Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୂତୁଣୀ
ଭୂତୁଣୀ
★★★★★

© Arabinda Rath

Others

9 Minutes   7.4K    16


Content Ranking


ଲେଖା- ଅରବିନ୍ଦ ରଥ


--ଆରେ ଘନିଆ ସେ ମନ୍ଦିର ଆଡକୁ ନଜର ପକାନି। ସଞ୍ଜ ହୋଇଗଲେ ମନ୍ଦିର ପାଖରେ ଭୁତୁଣୀ ବାହାରୁଛି ପରା। ସେଇ ଝଙ୍କାଳିଆ ବରଗଛରେ ରହୁଛି। ରାତି ହେଲେ ତଳ କୁ ଆସି ନାହିଁ ନ ଥିବା ଉତ୍ପାତ କରୁଛି। ଗାଁଆ ଲୋକେ ତ୍ରାହି ତ୍ରାହି ଡାକ ଛାଡିଲେଣି। ଗୋଟେ ନିଶ୍ବାସରେ ଏତକ କହି ଘନିଆ ମୁହଁକୁ ଚାହିଁଲା ବରଜୁ।

– କିନ୍ତୁ ବରଜୁ , ଗୋଟେ କଥା ବୁଝି ହେଲାନି। ମନ୍ଦିରଟା ପରା ଶିବଙ୍କର। ତାଙ୍କ ମନ୍ଦିର ପାଖରେ ଭୂତ ବାହାରୁଛି କେମିିତି ଯେ?

ଆରେ ପୁଅ, ସେ ଗଣିତ ତୁ କାହୁଁ ବୁଝିବୁ। ଶିବ ତ ସଦା ବେଳେ ଭୂତପ୍ରେତଙ୍କ ମେଳରେ ରହିଲେ। ତାଙ୍କ ମାଇପ ତ ଡାହାଣୀ, ଚିରିଗୁଣିଙ୍କୁ ଧରି ନାଚିଲେ। ଭୂତ ତାଙ୍କ ପାଖେ ରହିବେନି ତ ଆଉ କାହା ପାଖେ ରହିବେ। ସେ ଭୂତୁଣୀ ବି ଏମିତି ସେମିତି ନୁହଁ। ନାଗୁ ପଣ୍ଡିତ ବୋହୁ ପେଟରେ ପିଲା ଥିଲା।ସେ ଗିରସ୍ତ ସହ କଳି କରି, ଏଇ ବରଗଛ ଡାଳରେ ନିଜ ପିନ୍ଧା ଶାଢୀ ଦେଇ ଝୁଲି ପଡିଲା। ନାଗୁ ପଣ୍ଡିତ କୁ ତ ଜାଣିଛୁ। ତା ପଣ୍ଡିତିଆମି ବୁଦ୍ଧିରେ ଯାବତୀୟ କେଳେଙ୍କାରୀ କରି କେମିତି ମହଲ ଠିଆ କରିଛି। ନାମ କୁ ସିନା ପଣ୍ଡିତ, କିନ୍ତୁ ଦୁନିଆ ଯାକର ଦୋ ନମ୍ବରି କାମରେ ତାକୁ କେହି ପାରିବେନି। ବୋହୁ ଟା ପଛରେ କାହିଁକି ଟଙ୍କା ଖର୍ଚ୍ଚ କରୁଛୁ ବୋଲି ତା ପୁଅ କୁ ବହେ ବେଜ୍ଜିତ୍ କଲା। ପୁଅ ସବୁ ରାଗ ବୋହୁ ଉପରେ ଶୁଝେଇଲା। ଶେଷରେ ବୋହୁ ଟା ବଡ କଲବଲ ହୋଇ ଜୀବନ ଛାଡିଲା। ଏ ନିମକହାରାମ ପଣ୍ଡିତ ଚାରିଆଡେ କହିବୁଲିଲା ଯେ ତା ବୋହୁ କୁଆଡେ ପାପଗର୍ଭ ଧରି ବୁଲୁଥିଲା। ପାପ ଭାର ଏତେ ହେଲା ଯେ ବେକରେ ନିଜ ପିନ୍ଧା ଶାଢୀ ଦେଇ ଭାର ଉସୁଆସ କରିଦେଲା। ବୋହୁଟା ମଲାନି ଯେ ଆମ ଗାଁଆଟାକୁ ମାରି ଦେଇଗଲା। ବୋହୁର ବାପା ମାଆ ଥାନାରେ ରିପୋର୍ଟ କଲେ ଯେ ତାଙ୍କ ଝିଅକୁ ମାରି ଟଙ୍ଗେଇ ଦେଇଛନ୍ତି ବୋଲି। ନାଗୁ ଓ ତା ପୁଅକୁ ପୋଲିସ୍ ନେଇ ଜେଲ୍ ରେ ଠୁଙ୍କିଲେ। ସାରା ଗାଁଆର ଲୋକଙ୍କୁ ପୁଲିସି ତୁହେଇ ତୁହେଇ ପଚାରିଲେ। କିନ୍ତୁ ହେଲା ଛେନା ଗୁଡ। କିଛି ଦିନ ପରେ ବାପ ପୁଅ ଆସି ବାହାରେ ବୁଲିଲେ। କିନ୍ତୁ ବିଚରା ବୋହୁଟା ଭୁତୁଣୀ ହୋଇ ସମସ୍ତଙ୍କୁ ଡରେଇ ମରେଇ ହୀନସ୍ତା କରୁଛି।

