ନାରୀ ପରି
ନାରୀ ପରି
ନାରୀ ପରି
{୧}
ଅଜବ ଆକର୍ଷଣ । ମୁଁ ତା' ପଛେପଛେ , ସେ ମୋ' ଆଗେଆଗେ । ମୁଁ ପିଛା କରୁଥିଲି , ନା ସେ ବାଟ କଢାଉଥିଲା ??
ଷ୍ଟେସନ୍ ରୁ ବାହାରି ଆମେ ଆଗପଛ ହୋଇ ସେଇଯାକେ ଗଲୁ , ଯେଉଁଠି ପ୍ରବେଶ - ପ୍ରସ୍ଥାନ ରାସ୍ତାଟି , ମୁଖ୍ୟରାସ୍ତା ସହ ଯୋଗ କରୁଥିଲା । ସେ ଆଉ ଆଗକୁ ଗଲାନି । ମୋ' ଗନ୍ତବ୍ୟସ୍ଥଳ ଅଲଗା ଥିଲା । ତଥାପି ମୁଁ ସେଇଠି ରହିଗଲି । ତା'ରି ଆଖପାଖରେ ! ମୋହାଚ୍ଛନ୍ନ ହୋଇ । କିମିଆ କରିଦେଇଥିଲା ଯେମିତି ।
ନାରୀପ୍ରତି ପୁରୁଷର ସ୍ୱାଭାବିକ୍ ଦୁର୍ବଳତା ନ ରହିଲେ , ପ୍ରକୃତିର ସ୍ଥିରତା ଆସିନପାରେ । କିନ୍ତୁ ଜଣେ ଅଜଣା ପ୍ରତି ଏତେ କୌତୂହଳୀ ହୋଇଯିବାର ମୋର ଆଗ୍ରହ , ଅପ୍ରାକୃତିକ ହୋଇପାରେ । ମୋ' ଆଚରଣରେ ହୁଏତ ଢେର୍ ଅସ୍ୱାଭାବିକତା ରହିଥିଲା । ମୁଁ ଆଦୌ ସାମାଜିକ ହୋଇପାରୁନଥିଲି । ଏକ ଅଦ୍ଭୁତ ଆକର୍ଷଣ ରେ ମୁଁ ନିୟନ୍ତ୍ରଣ ହରାଇ , ସେ ଡିଭାଇଡର୍ ର ଲାଇଟ୍ ପୋଷ୍ଟ୍ ତଳେ ଲଥ୍ କି ବସିଗଲି ।
ସେ ପାଚେରୀ କୁ ଭରାଦେଇ ଛିଡ଼ାହୋଇ ରହିଲା , ରାସ୍ତାର ସେ ଧାରରେ । ଅପେକ୍ଷାରେ କି ମୋର ? ମାତ୍ର ଚାରି ପାହୁଣ୍ଡର ଦୂରତା ! ଇଛା ସବୁ ମୋ' ହାତପା'ନ୍ତାରେ ! ଆବରଣ ତଳର ରହସ୍ୟଭେଦ ପାଇଁ ଅଥୟ ମୁଁ ! ଅଥଚ ବିବେକର କ୍ରମାଗତ ଦଂଶନ ରେ ଅସ୍ତବ୍ୟସ୍ତ !!
କିଏ ଗଢିଛି ଏ ମଣିଷ ପାଇଁ ସମାଜ ? ଇପସିତ଼ କାମନା ସବୁଙ୍କୁ ଆତ୍ମହତ୍ୟା କରିବାକୁ କାହିଁକି ଏଠି କରାଯାଏ ବାଧ୍ୟ ?
{୨}
ନାରୀ ସର୍ବସୁନ୍ଦର । ପୂର୍ଣ୍ଣସୁନ୍ଦରୀ କି ଅର୍ଦ୍ଧସୁନ୍ଦରୀ ବୋଲି କିଛିନଥାଏ । ପୁରୁଷ ପାଖରେ ଦେଖି-ମାପିବାର ଆଖିଟିଏ ଲୋଡା ଯାହା ।
ଇଷତ୍ ଅନ୍ଧାରରେ ସ୍ପଷ୍ଟ ମୁଁ ଦେଖିପାରୁଛି , ତା' ସାରା ଦେହ ଅବୟବ । ଲୋଭିଲା ଆଖିର ଚମକ । ନିଖୁଣ ସେ । ସମ୍ପୂର୍ଣ୍ଣ ସେ । ଉନ୍ମାଦ କରିଦେବାକୁ ଯଥେଷ୍ଟ ସେ !
