Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Tragedy Inspirational

4.3  

Rama Chandra Padhi

Tragedy Inspirational

ଅଭିଶପ୍ତ ଅହଲ୍ୟା

ଅଭିଶପ୍ତ ଅହଲ୍ୟା

8 mins
700


ବାରିପଟ ବୁଢ଼ା ଆମ୍ବଗଛ ଛାଇ ତଳେ ରଙ୍ଗବେରଙ୍ଗ ଫୁଲ ପତ୍ରରେ ସଜା ହୋଇଥାଏ ବାହାବେଦି। କୁନିକୁନି ଓଠର ହୁଳହୁଳି ରେ କମ୍ପି ଉଠୁଥାଏ ଚାରିଦିଗ। ଲାଲ ଚିକିମିକି ଶାଢ଼ୀ ଓଢଣୀ ଭିତରୁ ହଳଦୀ ଲଗା କନ୍ୟାର ମୁହଁ ଟି ରାତିର ଚନ୍ଦ୍ରମା ପରି ସୁନେଲି ରଙ୍ଗରେ ଚମକୁ ଥାଏ। ମଥାରେ କୁଂକୁମ, ମୁଣ୍ଡରେ ମୁକୁଟ, ପାଦରେ ପାଉଁଛି ପିନ୍ଧି ମାଟି କୁଣ୍ଢେଇଟି ଲାଗୁଥିଲା ସତେ ଯେପରି କୌଣସି ଏକ ପରୀ ରାଇଜର ଜୀବନ୍ତ ରାଜକୁମାରୀ ଭଳି। ଅନ୍ୟ ଏକ କୁଣ୍ଢେଇ ବର ବେଶରେ ସଜେଇ ହୋଇ ବ୍ୟାକୁଳ ହୋଇ ଅପେକ୍ଷା କରିଥାଏ ସାତ ଜନ୍ମର ସାଥି, ନିଜ ନବ ବିବାହିତ ସ୍ତ୍ରୀ କୁ ସାଥି କରି ନେଇଯିବ ଜହ୍ନ ରାଇଜକୁ। ସୁନେଲି ଜୋତ୍ସ୍ନା ର ବର୍ଷା ରେ ସୁନେହେରା କରିଦେବ ତା ଦୁନିଆଁ। ବାହାଘର ସରିଯାଇଥାଏ, ଧାଡିରେ ପଣସ ପତ୍ର ପାରି ଛୋଟ ମାଟି ପାତ୍ର, ନଡ଼ିଆ ଖୋଳୋପା ରେ ବାଲି, ଗୋଡି, ତେନ୍ତୁଳି ପତ୍ରର ପ୍ରସ୍ତୁତ ମିଛି ମିଛିକା ଭାତ, ଡାଲି, ଖଟା କୁ ଅହଲ୍ୟା ବାଢିବା ଆରମ୍ଭ କରୁ କରୁ କୁଆଡେ ଥିଲା ବୋଉ କାନ୍ଦି କାନ୍ଦି ଆସି ପହଞ୍ଚି ଗଲା। 


ତୋର ସଂସାର ଗଢିବା ଆଗରୁ ଉଜୁଡି ଗଲା ଲୋ ଅହଲ୍ୟା, ତୋ ସ୍ୱାମୀ ତୋତେ ବିଧବା କରି ଏ ସଂସାରରୁ ସବୁ ଦିନ ପାଇଁ ଚାଲିଗଲା।


ପଛକୁ ଚାହିଁବା ଆଗରୁ ବୋଉ ଅହଲ୍ୟା ର ହାତକୁ ଧରି ଭିଡିନେଇଗଲା ଘର ଆଡକୁ। ତରବର ହୋଇ ଗୋଟିଏ ହାତ ରେ ମାଟିର ବର କନ୍ୟା ଙ୍କୁ ଉଠେଇବା ବେଳେ ବର କଣ୍ଢେଇ ଅହଲ୍ୟା ହାତରୁ ଖସିପଡି ଭାଙ୍ଗି ଗୁଣ୍ଡ ହୋଇଗଲା। କଇଁକଇଁ ହୋଇ କାନ୍ଦି ଉଠିଲା ଅହଲ୍ୟା। ସ୍ୱାମୀର ମୃତ୍ୟୁ ଖବର ଠୁ ମାଟି କଣ୍ଢେଇ ଭାଙ୍ଗିଯିବାର ଯନ୍ତ୍ରଣା ଅଧିକ କଷ୍ଟ ଦାୟକ ଥିଲା ବାର ବର୍ଷର ଅହଲ୍ୟା ପାଇଁ। ସ୍ୱାମୀର ମୃତ୍ୟୁ ତା ଅବଶିଷ୍ଟ ଜୀବନ କୁ ପ୍ରଭାବିତ କରିବ ସେ ସେତେବେଳେ ଜାଣିନଥିଲା। କିନ୍ତୁ ଏତିକି ବୁଝିଥିଲା କୁଣ୍ଢେଇ ଭାଙ୍ଗିଯିବା ଦ୍ୱାରା ତା ଖେଳ ବନ୍ଦ ହୋଇଯିବ। 


