Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

4  

Lopamudra Mishra

Others

Rastara bama parswo

Rastara bama parswo

8 mins
246



         

ପିଲାଦିନର ଶ୍ରୁତଲିଖନ ଖାତା, ହସ୍ତାକ୍ଷର ଖାତା ରେ ଲେଖି ଲେଖି ସେ ଅଭ୍ୟସ୍ତ 'ରାସ୍ତାର ବାମ ପାଖେ ଚାଲନ୍ତୁ ' l ଶିକ୍ଷକ, ଶିକ୍ଷୟିତ୍ରୀ, ବାପାମାଆ ବି ସବୁବେଳେ ସେହି ଶିକ୍ଷା ଦେଇଆସିଛନ୍ତି l ସେଥିପାଇଁ ସେ ବାମ ପଟଟାକୁ କୌଣସି ଦିନ ଭୁଲ୍ ମନେକରି ଘୃଣା କରିନାହିଁ, ବରଂ ଲକ୍ଷସ୍ଥଳ ରେ ପହଞ୍ଚିବା ପାଇଁ ସେଇଟି ସଠିକ ମାର୍ଗ ବୋଲି ଧରିନେଇଛି l 


  ନିତ୍ୟବ୍ୟବହାର୍ଯ୍ୟ ପ୍ରତ୍ୟେକ ସାମଗ୍ରୀର ଦରଦାମ ବହୁତ ବଢ଼ିଯାଇଥିଲା,ଶିକ୍ଷା ଓ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଆଡକୁ ଗତି କରୁଥିଲା,ଲୋକେ ଆଖିରେ ଅନ୍ଧପୁଟୁଳି ବାନ୍ଧି ଇତସ୍ତତଃ ଧାଉଁଥିଲେ ଆଉ କିଛି ଲୋକ ଆଖିବୁଝି କେବଳ ଧ୍ୱଂସକୁ ଅନୁସରଣ କରୁଥିଲେ l ସେହି ସମୟରେ ତରୁଣ୍ ନଜରକୁ ଆସିଥିଲା ବାମ ପଟର ରାସ୍ତାଟି l ସେହି ବାଟରେ ଯାଉଥିବା ଲୋକମାନେ ସ୍ୱାର୍ଥ କିମ୍ବା ସମସ୍ୟା ନୁହେଁ ସମାଧାନ ଆଡେ ହିଁ ମୁହାଁଇଥିଲେ l ତରୁଣ୍ ସେମାନଙ୍କର ନିକଟବର୍ତ୍ତୀ ହେଲା, ସେମାନଙ୍କୁ ଓ ସେମାନଙ୍କ ଆଦର୍ଶ କୁ ବୁଝିବା କିନ୍ତୁ ତା ପକ୍ଷେ ଏତେ ସହଜନଥିଲା l


    ବାପା, ଭାଇ, ସାଙ୍ଗସାଥୀ, ଚିହ୍ନା ପରିଚିତ ସଭିଏଁ କହୁଥିଲେ, "ବାମ ଅର୍ଥ ଭୁଲ l ସେ ଆଡେ ଯାଆନାହିଁ " l ତରୁଣ୍ କୁ ଉକ୍ତି ଟି ଠିକ୍ ଲାଗିଲାନି l ବାମ କିପରି ଭୁଲ ହେଇପାରେ ? ବାମ ର ବିପରୀତ ଯଦିଓ ଦକ୍ଷିଣ, ଦକ୍ଷିଣ ଏକଦମ ଠିକ ଓ ବାମ ଭୁଲ ବୋଲି ସେ ଆଦୌ ଗ୍ରହଣ କରିପାରୁନଥିଲା l


     ତରୁଣ୍ ରହୁଥିବା ସମାଜରେ ଥିଲା ନାନାଦି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା l ତଥାପି ସେହି ଭୁଲ ସହ ସାଲିସ୍ କରିନେଇ ଅନେକ ଲୋକ ଚାଲୁଥିଲେ l ସେମାନଙ୍କ ପାଖରେ କିଛି ଗୋଟେ ଅଭାବ ଥିଲା ପରି ତରୁଣ୍ ଅନୁଭବ କଲା l ସେମାନେ ସମସ୍ତେ ଯଦିଓ ଡାହାଣ ପଟେ ଚାଲୁଥିଲେ, କୁଆଡେ ଧାଉଁଥିଲେ ସେମାନଙ୍କୁ ଜଣା ହିଁ ନଥିଲା l ପଚାରିଲେ କହୁଥିଲେ, "ରାସ୍ତା ଆମକୁ ଯୁଆଡେ ନେଉଛି ଆମେ ଯାଉଛୁ " l 


