Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pratima Das

Inspirational Romance

4.7  

Pratima Das

Inspirational Romance

ମହିଳା ସଶକ୍ତିକରଣ ପ୍ରତିମାଦାସଙ୍କ

ମହିଳା ସଶକ୍ତିକରଣ ପ୍ରତିମାଦାସଙ୍କ

5 mins
634



ପ୍ରତିମା ଦାସଙ୍କ।


ସେବତୀ, ପଖାଳହାଣ୍ଡିରେ ଆମ୍ବନଷି ମଡେଇଦେଲା। ବାସ ଭରି ଗଲା, ଘରସାରା। କାମକୁ ଯାଇନି ଆଜି, ବଳ ସରିନି, ମନ ଫୂର୍ତ୍ତି ଅଛି, ଶରୀର ବଳୁଆ ଲାଗୁଛି। ଆଳୁ ଫୁଟା ପଚେଇ ପଚେଇ କଲା, ଆଉ ଖଡାଶାଗ ଗଣ୍ଡେ ଚୂନି ଚୂନି ପିଆଜଦେଇ ,ବାଉଁଶ ପତ୍ର ଗଣ୍ଡାଏ ଜାଳି ଭାଜି ପକାଇଲା। ଏ ମହରଗ ଯୁଗରେ, ଦିନ ମଜୁରିଆଙ୍କ ପାଇଁ ଦି'ଓଳା ତବତ ସାତସପନ। କଦବା କ୍ବଚିତ, ଦିହ ବାଧିକିରେ ଗରମଗଣ୍ଡେ ଫୁଟାହୁଏ। କଂସାଧୁଆ ପାଣି କୁଣ୍ଡ ପାଖରୁ ମେଂଚାଏ ମଲ୍ଲୀ ଫୁଲ ତୋଳିଆଣି ବାଳକଣ୍ଟାରେ ଗୁନ୍ଥି ଖୋସାରେ ମାରିଦେଲା। ଏତେସବୁ ମନସରାଗ, ଚଂଚଳତା କେବଳ କୁମର ପାଇଁ। ଆଜି ସଭାରୁ ଫେରିଲା ପରେ, ସେବତୀ ନିଜକୁ ଞାନୀ ଞାନୀ ମନେ କରୁଥିଲା। ଦୁନିଆରେ ଏତେ, ନିୟମକାନୁନ ସ୍ତ୍ରୀ ଲୋକଙ୍କ ପାଇଁ ତିଆରି ହେଲାଣି, ଭାରି ଭଲଲୋକ ଯିଏ ତିଆରିଲା ଏ କାନୁନ। ଅସ୍ଥିର ହୋଇ ଉଠୁଥିଲା କୁମର ଆଗେ ଏଗୁଡିକ କିପରି ଗାଳିପକାଇବ ବୋଲି। ହେଲେ, ଯୋଗୀନିଖିଆ ମହୁଲି ଯଦି ଚଢେଇଥିବ, ଆଉ ଶୁଣିବ ନା ବୁଝିବ? ଶୋଇ ନ ପଡି ମୁଣ୍ଡ ଘୁରିଗଲା ଯଦି, ରାତି ଅଧଯାଏଁ ଭାଷା ଅଭାଷା ଆଉ ମାଡ ଦୁହାରିବ। ମାଡ ମାରିବା ପରଦିନ, ସେବତୀ ଗାଲରେ ପଚା ଜାମୁକୋଳିଆ ଚିହ୍ନ ଦେଖି, ମୋ ରାଣୀଆକୁ କଣ କଲି କହି ଖୁବ୍ କାନ୍ଦେ, ନିଜକୁ ଧିକ୍କାରେ, ଛେଚେବି।


