ଶୀତ ସକାଳର ସ୍ମୃତି
ଶୀତ ସକାଳର ସ୍ମୃତି
ଶିତ ସକାଳର ସ୍ମୃତି
==============
ବିଜନ ବାବୁ ପତ୍ନୀଙ୍କ ହାତରୁ ଚା କପଟା ନେଇ ଟେବୁଲ ଉପରେ ରଖି ସବୁଦିନ ଭଳି ସମ୍ବାଦ ପତ୍ରର ସମ୍ପାଦକୀୟ ପୃଷ୍ଠା ଉପରେ ଆଖି ବୁଲଉ ବୁଲଉ ବାଁହାତ ତାଙ୍କର ସ୍ୱତଃ ଲମ୍ବିଗଲା ଚା କପ୍ ଆଡକୁ।କପରେ ପ୍ରଥମ ଚୁମ୍ବନ ଦେବାମାତ୍ର ଜୀବନରେ ପ୍ରଥମ ଥର ପାଈଁ ସୁନୟନାଙ୍କ ଉପରେ ଅତିମାତ୍ରାରେ ବିରକ୍ତ ହେଇ ଚୁପଚାପ କପଟାକୁ ପୁନଶ୍ଚ ଥୋଇଦେଲେ ସେଇ ଯାଗାରେ। ଏମିତି ନଥିଲାକି ଆଜି ପ୍ରଥମ ଥର ପାଈଁ ଚା'ରେ ଚିନି ପକେଇବାକୁ ଭୂଲି ଯାଇଥିଲେ ସୁନୟନା। ବିଗତ ଦଶବର୍ଷ ଧରି ବିନା ଚିନି ଚାହା ପିଇବାରେ ଅଭ୍ୟସ୍ତ ବିଜନ ବାବୁଙ୍କୁ ଆଜି କାହିଁକି ଲାଗିଲା ଯେମିତି ଜୀବନରେ ପ୍ରଥମ ଥର ପାଈଁ ତାଙ୍କୁ ବିରକ୍ତ କରିବା ଲାଗି ପତ୍ନୀ ଜାଣିଜାଣି ତାଙ୍କୁ ଅପେକ୍ଷାକୃତ ଅଧିକ କଷା ଚା ଦେଈ ଦେଇଛନ୍ତି। ସମ୍ବାଦ ପତ୍ରକୁ ସେମିତି ଅଯତ୍ନରେ ପକେଇ ଦେଈ ଝରକା ଆଡକୁ ପାଦ ବଢେଇଲେ ବିଜନ୍ ବାବୁ।ଆଖିରେ କାହାକୁ ଖୋଜିବାର ଭାବ ସ୍ପଷ୍ଟ ବାରିହେଇ ଯାଉଥିଲା। ଧିରେ ଧିରେ ଟାଣି ହେଇ ଯାଉଥିଲେ ବହୁତ ପଛରେ ଛାଡି ଆସିଥିବା ସମୟର ସେଇ ଛକକୁ ଯେଉଁଠୁ ଆରମ୍ଭ ହେଇଥିଲା ଜୀବନର ନୂଆ ଅଧ୍ୟାୟଟେ। ପାଇଥିଲେ ଏମିତି କିଛି ଯାହା ପାଇବାକୁ ପାଗଳ ହେଉଥିଲେ ଆଉ ହରେଇ ଥିଲେ ସେମିତି କିଛି ଯାହା ପ୍ରତ୍ୟହ ଓ ପ୍ରତି ମୁହୁର୍ତ୍ତରେ ପାଇବାର ସ୍ୱପ୍ନକୁ ପଲ୍ଲବିତ କରି ମନରେ ଭରି ଦେଉଥିଲା ଭିନ୍ନ ସ୍ୱାଦର ଏକ ଭବିଷ୍ୟତ। ସମ୍ପୂର୍ଣ ହଜି ଯାଉଥିଲେ ବିଜନ ବାବୁ ସେଦିନର ସେଈ ଶିତ ସକାଳର ସତେଜ ସ୍ମୃତିରେ।
