ଅଖଣ୍ଡ ବିଶ୍ୱାସ
ଅଖଣ୍ଡ ବିଶ୍ୱାସ
ବିଜ୍ଞାନ ଏବଂ ଭଗବତ ବିଶ୍ବାସ ଦୁଇଟି ଉଭୟର ଅନୁପୂରକ ବା ପରିପୂରକ ବୁଝିହୁଏନି।ଏ ଦୁଇଟି ଗୋଟିଏ ମୁଦ୍ରାର କ'ଣ ଦୁଇଟି ପାର୍ଶ୍ବ?କେହି କେହି କହନ୍ତି ଭଗବତ ବିଶ୍ବାସ ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ।ମୋନା ପଦାର୍ଥବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍ ହୋଇଥିଲେ ମଧ୍ୟ ପିଲାଦିନୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଉପରେ ତା'ର ଗଭୀର ବିଶ୍ବାସ।ଜୀବନର ପ୍ରତ୍ୟେକ ଘଡିସନ୍ଧି ମୁହୁର୍ତ୍ତରେ ତାକୁ ଭଗବାନଙ୍କ ନାମ ପ୍ରଥମେ ମନେପଡେ।ତାକୁ ପ୍ରତ୍ୟୟ ହୁଏ ସତେ ଯେମିତି ଏକ ଅଜଣା ଶକ୍ତି ତା'ର ହାତ ଧରି ତାକୁ ବିପଦର ଅମା ଅନ୍ଧକାରରୁ ଏକ ନିରାପଦ ସ୍ଥାନକୁ ନେଇ ଆସୁଛି।ବିଶ୍ବାସ ତା'ର ଗଭୀର ରୁ ଆଉରି ଗଭୀର ହେବାକୁ ଲାଗିଲା।
ସମୟର ଚକ୍ର ଗଡି ଚାଲିଥାଏ ଆଗକୁ ଆଗକୁ।ହାତକୁ ଦିହାତ ହୋଇ ପୁନୀତ୍ ସାଙ୍ଗରେ ବିବାହ ବନ୍ଧନରେ ବାନ୍ଧିହୋଇ ଖୁବ୍ ଖୁସିରେ ତାର ସମୟ ଅତିବାହିତ ହୋଇଯାଉଥାଏ।ପୁନୀତ୍ ଖୁବ୍ ମେଳାପୀ,ଉଦାରମନା ଏବଂ ଉଚ୍ଚ ବିଚାରଧାରା ରଖୁଥିବା ଜଣେ ଭଦ୍ର ଯୁବ ଆର୍କିଟେକ୍ଟ।ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ,ପସନ୍ଦ ନାପସନ୍ଦ ମୋନାର ମନଲାଖୀ ହୋଇଥାଏ।କିନ୍ତୁ ପ୍ରତ୍ୟେକ କଥାରେ ମୋନାର ଭଗବାନଙ୍କ ନାମ ନେବା ଅଥବା ସମସ୍ତ କାର୍ଯ୍ୟର ସଫଳତା ପାଇଁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡିବା ପୁନୀତ୍ ଙ୍କର ପସନ୍ଦ ହୁଏନି।ଯଦିଓ ସେ ନାସ୍ତିକ ନୁହଁନ୍ତି ତଥାପି ସବୁକଥାରେ ଭଗବାନଙ୍କୁ ଟାଣିଆଣିବାକୁ ସେ ନାପସନ୍ଦ କରନ୍ତି।ସେଥିପାଇଁ ମୋନା ବେଳେ ବେଳେ ଖୁବ୍ କ୍ଷୁବ୍ଧ ହୁଏ,ଅନ୍ତରାତ୍ମା ତାର ବିଳପି ଉଠେ। ମନେ ମନେ ଠାକୁରଙ୍କ ଡାକି ପୁନୀତ୍ ଙ୍କୁ କ୍ଷମା କରିବାକୁ ବିନତି କରେ।
