Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିଚୟ
ପରିଚୟ
★★★★★

© Naresh Kumar Behera

Tragedy

8 Minutes   14.6K    19


Content Ranking

ଆକାଶର ତାରାଗୁଡିକ ଧିରେ ଧିରେ ଲୁପ୍ତ ହୋଇଯାଉଛନ୍ତି । ରାତି ସାରା ସ୍ଥିର ରହିବାପରେ ପବନର ଗତିରେ ଏକ ତିବ୍ରତା ସୃଷ୍ଟି ହୋଇଅଛି । ପୁର୍ବ ଆକାଶର ଛାତି ଚିରି ଏକ ତୀକ୍ଷଣ ସୁନେଲୀ ରଶ୍ମି ବାହାରକୁ ଛିଟିକି ଆସୁଅଛି ଏବଂ ଦୁର ପାହାଡର ଶିଖରେ ପକ୍ଷିଦଳ ଉଡିଯାଉଛନ୍ତି ।

ପ୍ରଭାତର ଆଗମନ ନିତିଦିନ ଏଭଳି ଢଂଗରେ ହେଉଥିଲା, କିନ୍ତୁ ଆଜିର ପ୍ରଭାତ, ଏକ ନୂତନ ଆଶାର ପ୍ରକାଶ ନେଇ ଆସୁଥିଲା । ଗତକାଲିର ସେହି ବିରାଟ ଦୁର୍ଘଟଣାର ଏକମାତ୍ର ସାକ୍ଷୀ, ଯିଏକି ନିଜ ଦ୍ୱିତୀୟ ଜନ୍ମ ପାଇଛନ୍ତି, ତା’ର ବୟାନ୍‍ ନେବାପାଇଁ, ସେହି ଆତଙ୍କବାଦୀମାନଙ୍କୁ ଚିରଦିନ କଠୋର କାରାଦଣ୍ଡ ଦେବାପାଇଁ; ଦେଶର ବହୁ ପତ୍ରପତ୍ରିକା, ଦୁରଦର୍ଶନ ଓ ରେଡିଓ ସଂସ୍ଥାମାନଙ୍କ ସାଂବାଦିକଗଣ ବହୁ ଆଶାରେ ସକାଳୁ ସକାଳୁ ଆସି ଅପେକ୍ଷା କରିଛନ୍ତି ।

ସହରର ସମସ୍ତ ବ୍ୟକ୍ତି ନିଜନିଜ କାର୍ଯ୍ୟରେ ଲିପ୍ତଥା’ନ୍ତି । ଗାଡି, ମଟରର ଶବ୍ଦରେ ବାତାବରଣ ଗର୍ଜିଉଠୁଥାଏ । ହସପିଟାଲରେ ବି ଆଜିର ବାତାବରଣଟା ଗର୍ମାଗରମ୍‍ । ଖାସ୍‍କରି ୨୧ନଂ. ରୁମ୍‍ ପାଖରେ । ଯେଉଁଠି ଥାନ୍ତି ଚିତ୍ରକାର ’ଚିତ୍ରା’ - ବେହୋଶ୍‍ । ସମ୍ମୁଖରେ ତାଂକ ଗତକାଲିର ସେହି ବିରାଟ ଆତଙ୍କବାଦୀଙ୍କ କାଣ୍ଡ ଘଟିଯାଇଥିଲା । ଚିତ୍ରା ସେହି ଆତଙ୍କବାଦୀମାନଙ୍କୁ ଦେଖିଛନ୍ତି; ଆଉ ସେ ହି ହେଉଛନ୍ତି ଏକ ମାତ୍ର ସାକ୍ଷୀ ।

ଚିତ୍ରା ଜଣେ ସୁପ୍ରସିଦ୍ଧ ଚିତ୍ରକର । ସମସ୍ତେ ତାଂକୁ ଜାଣନ୍ତି । ତାଙ୍କରି ଦୃଷ୍ଟି...ତୀକ୍ଷ୍‍ଣ...ଠିକ୍‍ ଶାଗୁଣା, ଚିଲଙ୍କ ପରି; ଯେଉଁମାନେ ସୁ-ଉଚ୍ଚରେ ଉଡି ମଧ୍ୟ ନିଜ ଶିକାରକୁ ଲକ୍ଷ୍ୟ କରିପାରନ୍ତି... ଚିତ୍ରକରଙ୍କ ଚିତ୍ରକଳା ବି ପ୍ରାକୃତିକ, ସୁନ୍ଦର ଓ ସଜୀବ; ଖାସ୍‍କରି ଚିତ୍ରାଙ୍କ ।

