ଅନ୍ତିମ ସଂସ୍କାର
ଅନ୍ତିମ ସଂସ୍କାର
ମୂଳ ହିନ୍ଦୀ ରଚନା : ମୁନସି ପ୍ରେମଚାନ୍ଦ
ଓଡିଆ ଭାବାନୁବାଦ : ଦୀପକ ଷଡଙ୍ଗୀ
[ଲେଖକ ପରିଚୟ: ମୁନସି ପ୍ରେମଚନ୍ଦ୍ (୧୮୮୦ -୧୯୩୬) ହେଉଛନ୍ତି ଜଣେ ବିଖ୍ୟାତ ହିନ୍ଦୀ ଏବଂ ଊର୍ଦୁ ସାହିତ୍ୟର ଯୁଗ ସ୍ରଷ୍ଟା ଗାଳ୍ପିକ ଓ ଔପନ୍ୟାସିକ । ତାଙ୍କ ଦ୍ଵାରା ଲିଖିତ ଉପନ୍ୟାସ ଗୋଦାନ୍, ନିର୍ମଲା, ରଙ୍ଗଭୂମି, କାୟାକଳ୍ପ, ଗବନ୍ ଇତ୍ୟାଦି ହିନ୍ଦୀ ଓ ଊର୍ଦୁ ସାହିତ୍ୟ ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ଉପନ୍ୟାସ ବ୍ୟତୀତ ସେ ବହୁତ ଗୁଡିଏ କ୍ଷୁଦ୍ରଗଳ୍ପ ମଧ୍ୟ ରଚନା କରି ଥିଲେ ଯେପରି ପଞ୍ଚ ପରମେଶ୍ଵର, ବଡେ ଭାଇ ସାହାବ୍, ଦୂର୍ଗା କୀ ମନ୍ଦିର୍ ଆଦି । ପ୍ରଦତ୍ତ ଗଳ୍ପଟି ୧୯୩୬ ମସିହାରେ ତାଙ୍କ ଦ୍ଵାରା ରଚିତ ଶେଷ ଗଳ୍ପ “କଫନ୍” ର ଏକ ଭାବାନୁବାଦ ।]
ଘିଶୁ ଚମାର ଆଉ ତା ପୁଅ ମାଧିଆ ବାପା ପୁଅ ଦୁଇ ଜଣ ଯାକ ପକା ଅଳସୁଆ । କିଛି କାମ କରନ୍ତି ନାହିଁ ଘରେ ବସି ଖାଲି ଖାଇବେ ଓ ଶୋଇବେ । ମାଧିଆ ସ୍ତ୍ରୀ ଚମ୍ପା ଘର ଭିତରେ ପ୍ରସବ ବେଦନାରେ ଛଟପଟ ହଉଥାଏ । ଏପଟେ ଘିଶୁ ଆଉ ତା ପୁଅ ମାଧିଆ କଥାବାର୍ତା ହଉଥାଆନ୍ତି । ଘିଶୁ କହିଲା “ଆରେ ଯାଉନୁ ଦେଖିବୁ ସେ ଛୁଆ ଜନ୍ମ କଲା କି ନାଇଁ? ଏତେ ଜୋର ରେ ଚିତ୍କାର କରୁଛି ଯେ ଲାଗୁଛି ଯେ ଆଉ ଟିକେ ପରେ ମରିଯିବ । ତୁ ଯାଉନୁ ଦେଖିବୁ କଣ ହେଲା ତା’ର” ? ମାଧିଆ ମୁଣ୍ଡଟାକୁ ଟୁଙ୍ଗାରି ଦେଇ କହିଲା “ମରିଯାଉ ସେ ତା କଷ୍ଟ ଆଉ ମୁଁ ଦେଖି ପାରୁନି” । ଏତିକି କହି ଦେଇ ମାଧିଆ ଚୂଲିରେ ଆଳୁ ପୋଡିବାକୁ ଲାଗିଲା ।
