Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Fantasy Others

3  

Soumya Shubhadarshinee

Fantasy Others

ବିଙ୍ଗୋ

ବିଙ୍ଗୋ

7 mins
520


ଜୀବନ ସରଳ ରେଖରେ ଗତି କରୁଥିବା ଗୋଟେ ସହଜ ଗଣିତ ହେଇଗଲେ କ'ଣ ସବୁ ମଣିଷ ସୁଖି ହେଇଯିବେ ? ଏଇଟି ଗୋଟିଏ ଅନୁତ୍ତରିତ ପ୍ରଶ୍ନ ଆଜି ଯାଏଁ କାରଣ ସେମିତି ଜୀବନ ଜିଇଁ ନାହିଁ କେହି !

......

-- '' ତୁମକୁ କ'ଣ ପସନ୍ଦ , ପ୍ରାକୃତିକ ପରିବେଶ ନା ଅଧୁନିକ ଯାକ ଜମକ ?''

-- '' ବୁଝି ପାରୁନି , କ'ଣ ପାଇଁ ଏ ପ୍ରଶ୍ନ?''

--''ଓଃ ! ଆମ ଟ୍ରିପ୍ ପାଇଁ, କୁଆଡେ ଯିବ ଗୋଟେ ସହରର ଅଧୁନିକ ହୋଟେଲ ନା କୌଣସି ବଣ ପାହାଡ଼ ଘେରା ଅଞ୍ଚଳ ?''

-- ''ଓଃ ! ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆକର୍ଷକ ଲାଗେ ଖୁବ୍ । ''

--'' ବଢିଆ , ଏଇ ସଂକ୍ରାନ୍ତରେ ଆମ ଭାବନା ମେଳ ଖାଉଛି ପୂରା ପୂରି !''

ହସିଲା ସୁଗନ୍ଧା , ନିରୋଳା ହସ । ଅଂଶୁ ସହ ଜୀବନର ଏଇ ମାତ୍ର ଅୟମାରମ୍ଭ । ପ୍ରଥମ ଉପକ୍ରମରେ ସ୍ତ୍ରୀର ମତ ପଚାରୁଥିବା ମଣିଷ ନିଶ୍ଚିତ ସୁପୁରୁଷ ।

ସ୍ତ୍ରୀକୁ ବସ୍ତୁ ନୁହେଁ ଆର୍ଦ୍ଧାଙ୍ଗିନୀର ଦର୍ଜା ଦେଉଥିବା ମଣିଷ !

.........

ସିଲଂ ସତରେ ଭୁ ସ୍ୱର୍ଗ । ସମୁଦ୍ର ପିତ୍ତନରୁ ପାଞ୍ଚ ହଜାର ଫୁଟ ଉଚ୍ଚରେ ଥିବା ଭୂଖଣ୍ଡରେ ବାଦଲ ସହ କଥା ହେବା ଭାରି ସହଜ । ସୁଗନ୍ଧା ବିହ୍ଵଳ ହେଇଗଲା ସେଠି ପହଞ୍ଚି । ଫ୍ଲାଇଟ୍ ରେ ଗୋହାଟି ପର୍ଯ୍ୟନ୍ତ ଓ ପରେ ବୋଲେରୋରେ ସିଲଂ ଯାଏଁ , ଦୀର୍ଘ ଯାତ୍ରାର କ୍ଲାନ୍ତି ଅଚିରେ ଦୂର ହେଇଗଲା ସେଇ ସ୍ଵର୍ଗରେ ପାଦ ରଖି । ମଇ ମାସର ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଫୁରକି ଉଡ଼ିଗଲା ,ବାପରେ କି ଶୀତ ଉଫ୍ !

ସତରେ ଚମତ୍କାର ଭାବେ ପରିଷ୍କାର ସହର । ଟିକିଏବି ଧୁଳି ମଳି ନାହିଁ । କେମିତି ଆଉ ଆସିବ ଜନ ଗହଳି କି ଯାନ ବାହାନର ଭିଡ଼ ନାହିଁ ଆମ ସହର ପରି । ଆମ ସହର ଯେମିତି କଟକ କି ଭୁବନେଶ୍ୱର । ଏଗୁଡିକ କ'ଣ ସହର ହୁଁ , ନା' ଏଗୁଡା ମଣିଷ ହାଟ !