    ତରୁଣ୍ ନୂଆକରି ପାଇଥିବା ବାମପାର୍ଶ୍ୱର ବନ୍ଧୁଟିକୁ ପଚାରିଲା, "ରାସ୍ତା କଣ କାହାକୁ ଭିଡି ନେଇପାରେ ? ପାଦ ଆମର,ମସ୍ତିଷ୍କ ଆମର, ଲକ୍ଷ୍ୟ କେମିତି ଆମର ନହେଇ ରାସ୍ତାର ହେବ ? "


ବାମବନ୍ଧୁ ନମ୍ରତାର ସହ ଉତ୍ତର ଦେଲେ, "ହଁ ହେଇପାରେ l ରାସ୍ତା ବି ଭିଡିନିଏ l ରାସ୍ତା ସେହିମାନଙ୍କୁ ଉଦେଶ୍ୟହୀନ ଭାବେ ଧାଇଁବାକୁ ବାଧ୍ୟ କରେ ଯେଉଁମାନେ ସମାଜ ପାଇଁ ନୁହେଁ ନିଜ ପାଇଁ ବଞ୍ଚିବାକୁ ଚାହାଁନ୍ତି l ଆତ୍ମକୈନ୍ଦ୍ରିକ ହୋଇ ଅନ୍ଧପ୍ରାୟ କେବଳ ଧାଇଁବା ଅଲକ୍ଷରେ ସେମାନଙ୍କ ଲକ୍ଷ ହେଇଯାଇଥାଏ l"


   ତରୁଣ୍ କିଛି କିଛି ବୁଝୁଥିଲା ନିଶ୍ଚୟ ନହେଲେ ନିଜ ବାମପଟର ରାସ୍ତାଟାକୁ କେବେଠୁ ଇଟା ଥୋଇ ବନ୍ଦ କରି ସାରନ୍ତାଣି l 


  ତରୁଣ୍ ଚାଲୁଥିବା ରାସ୍ତାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟୁଥିଲା l ସେମାନେ ସମସ୍ତେ ନିଜ ବୁଦ୍ଧିର ଉପଯୁକ୍ତ ବ୍ୟବହାର କରୁଥିବା ତରୁଣ୍ ଲକ୍ଷ୍ୟ କରୁଥିଲା l ସେମାନେ କାହାକୁ ଅନ୍ଧ ଭଳି ଅନୁସରଣ କରୁନଥିଲା l ମିଛ ସମାଜସେବୀ ଙ୍କ ପରି ସେମାନଙ୍କର ଏକାଧିକ (ଦୁଇଟି, ତିନୋଟି ବା ତତୋଧିକ ) ଚେହେରା ନଥିଲା l ସେମାନଙ୍କ ଆଚରଣ ଓ ଉଚ୍ଚାରଣ ରେ ଆଦୌ କୌଣସି ପାର୍ଥକ୍ୟ ନଥିଲା l ସେମାନେ ଯେଉଁ ରାସ୍ତାରେ ଚାଲୁଥିଲେ ଆବଶ୍ୟକ ସ୍ଥଳେ ସେହି ଭୂଇଁରେ ଶୋଇ ରାତି କଟେଇ ଦେଉଥିଲେ l ସେମାନେ ଯାହାଙ୍କ ପାଇଁ ଲଢୁଥିଲେ, ସେହିମାନଙ୍କ ଜୀବନଶୈଳୀ କୁ ଆପଣେଇ ନେଇ ସେହିପରି ଜିଉଁଥିଲେ l ନା ଥିଲା ସେମାନଙ୍କ ପାଖେ ଅପର୍ଯ୍ୟାପ୍ତ ସମ୍ପତ୍ତି ନା ଘରଦ୍ୱାର ଓ ବିଳାସପୂର୍ଣ୍ଣ ଗାଡି ମଟର l