--- --- ୦ --- ---

ପୁଣି ସେହି ଗୁଳି-ବନ୍ଧୁକର ଶବ୍ଦ... ଚିତ୍କାର... ଆର୍ତ୍ତ୍ରନାଦ... ଦୁଇ ମିନିଟ୍‍ରେ ସବୁ ସୁନ୍‍ସାନ୍‍... ରକ୍ତ... ରକ୍ତ... କେବଳ ରକ୍ତ... କିଏ ସେ... ମୋତେ ମାରୁନି କାହିଁକି... କାହିଁକି? ମୁଣ୍ଡରେ ଏକ ପ୍ରକାର ବ୍ୟଥା... ହାତ... ହାତରେ କିଛିଟା ଝିମ୍‍ଝିମ୍‍ ଲାଗୁଛି... ଆଖିଟା ଖୋଲୁନି କାହିଁକି... ଆଃ...ହା...କ’ଣ କିଛି ଜଣାପଡୁନାହିଁ... ମୁଁ... ମୁଁ କେଉଁଠି ଽ ହଁ... ବୋଧହୁଏ ଯମପୁରରେ... ମୁଁ... ମୋ ଆତ୍ମା... ମୁକ୍ତି ପାଇଛି... କିନ୍ତୁ ଏ କଷ୍ଟ... ଏ ହାତଟା କାହିଁକି ଏପରି ଲାଗୁଛି... ଆଉ ମୋତେ... କିଛି ଦିଶୁନି କାହିଁକି... କି ଆଶ୍ଚର୍ଯ୍ୟ... କ’ଣ ମୁଁ ବଞ୍ଚିଛି?? ବୋଧେ ମୁ ବଞ୍ଚିଛି... ନା...ନା... ମୁଁ କାହିଁକି ବଞ୍ଚିଛି... ମୋତେ ସେମାନେ ମାରିଲେନି... ମୋତେ ମାରିଦିଅ... ମାରିଦିଅ... ମାର ମୋତେ... ... କଷ୍ଟରେ ଆଖିଟିଏ ଖୋଲିଲେ । ଦେଖିଲେ ମୁଣ୍ଡ ଉପରେ ପଂଖାଟିଏ ବୁଲୁଥାଏ । ସ୍ଥାନଟି ସମ୍ପୁର୍ଣ ଅଜଣା ।

"ଡକ୍ଟର୍‍, ପେସେଣ୍ଟ୍‌ର ହୋଶ୍‍ ଆସିଗଲା ।"

କଟି ବୁଲାଇ ଦେଖିଲେ, ପାଖରେ ନର୍ସଟି ଛିଡା ହୋଇଥାଏ, ଦୁଇଟି ଚୌକିରେ ପୋଲିସ୍‍ ଦୁଇଜଣ ବସିଥାନ୍ତି; ନିଜ ହାତରେ ପାଇପ୍‍ ଦୁଇଟି ଲାଗିଛି... ସାଲାଇନ୍‍ ଲାଗିଥାଏ । ନର୍ସ୍‍ର ଡାକଶୁଣି ସାଙ୍ଗେ ସାଙ୍ଗେ ଡାକ୍ତର ଓ ପୋଲିସ୍‍ ଦୁଇଜଣ ଚିତ୍ରାଙ୍କ ପାଖକୁ ଆଗେଇଗଲେ । ସେମାନେ ତିତ୍ରାଙ୍କ ବୟାନ୍‍ ନେବେ । କିଏ ସେମାନେ... ଯେଉଁମାନେ ଏହି କାଣ୍ଡଟି କଲେ; ତାଙ୍କର ଫୋଟୋଗ୍ରାଫ୍‍ ତ ନାହିଁ... ଚିତ୍ରାଙ୍କ ହାତର ଚିତ୍ରଟିଏ ଦରକାର... ।

ପୁଣି ହୋଶ୍‍ ଚାଲିଗଲା ଚିତ୍ରାଙ୍କର । ଡାକ୍ତର ପୁଣି ଡାକିଲେ... କିନ୍ତୁ ସେ ଚାହୁଁନାହାଁନ୍ତି... ଭାବୁଥାନ୍ତି କିଏ ସେମାନେ... ଓ କାହିଁକି ସେମାନେ ଏପରି କଲେ?

--- --- ୧ --- ---

ଚିତ୍ରକର ଚିତ୍ରାଙ୍କର ଚେତା ଫେରିଆସିଲା, ପୋଲିସ୍‍ ପଚାରିଲେ, ସାମ୍ବାଦିକ ପଚାରିଲେ,... କିନ୍ତୁ ସମସ୍ତଙ୍କ ପାଇଁ ସେହି ଏକା ଉତ୍ତର, ସେ ସେମାନଙ୍କୁ ଦେଖିନାହାନ୍ତି, ସେମାନଙ୍କର କୌଣସି ପରିଚୟ ନାହିଁ । ବାସ୍‍, ଶେଷ ହୋଈଗଲା ସବୁ କାହାଣୀ, ପୁଣି ଆରମ୍ଭ ହେବ ସେହି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ, ଲୁଟ୍‍ତରାଜ୍‍, ଡକାୟତ ଇତ୍ୟାଦି... । କ’ଣ ପାଇଁ? କାହା ପାଇଁ ଏସବୁ କରନ୍ତି ସେମାନେ, ଏହା କେବଳ ଭଗବାନ ଜାଣନ୍ତି । ସେମାନେ କି ମଣିଷ? ପଶୁ! ପଶୁଠାରୁ ବଳି ହୀନ । ମଣିଷର ମାଂସ ଖାଉଛନ୍ତି ଶିକାର କରି । ମଣିଷ-ମଣିଷ, ପଶୁ-ପଶୁ, କିଛି ପାର୍ଥକ୍ୟ ନାହିଁ, ଏ ଦୁହିଁଙ୍କ ମଧ୍ୟେ ।