ବାରଣ୍ଡା ଉପରେ ଆସନରେ ବସିଥିବା ଶଶୁର, ଦେଢଶୁର ମୁହଁରେ ଶୋକର ଛାୟା ଖେଳି ରହିଥିଲା। ଡାହୁକ ପରି ଚୁପଚାପ ଚାରିପଟେ ଘେରି ସେମାନଙ୍କୁ ଚାହିଁରହିଥାନ୍ତି ଗାଁ ର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ତା ବାପା। ଲାଗୁଥିଲା ଯେମିତି ସେମାନଙ୍କ ପାଖରେ ନୀରବତାର ଆକ୍ରମଣ କୁ ପ୍ରତିରୋଧ କରିବାକୁ ଶକ୍ତି ନାହିଁ। କେବଳ ମଝିରେ ମଝିରେ ସାହସ କରି ଭାସି ଆସୁଥାଏ ଦାଣ୍ଡ ମଝିରୁ ଶଗଡ଼ ରେ ବନ୍ଧା ଯାଇଥିବା ବଳଦ ମାନଙ୍କ ବେକର ଘଣ୍ଟିର ଧ୍ବନି।


ଦେଖୁନ ସମୁନ୍ଦି ଖବର ଶୁଣି କେମିତି ମୋ ଝିଅ ମୁଣ୍ଡ ପିଟି କାନ୍ଦୁଛି। ମୋର ଗୋଟେ ବୋଲି ଝିଅ କେଡେ ଗେଲବସର ରେ ବଢେଇଥିଲି, ହେଲେ ଭଗବାନ ଏ କି କଠୋର ଦଣ୍ଡ ଦେଲେ। ବୋଉର ଛାତିଫଟା କାନ୍ଦ, ସ୍ଥାଣୁ ପ୍ରାୟ ପାଲଟି ଯାଇଥିବା ସେମାନଙ୍କ ଶରୀରରେ କିଛି କ୍ଷଣ ପାଇଁ ହଲଚଲ ସୃଷ୍ଟି କରିଥିଲା। ବାପାଙ୍କ ଇଶାରା ପାଇ ବୋଉ ଅହଲ୍ୟା କୁ ଘର ଭିତରକୁ ନେଇଗଲା।


ଘଟଣା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରି ବି ବାରମ୍ବାର ଅସମର୍ଥ ହେଉଥାଏ ଅହଲ୍ୟାର କୋମଳ ମତିଷ୍କ। ତା'ର କେବଳ ଏତିକି ମନେ ପଡୁଥାଏ, ପ୍ରତିଦିନ ସେ ବାରି ପଛରେ ବର କନିଆଁ ଖେଳ ଖେଳିବା ଭଳି ଛ ମାସ ଆଗରୁ ବାପା ସେମିତି ଏକ ଖେଳ ଖେଳିଥିଲେ। ଘର ଆଗରେ ସତସତିକା ବେଦି ଉପରେ ସଜା ହେଇଥିଲା ରଙ୍ଗ ବେରଙ୍ଗ କନାରେ ତିଆରି ସୁନ୍ଦର ତୋରଣ। ବାଜା ପେଙ୍କାଳି ଧ୍ୱନିରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ। ବନ୍ଧୁ ସମ୍ପର୍କୀୟ ଙ୍କ କୋଳାହଳରେ ନାଚୁଥିଲା ଘର ଅଗଣା। ନାନାଦି ପ୍ରକାର ମିଠା, ଭୋଜି ଭତରେ ଭାସୁଥିଲା ଘର ଭିତର। ମାଟିର କଣ୍ଢେଇ ଜାଗାରେ ତାକୁ ବଧୁ ବେଶରେ ସଜେଇ ଦେଇ ବୋଉ ବସେଇ ଦେଇଥିଲା ବେଦି ଉପରେ। ବର ରୂପେ ସଜେଇ ହୋଇ ଆସିଥିଲା ପାଖ ଗାଁ ର ଜମିଦାର ଘର ପୁଅ ଶଙ୍କର।  