ଘନିଆ ସହରରେ ପାଠ ପଢୁଥିଲା। ବରଜୁର କଥାଗୁଡା ତାକୁ ଜହ୍ନମାମୁଁ ଗପ ପରି ଲାଗିଲା। ତଥାପି ଆଖି ମିଟିମିଟି କରି କହିଲା-- ଆଛା ଘନିଆ ଭାଇ, ସତ କହିଲୁ ପ୍ରକୃତ ଘଟଣା କଣ ? ବରଜୁ ଫିସଫିସ କରି କହିଲା-- ଆରେ ଭାଇ କହିବି କଣ, ଏ ଶଳା ବାପ ପୁଅ ଦି’ଟା ବୋହୁଟାର ତଣ୍ଟି ଚିପି କଲବଲ କରି ମାରିଦେଲେ। ତା ପରେ ବୋହୁ ର ଶାଢୀ ତା ବେକରେ ଗୁଡେଇ ଗଛରେ ଟାଙ୍ଗିଦେଲେ। କାଳେ ଧରା ପଡିବେ ବୋଲି ତାକୁ ସେଇ ରାତିରେ ଜଳେଇ ବି ଦେଲେ। ଦେହ ଥିଲେ ସିନା ପ୍ରମାଣ ମିଳିବ। କିନ୍ତୁ ତୋତେ ମୋ ରାଣ, କାହାକୁ କିଛି ବି କହିବୁନି। ନୋହିଲେ ସବୁ ମିଶି ମୋତେ ଅଧା ପ୍ରାଣ କରିଦେବେ। ସବୁ ବୁଝିଲା ପରି ମୁଣ୍ଡ ହଲେଇଲା ଘନିଆ।

ଦୁଇ ଜଣ ଗାଁଆରେ ପହଞ୍ଚିଲେ। ଘରେ ଖାଲି ମୁହଁ ମାରି ଦେଇ, ସାଙ୍ଗ ମାନଙ୍କ ଖଟିକୁ ଘନିଆ ଆଗେଇଲା। ଯୁଆଡେ ଗଲା ଖାଲି ସେଇ ଚର୍ଚ୍ଚା। ଭୁତୁଣୀ ବିଷୟରେ ସବୁ ଲୋକ କିଛି ନା କିଛି ଭାଷଣ ଦେବାରେ ବ୍ଯସ୍ତ। ଘନିଆର ମୁହଁ ଖୋଲିବାର ଆବଶ୍ଯକତା ନ ଥିଲା। ଲୋକେ ନିଜ ଆଡୁ କାହାଣୀ ପସରା ମେଲେଇ ବସି ପଡୁଥିଲେ।

ଚଉତରା ରେ ଗୋଡ ମେଲେଇ କାନ୍ଦୁରୁ ସେଠି ପ୍ରବଚନ ଦେଉଥିବାର ଦେଖି ଘନିଆ ସେ ଆଡକୁ ଆଗେଇଲା। – ଆରେ ଘନିଆ, ତୁମ ସହର ରେ ଭୂତ ପ୍ରେତ ଅଛନ୍ତି ନା ନାହିଁ। ଯଦି ନାହାଁନ୍ତି ଆମ ଗାଁଆରୁ ସେ ଭୂତୁଣୀକୁ ନେଇଯା।

– ଜାଣି ସିଆଣିଆ ହୋଇ ଘନିଆ ପଚାରିଲା,କାନ୍ଦୁରୁ ଅଜା ମୋତେ ଟିକେ ଘଟଣାଟା କଣ କୁହନ୍ତନି। ମୁଁ ପରା ଏଇଲେ ସହରରୁ ଆସିଲି। ଏ ଗାଁଆଟା ଯାକରେ ସବୁଠୁ ବୁଦ୍ଧିଆ ଲୋକ ତୁମେ। ମୋର ଶୁଣିବାକୁ ଭାରି ମନ ହେଉଛି।

ଏମିତି ଗୋଟେ ଶିକାର ମିଳିଯିବାରୁ କାନ୍ଦୁରୁ ମନଟା କୁରୁଳେଇ ଉଠିଲା। ଅଣ୍ଟାରୁ ଦୋକତା କାଢି ଭଲରେ ମଳି, ଚିମୁଟାଏ ନେଇ କଳରେ ଯାକି ଗଳା ଝାଡି ଆରମ୍ଭ କଲା--