    ତରୁଣ୍ ସେହି ରାସ୍ତାର ଅନେକ ନେତାଙ୍କ ଜୀବନକୁ ଖୁବ୍ ପାଖରୁ ଅନୁଧ୍ୟାନ କଲା l ଖୁବ୍ ସାଧା ସିଧା ଲୋକ ଥିଲେ ସେମାନେ କିନ୍ତୁ ମନରେ ସେମାନଙ୍କର ଥିଲା ଅସୀମ ଧର୍ଯ୍ୟଶକ୍ତି ଓ ଦୃଢ଼ତା l ଘର ତାଙ୍କର ସମଗ୍ର ପୃଥିବୀ l ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ସେହିଠାରେ ସେମାନଙ୍କର ରାତି କଟେ,କେବେ ଥକ୍କାରେ ଆଖିବୁଜି ଶୋଇଯାଇ ତ ପୁଣି କେବେ କେବେ ହିନ୍ଦୀ, ଇଂରାଜୀ, ଓଡ଼ିଆ ଓ ବଙ୍ଗଳା ଗୁଡ଼ାଏ ବହି ସହ ଅନିଦ୍ରା ରହି l ନୂଆ ଏକ ପରିବର୍ତ୍ତିତ ସ୍ୱଚ୍ଛ ସକାଳର ସ୍ୱପ୍ନ ଉନ୍ମୁକ୍ତ ଚକ୍ଷୁରେ ଦେଖନ୍ତି ସେମାନେ l ଅନର୍ଗଳ କହିପାରନ୍ତି ଆହୁରି ମଧ୍ୟ ପାଟିରୁ ପଦେ ବି ଶବ୍ଦ ବାହାର ନକରି ଘଣ୍ଟା ଘଣ୍ଟା ମୌନ ରହି ଅନେକ କିଛି ଚିନ୍ତା କରିପାରନ୍ତି ସେହି ଚିନ୍ତାନାୟକ ମାନେ l ତର୍କ, ଯୁକ୍ତି, ବିଚାର, ବିବେଚନା ରେ ସେମାନଙ୍କ ସମ ନେତା ତରୁଣ୍ ଆଜିଯାଏଁ ଅନ୍ୟ କେଉଁ ରାସ୍ତାରେ ଦେଖିନାହିଁ l "ତଥାପି ବାମ ଅର୍ଥ ଭୁଲ କାହିଁକି ?", ତରୁଣ୍ କ୍ଷୋଭ ପ୍ରକାଶ କରେ, କିନ୍ତୁ ସେହି ରାସ୍ତାର ଆଦର୍ଶ ତାକୁ ଶିଖାଏ, "ଯିଏ ଠିକ ସେ କ୍ରୋଧୀ ନୁହେଁ,କୋପୀ ନୁହେଁ ବରଂ ସ୍ଥିରଚିତ୍ତ, ଧର୍ଯ୍ୟବାନ l "


    ତରୁଣ୍ ଚାଲୁଥିଲା l ତାରି ପରି ଅନେକ ତରୁଣ୍ ସେହି ରାସ୍ତାରେ ଯୋଗ ଦେଉଥିଲେ, ଏକତ୍ରିତ, ସଙ୍ଗଠିତ ହେଉଥିଲେ l ସଙ୍ଗଠନ ଦୃଢ ହେଉଥିଲା l ସେମାନେ ପୁଣି ଭାଗ ଭାଗ ହେଉଥିଲେ ଓ ବିଚ୍ଛୁରିତ ହେଇଯାଇ ନୂଆ ନୂଆ ଜାଗାରେ ମାନବିକତାର ବାର୍ତ୍ତା ପହଞ୍ଚାଉଥିଲେ l ଯେହେତୁ ସେମାନେ ସମଗ୍ର ମାନବଜାତିର ମଙ୍ଗଳ ପାଇଁ, ସବୁମଣିଷଙ୍କ ଅଧିକାର ପାଇଁ, ସବୁ ଭୁଲକୁ ସୁଧାରିବା ପାଇଁ,ସାରାଟା ପୃଥିବୀକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ ଥିଲେ ତେଣୁ ସେମାନଙ୍କ ଠାରେ ସେମିତି କିଛି ଲୋଭ, ମୋହ ଓ ଇର୍ଷାପରାୟଣତା ନଥିଲା l


  ସେଦିନ ତରୁଣ୍ ସହ ତା ଗାଁର ଛୋଟ ଭାଇ ଟିଏର ଦେଖା ହେଇଗଲା l ତରୁଣ୍ ଏକ ରାଲି ରେ ଚାଲିଥିଲା l ପିଲାଟି ଦୌଡ଼ି ଦୌଡ଼ି ପାଖକୁ ଆସିଲା l 


--ତରୁ ଭାଇ, ଏଠି କଣ କରୁଛ ? 


