଛି ।ଏବେ ଭାବୁଛି ଆପଣ କେମିତି ଆମର ଦେଖାଶୁଣା କରିବା ସହ ସାଇପଡିଶା ଓ ବନ୍ଧୁବାନ୍ଧବ ମାନଙ୍କର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖି ହୋଇ ଚଳି ପାରୁଥିଲ ।କାରଣ ଏବେ ତ ମୁଁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅଣନିଶ୍ଵାସୀ ହୋଇ ଯାଉଛି ।ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ସମୟ ଦେଇ ପାରୁନାହିଁ ।ଆପଣ ସିନା ଆଶାବାଡି ଧରି ଚାଲିବା ପର୍ଯ୍ୟନ୍ତ ବଞ୍ଚି ରହି ପାରିଲେନି ହେଲେ ଆପଣ ଯେ ମୋର ଆଶାବାଡି ଟିଏ ହୋଇ ମୋତେ ଏତେ ବାଟ ଆଣି ପାରିଛନ୍ତି ତାହା ମୁଁ ବୁଝି ପାରୁଛି।
ମୁଁ ଏବେ ହୃଦୟଙ୍ଗମ କରୁଛି ଆପଣ ମୋ ଜନ୍ମ ବେଳେ କେତେ ଖୁସି ହୋଇ ନଥିବେ,ମୋ ଠାରୁ କେତେ ଆଶା ରଖି ନଥିବେ । ମୁଁ ବଡହୋଇ ଆପଣଙ୍କ କାନ୍ଧରେ କାନ୍ଧ ମିଳାଇ ଆପଣଙ୍କୁ ସାହାଯ୍ୟ କରିବି,ମଲା ପରେ ଆପଣଙ୍କ ଶବକୁ କାନ୍ଧ ଦେବି, ଆପଣଙ୍କ ମୁହଁରେ ନିଆଁ ଦେଇ ପୁତ୍ ନାମକ ନର୍କରୁ ଆପଣଙ୍କୁ ଉଦ୍ଧାର କରିବି ଏମିତି କେତେ କ'ଣ! ହେଲେ ମୁଁ ଆପଣଙ୍କର ସେବା କରିବାର କାଣିଚାଏ ସୁଯୋଗ ବି ପାଇନାହିଁ । ନିଜ ଗୋଡରେ ଛିଡ଼ା ହେଲା ବେଳକୁ ଆପଣ ଆରପାରିରେ । ଏବେ ମୁଁ ଅନେକଥର ଚିନ୍ତା କରିଛି ଆପଣଙ୍କ ଋଣ ଶୁଝିବା ପାଇଁ। ହିସାବ ଖାତା ଧରି ଅନେକଥର ହିସାବ କରି ବସିଛି ହେଲେ ଅଛିଣ୍ଡା ଅଙ୍କ ଭଳି ହିସାବଟା ଶେଷ ହୋଇନାହିଁ। ସବୁଥର ମୁଁ ହାରିଯାଇଛି। କାହିଁକି ନା ମୋ ପାଖରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ଯ ତା ନିକଟରେ ଅତ୍ୟନ୍ତ ନଗଣ୍ୟ।
ହେଲେ ବାପା ଆଜିକାଲି କାର୍ଯ୍ୟ ବ୍ଯସ୍ତ ଯୋଗୁଁ ନିଜ ସ୍ତ୍ରୀ ଓ ପିଲା ମାନଙ୍କୁ ସମୟ ଦେବା ସମ୍ଭବ ହେଉନାହିଁ । ପିତା ପୁତ୍ର ଓ ସ୍ଵାମୀ-ସ୍ତ୍ରୀ ସମ୍ପର୍କର ଦୂରତା ଦିନକୁଦିନ ବଢି ଚାଲିଛି । ଭାବୁଛି ଆପଣ ବଞ୍ଚି ଥିଲେ ମୁଁ ଆପଣଙ୍କର ସେବା କରିବାକୁ ସମୟ ପାଇ ଥାଆନ୍ତି କି ନାହିଁ ସନ୍ଦେହ । ହୁଏତ ଏବେ ନୂଆ ନୂଆ ଗଢି ଉଠିଥିବା ଜରାଶ୍ରମ(ଯାହା ଏବେକାର ଏକ ନୂତନ ପିଢିର ସଂସ୍କୃତି ଓ ପରମ୍ପରା ) ରେ ଆପଣଙ୍କୁ ଛାଡି ମୋର କର୍ତ୍ତବ୍ୟ ସମ୍ପାଦନ କରି ଦେଇ ଥାଆନ୍ତି ।ଭଲ ହୋଇଛି ଆପଣ ଆଗରୁ ଆପଣଙ୍କ ରାସ୍ତା ବାଛି ନେଇଛନ୍ତି।
ଆଉ ଅବା କ'ଣ ଲେଖିବି? ଆପଣ ମୋ ହୃଦୟ ଭାଷାକୁ ବୁଝି ପାରୁଥିବେ । ଆପଣ ଏମିତି ସବୁବେଳେ ଉପରେ ଥାଇ ମୋ ଉପରେ କୃପା ଦୃଷ୍ଟି ରଖି ଥାଆନ୍ତୁ । ରହିଲି।। ଇତି ।।।
ଆପଣଙ୍କର ଭାଗ୍ୟବନ୍ତ ପୁତ୍ର
ଅନାମ