ଶୁଣରେ ପିଲେ, ତୁମକୁ ମିଛ ମୋତେ ସତ ଏ ଘଟଣା। ସେଦିନ ସହରରୁ ଫେରିଲା ବେଳକୁ ସଞ୍ଜ ହୋଇଯାଇଥିଲା। ବହୁତ ବାଟ ଚାଲି ପାଦ ଥକି ଯାଇଥିଲା ବୋଲି ମୁଁ ଧିରେ ଧିରେ ଆସୁଥାଏ। ଗାଁଆ ମନ୍ଦିର ପାଖ ବରଗଛ ତଳେ କିଏ ଗୋଟେ ଚାଲିଲା ପରି ଲାଗିଲା। ମୁଁ ଭାବିଲି ରତନା ମାଳି ତ କେତେ ବେଳୁ ତାଲା ପକେଇ ଘରକୁ ଯାଇ ସାରିବଣି, ତେବେ ଏ ଯାଗାରେ ବୁଲୁଛି କିଏ। ସେତେ ବେଳକୁ ନାଗୁ ପଣ୍ଡିତ ବୋହୁ ମରିବାର ପନ୍ଦର ଦିନ ବିତି ସାରିଥିଲା। ମୋ ମନରେ ପାପ ଛୁଇଁଲା। ମୁଁ ନିଜେ ଦେଖିଥିଲି ସେ ଗଛରୁ କେମିତି ଝୁଲିଥିଲା। ତା ଜିଭ ଟା ହାତେ ଖଣ୍ଡେ ବାହାରକୁ ଚାଲି ଆସିଥିଲା। ଜାମୁକୋଳି ଖାଇଲେ ଜିଭ ଯେମନ୍ତ ବାଇଗିଣି ରଙ୍ଗ ହୋଇଯାଏ ସେମିତି ଦିଶୁଥିଲା। ଆଖି ଯୋଡିକ କଷି କଖାରୁ ପରି ବାହାରି ପଡିଥିଲା। ଶାଢୀ ରେ ଝୁଲି ବେକ ଟା ବଗ ବେକ ପରି ଲମ୍ବା ହୋଇଯାଇଥିଲା। ଦେଖିବା ଲୋକର ଛାତି ଭିତର ମନ୍ଥି ହୋଇଯିବ। ଗୋରା ତକତକ ଦିହଟା କଳାଜାମୁଳା ପଡିଯାଇଥିଲା ସେତେବେଳକୁ। ତା ରୂପ ଦେଖିଲା ପରେ ମୋତେ କେତେ ଦିନ ଯାଏ ନିଦ ଆସିଲାନି। ଏଡିକି ଭୟଙ୍କର ଦିଶୁଥିଲା ତା ମୁହଁ ଟା। ମୁଁ ଠାକୁରଙ୍କୁ ଡାକି ଧିରେ ଧିରେ ଆଗଉଥାଏ। କିନ୍ତୁ ମନ ଖାଲି ଡାକୁଥାଏ, ଏ ଛାଇଟି ନାଗୁ ବୋହୁର କି ଆଉ?

ଗଛ ଉପରକୁ ଦେଖିଲା ବେଳକୁ ମାଇପି ମଣିଷଟେ ଗୋଡ ଝୁଲେଇ ବସିଛି। ନାଲି ଟୁକୁଟୁକୁ ଶାଢୀ, ଚୁଟି ସବୁ ଖୋଲା ହୋଇ ଆଗ ପଟକୁ ଝୁଲିଛି। ଏମିିତି କିରିକାଳିଆ ହସ ହସୁଛି ଯେ କାନରେ ପଡିଲେ ମୂର୍ଦ୍ଧନା ଫାଟିଯିବ। ହାତ ଦୁଇଟା ଅଜଗର ସାପ ପରି ଲମ୍ବିଛି ଯେ ଲମ୍ବିଛି। କେତେ ବାଟ ଯାଇଛି ତାର ହିସାବ ନାହିଁ। ମନ୍ଦିର ସାମନା ରେ ଠିଆ ହୋଇ ପ୍ରାଣ ବିକଳରେ ଡାକିଲି, “ହେ ଭୋଳାନାଥ ମୋତେ ବଞ୍ଚାଅ।” କିନ୍ତୁ ସେତିକି ବେଳକୁ କାହା ନିଶ୍ବାସ ମୋ କାନ ପାଖରେ ସଲସଲ କଲା ପରି ଲାଗିଲା। ମୁହଁ ବୁଲେଇ ଦେଖିଲା ବେଳକୁ ନାଗୁ ବୋହୁ। ନିଆଁ ରଡିଆ ଆଖି କରି ମୋତେ ଦେଖୁଛି। ତା ମୁହଁରୁ ମାଉଁସ ଥୋଲାଥୋଲା କରି ଝଡିପଡୁଛି। ପଚା ମାଂସଗନ୍ଧରେ ଜାଗା ଟା ଫାଟି ପଡୁଥାଏ। ମୋ ଛାତି ଟା ଏତେ ଜୋରରେ ଦୁକୁଦୁକୁ କଲା ଯେ, ମୋତେ ଲାଗିଲା ଏହିକ୍ଷଣି ପଦାକୁ ଚାଲି ଆସିବ। ଦଉଡି ଦେଇ ମରିଛି, ତେଣୁ ଗଁ ଗଁ କରି କହିଲା-- ତୋତେ ଆଜି ମାରି ରକ୍ତ ପିଇବି। ତୋତେ ଏ ଜାଗା କୁ ଆସିବାକୁ କିଏ କହିଲା? ତଥାପି ମୁଁ ସାହାସ କରି କହିଲି “ ଆଲୋ ମାଆ, ମୁଁ ମାନ୍ଯରେ ତୋର ଶ୍ବଶୁର ହେବି। ମୋତେ ଏପରି ଡରଉଛୁ କଣ ପାଇଁ”। ଏତିକି କହିବା ମାତ୍ରେ ସେ ଭୂତୁଣୀଟା ଲମ୍ବ ହୋଇ ମୋ ଗୋଡ ତଳେ ପଡିଗଲା। ଯାହା ହେଲେ ବି ସଂସ୍କାରିଆ ଭୂତୁଣୀ ଟି। ସେ ତଳେ ସେମିତି ମୁହଁ ମାଡି ପଡିଥାଏ, ମୁଁ ସେ ଜାଗାରୁ ପ୍ରାଣ ବିକଳରେ ଦଉଡିଲି। ଘର ଆଗରେ ଚେତା ବୁଡି ପଡିଲି। ଚିନି ଚାରି ଦିନ ଯାଏ ଦିହରୁ ଜ୍ବର ଛାଡିଲାନି। ଓଝା ବହୁତ ଝଡାଝଡି କଲା ପରେ ଯାଇ ସାଷ୍ଟାମ ହେଲି।

