Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Nanda

Tragedy

2.5  

Susanta Nanda

Tragedy

ରାବଣ ପୋଡି

ରାବଣ ପୋଡି

5 mins
14.3K


ସଂଜ ଆସିବା ଆଗରୁ ଗୁରୁବାରି ସବୁ ପାଇଟି ସାରି ଦେଇ ଅନାଇ ବସିଛି । ଆଉ ନୁହେଁ କଅଣ ମ ! ଗେରସ୍ତ ମନୁଆ କାମରୁ ଫେରିଲେ ଦୁହେଁ ପରା ଦୂର ନଈ ସେପାରି ଗରାବଣ ପୋଡି ଦେଖି ଯିବେ । ସହରରୁ କୁଆଡେ ବଡବଡ ମନ୍ତ୍ରୀ ଆଉ ଅଫିସର ବାବୁମାନେ ଆସୁଛନ୍ତି । ରାବଣ ପୋଡିରେ ସାମିଲି ହେବେ । ରାମ ସାଜି ରାବଣକୁ ପୋଡିବେ । କାଲି ରାତିରେ ମଦନା ତାକୁ କହୁଥିଲା । ଆଶିଣର ଶୁକ୍ଳ ପକ୍ଷରେ କୁଆଡେ ପ୍ରଭୁ ରାମଚନ୍ଦ୍ର ସେ ପୋଡାମୁହାଁ ରାବଣକୁ ମାରି ସୀତା ମାଆଙ୍କୁ ଉଦ୍ଧାର କରିଥିଲେ । ସେଇଥି ପାଇଁ ପରା ପୁରାଣ କଥାକୁ ମନେ ପକାଇ ଆମେ ପ୍ରତି ବର୍ଷ ରାବଣ ପୋଡି ଉସ୍ଛବ ମନାଉଛେ ।

ବାହା ହୋଇ ଆସିଲାବେଳେ ସଙ୍ଗରେ ଆଣିଥିବା ନାଲିଆ ପାଟ ଶାଢିଟାକୁ ଯତନରେ ପେଡିରୁ କାଢି ଆଗ ପିନ୍ଧି ପକାଇଲା ଗୁରୁବାରି । କାନ୍ଥରେ ଟଙ୍ଗା ହୋଇଥିବା ଆଇନାରେ ମୁହଁଟାକୁ ଦେଖି ନିଜକୁ ସଜାଡିବାକୁ ଲାଗିଲା ଏଥର ।

ଏତିକି ବେଳକୁ ପହଁଚିଯାଇ ବାହାରୁ ଖଣ୍ଡି କାଶଟାଏ ମାରିଲା ତା' ମନର ମଣିଷ ମଦନା । ପଛକୁ ବୁଲି ଚାହିଁଲା ଗୁରୁବାରି ।

- "ଏତେ ବେଳେ ଆସୁଛ । ମୁଁ କେତେବେଳୁ ଅନାଇ ବସିଛି କହିଲ ! କେତେବେଳେ ଆମେ ବାହାରିବା ଯେ?" ଅଭିମାନଭରା କଣ୍ଠରେ କହିଲା ଗୁରୁବାରି ।

- "ଆଲୋ ଏତେ ବ୍ୟସ୍ତ ହଉଛୁ କିଆଁ । ମୁଁ ଏଇ ସଙ୍ଗେ ସଙ୍ଗେ ବାହାରି ପଡୁଛି ।" ଗୁରୁବାରି ଉଦ୍ଦେଶ୍ୟରେ ଶୁଣାଇ ଦେଇ ଗୋଟାଏ ନିଶ୍ବାସରେ ମଦନାଟା ବି ବାହାରି ପଡିଲା । ହାତ ଧରାଧରି ହୋଇ ହାଟ ପଡିଆ ଉଦ୍ଦେଶ୍ୟରେ ବାହାରିଗଲେ ସ୍ବାମୀ ସ୍ତ୍ରୀ ଦିହେଁ । ଦୂର ନଈ ସେପାରି ହାଟ ପଡିଆକୁ, ରାବଣ ପୋଡି ଦେଖିବାକୁ ।

ରାବଣ ପୋଡି ପାଇଁ ହାଟ ପଡିଆଟା ସେଦିନ ଖାଲି ଉଠିଥାଏ ପଡୁଥାଏ । ପଡିଆଟା ସାରା ଖାଲି ଲୋକ ହାଉ ଯାଉ । ରାବଣ ପୋଡି ଦେଖିବାକୁ କେତେବେଳୁ ଆସି ରୁଣ୍ଡ ହୋଇଗଲେଣି ସମସ୍ତେ । ମଦନା ଆଉ ଗୁରୁବାରି ଶେଷରେ ସେମାନଙ୍କ ସହିତ ସାମିଲ ହୋଇଗଲେ ସେଠାରେ ।

