Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Comedy

5.0  

Rakesh Mishra

Comedy

ମନୁଆର କୀର୍ତ୍ତି - ଭୁଲ ଭୁଲେୟା

ମନୁଆର କୀର୍ତ୍ତି - ଭୁଲ ଭୁଲେୟା

9 mins
15.5K


ଭୁଲି ଯିବା ପ୍ରକୃତିଟା ମନୁଆର ପିଲା ଦିନର। ସ୍କୁଲରେ ବହି, କଲମ, ପେନ୍ସିଲ ତ ପ୍ରାୟ ସମସ୍ତଙ୍କର ହଜିଥାଏ କିନ୍ତୁ ସ୍କୁଲରେ ପଢିଲା ବେଳେ ଛତା ହଜେଇବା ଏବଂ ଛତା ହଜେଇବା ଜନିତ ଅପରାଧରେ ନିର୍ଘାତ ମାଡ଼ ଖାଇବା ଥିଲା ମନୁଆର ନିତିଦିନ କାହାଣୀ। ଅବଶ୍ୟ ସେଥିପାଇଁ କେବଳ ମନୁଆକୁ ଦୋଷ ଦିଆ ଯାଇ ନ ପାରେ । କାରଣ ସ୍କୁଲକୁ ଯିବା ବେଳେ ବର୍ଷା ହେଉଥାଏ ସିନା ହେଲେ ଠିକ୍ ସ୍କୁଲ ଛୁଟିହେବା ସମୟରେ ଅଚାନକ୍ ବର୍ଷା ବନ୍ଦହୋଇ ଯାଏ । ମନୁଆର ଆଉ ମନେ ପଡ଼େନି ସ୍କୁଲରୁ ଛତା ଆଣିବାକୁ । ପରଦିନ ଯାଇ ଖୋଜିଲେ ଆଉ କି ମିଳେ ! ବେଳେ ବେଳେ ବାପା ରାଗରେ କୁହନ୍ତି ତାକୁ ଆଉ ଛତା ଦିଆ ଯିବନି । ବର୍ଷାରେ ଭିଜି ସ୍କୁଲ ଯାଉ ସେ, ତା'ହେଲେ ସେ ଚେତିବ । କିନ୍ତୁ ବୋଉର ମନ... ଏକୋଇର ବଳା ବିଶିକେସନ ବର୍ଷାରେ ଭିଜି ଦେହ ଖରାପ କରୁ ସେ କଥା ବୋଉ କେମିତି ବା ସହି ପାରନ୍ତା। ଦିନେ ଦୁଇଦିନ ବର୍ଷାରେ ଭିଜିଲା ପରେ ବୋଉ ନେହୁରା କରିଲେ ବାପା ପୁଣି କିଣି ଦିଅନ୍ତି ନୂଆ ଛତା। ଗୋଟେ ଦୁଇ ସପ୍ତାହ ପରେ- ପୁନର୍ମୂଷିକ ଭବ । ଯେଉଁ କଥାକୁ ସେଇ କଥା । କେବଳ ସେତିକି ନୁହେଁ ବେଳେ ବେଳେ ଅଙ୍କ ଟିଉସନକୁ ସାହିତ୍ୟ ଖାତା, ସାହିତ୍ୟ ଟିଉସନକୁ ବିଜ୍ଞାନ ଖାତା, ବିଜ୍ଞାନ ଟିଉସନକୁ ଇତିହାସ ଖାତା ନେଇଯାଏ । ତା ପରେ ଟିଉସନ ସାରଙ୍କ ଠାରୁ ବହେ ଛେଚା ଖାଏ । ଏତେ ମାଡ଼ ଖାଇ ଖାଇ ମନୁଆ ମାଡ଼ୁଆ ହେଇଗଲା କିନ୍ତୁ ଭୁଲିବା ଗୁଣ ଗଲାନାହିଁ ମନୁଆର ।