ଦୀର୍ଘ ଚାଳିଶି ବର୍ଷ ତଳର ସେଇ ଶିତ ସକାଳର ଅନୁଭୂତି ଓ ସ୍ମୃତି ଏତେଦିନ ପରେ ଆଜି ସକାଳୁ ସକାଳୁ କାହିଁକି କେଜାଣି ହଠାତ୍ ଜୀବନ୍ତ ହେଇ ଉଠୁଥିଲା ବିଜନ୍ ବାବୁଙ୍କ ମନରେ ! ଝର୍କାର ପରଦା ଆଡେଇ ପଶିଆସିଲା ଦଲକାଏ ଖୁବ୍ ଥଣ୍ଡା ପବନ। ଝର୍କା ବନ୍ଦ କରିବା ପାଈଁ ଆଗକୁ ଯାଉଥିବା ହାତକୁ ଅଧାରୁ ଫେରେଇ ଆଣି ବିଜନ ବାବୁ ଝର୍କା ଦେଇ ଦୂରକୁ ଦୃଷ୍ଟି ଫିଙ୍ଗି ସାମାନ୍ୟ ଅନ୍ୟମନଷ୍କ ହେଇଗଲେ। ଆଖି ଆଗରେ ଦେଖାହେଇ ଯାଉଥିଲା ସେଇ ପତଳି ଝିଅଟା କେମିତି କାନମୁଣ୍ଡରେ ଚୁନରି ଗୁଡେଇ ,ବାଁ ହାତରେ ଥାକେ ବହିଖାତା ଧରି ନରମ ଘାସର ଚାଦର ଉପରେ ଛନ୍ଦାୟିତ ଭଙ୍ଗିରେ ଚାଲିଯାଏ।ବିଚିତ୍ର କିସମର ଝିଅଟିଏ ସତରେ !ଏଣେତେଣେ କୁଆଡେ ଚାହେଁନା,କେବଳ ଆଗକୁ ଆଖିରଖି ଚାଲିଯାଏ । ଚଦର ଢାଙ୍କି ହେବା କିମ୍ବା ସ୍ୱେଟର୍ ପିନ୍ଧିଥିବାର କେବେ ବି ଦେଖିନାହାଁନ୍ତି ସେ ତାକୁ।ମାତ୍ର ତା ଚାଲିରେ ଏମିତି କିଛି ନିଆରା ପଣ ଥିଲା ଯାହା ବିଜନ ବାବୁଙ୍କୁ ଖୁବ୍ ଭଲ ଲାଗେ। ପାଖରୁ ଦେଖିବାର ଅବକାଶ ହିଁ ନଥିଲା କହିଲେ ବରଂ ଭଲହେବ। କାରଣ, ଝର୍କା ଡେଈଁ ଆଖି ସିନା ସହଜରେ ଚାଲି ଯାଏ ମାତ୍ର ଘର ପଛପାଖ ସୁଉଚ୍ଚ ପାଚେରୀର ଦେହ ଛୁଈଁ ଆଗକୁ ଲମ୍ବି ଯାଇଥିବା ଚଉଡା କେନାଲକୁ ପାର ହେଇ ସେତେ ସହଜରେ ପହଁଚି ହୁଏନା ସେଇ ଘାସ ପଡିଆରେ। ନାକ ଅଗର ସେହି ଘାସ ପଡିଆକୁ ଆସିବାକୁ ହେଲେ କଲେଜ ପଛ ପଟେ ଥିବା ବାଉଁଶ ପୋଲ ପାର ହେଇ ମୁଣ୍ଡିଆ ପାଖଦେଇ ଲମ୍ବି ଯାଇଥିବା କଚ୍ଚା ରାସ୍ତାରେ ଦଶ ବାର କିଲୋମିଟର ରାସ୍ତା ସାଇକେଲ୍ ପେଲିବାକୁ ପଡିବ।
ଯାହା ବି ହେଉନା କାହିଁକି ସେଇ ଝିଅଟିକୁ ପାଖରୁ ଦେଖିବାର ଈଚ୍ଛା ତାଙ୍କର ଏକ ପ୍ରକାରର ଯିଦ୍ ରେ ପରିବର୍ତିତ ହେଇ ଯାଇଥିଲା । ଛାତ୍ର ଜୀବନରୁ ବିଳମ୍ବିତ ରାତି ରେ ଶୋଇ ସକାଳେ ବିଳମ୍ବରେ ଶଯ୍ୟାତ୍ୟାଗ କରିବାର ପୁରୁଣା ଅଭ୍ୟାସକୁ ଈତିହାସ ବିଭାଗର ଅଧ୍ୟାପକ ବିଜନ ମିଶ୍ର ଏଇ ଅଳ୍ପ ଦିନ ଭିତରେ ନିଜ ଅଜାଣତରେ କେତେବେଳେ ତ୍ୟାଗ କରି ବଡି ସକାଳୁ ଉଠିବାର ନୂଆ ଅଭ୍ୟାସକୁ ଆପଣେଇ ନେଇଥିଲେ।