ସେତିକି ବେଳେ ମଙ୍ଗୁଳୁ ସାହୁ ପାଟି କରି କହିଲା – ଆରେ କାନ୍ଦୁରୁ ମିଛ କଥା କହି ପିଲାଟାକୁ ଭଣ୍ଡଉଛୁ କଣ ପାଇଁ? ତୁ ଭୂତୁଣୀ ନା ଛେନା ଗୁଡ ଦେଖିଲୁ। ତୁ ଏମିତି ଚନ୍ଦ୍ରଫେରନ୍ତା ନୋକ ଟା ଯେ ତୋ ଆଗରେ ଭୂତୁଣୀ ମୁଣ୍ଡିଆ ମାରିଲା ? ଟାଉଟରି ଗୁଣ ଛାଡି ଅସଲ ଘଟଣା ଟା ମୋ ଠାରୁ ଶୁଣ୍ । ଭୂତୁଣୀକୁ ମୁଁ ନିଜେ ଦେଖିଛି। ଆଖି ଛୁଇଁ ନିୟମ କରି କହୁଛି। ତିନି ଦିନ ତଳେ କାମରୁ ଫେରିଲା ବେଳେ ସେଇ ବରଗଛ ମୂଳରେ ଦେଖିଲି କିଏ ଜଣେ ସକେଇ ସକେଇ କାନ୍ଦୁଛି। ମନରେ ଡର ଥିଲେ ବି ଭୋଳାନାଥଙ୍କୁ ଜୁହାରଟେ ପକେଇ ପାଖକୁ ମାଡିଗଲି। ଦେଖିଲା ବେଳକୁ ନାଗୁର ବୋହୁ ଚୁଲି ଭିତରେ ଗୋଡ ଦୁଇଟାକୁ ପୁରେଇ ନିଆଁ ଲଗେଇ ବସିଛି। ତା କୋଳରେ ବି ଗୋଟେ ସାନ ଭୂତ କି ଭୂତୁଣୀ ଥିଲା। ଭଲରେ ଦେଖି ପାରିଲିନି। କିନ୍ତୁ ଭୁତୁଣୀ ନିଆଁ ସେକ ଦେଉଥିଲା ସେଇ ପିଲା ଭୂତକୁ। କଥାରେ ଅଛି ପରା ଯଦି ପେଟରେ ପିଲା ଥାଇ ମାଆ ମରି ଯିବ, ସିଏ ସବୁଠାରୁ ଭୟଙ୍କର ଭୂତୁଣୀ ହେବ। ମୁଁ ଆସିଲି ବୋଲି ଜାଣିଲା ପରେ, ଭୂତୁଣୀ ପେଚା ପରି ବେକ ଟାକୁ ପୁରା ମୋ ଆଡକୁ ବୁଲେଇ ଦେଇ ଏମିତି ଚାହିଁଲା ଯେ ମୋର ଏକ,ଦୁଇ ଏକା ସାଙ୍ଗରେ ବାହାରି ଗଲା। ଇଲୋ ବାପା, ସେ ଆଖି ନୁହଁ ତ କମାରଶାଳ ନିଆଁ ପରି ଦିଶୁଥିଲା। ପୁଣି ଆଖିରୁ ଝରଝର ରକ୍ତ ବୋହି ଯାଉଛି। ମୁହଁରୁ ଫାଳେ ମାଉଁସ ପଚି ଝଡିଯାଇଛି। ଦାନ୍ତ ଗୁଡାକ ହେଟାବାଘ ଦାନ୍ତ ପରି ମୁନିଆ ହୋଇ ବାହାରକୁ ବାହାରି ପଡିଛି।ଭୂତୁଣୀ କୁହାଟ ମାରି କହିଲା “ତେଲ ଦେ” “ହଳଦି ଦେ” “ଲୁଗା ଦେ” “ପାନିଆ ଦେ” ନୋହିଲେ ତୋ ବେକ ମୋଡି ରକ୍ତ ପିଇଦେବି। ମୁଁ ଆଉ କି ସେ ଯାଗା ରେ ରହେ। କିଳିକିଳା ରାବ ଦେଇ ଦଉଡିଲି ଯେ ଆଗରେ ଖାଲ କି ଖମା ଅଛି ଜାଣି ପାରିଲିନି। ଗୋଟେ ନିଶ୍ବାସରେ ଆସି ଘରେ ପହଞ୍ଚି ଦେଖିଲା ବେଳକୁ ମୋ ତଣ୍ଟିରେ ଦୁଇଟା କଣା ଦେଖିଲି। ବୋଧେ ସେତିକି ସମୟ ଭିତରେ ଭୂତୁଣୀ ମୋ ତଣ୍ଟିରେ ଦାନ୍ତ ବସେଇ ଚଁ ଚଁ କରି ରକ୍ତ ପିଇ ଦେଇଥିଲା।