ଟିକେ ବଡ଼ ହେଲା ପରେ ହାଟ ବଜ଼ାରରେ ସାଇକେଲ ଛାଡି଼ ଆସିବା, ବଜାର ସଉଦା କରି ସଉଦାବ୍ୟାଗ ଦୋକାନରେ ଛାଡ଼ି ଆସିବା ଇତ୍ୟାଦି କୀର୍ତ୍ତି କରି ଘର ଲୋକ ବିଶେଷ କରି ବାପାଙ୍କ କ୍ଷୋଭର ଶିକାର ହେବାକୁ ଲାଗିଲା ମନୁଆ । ବୟସ ବଢ଼ିବା ସହିତ ମନୁଆର ଭୁଲା ବେମାରି ସାମାନ୍ୟ କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ରୁପେ ଯାଇ ନଥିଲା । ବାପାଙ୍କ ଠାରୁ ମାଡ଼ ଗାଳି ଖାଉଥିବା ବେଳେ ବୋଉ ବି ଆଗ ପରି ବେଶି କିଛି କହୁ ନଥିଲା କିମ୍ବା ବାପାଙ୍କୁ ବାରଣ କରୁନଥିଲା । କାରଣ ବୋଉ ବି ମନୁଆର ଭୁଲାପଣ ଯୋଗୁଁ ବିରକ୍ତ ହୋଇ ସାରି ଥିଲା । ଦିନେ ମନୁଆକୁ ଦୋକାନରୁ ୫ କେଜି ଅଟା, ଅଢେଇଶ' ଚାହା ପତି ଆଣିବାକୁ କହିଥିଲା ବୋଉ। ରାତି ୯ଟାରେ ସଉଦା ବ୍ୟାଗ ଦେଖି ବୋଉର ରାଗ ବି ପଂଚମରେ । କାରଣ ମନୁଆ ୫ କେଜି ଅଟା, ଅଢେଇଶ' ଚାହା ପତି ବଦଳରେ ୫ କେଜି ଚାହା ପତି, ଅଢେଇଶ' ଅଟା ନେଇ ଉପସ୍ଥିତ । ଅବଶ୍ୟ ପରଦିନ ବାପା ଯାଇ ଦୋକାନୀକୁ ଚାହା ପତି ଫେରାଇ ଅଟା ନେଇ ଆସିଥିଲେ । ଅନେକ ଡାକ୍ତର, ବଇଦ, ଦେଶୀ ତୁଟୁକାର ଅସଫଳ ପ୍ରୟୋଗ ପରେ ମଧ୍ୟ ମନୁଆର ଭୁଲି ଯିବା ପ୍ରକୃତି ଥିଲା ଯଥା ପୂର୍ବଂ ତଥା ପରଂ ।

କୌଣସି ପ୍ରକାର ସ୍କୁଲର ହିଡ଼ ଡେଇଁ କଲେଜରେ ପାଦ ଦେଲା ମନୁଆ. କିନ୍ତୁ ପ୍ରକୃତି ନୈବ ମୁଚ୍ୟତେ । ସାରା ରାତି ଅନିଦ୍ରା ହୋଇ Business Management ପଢି଼ ପରୀକ୍ଷା ହଲରେ ପହଂଚି ଦେଖେ Management Accountingର ପ୍ରଶ୍ନପତ୍ର। ପରୀକ୍ଷା ଦେଇ ଘରକୁ ଫେରିଲା ପରେ ଭୟରେ ଏ କଥା କାହାକୁ କହିନି ମନୁଆ, କାରଣ ସେ ଜାଣିଥିଲା, ଏକଥା ବାପା ଜାଣିଲେ ପୁରୁଣା ବାଟା ଚପ୍ପଲ ତା ପିଠିରେ ଛିଡ଼ିବା ଅନିର୍ବାଜ୍ୟ । ଏମିତି ଭାବରେ ଟାଣି ଓଟାରି ପଢା ପଢି ସରିଲା ମନୁଆର ।

ପିଲାବେଳୁ ସବୁବେଳେ ବୋଉର ପଣତ ଛାୟା ତଳେ ଆଶ୍ରୟ ନେଇ ମାଡ଼ ଖାଇବାରୁ ବଂଚୁଥିଲା ମନୁଆ, କିନ୍ତୁ ସେ ବର୍ଷ ଦୁର୍ଗା ଅଷ୍ଟମୀରେ କରିଥିବା ସାଙ୍ଘାତିକ ଭୁଲ ଯୋଗୁଁ ବୋଉବି ଛାଞ୍ଚୁଣି ଧରି ଦାଣ୍ଡ ବାରି ଗୋଡେଇ ଗୋଡେଇ ପିଟିଥିଲେ । ସିଏ ବି ଗାଁ ଲୋକଙ୍କ ସାମ୍ନାରେ ।

ଘଟଣାଟି ଆରମ୍ଭରୁ କହୁଛି.. କଥା ହେଲା, କାହିଁ କେଉଁ କାଳରୁ ତାଙ୍କ ଘରେ ଦୁର୍ଗା ମହାଷ୍ଟମୀ ପୂଜା ଖୁବ ଧୁମଧାମରେ ହୁଏ । ମୂର୍ତ୍ତି ପୂଜା ନୁହେଁ କଳସ ପୂଜା ହୁଏ । ଆଖ ପାଖର ଜ୍ଞାନୀ ଗୁଣି, ମାନ୍ୟ ଗଣ୍ୟ ଓ ଗରିବ ଗୁରୁବା ମିଶେଇ ପ୍ରାୟ ୩୦୦-୪୦୦ ଲୋକଙ୍କ ପ୍ରସାଦ ପାଇବାର ବନ୍ଦୋବସ୍ତ ହୋଇ ଥାଏ । ସପ୍ତମୀ ଦିନ ଉପରଓଳି ବୋଉ ମନୁଆକୁ ଟଙ୍କାଦେଇ ୪ କାନ୍ଧି କଦଳୀ ଆଣିବାକୁ କହିଥିଲା ଯାହା ପଞ୍ଚାମୃତରେ ବିନିଯୋଗ ହେବାର ଥିଲା।

କିନ୍ତୁ ଦୁର୍ଭାଗ୍ୟ ମନୁଆ ମୁଣ୍ଡରେ ଚିଲ ହୋଇ ଉଡ଼ୁଥିଲା । ଧାମନଗର ବଜାରରେ ନଖିନାନୀ ପୁଅ ଭଗିଆ ସାଙ୍ଗରେ ଦେଖା ହୋଇଗଲା । ସାଦର ସମ୍ଭାଷଣ ପରେ ଭଗିଆ ଠାରୁ ମନୁଆ ଜାଣିବାକୁ ପାଇଲା ଚରମ୍ପାରେ ଜନତା ଗଣନାଟ୍ୟ ଯାତ୍ରା କରୁଛି । ସେଦିନ ଥିଲା ଜନତା ଗଣନାଟ୍ୟର ସୁପର ହିଟ୍ ନାଟକ "ଶାଗୁଣା ବସିଛି ଡେଣା ମେଲେଇ" । କଦଳୀ କଥା ଭୁଲି, ଭଗିଆ ବୁଦ୍ଧିରେ ପଡି, ସାଇକେଲ ରବି ମିଠା ଦୋକାନ ପଛପଟେ ରଖି, ବସ୍ ଧରି ଦୁହେଁ ଚାଲିଲେ ଚରମ୍ପା ଯାତ୍ରା ଦେଖିବାକୁ । ସାରା ରାତି ଯାତ୍ରା ଦେଖି ସାରିଲା ପରେ ଭଗିଆ ବୁଦ୍ଧି ଦେଲା, ଦେଖ ରାତି ଅନିଦ୍ରା ହୋଇ ବଜାର ରୁ ୩-୪ କିମି ଦୂର ରାସ୍ତା ସାଇକେଲ ଚଲେଇ ଯିବା ଠିକ ହବନି ବରଂ ଏଇଠି ଭଦ୍ରକରେ ରେଡ ହାଉସ ମେସରେ ମୋର ଜଣେ ସାଙ୍ଗ ରହୁଛି । ତା ମେସ କୁ ଯିବା.. ଆରାମରେ ଖାଇ ଘଣ୍ଟେ ଶୋଇ ଉଠି ଭଦ୍ରକ ଦୁର୍ଗା ପୂଜା ଦେଖି ଉପରଓଳି ବସ ଧରି ଘରକୁ ଯିବା । ସେତେ ବେଳେ ମୋବାଇଲର ଯୁଗ ବି ନଥିଲା ଯେ ବାପା ଫୋନ୍ କରି ଖବର ନେବେ । ବାପା ବୋଉ ଦିନ ୧୨ଟା ଯାଏ ମନୁଆକୁ ଅପେକ୍ଷା କରି ଶେଷରେ ଆଖ ପାଖ ଦୋକାନରୁ ଯେତକ କଦଳୀ ପାଇଲେ ସେତକ ସମୁଦ୍ରକୁ ଶଙ୍ଖେ । ବେଳବୁଡ଼େ ମନୁଆ ଘରକୁ ଫେରିବା ପରେ ଦେଖେ ବାପା ବସିଛନ୍ତି ଠେଙ୍ଗା ଧରି, ବୋଉ ବସିଛି ଛାଞ୍ଚୁଣି ଧରି.. ତା ପରେ ମନୁଆ ଯାଏ କୁଆଡେ !!