ଡିସେମ୍ବର ୩୧ ତାରିଖ।ମୋନାକୁ ସାଙ୍ଗରେ ନେଇ ନିଉ ମାର୍କେଟ ଯାଇଥିଲେ ପୁନୀତ୍।ଶ୍ରୀରାମ ଆର୍କେଡ୍ ରୁ ସବୁଠାରୁ ଲେଟେଷ୍ଟ ଡିଜାଇନ୍ ର ଡ୍ରେସ୍ ନିଜପାଇଁ ତଥା ମୋନାପାଇଁ କିଣିବା ପରେ ଦୁଇଜଣ ଗଲେ ଶ୍ରୀ ଲେଦର୍।ସେଠାରେ ଲୋକଙ୍କ ଭିଡ ଭିତରେ ନିଜକୁ ସାମିଲ କରି ଏସ୍କେଲେଟର୍ ରେ ଚାଲିଲେ ଉପର ମହଲାକୁ। ନୂଆ ଷ୍ଟକ୍ ଆସିଥିବା ଯୋଗୁଁ ଭିଡ ମଧ୍ୟ ବହୁତ ଥାଏ।ନିଜ ନିଜର ପସନ୍ଦର ଦୁଇହଳ ଲେଖାଏଁ ଜୋତା କିଣି ପେଟପୂଜା ଉଦ୍ଦେଶ୍ୟରେ ଦୁହେଁ ପାଖରେ ଥିବା ଆମିନିଆ ରେଷ୍ଟୋରାଣ୍ଟ ଭିତରକୁ ଗଲେ।ସୋମବାର ଥାଏ।ଆମିନିଆର ବିରିୟାନୀ ଖୁବ୍ ଲୋକପ୍ରିୟ ଏବଂ ସ୍ବାଦିଷ୍ଟ।ପୁନୀତ୍ ସଙ୍ଗେସଙ୍ଗେ ଷ୍ଟାର୍ଟର୍ ରେ ଫିସ୍ ଫିଙ୍ଗର୍ ଓ କ୍ରିସ୍ପୀ ଚିକେନ୍ ଓ ମେନ୍ କୋର୍ସ ପାଇଁ ବିରିୟାନୀ,ମଟନ୍ ରୋଗନ୍ ଜୋସ୍,ଚିଲ୍ଲୀ ଚିକେନ୍ ଓ ମସାଲା କୁଲ୍ଚା ଆଦି ଅର୍ଡର୍ କରିଦେଲେ।ଭାରୀ ଆମିଷ ପ୍ରିୟ ସେ।ଘରେ ଯେଉଁଦିନ ଆଇଁଷ ହୁଏ ସେଦିନ ତାଙ୍କର ଖୋରାକ ଟିକେ ବେଶୀ ହୋଇଥାଏ।ଘରଲୋକଙ୍କୁ ଏହା ଜଣାଥାଏ ବୋଲି ତାଙ୍କର ଭାତଥାଳିରୁ ଭାତ ଶେଷ ହେଉଣୁ ନହେଉଣୁ ମା' ନହେଲେ ମୋନା ଦ୍ବିତୀୟ ଥର ପାଇଁ ପରଷି ଦିଅନ୍ତି।ତୃପ୍ତି ରେ ଖାଇ ଉଠିଯାଆନ୍ତି ସେ।
