Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lopamudra Mishra

Tragedy

3  

Lopamudra Mishra

Tragedy

ଦ୍ଵିତୀୟା ଓଷାର ଫଳ

ଦ୍ଵିତୀୟା ଓଷାର ଫଳ

5 mins
7.5K


ଲୋପାମୁଦ୍ରା ମିଶ୍ର

2.10.2018

ନରଣପୁରର ଲକ୍ଷୀଖୁଡୀ l ପୁଅଟିଏ ଝିଅଟିଏ ପରେ ସ୍ୱାମୀ ଚାଲିଗଲେ ଆରପାରିକୁ l ଲକ୍ଷୀ ମାଟ୍ରିକ ପାସ କରିନଥିବାରୁ ସ୍ୱାମୀ କିରାଣୀ ଥିବା ସରକାରୀ ଦପ୍ତରଟିରେ ପିଅନ ଚାକିରୀ ଖଣ୍ଡେ ପାଇ ଘର ଚଳେଇଲେ l

ଝିଅ ଝିଲି ଭାରି ସାଧା ସିଧା l ମାଛିକୁ ମ' କହେନି l ଛୋଟବେଳୁ ମାଆର କଥା ମାନି ଚଳେ l ମାଆ ଅଫିସରୁ ଫେରିବା ଡେରି କଲେ ସ୍କୁଲରୁ ଫେରି ଭାଈକୁ ଖାଇବା ବାଢିଦିଏ l ଆହୁରି ଵି ଘରର ନାନାଦି କାମରେ ସାହାଯ୍ୟ କରେ l

ଝିଅ ଜନ୍ମ ତ ପରଘରକୁ l ଯିଏ ସବୁଦିନ ପାଖରେ ରହିବ, ବଂଶକୁ ଆଗେଇ ନେବ ତାରି ଚିନ୍ତାରେ ଲକ୍ଷୀନାନୀର ସବୁଯାକ ଦିନ କଟିଯାଏ l

ଟୁକୁନାର ମଙ୍ଗଳ ପାଇଁ ଲକ୍ଷୀ ବିଭିନ୍ନ ଓଷା ବ୍ରତ କରନ୍ତି l ପ୍ରତି ବର୍ଷ ଦୂତିଆ ପୂଜନ୍ତି ପୁଅର ସର୍ଵମଙ୍ଗଳ ମନାସୀ l

ଯାଇ ତାହି ବ୍ରତ ନୁହେଁ ଏ ଦ୍ଵିତୀୟା l ବିନା ଖାଦ୍ୟ ପାନୀୟରେ ପୁରା ଦିନଟିଏ ଉପବାସ ରହିବାକୁ ପଡେ l ପାଟିରେ ଟୋପାଏ ପାଣି ଦେବା ତ ଛାଡ, ବୋହି ଆସୁଥିବା ଛେପକୁ ଵି ଯଦି ଢ଼ୋକି ନେଲ ତେବେ କଥା ସରିଲା l ଓଷା ମାରା l

ମାଆ ଦ୍ଵିତୀୟା ଓଷା କରି ଥକି ଯାଇ ବିଛଣାରେ ଟିକେ ଗଡି ପଡ଼ିଥିଲେ, ଝିଲି ଯାଇ ମାଆକୁ ମାଲିସ କରି ଟିକେ କଷ୍ଟ ଲାଘବ କରେଇବାକୁ ଚେଷ୍ଟା କରେ l ଟୁକୁନା କିନ୍ତୁ ଗାଁ ରୁ ବୁଲି ବୁଲି ଆସି ଦେଖେ ରୋଷେଇ ଘରେ କିଛି ନାହିଁ l ମାଆକୁ ବହେ ଗାଳିଗୁଲଜ କରି ଜଲଦି ଖାଇବା ପ୍ରସ୍ତୁତ କରି ରଖିବାକୁ କହେ l ପୁଣି ଡିଆଁଟେ ମାରି ଉଭାନ ହେଇଯାଏ l