ମାଳମାଳ ଷ୍ଟେସନ୍ ସୁନ୍ଦରୀଙ୍କଠୁଁ ମୁଁ ଆଖି ଫେରାଇ ହୋଇଯାଇଛି ଏକନିଷ୍ଠ ! କ୍ରମଶଃ ସତ୍ତାହୀନ ହୋଇଯାଉଛି ମୁଁ !!!
{୩}
ଏଇ ହେବା ଓ ହୋଇଯିବା ଭିତରେ ବାଜିମାରିନିଏ ଆଉ କିଏ !
ନୀର ଓ ନାରୀ କାହା ଅପେକ୍ଷାରେ ରୁହେନାହିଁ !
ଯେ ' ପଛେଇ ଯାଏ , ସେ କାପୁରୁଷ !
ମୋ' ଭିତରର ଅଥୟତାକୁ ନେଇ , ମୁଁ ବ୍ୟସ୍ତ ଥିଲାବେଳେ , ଅଚାନକ୍ କେହିଜଣେ ଆସି , ତା'ସହ ହସଖୁସି ଜମାଇଦିଏ । ପୁଣି ତା' ହାତଧରି ଟାଣିନିଏ , ପାଚେରୀ ସେପାଖ ଘନଅନ୍ଧାରକୁ ।
ରହସ୍ୟଭେଦର ମୋ ସବୁଯାକ ଇଚ୍ଛା ଯେମିତି ଆଖିସାମ୍ନାରୁ ଦୂରେଇ ଯାଉଥିଲେ । କାପୁରୁଷ ମୁଁ , ଖାଲି ବସିରହିଥିଲି ସେ ଲାଇଟ୍ ପୋଷ୍ଟର ତଳେ ।
ଏ' ଡହଡହ ଆଲୁଅର ବେଳ , ମେଣ୍ଟାଇ ପାରେନି ଇଛାମାନଙ୍କର ତୃଷ୍ଣାକୁ ! ତା'ପାଇଁ ଲୋଡା ଘନଅନ୍ଧକାର ! କେବଳ ଅନ୍ଧାର ହିଁ ସତ୍-ପୁରୁଷର ସତ୍' କୁ ଅପହରଣ କରିପାରେ ।
ଏକ ଅସମର୍ଥ , ଅସହାୟ ପୁରୁଷାର୍ଥକୁ ନେଇ ଅପେକ୍ଷାରେ ରହିଲି ମୁଁ , ତା'ର ପୁଣି ଅନ୍ଧାରରୁ ଆଲୁଅକୁ ଫେରିଆସିବାଯାଏଁ ।
{୪}
ଦୁହେଁ ଫେରିଲେ । ସେଇ ପାଚେରୀ ପାଖକୁ । ମୁହଁ ସାରା ସନ୍ତୁଷ୍ଟିର ଛାପ । ଲୋକଟା ପାଖରୁ ନିଜ ପ୍ରାପ୍ୟ ନେଇ , ସେ ଏକ ତୀର୍ଯ୍ୟକ୍ ଦୃଷ୍ଟି ଫୋପାଡିଲା ମୋ' ଉପରକୁ ! କେମିତି ଗୋଟେ ଉପହାସ କରି ପୁଣି ଫେରିଗଲା ଷ୍ଟେସନ୍ ଭିତରକୁ ।
ମୁଁ ଛିଡାହେଲି । ଝାଡିଝୁଡି ହେଲି । ଲକ୍ଷେ ଅସମାହିତ ପ୍ରଶ୍ନନେଇ , ସନ୍ତୋଷର ଧୂଆଁ ଛାଡୁଥିବା ସୁପୁରୁଷ ପାଖକୁ ଯାଇ ଅସହାୟ ହୋଇ ପଚାରିଲି -
- ନାରୀ ?
କଟମଟ କରି ଚାହିଁଲା ଲୋକଟା । କହିଲା -
- ନାଃ !
- ଆଉ ?
- ନାରୀପରି "
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର