ସହପାଠିନୀ
ସହପାଠିନୀ
ସେଦିନ ମୋ ସହପାଠିନୀ ଯାହା କଲା, ମୁଁ ସବୁ ନିରବରେ ଦେଖୁଥିଲି, ହେଲେ ପଦୁଟିଏ ବି କିଛି ପାଟି ଫିଟେଇ ହୃଦୟର ଭାବନାକୁ ବ୍ୟକ୍ତ କରିବାର ସାହସ ଜୁଟାଇ ପାରି ନଥିଲି । ଶକ୍ତ ଚାପୁଡାଟିଏ ମାରିବାକୁ ଇଚ୍ଛା ହେଉଥାଏ । ହେଲେ ନିଜକୁ ନିଜେ ବୁଝାଇ ନେଲି ସେଦିନ ।
ଦୀର୍ଘ ପନ୍ଦର ବର୍ଷ ପରେ ସେଦିନ ତା'କୁ ଅନେକ ପାଖରୁ ଦେଖିଲି । ସେ ବିବାହିତା, ସାଂସାରିକ ବନ୍ଧନରେ ଆବଦ୍ଧ ହୋଇ ସଂସାରର ସକଳ ସୁଖ ସାଉଁଟିବାରେ ବ୍ୟସ୍ତ ଥିଲା ଭଳିଆ ତା' କାଖରେ ଧରିଥିବା ଛୋଟ ଝିଅ ପିଲାଟିକୁ ଦେଖି ଅନୁଭବ କଲି । ସେ ମୋତେ ଦେଖିଲା କି ନା ମୁଁ ଜାଣିନି । ବସ ଷ୍ଟାଣ୍ଡରେ ତା' ଝିଅଟିକୁ ଧରି ଆରୋହୀ ବସକୁ ଅପେକ୍ଷା କରିଥାଏ ବୋଧେ ସମ୍ବଲପୁର ଯିବା ପାଇଁ । ତା' ପାଖକୁ ଯାଇ ଅନେକ ଗପିବାକୁ ଭାରି ଇଚ୍ଛା ହେଉଥାଏ । ହେଲେ ପୁରୁଣା କଥାକୁ ନେଇ ମନରେ ଅଜସ୍ର ପ୍ରତାରଣା ସୃଷ୍ଟି ହେଉଥାଏ । ପାଖକୁ ଯିବି ନା ନାହିଁ ଚିନ୍ତା କରୁ କରୁ ବସ୍ ପହଞ୍ଚିଲା । ବସର ଆର ପାର୍ଶ୍ଵରେ ସେ ମୁଁ ଏପଟ ପାର୍ଶ୍ଵରେ । ମୁଁ ତା'କୁ ଦେଖି ପାରୁ ନଥାଏ । ବସ୍ ଛାଡିଲା କିନ୍ତୁ ସେ ବସରେ ଚଢିଲା ନାହିଁ । ଅପେକ୍ଷାରେ ରହିଲା । କାହାର ଅପେକ୍ଷାରେ ରହିଲା ବୋଲି ଅନେକ ଭାବିଲି ।
ପ୍ରାୟ ତିନି ମିନିଟ୍ ପରେ ମୋ ଆଡକୁ ଅଶ୍ରୁଳ ନୟନରେ ଚାହିଁଲା । ମୁଁ ଆଶ୍ଚର୍ଯ୍ୟ ହେଲି । ମୋତେ ସେ ଦେଖି ଚିହ୍ନି ଦେଲା କି ? ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ।
ଧିରେ ଧିରେ ମୋ ଆଡକୁ ପାଦ ବଢାଇବା ଆରମ୍ଭ କଲା । ମୁଁ ଥରିଲି, ଏମିତି ଥରିଲି ଯେମିତି ଭୂମିକମ୍ପ ହେଉଛି ।
ହେଲୋ ବନ୍ଧୁ... ବୋଲି କହି ହାତ ବଢାଇଲା ।
ହଁ .... ଶୁଭ ସକାଳ କହି କର ମର୍ଦ୍ଦନ କଲି । ସେ ଥିଲା ମୋର ପ୍ରଥମ ସ୍ପର୍ଶ । ଅନେକ ବର୍ଷ ପରେ ସେଇ ପୁରୁଣା ସ୍ବର ଶୁଣିବାକୁ ପାଇଲି ।
- ଏବେ କ'ଣ କରୁଛ ?