ମଙ୍ଗୁଳୁ ସାହୁ ର ବର୍ଣ୍ଣନା ଟିକେ ବେଶି ଜୀବନ୍ତ ଥିବା ଦେଖି ସବୁ ଲୋକେ ତା ଆଡକୁ ବଡ ଆଗ୍ରହ ସହକାରେ ଦେଖିଲେ। ସେପଟେ କାନ୍ଦୁରୁ ମୁହଁ ମୋଡିବାରେ ବ୍ଯସ୍ତ ଥିଲେ ବି କେହି ସେ ଆଡକୁ ନଜର ଦେଲେନି। ଜଣେ ପଚାରିଲା ତା ପରେ କଣ ହେଲା ସାହୁଏ ?

ଗଳା ଝାଡି ପୁଣି ସେ ଆରମ୍ଭ କଲା-- ଆରେ ପିଲେ ସେଦିନ ରାତି ରେ ମୋ ଦେହ ଭିତରଟା ଖାଲି ଭିଡି ମୋଡି ହେଲା ପରି ଲାଗୁଥାଏ। ସାହୁଆଣୀ ଯାହା ଖାଇବାକୁ ଦେଲା କିଛି ରୁଚିଲାନି। ତୋରାଣି ମୁନ୍ଦିଏ ପିଇ, ଶେଯରେ ତୁଳସୀ ପତ୍ର ଟିକେ ରଖି ଶୋଇଲି। ଅଧ ରାତିରେ କାହାର କାନ୍ଦଣାରେ ନିଦ ଟା ଭାଙ୍ଗିଗଲା। ଦେଖିଲା ବେଳକୁ ନାଗୁର ବୋହୂ କୋଳରେ ପିଲା ଟେ ଧରି ମୋ ଛାତି ଉପରେ ବସି କିଳିକିଳା ରାବ ଦେଇ କୁହାଟ ଛାଡୁଛି। ଦାନ୍ତ କାମୁଡି କହୁଛି – – “ ତୋତେ କହିଥିଲି ନା “ତେଲ ଦେ” “ହଳଦି ଦେ” “ଲୁଗା ଦେ” “ପାନିଆ ଦେ” ବୋଲି। ତୁ ଦେଲୁନି। ମୋ ପିଲା କୁ କେମିତି ଗାଧୋଇ ଦେବି କହ? ତୋ ରକତରେ ଆଜି ଗାଧେଇବି ତାକୁ। ଏତିକି କହି ତା ହାଡୁଆ ହାତରେ ମୋ ତଣ୍ଟି କଣା କରିବାକୁ ଯାଉଥିଲା। ସେତିକି ବେକକୁ ମୋ ମାଇପ ଗୋଟେ ଝାଡୁ ଆଣି ତା ମୁଣ୍ଡକୁ ପାହାରେ ଦେଲା ଯେ, ଭୂତୁଣୀ ମୂର୍ଦ୍ଧନାଫଟା ରାବଟେ ଦେଇ ପଳେଇଲା। କିନ୍ତୁ ଗଲା ବେଳକୁ କହିଲା-- କାହାକୁ ଛାଡିବିନି। ସମସ୍ତଙ୍କ ରକତ ପିଇବି।

