Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଆ
ମାଆ
★★★★★

© Dr Subas Chandra Rout

Tragedy

5 Minutes   15.0K    17


Content Ranking

ଟେବୁଲ ଉପରେ ଖବର କାଗଜ ମେଲେଇ ଚୌକି ଉପରେ ବସି ପଢ଼ୁଥିଲି ଜୟମୋହନଙ୍କ ଲିଖିତ 'ନଦୀ' ଗଳ୍ପ । ଏକ ଶୁଦ୍ଧି କ୍ରିୟାର ଅପୂର୍ବ ଓ ଅନନ୍ୟ ବର୍ଣ୍ଣନା ପଢ଼ି ଦୁଇ ଧାର ଲୁହ ବୋହିଆସୁଥିଲା । ଏହି ଗଳ୍ପ ପଢ଼ା ସରିଆସିଲା ବେଳକୁ ମୋର ଅନୁଭବ ହେଲା, ମୁଁ ବସିଛି କିନ୍ତୁ ସାମନାରେ ଟେବୁଲ ବା କାଗଜ ନାହିଁ । ତା' ବଦଳରେ ଡାକ୍ତରଖାନାର ଗୋଟିଏ ୱାର୍ଡ ଭିତରେ ଗୋଟିଏ ଧଳା ରଙ୍ଗର ଖଟ ଉପରେ ମୋ ମାଆ ଶୋଇଛି । ପଚାଶ ବର୍ଷ ତଳକୁ ମୋ ଅଜାଣତରେ ମୁଁ ଚାଲିଯାଇଥିଲି ।

ମାଆର ଗୋଡ଼ ଦିଗରେ ମୁଁ ଠିଆ ହୋଇଥାଏ । ସାମନାରେ ଉପରକୁ ମୁହଁ କରି ମୋତେ ମାଆ ଚାହିଁଥାଏ । ସାଧା ସିଧା ଶାଢ଼ୀ ଗୋଟିଏ ପିନ୍ଧିଥାଏ । ହାତରେ ଚାରି ଚାରି ପଟ ଚୂଡ଼ି ଥାଏ । କପାଳରେ ସିନ୍ଦୂର ବିନ୍ଦୁ ଝଟକୁଥାଏ । ମୁହଁରେ କୌଣସି ଭାବନାର ସ୍ପର୍ଶ ନଥିଲା, ପୁରା ନିର୍ଲିପ୍ତ । ନା ଖୁସି, ନା ଦୁଃଖ, ନା ଅନୁଶୋଚନା, ନା କ୍ରୋଧ କିନ୍ତୁ ଗୋଟିଏ ଦିଗହରା ଓ ଜୀବନ ଯୁଦ୍ଧରେ ହାରିଯାଇଥିବା ମୁହଁ ଦେଖାଯାଉଥିଲା । ଲମ୍ବା ମୁହଁ ଆହୁରି ହାଡ଼ୁଆ ଦେଖାଯାଉଥିଲା । ତାର ଗୋରା ତକତକ ଦେହ ଶୁଖିଆସୁଥିବା ମଲ୍ଲି ଫୁଲ ଭଳି ଶେତା ଦିଶୁଥିଲା । ଜଳ ଜଳ କରି ମାଆ ମୋତେ ଅନେଇଥାଏ । ବାମ କହୁଣିର ସାମନା ଭାଗରେ ରକ୍ତ ଦିଆଯାଉଥିବା ନଳି ସଂଲଗ୍ନ ଛୁଞ୍ଚି ଫୋଡା ହୋଇଥାଏ ଓ ସେଇ ବାଟ ଦେଇ ଜୀବନ ସଂଚାରକାରୀ ରକ୍ତ ଦେହ ଭିତରକୁ ଯାଉଥାଏ । ଅମ୍ଳଜାନ ସିଲିଣ୍ଡରରୁ ଗୋଟିଏ ନଳୀ ଆଣି ନାକ ଭିତରେ ପୁରାଯାଇଥିଆଏ ।

ଆଶୁ ଚିକିତ୍ସା ବିଭାଗର ଜଣେ ଡାକ୍ତରଙ୍କୁ ଡାକିଆଣି ଦେଖିବାକୁ ଅନୁରୋଧ କଲି । ନର୍ସ ଆସି ପାଖରେ ଠିଆ ହେଲେ । "କଅଣ ରୋଗ ହେଇଛି", ନର୍ସଙ୍କୁ ଡାକ୍ତର ପ୍ରଶ୍ନ କଲେ ।