ଜିତ୍ ବାହାଦୂର , ଗୁର୍ଖା ଡ୍ରାଇଭର ପିଲାଟି ଗୋଟେ ମସ୍ତ ପ୍ୟାକେଜ୍ । ତା' ଛୋଟ ଛୋଟ ଆଖି ଆଉ ଚେପା ନାକ ଇସ୍ ପୂରା ଜାପାନୀ କଣ୍ଢେଇ , ସାରା ରାସ୍ତା ସୁଗନ୍ଧାକୁ ହସେଇ ହସେଇ ଆଣିଲା । ଘାଟି ରାସ୍ତାରେ ମୁଣ୍ଡ ବୁଲେଇ ବାନ୍ତି ଆସି ଯାଉଥିବା ସୁନ୍ଦରୀ ମ୍ୟାମ୍ ଙ୍କୁ ଯେତେ ସମ୍ଭବ କଥା ଛଳରେ ବାନ୍ଧି ରଖି ହସେଉ ଥିଲା । ବେଶ ଭଲ ଲାଗୁଥିଲା ତା' ବିଚିତ୍ର ହିନ୍ଦୀ , ବିଲକୁଲ ଅନାଡି । ଘାଟି ରାସ୍ତା ଗୋଟେ ଭୟଙ୍କର ଗତିଶିଳତା ,ଉଠାଣି - ଗଡାଣିର ସମୀକରଣ । ସତରେ ଡିଲିରିୟମ୍ ଭିତରେ ଅସ୍ତବ୍ୟସ୍ତ କରି ଦିଏ ମଣିଷକୁ । କିନ୍ତୁ ଚମତ୍କାର ସମାଧାନ ଜିତ୍ ପାଖରେ ,'' ଆଁଖେ ବନ୍ଦ କର ମ୍ୟାମ୍ , ସବ୍ ଠିକ ହୋଗେ ।'' ସତରେ ଦେଖିଲେ ଲାଗିବ ଏଇ ଗଲା ଗାଡି ଖାଇ ଭିତରକୁ ଆଉ ସେଥି ସହ ପ୍ରାଣ । କିନ୍ତୁ ଆଖି ବନ୍ଦ କରିଦେଲେ ସବୁ ଠିକ , ଭଲ ବନ୍ଦୋବସ୍ତ ।

ହୋଟେଲ 'ସାଦ 'ପର୍ଯ୍ୟନ୍ତ ଥିଲା ଏଇ ଉଚ୍ଚ ନିଚ୍ଚ ଘାଟି ରାସ୍ତାର ରୋମାଞ୍ଚ । ଆଉ ସେଠି ପହଞ୍ଚିବା ପରେ ସବୁ ସୁନ୍ଦର । ସବୁଠୁ ଆକର୍ଷଣୀୟ ' ଫରଗେଟ୍ ମି ନଟ୍ ' ଫୁଲର ଈଷତ ବାଇଗେଣୀ ସମ୍ମୋହନ । ଫୁଲଟା ନିଜ ନାଁକୁ ଉଚିତ ନ୍ୟାୟ ଦେବାରେ ବେଶ ସଫଳ , ଭୁଲି ହେବନି କେବେ ସତରେ । ଗୁଡ଼େ ଫୋଟୋ ନେଇ ନେଲା ସୁଗନ୍ଧା ସେଇ ସୁନ୍ଦରୀ ଫୁଲ ମାଳାଙ୍କ ସହ।

..............

