ସର୍ତ୍ତ ଭଗ୍ନ
ସର୍ତ୍ତ ଭଗ୍ନ
ଗୋଧୂଳି ଗଡିଲାଣି ।ସନ୍ଧ୍ୟା ପାଖେଇ ଆସୁଛି ।ଗୋଡହାତ ଧୋଇ ସବୁଦିନ ଭଳି ପ୍ରାର୍ଥନା କରିବା ପାଇଁ ସେ ଏଇ ସମୟରେ ପୋଖରୀକୁ ଯାଆନ୍ତି ।ଆଜି କିନ୍ତୁ ଗୋଡ ଉଠୁନି ସଦାନନ୍ଦଙ୍କର ।ଭାବନାର ଅଡୁଆ ଭିତରେ କେଵେ ଛନ୍ଦି ହେବେନି ବୋଲି କୌଣସି କଥାକୁ ଏତେ ବେଶୀ ଭାବନ୍ତିନି ସିଏ ।କିନ୍ତୁ ଆଜି ଏମିତି କାହିଁକି ହେଲା ?ଏ ବୟସରେ ଏତେ ବିଚଳିତ ଭାବନାରେ ସେ ପଡିଲେ କେମିତି କେଜାଣି ?ପୋଷ୍ଟ ମ୍ଯାନ୍ ହାତରୁ ପୋଷ୍ଟ କାର୍ଡଟି ଧରି ଦାଣ୍ଡ ପଟ ମଣ୍ଡପ ଉପରେ ସେତିକି ଵେଳୁ ଵସିଛନ୍ତି ।ଗୋଟେ ଲଫାପା ମିଳିଲାନି ତାଙ୍କୁ ! ଝିଅ ଶାଶୁଘରୁ ଚିଠି ଆସିଛି ।ସମୁଦୀ ଦେଇଛନ୍ତି ଵୋଲି ଆଗ୍ରହରେ ପଢିଲା ବେଳକୁ ଏସବୁ କ'ଣ ଲେଖା ହେଇଛି ? ଖୋଲା ଚିଠିରେ ଏମିତି କ'ଣ ଲେଖାହୁଏ ? ବନ୍ଧୁ ଘରକୁ ଏମିତି ମର୍ଯାଦା ତ ଦିଆଯାଏନି ?
ଗାଁ ରେ ପୋଷ୍ଟ ଅଫିସ୍ ।ପୋଷ୍ଟ ମ୍ଯାନ ଚିହ୍ନା ମଣିଷ ।ସେ କଣ ପଢି ନଥିବ !! ଅଳ୍ପେ ବହୁତେ ସମସ୍ତେ ଏ କଥା ଜାଣି ସାରିବେଣି ।ବନ୍ଧୁ ଘରକୁ ଏମିତି ଖୋଲା ଚିଠି କେତେ ଲାଜର କଥା !!
ନାଁ ଯାହା ବି ହେଉ ଯୋଉ ସର୍ତ୍ତ ରେ ଝିଅକୁ ଆଣିଥିଲେ ସେଇ ସର୍ତ୍ତରେ ନେଇ ଛାଡିବେ ।ଏଭଳି ଯଥେଛାଚାର ସେ ସହିବେନି ।ବାହାଘର ଦିମାସ ପରେ ଝିଅ ବାପଘର ଆସିଛି ।କଥା ହେଇଥିଲା ମାସେ ରହିଵ ଏଥର ।ରଜ ସରିଲେ ସେମାନେ କଣ୍ଟ ପଠେଇବେ ଆଉ ଭଲ ଦିନ ଦେଖି ଝିଅ ଯିବ ।ଅଚାନକ ଏପୁଣି କଣ ? ମାସେ ଭିତରେ ତାଙ୍କ ଘରେ ଯାହା ସୁବିଧା ଅସୁବିଧା ହଵ ସେମାନେ ଚଳେଇବା କଥା ।ସେ ଘରର ବୋହୂ ହେଲେ ଵି ଏଘରର ଝିଅ ତ ।ମନ ବୋଲି ତାର କିଛି ଅଛି କି ନାହିଁ ।ଏଇ ଦିମାସ ଭିତରେ ସେ ଏକଦମ୍ ସବୁକିଛି ଭୁଲିଯିଵା କଥା ସେ ତାକୁ କହିବେ କେମିତି !!
ପୃଥିବୀ ମାଆ ରଜସ୍ବଳା ହବ ।ନୂତନର ସମ୍ଭାବନା ରେ ପୁଲକିତ ତା ଦେହ ।ସେଇ ପୁଲକ ସଂଚରି ଯାଉଛି ପ୍ରତି ପ୍ରାଣରେ ରଜପର୍ବର ଧୂମ୍ ଭିତରେ ।ଘରେ ଘରେ କୁଣିଆ ଭର୍ତ୍ତି ।ଝିଅ ବି ତା ଜନ୍ମ ଭୂଇଁରେ ନିଜକୁ ଝିଅଟିଏ ଭଳି ଦଉଡ ଧାପଡରେ ମାତିଛି ।କେଇଟା ଦିନ ବୋହୂପଣିଆ ଭୁଲିଯାଇଛି ।ଭାଇ ଭଉଣୀ ସାଙ୍ଗସାଥୀ ମେଳରେ ଆଗକୁ ରଜ କେମିତି ପାଳିବେ ସେଇ ଚର୍ଚ୍ଚାରେ ମାତିଛି ।କେମିତି ତାକୁ କହିବେ ଯେ ରଜ ପୂର୍ବରୁ ଚାଲ୍ ତୋତେ ନେଇ ଛାଡି ଆସିବି ତୋ ଶାଶୁଘରେ ।ସେଠି ତୋର ଆବଶ୍ୟକତା ପଡିଛି ।ବନ୍ଦ ପଞ୍ଜୁରୀ ଭିତରେ ତୁ ଭୁଲିଯିବୁ ତୋ ସ୍ବାଧୀନତା !! ନା ଥାଉ ।
"ବାପା !" ଅନ୍ଧାର ହେଇ ଆସିଲାଣି ।ଛାଇଟିଏ ଭଳି ଦିଶୁଛି ଭାରତୀ ।ତାଙ୍କୁ ଗୋଡହାତ ଧୋଇ ସନ୍ଧ୍ୟା କରିବାକୁ ମନେ ପକେଇ ଦଉଛି ବୋଧେ ?