କିଛି କିଛି ଗୁରୁତ୍ୱପୁର୍ଣ କଥା ଭୁଲି ଗଲେ ବି ପଢାପଢିରେ ମନୁଆ ଥିଲା ଭଲ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ ହୋଇ ଜଳସେଚନ ବିଭାଗରେ ପଦାଧିକାରୀ ଭାବେ ଯୋଗ ଦେଇ ମନୁଆ ଏବେ ଭୁବନେଶ୍ୱରରେ ଘର ଭଡା ନେଇ ରୁହେ । ଗାଁ ଭିଟା ମାଟି ନ'ଛାଡ଼ିବା ପାଇଁ ଜିଦ୍ କରି ବାପା ରହିଲେ ଗାଁରେ ଆଉ ବାପାଙ୍କୁ ଏକା ନଛାଡ଼ିବା ପାଇଁ ବୋଉ ବି ଗାଁରେ । ଅବଶ୍ୟ ଚାକିରୀ କ୍ଷେତ୍ରରେ ତାର ବିଶେଷ ଚାପ ନଥାଏ, କାରଣ ଏକେ ତ ସରକାରୀ ଦପ୍ତର ଦ୍ୱିତୀୟତଃ ସମସ୍ତେ ତା ଭୁଲାପଣ ବିଷୟରେ ଅଳ୍ପେ ବହୁତେ ଅବଗତ ହୋଇ ସାରି ଥିବାରୁ ବିଶେଷ ଗୁରୁତ୍ୱପୁର୍ଣ କାମ ତାକୁ ଦେବାକୁ ସମସ୍ତଙ୍କ ମନରେ ଥାଏ ଭୟ । ତେଣୁ ଅଫିସରେ ତାର ଅଧିକାଂଶ ସମୟ ବିତୁଥିଲା ଡାଟା ଆନାଲିଷ୍ଟ ସୁନିତା ସହିତ ଗପ ଗୁଜବ କରି । ସୁନିତା ଦେଖିବାକୁ ସୁନ୍ଦରୀ, ମିଷ୍ଟଭାଷି ଓ ଶିକ୍ଷିତା । ପ୍ରଥମେ ବନ୍ଧୁତ୍ୱ, ତା ପରେ ବନ୍ଧୁ ଠାରୁ ଟିକେ ବେଶି ଶେଷରେ ପ୍ରେମ । କିନ୍ତୁ ବେଳେ ବେଳେ ପ୍ରେମରେ ଶତ୍ରୁ ସାଜୁଥିଲା ମନୁଆର ଭୁଲା ବେମାର। କେତେ ବେଳେ ସୁନିତାକୁ କାଫେ କଫି ଡେ ରେ ଅପେକ୍ଷା କରିବାକୁ କହି ମନୁଆ ଭୁଲି ଯାଇ ଥାଏ । ସୁନିତା ଫୋନ କରି ଜାଣିବାକୁ ପାଏ ମନୁଆ ଉଚ୍ଚପଦାଧିକାରୀଙ୍କ ସହ ମିଟିଂରେ । ତା ପରେ ଟିକେ ଖଟାମିଠା ରାଗ ଅଭିମାନ ଆଉ ମାନ ଭଂଜନ କିନ୍ତୁ ପୁଣି କେଇ ଦିନ ପରେ ଯେଉଁ କଥାକୁ ସେଇ କଥା । “ତୁମ ପରି ଭୁଲା ଲୋକକୁ ନେଇ ସାରା ଜୀବନ ମୁଁ ରହି ପାରିବିନି” ବୋଲି ମୁହଁରେ ରାଗ ଦେଖେଇ ହଜାର ଥର କହିଲେ ବି ସୁନିତା ବୁଝି ସାରିଥିଲା ମନୁଆ ପରି ଭୁଲା ମଣିଷକୁ ସାରା ଜୀବନ କେବଳ ସୁନିତା ହିଁ ସମ୍ଭାଳି ରଖି ପାରିବ ।