"ସାର, ଆନିମିଆ (ରକ୍ତହୀନତା) ଓ ମାଲନ୍ୟୁଟ୍ରିସନ (କୁପୋଷଣ) ହେଇଛି ।" ନର୍ସ ଉତ୍ତର ଦେଲେ ।

ଡାକ୍ତର – "ବଡ଼ ଦୁଃଖର କଥା । ଆନିମିଆରେ ଏମିତି ଅବସ୍ଥା ! ଉପଯୁକ୍ତ ଖାଦ୍ୟ ଆଦୌ ଦିଆଯାଇନାହିଁ । ସଠିକ ସମୟରେ ଚିକିତ୍ସା କରିଥିଲେବି ଏ ଅବସ୍ଥାକୁ ଆସିନଥାଆନ୍ତା । ହଉ, ଯାହା ହେବାର ହେଇଯାଇଛି, ଭାବି ଲାଭ କଅଣ ! ଚିକିତ୍ସା ତ ଠିକ ଚାଲିଛି । ଭଗବାନଙ୍କୁ ସ୍ମରଣ କରନ୍ତୁ, ସେ ଭଲ ହୋଇଯିବେ ।" ଏତିକି କହି ସେ ଚାଲିଗଲେ ।

ପାଞ୍ଚ ମିନିଟ ଚାଲିଗଲା । ହଠାତ ଦେଖିଲି ଛୁଞ୍ଚି ଫୋଡା ହୋଇଥିବା ସ୍ଥାନରୁ ରକ୍ତ ବାହାରୁଛି । ଦିଦି ଆସି ଦେଖିଲେ ଓ ଛୁଞ୍ଚି ଅବରୋଧ ହୋଇଥିବା କଥା କହିଲେ । ସେଠାରୁ ଛୁଞ୍ଚି କାଢ଼ି ଗୋଟିଏ ନୂଆ ଶିରାରେ ଫୋଡିବାକୁ ଚେଷ୍ଟା କରାଗଲା । ସିରିଞ୍ଜର ଛୁଞ୍ଚି ଶିରାରେ ଫୋଡିବାରୁ ଲାଲ ରଙ୍ଗ ବଦଳରେ ନୀଳ ରଙ୍ଗର ରକ୍ତ ସିରିଞ୍ଜ ଭିତରକୁ ପଶିଆସିଲା । ତାକୁ ରକ୍ତ ବୋତଲ ସହ ସଂଯୁକ୍ତ କରିଦିଆଗଲା । ମୋତେ ଲାଗିଲା, ମୋ ଛାତିରେ ଗୋଟିଏ ଛୁଞ୍ଚି ଯେମିତି କିଏ ଫୋଡ଼ିଦେଉଛି । ରକ୍ତରେ ଅମ୍ଳଜାନ ଆଦୌ ପ୍ରବାହିତ ହେଉନଥିଲା । ସେଥିଯୋଗୁ ଲାଲ ରଙ୍ଗ ବଦଳରେ ରକ୍ତ ନୀଳ ରଙ୍ଗ ଧାରଣ କରିଥିଲା । ସାଧାରଣତଃ ମହିଳାଙ୍କର ରକ୍ତରେ ୧୨ ରୁ ୧୪%

ହେମୋଗ୍ଲୋବିନ ରହିବା ସ୍ଥାନରେ ମାଆର କେବଳ ଦୁଇ ପରସେଣ୍ଟ ହେମୋଗ୍ଲୋବିନ ଥିଲା । ମୁଁ ମୂର୍ତ୍ତି ଭଳି ବସି ମାଆର ଶେଷ ଅବସ୍ଥା ଦେଖିବାର ଦୁର୍ଭାଗ୍ୟ ଅର୍ଜନ କରୁଥିଲି । ଏତିକି ବେଳେ ଶ୍ଵାସକ୍ରିୟା ଦୀର୍ଘ ଓ ଦୃତ ହେବାକୁ ଲାଗିଲା । ଅଧିକ ପ୍ରଶ୍ଵାସ ଗଲେ ଅଧକ ଅମ୍ଳଜାନ ମିଳିବା ଆଶାରେ ଦେହ ବୋଧହୁଏ ଏଭଳି ଚେଷ୍ଟା କରୁଥିଲା । ଧୀରେ ଧୀରେ ଏହି କ୍ରିୟା କମିଆସିଲା । ମାଆର ଦୁଇ ଆଖିରୁ ଦୁଇ ଟୋପା ଲୁହ ବୋହିଆସିଲା ଓ ମୋର କୋହ ବଢ଼ିବାକୁ ଲାଗିଲା । ଅବଶେଷରେ ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହୋଇଗଲା ଓ ଦୁଇ ଆଖି କାଚ ଭଳି ଦେଖାଗଲା । ଆଖି ପତା ଧୀରେ ଧୀରେ ବନ୍ଦ ହୋଇଗଲା । ମାଆର ଦୁଇ ଟୋପା ଲୁହ କିନ୍ତୁ ମୋ ଆଖିରେ ଲୁହର ଝରଣା ବୁହେଇଦେଇଗଲା । ନିଜକୁ ଆୟତ୍ତ କରିପାଲିନି । ଗୋଟିଏ ଷ୍ଟୁଲ ଉପରେ ବସି ମାଆର ପାଦ ଧରି ମୋର ମୁଣ୍ଡକୁ ପାଦ ତଳେ ଚାପିରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲି । ମନେ ମନେ ଶହ ଶହ ଥର କ୍ଷମା ମାଗୁଥିଲି ।

ଅଧ ଘଣ୍ଟା ପରେ ବଡ଼ ଭାଇ ଆସି ପହଞ୍ଚିଲେ । ଆମେ ଦୁଇ ଭାଇ ମାଆର ମୃତ ଶରୀରକୁ ନେଇ ଘରକୁ ଫେରିଲୁ । ଅଗଣାରେ ତାଙ୍କୁ ରଖି ପାଖରେ ଥିବା ଏକ ବେଦି ଉପରେ ଦୁଇ ଭାଇ ବସି କାନ୍ଦିବାକୁ ଲାଗିଲୁ । ସଂସାର ଶୂନ୍ୟ ଲାଗୁଥିଲା । ଆମର ଏକାନ୍ତ ନିଜର ମାଆ, ଯାହା ଦେହରୁ ଆମର ସୃଷ୍ଟି, ସେ ଆମକୁ ଛାଡ଼ି ଚାଲିଗଲେ । ବିଶ୍ଵାସ ଆସୁନଥିଲା । ପ୍ରାୟ ଘଣ୍ଟାଏ ପରେ ଗାଡ଼ିରେ ନେଇ କାଳିଆବୋଦା ଶ୍ମଶାନକୁ ଗଲୁ । ଗାଡ଼ିରୁ ମୃତ ଦେହ କାଢ଼ି ଛଅ ଖଣ୍ଡ କାଠରେ ତିଆରି କୋକେଇରେ ରଖି ଦାହ ସଂସ୍କାର ସ୍ଥାନକୁ ନେଇଗଲୁ । ବ୍ରାହ୍ମଣ ତାଙ୍କର ପୂଜା ପାଠ ଆରମ୍ଭ କରିଦେଲେ ଓ କିଛି ସମୟ ପରେ ....

କେହି ଜଣେ ମୋତେ ଡାକିବାରୁ ମୁଁ ସଚେତନ ହୋଇ ବର୍ତ୍ତମାନ ସ୍ଥିତିକୁ ଫେରିଆସିଲି । ସେଇ ପୁରାତନ ଦୁଃଖମୟ ଘଟଣା ପରେ ସାରା ଜୀବନ ଗୋଟିଏ ବାକ୍ୟ ମୋ କାନରେ ବାରମ୍ବାର ଗୁଞ୍ଜରିତ ହୁଏ – “ଆନିମିଆରେ ଏମିତି ଅବସ୍ଥା ! ଉପଯୁକ୍ତ ଖାଦ୍ୟ ଆଦୌ ଦିଆଯାଇନାହିଁ । ସଠିକ ସମୟରେ ଚିକିତ୍ସା କରିଥିଲେବି ଏ ଅବସ୍ଥାକୁ ଆସିନଥାଆନ୍ତା ।” ମାଆ ବୋଧହୁଏ ଉପଯୁକ୍ତ ଖାଦ୍ୟ ଓ ଯତ୍ନର ଅଭାବରୁ ମୃତ୍ୟୁ ବରଣ କଲେ । ସେ କଅଣ ଖାଇଲା ବା ନଖାଇଲା, ସେ କଥା ଜାଣିବାର ସୁଯୋଗ ମୋର ନଥିଲା, କାରଣ ମୁଁ ହଷ୍ଟେଲରେ ରହୁଥିଲି । ସେଥିପାଇଁ ଦାୟୀ କିଏ ? ସାରା ଜୀବନ ଏଇ ପ୍ରଶ୍ନ ମୋ ମନରେ ରହି ରହି ଆନ୍ଦୋଳିତ ହୁଏ । ମୁଁ ନା ଭାଇ, କିଏ ଦାୟୀ ।