ଗମେଇପାଟ ପାଖରେ ଛେଳି ବାନ୍ଧିବାକୁ ଯାଇ, ଯେବେ କୁମର ସଂଗେ ଦେଖା ହୋଇଥିଲା ସେବତୀର , ତା ପ୍ରେମରେ ପଡ଼ି ଯାଇଥିଲା। ଅବଶ୍ୟ,ସେବତୀ ଭାଉଖାଇଥିଲା ଢେର ଦିନ। ଯୁବାନ କୁମର ଅନ୍ୟ କେଉଁ ଆଡୁ ଉଠି ଆସିଥିଲା। ତେଣୁ, ତାର ଆଗପଛ କେହି ନ ଥିଲେ। ମେଣ୍ଢା ପଲ ରଖିଥିଲା। ଏକ ଟଟୁ ଘୋଡାରେ ଚଢ଼ି, ଅଜଣା ଦେଶର ମୁକୁଟବିହୀନ ରାଜକୁମାର ପରି ଖିଆଲି ଢଂଗରେ ମେଣ୍ଢା ପଲକୁ ଧରି, ପାଟ ପାଖକୁ ଆସୁଥିଲା ନିତି ମେଣ୍ଢା ଚରାଇବାକୁ । ତା'କଳା ମଚମଚ ଦେହରେ, ଅମାପ ବଳ ଖୁନ୍ଦି ହୋଇ ଥିଲା। ଆଉ ତା ଚାହାଣୀରେ, ଦଶପଚାଶ ଟୋକିଙ୍କୁ ଏକାଥରେ ପଟେଇବାର ଆତ୍ମବଳ ବାରି ହୋଇ ପଡୁଥିଲା। ମଝିରେ ମଝିରେ ଏକ ଧୂନ୍ ବଂଶୀରେ ଚଢାଇ, ପାଟକୁ ରୋମାଚିଂତ କରୁଥିଲା। ଗାଈ ଛେଳି ଚରାଉଥିବା, ପତର-ଘଷି-ଗୋବର ଗୋଟାଉଥିବା ଝିଅମାନଙ୍କ ମନରେ ଏକ ଅଘୋଷିତ ପ୍ରତିଯୋଗିତା କୁମର ପାଇଁ ଜାତ ହୋଇ ସାରିଥିଲା।


ସେବତୀ ବି କମ ନ ଥିଲା। ହଳଦୀ ଗୋରୀ, ନହନହକୀ, ତନୁପାତଳୀ ସେବତୀ ,ଗାଁ ଟୋକାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସେବତୀର ଓଠରେ ମଲ୍ଲୀ ଫୁଲିଆ ହସ ଧାରେ ନେସି ହୋଇ ଥିଲା। ସେ ହସ ସେବତୀକୁ ଲାସ୍ୟମୟୀ ହାସ୍ୟମୟୀ କରି, ସେବତୀର ସୌନ୍ଦର୍ଯ୍ୟ କୁ ଦିଗୁଣିତ କରୁଥିଲା। ସେ ହସକୁ କୁମର ଯେତିକି ମୁଗ୍ଧ ହୋଇ ଦେଖୁଥିଲା, ସେତିକି ଭୟ ଆଉ ଅବିଶ୍ୱାସ ବି କରୁଥିଲା। ସେ ହସରୁ ଏକ ମହୁଆ ନିଶା ଝରୁଥିଲା। କୁମର ତେଣୁ ସେବତୀକୁ ନିଜର କରିବା ପାଇଁ ଖୁବ୍ ମେହନତ ଲଗାଇଲା। ସେବତୀର ବାପାମାଙ୍କୁ ରାଜି ନ କରାଇ ପାରି,ସେବତୀକୁ ଉଠାଇ ନେଇଥିଲା ନିଜ ପଲା ଘରକୁ।


ନିରସ୍ତ୍ର ସୈନିକ ପରି, ସେବତୀ ମନତନକୁ ଟେକି ଦେଇଥିଲା କୁମରକୁ। ଦି ପ୍ରାଣୀ ଖୁବ୍ ଖୁସିରେ ମୁକ୍ତ ଆକାଶର ବିହଂଗ ପରି ପ୍ରାଣଭରି ସମୟକୁ ଓ ପରସ୍ପରର ଭଲପାଇବାକୁ ଉପଭୋଗ କରୁଥିଲେ ।ପଲା ବାହାରେ, ତାଙ୍କ ପ୍ରେମପ୍ରଣୟର ସାକ୍ଷୀ ଟଟୁ ଘୋଡା ବାଦ୍ୟଯନ୍ତ୍ର ବିନା ହେସ୍ରା ରାବ କରି ବେସୁରା ସଂଗୀତକୁ ବେତାଳକରି ଉନ୍ମାଦ ହେଉଥିଲା।