ମଙ୍ଗୁଳୁ କଥା ଶୁଣି ପିଲା ବୁଢା ସବୁ ତାଟକା ହୋଇ ଚାହିଁଥାଆନ୍ତି। କାହା ପାଟିରୁ ବଚନ ବାହାରୁ ନ ଥାଏ। ଏମିତିକି ଝିଟିପିଟି ସତ୍ ସତ୍ ବୋବେଇଲା ବେଳକୁ ଭୂତୁଣୀ ପାଟି ପରିି ଶୁଭୁଥାଏ। ଘନିଆ ଆଖି ଆଗରେ ସିନେମା ପରି ସବୁ ଘଟଣା ନାଚି ଯାଉଥାଏ। ଉପରକୁ ଦାନ୍ତ ଦେଖେଇଲେ ବି ଭିତରେ ପିଳେହି ପାଣି ହେବା ଅବସ୍ଥା।

ସେତିକି ବେଳକୁ କିଏ ଗୋଟେ ବଡ ପାଟି ଡାକିଲା – କିଏ କୁଆଡେ ଅଛ ଦଉଡି ଆସ। ନାଗୁ ପୁଅ ଦେହରେ ଭୂତୁଣୀ ସବାର ହୋଇଛି। କାନ୍ଦୁରୁ ଓ ମଙ୍ଗୁଳୁ କୁ ଛାଡି ବାକି ସବୁ ନାଗୁ ଘରକୁ ଦଉଡିଲେ। ଘନିଆ ପଚାରିବାରୁ ସେମାନେ କହିଲେ-- ପିଲେ ତୁମେ ମାନେ ଯାଅ। ସେ ଆମ ମାନଙ୍କୁ ଥରେ ଦେଖିଛି । କାଳେ ତା ଆଗକୁ ଗଲେ କିଛି ଅବାଗିଆ କାଣ୍ଡ କାରଖାନା କରିଦେବ। ଏତିକି କହି ଦୁଇ ବୁଢା ଘର ବାହୁଡା ହେଲେ।

ନାଗୁ ପୁଅ ପାଟି କରି କହୁଛି-- ମୁଁ ହେଲି ଗୋଲାପ। ଚିହ୍ନିଲ ତ ମୋତେ? ନାଗୁ ଆଗରେ ଆସି ଛିଡା ହେବାରୁ, ତା ଗୋଡ ତଳେ ଲମ୍ବ ହୋଇ ମୁଣ୍ଡିଆ ମାରିଲା। ନାଗୁ ପଚାରିଲା କଣ ପାଇଁ ଆସିଛୁ କହ?

– – ହୋଃ ହୋଃ ହୋଃ, ମୋ ଘର କଥା ମନେ ପଡିଲାରୁ ଆସିଲି। ମୁଁ ଚାଣ୍ଡାଳୀ କଣ ନ କଲି। ମୋ ଦେବତା ପରି ଶ୍ବଶୁର ଓ ସ୍ବାମୀଙ୍କୁ ଛାଡି ଆତମହତିଆ କରି ମଲି। ଏବେ ଖାଲି ନର୍କ ଯନ୍ତ୍ରଣା ଭୋଗୁଛି। ଯମ, ମୋତେ ଗରମ ତେଲ କଡେଇରେ ବରା ପରି ଛାଣି ପକଉଛି। ସପ୍ତଫେଣୀ କଣ୍ଟାରେ ମୋ ଦିହ କୁ ଫୋଡି ପକଉଛି। ମୋତେ ବଞ୍ଚାଅ ଲୋ ମାଆ।

– କିଏ ଜଣେ ପଚାରିଲା, ତୋର କଣ ଲୋଡା କହ? ଏତେ ରାଗେନି ଲୋ ମାଆ।

--- ମୋତେ କୁହ, ମୋ ଶ୍ବଶୁର,ସ୍ବାମୀଙ୍କୁ ପୋଲିସ୍ କଣ ପାଇଁ ହାଜତ ନେଲା। ମୁଁ ତ ନିଜେ ମଲି, ସେମାନେ କଣ କଲେ ଯେ ପୋଲିସ୍ ବାନ୍ଧିଲା। ପୋଲିସ୍ ଆଗରେ ଯଦି କିଏ ମୋ ଶ୍ବଶୁର କି ସ୍ବାମୀ ନାମରେ କିଛି କହିବ, ମୁଁ ତା ରକ୍ତ ପିଇଦେବି। ତା ବଉଁଶ ବୁଡେଇ ଦେବି। ମୁଁ ସେଇ ମନ୍ଦିର ପାଖ ଗଛରେ ରହୁଛି। ଯଦି କିଏ ସେଠିକି ଯିବ ମୁଁ ତାକୁ କୁକୁଡା ପରି ମୋଡି ଖାଇଦେବି। କିଏ ଜଣେ କହିଲା

--- କିନ୍ତୁ ମାଆଲୋ, ଠାକୁର ପୂଜା ପାଇବେ କେମିତି?

