Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଲୋଳ ଉଚ୍ଛ୍ଵାସ
ବିଲୋଳ ଉଚ୍ଛ୍ଵାସ
★★★★★

© ସତ୍ୟବତୀ ସ୍ୱାଇଁ

Inspirational

4 Minutes   7.0K    16


Content Ranking

ରବିବାରିଆ ଦିନଟି ଅଳସ ଭାଙ୍ଗୁଥିଲା । ସଂଜ ନଇଁ ଆସୁଥିଲା ଫାଜିଲାମି ବେଶରେ । ରାତି ବଢୁଥିଲା ଲାଜୁଆ ଆଖିରେ ହସ ଟିକେ ଭରି । ବରଷା ଲାଗି ରହିଥିଲା ଅହରହ ଥମିବାର ନାଁ ନ ନେଇ । ଚାରିଆଡ ପଚ ପଚ, ସନ୍ତସନ୍ତିଆ । ଜୀବନ ଯାତ୍ରା ଅସହଜ ଲାଗୁଥିଲା ଘରେ ରହି । ପଦାକୁ ବାହାରି ହେଉ ନଥିଲା ଶ୍ରାବଣର ଲଘୁଚାପ ବର୍ଷାରେ । ଦେହ ମନ ଖୋଜୁଥିଲେ କିଛି । ଛମଛମ ବର୍ଷା ସୁର ତାଳେ ତାଳେ ଅଣାୟତ୍ତ ହେଉଥିଲେ ଦୁଷ୍ଟ ଇଚ୍ଛା ମାନେ ।

ବେଡ଼ରେ ଏପଟ ସେପଟ କଡ଼ ଲେଉଟାଉଥିଲା ଡ଼ିଜାଇନି "ଡିଜୁ" । ଏତ ବଡ଼ ଘରଟାରେ ଏକା ଏକା ଆଦୌ ଭଲ ଲାଗୁ ନଥିଲା । ନିଃସଙ୍ଗତା ବେଳେ ବେଳେ ଭାରି ଫୁଲେଇ ହୋଇ ବେକ ଚାରିପଟେ ଓହଳି ପଡେ ।

ସୁଦୁ ଉଶୃଙ୍ଖଳ ଲଙ୍ଗୁଳି ବଦମାସୀଟାଏ ତ ।  ବୟସ କି ବୁଢ଼ା କାହାକୁ ଛାଡେନା । ତାର ଇଛା ହେବ ଯାହାକୁ କବଳିତ କରିବାକୁ ପରିସ୍ଥିତି ଦେଖି କନ୍ଦେଇବ ନହେଲେ ହସେଇବ ନାକେଦମ୍ କରି । ସେଇ ପାଇଁ ନିଃସଙ୍ଗତାକୁ ଭାରି ଡର ଡିଜୁର ।

ପିଲାମାନେ ହଷ୍ଟେଲରେ । ବାବୁ ବଂଶ ବାଙ୍ଗାଲୋର ଟୁରରେ । ଏକୁଟିଆ ତାରା ପରି ଆଜି ରବିବାରଟା ବ୍ୟସ୍ତ ଓ ବୋରରେ କଟୁଥିଲା ।

ଫୋନ ରିଙ୍ଗି ହେଲା । ବଂଶ କି!!ଚଟାପଟ ଫୋନଟି ଉଠାଇ ନେଲା ଡିଜୁ । ନା ଅନ୍ ନୋନ ନମ୍ଭର ।

ବିରକ୍ତିରେ ଫୋନଟି ରଖି ଛାଡି ଆସିଥିବା ଅତୀତକୁ ଟିକେ ଅନାଇଲା । ଆଲବମ ଖେଳାଇଲା ।

ମନକୁ ମନ ହସିଦେଲା ତାର ଛବି ଦେଖି । ଇଏ କଣ ସେଇ ନାକ କାନ୍ଦୁରି,ଝାମ୍ପୁଲି, ଉକୁଣୀ ମୁଣ୍ଡି ଡିଜୁ!!ଡବ ଡବ ଆଖି ଅଜସ୍ର କୋମଳ ପ୍ରଶ୍ନରେ ଭରପୁର!!ପଞ୍ଚମ ଶ୍ରେଣୀ ଫୋଟୋଟି ।

ଏଇଟା ଅଷ୍ଟମ ଶ୍ରେଣୀର ଫୋଟୋ । ନିରୀହ,ଲାଜୁଆ,ଚୁପ ଚାପ ଝିଅଟି । ଇଏ ଦଶମ ।

ବାଃ ମୁହଁଟି ଜଳୁଛିତ!!ଗୋଲଗାଲ ,ଚିକକଣ !!ଆଖିରେ ଭର୍ତ୍ତି ସ୍ଵପ୍ନ ଛଳ ଛଳ ।

ଏଇଟା କଲେଜର ।  ଚିହ୍ନି ହେଉନି... ଷ୍ଟାଇଲିଷ୍ଟ । ହାଲକା ଲିପିଷ୍ଟିକ,ବବକଟ ଚୁଟି,ଓଠରେ ହସ, ଆଖିରେ ରହସ୍ୟ । ହସିଲା ହସିଲା ମୁହଁ । ଇସ!!ସତରେ ମ’ ସେ ଏତେ ସୁନ୍ଦର ଲାଗୁଛି!!!

ଏଇଟି ବିବାହ ବେଳର । ବଂଶ ଓ ତାର  । କି ଯୋଡି । ବିହି ବସି ବସି ନିକିମା ହେଇ ଗଢ଼ିଛି ନିଶ୍ଚୟ । ବଂଶ ଆଖିର କି ଦୁଷ୍ଟାମୀ । ବଂଶ ସବୁବେଳେ ପତ୍ନୀ ସୁହାଗିଆ ।  କାନି କମ ଟାଣିଛି ନା କଣ?? ଲାଜରା କରି ଅପଦସ୍ତ କରିଛି ଅନେକ । ଯଦିଓ ସେ ଏମିତି କରୁ ତାର ମନ ଚାହେଁ ;କୃତ୍ରିମ ରାଗ କିନ୍ତୁ ଦେଖାଇ ମନ ଯେମିତି ଜମା ନାହିଁ ସେମିତି ଦେଖେଇ ହୁଏ । ବୋଧେ ସବୁ ଝିଅଙ୍କ ଏ ଗୋଟେ ବିଧି ଦତ୍ତ ସହଜାତ ନାରୀ ସ୍ୱଭାବ ।

ଆଉ ଇଏ ସବୁଠାରୁ ଲୋଭନୀୟ ଫୋଟୋ ।

ଏ...ମା !!କେମିତି ଦେଖା ଯାଉଛି!! । ନହକା ବେତ ଦେହକୁ ଏତେ ବଡ ଧାନ ଉଷୁଆଁ ହାଣ୍ଡି ପରି ପେଟ!! ମିଷ୍ଟି ଓ ବେଦ ଏଇ ପେଟରେ ଥିଲେ!! ଯାଆଁଳା ଭଉଣୀ ଭାଇ । ମନେ ପଡିଲେ ସେ କଷ୍ଟ ଲୋମ ଟାଙ୍କୁରି ଉଠେ । ଓଃ କି ଯନ୍ତ୍ରଣା !! ଲାଗୁଥିଲା ବୋଧେ ଜୀବନ ଚାଲିଯିବ, ସହି ହେବନି ସେ କଷ୍ଟ....ଦୁଇ ଦିନର ପ୍ରସବ ବେଦନା ପରେ ମିଷ୍ଟି ଓ ବେଦର ଅପେରେସନ ହୋଇ ଜନ୍ମ ।

ଆଶ୍ଚର୍ଯ୍ୟ କିନ୍ତୁ ଚେତା ଆସିଲା ପରେ ଆଗ ଖୋଜିଥିଲି "ମୋ ଛୁଆ" ସବୁ ଯନ୍ତ୍ରଣାକୁ ପଛ କରି । ଦୋଳିରେ ଶୋଇଥିଲେ ମିଷ୍ଟି ଓ ବେଦ ।  କୁଆଡେ ଉଭାନ ହେଇଯାଉଥିଲା ଅସହ୍ୟ ଦରଜ ।  ଡିଜୁ ଏବେ ମା ହେଇ ଯାଇଛି । ଓ ମାଇଁ ଗଡ଼ !!କି ପୁଲକିତ ପ୍ରାଣ ଆତ୍ମା!!ପୂର୍ଣ୍ଣତା ପ୍ରାପ୍ତିର ଆନନ୍ଦ ଅଦଦ୍ଭୁତ । ବଂଶଙ୍କ ମୁଚୁକୁନ୍ଦିଆ ହସ । ଫାଟି ପଡୁଥିଲେ ବାପା ହେବା ଗୌରବରେ ଅବା । ଭାରି ରସିକିଆ ଲାଗୁଥିଲେ ସତେ ଯେମିତି କହୁଥିଲେ ଦେଖ "ମୁଁ କେମିତିଆ ପୁରୁଷ !!ଏକା ଥରେ ଦୁଇଟି ପିଲା....