ପଚାଶଜଣ ଯାତ୍ରୀଙ୍କ ପଚାଶ ପଚାଶ ଚିତ୍କାର, କ୍ରନ୍ଦନ, ରକ୍ତ ବନ୍ୟାରେ ଭାସୁଥିବା ପଚାଶ ପରିବାରଙ୍କ ସାହାରା-ବେସାହାରା ମଣିଷଙ୍କ କାହାଣୀ ସଂବାଦପତ୍ର, ରେଡିଓ, ଟିଭିର ଦୁଇ ଧାଡିର କାହାଣୀ ହୋଇ ସରିଗଲା ସେହି ଦିନ, ସେହି କ୍ଷଣି । କିନ୍ତୁ, ଚିତ୍ରା ଅଛନ୍ତି, ତାଙ୍କର ଏକାନ୍ତ ଜୀବନରେ, ବହୁତ ଦୁରରେ ... ଭାବନାରେ - ସ୍ୱପ୍ନରେ - ପ୍ରତିଟି ମୂହୁର୍ତ୍ତରେ ନାଚି ଉଠୁଥାଏ ସେହି ଦୁଇମିନିଟ୍‍ର ଖେଳ, ଛୁଟି ଆସୁଥାଏ ରକ୍ତ ବନ୍ୟାର ସୁଅ । ବାରମ୍ବାର ଚେଷ୍ଟାକରି ସେ ହାରିଯାଉଥାନ୍ତି । କିଏ ସେହି ବ୍ୟକ୍ତି? କାହିଁକି ସେ ତାଙ୍କୁ ନ ମାରି ଛାଡି ଦେଲା? ତା’ର ଚେହେରା... ଲମ୍ବା ମୁହଁ... ଖଣ୍ଡାଧାର ଭଳି ନାକ... ମୁଣ୍ଡରେ ଗାମୁଛାଟିଏ... ଉଜ୍ଜ୍ୱଳ ଚେହେରାରେ ଅଳ୍ପ ଦାଢି... ବେଶ୍‍ ଆକର୍ଷଣ... ବୟସ ପ୍ରାୟ ୨୫-୨୬ ହେବ । ତୁଳିରେ ଆଙ୍କୁ ଆଙ୍କୁ କାନ୍‍ଭାସ୍‌ରେ ସେହି ବ୍ୟକ୍ତିର ମୁହଁଟି ଫୁଟି ବାହାରିଲା । ସୁନ୍ଦର ଚେହେରା, ଆଖିରେ କିଛିଟା ଦୁଃଖ ଓ କ୍ରୋଧର ଜ୍ଜ୍ୱାଳା ଯେପରି... ଦୃଶ୍ୟ ହେଉଥାଏ । ଚିତ୍ରଟି ସମ୍ପୁର୍ଣ୍ଣ ସେହି ବ୍ୟକ୍ତିଟିର ହେଲେ ମଧ୍ୟ ବହୁତ ପାର୍ଥକ୍ୟ ଅଛି ଏହି ଚିତ୍ର ଓ ସେହି ପ୍ରକୃତ ଶରୀରର... ଏକ କାନ୍ଧରେ ଝୁଲୁଥିବା - ହାତରେ ଧରିଥିବା ମସିନ୍‍ଗନ୍‍ର ବ୍ୟକ୍ତି ମଧ୍ୟେ ।