ଛେଳିମେଣ୍ଢା ବିକ୍ରିବଟା ଲାଭରେ, ଅଭାବ ବୋଲି କିଛି ନ ଥିଲା, କିନ୍ତୁ ବିଭବ ବି କ'ଣ ସେ ବାସ୍ନା ଦି ପ୍ରାଣୀ ଜାଣି ନ ଥିଲେ। ଦୁହେଁ ମିଶି ପାଟ, କ୍ଷେତରେ ତାଙ୍କ ଛେଳି ମେଣ୍ଢା ଙ୍କୁ ଚରାଉଥିଲେ, ପାଣି ପିଆଉଥିଲେ, ବୁହା ଭାତକୁ ଗଛ ଛାଇରେ ବସି ଶାଗ ଖରଡା, ପାଟର ଚୁନାମାଛ ଭଜା, ଲୁଣଲଂକମରିଚ ଦଳି କଂସାଏ କଂସାଏ ପଖାଳ ଖାଉଥିଲେ। ଗଛ ଛାଇରେ ସେବତୀ ଲୁଗାକାନି ପାରି ଦେଉଥିଲା କୁମର ତା ଉପରେ ଶୋଇ ଯାଉଥିଲା, ତା କୋଳରେ ମୁଣ୍ଡ ଗୁଞ୍ଜି ସେବତୀ ଘଡିଏ ଶୋଇ ଯାଉଥିଲା। ସମୟ ପାଇ ଜାଳକୁଟା, ଗୋବରଘଷି,ଡାଳପତ୍ର ଏକତ୍ର କରି ଟାଟୁ ଘୋଡାରେ ଲଦି, ଦି ପ୍ରାଣୀ ସଂଜ ବୁଡିବା ପୂର୍ବରୁ ପଲାକୁ ଫେରି ଆସୁଥିଲେ। ତାଙ୍କ ଅଲକ୍ଷରେ, ତାଙ୍କ ପ୍ରେମ ବନ୍ଧୁତା ଦେଖି, ସୃଷ୍ଟିକର୍ତ୍ତା ନିଜ ରଚନାକୁ ନେଇ ଖୁସି ଆଉ ଗର୍ବ ଅନୁଭବ କରୁଥିଲେ।

*କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

ଯାର ପ୍ରାପତି ଲାଗି ଦେବତା ନର *

ସେ ଦି ପ୍ରାଣୀଙ୍କ ଆଖି ଆଢୁଆଳରେ, ଏକ ପିଶାଚ ପଦିଆ ଅସହିଷ୍ଣୁ ହୋଇ ଖଳ ପୁରାଇଲା। ଛେଳି ଚରାଇବା ଆଳରେ ସେବତୀ ସହିତ କଥା ହେବାକୁ ବାହନା ଖୋଜୁଥିଲା, ସେବତୀ ରୂପକୁ ଝୁରି ହେଉଥିଲା। କୁମର ଅନ୍ତର୍ମୂଖୀ ଥିବାରୁ, ଅନେକ କଥା କହି ସେବତୀକୁ ଆକଟି ପାରୁ ନ ଥିଲା କିନ୍ତୁ ସେବତୀ ତା ଜୀବନ ଓ ସେବତୀ କେବଳ ତାର ,ଏହି ଅଧିକାର ହଜି ଯିବା ଭୟରେ ଅସୁରକ୍ଷିତ ହୋଇ ପଡିଥିଲା। ସେବତୀର ଲାଳିତ୍ୟପୂର୍ଣ କଥାବାର୍ତ୍ତା, ସୁନ୍ଦର ଚେହେରା ପୂର୍ବ ପରି ଅତୁଟ ଥିଲା। କୁମର, ପଦିଆ ଆଖିର ଲୋଲୁପ ଚାହାଣୀ ବୁଝି ପାରିଲେବି ,ସେବତୀକୁ ଅବଗତ କରାଇ ପାରୁ ନ ଥିଲା।

ଝିଅ ମାନେ ସାଧାରଣତଃ ସରଳ ବିଶ୍ବାସୀ ।ସେବତୀ ନିଜ ଚେହେରାକୁ ନେଇ ସାମାନ୍ୟ ଗର୍ବିତା ଥିଲା ଏମିତିରେ ତା ମଲ୍ଲୀ ଫୁଲିଆ ହସରେ କେବେ ଭଟ୍ଟା ପଡୁ ନ ଥିଲା। ତା ହସକୁରା ମୁହଁଟି, ତା ପାଇଁ କାଳ ହେଲା,ତା ମନରେ କିଛି ପାପ ନ ଥିଲେ ବି ।