ଏତେ ବଥାରେ ବି ସତରେ ଡିଜୁ ମନର ଗୋଡ଼ ତଳେ ଲାଗୁ ନ ଥିଲେ । "ମା “ଗୋଟିଏ ଏମିତି ଅନୁଭୂତି...ଦୁନିଆଁର ସବୁ ଶବ୍ଦ କୋଷ ନିଅଣ୍ଟ ହେବେ ଭାଷାରେ ପ୍ରକାଶ କରିବାକୁ । କେବଳ ଏମିତି ଲାଗୁଥିଲା ପୂର୍ଣ୍ଣତା ଅତିଥିଟି ଆସି ଯାଇଛି ତା ଦେହ ମନ ଜୀବନ ଘରକୁ । ଖୁସି ସବୁ ନେସି ହୋଇ ଯାଉଛନ୍ତି ତା ହୃଦୟ କାନ୍ଥରେ । ସବୁ ଝିଅ ଏ..ମି..ତି..ମାତୃତ୍ତ୍ୱ ପ୍ରାପ୍ତି ପରେ ପାଲଟି ଯାଆନ୍ତି ବାତ୍ସଲ୍ୟର ଗଙ୍ଗା ।  ତା ଛାତିରେ ପିଲା ମୁହଁ ପ୍ରଥମେ ଲାଗିଲେ ଲାଗେ ସତେ କି ସ୍ଵର୍ଗୀୟ ସୁଖଦ ଫୁଲ ନେନ୍ଥି ନେନ୍ଥି ଖସି ପଡୁଛନ୍ତି ଦେହ ବଗିଚାରେ!

ତା ପରର କଥା ନ କହିବା ଭଲ । ଆରେ ବାବା ପିଲା ପାଞ୍ଚ ବର୍ଷ ନ ହେବା ଯାଏ କି କଷ୍ଟ!!!ପୁଣି ଯାଆଁଳା ପିଲାର ମାଆ ସମସ୍ୟା ଟିକେ ଅଧିକ ଗୋଟିଏ ପିଲାର ମାଆ ଠାରୁ । ରାତି କେତେ ବେଳେ ହୁଏ ଦିନ କେତେ ବେଳେ ଆସେ ଜଣା ପଡେନି । ସେ ତ ତାରିଖ ବାର ବି ଭୁଲି ଯାଇଥିଲା ଛଅ ମାସ ପର୍ଯ୍ୟନ୍ତ ।

ବଂଶ ଯେଉଁ ଦିନ କହିଲେ"ଡିଜୁ ତୁମେ ଆସନ୍ତା ପାଞ୍ଚ ତାରିଖରେ କଲେଜ ଜଏନ କରୁଛ; ମନେ ଅଛି?"

ଡିଜୁ ଆକାଶରୁ ଖସି ପଡିଲା । ସତେତ ଏହା ଭିତରେ ଛଅ ମାସ ପୂରିବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି । ଚାକିରୀ କରିଛି;ଛୁଟି ପୁରିଗଲାଣି ଯେତେବେଳେ ଜଏନ କରିବାକୁ ପଡିବ । କିନ୍ତୁ କେମିତି ଏ ଦିଟା ଛୁଆଙ୍କୁ ଛାଡି......

ମୁଣ୍ଡ ବୁଲେଇ ଦେଲା ଡିଜୁର । ଡାକ୍ତର ପରାମର୍ଶ କରି ପିଲା ଦୁଇଜଣ କଣ ଖାଇବେ,କେତେବେଳେ ଖାଇବେ,କିଏ ରକ୍ଷଣା ବେକ୍ଷଣା ଦାୟିତ୍ତ୍ୱ ନେବେ ସ୍ଥିର ହେଲା । କାମ ବାଲି ଅଛି ହେଲେ ସେତ ପିଲାର ଯତ୍ନ ନେଇ ପାରିବ ନାହିଁ । ଶେଷରେ ଗାଁରୁ ମାଇଁ ଆସିଲେ ।

ଛଅମାସ ପରେ ପ୍ରଥମ ଥର ମିଷ୍ଟି ଓ ବେଦକୁ ଛାଡି ଡିଜୁ ବାହାରକୁ ଗଲା । ସହକର୍ମୀ ବନ୍ଧୁମାନେ

ଚିହ୍ନି ପାରିଲେନି ତାକୁ । " ମିସେସ ମହାନ୍ତି କଣ ରୂପ କାନ୍ତି ଦିଶୁଛି"?