ସମସ୍ତଙ୍କ ବିବାହ ନିର୍ଦ୍ଧାରଣ ହୁଏ ଜନ୍ମ ହେବା ପରେ ହେଲେ ଅହଲ୍ୟାର ବିବାହ ନିର୍ଦ୍ଧାରିତ ହୋଇଯାଇଥିଲା ଜନ୍ମ ହେବା ପୂର୍ବରୁ ଯେତେବେଳେ ସେ ମା ପେଟରେ ଥିଲା। ଶଙ୍କର ବାପା ଅହଲ୍ୟା ବାପା ଦୁଇଜଣ ସ୍ୱାଧୀନତା ସଂଗ୍ରାମୀ ଓ ଭଲ ବନ୍ଧୁ ଥିଲେ। ଜେଲ ରେ ଥିବା ବେଳେ ସେମାନେ ବନ୍ଧୁତାକୁ ଏକ ନୁଆଁ ସମ୍ପର୍କର ରୂପ ଦେବାକୁ ନିର୍ଣ୍ଣୟ ନେଇଥିଲେ। ପରିଣାମ ସ୍ୱରୂପ ଉତ୍ତରାଧିକାରୀ ରୂପେ ଅହଲ୍ୟା କୁ ମିଳିଥିଲା ଅଭିଶପ୍ତ ଜୀବନ।  


ଘର ଭିତରେ ବୋଉ ତା ହାତର ଚୁଡି, ମଥାର ସିନ୍ଦୂର କୁ ପୋଛିଦେଇ ଦେହରେ ଧଳା ଲୁଗାଟିଏ ଗୁଡେଇ ଦେଲା।ବାହୁନେଇ କାନ୍ଦି କାନ୍ଦି ନେଇ ବସେଇ ଦେଲା ଶଗଡ଼ ଉପରେ। ଗାଁରେ ଯେବେ ବି କେହି ଶଗଡ଼ରେ ବସିଛି, ସଜେଇ ହୋଇ ନୁଆଁ ରଙ୍ଗ ବେରଙ୍ଗର ଲୁଗା ପିନ୍ଧି ବସିଛି। ହେଲେ କାହିଁକି ବୋଉ ତାକୁ ଏମିତି ଏକ ରଙ୍ଗହୀନ ଲୁଗା ପିନ୍ଧେଇ ଆଣିଲା? ଥରଟିଏ ଭଲରେ ଦେଖି ନ ଥିବା ଶଙ୍କର ପାଇଁ କ'ଣ ସେ ସାରା ଜୀବନ ଶଙ୍ଖା, ଚୂଡି, ସିନ୍ଦୂରଠୁ ଦୁରେଇ ରହିବ? ଅତି ଗେଲ୍ହା ରେ ପାଳିଥିବା ବାପା କାହିଁକି ଏ ଅଜଣା ମଣିଷଙ୍କ ହାତକୁ ମୋତେ ଟେକିଦେଲେ? ଜାଣି ହେଉନି ବାପା ପୁଣି ଏ କି ଖେଳ ଖେଳୁଛନ୍ତି ତା ସାଙ୍ଗେ? ତା ମନରେ ଉଙ୍କି ମାରୁଥିବା ଏମିତି ଅନେକ ପ୍ରଶ୍ନ ର ଉତ୍ତର ହାତରେ ଧରିଥିବା ମାଟି କୁଣ୍ଢେଇ କୁ ପଚାରୁ ଥାଏ ଅହଲ୍ୟା। ସମୟର ଗତି ସହ ତାଳ ଦେଇ ଶଗଡ଼ ପହଁଚି ଯାଇଥିଲା ଅଜଣା ଏକ ଜାଗାରେ। ଯୋଉଠି ଭବିଷ୍ୟତର ଗର୍ଭରେ ସାଇତା ହୋଇ ରହିଥିଲା ତା ମନରେ ଉଠିଥିବା ପ୍ରତ୍ୟେକ ଟି ପ୍ରଶ୍ନର ଉତ୍ତର।  