ପ୍ରଥମ ଥର ପାଇଁ ଗୋଟେ ପରୀ ରାଇଜକୁ ବୁଲି ଆସିଥିଲା ସୁଗନ୍ଧା : ଘନ ନୀଳ ଆକାଶ , ସନ୍ୟାସୀ ପାଇନ୍ ଆଉ ଅଳସୀ ମେଘ ସହ ସଙ୍ଗାତ ବସିବାକୁ । ଆଉ ସଙ୍ଗାତ ନିଜ ମିତଣୀ ଲାଗି ଉପହାରରେ ରଖିଥିଲା ' ତମ୍ବୁଲ ' , କଞ୍ଚା ଗୁଆର ନିଶା ଜବରଦସ୍ତ । ପ୍ରବଳ ଶୀତର କଡା ମୁକାବିଲା କରିବାର ଅମେଘ ଅସ୍ତ୍ର । ସବୁ ବାସିନ୍ଦା ସେଇ ତମ୍ବୁଲ ମାୟାରେ । ଅଂଶୁ ସେଇଥିରୁ ଗୋଟେ ସୁଗନ୍ଧାକୁ ଖୁଏଇ ନିଶା ଚଢେଇ ଦେଲା ଆଉ ଶୀତ ଛଡେଇ ନେଲା ।

ଶୁଭ୍ର ସକାଳୁ ପୁଣି ଥିଲା ଜିତ୍ ବାହାଦୂର ଆଉ ତା' ଗାଡି । ଆଜିର କାର୍ଯ୍ୟକ୍ରମ ମେଘ ମାଳାର ସହର , ମେଘାଳୟ । ବେଶ ଚମତ୍କାର ପରିବେଶ ଆଉ ହାଡ଼ ଥରା ଶୀତ ସହ ବର୍ଷାର ଯୁଗଳବନ୍ଦୀ। ଥରି ଗଲା ପୁରା ସୁଗନ୍ଧା , ଆଉ ସେତିକିବେଳେ ତାମ୍ବୁଲ ସହ ଭେଟ । ବାପରେ ତମ୍ବୁଲ ସତରେ ବେଶ ସଫଳ ଶୀତ ରୋଧକ ।

ମେଘମାଳା ସହ କଥା ହେଲା ସୁଗନ୍ଧା , ଭାରି ଗେଲ୍ହାରେ । ସୁଧାର ଗୁଡା ଭେଳା ଭେଳା ହେଇ ଆସି ଛୁଇଁ ଦେଇ ଚଳିଗଲେ । ଭିଜେଇଲେ ନାହିଁ କିନ୍ତୁ ହିମଶୀତଳ କରି ଦେଇଗଲେ । ସେ ଉଚ୍ଚ ପର୍ବତ ଭିତରେ ବାଦଲ ସହ ଭାବ ହେଇଗଲା ସୁଗନ୍ଧାର ଆଉ ହଜିଗଲା ସେ ପରୀ ରାଇଜରେ ।

ଖାଇବାକୁ କିନ୍ତୁ ଟିକେ , ନା' ନା' ବହୁତ ହଇରାଣ ହେଲା ବିଚାରୀ । ଇସ୍ ଛେଳି , ଗାଈ , ଘୁଷୁରୀ , କୁକୁଡ଼ା ସବୁ ଖାଦ୍ୟର ଅନ୍ତର୍ଭୁକ୍ତ ପୁଣି ଗୋଟିଏ ଜାଗାରେ । ପାହାଡ଼ି ଗୁଡା କ'ଣ ଧର୍ମ କର୍ମ ବୁଝିବେ । ହେ ପ୍ରଭୁ ଏଠି ଖାଇହେବ ନାହିଁ । କେବଳ ବିସ୍କୁଟ , କେକ୍ , ଡ୍ରିଙ୍କ ସହ ମ୍ୟାନେଜ କରିବାକୁ ହେବ ।

ଫଳ ମାନେବି ସାହାଯ୍ୟ କଲେ ।

ପୂରା ଦିନର କ୍ଲାନ୍ତ ଭ୍ରମଣ ପରେ , ପୁଣି ସେଇ ହୋଟେଲ । ଆଉ କିଛି ଏକାନ୍ତ ମୁହୂର୍ତ୍ତ । ବେଶ ସୁନ୍ଦର , ସଜଳ , ଆକର୍ଷଣୀୟ।

ଅଂଶୁର କାହିଁକି କେଜାଣି ଚଟ ପଟା 'ବିଙ୍ଗୋ' ଖାଇବାକୁ ଇଚ୍ଛା ହେଲା । ହେଲେ ରୁମ୍ ବାହାରକୁ ଯିବାକୁ ଇଚ୍ଛା ନଥିଲା । ସୁଗନ୍ଧା ବାହାରିଗଲା ବିଙ୍ଗୋ ସନ୍ଧାନରେ ।

ଦୁଇଟି ଦୋକାନରେ ନଥିଲା , ତୃତୀୟ ଦୋକାନ ନିକଟବର୍ତ୍ତୀ ହେଲା ବେଳକୁ ଦେଖା ହେଲା ରୋହନ , ଓଃ !