ସେଇଦିନୁ ଯେତେବେଳେ ଡାକ୍ତରଖାନା କଥା ପଡ଼େ, ସେଇ ଦୃଶ୍ୟ ମୋ ଆଖି ଆଗରେ ଭାସି ଆସେ ଓ ମନ ଭିତରେ ମୁଁ ଗୁମୁରି କାନ୍ଦେ । କେବେ ଯଦି କାଲିବୋଦା ବାଟ ଦେଇ ଯାଏ, ମାଆର ଦାହ ସଂସ୍କାର କଥା ମନେ ପଡ଼େ । ସେଇଠି ମୋ ପାଦ ଅଟକିଯାଏ । ସେ ମଶାଣି ଭିତରକୁ ଅନାଏ, କାଳେ ମୋ ମାଆର ଆତ୍ମା ସେଠି ଥିବ ଆଉ ଥରକ ପାଇଁ ସେ ସାକାର ହୋଇଯିବ । ଆଉ ଥରେ ତାକୁ ଆଖି ପୁରେଇ ଦେଖିବି ।

ମୁଁ ସେତେବେଳେ ଛାତ୍ର ଥିଲି । ଯତ୍ନ ନେବାକୁ ସଂପୂର୍ଣ୍ଣ ଅକ୍ଷମ । କେବଳ ମାଆର ଅବସ୍ଥା ବିଷୟରେ ଘରେ ସଚେତନ କରେଇପାରିବା କ୍ଷମତା ଥିଲା । ମୃତ୍ୟୁର ଦୁଇ ମାସ ପୂର୍ବରୁ ତାହା ମଧ୍ୟ ମୁଁ କରିଥିଲି । ମାଆ ସିରିଅସ ଥିବା କଥା ବାରମ୍ବାର ଭାଇଙ୍କୁ କହି ଚେତେଇ ଦେଇଥିଲି । ଉତ୍ତରରେ ସେ କହୁଥିଲେ, "ନାହିଁ ମ, ଏଇ ଶୀତ ଦିନ ହେତୁ ମାଆ ସେମିତି ଦେଖାଯାଉଛି । ଦେଖୁନୁ ଆମ ଚମ ବି କେମିତି ଫିକା ଦେଖାଯାଉଛି ।" ବଡ ଭାଇଙ୍କୁ କଅଣ ବା ଉତ୍ତର ଦେଇହେବ । ତଥାପି କହିଥିଲି, "ଥରେ ଡାକ୍ତରଖାନା ନେଇ ଦେଖେଇ ଆଣିଲେ ଭଲ ହୁଅନ୍ତା ।" ସେ ଉତ୍ତର ଦେଇଥିଲେ, "ତୋ ଭାଉଜର ଅବସ୍ଥା ଦେଖୁଛୁ । ଆଗକୁ ପିଲା ହେବ । ସେ ତ ବସି ଉଠି ପାରୁନି । ମାକୁ ଡାକ୍ତରଖାନାରେ ଆଡମିସନ କଲେ କିଏ ଯିବା ଆସିବା କରି ତାର ଯତ୍ନ ନେବ ? ସେଠାରେ କିଏ ତା ପାଖରେ ରହିବ ?" ଏହି ଉତ୍ତର ପରେ ମୋର ଆଉ କିଛି କହିବାକୁ ବାକି ନଥିଲା । କେବଳ ମୃତ୍ୟୁ ପଥଗାମୀ ମୋର ଅତୀବ ପ୍ରିୟ ମାଆର ନିରବ ଦର୍ଶକ ହେବା ବ୍ୟତୀତ ମୋ ହାତରେ ଆଉ କୌଣସି ସାଧନ ନଥିଲା । ନେଡ଼ି ଗୁଡ଼ କହୁଣିକୁ ବୋହିଗଲା ପରେ ତାକୁ ଡାକ୍ତରଖାନା ନିଆଯାଇଥିଲା ଯେତେବେଳେ ଆରୋଗ୍ୟ କରିବାର ସାଧନ ଚିକିତ୍ସକଙ୍କର ନଥିଲା ।