ରୂପ ! କାନ୍ତି ! ସେ ତ ରାତିଦିନ ,ବାର ତାରିଖ ଜାଣି ପାରିନାହିଁ ଏ ଛଅ ମାସ ଭିତରେ । ନିଜକୁ ଦେଖିବ କେତେବେଳେ ! କାତି ଛାଡ଼ୁଛି ପିଠିରୁ । ହଲୁଛି ଯେମିତି । ବେବି ଦୁଇ ଜଣଙ୍କୁ ଫିଡିଙ୍ଗ କରେ । ଏଣୁ ବତାସ ବାଡ଼ିଆ ପରି ଚେହେରା ଦେଖାଯାଏ ।

ପ୍ରଥମ ଦିନ କଲେଜରେ ଛଅ ଘଣ୍ଟାର ରହଣି ଅନୁଭୂତି ପିଲାଙ୍କୁ ଛାଡି ରହିବାର ,ଭାବିଲେ ଲୋମ ଟାଙ୍କୁରି ଉଠେ ଡିଜୁର । ଓ ମା’ କି କଷ୍ଟ !! ଅବର୍ଣ୍ଣନୀୟ ସେ ଅନୁଭବ ଓ ଅନୁଭୂତି । ଲାଗୁଥିଲା ସତେ କି ପାହାଡ଼ ଦି’ଟା ତା ଛାତିରେ କିଏ ଲଦି ଦେଇଛି । ପ୍ରାଣ ଛାଡି ଯିବ କି ସିର ସିର ଯନ୍ତ୍ରଣାରେ!! ଘଣ୍ଟାକୁ ଘଣ୍ଟା ମିଷ୍ଟି ଓ ବେଦ ତା’ ଠାରୁ କ୍ଷୀର ଖାଆନ୍ତି । ଛଅ ଘଣ୍ଟାର ବ୍ୟବଧାନ ଛାତିରେ ଭରି ଦେଇ ଥିଲା ଅସହ୍ୟ ବ୍ୟଥା । ଜୀବନରେ ପ୍ରଥମ ଥର ଡିଜୁ ଭାବିଲା ଚାକିରୀ କରି କି ଭୁଲ କରିଛି!!

ଚାକିରିଆ ମା’ର କଷ୍ଟ,ବ୍ୟଥା,ବେଦନା କେବଳ ଚିକିରିଆ ମାଟିଏ ବୁଝି ପାରିବ । ପିଲାକୁ କ୍ଷୀର ଖୁଆଉଥିବା ମା’ ଯେତେବେଳେ ତା କର୍ମ କ୍ଷେତ୍ରକୁ ଯାଏ କି ଦୁଃର୍ଗତି ଦେଇ ଗତି କରେ,କି ଅନିର୍ବଚନୀୟ ଦୁଃଖକୁ ଚାପି ରଖେ ତା ଏଇ ନିର୍ଜୀବ ଅକ୍ଷର ପ୍ରକାଶ କରିବାକୁ କୁଣ୍ଠିତ ହେବ । ଅକ୍ଷର ବି କାନ୍ଦି ପକେଇବ । ଛାତିରେ କ୍ଷୀର ଜମାଟ ବାନ୍ଧି ଦେହ ,ମନ କଟ କଟ କରେ । ଜର ଜର ଲାଗେ । ଛଟପଟ ହୁଏ ମନ । ବେଳେବେଳେ ବ୍ଳାଉଜ୍ ଭିଜାଇ ବହିଯାଏ ଛାତିର ଅମୃତ ।

ସଂକୁଞ୍ଚିତ ମନ ପ୍ରାଣ ଆତୁର,ଅଧୀର ହୋଇପଡେ । ଇଛାଟିଏ ହୁଏ ଦଉଡ଼ି ଯାଇ ପିଲା ଦୁଇଟିକୁ ବହି ଯାଉଥିବା କ୍ଷୀରକୁ ଖୁଆଇ ଦେଇ ଆସନ୍ତା କି??ନିଃଷ୍ଫଳ ଆଶା କିନ୍ତୁ ମରୁଥିଲା ବାଥ ରୁମରେ କ୍ଷୀର କାଢି ଫିଙ୍ଗିବାରେ ।  ଏତେ ଅସହାୟତା!