ବାପପୁଅ ଦୁଇ ଜଣ ଦିନେ କାମକୁ ଗଲେ ତିନି ଦିନ ସେଇ ପଇସାରେ ଚଳିଯାଆନ୍ତି । ସବୁଆଡୁ ଧାର କରଜରେ ବୁଡିକି ରହି ଥାଆନ୍ତି । ଲୋକମାନେ ବି ବହୁତ ଗାଳି ଗୁଲଜ କରନ୍ତି; କିନ୍ତୁ ଲୋକଙ୍କ କଥାରେ ବାପ ପୁଅଙ୍କର କିଛି ଖାତିର ନ ଥାଏ। ଯେବେ ଠାରୁ ଚମ୍ପା ବୋହୁ ହୋଇ କି ଆସିଲାଣି ସେବେ ଠାରୁ ଝଗଡା ଝାଣ୍ଟି କରାଇ ବାପ ପୁଅ ଦୁଇଜଣଙ୍କୁ ବଡ କଷ୍ଟରେ କାମକୁ ପଠାଏ । ଘିଶୁର ସ୍ତ୍ରୀ ଏ ବାପ ପୁଅଙ୍କ ଜାଳା ସହି ନପାରି ଦଶବର୍ଷ ହେଲାଣି ଆରପାରିକୁ ଚାଲିଗଲାଣି ।
ଚମ୍ପାର ପ୍ରସବ ବେଦନା ସେମିତି ହଉଥାଏ । ଏପଟେ ବାପ ପୁଅ ଦୁଇଜଣ ଚୁଲିରେ ଆଳୁକୁ ପୋଡି ଭାତ ସହ ଲଗେଇ ଖାଇ ଦେଇ ଆରାମରେ ଘର ବାରଣ୍ଡାରେ ଶୋଇ ପଡିଲେ । ସକାଳୁ ଉଠି ଦେଖନ୍ତି ତ ଚମ୍ପା ଗର୍ଭ ଯନ୍ତ୍ରଣା ସହି ନ ପାରି ମରି ଯାଇଛି ଏବଂ ପେଟ ଭିତରେ ଥିବା ତା ପିଲାଟା ବି ନଷ୍ଟ ହୋଇଯାଇଛି ।
ଏବେ ବାପ ପୁଅ କରିବେ କ’ଣ? ଦୁଇଜଣଙ୍କ ମୁଣ୍ଡରେ ଚଡକ ପଡିଲା । ସଂସ୍କାର କରିବା ପାଇଁ ତ ପାଖରେ କାଣୀକଉଡିଟିଏ ବି ନାହିଁ । ଏମିତି ଚିନ୍ତା କରି କରି ଯାଇଁ ସେମାନେ ଗାଁ ମହାଜନ ପାଖରେ ପହଞ୍ଚିଲେ । ଗାଁ ମହାଜନ ଏ ବାପ ପୁଅ ଦୁଇ ଜଣଙ୍କୁ ଠିକ୍ ଚିହ୍ନିଛି । ବାପ ପୁଅ ଦୁଇଜଣଙ୍କୁ ଦେଖି ମହାଜନ ପଚାରିଲେ “କିରେ ଘିଶୁ କଣ ହେଲା ? ଏତେ ସକାଳୁ ସକାଳୁ ମାଧିଆକୁ ଧରି କୁଆଡେ ଆସିଛୁ ? ଘିଶୁ ଚମାର କାନ ମୁଣ୍ଡା ଆଉଁଷି ଆଉଁଷି ବଡ କାକୁତି ମିନତି ହେଇ କହିଲା “ଆଜ୍ଞା! କାଲି ରାତିରେ ବୋହୂଟା ପିଲା ଜନ୍ମ କରି ନ ପାରି କଷ୍ଟ ସହି ମରିଗଲା । ଆମ ପାଖରେ ତ ଖାଇବା ପାଇଁ ପଇସା ନାହିଁ, ଆଉ ତା’କୁ ପୋଡିବୁ କେମିତି? ଆପଣ ଯଦି କିଛି ପଇସା ସାହାଯ୍ୟ କରନ୍ତେ ତେବେ ବଡ ଧର୍ମ ହୁଅନ୍ତା ଆପଣଙ୍କର”। ମହାଜନ ବାପ ପୁଅ ଦୁଇଜଣଙ୍କୁ ଟିକେ ସନ୍ଦେହ ଦୃଷ୍ଟିରେ ଦେଖିଲା ବେଳକୁ ଏତିକି ବେଳେ ମାଧିଆ ବିକଳ ହେଇ କାନ୍ଦି କାନ୍ଦି ମହାଜନଙ୍କ ଗୋଡ ଧରି ପକେଇଲା ଆଉ କହିଲା “ସାଆନ୍ତେ! ଆମକୁ କିଛି ପଇସା ସାହାଯ୍ୟ କରନ୍ତୁ , ନ ହେଲେ ମୋ ସ୍ତ୍ରୀର ଶବ ସତ୍କାର ବି ହେଇ ପାରିବନି” । ମହାଜନ କହିଲେ “ହଉ ହଉ ଉଠ୍ ଏଇ ନେ ଦଶ ଟଙ୍କା”। ଘିଶୁ ହାତକୁ ଟଙ୍କା ବଢେଇ ଦେଇ କହିଲେ “ଯା ବୋହୂର ସଂସ୍କାର କାମଟା ଶୀଘ୍ର ସାରି ଦେ” । ବାପ ପୁଅ ମହାଜନଙ୍କ ଠାରୁ ଦଶ ଟଙ୍କା ପାଇଗଲେ , ସେମିତି ଘର ଘର ବୁଲି ବୋହୁ ମରିବା କଥା କହି ଗାଁ ବାଲାଙ୍କ ଠାରୁ ମଧ୍ୟ ଆହୁରି ଦଶ ଟଙ୍କା ସେମାନେ ସଂଗ୍ରହ କରି ନେଲେ। କିଛି ଗାଁ ଲୋକ ଶବ ସତ୍କାର ପାଇଁ କାଠ,ଘିଅ,ବାଉଁଶ ଇତ୍ୟାଦି ଅବଶ୍ୟକୀୟ ସାମଗ୍ରୀ ଯୋଗାଡ ବି କରି ଦେଲେ । ତା’ପରେ ଗାଁ ବାଲା ବାପ ପୁଅଙ୍କୁ କହିଲେ “ତୁମେମାନେ ଏବେ ଯାଅ ଗାଁ ହାଟରୁ ଶବକୁ ଘୋଡେଇବା ପାଇଁ ନୂଆ ଧଳା ଲୁଗା ଗୋଟେ ନେଇ ଆସିବ । ତମେମାନେ ଆସିବା ପରେ ଶବକୁ ସେଥିରେ ଘୋଡେଇ କି ନେଇ ଗାଁ ମସାଣିରେ ପୋଡି ଦେବା” । ଗାଁ ବାଲାଙ୍କ କଥା ମାନି ବାପ ପୁଅ ଚାଲିଲେ ସେଇ ପଇସାକୁ ଧରି ଗାଁ ହାଟକୁ ନୂଆ ଲୁଗା କିଣିବା ପାଇଁ । ହାଟ ବୁଲୁବୁଲୁ ବାପ ପୁଅଙ୍କ ନଜର ପଡିଲା ମଦ ଦୋକାନ ଉପରେ; ଘିଶୁ ମାଧିଆକୁ କହିଲା “ଆରେ ଆମ ପାଖରେ ତ କୋଡିଏ ଟଙ୍କା ଅଛି । ଚାଲ୍ ପାଞ୍ଚ ଟଙ୍କାର ଟିକେ ମାରିଦେବା , ଅବଶିଷ୍ଟ ପଇସାରେ ଆମେ ଲୁଗା କିଣିବା”। ବାପା କଥାରେ ରାଜି ହୋଇଗଲା ମାଧିଆ । ଦୁଇଜଣ ଯାକ ପାଞ୍ଚଟଙ୍କାର ମଦ ପିଇ ସାରିବା ପରେ ମାଧିଆ ଆଖି ପଡିଲା ପାଖ ମିକ୍ସଚର ଦୋକାନ ଉପରେ ସେ ତା ବାପାକୁ କହିଲା “ବାପା! ଖାଲି ମଦ ପିଇଲେ ଜମା ଭଲ ଲାଗିଲାନି, ଚାଲ ମଦ ସହ ଟିକେ ମିକ୍ସଚର ମିଶେଇକି ଖାଇବା ଓ ପିଇବା”। ଘିଶୁ ସଙ୍ଗେସଙ୍ଗେ ଆଉ ପାଞ୍ଚ ଟଙ୍କାର ମଦ ଓ ମିକ୍ସଚର ନେଇ ଆସି ପିଇକି ଚୁର୍ ହେଇଗଲେ ବାପ ପୁଅ ଦୁଇଜଣ । ମଦ ନିଶା ଟିକେ ଖସିବାରୁ ମାଧିଆ କହିଲା “ଚମ୍ପା ପାଇଁ ଲୁଗା ନବାପରା , ସେପଟେ ଗାଁ ବାଲା ଆମକୁ ଅପେକ୍ଷା କରି ବସି ଥିବେ ଯେ, ଆମେ ଲୁଗା ନେଇ କି ଗଲେ ଚମ୍ପାର ଶବ ପୋଡା ହବ । ଘିଶୁ ଚମାର ମଦ ନିଶାରେ ଚୁର୍ ହେଇ କହିଲା “ହେ ଛାଡ୍ ସେ ଲୁଗାଫୁଗା କଥା , ଲୁଗା ନେଇ କି ଗଲେ ଚମ୍ପା କ’ଣ ତାକୁ ପିନ୍ଧିବ? ତା ଉପରେ ଖାଲି ଘୋଡା ହବ ଆଉ ଶେଷରେ ଗାଁ ବାଲା ତା ସହ ସେ ଲୁଗାକୁ ବି ପୋଡି ଦେବେ । ତେଣୁ ତା ପାଇଁ ଆଉ ଲୁଗା ନବା ଦରକାର ନାହିଁ । ଆଉ ଯୋଉ ବଳକା ଟଙ୍କା ରହିଲା ଚାଲ୍ ଆମେ ଆଉ ଟିକେ ପିଇ ଦବା ଓ ପେଟ ଭରି କି ଖାଇ ଦେବା । ଚମ୍ପାର ଇଛା ଥିଲା ଯେ ଆମେ ସବୁବେଳେ ଭଲରେ ଖାଇପିଇ କି ରହୁ,ତେଣୁ ସେ ମଲା ପରେ ଆମକୁ ତା’ର ଶେଷ ଇଛାକୁ ପୂରଣ କରିବାକୁ ପଡିବ କି ନାହିଁ” ? ମାଧିଆ ସବୁ ବୁଝିଗଲା ପରି ମୁଣ୍ଡ ଟୁଙ୍ଗାରି ହଁ ଭରିଲା ଓ ବଡ ବିବ୍ରତ ହେଇ ପଚାରିଲା “କିନ୍ତୁ ଆମେ ନ ଗଲେ ଚମ୍ପାର ଶବକୁ ପୋଡିବ କିଏ”? ଘିଶୁ ହସିହସି କହିଲା “ତୁ ଜମା ବ୍ୟସ୍ତ ହଅନା, ଯୋଉ ଲୋକମାନେ ଏତେ ପଇସା ଓ ସବୁ ସାମଗ୍ରୀ ଯୋଗେଇ ସାରିଲେଣି ସେମାନେ କଣ ଏତେବେଳ ଯାଏଁ ଆମ ଲୁଗା ଆଣିବାକୁ ଅପେକ୍ଷା କରି ଶବକୁ ରଖି ବସିଥିବେ । ସେମାନେ ସବୁ କାମ ସାରି ଦେବେଣି”। ତା’ପରେ ଘିଶୁ ଓ ମାଧିଆ ଅବଶିଷ୍ଟ ପଇସାରେ ଆଉ ଦୁଇ ବୋତଲ ମଦ କିଣି ପିଇକି ନିଶାରେ ଟଳମଳ ହେଇ ସେଇ ମଦ ଦୋକାନ ଆଗରେ ଥିବା ନର୍ଦ୍ଦମା ଭିତରେ ଗଳି ପଡିଲେ ।
ସହକାରୀ ଅଧ୍ୟାପକ
ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ
ଖୋଡାସିଙ୍ଗୀ,ବ୍ରହ୍ମପୁର-୧୦