ଅର୍ଡର୍ ଅନୁସାରେ ଖାଇବା ଜିନିଷ ଟେବୁଲ୍ ଉପରକୁ ଆସିଗଲା।ଓ୍ବେଟର୍ ଆସି ପ୍ଲେଟରେ ଖାଇବା ସର୍ଭ କରିବାକୁ ଉଦ୍ୟତ ହୁଅନ୍ତେ ମୋନା ନିଜର ପ୍ଲେଟରେ ନଦେବାକୁ ଈଶାରା ଦେଲା।ପୁନୀତ୍ କାରଣ ଜାଣିବାକୁ ଚାହିଁବାରୁ ମୋନା ସୋମବାରରେ ଆମିଷ ଖାଇବ ନାହିଁ ବୋଲି କହିଦେଲା।ପୁନୀତ୍ ତାକୁ ଅନେକ ପ୍ରବର୍ତ୍ତାଇଲେ ,ବାର ସହିତ ଆମିଷ ଖାଇବାର କୌଣସି ସମ୍ପର୍କ ନାହିଁ ବୋଲି ଯେତେ ବୁଝାଇଲେ ମଧ୍ୟ ମୋନା ନଛୋଡବନ୍ଧା।ଅନେକ ଦିନପରେ ମୋନା ସହିତ ଏକାନ୍ତରେ ସମୟ କାଟିବାକୁ ମିଳିଥିଲା।ଏଯାବତ ସମୟଟି ଖୁବ୍ ଭଲରେ ବିତିଯିବା ପରେ ଫିନିଶିଙ୍ଗ୍ ଟଚ୍ ଟା ଏମିତି ହେବ ବୋଲି ପୁନୀତ୍ କେବେ ଭାବିନଥିଲେ।ତାଙ୍କର ଇଛାଥିଲା ମୋନାକୁ ବେଷ୍ଟ ବିରିୟାନୀ ଖୁଆଇବେ।ମୋନା ତାଙ୍କର କଥା ନଶୁଣିବା ଟା ତାଙ୍କୁ ଖୁବ୍ ବାଧିଥିଲା।ମୋନା ପାଇଁ ଭେଜ୍ ମନ୍ଚୁରିଆନ୍ ଅର୍ଡର୍ କରିଦେଲେ।ମୋନାର ଯୁକ୍ତିଥିଲା ଯେ ପିଲାଦିନୁ ଆଜିପର୍ଯ୍ୟନ୍ତ ସୋମବାର ଦିନ ସେ କେବେ ଆମିଷ ଖାଇନି।ବ୍ରତଟା ଭାଙ୍ଗିବା ତା ପାଇଁ ଅସମ୍ଭବ ଥିଲା।
ଅଫିସରେ ମଧ୍ୟ ଲଞ୍ଚ୍ ବ୍ରେକ୍ ରେ ତାକୁ ସହକର୍ମୀ ମାନଙ୍କ ଠାରୁ ଅନେକ ବ୍ୟଙ୍ଗାତ୍ମକ ଉକ୍ତି ଶୁଣିବାକୁ ମିଳେ।ଥଟ୍ଟା କରି ସେମାନଙ୍କ ମଧ୍ୟରୁ କେହି କେହି କହନ୍ତି" ମୋନା ର ବାରମାସରେ ତେରପର୍ବ ଛାଡିକି ସୋମବାର,ମଙ୍ଗଳବାର,ଗୁରୁବାର,ଶନିବାର ସବୁବାର ନିରାମିଷ।
ବାକି ରହିଲା ସପ୍ତାହର ତିନିଦିନ।ସେଗୁଡିକ ଆଉ କାହିଁ ଛାଡିଲ?
ସମ୍ପୂର୍ଣ୍ଣଭାବେ ନିରାମିଷାଶୀ ହୋଇଯାଉନ?"
ମୋନା ଜବାବ ନଦେଇ ଚୁପ୍ ରହେ।ମନେମନେ ଭାବେ ନିରାମିଷ ଖାଇବା କ'ଣ ଗୋଟେ ଅକ୍ଷମଣୀୟ ଅପରାଧ?ଈଶ୍ବର ବିଶ୍ବାସ କ'ଣ ପାପ?
ସମସ୍ତ ପ୍ରକାର ଖାଦ୍ୟ ମଣିଷକୁ ପୁଷ୍ଟି ଯୋଗାଏ।ଆମିଷ ହେଉ ବା ନିରାମିଷ ...ଜିଭ ଉପରେ ଥିବା ପର୍ଯ୍ୟନ୍ତ ମାନସିକ ଶାନ୍ତି ଓ ସୁଖ ପ୍ରଦାନ କରେ।ତାପରେ ତ ସବୁକିଛି ଶେଷ।ଜିହ୍ବାଲାଳସା କ'ଣ ସବୁଠାରୁ ବଡ ମାୟା ନୁହେଁ?