ମନକୁ ଆଉ ଅଧିକ କାଳ ଛଟପଟ ହେବାକୁ ନ ଦେବା ପାଈଁ ସେ ଦିନର ସେଇ ଶିତ ସକାଳେ ଏକ ପ୍ରକାର କଠୋର ହେଇ ଉଠିଥିଲେ ବିଜନ ବାବୁ। ସେତିକିବେଳେ ତାଙ୍କ ମନ ଭିତରୁ କେହି ଯେମିତି ପ୍ରଶ୍ନ କରିଥିଲା ଏମିତି କିଛି ଯାହାର ଉତ୍ତରରେ ସେ ନୀରବରେ ସ୍ୱିକାର କରିଥିଲେ ଯେ ସେ ସେହି ଅଜଣା ଝିଅଟିକୁ କେତେବେଳେ ଭଲ ପାଇ ବସିଥିଲେ ବୋଲି।
ଆଗଦିନ ରାତିରେ ଭଲକରି ଶୋଈ ପାରୁ ନଥିଲେ ବିଜନ ବାବୁ ବାରମ୍ବାର ନିଦ୍ରାଭଙ୍ଗ ହେଉଥିଲା ଏବଂ ପ୍ରତିଥର କାନ୍ଥଘଣ୍ଟା କୁ ଅନେଇ ପୁନଶ୍ଚ ଶୋଇବାକୁ ଚେଷ୍ଟାକରି ବିଫଳ ହେଉଥିଲେ। କୋଣସି ପ୍ରକାରେ ବହୁତ ଦୀର୍ଘ ମନେ ହେଉଥିବା ରାତି ପାହିବାର ଆଭାସ ପାଇବାକ୍ଷଣି ଚଂଚଳ ହେଇ ପଡିଲେ ସେ। ତରବରରେ ନିତ୍ୟକର୍ମ ଶେଷ କରି ତାଙ୍କୁ ସବୁଠାରୁ ଭଲ ମାନୁଥିବା ପ୍ୟାଣ୍ଟସାର୍ଟ୍ ପିନ୍ଧି ସାରିବା ପରେ ଦର୍ପଣ ସାମ୍ନାରେ ନିଜର ଆଗପଛ ଭଲକରି ଦେଖିନେଲେ ଏବଂ ତାଙ୍କ ପ୍ରୀୟ ରଜନିଗନ୍ଧା ପରଫ୍ୟୁମ୍ ଟିକେ ହାଲକା ସ୍ପେ କରି ସାଇକେଲ୍ ଧରି ବାହାରି ପଡିଲେ ବିଜନ୍ ବାବୁ।
ସାଈକେଲ୍ ର ପେଡାଲ୍ ଉପରେ ପାଦ ଦବେଈବା ଭିତରେ ବାରମ୍ବାର ଅନ୍ୟମନସ୍କ ହେଇ ଯାଉଥିଲେ।ସାଇକେଲ୍ ର ଗତି ବିଜନ ବାବୁଙ୍କ ମନର ଗତି ସହ ତାଳ ଦେବାରେ ପଛେଇ ଯାଉଥିଲା।