ବ୍ୟାକୁଳତା ! କି ଆକୁଳିତ ଅଲୋଡିତ ମା’ ମନ ତଳର ବେଦନା ଭର୍ତ୍ତି ଫର୍ଦ୍ଦ । କିଏ ଭରି ଦିଏ ମା’ ମନରେ ଏତେ କମ୍ପନ ,ଆର୍ତ୍ତନାଦ ପିଲା ପାଇଁ ! ସତରେ କି ବନ୍ଧ,କି ବନ୍ଧନ,କି ଅଦୃଶ୍ୟ,ଅଦ୍ଭୁତ ଡୋର ମା’ ଓ ପିଲାର !

ଧନ୍ୟ ପ୍ରକୃତି,ନିୟତି ଓ ତୋର ମା’ ମନେ ଭରିଥିବା ବାତ୍ସଲ୍ୟ ମମତା !

ଏମିତି ପିଲାଙ୍କ କଥା ଓ ନିଜ ବ୍ୟଥା ସହ ଲଢେଇ କରୁ କରୁ କେତେବେଳେ ସବୁ ଆସ୍ତେ ଆସ୍ତେ ଦେହ ସୁହା ହୋଇଯାଏ । ମାତ୍ର ଘର ବାହୁଡା ମନର ଚଞ୍ଚଳତା ଆହୁରି ଚମକ ପ୍ରଦ । ଅନ୍ୟ ବେଳେ ବସରେ ସିଟ ଅଛି କି ପଚାରୁଥିବା ଡିଜୁ ଏବେ ପ୍ରଥମେ ଯେଉଁ ବସ ଦେଖେ ବିନା ପ୍ରଶ୍ନରେ ଉଠିଯାଏ । ଲକ୍ଷ୍ୟ ଯେତେ ଶୀଘ୍ର ସମ୍ଭବ ଘରେ ପହଂଚିବା,ପିଲା ଦୁଇଟିକୁ ଛାତିରେ ଜାକି ସ୍ୱସ୍ଥିର ନିଃଶ୍ୱାସ ନେବା ।

ପିଲା ଆଉ ସେ ;ସେ ଆଉ ପିଲା ମୟ ସାରା ସଂସାର । ଆଃ କି ଆନନ୍ଦ ଦାୟୀ ସେ ମୁହୂର୍ତ୍ତ !! ଅବୋଧ ପିଲା ଦୁଇଟି ବି ଗୋଡ ହାତ ବାଡେଇ ତାଙ୍କ ଖୁସି ଜାହିର କରନ୍ତି ମା’କୁ ଦେଖି । ମା’ ଛୁଆ ଗେଲ ହେଉ ହେଉ ମନ ,ଘର ଅଗଣା ସବୁଆଡେ ଛାଇ ହୋଇ ଯାଏ ନେନ୍ଥି ନେନ୍ଥି ଫୁଲ......

ପିଲାର ହସ କାନ୍ଦ,ପେଟେଇବା,ଆଣ୍ଠେଇବା,ଗୁରୁଣ୍ଡି ଗୁରୁଣ୍ଡି ଚାଲିବା,ବାରମ୍ବାର ପଡିବା, ଚିଲେଇବା,ଘରର ଯାବତୀୟ ଜିନିଷ ଛିନ୍ନ ଛତର କରିବା,ଋଷିବା,ଗୁଲୁରୁ ଗୁଲୁରୁ ମା...ବା..ଡାକିବା--ସବୁ ଥିରେ ଯେପରି ଝରି ପଡେ ଥୋପି ଥୋପି ବିଲୋଳ ଉଚ୍ଛ୍ଵାସ ବାତ୍ସଲ୍ୟ ଧାରା  । ନେନ୍ଥି ନେନ୍ଥି ଫୁଲ । ମା’ ... ଛୁଆ....ଛୁଆ ....ମା’ । ଆଉ ସବୁ ତୁଛ....  ।

ସତ୍ୟବତୀ ସ୍ୱାଇଁ, ମୀନୁ

ବାଲିକୁଦା,ଜଗତସିଂହପୁର

ଜୀବନ ବାଙ୍ଗାଲୋର ମା'

Rate the content


Originality
Flow
Language
Cover design

Comments

Post

Some text some message..