Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Inspirational

4  

Amiya Bej

Inspirational

ମୁହୂର୍ତ୍ତକ କଥା

ମୁହୂର୍ତ୍ତକ କଥା

4 mins
15K


{୧}

- "ନିପଟ ମଫସଲର ବ୍ରାହ୍ମଣ ଝିଅ ସହ ଗରିବ ଅଜାତି ପୁଅର ପ୍ରେମ ହୋଇଗଲା ପରି , ରିଲେସନ୍ ଆମର ନୁହେଁ ମଂଥନ୍ !"

- "ହ୍ୱାର୍ଟ ?"

- "ହଁ ! ଏଇ ଟିସିଏସ୍ ରୁ ଆରମ୍ଭ ଆମ ଲଭ୍ ଷ୍ଟୋରୀ । ସମାନ ପ୍ରଫେସନ୍ ବୋଲି , ବେଶୀ ଆଗ୍ରହକୁ ଅସ୍ୱୀକାର କରିହେବନି । ଅସ୍ୱୀକାର ତ଼ ମୁଁ ଆମ ପ୍ରେମକୁ ବି କରୁନି । କିନ୍ତୁ .."

- "କିନ୍ତୁ ?"

- "କିନ୍ତୁ ତୁମେ ମୋତେ ଟିସିଏସ୍ ଜବ୍ ଛାଡ଼ିବାକୁ କହିପାରୁଛ ?"

- "ବୁଝ ସାନା । ଲଭ୍ ଆଉ ମ୍ୟାରେଜ୍ , ଦୁଇଟା ଅଲଗା । ପ୍ରେମ ଦି'ଜଣକୁ ହୋଇଯାଏ । ବିବାହ ବେଳେ କିନ୍ତୁ ଆଉମାନେ ଯୋଡି ହୁଅନ୍ତି ଆସି। ତୁମେ ମୋ' ପସନ୍ଦ । ମୋ' ପସନ୍ଦରେ ଆମ ଘରଲୋକଙ୍କ ପସନ୍ଦ । କିନ୍ତୁ ଆବଶ୍ୟକ ନ ଥାଇ , ଅଯଥାରେ ଝିଅର ଚାକିରୀ କରିବାରେ ସମସ୍ତଙ୍କ ଅପସନ୍ଦ । ଢେର ଜବ୍ ତ କଲଣି । ଏଥର ବିଶ୍ରାମ ନିଅ । ସବୁ ଅଛି ଆମ ପାଖରେ । କେବଳ ସମୟ ନାହିଁ ଯାହା । ସୁଖ ସଂସାର , ପିଲାପିଲି ଆଦିକୁ ତ଼ ସମ୍ଭାଳି ବାକୁ ହେବ ତୁମକୁ ?"

- "କଣ କହିଲ ? ଅଯଥା ? ୟେ' କି ମେଣ୍ଟାଲିଟି ମଂଥନ୍ ? ବାହାଘର କଥା ଆସିଲେ ପୁଅ ମାନଙ୍କୁ ରେସ୍ପନ୍ସିବିଲିଟିଜ୍ ମନେପଡେ ! ସମୟ ପଡିଗଲେ , ଝିଅଟି କେବଳ ପିଲା ପାଳିବାର ମେସିନ୍ ପରି ଲାଗେ ସମସ୍ତଙ୍କୁ ?ସେଇଟା ନାରୀର ଅସହାୟତା ନୁହଁ , ବରଂ ନାରୀ ପାଇଁ ପୁରୁଷଟେ' ବାପା ହେବାର ଅଧିକାରଟେ ପାଏ ବୋଲି ଭୁଲିଯାଉଛ କାହିଁକି ?"

- "ସାନା !!"

- "ଷ୍ଟପ୍ ମଂଥନ ! କଣ୍ଡିସନାଲ୍ ପ୍ରେମ , ପ୍ରେମ ନୁହେଁ । ସମୟ ଆଉରି ନେଇ ଚିନ୍ତା କର ।"

{୨}

ମାମା କୁହେ -

"ପୁରୁଷ , ସବୁବେଳେ ଉପରେ ଚଢି ରହିବାର ମନୋବୃତ୍ତିଟେ' ରଖିଥାଏ ।

ଇଛା ହେଲେ ନଚାଇବ , ଇଛା ହେଲେ ଶୁଆଇବ !