– – କଣ କହିଲୁ ମୁର୍ଖ, ରହ ଆଜି ତୋ ତଣ୍ଟି କଣା କରି ରକତ ସବୁ ଚଁ ଚଁ କରି ପିଇବି।

ସବୁ ଲୋକ ଚୁପ୍। କାହା ପାଟିରୁ ବଚନ ବାହାରୁନି। ଭୂତୁଣୀ କହିଲା-- ମୋତେ ଟିକେ ତୋରାଣି ଦିଅ। ଭାରି ଭୋକ ହଉଛି। ତୋରାଣି ଟିକେ ପିଇଲା ପରେ ନାଗୁ ପୁଅ ବୋକ ମୋଡି ପଡିଲା। ସବୁ କହିଲେ ଭୂତୁଣୀ ବୋଧେ ଚାଲିଗଲା। କିଛି ସମୟ ପରେ ନାଗୁ ପୁଅ ଆଖି ମଳିମଳି ଉଠି ବସିଲା। ଆଶ୍ଚର୍ଯ୍ଯ ହୋଇ ସମସ୍ତଙ୍କୁ କଣ ହୋଇଛି ବୋଲି ପଚାରିଲା। କାହା ମୁହଁରୁ ବଚନ ବାହାରୁ ନ ଥାଏ। ନାଗୁ ପୁଅକୁ ଉଠେଇ ଘରକୁ ନେଲା ବେଳେ କହିଲା-- ମୋ ବୋହୁଟା ସତରେ ସୁନା ନାକି ବୋହୁ ଥିଲା। ମୋ ଫଟା କପାଳରେ ତା ସେବା ଲେଖା ନ ଥିଲା। ଏତିକି କହି ସକ ସକ ହୋଇ ଟିକେ କାନ୍ଦିଲା।

ଗାଁଆ ଲୋକେ କହିଲେ-- ବିଚରା କେତେ କୁନ୍ଥେଇ ବିଥେଇ ହଉଛି ବୋହୁଟା ପାଇଁ। ଟିକେ ସମ୍ଭାଳି ଦେଇ ଥିଲେ ହେଇ ନ ଥାନ୍ତା? ପୋଡାମୁହୀଁ ଅଖଞ୍ଜରେ ମଲା।

ତା ପରଦିନ ପୋଲିସ୍ ଗାଡି ଆସି ଗାଁଆରେ ଲାଗିଲା। ପୁଣି ପଚରା ଉଚୁରା ଚାଲିଲା। କିନ୍ତୁ କେହି କିଛି ବି କହିଲେନି। ବରଂ କହିଲେ ନାଗୁ ପଣ୍ଡିତ ପରି ଲୋକ ନାହିଁ। କେତେ ସୁଧାର ସିଏ। ତା ପୁଅ ତ ଦେବତା ଟିଏ। ସେ ପୋଡାମୁହିଁ ବୋହୁ ନିଜ ଦୋଷରୁ ମଲା ଓ ମଲା ପରେ ବି ଗାଁଆ ଲୋକଙ୍କୁ ହଇରାଣ କରୁଛି। ପୋଲିସ୍ ଟି କଣ ବୁଝିଲା କେଜାଣି ଖାଲି ବଲବଲ କରି ଚାହିଁଲା।

ଘନିଆ ଗାଁଆ ଲୋକଙ୍କୁ ପଚାରିଲା ଯେ ସେଇ ମନ୍ଦିର ପାଖ ଗଛ ପାଖରେ କାହିଁକି ବୋହୁଟା ମଲା । ଲୋକେ କହିଲେ ସେଇ ଗଛ ପାଖକୁ ଲାଗି ନାଗୁର କେଇ ଏକର ଜମି ଅଛି। ପୁଣି ମନ୍ଦିର ଟା ପାଖରେ ଅଛି। ବୋହୁ ଟା ମନେମନେ ଭାବିଥିବ ମନ୍ଦିର ପାଖରେ ମଲେ ଠାକୁର ତାକୁ ସ୍ବର୍ଗ କୁ ନେଇ ଯିବେ। ସ୍ବର୍ଗରୁ ଥାଇ ତାଙ୍କ ଜମିକୁ ଦେଖା ଚାହାଁ କରୁଥିବ।

ଘନିଆ ମନରେ ପ୍ରଶ୍ନ ର ସମୁଦ୍ର ଢେଉ ଭାଙ୍ଗୁଥିଲା। ସେ ସହରରେ ପାଠ ପଢୁଛି। କେତେ ନୂଆ କଥା ବି ଶିଖୁଛି। ତାକୁ ସବୁ ଘଟଣା ଅଖାଡୁଆ ଲାଗିଲା। ସେଦିନ ସହରକୁ ଯିବା ବେଳେ ଭାବୁଥିଲା, ଯାହା ହେଲେ ବି ଏ ଭୂତୁଣୀ କାହାଣୀର ଅସଲ ଖିଅଟାକୁ ଖୋଜିବାକୁ ହେବ।