ସେଇ ଘାସ ପଡିଆ ପାଖରେ ପହଁଚି ତାଙ୍କ ଝର୍କାକୁ ଚାହିଁ ପ୍ରଥମେ ପରଖି ନେଲେ ଛିଅଟିର ନିର୍ଦିଷ୍ଟ ସେଇ ଚଲାବାଟର ଆରମ୍ଭ ସ୍ଥଳିକୁ। ଅଧିକ ସମୟ ଅପେକ୍ଷା କରିବାକୁ ପଡିଲାନି।କିଛିଗୋଟେ ଅଡୁଆ ଭାବନାରେ ହଠାତ୍ ପୂର୍ଣଚ୍ଛେଦ ପକେଇ ଦେଖାଗଲା ଅତି ପରିଚିତ ପାଦ ଦୁଇଟି । ପ୍ରତିଥର ଯେପରି ଗୋଟେ ନିର୍ଦିଷ୍ଟ ଢଙ୍ଗରେ ଏକ ପୂର୍ବ ମାପକରା ଦୂରତାକୁ ଅତିକ୍ରମ କରୁଥିଲେ ଦୁଈଟିଯାକ ପାଦ କୋଣସି ଏକ ଲୁକ୍କାୟିତ ବାଦ୍ୟ ସହ ତାଳ ଦେଇ ଦେଇ। ପାଖେଇ ଆସୁଥାବା ସେ ପାଦକୁ ଚାହ କ୍ରମଶଃ ଦୁର୍ବଳ ହେଇ ଯାଉଥିଲେ ବିଜନ୍ ବାବୁ। ହଠାତ୍ ସାମ୍ନାରେ ଖୁବ୍ ନିକଟରେ ଏକସଙ୍ଗେ ଅଟକି ଗଲା ଝିଅଟିର ପାଦ। ଅତ୍ୟନ୍ତ ସାହସୀ ବିଜନ ବାବୁଙ୍କ ସାରା ଦେହର ପ୍ରତି ଲୋମକୂପକୁ ଛୁଈଁଗଲା କେମିତି ଗୋଟେ ଭିନ୍ନ ପ୍ରକାରର ଭୟ ।
"ସାର୍", - ଆଗରୁ କେଉଁଠି ଶୁଣିଥିବା ସ୍ୱରଟା ଶୁଣି ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁକରୁ କିଛି ମନେ ପକାଇବାର ଶକ୍ତ ଚେଷ୍ଟା କରୁଥିଲେ ବିଜନ୍ ବାବୁ । ସେଇ ସ୍ୱର ସହ ଆଗରୁ କେବେ କେଉଁଠି ସାମ୍ନାସାମ୍ନି ହେଇଥିବା ଚେହେରାଟିକୁ ଖୋଜି ଯୋଖିବାର ସବୁ ପ୍ରୟାସ ମନ ଭିତରେ ଅଧାରାସ୍ତାରେ ବାଟବଣା ହେଇଯାଉଥିଲେ।
"ସାର୍, ମୁଁ ସୁନୟନା। ବି.ଏ., ହିଷ୍ଟ୍ରି ହନର୍ସ ଫାଇନାଲ ଇଅର .....",
ପଚରା ଯାଇଥିବା କିଛି ଗୋଟେ ଅତି ସରଳ ପ୍ରଶ୍ନର ଊତ୍ତର ଦେଲାପରି ଅନର୍ଗଳ କହି ଚାଲିଥିଲା ସେ। ଖୁବ୍ ସହଜ ଏବଂ ଆତ୍ମୀୟ ଲାଗୁଥିଲା ତାର କଣ୍ଠସ୍ୱର।
କିଛି ସାହସ ସଂଗ୍ରହ କରି ଶିରୋନ୍ନତ କରି ସୁନୟନାଙ୍କ ମୁହଁକୁ ଚାହିଁଲେ ବିଜନ ବାବୁ।ଢଳଢଳ ଆଖିର ଅଗଣିତ ଢେଉରେ ଦେଖିଲେ ନିଜର ଇତସ୍ତତଃ ଅଥଚ ସ୍ପଷ୍ଟ ପ୍ରତିବିମ୍ବ। ତାଙ୍କ ମୁଁହରୁ ବାହାରି ଗଲା, "ଆଉ ଲଭ୍ ୟୁ ସୁନୈନା।" ତାପରେ କେହି କାହାକୁ କିଛିବି ନକହିବା ଭିତରେ କିଛି ଟିକେ ଅକୁହା ରହିଲା ନାହିଁ।