ପଦିଆ, ମାଛ ପସରା ପାଖେ ବିଲେଇ ମ୍ୟାଉଁ ମ୍ୟାଉଁ ହେଲା ପରି, ବେଳ ଅବେଳରେ ସେବତୀର ନିକଟତର ହେବାକୁ ଚେଷ୍ଟା କରୁଥିଲା । କୁମର ଅନ୍ତର୍ମୂଖୀ ,ଅତି ଅଧିକ ଯତ୍ନଶୀଳ ,ସନ୍ଦେହୀ ମନନେଇ ଆକ୍ରମଣାତ୍ମକ ହୋଇ ଉଠୁଥିଲା,।ସେବତୀର ପଦିଆ ପ୍ରତି ନିର୍ବିକାର ଭାବରୁ ଅବିଶ୍ୱାସର ଢେଉ ଏକ ଦୁଇ କରି କୁମର ମୁଣ୍ଡରେ ଖେଳି ଚାଲିଲା। ଢେଉରୁ ଉତ୍ପନ୍ନ ତରଂଗ ଏକ ଅସରନ୍ତି କ୍ରିୟା। ଅବିଶ୍ୱାସର ଚାରା ଡାଳପତ୍ର ମେଲିଲା, ତାକୁ କାଟିବାକୁ, କୁମର ମହୁଲିର ଅଶ୍ରା ନେଇଥିଲା।


କୁମର ମହୁଲିର ଆଶ୍ରା ନେବା ପରଠୁ, ସେବତୀର ଚନ୍ଦ୍ର ଉଦିଆ ମୁହଁ ଧିରେ ଧିରେ ଧୂସର ମାଠିଆର ତଳପଟ ପରି ଦେଖାଗଲାଣି। ସେବତୀ ଓଠର ହସର ଗାର ଦିତିୟା ଚାନ୍ଦରୁ ଶୁଖି ଶୁଖି ଉଆଁସ ଚାନ୍ଦ ପରି ନିଶ୍ଚିନ୍ହ ହେବାକୁ ବସିଲାଣି। ଅତି ଭଲ ପାଉଥିବା ପ୍ରେୟସୀକୁ ଏପରି ଶୁଖିଲା ନିରାସକ୍ତ ଦେଖି ଭିତରେ ଖିନ୍-ଭିନ୍ ହୋଇ ଯାଉଛି କୁମର, ଅଧିକରୁ ଅଧିକ ଆକ୍ରାମକ ହେଉଛି। ଅବୁଝା ନିରୀହ ସେବତୀ, କୁମରର ରାଗ, ମହୁଲି ପିଆ, ସେବତୀ ପ୍ରତି ଅନାସକ୍ତ ଭାବର କାରଣ ଖୋଜୁଛି, ଖୁସିର ଦିନକୁ ମନେ ପକାଇ ଲୁହ ଗଡାଉଛି।

ଗ୍ରାମ ସେବିକା ଦିଦି ଡାକି ଛନ୍ତି। ସଭା ଆରମ୍ଭ ହେଲା। ସ୍ତ୍ରୀ ଲୋକର ଅଧିକାର, ସ୍ତ୍ରୀ ଲୋକର କର୍ତବ୍ୟ, ସ୍ତ୍ରୀମାନେ କିପରି ମହାକାଶ କୁବି ଗଲେଣି ଇତ୍ୟାଦି କୁହାଗଲା। ସ୍ତ୍ରୀ ନିଜ ସୁରକ୍ଷା ଈଜ୍ଜତ ବଂଚାଇବାକୁ ଯାଇ ଯାହା କରିବ ଚଳିବ ଏ ସବୁ ବି ଆଲୋଚନା ହେଲା।


ସଭାକୁ ଯିବ ବୋଲି ଆଜି କିଛି କାମକୁ ଯାଇନି। ଅସ୍ଥିର ହୋଇ ଆପେକ୍ଷା କରିଛି କୁମର କୁ, ସଭାରୁ ଫେରି । କୁମର ଆଜି ମହୁଲି ପିଇନି,ଏହା ଦେଖି ସେବତୀର ଖୁସି ବଢିଗଲା ଢେର।କୁମରକୁ ଆଜି କିଛି ଖାଇବା କରି ବି ଦେଇ ପାରି ନ ଥିଲା, ରସୁଣବଡି ଛେଚି ପଖାଳ ଗଣ୍ଡେ ଦେଇଥିଲା, ସେଥିପାଇଁ ଖୁବ୍ ରସୁଣିଆ ଗନ୍ଧୁଛି କୁମର ।ଚଳିବ,। ଆଜି ଆସୁ ଆସୁ ବୋକ ଦେଇଛି କୁମର। ସହଳ ସହଳ ଆଳୁ ଫୁଟା ଆଉ ଖଡାଶାଗ ଖରଡା ସହ ପଖାଳ ବାଢି ପକାଇଲା, ଦୁଇପ୍ରାଣୀ ଖାଇ ଦେଇ ଶୋଇବାକୁ ଗଲେ। ହଜି ଯାଇଥିବା କାହାଣୀ କଡ ଲେଉଟାଉଥିଲେ, ଏକ ପରେ ଏକ।