ପରଭୋଜୀ ବୋଲି ମନେ କରି କରି ଅନେକ ନାରୀ ଅସହାୟା ହୋଇପଡନ୍ତି । 

ଏତିକି ଜାଣିଥା , ଭଗବାନ କେବଳ ନାରୀ କାନ୍ଧରେ ବଳ ଦେବାରେ ଟିକେ ଉଣା କରିଛନ୍ତି ଯାହା । କିନ୍ତୁ ମୁଣ୍ଡରେ ପ୍ରଖର ବୁଦ୍ଧି ଦେଇଥାନ୍ତି ।ଖାଲି , ଅନ୍ଧାରରେ ନିଜକୁ ସମ୍ଭାଳିବା ଶିଖିନେ ! କାରଣ ଆଲୁଅକୁ ପୁରୁଷର ଭାରି ଭୟ ।"

ମାମା ସବୁବେଳେ ଏଇପରି । ସେ ଅସ୍ୱୀକାର କରେ , ନାରୀ ପୁରୁଷର ତଳେ ବୋଲି ! ତା'କୁ ବି ସେ' ସେଇପରି ଗଢିଛି । ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ । ଡରିଯିବା କି ହାରିଯିବାକୁ ଘୃଣା ବେଶ୍ ମାମାର । 

ଦାମନଯୋଡି ପରି ରିମୋର୍ଟ୍ ଏରିଆରେ , ଏକୁଟିଆ ରହି ଶିକ୍ଷକତା ସାଙ୍ଗକୁ , ସାନାକୁ ବି ବଡକରିଛି ।

ବାବା ବାଲେଶ୍ୱରରେ ତାଙ୍କ ଅଫିସକୁ ନେଇ । ମାମା କୁହେ -

- "ଦୁନିଆଁଯାକର ସ୍ତ୍ରୀ ଚାହାଁନ୍ତି , ସ୍ୱାମୀ ପାଖରେ ରହିବାକୁ । କିନ୍ତୁ ଇଚ୍ଛା ତ ବାଧ୍ୟବାଧକତା ନୁହଁ ।"

ସ୍ୱାମୀ ସ୍ତ୍ରୀଙ୍କର କର୍ମଭୂମି ଭିନ୍ନ ହେଲେ ପରିବାର ଭାଙ୍ଗିଯାଏ । ତା'କୁ ଚ୍ୟାଲେଞ୍ଜ ଖୁବ୍ କମ୍ ସ୍ତ୍ରୀ ଲୋକ କରିପାରନ୍ତି । ମାମା ନିଜ କାମ ନିଜେ ବେଶ୍ କରି ନିଏ । ବାବାଙ୍କୁ ଅପେକ୍ଷା କରେନି କେଉଁଥିରେ । ଏମିତିକି ସେ ବାବାଙ୍କୁ ଝୁରିହୁଏନି ବି । କୁହେ -

- "ଯା'କୁ ବେଶି ମନେ ପକେଇବ , ସେ ଦିନେ ସେତେ ଦୁରେଇଯିବ !"

ଏଇପରି ଏକ ଦୃଢଶକ୍ତ ମହିଳାର ଝିଅ ସାନା । ମଂଥନର ଚାକିରୀ ଛାଡିଦେବା ପ୍ରସ୍ତାବରେ ସେ ପ୍ରତିକ୍ରିୟାଶୀଳ ହୋଇଯିବା ସ୍ୱାଭାବିକ କଥା ।

{୩}

-" କ'ଣ ଚିନ୍ତାକଲ ? ଫୋନ୍ ବି ଆଉ କରୁନ ଯେ' ?"