ଚାହୁଁ ଚାହୁଁ ବର୍ଷଟିଏ ବିତିଗଲା ମାସଟିଏ ପରି। ସମ୍ପର୍କର ସାହାରା ମିଳିଗଲେ ଦୃତ ହେଇଯାଏ ସମୟର ଗତି। ସୁନୟନା ବିଜନଙ୍କ ହାତଧରି ପାଦ ଦେଲେ ବିଜନଙ୍କ ବାସଭବନରେ।ଖାଁଖାଁ ଲାଗୁଥିବା ଘରର ନିରାବତାକୁ ଆଡେଇଦେଇ ରୁଣୁଝୁଣ୍ ହେଲା ସୁନୟନାଙ୍କ ପାଦ ପାଉଁଜି ଝୁମକା ର ଶବ୍ଦ। ତାପରେ ପରେ ଝିଅ ଝୁମୁରି ଆଉ ପୁଅ ଇଶାନ୍ତଙ୍କ ହସ ଖେଳ ଓ ଅଳି ଅର୍ଦଳିରେ ମୁଖରିତ ହେଇ ଉଠିଲା ବିଜନଙ୍କ ବାସଭବନ। ଦୀର୍ଘ ଚାଳିଷ ବର୍ଷର ବିବାହିତ ଜୀବନରେ ବିଜନଙ୍କୁ ଭଲପାଇବାରେ ଓ ସେବାକରିବାରେ ତିଳେ ମାତ୍ର ଅବହେଳା ପ୍ରଦର୍ଶନ କରିନାହାଁନ୍ତି ସୁନୟନା। ବିଜନ ବାବୁଙ୍କ ପ୍ରତିଟି ସୁଖଦୁଃଖକୁ ମାନି ନେଇଛନ୍ତି ଜୀବନର ବ୍ରତ ବୋଲି। କେହି କାହାର ଦୋଷତ୍ରୁଟି ବାଛିବାର ପ୍ରଚେଷ୍ଟା କରି ନାହାଁନ୍ତି କେବେ। ମାତ୍ର ;ସେଦିନର ସେହି ଶିତ ସକାଳ ପରେ ଏମିତି ସକାଳଟେ ନାହିଁ,ଯେଉଁଦିବ ବିଜନ ବାବୁଙ୍କ ଆଖି ଝରକାର ରେଲିଂ ସେପଟକୁ ଫିଙ୍ଗି ଦେଇ ନାହାଁନ୍ତି ତାଙ୍କର ସେଇ ଖୋଜିଲା ଖୋଜିଲା ଆଖି ଦୁଇଟିକୁ।
ପ୍ରତିଥର ଦୃଷ୍ଟି ତାଙ୍କର ଫେରି ଆସିଛି ତାଙ୍କ ନିଜ ପାଖକୁ ବ୍ୟର୍ଥ ମନୋରଥ ନେଇ। କ୍ଷଣିକ ପାଈଁ ହେଉପଛେ ଏମିତି ଲାଗିଛି ତାଙ୍କୁ ଯେମିତି ସେ ହାତ ପାହାନ୍ତିରେ ପାଇସାରି ହଜେଇ ଦେଇଛନ୍ତି ଜୀବନର ପ୍ରଥମ ପ୍ରେମକୁ।
ଚା'କପ୍ ନେବାକୁ ଆସି ସୁନୟନା ପଚାରିଲେ,"କ'ଣ ହେଲାକି, ଚା ପିଇଲନି ଯେ?" ବିଜନ ବାବୁ ପ୍ରକୃତିସ୍ତ ହେବା ପୁର୍ବରୁ ତାଙ୍କ ଅଜାଣତରେ ତାଙ୍କ ଓଠରୁ ସ୍ୱତଃସ୍ଫୁର୍ତ ଊତ୍ତରଟେ ବାହାରିଗଲା, "ଆଇ ଲଭ୍ ୟୁ ସୁନୟନା"। ସୁନୟନା ଅଳ୍ପ ଲାଜେଇ ଗଲେ, ଯେମିତି ଲାଜେଇ ଯାଇଥିଲେ ସେଦିନ ସେଇ କାକର ଭିଜା ଶିତ ସକାଳରେ ।।
======ମିଟୁ=======
ରଚନା:ବିନୟ ଭୂଷଣ ପାଣିଗ୍ରାହୀ
9438670120/9937548431