--ଗୋଟେ ସୁନ୍ଦର ନୂଆ ସକାଳ କୁ ପୃଥିବୀକୁ ଆଣିବା ପାଇଁ ସଂଗ୍ରାମ ଚାଲିଛି ବିକାଶ୍ l ମୁଁ ସେହିଥିରେ ସାମିଲ୍ l


--ସବୁରାତି ପାହିଲେ ତ ନୂଆସକାଳ ଟିଏ ଆସେ l


--ହଁ ଯେ କିନ୍ତୁ, ଏମାନେ ଚାହାଁନ୍ତି ସେହି ସକାଳର ଆଲୋକ ସଭିଙ୍କୁ ସମଭାବେ ଆଲୋକିତ କରୁ l କାହାକୁ କମ୍ କିମ୍ବା ବେଶି ନୁହେଁ l


--ହେତ୍ ତୁମେ କଣ କହୁଛ ଯେ, ମୁଁ ବୁଝିପାରୁନି !! ଆଚ୍ଛା ଏମାନେ ସତରେ କଣ କରୁଛନ୍ତି କୁହତ ? 


--କହିଲି ପରା ଏମାନେ ନୂଆ ଗୋଟେ ସୁନ୍ଦର ସମାଜ ତିଆରି କରିବାକୁ ଯାଉଛନ୍ତି l ସବୁ ବଦଳିବ, ବୁଝିଲୁ l ମଣିଷ-ମଣିଷ ଭିତରେ ଭେଦଭାବ, ଧନୀ ଗରିବ ବୋଲି କିଛି ଶବ୍ଦ ରହିବନି l ଏମାନେ ସେହି ସମାଜର ମୂଳଦୁଆ ଏବେ ପକାଉଛନ୍ତି l ଶୁଣ, ତତେ ଏବେ ସବୁ ବୁଝେଇ ହେବନି l ତୁ ଘରକୁ ଯାଆ, ମୁଁ କେବେ ଗାଁ କୁ ଗଲେ ଫୁରସତ ରେ ସବୁ ବୁଝେଇ କହିବି l


   ତରୁଣ୍ ମନରେ ଅଫୁରନ୍ତ ଉତ୍ସାହ ନେଇ, ସଂଗ୍ରାମୀର ମନୋବଳ ଘେନି ସେହି ବାମ ରାସ୍ତାରେ ସମ୍ଭାବନା ର ନୂତନ ସୂର୍ଯ୍ୟୋଦୟ ଦିଗକୁ ପାଦ ବଢ଼େଇଲା, ରାସ୍ତାର ସବୁ ବାଧା ପ୍ରତିବନ୍ଧକ କୁ ଆଡେଇ l


      ଅନେକ୍ ଦିନ ବିତିଯାଇଥିଲା l ତରୁଣ୍, କମ୍ରେଡ୍ ତରୁଣ୍ ରେ ପରିଣତ ହେଇଯାଇଥିଲା l ସ୍କୁଲ୍, କଲେଜ୍ ରେ ତା ସହପାଠୀ ଥିବା ତାର ଅନେକ ବନ୍ଧୁ ତାଠୁ ଅନେକ ଦୂରକୁ ଚାଲିଯାଇଥିଲେ l ତରୁଣ୍ ର ନିଜର ଲୋକ ତାକୁ କ୍ଵଚିତ୍ ପାଖରେ ପାଉଥିଲେ ଓ ସେ ପାଖରେ ପାଉଥିବା ସମସ୍ତ ମାନବଜାତି କୁ ନିଜର କରିସାରିଥିଲା l 