ଚିତ୍ରା ଭାବୁଥାନ୍ତି... ବାରଂବାର... ବାରଂବାର ।

--- --- ୨ --- ---

... ... ସେଦିନ ସେ ନିଜର ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଯାଇଥାନ୍ତି ପିକ୍‍ନିକ୍‌ରେ । ସେହି ବସରେ ୪୦ ଜଣ ଛାତ୍ରଛାତ୍ରୀଙ୍କ ବ୍ୟତୀତ କେତେକ ସହକାରୀ ଶିକ୍ଷକ ମଧ୍ୟ ଥାଆନ୍ତି । ପିଲାମାନେ ବହୁ ଖୁସିରେ, ମଜାରେ ଗୀତଗାଇ... ଗୀତଶୁଣି ଉପଭୋଗ କରୁଥାନ୍ତି । ବସ୍‍ଟି ଚାଲିଥାଏ ଧରଣୀବକ୍ଷରେ ଏକ ନିର୍ଦ୍ଧୀଷ୍ଟ ଆଶା ନେଇ, ଦୃତଗତିରେ, ଏକ ନିର୍ଦ୍ଧୀଷ୍ଟ ସ୍ଥାନକୁ । ଚିତ୍ରାଦେବୀ ବସିଥାନ୍ତି ସବା ମଝିରେ, ଝର୍କା ପାଖ ସିଟ୍‍ଟିରେ । ବାମ ପାର୍ଶ୍ୱରେ ଦୁଇଟି ଝିଅ ବସିଥାନ୍ତି, ଗପୁଥାନ୍ତି । ଚିତ୍ରାଦେବୀ ହେଉଛନ୍ତି ଚିତ୍ର ଶିକ୍ଷୟତ୍ରୀ, ସମସ୍ତେ ତା’ଙ୍କୁ ଜାଣନ୍ତି ଓ ଭଲପାଆନ୍ତି । ତାଙ୍କ ଚିତ୍ରରେ ଫୁଟି ଉଠେ ପ୍ରକୃତି ଓ ମନୁଷ୍ୟର ଭାବନା-ଅନ୍ତର୍ବାକ୍ୟ । ମୂଖ୍ୟତଃ ସେ ଯେ କୌଣସି ବ୍ୟକ୍ତିର ମୁହଁ ଦେଖି ତା’ର ବାଲ୍ୟ, ଯୌବନ ଓ ବୃଦ୍ଧାବସ୍ଥାର ଚିତ୍ର ଆଙ୍କିଦେଇ ପାରନ୍ତି । ଏହା ହେଉଛି, ତାଙ୍କ ଚିତ୍ରର ବିଶେଷତା ।

ସମୟ ଅପରାହ୍ନ ୩ଟା । ଗୋଟିଏ ପରେ ଗୋଟିଏ ପାହାଡ ଚଢି ଚାଲିଯାଉଥିଲା ବସ୍‍ଟି । ହଠାତ୍‍ ଅଟକିଗଲା, ବିନା କାରଣରେ, ବିନା ଦ୍ୱିଧାରେ, ପାହାଡର ମଧ୍ୟ ଭାଗରେ; ସମସ୍ତଙ୍କ ପ୍ରାଣ ଯେପରି ଝୁଲିବାକୁ ଲାରିଲା, ଜୀବନ ଓ ମୃତ୍ୟୁର ତରାଜୁରେ । ଘୋଡାର ଟାପୁ ସ୍ୱର ଓ ବନ୍ଧୁକର ଗର୍ଜନରେ ଚାରିଦିଗ କମ୍ପିବାରେ ଲାଗିଲା । କ୍ଷଣିକ ମୁହୁର୍ତ୍ତରେ ବସ୍‍ଟି ଶାନ୍ତ ହୋଇଗଲା । କିଛି କ୍ଷଣପରେ ... ବସ୍‍ଟି ପୁଣି ଚିତ୍କାରରେ ଥରିବାରେ ଲାଗିଲା । ଓହ୍ଲାଇ ଯାଉଥିବା ଡାକୁ ସର୍ଦ୍ଧାର୍‍ ପୁଣି ଫେରି ଦେଖିଲେ,... ରକ୍ତରେ ଜର୍ଜରିତ ସ୍ତ୍ରୀଟିଏ, ଚିତ୍କାର କରୁଛି, ରକ୍ତ ନଦୀ ମଝିରେ । ମୁହଁଟି ଲାଲ୍‍ ହୋଇଯାଇଛି । କିଛିକ୍ଷଣ ପାଇଁ ସ୍ଥିର, ଚାହିଁ ରହିଲେ ସର୍ଦ୍ଧାର୍‍ । ସେହି ସ୍ତ୍ରୀଟିର ମୁହଁଟିକୁ ଦେଖି, ବସ୍ତ୍ରକୁ ଦେଖି, ରକ୍ତରେ ଧୋଇଯାଉଥିବା ବସ୍ତ୍ରଟିଏ, ଯେପରି ସେ କେବେ ପ୍ରଥମେ ତାଙ୍କୁ ଦେଖିଛନ୍ତି, କିଏ ବା ହୋଇପାରେ, କିଏ ବା ସେ... ପାଖକୁ ଯାଇ କାନ୍ଧରେ ହାତଦେବା କ୍ଷଣି ଚିତ୍କାର କରି ଉଠିଲେ... ମାରିଦିଅ... ମୋତେ ମାରିଦିଅ । ସେହି ସ୍ତ୍ରୀଟିର ସ୍ପର୍ଶରେ ଏବଂ କଥାରେ ସ୍ଥିର ହୋଇ, ଟିକେ ରହି ପୁଣି ପାଗଳଙ୍କ ଭଳି ଚାଲି ଆସିଲେ ସର୍ଦ୍ଧାର୍‍ ।