ରୋହନ ମହାନ୍ତି , ପୁରୁଣା ଦିନର ନୂଆ ଅନୁଭବ । ଏଠି କେମିତି , ଏଇ ପ୍ରଶ୍ନ ସୁଗନ୍ଧା ଆଖିରେ । ରୋହନ ଟିକେ ଦୋ ଦୋ ଚିହ୍ନା ହେଲା , କିନ୍ତୁ ପାଖକୁ ଆସି କହିଲା , '' ସୁଗନ୍ଧା ନା' ? ସୁଗନ୍ଧା ହସିଲା ଆଉ ମୁଣ୍ଡ ଟୁଙ୍ଗାରିଲା ।

ରୋହନ ଆଶ୍ଚର୍ଯ୍ୟ ଚକିତ ହେଇ କହିଲା , '' ଏଠି କେମିତି ?''

ସୁଗନ୍ଧା କହିଗଲା ଯୁଗ୍ମ ଜୀବନର ଅଭିସାର , ଆଉ ବେଷ୍ଟ ପାର୍ଟନର ଅଂଶୁ କଥା । ଜିତ୍ ବାହାଦୂରବି ଆସିଗଲା ପରିସର ଭିତରକୁ ।

ଏବେ ରୋହନର ପାଳି , କହିବାକୁ ନିଜ କଥା ।

ସିଲଂରେ କେମିତି , ସେ ବି କଣ ନିଜ ପ୍ରିୟତମା ସହ?

ରୋହନ ହାଲ୍କା ହସି ଯେତିକି କହିଲା , ସେତକ ସୁଗନ୍ଧା ପାଇଁ ସୁଖଦ ନଥିଲା।ରୋହନ ପାଇଲା ନାହିଁ ତା' ଇଚ୍ଛିତ ନିଯୁକ୍ତି ତେଣୁ ଏଠି ସି.ଏ .ଟ୍ ଟାୟାର୍ ରେ ମାର୍କେଟିଂ ମ୍ୟାନେଜର । ମାଉସୀ ଆଉ ନାହାନ୍ତି , ସେଇ କ୍ୟାନ୍ସରରେ ଚାଲିଗଲେ । ଆଉ ବାହାଘର ପାଇଁ ଇଚ୍ଛା ନାହିଁ ତା'ର , ଚଳୁଛି ଜୀବନ ଏମିତି ଅଙ୍କା ବଙ୍କା ରଫ ଖାତା ହେଇ ।

ଆଉ ପଦେ କଥା ଯୋଡ଼ିଲା ରୋହନ , '' ପ୍ରେମ କ'ଣ ବାରମ୍ବାର କରିହୁଏ ?''

............

ଅତୀତର ପରିଚିତ ମଣିଷଟା ଆଜି ଏମିତି ଦେଖା ହେବ ଜାଣି ନଥିଲା ସୁଗନ୍ଧା । ଦୁହେଁ ସାଥୀହେଇ ପଢୁଥିଲେ ସ୍କୁଲରେ। ଭାରି ଭଲ ପିଲା , ତା'ର ଗୋଟେ ବେଷ୍ଟ ଫ୍ରେଣ୍ଡ । କିନ୍ତୁ କଲେଜରେ ବଦଳି ଗଲା ଉଭୟଙ୍କ ଠିକଣା । ତଥାପି ଖୁବ୍ ଆସିଛି ରୋହନ ଘରକୁ , ମମି ସହ ଗପ କରିବାକୁ , ପାପାଙ୍କ ସହ ଚେସ୍ ଖେଳିବାକୁ , ସାନ ଭଉଣୀ ସହ ତା' ପ୍ରୋଜେକ୍ଟ ତିଆରିରେ ହେଲ୍ପ କରିବାକୁ ।ପୂରା ଘର ମଣିଷ ହେଇ ଯାଇଥିଲା । ସୁଗନ୍ଧା ସହ କିନ୍ତୁ କୌଣସି ସମ୍ପର୍କରେ ନଥିଲା ସେ କାରଣ ସୁଗନ୍ଧା ରାହୁନଥିଲା ଘରେ । ସେ ପଢୁଥିଲା ରାଉଲକେଲାରେ ତା' ମାମୁଁ ଘରେ ରହି। ଛୁଟିରେ କେବେ ଆସିଲେ , ଦେଖା ହେଉଥିଲା କେବେ କେମିତି । ଗୋଟେ ଭଲ ବନ୍ଧୁ ପରି ପରସ୍ପର ସହଚାର୍ଯ୍ୟ ଭିତରେ ରହୁଥିଲେ ଦୁହେଁ ।