ଜଣେ ଅନାଗତ ଆଗନ୍ତୁକଙ୍କୁ ସ୍ଵାଗତ କରିବାକୁ ବୋଧହୁଏ ଆମେ ମାଆକୁ ମରଣ ମୁହଁକୁ ଠେଲିଦେଲୁ । ମୁଁ କଲେଜ ପାଠ ପଢ଼ାରେ ବ୍ୟସ୍ତ ରହିଲି, ଭାଇ ତାଙ୍କ ଅଫିସ କାମରେ ରହି ଅନ୍ନ ସଂସ୍ଥାନରେ ବ୍ୟସ୍ତ ରହିଲେ । ଭାଉଜ ତାଙ୍କର ଗର୍ଭାବସ୍ଥାରେ ରହି ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମାଆର ସେବା ପାଇଁ କାହାର ବି ସମୟ ନଥିଲା । ମୋର ଯୁବାବସ୍ଥାରେ ମାଆର ମୃତ୍ୟୁ ପାଇଁ ମୁଁ ଭାଇଙ୍କୁ ମନେ ମନେ ଶତକଡ଼ା ଶହେ ଦାୟୀ କରିଆସିଥିଲି । ପରିଣତ ବୟସରେ ଭାବିଲି, ମଣିଷ ମାତ୍ରେ ପରିସ୍ଥିତିର ଦାସ । ହୁଏତ ସେତେବେଳେ ଭାଉଜର ଗର୍ଭାବସ୍ଥା ନଥିଲେ ମାଆର ଉପଯୁକ୍ତ ଯତ୍ନ ନିଆଯାଇଥାଆନ୍ତା । ମୃତ୍ୟୁ ଶଯ୍ୟାରେ ରହି ମାଆ କଅଣ ଭାବିନଥିବ ଯେ ତାର କେହି ଯତ୍ନ ନେଉନାହାନ୍ତି, ତା କଥା କେହି ଭାବୁନାହାନ୍ତି ! ତାର କଷ୍ଟ କେହି ଉପଲବ୍ଧି କରୁନାହାନ୍ତି । କିନ୍ତୁ ସେ ତ ମାଆ, ନିଜର କୌଣସି ଅସୁବିଧା କଥା ନଭାବି, ନକହି, କାହାକୁ ଗାଳି ନଦେଇ ଓ ମୃତ୍ୟୁକୁ ନଡରି ଧୀରେ, ନିରବରେ ତାର ଭାବି ନାତି ବା ନାତୁଣୀ ପାଇଁ ବାଟ ଛାଡ଼ିଦେଲା । ସମସ୍ତଙ୍କୁ କ୍ଷମା କରିଦେଇ ଏ ଧରିତ୍ରୀରୁ ବିଦାୟ ନେଇଗଲା କିନ୍ତୁ ମୋ ମନରେ ଚିର ଦିନ ପାଇଁ ଏକ ଦୋଷୀ ମନୋଭାବ ଛାଡ଼ିଗଲା । ଆମର ବି ଦିନେ ସେମିତି ସମୟ ଆସିପାରିବ । ଅନ୍ତିମ ସମୟରେ ସେହିଭଳି ସମସ୍ୟାର ସମ୍ମୁଖୀନ ଆମେ ନ ହେବୁ ବୋଲି କିଏ କହିପାରିବ ? ସେ ଦିନ କଥା ମନେ ପଡ଼ିଲେ ଆଜିବି ଦେହ ଥରିଉଠୁଛି । ସେଇ ପାଦ ତଳେ ମଥା ରଖି କ୍ଷମା ମାଗୁଥିବା ଦୃଶ୍ୟ ଏବେବି ମୋ ଆଖି ଆଗରେ ଭାସିଆସେ । କିନ୍ତୁ ଆମେ କ୍ଷମାର ଯୋଗ୍ୟ ନଥିଲୁ ।

ଡା ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦ ୫୯୫୮୧ ୀ

ମାଆ ନଦୀ ନଳୀ

Rate the content


Originality
Flow
Language
Cover design

Comments

Post

Some text some message..