ଚିତ୍ରା ଦେବୀଙ୍କ ହାତରେ ଗୁଳିଟିଏ ପ୍ରବେଶ କରିସାରିଥିଲା ଏବଂ ସେ ସେଇଠି ବେହୋସ୍‍ ପଡିଗଲେ ।

--- --- ୩ --- ---

ଚିତ୍ରଟିକୁ ଦେଖୁ ଦେଖୁ ହଠାତ୍‍ ସେହି ବ୍ୟକ୍ତିଟିର ବାଲ୍ୟକାଳର ଚିତ୍ର କରିବାକୁ ଈଛା ହେଲା । କ’ଣ ପାଇଁ କେଜାଣି ମନଟା ଆପେ ଆପେ ଟାଣି ହୋଇଗଲା, ସେହି ଚିତ୍ରଟିର ଆଖି, ଓଠ, ମୁହଁ, ବାଳ ଇତ୍ୟାଦିକୁ ନେଇ ଆଙ୍କିଗଲେ ଏକ ଲୟରେ ଚିତ୍ରା । ରଙ୍ଗ ଓ ତୁଳିର ସମ୍ମିଶ୍ରଣରେ ଚିତ୍ରାଙ୍କ ହାତଟି ଆଙ୍କୁଥାଏ... ଏକ ଅସମ୍ପୁର୍ଣ୍ଣ ଚିତ୍ର... ରୁ ଏକ ସମ୍ପୁର୍ଣ୍ଣ । ଚିତ୍ରାଙ୍କ ମୁହଁରେ ହସ ଖେଳିଗଲା... କିଛି କ୍ଷଣପରେ ଭୟ ଓ କ୍ରୋଧରେ ମୁହଁଟି ଲାଲ୍‍ ହୋଇଗଲା । ପୁଣି କାନ୍ଦିବାକୁ ଲାଗିଲେ... କାନ୍ଦି କାନ୍ଦି ଅନ୍ୟ ଏକ ରୁମ୍‍କୁ ଚାଲିଗଲେ । ସେହି ରୁମ୍‌ରେ ଏକ ଡାଏରୀରୁ ଫୋଟୋଟିଏ ବାହାର କରି ନେଇ ଆସିଲେ । ସେ ଫୋଟୋଟି ନିଜ ଭାଇର । ଖୁବ୍‍ ଭଲ ପାଉଥିଲେ ସେ ନିଜ ଭାଇ ସଂଜୀବକୁ... କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଚିତ୍ର ଓ ସଂଜୀବର ଫଟୋରେ କୌଣସି ଫରକ୍‍ ନଥିଲା । ଚିତ୍ରାଙ୍କ ଚିତ୍ରରେ ତ’ କିଛି ଭୁଲ ନାହିଁ । ତା’ମାନେ, ସେହି ଡଊଲଡାଉଲ ଚେହେରା, ଆଉ ଖିଲିଖିଲି ହସ, ସୁନ୍ଦର ସୁନ୍ଦର ଆଖିର ସଂଜୀବ କ’ଣ ଆଜି ଡାକୁଙ୍କ ସର୍ଦ୍ଦାର୍‍ ବନିଯାଇଛି?

--- ବାର ବର୍ଷ ପୂର୍ବର କଥା । ସେଦିନ ରାକ୍ଷି ପୁର୍ଣ୍ଣୀମା । ସମସ୍ତଙ୍କ ଘରେ ଖୁସିର ପର୍ବ । ନାଚଗୀତରେ ମସ୍‍ଗୁଲ୍‍ । କିନ୍ତୁ ଏହି ପର୍ବର ଦିନଟି ଆତଙ୍କର ଦିନ ହୋଇପାରେ, କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

ସମୟ ସକାଳ ୯ଟା । ସବୁ ଭଉଣୀମାନେ ନିଜ ନିଜ ଭାଇମାନଙ୍କୁ ରାକ୍ଷିବାନ୍ଧୁଥା’ନ୍ତି ନିଜ ନିଜର ରକ୍ଷାସକାଶେ । ଚିତ୍ରା ମଧ୍ୟ ବାନ୍ଧିସାରିଥାଏ ନିଜର ସାନଭାଇ ସଂଜୀବକୁ । ଚିତ୍ରାର ବୟସ ସେତେବେଳେ ୧୭ ଏବଂ ସଂଜୀବକୁ ୧୩ ପ୍ରାୟ । ଏହି ଦୁଇଙ୍କ ସହ ଅନ୍ୟ କେତେକଙ୍କର ଭାଇ-ଭଉଣୀ ମଧ୍ୟ ବିଛୁଡିଗଲେ ସେହି ଭୟାଭୟ କାଣ୍ଡରେ । ସହସା ଏକ ବିଜୁଳିର ଝଟକା ପରି ଚାଲି ଆସିଲେ ଡାକୁଦଳ । କିଏ ବିଧବା ହେଲା, ତ’ କିଏ ବାପ ଛେଉଣ୍ଡ, ମା’ ଛେଉଣ୍ଡ; ସେହି ଗ୍ରାମର ପ୍ରତ୍ୟେକ ଘରର ଚାଳରେ ଆତଙ୍କ କାଳର ନିଆଁ ଲାଗିଯାଇ ସର୍ବନାଶ କରିଦେଇଥିଲା । ଚିତ୍ରା ଓ ସଂଜୀବ ଆଗରେହିଁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିଥିଲା । ତା’ ପରେ ଆରମ୍ଭ ହେଇଥିଲା ଖେଳ ଦୁଃଶାସନର । ସେମାନେ ବନ୍ଧୁକ ଛାଡି କେତେ ନାବାଳିକା, ବାଳିକା, ବିବହିତା, ଅବିବାହିତା ଝିଅମାନଙ୍କ ସହ ଖେଳିବାରେ ଲାଗିଲେ । ଚିତ୍ରାର ବି ଈଜ୍ଜତ୍‍ ଗଲା... ସବୁ କିଛି ଗଲା... ସର୍ବ ଶେଷରେ ତା’ର ଭାଇ ମଧ୍ୟ...।