ସେଦିନର ସେହି ଧଳା ଲୁଗାଟି କେବଳ ଯେ ଘୋଡେଇ ଦେଇନଥିଲେ ତା ଶୈଶବ ର ଚପଳତାକୁ, ତାରି ଭିତରେ ଲୁଚି ଯାଇଥିଲା ତା ଯୌବନର ପ୍ରତ୍ୟେକଟି ଫଗୁଣ। ଛଟପଟ ହେଉଥିଲା ତା ମନର ଅସୁମାରୀ ସ୍ବପ୍ନ, ରଙ୍ଗହୀନ କରିଦେଇଥିଲା ତା ଅବଶିଷ୍ଟ ଜୀବନ। ନିଷ୍ପାପ ମଣିଷ ଟି ପାଲଟି ଯାଇଥିଲା ଅଭିଶପ୍ତ। ବାସନ୍ଦ ହୋଇଯାଇଥିଲା ସମାଜର ପ୍ରତ୍ୟେକ ଟି ମାଙ୍ଗଳିକ କାର୍ଯ୍ୟ ଠାରୁ। ବିବାହ ପର୍ବପର୍ବାଣି ଉତ୍ସବ ରେ ସାମିଲ ହେବାକୁ ତା ପାଇଁ କଟକଣା ଲାଗିଯାଇଥିଲା। ପଞ୍ଜୁରୀ ଶାରୀ ଭଳି ଚାରି କାନ୍ଥ ଭିତରେ ବନ୍ଦୀ ହୋଇଯାଇଥିଲା ତା ସଂସାର। ଜୀବନ ଥାଇ ବି ସେ ଅନ୍ୟମାନଙ୍କ ପାଇଁ ପାଲଟିଗଲା ପାଷାଣ ଠିକ ଅହଲ୍ୟା ଭଳି। ପ୍ରତିଟି କ୍ଷଣ ସେ ଅପେକ୍ଷା କରୁଥାଏ ଜଣେ ରାମଚନ୍ଦ୍ର କୁ ଯେ କି ତାକୁ ତାର ଏ ଅଭିଶପ୍ତ ଜୀବନ ରୁ ଉଦ୍ଧାର କରିବ। ମୃତ ପ୍ରାୟ ତା ଜୀବନରେ ପୁଣି ଥରେ ବଞ୍ଚିବାର ଆଶା ସଞ୍ଚାର କରିବ। ସକାଳୁ ସଞ୍ଜ ପାହିଯାଏ ପ୍ରତେକ ଦିନ ତାକୁ ନିରାଶା ହିଁ ମିଳେ। ପୁଣି ଏକ ଅନ୍ଧକାରମୟ ରାତି ତା ଜୀବନରେ ପ୍ରବେଶ କରେ। ଆଖିରେ ନିଦ ନଥାଇ ବି ସେ ଶେଯ ଉପରେ ଆଖି ବୁଜି ପଡି ରୁହେ ସୁନ୍ଦର ଏକ ସ୍ୱପ୍ନ ର କଳ୍ପନାରେ। ଦେଖୁ ଦେଖୁ ଷାଠିଏ ବର୍ଷ ବିତିଗଲା। 


ଏହି ଷାଠିଏ ବର୍ଷ ଭିତରେ ସେ ଭାଗ୍ୟର ଅନେକ ଖେଳ ଦେଖିଛି। କାଳର ଜ୍ୱାଳାରେ ପାଉଁଶ ହୋଇଯାଇଛନ୍ତି ଶାଶୁ, ଶଶୁର, ଯା, ଦେଢଶୁର। ଭବିଷ୍ୟତ କୁ ସୁଦୃଢ଼ କରିବା ଲକ୍ଷ୍ୟରେ ପୁତୁରା ତା ପରିବାର ସହ ଚାଲିଯାଇଛି ସହର। ଜୀବନ ରଙ୍ଗମଞ୍ଚରେ ସେ ଅଭିନୟ କରି ସାରିଛି ଅନେକ ରୂପରେ। ଝିଅ, ନାନୀ, ଭାଉଜ, ଖୁଡି ଡାକ ଠୁ ଆରମ୍ଭ କରି ଏବେ ଜେଜେମା ଡାକ ଶୁଣିଲାଣି। ହେଲେ ବୋଉ ଡାକରେ ଯୋଉ ଅତ୍ମୀୟତା ଥାଏ ସେ ସେହି ଅତ୍ମୀୟତା ଏସବୁ ଡାକରେ ପାଇନି। ଆଜିବି ତା ମନ ହୁଏ ଅତୀତକୁ ଫେରିଯାଇ ତା ବର୍ତ୍ତମାନ କୁ ସଜାଡି ଦେବ। ଅଶୁଭ, ଅଲକ୍ଷଣି ର ଦାଗ କୁ ଲିଭାଇ ଦେବ। ଅବଶିଷ୍ଟ ଜୀବନ ନିଜ ପୁଅ ବୋହୂ ନାତି ନାତୁଣୀ ଗହନ ରେ କାଟିବ। ହେଲେ ଏସବୁ କଥା ଭାବିବା ବର୍ତ୍ତମାନ ସମୟରେ ନିରର୍ଥକ। ସେ ଜନ୍ମରୁ ଅଭିଶପ୍ତ ଥିଲା ମୃତ୍ୟୁ ଯାଏ ଏ ଅଭିଶପ୍ତ ଜୀବନକୁ ତାକୁ ହିଁ କାଟିବାକୁ ପଡିବ। ଖଟ ଉପରେ କଡେଇ ଶୋଇ ମାଟି କଣ୍ଢେଇ କୁ ଦେଖି ଅହଲ୍ୟା ଭାବୁଥାଏ। ଚଷମା ତଳୁ ତା ସ୍ବପ୍ନ ସବୁ ଲୁହ ହୋଇ ବୋହିଯାଇ ହଜିଯାଉଥାଏ ଧଳା ଲୁଗା ଦେହରେ।  