   ତରୁଣ୍ ଆସିଥିଲା ନିଜ ଅଞ୍ଚଳକୁ l ସଂଗ୍ରାମୀ ତରୁଣ୍ ନିଜ ସଂଗ୍ରାମୀ ବନ୍ଧୁଙ୍କ ସହ ନିଜ ଗାଁ ମୁଣ୍ଡରେ ପୋଷ୍ଟର୍ ଲଗାଉଥିଲା ବେଳେ ଦେଖାହେଇଗଲା ସ୍କୁଲ ବେଳର ଅନ୍ତରଙ୍ଗ ସାଙ୍ଗ ହରିଶ୍ ସହ l ହରିଶ୍ ଓ ସେ ଦୁହେଁ ମିଶି ସେଦିନ ସମାଜ ପାଇଁ କିଛି କରିବାକୁ ଏକସଙ୍ଗେ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ହରିଶ୍ ବାଛିଥିବା ରାସ୍ତାଟି ସମାଜରେ କି ପରିବର୍ତ୍ତନ ଆଣିବାରେ ହରିଶ୍ କୁ ସାହାଯ୍ୟ କରିଛି ଜଣାନାହିଁ କିନ୍ତୁ ହରିଶ୍ ର ଜୀବନ ଶୈଳୀରେ ନିଶ୍ଚୟ ଗୁଡ଼ାଏ ଆଖିଦୃଶିଆ ପରିବର୍ତ୍ତନ ଆସିଯାଇଛି l ଏକ ସ୍ୱଚ୍ଛନ୍ଦ ଓ ବିଳାସପୂର୍ଣ୍ଣ ଜୀବନ ଜିଇଁବାପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ହରିଶ୍ ପ୍ରାପ୍ତ କରିସାରିଥିବା ବେଳେ ବାମ ପଥ ର ପଥିକ ତରୁଣ୍ ସର୍ବହରା ର ସୁଖଦ ଅନୁଭୂତି ରେ ବିଭୋର ହୋଇ ନିଜ ଅବିରତ ସଂଗ୍ରାମ ରେ ମଜ୍ଜି ରହିଛି l 


  ହରିଶ୍ ଡ୍ରାଇଭର୍ କୁ କହି ନିଜ ଗାଡି ଅଟକାଇଲା ଓ ଧୁ ଧୁ ଖରାରେ ଅଠା ଦେଇ ପୋଷ୍ଟର୍ ଚିପକାଉଥିବା ବାଲ୍ୟ ବନ୍ଧୁ ତରୁଣ୍ ର ଅଳ୍ପ ନିକଟକୁ ଯାଇ ଆଖିରୁ ଦାମୀ ସନ୍ ଗ୍ଲାସ୍ ଟା ଖୋଲି ଦେଇ ବଡ଼ ପାଟିରେ ଡାକି କହିଲା, "ତରୁଣ୍, ଏତେ ଖରା ରେ କଣ କରୁଛୁ ସେଠି ? ଇଆଡ଼େ ଟିକେ ଏହି ଗଛ ଛାଇ ପାଖକୁ ଆସେ l "


"କିଏ ହରିଶ୍? ", ତରୁଣ୍ ପଚାରିଲା ଖରାରେ ଶୁଖିଲା ମୁହଁକୁ ତାର ସିଧା ଉଠେଇ l ହସି ହସି ସେ ହରିଶ୍ ଆଡକୁ ପୁଣି ଅଗ୍ରସର ହେଲା ଦୁଇ ହାତକୁ ତାର ଝାଡ଼ି ଝାଡ଼ି l


--କିରେ ତରୁଣ୍ କଣ ଚିହ୍ନି ପାରିଲୁନି ? 


--ନାଇଁ ଭାଇ ଦୃଷ୍ଟିଶକ୍ତି ଏଯାଏଁ ତ ଦୁର୍ବଳ ହେଇନାହିଁ l


--ଆଉ କଣ ପୋଷ୍ଟର୍ ଲଗା ଚାଲିଛି ? ଆମ ପିଲା ବି ସେଇଠାରେ କାଲି ଆମ ଦଳୀୟ ପୋଷ୍ଟର୍ ଲଗେଇଛନ୍ତି l


--ହଁ ରେ ଦେଖିଛି l


--ତରୁଣ୍, ତୁ କଣ ଏବେ ବି ଭାବୁଛୁ ତୋ ରାସ୍ତା ଠିକ ? 