ପ୍ରତିଥର ଗାଁ ଘରକୁ ଯିବା ବେଳେ ମନୁଆ କଥା ଦିଏ, ଏ ଥର ସେ ନିଶ୍ଚିତ ବାପା ବୋଉଙ୍କ ସହ ସେମାନଙ୍କ ବାହାଘର ବିଷୟରେ କଥା ହେବ କିନ୍ତୁ ପ୍ରତି ଥର ଭୁଲି ଯାଏ । ଯାହା ହେଉ ଦୁଇ ପରିବାରର ସମ୍ମତି କ୍ରମେ ଦୁହିଁଙ୍କର ବିଭାଘର ଫାଇନାଲ ହେବା ବେଳେ ମନୁଆ ବାପା ବୋଉଙ୍କର ସୁନିତା ପାଇଁ ପ୍ରଥମ ପରାମର୍ଶ ଥିଲା, ମା' ତୁ ମନୁଆର ଭୁଲା ପ୍ରକୃତି ବିଷୟରେ ତ ଜାଣି ସାରିଥିବୁ । ଟିକେ ସାବଧାନରେ ଥିବୁ.. କେବେ ତୋତେ ମାର୍କେଟିଙ୍ଗ କରିବା ପାଇଁ ନେଇ ମାର୍କେଟରେ ହିଁ ଭୁଲି ଆସିବ । ସାମାନ୍ୟ ହସି ସୁନିତା କେବଳ ଜଣେ ଆଜ୍ଞାଧୀନା ଛାତ୍ରୀ ପରି ମୁଣ୍ଡ ଟୁଙ୍ଗାରିଲା । ଯାହାର ଅର୍ଥ ଥିଲା ଯେ, ଆପଣ ମାନେ ଚିନ୍ତାକରନ୍ତୁ ନାହିଁ, ଆପଣଙ୍କର ଭୁଲାମନ ପୁତ୍ରମଣିକୁ ମୁଁ ଠିକ୍ ସମ୍ଭାଳି ନେବି ।

ପୁତ୍ରବଧୂ ଠାରୁ ଆସ୍ୱସ୍ତିବାଣୀ ପାଇ ବାପା ବୋଉ ଟିକେ ନିଶ୍ଚିନ୍ତ ହେଲେ । ଏପଟେ ବାହାଘର ପରେ ଜୀବନ ପଥରେ ମନୁଆର ସଂସାର ରଥ ଧୀରମନ୍ଥର ଗତିରେ ଗଡ଼ି ଚାଲିଲା ।

ସେଦିନ ସକାଳ ପହରୁ ଅଫିସରେ ଉପରିସ୍ଥ ଉଚ୍ଚପଦାଧିକାରୀଙ୍କ ସହ ମିଟିଂ ପରିପ୍ରେକ୍ଷୀରେ ମନୁଆ ନିଜ ଫୋନ୍ ଫ୍ଲାଇଟ୍ ମୋଡ୍ ରେ ରଖିଥିଲା ହେଲେ ମିଟିଂ ପରେ ଜେନେରାଲ ମୋଡ୍ କରିବାକୁ ଭୁଲି ଯାଇଥିଲା । ଲଞ୍ଚ ସାରି ମନୁଆ ସାମାନ୍ୟ ତନ୍ଦ୍ରାଚ୍ଛନ୍ନ ପରି ଅନୁଭବ କରି ନିଜ ଚେୟାରରେ ଆରାମରେ ଆଖି ବୁଜି ବସିଥିଲା । ଅଧସ୍ତନ କର୍ମଚାରୀ ମାନେ ଅବଶ୍ୟ ମନୁଆର ଏତାଦୃଶ ଅଭ୍ୟାସ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଯେ ଲଞ୍ଚ ପରେ ନିମ୍ନତମ ଘଣ୍ଟାଏ ପର୍ଯ୍ୟନ୍ତ ସାରଙ୍କୁ ଡିଷ୍ଟର୍ବ କରିବା ମନା । ଏହା ଏକ ଦଣ୍ଡନୀୟ ଅପରାଧ.. କ୍ରିମିନାଲ୍ ଅଫେନ୍ସ। କାରଣ ସେଇଟା ସାର୍ ଙ୍କ ଶୋଇବା ଟାଇମ୍ । ହଠାତ୍ ସୁନିତା କଥା ମନେ ପଡ଼ିବାରୁ ଫୋନର ମୋଡ୍ ବଦଳେଇ, ପ୍ରଥମେ ସୁନିତା କୁ ଫୋନ୍ କଲା । ଜବାବ୍ ଆସିଲା ଅପହଞ୍ଚ ଦୂରତ୍ଵରେ ଅର୍ଥାତ୍ ନଟ୍ ରିଚେବଲ୍ । ନେଟୱର୍କ ପ୍ରବ୍ଲେମ ଭାବି ପକେଟରେ ଫୋନ୍ ରଖି ପୁଣି ଆଖି ବୁଜି ସାମାନ୍ୟ ତନ୍ଦ୍ରାଚ୍ଛନ୍ନ ହୋଇଛି ହଠାତ ପକେଟରେ ଥିବା ଫୋନ୍ ବାଜି ଉଠିଲା । ଏମିତି ସମୟରେ କାହାର ଫୋନ୍ ସୁନିତା କଲା କି ! ନା.. ଅଜଣା ନମ୍ବରରୁ ଫୋନ୍ ଆସିଛି। ପକ୍କା ଫ୍ରି ରେ କ୍ରେଡିଟ୍ କାର୍ଡ ବାଣ୍ଟୁଥିବା ବ୍ଯାଙ୍କ ବାଲାଙ୍କ ଫୋନ୍। ଧୁର ବାଜୁଥାଉ.. ଫୋନ୍ ଉପରେ ଧ୍ୟାନ ନଦେଇ ନିଜ ନିଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚେଷ୍ଟା କରୁଥିଲା । ପୁଣି ସେହି ଅଜଣା ନମ୍ବରରୁ ଫୋନ୍ । ବାଧ୍ୟ ହୋଇ କଲ୍ ରିସିଭ୍ କରିବାକୁ ପଡ଼ିଲା । ଅପର ପକ୍ଷରୁ ଜଣେ ନାରୀ କଣ୍ଠ ପ୍ରଥମେ ନାମ ଧାମ ପଚାରି କନଫର୍ମ ହେଲା ପରେ ନିଜ ପରିଚୟ ଦେଇ କହିଲେ ..