- "ନାଇଁ ! ବିଜି ସିଡ୍ୟୁଲ୍ ଜାଣିଛ ।"

- "ଓକେ । ଟେକ୍ ୟୋର୍ ଟାଇମ୍ ମଂଥନ । ଲଭ୍ ୟୁ" 

- "ମି ଠୁ ।"

{୪}

ଛୁଟି ହେଲେ ବାବା ଚାଲିଆସନ୍ତି ଦାମନଯୋଡି । ସବୁକାମ ଛାଡ଼ି ମାମା ଆଗ ବାବାଙ୍କ କଥା ବୁଝେ । ସାନା ଘରେ ଥିଲାବେଳେ ଆଶ୍ଚର୍ଯ୍ୟ ହୁଏ !

ଇୟେ ସେଇ ମାମା , ଯେ ସବୁବେଳେ ଦାୟିତ୍ୱହୀନ କହି ବାବାଙ୍କୁ ଗାଳି କରୁଥାଏ ? ବେଳେବେଳେ ମାମା ସବୁକିଛି ବନ୍ଦବାନ୍ଦ କରି , ସାନାକୁ ଧରି ଚାଲିଯାଏ ବାବାଙ୍କ ପାଖକୁ । 

ଏଇମିତି ଚାଲେ କର୍ମଜୀବି ଜୀବନ । ଏଇସବୁ ଦେଖି ଦେଖି ସାନା ଛୋଟରୁ ବଡ ହୋଇଛି । 

ମାମା ତା'ପ୍ରତି ଯେତେ ଆକଟ କରେ , ବାବା ସେତିକି କୋହଳ । ଭଲଲାଗନ୍ତି ବାବା ବେଶି ।

ହଷ୍ଟେଲରେ ରହିବାପରେ , ବେଳେବେଳେ ଛୁଟିହେଲେ , ଏକୁଟିଆ ଚାଲିଯାଏ ସାନା । ବାବା ଖୁସିରେ ଦୁଇଘେରା ବୁଲିଯା'ନ୍ତି ତାକୁ ଦେଖି । ଏଇ ପିଲାଳିଆମି ଖୁବ୍ ଭଲଲାଗେ ତାକୁ । ଖୁବ୍ ପରିଶ୍ରମ କରି ସଜାଡିଦିଏ ସେ ତା' ଅସଜଡା ହୋଇପଡ଼ିଥିବା ବାବାଙ୍କୁ । ମାମା କହେ -

- "ତୁମର ଏଇ ମାତ୍ରାଧିକ ଶ୍ରଦ୍ଧାରେ ବିଗିଡିଯିବ ଝିଅ ।"

- "ଝିଅ କିଏ ? ସେ ତ ମୋ' କଣ୍ଢେଇ । ବିଗୁଡୁ ଯେତେ । ସଜାଡି ଦେବିନି ।"

- "ପହିଲି ବାପ ତୁମେ , ଯେ ପିଲାର ବିଗିଡାପଣ ଦେଖି ଅଚିନ୍ତାରେ ଅଛ ।"

- "ହା ହା ! ତୁମେ କିନ୍ତୁ ଜଣେ ତଥାକଥିତ ମା' ଠାରୁ ଭିନ୍ନ କିଛି ପହିଲି ମା' ଟେ ହେଇପାରିଲନି ।"

ବାବାଙ୍କ ପାଖରେ ଥାଏ ସବୁ ସମସ୍ୟାର ସମାଧାନ । ଅଡୁଆରେ ପଡିଲେ ବାବା ଭାରି ମନେପଡ଼ନ୍ତି । ମଂଥନର ପ୍ରସ୍ତାବକୁ ନେଇ ଢେର୍ ଅବସାଦ ଭିତରେ ରହୁଥିଲା ସାନା । ବାବାହିଁ କେବଳ ବତାଇବେ ସଫଳ ସରଳ ସମାଧାନ ।