ରୋହନ ହୁଏତ ଥିଲା ଆବେଗରେ କିନ୍ତୁ ସୁଗନ୍ଧା ନଥିଲା କୌଣସି ସମ୍ଭାବନା ଭିତରେ । ଏମିତି ଭିନ୍ନ ଗୋଟେ ସମୀକରଣ ଥିଲା ଉଭୟଙ୍କ ଭିତରେ ।

ସେଇ ପରିଚିତ ଅତୀତକୁ ଏମିତି ବର୍ତ୍ତମାନରେ ଭେଟିବା ନିଶ୍ଚିତ ଅପ୍ରତ୍ୟାଶିତ , କିନ୍ତୁ କାହିଁକି କେଜାଣି ଭାରି ଭଲ ଲାଗିଲା । ରୋହନ ଭିତରେ ପରିଚିତ ମଣିଷର ଉପସ୍ଥିତି ବେଶ ଖୁସି ଦେଲା ।

ହସନ୍ତ ମୁହଁରେ ସୁଗନ୍ଧା କହିଲା , ''ତେବେ ଏଇଟି ଏବେ ତୁମ ପରିଚିତ ସହର , ନୁହେଁ ।''

ସମ୍ମତିରେ ମୁଣ୍ଡ ହଲେଇ ଦେଲା ରୋହନ । ଆଉ କହିଲା, '' ଆସ ଏଇ ପାଖ ଷ୍ଟଲ ରେ ସବୁଠୁ ସ୍ୱାଦିଷ୍ଟ ମୋମୋ ମିଳେ ।''

ସତରେ ଖୁବ୍ ବଢିଆ ଚିକେନ୍ ମୋମୋ ଖାଇ ମନ ଭରି ଗଲା ସୁଗନ୍ଧାର । ସୁଗନ୍ଧାକୁ ଅନେକ ଦିନ ପରେ ଖାଉଥିବାର ଦେଖୁଥିଲା ରୋହନ । ଆଉ ଫେରିଗଲା ଖୁବ୍ ଦୂରକୁ , ବାବୁଲି ଭାଇ ଚାର୍ଟ ଦୋକାନକୁ ।

.............

-- ''ସୁଗନ୍ଧା , ଦେଖ ଏଇ ଫାଷ୍ଟ ଫୁଡ୍ ଭାରି ଖରାପ । ଦେହ ବିଗିଡେ ଏସବୁ ଖାଇଲେ ।''

---'' ବୁଝିଲ , ଡାକ୍ତର ଆଉ କାହିଁକି ଅଛି । ଦେହ ନ ବିଗିଡ଼ିଲେ ଡାକ୍ତର ଗୁଡା ଭୋକରେ ମରିଯିବେ । ଆମେ ଖାଇବୁ ଆଉ ଡାକ୍ତର ପୋଷିବୁ , ହୁଁ !''