ହଠାତ୍ ବାହାରୁ ପାଟି ଶୁଭିଲା, ଏ ସେବତୀ ସେ ଯାଯାବର କୁମର ସହ ଆଉ କେତେଦିନ ରହିବୁ। ପି ପି ତ ତା କଲିଜା ଯିବଣି ଜଳି। ଆ ମୋ ଅଙ୍କ ମଣ୍ଡନ କରେ।


ଦେଖ ଏ କୋରା ଶାଢୀ , ବାସ୍ନା ତେଲ ତୋ ପାଇଁ ଆଣିଛି।ଯାହା କହିବୁ ତା ଆଣି ଦେବିଲୋ, କଲିକତା ବୁଲେଇ ନେବି ତୋତେ। ଆ ଚାଲିଆ, ଖାଲି ଥରେ ମୋ ମନ ବୁଝେଇ ଦେ, ମୋ କାମନା ମେଣ୍ଟାଇ ଦେ।


ହଠାତ୍ କୁମର ମୁଣ୍ଡରେ ବିଜୁଳି ସରବରାହ ଭୂଲ ଯୋଗାଯୋଗ ହେଲାପରି, ଚଡ୍ -ଚଡ୍ ହେଲା। ଦି ହାତିଆ ଫାର୍ସା ନେଇ ଉଠି ଆସିଲା। ତା ପଛେ ପଛେ ଲୁଗା କାନିକୁ ସଜାଡି ସଜାଡି ସେବତୀ। ଏ..... ତୁମେ କଣ କରୁଛ।ତୁମେ ତାକୁ ମରାଧରା କରନି, କାରଣ ପାଇ ଦାରୋଗା ତୁମକୁ ଥାନା ,ଜିହଲରେ

ଭର୍ତି କରିଦେବ। ତୁମ ବିନା ମୁଁ ବଂଚି ପାରିବିନି।


କିନ୍ତୁ ମୁଁ, ମୋ ରକ୍ଷା ଭଲଭାବେ କରି ପାରିବି ଆଉ ନିର୍ଦୋଷରେ ଖଲାସ ବି ହୋଇଯିବି। କୁମର, ପଦିଆର ମୁଣ୍ଡ ଉପରକୁ ଉଠାଇ ଥିବା ଫାର୍ସା କୁ ଜୋରରେ ଛଡାଇ ନେଲା ସେବତୀ ।

ସେହି ଫାର୍ସାରେ କାଚିକି ଗୋଟିଏ ପାହର ଦେଲାଯେ ପଦିଆ ମୁଣ୍ଡରେ,ପଦିଆ ଏକା ବେଳେକେ ଚିତ ପଟାଂଗ ହୋଇ ପଡିଲା, ତା କୋରା ଶାଢୀ, ବାସ୍ନା ତେଲ, ମଦ ବୋତଲ ,କୁକୁଡା ମାଂଉସ ଛିଟିକି ଛିନଛତର ହୋଇ ପଡିଥିଲା। ଅଳପେଇସା ଏଇଥି ପାଇଁ ଦିନରାତି ମୁଁ କେତେ ସୁନ୍ଦର ଅମକ ସମକ କହୁଥିଲୁ ଖା ପାହର ଅଇଖା।


ଗାଁ ସାରା ଲୋକ ସେବତୀକୁ ସାବାସୀ ବର୍ଷୁ ଥିଲେ, ପଦିଆ ପାଖ ବଇଦ ଖାନାରେ ଗଁ ଗଁ ରଡି ଛାଡୁଥିଲା। ରସୁଣ ଗନ୍ଧ ଆଜି ସେବତୀକୁ ମହମହ ବାସୁଥିଲା। ସେବତୀର କୋମଳ ଲାସ୍ୟମୟୀ ମୁହଁଟି କମାର ଶାଳରେ ଧାର ହେଲା ପରି ସଭାର ଭାଷଣରେ ଧାର ହୋଇ ପରିପୂର୍ଣ୍ଣତାରେ ଚିକଚିକ ହୋଇ ଯାଇଥିଲା, କୁମର ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଥିଲା।


ଗମେଇ ପାଟରେ ସେବତୀକୁମରର ପ୍ରେମ କାହାଣୀ ଦିନକୁ ଦିନ ରୋମାଂଚକର ହୋଇ ଉଠୁଥିଲା।


Rate this content
Log in

Similar oriya story from Inspirational