{୫}

କ୍ରିସମାସ୍ ଛୁଟିରେ , ମାମାକୁ ବାଲେଶ୍ୱର ଆସିବାକୁ କହି , ସିଧା ଟ୍ରେନ୍ ଧରିଲା ବାବାଙ୍କ ପାଖକୁ ସାନା । ସବୁଥର ପରି ବାବା ଘେରାଏ ନାଚିଗଲେ ଖୁସିରେ । ଯଦିଓ ଭଲପାଇବା କଥା କିଛି ମାମାକୁ

ଜଣାଇଥିଲା , କିନ୍ତୁ ବାବାଙ୍କୁ କହିପାରିନଥିଲା ଆଗରୁ । ସଜଡ଼ା ସଜଡି କରୁକରୁ ରାତି ହେଲା । ଶୋଇଯାଇଥିଲା ସାନା ଥକ୍କା ହୋଇ ।

ମଝି ରାତିରେ ନିଦ ଭାଙ୍ଗିବାରୁ , ଦେଖିଲା ବାବା ବସିଛନ୍ତି ବାଲ୍କୋନିରେ ।

- "ବାବା ! ଏତେ ଥଣ୍ଡାରେ , ତୁମେ ଏଇଠି ?"

- "ଆଁଆଁ ! ହଁ ନିଦ ଆସୁନି ।"

- "ଦେହ କଣ ହେଲା କି ?"

- "ନାଇଁ "

- "ଆଉ ? ପାଣି ଦେବି ?"

- "ମନେପଡ଼ୁଛି ସେ ! ସେଇ ଦୂର ଆକାଶରେ ଖୋଜୁଛି ତା'କୁ ।"

- "କିଏ ? କାହାକୁ ?"

- "ତୋ' ମାମାକୁ । ବ୍ୟସ୍ତ ହେନା । ୟେ' ମୋର ସବୁଦିନିଆ ବଦଭ୍ୟାସ । ମୁଁ ଶୋଇପାରେନି । ତା'ର ଏଇ ଅଲଗା ରହିବାଟା ମୋତେ କେମିତି ଅଭିଶପ୍ତ କରି ପକାଇଛି ।"

- "କହୁନ ମାମାକୁ ଚାକିରି ଛାଡି ଆସିଯିବ ଏଠାକୁ ?"

- "ହଁ ହଁ ! ଏଇଥର ନିଶ୍ଚୟ କହିବି । ତୁ ଯା' ଶୋଇପଡ ଏଥର ।"

ଚୁରମାର୍ ହୋଇସାରିଥିଲା ସାନା ଭିତରର ନିଜ ପରିବାରକୁ ନେଇ ଦମ୍ଭସବୁ । ନାରୀନୁହେଁ , ପୁରୁଷର ଥାଏ ବେଶି ଅଭାବବୋଧ !!!

{୬}

- "ମଂଥନ ! ହ୍ୟାଲୋ ! ଶୋଇଗଲଣି କି ନିଦରେ ?"

- "ସାନା ! ଏତେ ରାତିରେ ? ଘରେ ଭଲତ ?"

- "ହଁ ମଂଥନ ! ମୁଁ କିନ୍ତୁ ଭଲନାହିଁ ।"

- "ହ୍ୱାର୍ଟ ?"

- "ଆଇଏମ୍ ଗୋଇଂ ଟୁ କୁଇଟ୍ !"

- "ହ୍ୱାର୍ଟ ?"

- "ହଁ ମୁଁ ଜବ୍ ଛାଡିଦେବି । ତୁମେ ଘରେ କହିଦିଅ ।"

- "ହ୍ୱାର୍ଟ ?"

- "ହଁ ପ୍ରେମରେ ମୁହୂର୍ତ୍ତଟେ ବି ଗୁରୁତ୍ୱପୂର୍ଣ୍ଣ । ମୁଁ ମୁହୂର୍ତ୍ତକ ପାଇଁ ତୁମଠୁଁ ଅଲଗା ହୋଇପାରିବିନି

ମଂଥନ ।"

- "ହ୍ୱାର୍ଟ ? ସାନା ! ହ୍ୟାଲୋ ! ହ୍ୟାଲୋ ସାନା ....."

❀ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ❀


Rate this content
Log in

Similar oriya story from Inspirational