ମା..., ଉଠନ୍ତୁ ଆପଣଙ୍କ ପାଇଁ ଚାହା ଆଣିଛି।


ନାତୁଣୀ ବୋହୂ ରୁପା ର ସ୍ୱର ଶୁଣି ସ୍ୱାଭାବିକ ହେଲା ଅହଲ୍ୟା। ଆଖିର ଲୁହକୁ ପୋଛି ବୁଲି ଚାହିଁଲା। ଅଦିନିଆ ଝଡରେ ଝଡିପଡିଥିବା ମଉଳା ଚମ୍ପାଟି ପରି ଧଳା ଶାଢ଼ୀ ପିନ୍ଧି ସାମ୍ନାରେ ଚୁପଚାପ ଚାହା କପ ଧରି ଠିଆ ହୋଇ ଥାଏ ଝିଅଟି। ଅହଲ୍ୟା ଚମକି ପଡିଲା। ଲାଗିଲା ପଚାଷ ବର୍ଷ ଆଗର ତା ନିଜ ପ୍ରତିବିମ୍ବ କୁ ସେ ଦେଖୁଛି। ଝରିବାକୁ ଉଦ୍ଧତ ହେଉଥିବା ଆଖିର ଲୁହକୁ ଚାପି ଦେଇ ସେ ଚାହା କପ ଟି ହାତରେ ଧରିଲା। କେବେଠୁ ଭୁଲି ଯାଇଥିବା ହସକୁ ରୁପା ତା ଶୁଷ୍କ ମଳିନ ଓଠରେ ଫୁଟେଇବାକୁ ଚେଷ୍ଟା କରି ନିରାଶ ହୋଇ ଫେରିଗଲା।   


ଆହା ନିୟତିର କି କଠୋର ଖେଳ। କେତେ ଆଶା, ସ୍ୱପ୍ନକୁ ଗଣ୍ଠିଳି କରି ସେ ବଧୁ ବେଶରେ ଆସିଥିଲା। ହେଲେ ବିଧିର ବିଧାନ ଥିଲା ଭିନ୍ନ। ବିବାହର ମାସେ ନ ପୁରୁଣୁ ଏକ ଦୁର୍ଘଟଣାରେ ସ୍ୱାମୀ କୁ ହରାଇଲା। ବଧୂ ବେଶରେ ଦେଖିଥିବା ସ୍ବପ୍ନ ସବୁ ସ୍ୱାମୀର ଜୁଇରେ ଜଳି ପୋଡି ପାଉଁଶ ହୋଇଗଲା।ଆଶା କରିଥିଲା ତା ଭବିଷ୍ୟତକୁ ଭରିଦେବ ଅସରନ୍ତି ସୁଖର ବର୍ଷା ରେ। ହେଲେ ଭାଗ୍ୟ ଆଣିଦେଲା ଲୁହର ବନ୍ୟା।ସମାଜର କୋଠର ରୀତିନୀତି ଏବଂ ଜମିଦାର ଘର ମର୍ଯ୍ୟାଦା ପରମ୍ପରା ଜାଲରେ ବାନ୍ଧି ହୋଇ ରହିଗଲା ଶଶୁର ଘର ଚାରି କାନ୍ଥ ଭିତରେ।


ମାସକ ପରେ ରୁପା ନଣନ୍ଦର ବିବାହ, ହେଲେ ତା ପାଇଁ ସେ ଉତ୍ସବ ରେ ସାମିଲି ହେବା ବାରଣ। ସେ କୁଆଡେ ଅଶୁଭ, ଅଭିଶପ୍ତ। ସେଥିପାଇଁ କିଛିଦିନ ପୂର୍ବରୁ ପୁତୁରା ଅତୀତ ହାତରେ ଭବିଷ୍ୟତ କୁ ଟେକିଦେଇ ଚାଲିଯାଇଛି। ସମୟ ସ୍ରୋତରେ ମୁକ୍ତିର ଆଶା ଅପେକ୍ଷାରେ କ୍ଷୟ ହୋଇଯାଉଥିବା ପାଷାଣ ଅହଲ୍ୟା ଉପରେ ଲଦି ଦେଇଛି ଅନ୍ୟ ଏକ ବିଶାଳକାୟ ରୁପା ନାମକ ପାଷାଣର ଭାର। ସେ ବୃଦ୍ଧା, ଦୁର୍ବଳା କେମିତି ଏ ଭାର ଉଠେଇବ? ଲୋକେ କୁହନ୍ତି ସମୟ ସବୁବେଳେ ସମାଜରେ ପରିବର୍ତ୍ତନ ଆଣେ ହେଲେ କାଇଁ କିଛି ବି ତ ବଦଳିନି ନା ତ୍ରେତୟା ଯୁଗରେ ନା ଷାଠିଏ ବର୍ଷ ଆଗରୁ ନା ହିଁ ଆଜି। ଲାଗେ ଯେମିତି ପ୍ରତ୍ୟେକଟି ଅହଲ୍ୟା ଆଗରେ ସମୟ ସ୍ଥାଣୁ ପାଲଟି ଯାଇଛି। ଚା କପଟି ଧରି ମାଟି କଣ୍ଢେଇ କୁ ଚାହିଁ ଭାବୁଥାଏ ଅହଲ୍ୟା। 


ମା', କ'ଣ ଭାବୁଛନ୍ତି? ଚାହା ବା ଥଣ୍ଡା ହୋଇଗଲାଣି। ଗୁମାସ୍ତା ପୁଅ ପ୍ରକାଶ ର ପାଟି ଶୁଣି ସମାନ୍ୟବସ୍ଥାକୁ ଫେରିଲା ଅହଲ୍ୟା।


ପ୍ରକାଶ ସହରର ନାମୀ ଡାକ୍ତର। ଗାଁରେ ତାର ନିଜର ବୋଲି କେହି ନାହାନ୍ତି। କେବେଠୁ ବାପା ବୋଉ ଆରପାରିରେ। ହେଲେ ସେ ଅହଲ୍ୟା କୁ ନିଜ ମା ଠୁ ବି ଅଧିକ ସମ୍ମାନ ଦିଏ। ପ୍ରାୟତଃ ଅହଲ୍ୟା ର ଭଲମନ୍ଦ ବୁଝିବାକୁ ଗାଁ କୁ ଚାଲିଆସେ। ବାଧ୍ୟ କରେ ତା ସାଙ୍ଗେ ସହର ଯିବାକୁ ତା ପାଖରେ ରହିବାକୁ। ହେଲେ ପ୍ରତେକ ଥର ଅହଲ୍ୟା ବାହାନା କରି ମନା କରିଦିଏ। କ'ଣ କିଛି ଟଙ୍କା ତା ପଢାପଢି ପାଇଁ ସାହାଯ୍ୟ କରିଥିଲା ଯେ ତା ଉପରେ ବୋଝ ହେବ? ଯୋଉ ପୁତୁରା ସବୁ ସମ୍ପ୍ରତି ର ଉତ୍ତରାଧିକାରୀ ସେ ତ ଅଶୁଭ, ଅଲକ୍ଷଣି ଭାବି କେବେ ଡାକିଲା ନାହିଁ। ଜାଣିଶୁଣି ସେ କାହିଁକି ପ୍ରକାଶ ଘରେ ରହି ତା ଅନିଷ୍ଟ ହେବା ଦେଖିବ। 