--- --- ୪ --- ---

ସୂର୍ଯ୍ୟ ଅସ୍ତ ହୋଇଯାଇଥିଲେ । ତଥାପି ମେଘର ଅଂଶରୁ କିଛିଟା ରକ୍ତିମ ରେଖା ଛୁଟି ଆସୁଥାଏ । ଶାନ୍ତ, ନିର୍ମଳ ବାତାବରଣରେ ସମସ୍ତେ ବିଦାୟ ଘେନି ନିଜ ନିଜ ବସାକୁ ଫେରିଆସୁଥା’ନ୍ତି । ଦୁର ଦେବଦାରୁ ବୃକ୍ଷର ପତ୍ର ଗୁଡିକର ଓଠରେ ବି ବିଦାୟର ପ୍ରଭାବ ଥିଲା । ଆକାଶର ସ୍ୱଚ୍ଛତା ଏବଂ ମେଘର ଗୋଲାପୀ ପବନରେ, ଯେପରି ଅତର ମିଶାଯାଇଛି । ଏହି ସୁନ୍ଦର ପରିବେଶ ମଧ୍ୟେ କିଏ ଯେପରି ମେଞ୍ଚାଏ କାଳି ଢାଳି ଦେଇଛି, ଠିକ୍‍ ଚିତ୍ରକରଙ୍କ ଭାଷାରେ.. ଚିତ୍ରାଦେବୀ ଚିନ୍ତିତ ଥିଲେ । ବାଲ୍କୋନିର ଠିକ୍‍ ମଝିରେ କୁର୍ସିପରେ ବସି ଭାବୁଥାନ୍ତି; କିଏ ସେହି ବ୍ୟକ୍ତି... କିଏ ସେ... ସେ କ’ଣ ତା’ ନିଜର ଭାଇ? ନା, ସେ ମୋ ଭାଇ ହୋଇପାରେନା! କଦାପି ନୁହେଁ! କିନ୍ତୁ, ସେ ଦିନର ଘଟଣା, ସେ ଦିନ ତ ସିଏ ହଜିଯାଇଥିଲା । ବୋଧେ ତା’ ପରଠୁଁ... ତା’ ପରର ପ୍ରଭାବ ତା’ ଜୀବନରେ... ନା’ ନା’... ଯା’ ବାପା-ମା’ଙ୍କୁ ନିଜ ଆଖି ସାମ୍ନାରେ ହତ୍ୟା ଏବଂ ନିଜ ଭଉଣୀକୁ ବଳାତ୍କାର କରାଯାଇଛି, ସେ ପୁଣି ଆଜି?... କାହିଁକି... କାହିଁକି ବା ସେ ଅନ୍ୟର ବାପାମା’ଙ୍କୁ ମାରୁଛି... କାହିଁକି ସେ ଅନ୍ୟଜଣକୁ ବିଧବା, ଅନାଥ କରୁଛି? କ’ଣ ସେଇ ଅନାଥ ପିଲାମାନେ ବି ସେମାନଙ୍କ ଭଳି ଡାକୁ ଓ ଆତଙ୍କବାଦ ହୋଇ ଏହି ଦେଶର ସଭ୍ୟତା ଓ ମର୍ଯ୍ୟାଦାକୁ ଲୁଣ୍ଠନ କରିବା ପାଇଁ? ନା, ନା’ ଏହା ଅସମ୍ଭବ, ଏହା କଦାପି ହୋଇପାରିବନି! ମୁଁ ଏହି ଅପକର୍ମ କେବେହେଲେ ହେବାକୁ ଦେବିନାହିଁ । ତା’ର ଫୋଟୋଚିତ୍ର ମୁଁ ପୋଲିସ୍‌କୁ ଦେବି; ସେ ଦଣ୍ଡିତ ହେବ... ନିଶ୍ଚୟ ଦଣ୍ଡିତ ହେବ ସେ... ସେ କିଏ ହେଉନା କାହିଁକି... ମୋ ଭାଇ କିନ୍ତୁ ନୁହଁ । ମୋ ଭାଇତ’ ମରିଯାଇଛି ବାରବର୍ଷ ପୂର୍ବେ । ସେଇ ସଂଜୀବ ଆଉ ଏହି ଡାକୁ ଭିତରେ ବହୁତ ପାର୍ଥକ୍ୟ । ନା - ସେ ମୋର ଭାଇ ନୁହଁ ... ସେ ମୋର ଭାଇ ନୁହଁ...।