ନିଜର ପ୍ରଶ୍ନ ନିଜକୁ ପଚାରେ ଏବଂ କିଛି ସମୟ ପରେ ପୁଣି ଚିତ୍ତ ସ୍ଥିର କରି କାମରେ ମନଦିଏ।
ଆଜି ପତିଙ୍କ ସହିତ ସେହିଭଳି ଅପ୍ରୀତିକର ପରିସ୍ଥିତିରେ ପଡିଗଲା।ନିଜର ଜିଦ୍ ଯୋଗୁଁ ସେ ପୁନୀତ୍ ଙ୍କୁ ଦୁଃଖ ଦେଲା।ଖାଇବା ପରେ ଦୁଇଜଣ ଯାକ ଘରକୁ ଫେରିବାକୁ ଉଦ୍ୟତ ହେଲେ।ପୁନୀତ୍ ଗାଡି ଷ୍ଟାର୍ଟ କଲେ। ରାସ୍ତା ସାରା ଟ୍ରାଫିକ୍ ଜାମ୍। ଲାଗୁଥିଲା ପୁରା କଲିକତା ବାସୀ ନୂତନ ବର୍ଷକୁ ସ୍ବାଗତ କରିବାକୁ ରାଜରାସ୍ତା ଉପରକୁ ଓଲ୍ହେଇ ଆସିଛନ୍ତି।
ରଙ୍ଗୀନ ଲାଇଟ୍,ସୁନେଲୀ ଓ ଚକ୍ ଚକିଆ ଜରୀର ତୋରଣ ମାଳାରେ ଧର୍ମତାଲାର ନିଉମାର୍କେଟ୍ ତଥା ଆଖପାଖର ଇଲାକା ସବୁ ସୁସଜ୍ଜିତ ନବବଧୂ ପରି ଦୃଶ୍ୟମାନ ହେଉଥିଲେ।
ଚାଳିଶ ମିନିଟ୍ ର ରାସ୍ତା ସେଦିନ ପାର କରିବାକୁ ପାଖାପାଖି ଦେଢଘଣ୍ଟା ଲାଗିଗଲା।ରାସ୍ତାସାରା ପୁନୀତ୍ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିନଥିଲେ।ମୋନା ସାହସ କରି କିଛି କହିପାରୁନଥିଲା।
ଘରେ ପହଞ୍ଚି ଗ୍ୟାରେଜ୍ ରେ ଗାଡି ରଖି ଦୁହେଁ ଘର ଭିତରକୁ ଗଲେ।ଡ୍ରଇଁ ରୁମ୍ ର ସୋଫା ଉପରେ ବସି ପୁନୀତ୍ ଟି.ଭି.ର ରିମୋଟ୍ କୁ ଟିପି ନିଜର ପ୍ରିୟ ନିଉଜ୍ ଚ୍ୟାନେଲ୍ ଲଗାଇ ଦେଖିବାକୁ ଲାଗିଲେ। ମୋନା ନିଜର କପଡା ବଦଳାଇ ଶାଶୁ ଶ୍ବଶୁରଙ୍କ ପାଇଁ ଚା' କରିବାକୁ ରୋଷେଇଘରେ ପ୍ରବେଶ କଲା।
ଚା' କରୁକରୁ ଶାଶୁଙ୍କୁ ସମସ୍ତ ଘଟଣାର ଧାରା ବିବରଣୀ ଦେବାକୁ ଆରମ୍ଭ କଲା।ଚା' ଉତୁରିବାକୁ ଲାଗିଲା।କପ୍ ଆଣି ଚା' ଛାଣିବାକୁ ଉଦ୍ୟତ ହୁଅନ୍ତେ ପୁନୀତ୍ ଙ୍କ ଚିତ୍କାରରେ ସମସ୍ତେ ସ୍ତବ୍ଧ ହୋଇଗଲେ।ଏକ ରକମ ଦୌଡ଼ିକରି ସମସ୍ତେ ଡ୍ରଇଁରୁମ୍ ରେ ପହଞ୍ଚିଗଲେ।ପହଞ୍ଚିକରି ଯାହା ଦେଖିଲେ ସେଥିରେ ସମସ୍ତଙ୍କର ହୋସ୍ ଉଡିଗଲା।ପୁନୀତ୍ ଡ୍ରଇଁରୁମ୍ ର କାର୍ପେଟ୍ ଉପରେ ଛାତିକୁ ଚାପିଧରି ଛଟପଟ ହେଉଥିଲେ।