ହେଲେ ରୁପା ଆସିବା ପରଠାରୁ ପ୍ରକାଶ ର ଯିବା ଆସିବା କରିବା ବଢି ଯାଇଛି। ପୂର୍ବରୁ ଅହଲ୍ୟା ର ଭଲମନ୍ଦ ଜାଣିବା ପାଇଁ ତା ହୃଦୟରେ ଯୋଉ ଉତ୍କଣ୍ଠା ଥିଲା ତାହା ବର୍ତ୍ତମାନ ବଦଳି ଯାଇଛି। କଥା ଆଳରେ ସେ ରୁପା କୁ ଖୋଜେ। ରୁପା ବିଷୟରେ ଜାଣିବାକୁ ଚେଷ୍ଠା କରେ। ବନ୍ଧୁଟିଏ ଭଳି ତା ପାଖକୁ ଯାଇ ହାତ ଧରି ସମବେଦନା ଜଣାଇବାକୁ ଚାହେଁ। ହେଲେ ଅହଲ୍ୟା ର ଉପସ୍ଥିତି ଯୋଗୁ କିଛି କହିପାରେନି। ପ୍ରକାଶ କୁ ଦେଖି ରୁପା ର ଆଖିରେ ଅଭିଶପ୍ତ ଜୀବନରୁ ମୁକି ପାଇବା ଆଶା ଅହଲ୍ୟା ଦେଖିଛି। ଛିଡି ଯାଇଥିବା ସ୍ବପର ମାଳି କୁ ତା ହୃଦୟ ଗୁନ୍ଥିବା ଆରମ୍ଭ କରିଦେଇଛି। ଅହଲ୍ୟା ସବୁ ଜାଣିବ ନ ଜାଣିବା ଭଳି ହୁଏ। ସେ ନିରୁପାୟ, ଜମିଦାର ଘରର ମର୍ଯ୍ୟାଦା କୁ କେମିତି ଟେକିଦେଵ ଗୁମାସ୍ତା ପୁଅ ହାତରେ। ଲୋକେ ଜାଣିଲେ କ'ଣ କହିବେ? ସମାଜ ଆଗରେ ସେ କି ମୁହଁ ଦେଖେଇବ? ସେ ହିଁ ତ ଜମିଦାର ପରିବାରର ବୟୋଜ୍ୟେଷ୍ଠ। ଏ ପରିବାର ମଯ୍ୟାଦା, ଗୌରବ କୁ ରକ୍ଷା କରିବା ତା କର୍ତ୍ତବ୍ୟ। ଏ ଦାୟିତ୍ୱ ପାଳନରୁ କେମିତି ସେ ବିମୁଖ ହେବ? ମଲା ପରେ କି ଉତ୍ତର ଦେବ ତା ପୂର୍ବପୁରୁଷ ମାନଙ୍କୁ? ଏମିତି ଅନେକ କଠିନ ପ୍ରଶ୍ନର ଜ୍ୱାଳା ରେ ବୋହି ପଡୁଥାଏ ତା ଦେହରୁ ଝାଳ। 


ସବୁଦିନ ପରି ସେ ଦିନ ବି ରୁପା ଚା ଦୁଇ କପ ଧରି ସେମାନଙ୍କ ପାଖେ ପହଁଚିଲା। ପଞ୍ଜୁରୀ ଛାଡି ପ୍ରକାଶ ର ହାତ ଧରି ନୀଳ ନିର୍ମଳ ଆକାଶରେ ଉଡିଯିବା ସ୍ୱପ୍ନକୁ ରୁପା ର ଆଖିରେ ଅହଲ୍ୟା ଦେଖିପାରୁଥିଲା। କିଛି କ୍ଷଣ ସେ ଦୁହିଁଙ୍କୁ ନିରେଖି ଚାହିଁ ନିଜ ଜାଗାରୁ ଉଠି ଚାଲିଗଲା ଆଲମାରୀ ପାଖକୁ। ଷାଠିଏ ବର୍ଷରୁ ସାଇତା ହୋଇ ରହିଥିବା ନାଲି ଚିକିମିକି କନା କୁ କାଢି ଗୁଡେଇ ଦେଲା କୁଣ୍ଢେଇ ଦେହରେ। ଫରୁଆ ରୁ ସିନ୍ଦୁର କାଢି ସଜେଇ ଦେଲା ତା ମଥାରେ। 