- ଭୁବନେଶ୍ବରର ଉତ୍କଳ ହସ୍ପିଟାଲରୁ କହୁଛି । ଆପଣଙ୍କ ସ୍ତ୍ରୀ କିଛି ସମୟ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆପଣ ଯଥା ଶୀଘ୍ର ଆବଶ୍ୟକୀୟ ଫର୍ମ ପୁରଣ କରିବା ନିମନ୍ତେ ହସ୍ପିଟାଲରେ ଆସି ପହଚନ୍ତୁ ।

ଏ କଥା ଶୁଣି, ସତେ ଯେମିତି ମନୁଆର ପାଦ ତଳର ମାଟି ତଳକୁ ତଳକୁ ଚାଲିଗଲା ପରି ବୋଧ ହେଉଥିଲା । କଣ ହେଲା ସୁନୀତାର । ମନକୁ ପାପ ଛୁଉଁଥିଲା । ତରବରରେ ଅଫିସରୁ ବାହାରି ହସପିଟାଲରେ ପହଞ୍ଚି ଖବର ନେଲା ତା ଆସିବା ଡେରି ହେବାରୁ ସୁନିତାକୁ ଅପରେସନ ଥିଏଟରକୁ ନିଆ ଯାଇଛି । କଣ ହୋଇଥିଲା ବୋଲି ପଚାରିବାରୁ ଇଷତ୍ ରୁକ୍ଷ ଜବାବ୍ ଆସିଲା, ଅପରେସନ ସରିଲେ ଜାଣିପାରିବେ। ଆପଣ ଏବେ ଏ ଫର୍ମରେ ଟିକ୍ କରା ଯାଇଥିବା ଯାଗାରେ ଦସ୍ତଖତ କରି ସେଠି ସାମ୍ନାରେ ଯାଇ ବସନ୍ତୁ ।

ନର୍ସିଂ ଟ୍ରେନିଂ ନେବା ସମୟରେ ବୋଧ ହୁଏ ଏ ନର୍ସ ଗୁଡ଼ାଙ୍କୁ ନିଷ୍ଠୁରତା ଓ ରୁକ୍ଷତା ବୋନସରେ ଶିଖା ଯାଏ ।