ପଡିଆର ଶେଷମୁଣ୍ଡରେ ତିରିଶି ଫୁଟିଆ ରାବଣର ଦଶମୁଣ୍ଡ ଦେଖୁ ଜିଭ କାମୁଡି ପକାଇଲା ଗୁରୁବାରି । ହାତଟାକୁ ଜାବୁଡି ଧରି ନିଜ ଆଡକୁ ଆଉଜେଇ ଆଣିଲା ମଦନା ।

- " ଆଲୋ ହୁଣ୍ଡି, ଡରୁଚୁ କିଅାଁ ଲୋ ! ଏଇଟା ଲୋ ପରା ସେ ରାବଣର ଚେହେରାଟା ଯାହା । ଆମ ମନ୍ତ୍ରୀବାବୁ ଆ'ରି ମୁହଁରେ ନିଆଁ ଦେବେ ।" ବୁଝାଇ ଦେବାକୁ ଯାଇ ଗୁରୁବାରି କାନରେ ଧିରେ କହିଲା ମଦନା ।

- " ସେ ସତ ରାବଣଟା କଅଣ ଆ'ରି ପରି ଥିଲା ! ଆହାଃ କି ହୀନିମାନ କରି ଚୋରାଇ ନେଇଥିଲା ସେ ସୀତା ମାଆଙ୍କୁ ! ଭଲ ହୋଇଛି ପ୍ରଭୁ ରାମଚନ୍ଦ୍ର ପୋଡାମୁହାଁକୁ ମାରି ସୀତା ମାଆଙ୍କୁ ଉଦ୍ଦାରିଲେ ।" ରାଗରେ କହିଲା ଗୁରୁବାରି ।

- "ହଉ ହଉ ତୁନି ହୋଇ ଦେଏଖେ ଏଥର ।" କହିଲା ମଦନା ।

ଧିରେ ଧିରେ ଭିଡ ବଢିବାରେ ଲାଗୁଥାଏ । ବାଜା ରୋଷଣୀର ଧ୍ବନି ସହିତ ଲୋକମାନଙ୍କର କୋଳାହଳ । ତା' ସହିତ ଭାସି ଆସୁଥାଏ ଆଧୁନିକ ଗୀତର କର୍କସ ସ୍ବର । ଗୀତର ତାଳେ ତାଳେ ନୃତ୍ୟରେ ମଜ୍ଜି ଯାଇଥାଆନ୍ତି ଆଧୁନିକ କଳାକାରମାନେ । ସେମାନଙ୍କର ନାଚର ତାଳଦେଇ ଦେଖଣାହାରୀଙ୍କ ସହିତ ରାବଣ ପୋଡି ଆୟୋଜକ ଯୁବକମାନେ ବି ଆନନ୍ଦ ଉଠାଇବାକୁ ଟିକିଏ ବି ପଛାଉ ନଥାନ୍ତି ।

କେଜାଣି କାହିଁକି ବେଳକୁ ବେଳ ଭିଡ ସହିତ ରାବଣ ପୋଡିର ବିଚିତ୍ର ପ୍ରସ୍ତୁତି ସବୁ ସରଳ ଗୁରୁବାରିକୁ ଅଡୁଆ ଅଡୁଆ ଲାଗିବା ଆରମ୍ଭ କାରିଦେଇଥାଏ । ସେ ଲକ୍ଷ୍ୟ କରିପାରୁଥାଏ , ଅନେକ ଆଖି ଯେମିତି ଏ ଭିଡ ଭିତରେ ତା'ରି ଆଡକୁ ଖାଲି ଘୂରିବୁଲୁଛି । ନିହାତି ଅଭଦ୍ର ଗୁଡାକ ହୋଇଥିବେ ନିଶ୍ଚୟ ! ଏଗୁଡାକ ବି ଗୋଟାଏ ଗୋଟାଏ ରାବଣଠାରୁ କଅମ ନୁହନ୍ତି । ଏ ଭୋକିଲା ଜୀବନ୍ତ ରାବଣର ଆଖି ସାମନାରୁ ନିଜକୁ ଦୂରେଇ ରଖିବା ପାଇଁ ଓଢଣୀଟାକୁ ଆଉଟିକେ ଆଗକୁ ଟାଣି ଆଣି ନିଜକୁ ଲୁଚେଇବାକୁ ଚେଷ୍ଟାକଲା ଗୁରୁବାରି ।

- "ବାଡିପଡା ଗୁଡାକ ରାବଣକୁ ଦେଖୁନା । ଢିମା ଢିମା ଆଡେ କଅଣ ଏମିତି ଦେଖୁଛ !" ମନେ ମନେ ରାଗରେ କହିଗଲା ଗୁରୁବାରି ।