ଆଜି ଯାଏଁ ମୁଁ ଭାବୁଥିଲି, ମୋ ଭଳି ମୋ କଣ୍ଢେଇ ବି ବିଧବା ଜୀବନର ବେଦନାରେ ଜଳି ଜଳି ମାଟିରେ ମିଶିଯିବ.... ହେଲେ ମୁଁ ଭୁଲ ଥିଲି...ତା ପାଇଁ ଆଜି ଭଲ ଜୀବନ ସାଥି ଟିଏ ମିଳିଯାଇଛି ଆଉ ମୋ ରୁପା ପାଇଁ ବି। ଆଉ ତୁ ରୁପା କ'ଣ ଏ ଝାଉଁଳା ମୁହଁରେ ପ୍ରକାଶ ସାଙ୍ଗରେ ସଂସାର ଗଢିବୁ? ହସି ଦେ ମୋ ମା, ତୋ ଦୁଃଖର ଦିନ ସରିଲା। ଅହଲ୍ୟା ରୁପାର ହାତକୁ ପ୍ରକାଶ ହାତରେ ଧରେଇ ଦେଇ କହିଲା। ଚେଷ୍ଟା କରିବି ସେଦିନ ହସି ପାରିଲାନି ରୁପା। ଆଖିରୁ ଝରି ପଡୁଥିଲା ଲୁହର ବନ୍ୟା। ଲାଗୁଥିଲା ଯେମିତି ଶପଥ କରିଛି ଶେଷ ଲୁହର ବିନ୍ଦୁ କୁ ଅଜାଡି ଦେବ ସେଠାରେ।   


ଦେଖୁ ଦେଖୁ ଛ ବର୍ଷ ବିତିଗଲା। ଅହଲ୍ୟା ଦେଖିଥିବା ଶେଷ ସ୍ବପ୍ନ ବି ପୁରା ହୋଇଥିଲା ଅତୀତକୁ ଫେରି ଯାଇ ନୁହେଁ ରୁପାର ବର୍ତ୍ତମାନ କୁ ସଜାଡି। ମୃତ୍ୟୁ ପୂର୍ବର ଶେଷ ବର୍ଷ କିଛି ସେ ପୁଅ ବୋହୂ ନାତୁଣୀ ଗହଣ ରେ କାଟିଥିଲା। 


ସେଦିନ ଅହଲ୍ୟା ର ମୃତ୍ୟୁ ବାର୍ଷିକି ଥିଲା। ଫୁଲମାଳରେ ସଜା ଫୋଟୋ ତଳେ ଦୀପ ଟି ଜଳାଉ ଜଳାଉ ରୁପାର ଆଖିରୁ ଲୁହର ଧାର ବୋହିଯାଉଥିଲା। 


ପାପା ଦେଖ ମମି ର ଆଖିରୁ ଲୁହ ବୋହୁଛି। ଚାରିବର୍ଷ ର ଝିଅ ତପସ୍ୟା କହିଲା।  ଏହା ଲୁହ ନୁହେଁ ମା, ସମାଜ ଆଖିରେ ପାଲଟିଯାଇଥିବା ପରିତ୍ୟକ୍ତ ପାଷାଣ ଦେହରୁ ଝରିପଡୁଥିବା ସ୍ୱଚ୍ଛ ଝରଣା। ପ୍ରକାଶ ଝିଅର ମୁଣ୍ଡକୁ ଆଉଁସି ଦେଇ କହିଲା। 


ଦେଖ ରୁପା ମା କେମିତି ଆମକୁ ହସି ହସି ଆଶୀର୍ବାଦ କରୁଛନ୍ତି। ତାଙ୍କ ଆଗରେ ଏମିତି କାନ୍ଦିଲେ ତାଙ୍କୁ କଷ୍ଟ ହେବନି? ପ୍ରକାଶ କଥାରେ ରୁପା ଲୁହକୁ ପୋଛି ମୁରୁକି ହସି ଦେଲା। ପାଖ ଥାକରୁ ମାଟି କୁଣ୍ଢେଇ କୁ ଆଣି ସିନ୍ଦୁର ଅଳତା ରେ ସଜେଇ ଦେଇ ଭାବୁଥାଏ....


"ଆଜିର ଯୁଗରେ ଅହଲ୍ୟା ତାରଣ ପାଇଁ ରାମଚନ୍ଦ୍ର ଆସିବେ କି ନାହିଁ କେଜାଣି କିନ୍ତୁ ଜଣେ ଅହଲ୍ୟା ହିଁ ଅନ୍ୟ ଜଣେ ଅହଲ୍ୟା କୁ ଉଦ୍ଧାର କରିପାରେ"  

 


Rate this content
Log in

Similar oriya story from Tragedy