ଚିନ୍ତିତ ମନୋରଥ ନେଇ ନର୍ସିଂହୋମର ପ୍ରତିକ୍ଷାଳୟରେ ପଡ଼ି ଥିବା ଧାଡ଼ି ଧାଡ଼ି ଲୁହା ଚେୟାରରେ ଲଥ୍ କରି ବସି ପଡ଼ିଲା ମନୁଆ ମୁଣ୍ଡରେ ହାତ ଦେଇ । ମନରେ ଅଶୁମାରୀ ପ୍ରଶ୍ନର ଢେଉ । କଣ ହେଲା କେଜାଣି ସୁନିତାର ! କି ଅବସ୍ଥାରେ ଥିବ ଏବେ ପ୍ରାଣ ପ୍ରିୟା ସୁନିତା !! ଅଘଟଣ ଘଟିବା ପରେ ସୁନିତା ବାରମ୍ବାର ଚେଷ୍ଟା କରିଥିବ ତା ସହ ଯୋଗାଯୋଗ କରିବା ପାଇଁ । ଆଜି ପ୍ରଥମଥର ଲାଗି ମନୁଆର ନିଜ ଭୁଲାମନ ପାଇଁ ନିଜ ଉପରେ ଭିଷଣ ରାଗ ହେଉଛି । କେବଳ ତାରି ପାଇଁ ସୁନିତା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି । ମନରେ ଆସୁଥିବା ବିଭିନ୍ନ ଆଶଙ୍କା ଯୋଗୁଁ ମନୁଆକୁ ଖୁବ୍ କାନ୍ଦ ମାଡିଲା । ସାମ୍ନାରେ ଥିବା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଉଦ୍ଦେଶ୍ଯରେ ହାତ ଯୋଡ଼ି ସୁନିତାର ବିପଦ ଖଣ୍ଡନ ତଥା ଆଶୁ ଆରୋଗ୍ୟର ଆକୁଳ ନିବେଦନ କରୁଥିଲା । ଶେଷ ପର୍ଯ୍ୟନ୍ତ ନିଜ ଭାବାବେଗକୁ ଧରି ରଖି ନ ପାରି ଛୋଟ ପିଲାଙ୍କ ପରି କାନ୍ଦିବା ଆରମ୍ଭ କଲା ମନୁଆ । ତା କାନ୍ଦ ଦେଖି ଉପସ୍ଥିତ ଅନ୍ୟ ମାନଙ୍କ କାରୁଣିକ ମୁହଁ ଦେଖି ତା କାନ୍ଦ ଦ୍ୱିଗୁଣିତ ହେବାକୁ ଲାଗିଲା । ହଠାତ୍ ମନୁଆ ଲକ୍ଷ୍ୟ କଲା ସାମ୍ନା ଟେବୁଲରେ ବସି କିଛି ରୋଗୀଙ୍କ ଫାଇଲ୍ ଘାଣ୍ଟୁ ଥିବା ନର୍ସଟି ମୁରୁକି ମୁରୁକି ହସୁଛି ଏବଂ ମୁହଁରେ ହାତ ରଖି ନିଜ ହସ ରୋକିବାକୁ ଚେଷ୍ଟା କରୁଛି । ଭଗବାନ ଏ ନର୍ସ ଗୁଡ଼ିକୁ କେଉଁ ଉପାଦାନରେ ଗଢ଼ିଛନ୍ତି କେ ଜାଣେ । ମଣିଷ ଏତେ ନିଷ୍ଠୁର ହୋଇ ପାରେ। ନର୍ସର ଦାନ୍ତ ଦେଖେଇ ହସିବା ଦେଖି ମନୁଆର ଇଚ୍ଛା ହେଉଥିଲା ତା ମୁହଁକୁ ଗୋଟେ ବିଧା ମାରିବାକୁ, ନହେଲେ ଘୁଷି ମାରି ତା ସାମ୍ନା ଦାନ୍ତ ଝାଡ଼ି ଦେବାକୁ। ଅନ୍ତତଃ ଭଙ୍ଗା ଦାନ୍ତ ନେଇ କାହା ବିପଦ ସମୟରେ ଆଉ ହସି ପାରିବନି। ନିଷ୍ଠୁର ହୃଦୟହୀନା କୋଉଠିକାର, ଏବେବି ମନୁଆ ଆଡ଼କୁ କଣେଇ କଣେଇ ଚାହିଁ ହସୁଛି, କିନ୍ତୁ ମନୁଆ ତା'ଆଡ଼େ ଦେଖିଲେ ମୁହଁ ବୁଲେଇ ନେଉଛି ।