--ଭାବୁନି ହରିଶ୍ ମୁଁ ନିଃସନ୍ଦେହ l


--ଆଚ୍ଛା ହଉ ତେବେ କହ ତୋ ରାସ୍ତାର ଲକ୍ଷ୍ୟ କଣ ? ତୁ କଣ ଏଇ ପୋଷ୍ଟର୍ ଲଗା ପୋଷ୍ଟ୍ ରୁ ଆଉ ଆଗକୁ ଯାଇପାରିବୁ ଭାବୁଛୁ ? ମୋତେ ଦେଖ୍,ମୋ ରାସ୍ତା ମୋତେ କଣ ଦେଇଛି ଦେଖି ଜାଣିପାରୁଥିବୁ ନିଶ୍ଚୟ l 


--ମୋ ରାସ୍ତାର ଲକ୍ଷ ବୁଝିବା ତୋ ପାଇଁ ଏତେ ସହଜ ହେବନି ହରିଶ୍ l ସଂଗ୍ରାମୀର ପଥ ତ ନିଶ୍ଚୟ ଭିନ୍ନ ହେବ, ସେଠି ତ ଆଉ ପଦ ପଦବୀ ପାଇଁ କେହି ଲାଳାୟିତ ନୁହଁନ୍ତି ନା ! ସଭିଏଁ ସେଠି ଗୋଟିଏ ଲକ୍ଷ ନେଇ ସଂଗ୍ରାମ ଜାରି ରଖିଛନ୍ତି l 


--ସଂଗ୍ରାମ ଆମେ ବି କରୁଛୁ ତରୁଣ୍ l ପାର୍ଥକ୍ୟ ଟା କିନ୍ତୁ ତୁ ଦେଖିପାରୁନୁ l


--ପାର୍ଥକ୍ୟ !! ପାର୍ଥକ୍ୟ ତ ଏହି ପୋଷ୍ଟର୍ ଲଗେଇବାରେ ବି ଅଛି ସାଙ୍ଗ l


--କେମିତି ତରୁଣ୍ ? 


--ଆମ ପୋଷ୍ଟର୍ ଲଗା କାମଟି ଜଣେ ସଂଗ୍ରାମୀ ଖୁବ୍ ନିଷ୍ଠାରେ କରୁଥିବା ବେଳେ ତୁମ ଦଳୀୟ ପୋଷ୍ଟର୍ ଲଗାଯାଉଛି କିଛି ଟଙ୍କାର ବିନିମୟରେ l ହେଇ ଦେଖ୍ ଦୁଇଟି ଯାକ ପୋଷ୍ଟର୍ କୁ ଭଲକରି , ଆଶା କରେ ପାର୍ଥକ୍ୟଟା ବୁଝିପାରିବୁ l


  ହରିଶ୍ ଦେଖିଲା ସାମାନ୍ୟ ଦଲକାଏ ପବନର ମାଡ଼ ରେ ତାଙ୍କ ଦଳୀୟ ପୋଷ୍ଟର୍ ରାସ୍ତା ସେପାଖ ସିମେଣ୍ଟ୍ ପାଚେରୀ ରୁ ଅଠାଛାଡି ଖୋଲି ଉଡି ଆସିଛି l କିନ୍ତୁ ତରୁଣ୍ ର ପୋଷ୍ଟର୍ ରେ ଏମିତି ଭାବେ ଅଠା ଦିଆଯାଇ ଲଗା ଯାଇଛି ଯେ ନଖରେ କୋରିଲେ ମଧ୍ୟ ହାତକୁ ଆସୁନି l 


  ହରିଶ୍ କିଛି ସମୟ ବିସ୍ମିତ ହେଇ ଦେଖିଲା ଓ ପରେ ପରେ 'ହୋ ହୋ' ହୋଇ ହସି ଉଠି କହିଲା, "ହେ ହେ ପୋଷ୍ଟର୍ ଲଗେଇବାରେ କଣ ଆଉ ବଡ଼ ବାହାଦୂରୀ ଅଛି ଯେ ? ହଉ ତୁ ତୋ ସଂଗ୍ରାମ ଜାରି ରଖ, ମୁଁ ଆସୁଛି l" 


  ହରିଶ୍ ପୁଣି ଥରେ କଳା ଚଷମା ଟା ପିନ୍ଧିନେଇ ସଫେଦ୍ ଦୁନିଆଁଟାକୁ ଝାପ୍ସା କରି ସଂଗ୍ରାମୀ ତରୁଣ୍ କୁ ଆଉଥରେ ଅତିକ୍ରମ କରି ଚାଲିଗଲା l