ହଠାତ୍‍, ଏକ ସ୍ୱରରେ ତାଙ୍କ ଭାବ, ଚିନ୍ତା କୁଆଡେ ଉଭେଇ ଗଲା ।

"ମ୍ୟାଡାମ୍‍, ଆପଣଙ୍କ ଚିଠି", ଘରର ଚାକରଟି ଚିଠିଟିଏ ଆଣିଦେଲା ।

ଚିଠି, ଏହି ସମୟରେ? କାହାର ବା’ ହୋଇପାରେ, ଭାବି, ଚିଠିଟି ଧରି ତଳ ହଲ୍‌କୁ ଚାଲି ଆସିଲେ ।

ନୀଳ ଲଫାଫାଟିଏ । ଲେଖାହୋଇଛି - ଚିତ୍ରାଦେବୀ, ଚିତ୍ରକର । ଆଉ କିଛି ନୁହଁ; ମୋହରଟିଏ ବି ଲାଗିନି । ପଢିବାକୁ ଲାଗିଲେ...

ଚିତ୍ରାଦେବୀଙ୍କୁ ପ୍ରଣାମ !

ମୁଁ ସଂଜୀବ... ସେହି ବାରବର୍ଷର ଅନାଥ ଓ ଆଜିର ଆତଙ୍କବାଦୀ, ଡାକୁ ସର୍ଦ୍ଧାର ।

ତୁମେ ବୋଧେ ମୋ ବିଷୟରେ ଭାବୁଥିଲ; ମୁଁ ଏପରି କାହିଁକି ହେଲି, କିପରି ହେଲି । ମୋତେ ସରକାର ଇନାମ୍‍ ରଖିବେ, ... ଫାଶି ଦେବେ... ଇତ୍ୟାଦି ଇତ୍ୟାଦି ।

ମୁଁ ବି ଜାଣେନା ଦିଦି, ଭଗବାନ କାହିଁକି ଏ ବାରବର୍ଷର ପିଲାଟିକୁ ଅନାଥ କରି ପୁଣି ରକ୍ତରେ ଖେଳିବାକୁ ଆଦେଶ ଦେଲେ । ମୁଁ ଜାଣେନା କାହିଁକି ଏ ନିର୍ବୋଧ ବାଳକଟି ଏପରି ରୂପ ଗ୍ରହଣ କଲା । ସବୁ କିଛି ପାଇଁ ସମୟ ଦାୟୀ । ଯାହାର ଯାହା ଅଛି, ଯାହା ହେଲା, ଏବଂ ଯାହା ହେବ ତାହା ଭାଗ୍ୟ ହାତେ ଲେଖା ।

ସେଦିନ... ତୁମେ ଥିଲ ୧୭ବର୍ଷର; ତୁମକୁ... ତୁମର ରକ୍ତରେ ବୁଡିଯାଇଥିବା ଦେଖି ମୁଁ ମୋର ବାକ୍‍ଶକ୍ତି ହରାଇ ବସିଲି । ମୁଁ ଅଚେତ୍‍ ହୋଇଗଲି । ତା’ ପରେ ଜଣେ ବୃଦ୍ଧ - କରିମ୍‍ ଚାଚା ମୋତେ ନେଇ ଆଶ୍ରୟ ଦେଲେ, କିନ୍ତୁ ଭଗବାନ ତା’ଙ୍କୁ ବି ଅଳ୍ପଦିନରେ ନିଜ ପାଖକୁ ଡାକିନେଲେ । ତା’ପରେ ସେହି ଅନାଥ ବାଳକ... ଏକୁଟିଆ ଭୋକରେ ପିଡିତ... ଦିନେ ଡାକୁ ଦଳରେ ପ୍ରବେଶ କଲା... ତାଙ୍କରି ନମକ୍‍ ଖାଇ ମୁଁ ବି ଆଜି ଡାକୁଙ୍କ ସର୍ଦ୍ଧାର୍‍ ବନିଗଲି । ପୁଣି ବହୁ ବର୍ଷ ପରେ ସେଦିନ ତୁମକୁ ଦ୍ୱିତୀୟଥର ରକ୍ତାକ୍ତ ଶରୀରରେ ଦେଖି ମୋର ଚେତନା ଫେରିଆସିଲା । ଯାହା ହେଇଛି... ହୋଇଯାଇଛି... ସେଥିପାଇଁ ମୋତେ କ୍ଷମାକରିବେ । ମୁଁ ଜାଣେ, ମୁଁ କ୍ଷମାର ପାତ୍ର ନୁହେଁ ।