"ହଁ ମାଆ ।ମୁଁ ଯାଉଛି ।ତୁ ଯାଆ ।"
"ନାଇଁ ବାପା ସେକଥା ନୁହଁ ।"
"ଆଉ .."
"କୋଉଠୁ ଗୋଟେ କଣ ଚିଠି ଆସିଛି ପରା !"
ଚମକି ପଡିଲେ ସଦାନନ୍ଦ ।ଏ ଭିତରେ ଝିଅ ଜାଣି ସାରିଲାଣି ଵୋଧେ ।ଗାଁ ରେ ଏକଥା ସମସ୍ତେ ଜାଣିଲେଣି ବୋଧେ !!
"ଛି ମାଆ ,ନିଜ ଶାଶୁଘରକୁ ଏମିତି କହନ୍ତି ?"
"ହଁ ପଠେଇବାକୁ ଗୋଟେ ଲଫାପା ମିଳିଲାନି ତାଙ୍କୁ ।କଣ ନା ଖରା ଛୁଟିରେ ସେମାନେ ବୁଲିଯିବେ ବଡପୁଅ ଘରକୁ ।ସାନବୋହୂ ଘର ଜଗିବ ।କାଇଁ ମୁଁ ଯାଇଥିଲେ ସେମାନେ ଯାଇ ନଥାନ୍ତେ ?"
"ସେଇକଥା ତ ମୁଁ ଭାବୁଛି ।ସର୍ତ୍ତ ହିସାବରେ ରଜ ପରେ ତୋ ଯିବାକଥା ।ଏବେଠୁ କାହିଁକି ?"
"ଠିକ୍ ଅଛି ।ତମେ ପଠେଇ ଦିଅ ।"
"ପଠେଇ ଦେବି ?ବୋକୀ ଝିଅ ।ତୁ ଆସିବା ପନ୍ଦର ଦିନ ବି ହେଇନି ।ମାସେ ରହିବୁ ବୋଲି କଥା ଦେଇ ଥିଲେ ସେମାନେ ।"
"ନାଇଁ ବାପା ଥାଉ ।ବୋହୂ କରି ଯେତେବେଳେ ଦେଇ ସାରିଛ ଆଉ ମାୟା କାହିଁକି ଲଗଉଛ?" କୋହ କୋହ ଶୁଭୁଥିଲା ତା କଥା ।ସଦାନନ୍ଦ ଜାଣିଛନ୍ତି ସହଜେ କାନ୍ଦିବା ଝିଅ ସେ ନୁହେଁ ।
"ମୋ କଥା ମୁଁ ବୁଝିବି ।ତୁ ଏସବୁରେ ବ୍ୟସ୍ତ ହ ନା ।ଯା ଭିତରକୁ ଯା ।"
"ନାଇଁ ବାପା,ମୋ ଯିଵାପାଇଁ କାଲି ଠିକ୍ କର । ସେମାନଙ୍କ କଥାରେ ନଗଲେ ସେଠି ମୋତେ ହିଁ ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ ।ସେତେବେଳେ ତୁମକୁ ଏଇ ଖରାପ ଲାଗିବାଟା ବେଶୀ ବାଧିବନି ଯେତେ ମୋତେ ଵାଧିବ ।କନ୍ୟା ଦାନକରି ଗୌରୀଦାନର ପୂଣ୍ଯ ଅର୍ଜି ସାରିଛ ।ଆଉ ମୋଠି ଏତେ ମାୟା କାହିଁକି ? "
ଜମା କାନ୍ଦୁ ନଥିଲା ଝିଅ । ଶୁଖିଲା ଖଡଖଡ ଶୁଭୁଥିଲା ତା ସ୍ବର ।
କଣ ଯେ ଏଇ ଝିଅଟା !! ନା ସବୁ ଝିଅ ଏମିତି ?? ନିଜ ହାତରେ ନିଜ ସୁଖର ବେକକୁ ମୋଡି କେତେ ଜଲଦି କର୍ତ୍ତବ୍ୟର ବୋଝ ମୁଣ୍ଡେଇବାକୁ ସଜ ହେଇଯାନ୍ତି ଝିଅମାନେ ।ରଜସଜକୁ ପଛ କରି !!
ସର୍ତ୍ତ ଭାଙ୍ଗି ଝିଅକୁ ଛାଡିବାକୁ ପ୍ରସ୍ତୁତ ହେଉଥିଲେ ସଦାନନ୍ଦ ।