ଲକ୍ଷୀ ପ୍ରତି ବର୍ଷ ଦ୍ଵିତୀୟା ଓଷା ଦିନ ନିଜ ଓଷେଇତାଣି ସାଙ୍ଗମାନଙ୍କୁ କହନ୍ତି, "ମୋର ତୁମ ମାନଙ୍କ ପରି ବର୍ଷେ କି ଦୁଇବର୍ଷର ମାନସିକ ଓଷା ନୁହେଁ l ମୁଁ ଯେତେଦିନ ଯାଏଁ ଜୀଈଁବି ମୋ ଟୁକୁନା ପାଇଁ ଦୂତିଆ ପୂଜୁଥିଵି l ସେଇତ ମୋର ସମ୍ବଳ l "

ଟୁକୁନା ଛୋଟରୁ ବଡ ହେଲା l ଝିଲି ପାଠ ଅଧାରୁ ରଖି ବାହା ହେଇ ଶାଶୁଘରକୁ ଚାଲିଗଲା l

ଲକ୍ଷୀଖୁଡୀ ଘରେ ଏବେ ମାଆ ଆଉ ପୁଅ ଦୁଇଜଣଙ୍କ ବ୍ୟତୀତ ବାପାଙ୍କ ଫଟୋଟି କାନ୍ଥରେ ଝୁଲୁଥାଏ l ଲକ୍ଷୀ ଆହୁରି ଅବସର ନେଇନାହାଁନ୍ତି l ଟୁକୁନା ବହୁ ଚେଷ୍ଟା କରି ମଧ୍ୟ ପ୍ଲୁସଟୁ ଟା ପାସ କରିପାରିଲା ନାହିଁ l ମାଆ ଠୁ ଟଙ୍କା ନେଇ ବାଇକଟେ କିଣିଛି l ଦୁଇ ଦିନରେ ଥରେ ତାର ପଞ୍ଚଶ ହଜାରେ ଟଙ୍କା ଆବଶ୍ୟକ l ପଚାରିଲେ କହେ, "କାମ ଖୋଜୁଛି l ଗାଡିଟା ଆଉ କଣ ପାଣିରେ ଚାଲିବ? "

କୁଆଡେ ଯାଏ କଣ କରେ ସେ ଜାଣିଛି l କଣ ଗୋଟେ ବ୍ୟବସାୟ କରିବା ପାଇଁ ମାଆକୁ ଦୁଇଲକ୍ଷ ମାଗୁଛି l "ଏତେ ଟଙ୍କା କୋଉଠୁ ଆଣିବି ",କହିଲେ ଯାବତୀୟ ଗାଳି ମନ୍ଦ ଶୁଣିବାକୁ ପଡୁଛି ଲକ୍ଷୀଙ୍କୁ l

ଚାରିବର୍ଷ ତଳେ ଦୂତିଆ ଓଷା ଦିନ ସନ୍ଧ୍ୟାରେ ଲକ୍ଷୀ ଓଷା ସାରି ଟୁକୁନା ପାଇଁ ରୋଷେଇ ବସେଇଛନ୍ତି କବାଟ ଖଟ ଖଟ ଶୁଭିଲା l କବାଟ ଖୋଲି ଦେଖିଲେ ଦୁଆର ମୁହଁରେ ଟୁକୁନା ଗୋଟେ ଝିଅର ହାତ ଧରି ଠିଆ ହୋଇଛି l ଝିଅଟି ଘରେ ନଜଣାଇ ଟୁକୁନା ସାଙ୍ଗରେ ଲୁଚି ଲୁଚି ପଳେଇଆସିଛି l ମନ୍ଦିରରେ କୁଆଡେ ମାଳ ବଦଳ ସରିଛି l

ବୋହୂକୁ ହସି ହସି ଆପଣେଇ ନେଲେ l ନିଲୁ ବଡଘର ଝିଅ l ବାପମାଆ ଵି ତାର ସହମତି ଦେଲେ l ଆଉଥରେ ବାହାଘର ଓ ଭୋଜି ଭାତ ହେଲା l ବୋହୂର ବାପା କିଛି ଟଙ୍କା ସାହାଯ୍ୟ କଲେ, ଟୁକୁନା ବ୍ୟବସାୟ କଲା l ଲକ୍ଷୀ ଅବସର ନେଲେ l ରିଟାୟାର୍ଡ଼ମେଣ୍ଟ ସମୟରେ ଯାହା କିଛି ଟଙ୍କା ମିଳିଲା ଟୁକୁନା ତା ବ୍ୟବସାୟରେ ଲଗେଇଦେଲା l ଝିଅ ଝିଲି ଅନେକ ଦିନ ପରେ ମାଆକୁ କିଛି ସାହାଯ୍ୟ ମାଗିବାକୁ ଆସିଥିଲା ତା ସ୍ୱାମୀଙ୍କର ଛୋଟ ଗୋଟେ କଣ ଅପରେସନ ପାଇଁ l ଭାଈ ଆଉ ଭାଉଜଙ୍କ ବିମୁଖତାରେ କଷ୍ଟ ପାଇ ଫେରିଗଲା l