ଏହି ଆତଙ୍କବାଦୀଙ୍କ ଉଦ୍ଧେଶ୍ୟ ଆଉ କିଛି ନୁହେଁ... କେବଳ ଭୋକ ଶୋଷ ମେଣ୍ଟେଇବା । ଭୋକ ମେଣ୍ଟେଇବାର ବିଭିନ୍ନ ଉପାୟ ଥାଇପାରେ; କିନ୍ତୁ ଯିଏ ବାଲ୍ୟାବସ୍ତାରୁ ଅନାଥ ହୋଇ ଏଭିଳି କାର୍ଯ୍ୟରେ ଲିପ୍ତ ରହିଛି, ତା’ ସମ୍ମୁଖରେ ଆଉ କୌଣସି ଉପାୟ ନାହିଁ । ଖାଇବାକୁ ମିଳିଲେ ଖାଇବ, ଉପଭୋଗ କରିବ । ଆଉ ଯଦି ପ୍ରାୟଶ୍ଚିତ କରିବାକୁ ଚାହେଁ, ତେବେ ଆତ୍ମହତ୍ୟା କରିବ; ଏହା ଆମର ନିୟମ ।

ଯେତେବେଳେ ମଣିଷ ଅନ୍ୟାୟ କରିଛି, ସେତେବେଳେ ବି ସେ ଭାବିଛି, ମଣିଷର ଭଲପାଇଁ ସେ ଏହା କରୁଛି, ଅନ୍ୟ କୌଣସି କାରଣ ପାଇଁ ନୁହେଁ । ସେଥିପାଇଁ ତାକୁ ଦୋଷୀ ସାବ୍ୟସ୍ତ କରିବା, ଶାସ୍ତି ଦେବା, ନା’... ତାହା କଦାପି ହୋଇପାରେନା! ମନୁଷ୍ୟର ଶରୀର ପ୍ରକୃତିର ଏକ ସୁନ୍ଦର ଉପହାର । ସେ ନିଜକୁ ଉତ୍କୃଷ୍ଟ କରିବାପାଇଁ କିଛି ବି କରିପାରେ । ସ୍ୱୟଂ ମଣିଷହିଁ ମଣିଷକୁ ଏହି ଅଧିକାର ଦେଇଛି ଯେ, ଏହାର ରକ୍ଷା ସକାଶେ ସେ ଅନ୍ୟର ପ୍ରାଣ ମଧ୍ୟ ନେଇପାରିବ ।

ଏ ସବୁ ଚିନ୍ତାଧାରା ଛାଡି ମୁଁ ଆଜି ପ୍ରାୟଶ୍ଚିତ କରିଛି । ତୁମେ ପୋଲିସ୍‌କୁ ଖବର ଦେବ, ମୋ ଚିତ୍ରଟି ଦେଖେଇବ, ମୁଁ ଆଜୀବନ କାରାଦଣ୍ଡ ଭୋଗିବି... ନା’ ସେସବୁ ହୋଇପାରିବନି । ଆଉ କୌଣସି କଷ୍ଟ ମୋ ଜୀବନରେ ଆସିବନି; ମୁଁ ଏହି ଦୁଃଖ କଷ୍ଟ, ସୁଖ-ସୁବିଧାର ଦୁନିଆଁର ଜଞାଳରୁ ମୁକ୍ତ ହୋଇଯାଇଛି; ମୋ ଆତ୍ମା ଲୀନ ହୋଇଯାଇଛି, ମୋ ଶରୀର ଏ ଭୁଇଁରେ ମିଶିଯାଇଛି । ଅତି ଶେଷରେ ତୁମକୁ ଦେଉଛି ମୋର ଶେଷ ପରିଚୟ, ଏକ ଅମୂଲ୍ୟ ସମ୍ପଦ, ତୁମେ ବାନ୍ଧିଥିବା ସେଇ ରାକ୍ଷିଟି... ।

ଲାଫାଫା ଭିତରୁ ରାକ୍ଷିଟି ବାହାରକଲେ ଚିତ୍ରା, କିନ୍ତୁ ସହସା ଏକ ତୀବ୍ର ପବନଟି ଆସି ଭସାଇ ନେଇଗଲା ରାକ୍ଷିଟିକୁ... ବହୁଦୁରକୁ... ମିଶିଯାଇଥିବ ’ଚିତ୍ରା-ଭାଇ’ର ଶରୀରରେ... ।।

ଆକାଶ ପ୍ରଭାତ ଚିତ୍ରା-ଭାଇ

Rate the content


Originality
Flow
Language
Cover design

Comments

Post

Some text some message..