କିଛି ସମୟ ପାଇଁ ମୋନା ନିଜର ଶାଶୁ ଶ୍ବଶୁରଙ୍କ ସମେତ କିଂକର୍ତ୍ତବ୍ୟବିମୂଢ ହୋଇ ଠିଆ ହୋଇଥିଲା।ହଠାତ୍ ସମ୍ବିତ ଫେରି ପାଇଲା ଓ ଦୌଡିଯାଇ ଡକ୍ଟର୍ ପ୍ରଧାନଙ୍କୁ ଫୋନ୍ ଲଗାଇଲା।ଡକ୍ଟର ସ୍ପଷ୍ଟ କରି ଶୁଣାଇ ଦେଲେ ଯେ ଏହା ହୃଦ୍ ରୋଗ ଜନିତ ସମସ୍ୟା।ତେଣୁ ଶୀଘ୍ରାତିଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇ ଡକ୍ଟର ପ୍ରଧାନ ଫୋନ୍ ରଖିଲେ।ବୃଦ୍ଧ ଶାଶୁ ଶ୍ବଶୁର ନିରୁପାୟ ହୋଇ ସ୍ଥାଣୁ ପାଲଟି ସାରିଥାନ୍ତି।ଅସଲି ପରୀକ୍ଷାର ଘଡି ଥିଲା ମୋନାପାଇଁ।
ଫୋନ୍ କରି ଉବର୍ କ୍ୟାବ୍ ବୁକ୍ କଲା।ସାଙ୍ଗ ସାଥୀ ଓ ପୁନୀତ୍ ଙ୍କ କିଛି ବନ୍ଧୁଙ୍କୁ ଫୋନରେ ସମସ୍ତ ବିଷୟରେ ଅବଗତ କରାଇ ପୁନୀତ୍ ଙ୍କୁ ଧରି ଆଶୀର୍ବାଦ ନର୍ସିଂହୋମରେ ପହଞ୍ଚି ଗଲା।ନର୍ସିଂହୋମର ସମସ୍ତ ଫର୍ମରେ ନିଜର ଦସ୍ତଖତ ଦେଇ ପୁନୀତ୍ ଙ୍କୁ ଆଡ୍ ମିଟ୍ କରିବାକୁ ସମସ୍ତଙ୍କୁ ନେହୁରା ହେଲା ମୋନା।ପୁନୀତ୍ ଙ୍କୁ ଅପରେସନ ଥିଏଟର୍ କୁ ନେଇଗଲେ ନର୍ସିଂହୋମର ଷ୍ଟାଫ୍।ମୋନା ନର୍ସିଂହୋମର ପ୍ରବେଶ ପଥରେ ଥିବା ଜଗନ୍ନାଥଙ୍କ ମୂର୍ତ୍ତୀ ସାମନାରେ ହାତଜୋଡି ଅପଲକ ଚିତ୍ତରେ ବସିରହିଥିଲା।ସାରା ଦୁନିଆଁ ଯେତେବେଳେ ନୂଆବର୍ଷର ସ୍ବାଗତ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଠାକୁରଙ୍କ ପାଖରେ ବିଶ୍ବାସର ଦିପାଳୀ ଟିକୁ ଜଳାଇ ଦେଇଥିଲା ମୋନା।
ବିନିଦ୍ର ରଜନୀ କଟିଯାଇଥିଲା ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ। ନର୍ସ ଆସି ଖବର ଦେଲା ପୁନୀତ୍ ଙ୍କର ଚେତା ଫେରି ଆସିଛି। ଅପରେସନ୍ ସଫଳ ହୋଇଛି। ପୁନୀତ୍ ମୋନାକୁ ଦେଖା କରିବାକୁ ଚାହୁଁଛନ୍ତି।ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ମୋନା ପୁନୀତ୍ ଙ୍କ କ୍ୟାବିନ୍ ଆଡକୁ ଅଗ୍ରସର ହେଲା।
*** ମିନାକ୍ଷୀ ସାମଲ***
minusamal1969@gmail.com
7980250937