ଲକ୍ଷୀଙ୍କର ଏବେ ଇଚ୍ଛା ଟୁକୁନାର ପୁଅଟିଏ ହେଉ l ସବୁବେଳେ ପୂଜା ବ୍ରତରେ ଦିନ କଟାନ୍ତି l ଘରେ କୌଣସି କାର୍ଯ୍ୟରେ ସାହାଯ୍ୟ କରନ୍ତିନି l ଟୁକୁନା ଦେଖେ ନିଲୁ ସବୁବେଳେ ରୋଷେଇଘରେ କାର୍ଯ୍ୟବ୍ୟସ୍ତ ଆଉ ମାଆ ବସି ବସି ଟିଭି ଦେଖୁଛି l ବଡ ଖପ୍ପା ହୁଏ l ଥରେ ଦୁଇଥର ମାଆକୁ କହିଲାଣି, "ସବୁବେଳେ ବସି ରହିବାକୁ ତତେ ଭଲ ଲାଗୁଛିନା? ଗୋଟେ ଲୋକ ସବୁବେଳେ ଖଟିଵ ଆଉ ତୁ ବସିକି ଖାଇବୁ? ଟିକେ ଗଣ୍ଡି ହଲା l ନହେଲେ ଓଜନ ବେଶୀ ବଢ଼ିଯିବ " l ଲକ୍ଷୀ ଟୁକୁନା କଥା ଶୁଣି କିଛି କହନ୍ତିନି l ଲୁଚି ଲୁଚି କାନ୍ଦନ୍ତି l

ଟୁକୁନାର ପୁଅ ହେଲା l ସେ ବର୍ଷ ବେଶୀ ଉତ୍ସାହରେ ଲକ୍ଷୀ ଦୂତିଆ କଲେ l ଚିନ୍ତା କଲେ ଛୋଟ ପିଲାଙ୍କୁ ଡାକି ଗୋଟେ ବାଳକଲୀଳା କରି ଭୋଜି ଖୁଏଇବେ l ପେନସନ ବହି ଆଉ ATM କାର୍ଡ କେବେଠୁ ଟୁକୁନା ହାତରେ l ଟୁକୁନାକୁ ଟଙ୍କା ମାଗିଲାରୁ ସଫା ମନା କରିଦେଲା l

ଟୁକୁନା ଏବେ ଯାଉଣୁ ଆସୁଣୁ ମାଆକୁ ଗାଳିଗୁଲଜ କରେ l ବୋହୂଟା ଵି ଶାଶୂଙ୍କୁ ଏତେ ସୁଖ ପାଏନି l ଟୁକୁନା ନୂଆ ଘରଟେ ବଜାର ଉପରେ କରୁଛି l

ଗତ ଦୂତିଆ ଓଷା ଦୁଇଦିନ ଆଗରୁ ଟୁକୁନାର ନୂଆଘର ପ୍ରତିଷ୍ଠା ହେଲା l ସଭିଏଁ କହନ୍ତି ବାପ ଛେଉଣ୍ଡ ପିଲାଟା କୂଳରେ ଲାଗିଗଲା l ଲକ୍ଷୀ କୁ କହନ୍ତି, "ତୋ ଦୂତିଆ ଫଳ ତତେ ମିଳିଗଲା" l

ଟୁକୁନା ତା ସ୍ତ୍ରୀ ଓ କୁନି ପୁଅକୁ ନେଇ ନୂଆଘରକୁ ପଳେଇଲା l ପୁରୁଣା ଘରେ ଏକା ଲକ୍ଷୀ l ସେଠି କୁଆଡେ ମାଆ ପାଇଁ ରୁମ ତିଆରି ହେଇନି l ଟୁକୁନା ଆହୁରି କହେ, "ସମସ୍ତେ ସେଠିକି ପଳେଇଲେ ଏ ଘର ଜଗିଵ କିଏ? "

