Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Golak Bihari Sahoo

Abstract

3  

Golak Bihari Sahoo

Abstract

ବାବାଜୀ

ବାବାଜୀ

3 mins
7.1K


ରାଜକୁମାର ଗୌତମ ସହର ପରିକ୍ରମା କରିବା ସମୟରେ ଜଣେ ରୋଗୀ, ଜଣେ ବୃଦ୍ଧ ଓ ଗୋଟିଏ ଶବକୁ ଦେଖି ମଣିଷ ଜୀବନ ପ୍ରତି ବୈରାଗ୍ୟ ଭାବ ପୋଷଣ କରିଥିଲେ। ତାପରେ ବିଚାର କରି ଥିଲେ ଯେ ଦୁଃଖର ମୂଳ କାରଣ କାମନା। କାମନାସକ୍ତ ମଣିଷ ଦୁଃଖ କଷ୍ଟରେ ଘାଣ୍ଟି ହୁଏ। ସନ୍ୟାସୀ କାମନା ରହିତ ହୋଇ ସାଂସାରିକ ଜୀବନର ଦୁଃଖ କଷ୍ଟରୁ ମୁକ୍ତି ପାଏ। ତେଣୁ ରାଜକୁମାର ରାଜଉଆସର ବିଳାସ ପୂର୍ଣ୍ଣ ଜୀବନ ଏବଂ ନିଜର ଜାୟା, ପୁତ୍ରକୁ ତ୍ୟାଗ କରି ତପସ୍ୟାରେ ନିମଗ୍ନ ରହିଲେ ଜ୍ଞାନର ଅନ୍ୱେଷଣରେ ଏବଂ ଗୌତମରୁ ବୁଦ୍ଧଦେବରେ ପରିଣତ ହେଲେ। 

ବୋଧହୁଏ ଏହିପରି ଏକ ସିଦ୍ଧାନ୍ତରେ ପହଞ୍ଚି ରାଧାକାନ୍ତ ମଠର ବାବାଜୀ ୫୦ ବର୍ଷ ତଳେ ସାଂସାରିକ ଜଞ୍ଜାଳ ତ୍ୟାଗ କରି ବାବାଜୀ ଧର୍ମ ଅବଲମ୍ବନ କରିଥିଲେ। ବିବାହର ଏକ ବର୍ଷ ମଧ୍ୟରେ ଯେତେବେଳେ ତାଙ୍କର ସୁନ୍ଦର ସ୍ତ୍ରୀର ଦେହାନ୍ତ ହେଲା, ସେତେବେଳେ ସଂସାର ପ୍ରତି ବୀତସ୍ପୃହ ହୋଇ ମଠରେ ଆଶ୍ରୟ ନେଲେ। 