ରୋହନ ସବୁବେଳେ କୁହେ , ଆଉ ସୁଗନ୍ଧା ଏମିତି ହସରେ ଉଡେଇ ଦେଇ ନିଜ ସାନ ଭଉଣୀ ସହ ମିଶି ବାବୁଲି ଭାଇର ଚାର୍ଟ ଆଉ ଗୁପଚୁପର ମଜା ନିଏ ଖୁସି ଖୁସି । ଚାର୍ଟ ଖାଉଥିବା ସୁଗନ୍ଧାର ପାଟି ପୋଡ଼ୁଥିବ ରାଗରେ , କିନ୍ତୁ ସେ ଆଉ ଟିକେ ତିଖା କର ଭାଇ କହୁଥିବ ଜୋରରେ । କେତେ ସତେଜ ଅଛି ସେଇ ମଧୁର ଅତୀତ ଆଃ ! ସୁଗନ୍ଧା ଆଜିବି ଠିକ ସେମିତି ଅଛି 'ମୋମୋ'ର ରାଗ ସସ୍ ଖାଉଛି ଆଖିରୁ ପାଣି ଝରେଇ ।

ନିର୍ଦ୍ଦିଷ୍ଟ ଝିଅଟେ କାହିଁକି ଆକର୍ଷଣୀୟ ଲାଗେ ସବୁବେଳେ ବୁଝିବା ଖୁବ୍ ମୁସ୍କିଲ !

କାଶ ଆଉ ଗୋଟିଏ ସଂସ୍କରଣ ସୁଗନ୍ଧାର ପ୍ରକାଶିତ କରନ୍ତେ ଈଶ୍ୱର । ସବୁଠୁ ସୁଖୀ ମଣିଷ ହେଇଯାଆନ୍ତା ରୋହନ !

...........

ମୋମୋ ପର୍ବ ପରେ , ସୁଗନ୍ଧାର ମନେ ପଡ଼ିଲା , ବିଙ୍ଗୋ କଥା । ଆରେ ସତେତ ରୋହନ ସହ ଭେଟ ପରେ ଭୁଲି ଯାଇଛି ସେ ଅଂଶୁକୁ ।

ମଣିଷ ଅତୀତର ନିକଟବର୍ତ୍ତୀ ହେଲେ ବର୍ତ୍ତମାନ ସଂକ୍ରାନ୍ତରେ ଭୁଲି ଯାଏ ଏମିତି !

କେତେ ସମୟ ବିତି ଗଲାଣି ଜଣା ନାହିଁ । ହୁଏତ ବ୍ୟସ୍ତ ହେଉଥିବେ ଅଂଶୁ , ଅଜଣା ସହରରେ ହଜି ଗଲା ସ୍ତ୍ରୀ , ଏଇକଥା ଭାବି ଭାବି । ଭାବିଲା ଫୋନ୍ କରି କହିଦେବ , ସେ ଜଣେ ପୁରୁଣା ବନ୍ଧୁ ସହ । କିନ୍ତୁ ଧେତ୍ ଫୋନ୍ ଛାଡି ଆସିଛି ସେ ।

ରୋହନ ନିଶ୍ଚିତ ହେଲ୍ପ କରିବାର ସାମର୍ଥ୍ୟ ରଖେ । ହଁ ସବୁବେଳେ ସାହାଯ୍ୟ ହିଁ କରିଛି ସେ । ସମସ୍ୟାରେ ପଡିଲେ ରୋହନକୁ ଖୋଜେ ସୁଗନ୍ଧା ଆଜିବି । ସବୁ ସମସ୍ୟାର ସମାଧାନ ପନ୍ଥା ଥାଏ ତା' ପାଖରେ ବେଷ୍ଟ ଫ୍ରେଣ୍ଡ ନା ।

ଫୋନ୍ ମାଗି ରିଙ୍ଗ କଲା ସୁଗନ୍ଧା । ଜଣେଇଲା ଜଣେ ପରିଚିତ ବନ୍ଧୁ ଦେଖା ହେଇଗଲେ । ତାଙ୍କ ସହ ରହିଛି ସେ ଏଇ ହୋଟେଲ ତଳ ମାର୍କେଟରେ । ବିଙ୍ଗୋ ମିଳୁନି ସେଇଥିପାଇଁ ଡେରି ।

ଅଂଶୁ ଖୁସି ହେଲା ଆଉ ଶୀଘ୍ର ଆସିବାକୁ କହି ଫୋନ୍ କାଟିଲା ।

ରୋହନକୁ ବିଙ୍ଗୋ ଖୋଜିବାକୁ କହିଲା ସୁଗନ୍ଧା । ହସିଲା ରୋହନ , ଆଉ ନେଇଗଲା ଟିକେ ଦୂରରେ ଥିବା ଦୋକାନକୁ । ଚାରି ପ୍ୟାକେଟ ବିଙ୍ଗୋ ଧରି ଫେରିଲା ସୁଗନ୍ଧା । ରୋହନକୁ ସାଥିରେ ଧରି ଅଂଶୁ ସହ ଭେଟ କରିବା ପାଇଁ ।