  ତରୁଣ୍ କାମ ସାରି ଘରକୁ ଫେରିଥିଲା, ରାତିଟେ କଟେଇବା ପାଇଁ l ବାପା ଅତିଷ୍ଠ, ବୋଉ ଦୁଃଖିତ, ଭାଇ ଭଉଣୀମାନେ ବିରକ୍ତ l ତଥାପି ତରୁଣ୍ ହସି ହସି ଖାଇବାପାଇଁ ବସିଗଲା l ବାପା ଗମ୍ଭୀର ହେଇ କହିଲେ, "ତରୁ, ଏସବୁ ଟିଣ ଡବା ପାର୍ଟୀ କାମ ଛାଡି ଚାକିରୀ ବ୍ୟବସ୍ଥାଟେ କର ନହେଲେ ଦିନେ ଏଇ ଭାତ ଗୁଣ୍ଡାଏ ପାଇଁ ତତେ ଭିକ ମୁଠେ ବି ମିଳିବନି l ସେମାନଙ୍କ ମାୟା ଜାଲ ରୁ ଯେତେ ଶୀଘ୍ର ପାରୁଛୁ ବାହାରି ଆସେ l ତୁ କଣ ଭାବୁଛୁ ସେମାନେ କୌଣସି ଦିନ ଏ ଦେଶରେ ସରକାର ଗଢ଼ିପାରିବେ ? "


--ବାପା, ସରକାର ଗଢିବା ଉଦେଶ୍ୟ ରେ ସେମାନେ ଲଢୁନାହାଁନ୍ତି l 


"ଆଉ କଣ ଭିକ ମାଗିବା ଉଦେଶ୍ୟ ରେ ଘର ଦ୍ୱାର ଛାଡି ବୁଲୁଛନ୍ତି? ମୁଁ ପ୍ରଥମରୁ କହୁଛି ବାଁ ପାଖଟା କେବେ ବି ଠିକ ନୁହେଁ l ତୁ କଣ ମୋ କଥା ଶୁଣୁଛୁ l ବେଳ ଥାଉ ଥାଉ ନବଦଳିଲେ ଭବିଷ୍ୟତ ରେ ବଡ଼ ଦୁଃଖ ପାଇବୁ ଜାଣିଥା l ଆମେ ଆଉ ନଥିବୁ ସେତେବେଳକୁ l ବୁଝୁଛୁ କି ନାହିଁ ? 


 ତରୁଣ୍ କିଛି କହୁନଥିଲା l ଚୁପଚାପ୍ ତଳକୁ ମୁହଁ କରି ଖାଉଥିଲା l  ତରୁଣ୍ ସାଙ୍ଗରେ ଥିବା ତାଙ୍କ ଗାଁର ସାନଭାଇ ଟା ସେଦିନ ସେଇଠି ଥିଲା l ତରୁଣ୍ ର ବାପାଙ୍କୁ ତରୁ ଭାଇ ଉପରେ ଖୁବ୍ ବେଶି ରାଗୁଥିବା ଦେଖି କହିଲା, "ବଡ଼ବାପା ଦକ୍ଷିଣ ପାଖଟା କେମିତି ଠିକ ବୋଲି ଭାବୁଛ ତୁମେ ? "


--ସମସ୍ତେ ଜାଣିଛନ୍ତି ଦକ୍ଷିଣ ଟା ହିଁ ଠିକ l ଯେଉଁମାନେ ବିଦ୍ରୋହୀ, ଉଗ୍ର,ଚରମ ପନ୍ଥୀ, ସେହିମାନେ ହିଁ ବାମପଟେ ଚାଲନ୍ତି l ସେମାନଙ୍କର କିଛି ଲକ୍ଷ ନଥାଏ l ସେମାନେ କେବଳ ଗୋଟେ ଜାଣିଛନ୍ତି ଆନ୍ଦୋଳନ, ରାଲି ଆଉ ବନ୍ଦ ଡାକରା l


--ବଡ଼ବାପା ସେମାନେ ଏସବୁ କଣ ନିଜ ସ୍ୱାର୍ଥ ପାଇଁ କରନ୍ତି ? 