ବୋହୂ ନିଲୁ କହେ, "ମାଆ !ଆପଣଙ୍କ ଅନ୍ତେ ଏ ପୁରୁଣା ଘରଟା ବିକିଦେବୁ l ଆପଣ ଚାଲିଗଲେ ଆଉ କିଏ ଆସିବ ଏଠିକୁ? "

ଲକ୍ଷୀ ଭାବନ୍ତି, "ଅନ୍ତ କୋଉଠି ହେଉଛି? "l ସେ ଏଇ ପୁରୁଣା ଘରେ ଏକା ରୁହନ୍ତି l କୁନି ନାତିଟାକୁ ଖୁବ ଝୁରି ହୁଅନ୍ତି l

ଆଜି ଦୂତିଆ ଓଷା l ଲକ୍ଷୀଙ୍କ ଦେହ ଟିକେ ଅସୁସ୍ଥ ଲାଗୁଛି l ପୁଅକୁ ଫୋନ କଲେ ଆସିବା ପାଇଁ l ସକାଳୁ କିଛି ଖାଈନାହାଁନ୍ତି l ଦେହ ହାତ ଥରୁଛି l ଦେହରେ ବଳ ନାହିଁ l ମୁଣ୍ଡ ବୁଲେଇ ଦେଉଛି l ଟୁକୁନା ଆସିବ କହି ଫୋନ କାଟିଦେଲା l ଆଉ ଆସିଲାନି l ଦିନ ଗଡି ରାତି ହେଲା l ଟୁକୁନାର ଦେଖାନାହିଁ l

ଓଷା ପାଇଁ ପାଣିରେ ବୁଡ଼ ପକେଇ ଲକ୍ଷୀଙ୍କୁ ଭୀଷଣ ଜ୍ୱର l ଦେହରେ ଖଇ ଫୁଟୁଛି l ପାଟି ଅଠା ଅଠା ହେଇଯାଉଛି l ବହୁକଷ୍ଟରେ ପୁଣି ଥରେ ଫୋନ ଟା ଆଣି ନମ୍ବର ଟିପିଲେ, "ଟୁକୁନା ରେ... ଆଉଁ ଉଁ.. ଉଁ..... "l

ସେପଟୁ ନିଲୁ ଫୋନ ଧରିଥିଲା, "କାହିଁକି ଶହେଥର ଫୋନ କରି ବିରକ୍ତ କରୁଛ? ସେ ନାହାଁନ୍ତି l ଆମେ କାମ କରିବୁନା ତୁମ ସହ ଖାଲି ଗପିବୁ?ରଖ ଫୋନ l " ଫୋନଟା କଟିଗଲା l

ଦ୍ଵିତୀୟା ପରଦିନ ଘାଣ୍ଟ ତରକାରୀ ନେଇ ପାଖଘରୁ ଦୁଇଟି ସ୍ତ୍ରୀଲୋକ ଆସି ଲକ୍ଷୀଙ୍କ କବାଟ ପିଟିଲେ l "ଏଯାଏଁ କଣ ଲକ୍ଷୀ ଉଠିନାହାଁନ୍ତି?" ସେମାନଙ୍କର ସନ୍ଦେହ ହେଲା l କବାଟ ଭାଙ୍ଗି ଲୋକେ ଭିତରେ ପଶିଲେ l ଲକ୍ଷୀଙ୍କ ଗୋଟେ ହାତରେ ଛୋଟିଆ ମୋବାଇଲ ଫୋନଟିଏ l ଶେଷ କଲରେ ଟୁକୁନାର ନାଁ l ଆର ହାତରେ ଧରିଛନ୍ତି ଟୁକୁନାର ଗୋଟେ ଫୋଟୋ l ତଳେ ପଡିଛନ୍ତି ନିସ୍ତେଜ ହୋଇ l ଆଖି ଖୋଲା ଅଛି, ଦୁଇଧାର ଲୁହ ଗଡି ଗାଲରେ ଶୁଖିଯାଇଛି l

କେହିଜଣେ ଲକ୍ଷୀଙ୍କ ଆଖିଦୁଇଟିର ପରଦାକୁ ବନ୍ଦ କରିଦେଇ ମୁହଁ ଟିକୁ ଚଦରରେ ଘୋଡେଇ ପକେଇଲା l

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Tragedy