ଜୀବନର ଗଣିତ ଦୁଇ ବିନ୍ଦୁ ଭିତରେ ଆବଦ୍ଧ ସରଳ ରେଖା ଟିଏ ହୁଏନି କାହିଁକି ? ସେଠି ବିଙ୍ଗୋର ଜଟିଳ ତ୍ରିଭୁଜ ଗଢ଼ା ଯାଏ କେଉଁ ଉଦ୍ଦେଶ୍ୟରେ । ତ୍ରିକୋଣୀୟ କାହାଣୀର ଜଟିଳତା ଭିତରେ କେତେଯେ ସ୍ୱପ୍ନ , ଆବେଗ , ଇପ୍ସା , ଆକାଂକ୍ଷା ସମାଧି ନେଇ ନିଅନ୍ତି ବୁଝେନାହିଁ କେହି । ବିଙ୍ଗୋ ଭଳି ତ୍ରିକୋଣୀୟ ତା' କାହାଣୀ ଭାରି ବ୍ୟତିବ୍ୟସ୍ତ କରୁଥିଲା ।

ସୁଗନ୍ଧାକୁ କାହିଁକି କହିପାରିଲା ନାହିଁ ସେ ନିଜ ଭାବନା ବା ସୁଗନ୍ଧା କାହିଁକି ବୁଝିଲା ନାହିଁ । ଏଇ ପ୍ରଶ୍ନର ନାହିଁ କୌଣସି ଉତ୍ତର । କେବଳ ଅଛି ଗୋଟେ ସୁକ୍ଷ୍ମ ଯନ୍ତ୍ରଣା , ଅଦୃଶ୍ୟ କିନ୍ତୁ ପ୍ରଛନ୍ନ ।

ସୁଗନ୍ଧା କିନ୍ତୁ ଖୁସି ଖୁସି ଗପୁ ଥିଲା ଅଂଶୁ କଥା ଆଉ ବୁଣୁ ଥିଲା ସ୍ୱପ୍ନ ଗଲିଚା , ବିଙ୍ଗୋ ଭଳି ସ୍ୱାଦିଷ୍ଟ ।

ହୋଟେଲରେ ଅପେକ୍ଷା କରୁଥିଲା ଅଂଶୁ । ପରିଚୟ କରେଇ ଦେଲା ସୁଗନ୍ଧା , ରୋହନ ସହ । ବଖାଣିଲା ତାଙ୍କ ଅତୀତର ସ୍ମୃତି , ଛୋଟ ବଡ଼ କାହାଣୀ। ଖୁସି ହେଲା ଅଂଶୁ ଅପରିଚିତ ସହରରେ ବନ୍ଧୁଟିଏ ପାଇ ।

ସୁନ୍ଦର ପ୍ଲେଟରେ ସଜେଇ ସୁଗନ୍ଧା ଧରେଇ ଦେଲା ବିଙ୍ଗୋ ଅଂଶୁ ଆଉ ରୋହନକୁ ଭରିଦେଇ କିଛି ଚଟ ପଟା ସ୍ୱାଦ ।

ଏବେ ରୋହନର ପାଳି , କେବେ ଖୁଏଇବ ଏମିତି ସ୍ୱାଦିଷ୍ଟ ବାହା ଭୋଜି , ପ୍ରଶ୍ନ ଥିଲା ଉଭୟ ସୁଗନ୍ଧା ଆଉ ଅଂଶୁର । ଉତ୍ତର କିନ୍ତୁ ଏବେବି ଥିଲା ଆବଦ୍ଧ ବିଙ୍ଗୋର ତ୍ରିକୋଣୀୟ ଟୁକୁଡ଼ା ଭିତରେ !

ସୌମ୍ୟା ଶୁଭଦର୍ଶିନୀ


Rate this content
Log in

Similar oriya story from Fantasy