--ତୁ ଆଉ ମୋତେ ବୁଦ୍ଧି ଶିଖାନା l ତରୁ ସହ ମିଶି ତୁ ବି ନଷ୍ଟ ହେଇଗଲୁଣି l


     ଗ୍ରାଜୁଏସନ୍ ପ୍ରଥମ ବର୍ଷର ଛାତ୍ର ସେହି ଛୋଟ ଭାଇ ବିକାଶ ଟିକେ ହସିଦେଲା ତରୁଣ୍ ଆଡକୁ ଅନେଇ l ତରୁଣ୍ ର ବାପା ହାତ ଧୋଇବାକୁ ଉଠିଯାଇଥିଲେ l ବୋଉ କିଛି ବୁଝିନପାରି ଗାଲରେ ହାତ ଦେଇ ବସିଥିଲେ l ବାପା ଉଠିଗଲା ପରେ ବୋଉ ଆସ୍ତେ କରି ପଚାରିଲେ, "କିରେ ତରୁ,କଣ ଏଇ ବାଁ ଡାହାଣ ? ମୋତେ ଟିକେ ବୁଝେଇଦଉନୁ !"


 ତରୁଣ୍ ହସିଲା l ହସି ହସି କହିଲା, "ବୋଉ ଆମ ଗାଁ ନଦୀ ରେ ସୁଅ ଆସିବା ଦେଖିଛୁ ? "


--ମଲା ସେଇଟା କିଏ ନଦେଖିଛି ? 


--ହଉ ତେବେ କହ, ସୁଅ ଆସିଲେ କଣ ହୁଏ ? ମାନେ କଣ ଭାସିଯାଏ ? 


--ଯାହା ପାଣିରେ ଥାଏ l କାଠି କୁଟା, ପତ୍ର, ଗରା, କାଗଜ ଏସବୁ ଭାସି ପଳାଏ l


--ଆଉ ଯଦି କିଏ ଗାଧୋଉ ଥାଏ ସେ ବି କଣ ଭାସିଯାଏ ? 


--ହେ ସେ କାହିଁକି ଭାସିବ ? ପହଁରି କି ନହେଲେ ଅଳ୍ପ ପାଣିରେ ଥିଲେ ଚାଲିକି ପଳେଇ ଆସିବନା l କିନ୍ତୁ ଏଥିରେ ବାଁ, ଡାହାଣ କଥା କୋଉଠି ରହିଲା? 


--ଅଛି ବୋଉ l ନଦୀର ସ୍ରୋତ ନିର୍ଜୀଵ ଙ୍କୁ ଭସେଇ ନିଏ କିନ୍ତୁ ଯାହାର ଜୀବନ ଅଛି ସେ ସ୍ରୋତର ବିରୋଧରେ ଯିବ, ସ୍ରୋତସହ ଲଢ଼ି ତାର ବିପରୀତ ଦିଗକୁ ପହଁରି କୂଳକୁ ଆସିପାରିବ l ମୁଁ ସେହି ସ୍ରୋତର ବିରୁଦ୍ଧରେ ଲଢ଼ୁଛି ବୋଉ l ଆଉ ସେ ବାଁ ପାଖର ରାସ୍ତାଟା କୂଳ ଆଡକୁ ଲମ୍ବିଛି l ବାପା କିନ୍ତୁ ମୋତେ ନିର୍ଜୀବ ହେଇଯିବାକୁ ପରାମର୍ଶ ଦେଉଛନ୍ତି l 


   ତରୁଣ୍ ର ବୋଉ କଣ ବୁଝିଲେ କେଜାଣି ହଠାତ୍ ବଡ଼ ଗୋଟେ ପାଟି କରି କହିଲେ, "ନାଁ ନାଁ, ତୁ ଭାସିଯିବୁନି l ତୁ ପହଁରିବୁ l କୂଳକୁ ଆସିବୁ l ଦର୍କାର ନାହିଁ ଆମର ଡାହାଣ ପଟେ ଚାଲିବା l ରାସ୍ତାର ବାମ ପଟେ ଚାଲ୍ ବାବା,ଚାଲ୍ l "


    ◾️◾️◾️◾️◾️◾️◾️◾️◾️◾️◾️


ଲୋପାମୁଦ୍ରା ମିଶ୍ର 

ନନ୍ଦିପୁର, ଦଶରଥପୁର, ଯାଜପୁର 

755006



   


  


     


    



Rate this content
Log in