ଭାବିଥିଲେ ମଠରେ ପୂଜାର୍ଚ୍ଚନା, ପ୍ରାର୍ଥନା, ଭଜନ କୀର୍ତ୍ତନରେ ମନୋନିବେଶ କରି ବାକି ଜୀବନଟାକୁ କଟାଇ ନେବେ। ସଂସାରର ଦୁଃଖ କଷ୍ଟକୁ ପାରି କରି ନେବେ। କିନ୍ତୁ ହାୟ, ତିନି ବର୍ଷ ତଳେ ବୟସ ଧକ୍କାରେ ଶରୀର ଜୀର୍ଣ୍ଣ ଶୀର୍ଣ ହେବାକୁ ଲାଗିଲା, ଦୃଷ୍ଟି ଶକ୍ତି କ୍ଷୀଣ ହେବାକୁ ଲାଗିଲା। ଭାବିଲେ ସେହି ରାଧାକାନ୍ତ ଯାହାଙ୍କର ପୂଜାର୍ଚ୍ଚନା କରି ଆସୁଛନ୍ତି, ସେ ସହାୟ ହେବେ। କିନ୍ତୁ ଶେଷରେ ସଂସାରୀ ମାନଙ୍କ ଭଳି ସେ ପୁଣି ଡାକ୍ତରଙ୍କ ସାହାଯ୍ୟ ଲୋଡ଼ିଲେ। ତାଙ୍କର ଉପଦେଶ ଅନୁସାରେ ଆଖିର ପରଳ ହଟାଇବା ପାଇଁ ଅସ୍ତ୍ରୋପଚାର କରାଇଲେ। ଚକ୍ଷୁର ଦୃଷ୍ଟି ଶକ୍ତି ତ କିଛି ପରିମାଣରେ ଫେରି ପାଇଲେ, କିନ୍ତୁ ବାର୍ଦ୍ଧକ୍ୟର କୁଠାର ଘାତରେ ଶରୀର ଦୁର୍ବଳରୁ ଦୁର୍ବଳତର ହେଲା। ନାଳଝାଡା ରୋଗରେ ପୀଡିତ ହେଲେ। ଯେତେ କବିରାଜି ଅବା ଡାକ୍ତରୀ ଔଷଧ ଖାଇଲେ ବି କୌଣସି ପ୍ରଭାବ ପକାଇ ପାରିଲା ନାହିଁ। ମଠର ପରିଚାଳକ ମଠରୁ ଆଣି ବାବାଜୀଙ୍କୁ ମଠ ପରିସରରେ ଆଉ ଏକ ଛୋଟ କୋଠରୀରେ ରଖାଇଲେ। ବାବାଜୀ ବିଚାରା ମଳମୂତ୍ରରେ ଘାଣ୍ଟି ହେବାକୁ ଲାଗିଲେ। ଚିତ୍କାର କଲେ, "ଏ ପୁଅ, ମା ମାନେ କିଏ ମଠକୁ ଆସୁଛ, ମୋ କଥାଟିକେ ବୁଝିକରି ଯାଅ। ମୁଁ ଉଠି ପାରୁନି। ମୋ ଲୁଗାପଟା ମଳମୂତ୍ରରେ ଭିଜି ଯାଇଛି। କିଏ ଟିକେ ସଫା କରିଦିଅ। ତୁମର ଈଶ୍ଵର ମଙ୍ଗଳ କରିବେ। ସେହି ମଠ ସାହିର ଅନେକ ପୁଅଝିଅ ସେହି ବାଟ ଦେଇ ଗଲେ ମଧ୍ୟ ସଭିଏଁ ନାକ ଚିପି ଆସି ବାବାଜୀଙ୍କୁ ଟିକେ ଅନାଇ ଦେଇ ଚାଲି ଯାଆନ୍ତି। ଆଜିକାଲି ବୃଦ୍ଧ, ରୁଗ୍ଣ, ନିରାଶ୍ରୟକୁ ସେବା କରିବାର ମନୋବୃତ୍ତି କାହିଁ? ନିଜର ସମ୍ପର୍କୀୟ ବାପ ମା, ଜେଜେବାପା ମାଙ୍କୁ ତ ସେବା କରିବାକୁ ସଭିଏଁ ବିମୁଖ, ଆଉ ଏ ବାବାଜୀ ଯିଏ ସାଂସାରିକ ସମ୍ପର୍କକୁ ଛିନ୍ନ କରିଛନ୍ତି ଦୀର୍ଘ ୫୦ ବର୍ଷ ତଳେ। ତାର ଏ ଅବସ୍ଥାରେ କିଏ ବା ସେବା କରିବ। ଜଣେ ମେହେନ୍ତରକୁ ଡାକି ଆଣି ମଠ ପରିଚାଳକ ଦିନେ ଦୁଇଦିନ ସଫା କରାଇଲେ। ଦୁଇ ଦିନ ପରେ ସେ ବି ମନାକଲା। କହିଲା - ଯେତେ ଟଙ୍କା ଦେଲେ ବି ଏ କାମ ମୁଁ କରିପାରିବି ନାହିଁ। ବିଚାରା ବାବାଜୀ। ସାହିର ଜଣେ କୁମାରୀ ଝିଅ ଆସି ମଝିରେ ମଝିରେ ବାବାଜୀର ଯତ୍ନ ନିଏ। ଖାଇବାକୁ କିଛି ଆଣି ଦିଏ, ଲୁଗାପଟା ସଫା କରିଦିଏ। ଈଶ୍ଵର ତା ହୃଦୟରେ ବିରାଜମାନ କଲେ, ଏହା ହିଁ ବାବାଜୀର ସୌଭାଗ୍ୟ। ମଠର ପରିଚାଳକ କହିଲେ - "ଏ ଝିଅ ସୁକୁଟି ବାବାଜୀଙ୍କର ସମ୍ପର୍କରେ ନାତୁଣୀ ହେବ। ସଂପର୍କର ଆକର୍ଷଣ ଏକ ଈଶ୍ଵରୀୟ ଗୁଣ ।" 