-" ଆଲୋ ଏଇ, ମନେ ମନେ ନିଜେ ନିଜେ କଅଣ ସବୁ କହି ଯାଉଛୁ ଶୁଣେ ? ଡରୁଛୁ କି ତୁ !!!! ଆଲୋ ଯେମିତି ସତ ରାବଣଟା ଆସୁଛି ଏଠିକି !" ଗୁରୁବାରିକୁ ଲକ୍ଷ୍ୟକରି କହିଲା ମଦନା । ମଦନାର ହାତଟାକୁ ଧରି ଆଉଟିକେ ଜାକିହୋଇ ଠିଆ ହୋଇ ରହିଲା ଗୁରୁବାରି ଏଥର । ରାବଣ ପୋଡି ଦେଖି ଘରକୁ ବାହୁଡିବା ପାଇଁ ଅପେକ୍ଷା କରି ରହିଲେ ସ୍ବାମୀ ସ୍ତ୍ରୀ ଦିହେଁ ।

ଏମିତି ବେଳକୁ କୁଆଡେ ଥିଲା ଯେ କଳାହାଣ୍ଡିଆ ମେଘଟା ଆସି ଢୁ ଢୁ ଗର୍ଜନ କରିବାକୁ ଆରମ୍ଭ କରିଦେଲା । ତା ସହିତ ବିଜୁଳିଟା ବି ଦି ଚାରି ଚମକ ଦେଲା । କ୍ରମେ କଳାହାଣ୍ଡିଆ ମେଘଟା ସାରା ଆକାଶକୁ ଗ୍ରାସକରିଗଲା । ହଟାତ୍ ଆରମ୍ଭ ହୋଇଗଲା ପବନ । ଧୀରେ ପବନଟା ତା'ର ଗତି ବଢାଇବକୁ ଲାଗିଲା । ପବନରେ ତିରିଶି ଫୁଟିଆ ରାବଣର ମୂର୍ତ୍ତିଟା ଦୋହଲିବାକୁ ଲାଗିଲା । ଏଥର ପବନ ସହିତ ଝିପି ଝିପି ବରଷାଟା ବି ତା ଖେଳ ଆରମ୍ଭ କରିଦେଲା ।

ଭୟ ଆଉ କାତରରେ ଗୁରୁବାରି ମଦନାର ହାତଟାକୁ ଜାବୁଡି ଧରି କାଠଟାଏ ପରି ଠିଆହୋଇ ରହିଥାଏ । କ'ଣ କରିବେ ନକରିବେ ଦିହେଁ ଭାବିବା ଆଗରୁ ହାଟ ପଡିଆରେ ବରଷା ପବନର ଦାଉରୁ ନିଜକୁ ଦୂରେଇ ସୁରକ୍ଷା ବଳୟ ମଧ୍ୟକୁ ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଧାଁ ଦଉଡର ପ୍ରତିଯୋଗିତା ଆରମ୍ଭ ହୋଇ ସାରିଥିଲା ସେତବେଳକୁ । ଆଗ ପଛ ନବିଚାରି ଲୋକଙ୍କ ପାଦ ସହିତ ତାଳ ଦେଇ ମଦନା ସହିତ ଦଉଡିବା ଆରମ୍ଭ କରିବା ଭିତରେ ମେଘ ଅନ୍ଧାରରେ ହଠାତ୍ ଦୁଇଟା ଲମ୍ବା ହାତ କୁଆଡୁ ଲମ୍ବିଅାସିଲା ଗୁରୁବାରି ଆଡକୁ । ଅବିଳମ୍ବେ ଘନ ଅନ୍ଧାରରେ ଉଭାନ୍ ହୋଇଗଲା ଗୁରୁବାରି । ବିକଳରେ ଯେତେ ଡାକିଲେ ବି ମଦନାର ଡାକ ଟିକିଏ ବି ପଡିଲାନି ଗୁରୁବାରିର କାନରେ ।