ସହରରେ ସାଙ୍ଗ ରମେଶକୁ ସବୁ ଘଟଣା କହିଲା। ରମେଶ ର ବାପା ପୋଲିସ୍ ଚାକିରି କରୁଥିଲେ। ସବୁ ଘଟଣା ଶୁଣିଲା ପରେ ସେ କହିଲେ – ଘନିଆ ବାବୁ। ଭଲ କଲ ଏ ବିଷୟରେ କହିଲା। ବହୁତ୍ ଜଲଦି ତୁମ ପ୍ରଶ୍ନର ଉତ୍ତର ମିଳିଯିବ ଅପେକ୍ଷା କର।

ରବିବାର ଛୁଟିରେ ଗାଁଆକୁ ଫେରିଲା ପରେ ଶୁଣିଲା ଯେ ପୋଲିସ୍ ନାଗୁ ଓ ତା ପୁଅକୁ ପୁଣି ଜେଲ୍ ରେ ଠୁଙ୍କି ଦେଇଛି। ସେ ତରତର ହୋଇ ଗାଁଆର ଦୁଇ ବଡ କୁହାଳିଆ କାନ୍ଦୁରୁ ଓ ମଙ୍ଗୁଳୁ ପାଖକୁ ଦଉଡିଲା। କିନ୍ତୁ ସେମାନେ ଘନିଆ କୁ ଦେଖି କବାଟ କିଳି ରହିଲେ। ଯୋଗ କୁ ତାଙ୍କ ଗାଁଆ ସରପଞ୍ଚ ସୁକୁଟା ପାହାଡସିଂହ ସହ ଭେଟ ହୋଇଗଲା। ସେ ଯାହା କହିଲା, ଶୁଣିଲା ପରେ ଘନିଆ ର ପାଟି ମେଲା ହୋଇଇଗଲା।

– ଆରେ ଘନିଆ, କଣ କହିବି, ସେ ଶଳା ବାପ ପୁଅ ଦୁଇଟା ମହା ସାଂଘାତିକ ପ୍ରାଣୀ। ନିଜେ ଶାଢୀ ପିନ୍ଧି ଗଛ ମୂଳରେ ବୁଲି ଗାଁଆ ଲୋକଙ୍କୁ ଭୂତ ବାହାରୁଛି ବୋଲି ଡରଉଥିଲେ। କେବଳ ସେତିକି ନୁହଁ, ତାଙ୍କ ଜମିରେ ଗଞ୍ଜେଇ ଚାଷ ଚାଲିଥିଲା। କାଳେ କିଏ ଜାଣି ଦେବ ବୋଲି ଏତିକି ଫନ୍ଦିଫିକର କରିଥିଲେ। ବାପ ପୁଅ, ବୋହୁଟାକୁ ରଶିରେ ଚିପି ମାରିଦେଲେ ଓ ପରେ ତା ପିନ୍ଧା ଶାଢୀରେ ଟାଙ୍ଗି ଦେଇଥିଲେ ବୋଲି ପୋଲିସ୍ ଆଗରେ ବି ମାନିଲେ। ମାଡ କୁ ମହାଦେବଙ୍କ ଭୟ, ଆଉ ଏମାନଙ୍କ କଥା ପଚାରେ କିଏ?ପୋଲିସ୍ ଠେଙ୍ଗୀଣି ବାଜିଲା ପରେ ସବୁ କଥା କଳକଳ କରି ଗାଇ ଦେଇଗଲେ। ସେଇ ଗଛ ମୂଳରେ ବାପ ପୁଅ ବୋହୁକୁ ଯେଉଁ ଦଉଡିରେ ମାରିଥିଲେ, ତାକୁ ଲୁଚେଇଥିଲେ। ପୋଲିସ୍ ତାଙ୍କୁ ଧରି ନିଜେ ଆସି ବାହାର କଲା। ଅସୁର ଗୁଡା ବିଚାରି ଗର୍ଭିଣୀ ବୋହୁଟାକୁ ହନ୍ତସନ୍ତ କରି ମାରିଦେଲେ। ମଙ୍ଗୁଳୁ ଓ କାନ୍ଦୁରୁକୁ କିଛି ପଇସା ଦେଇ ଭୂତ ବାହାରିବା କଥା ପ୍ରଚାର କରିବା କାମରେ ନାଗୁ ପଣ୍ଡିତ ଲଗେଇଥିଲା। ଏବେ କାଳେ ପୋଲିସ୍ ବାନ୍ଧିନେବ ବୋଲି ଦୁଇଟା ଯାକ ଘରୁ ବାହାରୁ ନାହାଁନ୍ତି।

ଘନିଆ ମୁଣ୍ଡରେ କିଛି ପଶୁ ନ ଥାଏ। ସେ ଖାଲି ଭାବୁଥିଲା ମଣିଷ ମାନେ ଯଦି ଏତେ ଭୟଙ୍କର, ଭୂତ ଭୂତୁଣୀଙ୍କୁ ଆମେ କାହିଁକି ଡରୁଛେ?

*************************

ମନ୍ଦିର ଭୂତପ୍ରେତ ଗିରସ୍ତ

Rate the content


Originality
Flow
Language
Cover design

Comments

Post

Some text some message..