ବାବାଜୀ କହୁଥିଲେ - "ମୁଁ ସଂସାରର ସମ୍ପର୍କ ବନ୍ଧନରେ ବାନ୍ଧି ହୋଇ ଥିଲେ ମୋର ଏହି ଅବସ୍ଥାରେ କେହି ନା କେହି ପୁତ୍ର କନ୍ୟା, ନାତି ନାତୁଣୀ ଅବା ସାହୀ ପ୍ରତିବେଶୀ ତ ମୋତେ ସାହାଯ୍ୟ ସହଯୋଗ କରିଥାନ୍ତେ। ସନ୍ୟାସୀ ଜୀବନରେ ଶାନ୍ତି ଓ ମୁକ୍ତି ମିଳେ, ଏହା କଣ ଭୂଲ??" 

ଶେଷରେ ବାବାଜୀ ଜୀବନର ଅନ୍ତ ହେଲା। ସାହୀ ଲୋକେ ଖୋଳ ସଂକୀର୍ତ୍ତନ ବାଜା ବଜାଇ ଶବକୁ ନେଇ ଶ୍ମଶାନରେ ପୋଡି ଦେଲେ। କହିଲେ - ବାବାଜୀ ଏ ଜୀବନର ନ ହେଲେ ବି ପୂର୍ବ ଜନ୍ମର କର୍ମ ଫଳ ଭୋଗ କରି ମୁକ୍ତି ପାଇଲା। 

ମଠକୁ ସଂପୂର୍ଣ୍ଣ ଫିନାଇଲରେ ଧୋଇଧାଇ ସୁବାସିତ ଅତର ସ୍ପ୍ରେ କରାଗଲା। କିଛିଦିନ ପରେ ଆଉ ଜଣେ ଯୁବ ବାବାଜୀଙ୍କୁ ନିୟୋଜନ କରାଗଲା ମଠର ପୂଜାର୍ଚ୍ଚନା କରିବା ପାଇଁ। ପୂର୍ବବତ୍ ଦୈନିକ ସଂଧ୍ୟା ଆଳତୀ ସମୟରେ ସାଧାରଣ ଜନତାଙ୍କ ସମାବେଶ ହେଲା ରାଧାକାନ୍ତଙ୍କ ଭଜନ ଶୁଣିବାକୁ ଏବଂ ବାବାଜୀଙ୍କର ପାଦସ୍ପର୍ଶ କରି ତାଙ୍କର ଆଶୀର୍ବାଦ ନେବାକୁ। 

ବଡ ବିଚିତ୍ର ଏ ମଣିଷର ବିଚାର। ସୁସ୍ଥ ସବଳ ବାବାଜୀ ଦେବଦୂତ, ରୁଗ୍ଣ ହେଲେ ପତିତ, ଘୃଣିତ। ମଣିଷ ଜୀବନ ମାତର, ସଂସାରୀ ହେଉ ବା ସନ୍ୟାସୀ ହେଉ, ଦୁଃଖ କଷ୍ଟ ଜରା ବ୍ୟାଧି ଶୋକ, କରେ ନି କାହାକୁ ପାତର ଅନ୍ତର। 

******

©ଗୋଲକ ବିହାରୀ ସାହୁ


Rate this content
Log in

Similar oriya story from Abstract