ବାହାରେ ଢୁ ଢୁ ବର୍ଷା ତା'ର ତାଣ୍ଡବ ଦେଖଉ ଥିବା ସମୟରେ ଡାକ ବଙ୍ଗଳା ଭିତରେ ଆରମ୍ଭ ହୋଇ ସାରିଥିଲା ଅଉ ଏକ ତାଣ୍ଡବ । ରାବଣ ପୋଡିର ମୁଖ୍ୟ ଚରିତ୍ର ସାଜି ଆସିଥିବା ସହରୀ ବାବୁମାନେ ଜଣଙ୍କ ପରେ ଜଣେ ନିଜ ଦେହର ଭୋକ ମେଣ୍ଟାଇ ଚାଲିଥିଲେ ଅସହାୟ ଗୁରୁବାରି ଉପରେ । ଭଦ୍ରମୁଖାଧାରୀ ସମାଜର ତଥାକଥିତ ବଡପଣ୍ଡାମାନେ କ୍ଷଣକ ପାଇଁ ଭୁଲିଯାଇଥିଲେ ଯେ ସେମାନେ ରାବଣ ପୋଡିରେ ସାମିଲ ହୋଇଥିବା ପ୍ରଭୁ ରାମଚନ୍ଦ୍ରଙ୍କର ପବିତ୍ର ଚରିତ୍ର ବୋଲି । କିନ୍ତୁ ସେମାନେ ସମସ୍ତେ ଏହା ଭିତରେ ବଦଳି ସାରିଥିଲେ ନିଜ ନିଜର ଅସଲ ଚେହେରାରେ ସତ ରାବଣଠୁ ଆହୁରି ଭୟଙ୍କର ରୂପରେ ।

ପରଦିନ ସକାଳୁ ବରଷା ଛାଡି ଆକାଶଟା ଏକବାର ହୋଇଯାଇଥିଲା ନିର୍ମଳ । ଏହା ମଧ୍ୟରେ ଶେଷ ହୋଇଯାଇଥିଲା ସବୁକିଛି । ରାବଣର ମୂର୍ତ୍ତିଟା ହାଟପଡିଅର ପାଣି କାଦୁଅରେ ଲୋଟିପଡିଥିଲା ଯାହା । ବୁଲା କୁକୁର କେଇଟା ଘୁରି ବୁଲୁଥିଲେ ତା'ର ଚାରି ପାଖରେ । ସକାଳର କିଛି ଆହାର ଉଦ୍ଦେଶ୍ୟରେ । ସହରୀ ମନ୍ତ୍ରୀ ଅଫିସର ବାବୁମାନେ ଭଦ୍ର ମୁଖା ତଳେ ଭୟଙ୍କର ରାବଣର ରୂପ ଛାଡି ବାହୁଡି ସାରିଥିଲେ ଗତ ରାତିରୁ । ରାବଣ ପୋଡି ଆୟୋଜକ ଯୁବକ ସଙ୍ଘ ବିଗତ ରାତିରୁ ମଦିରା ନିଶାରେ ଚୂର ହୋଇ ପଡି ରହିଥିଲେ ଡାକବଙ୍ଗଳାରେ । ଖାଲିଯାହା ପାଗଳଙ୍କ ପରି ଏଠି ସେଠି ନିଜର ଗୁରୁବାରିକୁ ଖୋଜିବୁଲୁଥିଲା ଅସହାୟ ମଦନାଟା । କେହି ବି ଜଣେ ଆଗକୁ ଆଗେଇ ଆସୁନଥିଲେ ସାହାଯ୍ୟର ହାତ ବଢାଇ । ସବୁ ମାନବିକତା ମରି ହଜି ଯାଇଥିଲା ସତେ ଯେମିତି ସେତେବେଳକୁ । ପୋଲିସ-ଶାସକ-ପ୍ରଶାସକ, ମେଡିଆ କାହାରି ପାଖରେ ସମୟ ଟିକିଏ ନଥିଲା ଅସହାୟ ଗରିବ ମଦନାର ବିକଳ ଡାକ ଶୁଣିବାକୁ । ସେମାନେ ସମସ୍ତେ ସକାଳଟାରୁ ଦୌଡ ଆରମ୍ଭ କରିଦେଇଥିଲେ ନିଜ ନିଜର ବ୍ୟସ୍ତତାକୁ ନେଇ, ଶୁଖିଲା ଅଭିନୟ ସହିତ ଠଣ୍ ଠଣ୍ ମାଣିଆର ପବନ ବହୁଥିବା ଦିଗକୁ । କିଛି ପଥଚାରୀ କେବଳ ଯାହା 'ପାଗଳଟାଏ, ବିଚରା ' ଏହିପରି ଶବ୍ଦ କେଇଟା ମଦନା ଉଦ୍ଦେଶ୍ୟରେ ଫିଙ୍ଗି ନିଜ ରାସ୍ତା ଧରୁଥିଲେ । ରାବଣ ପୋଡିର କାଳ ରାତିଟା ସରଳ ମଦନାର ଜୀବନରୁ ସବୁକିଛି ଛଡାଇନେଇ ଶେଷରେ ସତ ପାଗଳ ସଜାଇ ସାରିଥିଲା ସେତବେଳକୁ ।


Rate this content
Log in

Similar oriya story from Tragedy