- ସେମିତି କିଛି ନାହିଁ । କେବଳ ନିଜକୁ ପ୍ରଚୁର ଭଲ ପାଉଛି । ଚିତ୍ର ଆଉ କିଛି ରୋମାଣ୍ଟିକ୍ କବିତା ଲେଖି ।
- ତୁମ ରୋମାଣ୍ଟିକ୍ ପୁସ୍ତକ " କିଏ କହେ ତମକୁ ମୁଁ ଭଲ ପାଏନା " ମୁଁ ପାଲଲହଡାରୁ ପାଇଲି । ଗତ ବର୍ଷ । ପଢିଲି, ପନ୍ଦର ଥରରୁ ଅଧିକ... ବହୁତ ଭଲ ଲାଗିଲା ।
- ଧନ୍ୟବାଦ, ଆଜି କେଉଁ ଆଡେ ବାହାରିଛ ।
- ଦେବଗଡ ସରକାରୀ ଡାକ୍ତରଖାନାକୁ ମୋ ଝିଅ ନମ୍ରତାକୁ ଥଣ୍ଡା ହେଇଛି । ତୁମେ ଛିଡା ହେଇ ଥିବାର ଦେଖିଲି, ତେଣୁ ତୁମ ପାଖକୁ କଥା ହେବା ପାଇଁ ଚାଲି ଆସିଲି ।
- ତୁମେ ବିବାହ କଲଣି ନା ନାହିଁ ?
- ନା କରିନି, ଝିଅ ଖୋଜା ଚାଲିଛି । ଯାହା ହେଉ ତୁମେ ବିବାହ କରି ଆନନ୍ଦରେ ଅଛ ।
- ଆଖିରୁ ଦୁଇ ଧାର ଅଶ୍ରୁ ଝରାଇ କାନ୍ଦିବାକୁ ଲାଗିଲା । କହିଲା- ନା ନା ମୁଁ ବିବାହ କରିନି । କେହି ଏ ଝିଅଟିକୁ ଜନ୍ମ ଦେଇ ରାସ୍ତା କଡରେ ଫୋପାଡି ଦେଇଥିଲା । ମୁଁ ପାଇଲି । ତା'ର ଯତ୍ନରେ ମୁଁ ମୋର ଅତୀତ ଆଉ ତମକୁ ଭୁଲିବାକୁ ଚେଷ୍ଟା କରୁଥିଲି । ତୁମ ସହ ଭଗବାନ୍ ଦେଖା ପୁଣି କରାଇ ଦେଲେ । ତୁମେ ମୋତେ ଏତେ ଘୃଣା କ'ଣ ପାଇଁ କଲ ସେଦିନ । ଥରୁଟିଏ ବି ଜମାରୁ କଥା ନହେଇ ସବୁ ଦିନ ପାଇଁ ଛାଡି ଦେଲ ମୋତେ ପ୍ରତାରଣା ବାଟରେ ।
କେମିତି କଥା ହୋଇଥାନ୍ତି ? ତୁମେ ସେଦିନ ସେ ପିଲା ସହ ହାତକୁ ହାତ ମିଶାଇ ରାସ୍ତାରେ ଯିବାର ଦେଖିଲି । ତେଣୁ ମୁଁ ବୁଝିଲି ତୁମେ ମୋତେ ନୁହେଁ ଆଉ କାହାକୁ ଭଲ ପାଅ ବୋଲି ।
- ସେଦିନ ମୋତେ ପଚାରି ଥିଲେ ତା'ର ଉତ୍ତର ମୁଁ ତୁମକୁ ଦେଇଥାନ୍ତି । ସେ ମୋର ବଡଭାଇ । କ୍ୟାନସର୍ ରୋଗୀ ଥିଲେ । ଚାଲି ଗଲେଣି ଆର ପାରିକୁ ।
- ଓଃ ପ୍ରଭୁ ।
ମୋର ବସ୍ ଆସିଲା । ଆସୁଛି । ଜୀବନ ବାଟରେ କେବେ ଦେଖା ହେଲେ ବାସ୍ ପଦୁଟିଏ କଥା ହେଉଥିବ ।
ଏତିକି କହି ବସ୍ ରେ ଚଢି ସେ ଚାଲିଗଲା । ମୁଁ ତା'ର ପ୍ରତିଟି କଥା ଆଉ ଅତୀତର ସେଇ ମଧୁର ମୁହୂର୍ତ୍ତର ମୋ ଭଲପାଇବାର ସ୍ମୃତି କଥା ଭାବି ଏକ ଲୟରେ ତା'କୁ ଚାହିଁ ରହିଥିଲି ସେଦିନ...।
ଲକ୍ଷ୍ମଣ କୁମାର ବେହେରା (ଯତି)
କବି କୁଟୀର ,ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)