କୋଉଠି ଗୋଟେ ପଢ଼ି ଥିଲା, ନିଜ ବିପଦ ବା ସମସ୍ଯା ସମୟରେ କାହା ଠାରୁ ସମବେଦନା ଆଶା କରିବା ନିରର୍ଥକ କାରଣ ଅଶି ଭାଗ ଲୋକଙ୍କ ଉପରେ ଫରକ୍ ପଡ଼େନି ଆଉ ଶତକଡ଼ା କୋଡ଼ିଏ ଭାଗ ମଣିଷ ତୁମ ବିପଦ ଦେଖି ଖୁସି ହୁଅନ୍ତି । ସେଇ କୋଡ଼ିଏ ଭାଗ ବୋଧେ ଏଇ ନର୍ସିଂହୋମର ନର୍ସ ଗୁଡ଼ା।

କିଛି ସମୟ ପରେ କେହି ଜଣେ ନର୍ସ ଆସି ଖବର ଦେଲା, ଆପଣଙ୍କ ପେସେଣ୍ଟ ଏବେ ଓଟିରୁ ବାହାରି ପ୍ରସୂତୀ ୱାର୍ଡ କୁ ଆସିଲେଣି। ମା ଓ ପିଲା ଦୁହେଁ ସୁସ୍ଥ । ଆପଣ ଯାଇ ଦେଖା କରି ପାରନ୍ତି ।

ନର୍ସର କଥା ଶୁଣି ଏତେ ବେଳ ଯାଏ କରୁଣ ବିଳାପ କରୁଥିବା ମନୁଆର ମନେ ପଡ଼ିଲା, ଅନ୍ତଃସତ୍ତ୍ଵା ସୁନିତାର ଡେଲିଭରି ଡେଟ ଏଇ ସପ୍ତାହରେ ଥିଲା ଯାହା ସମ୍ପୁର୍ଣ୍ଣ ରୂପେ ସେ ଭୂଲି ଯାଇଥିଲା। ଏତେ ସମୟ ଧରି ତା କାନ୍ଦ ଦେଖି ମୁରୁକି ମୁରୁକି ହସୁଥିବା ନର୍ସ ଜଣକ ଆସି କହିଲେ, ଏଥର ଖୁସି ତ ! ଯାଆନ୍ତୁ ଆଉ କନ୍ଦା କଟା ନକରି ମିଠା ନେଇ ଆସନ୍ତୁ ।

ନର୍ସର କଥା ଶୁଣି ନୁଆ ଭୁଆସୁଣୀ ପରି ଇଷତ୍ ହସି ସାମାନ୍ୟ ଲଜ୍ଜାନତ ମଥା କରି ମନୁଆ ପହଞ୍ଚି ଦେଖେ ତା ପ୍ରାଣ ସଙ୍ଗିନୀ ବେଡରେ ଶୋଇ ଶୋଇ ମୁରୁକି ହସୁଛି । ଆଉ ନିକଟରେ ମଧୁର କ୍ରନ୍ଦନ ରତ ଦୁଗ୍ଧ କୋମଳ ଶିଶୁ ।

- ତୁମେ କେମିତିକା ଲୋକ କହିଲ। ଦିନ ବାରଟାରୁ ଫୋନ୍ କରି ଚାଲିଛି କିନ୍ତୁ ତୁମ ଫୋନ୍ ମିଳୁନି। ଶେଷରେ ଅତି କଷ୍ଟ ହେବାରୁ ଆମ୍ବୁଲାନ୍ସକୁ ଫୋନ୍ କରି ନିଜେ ଆସିଲି ଏଠାକୁ ।

- ମିଟିଂ ପାଇଁ ଫ୍ଲାଇଟ୍ ମୋଡ଼୍ କରିଥିଲି ପରେ ଭୁଲି ଯାଇଥିଲି । କାନମୂଳ କୁଣ୍ଡେଇ କହିଲା ମନୁଆ..

ଏତିକି ବେଳେ ସବୁ ନର୍ସ ମାନେ ମିଠା ଦିଅ ମିଠା ଦିଅ କରିବାରୁ ବାଧ୍ଯ ହୋଇ ବାହାରକୁ ବାହାରି ଆସିଲା ମନୁଆ । ମିଠା କିଣୁ କିଣୁ ବାପା ବୋଉଙ୍କୁ ଖବର ଦେବା ପାଇଁ ବାପାଙ୍କ ମୋବାଇଲରେ ଫୋନ୍ କରୁ କରୁ ବାପା ପଚାରିଲେ..

- ହଁ କହ, କଣ ହେଲା ପୁଅ ନା ଝିଅ ।

- ଉଁ.. , ୟେ.. ବାପା...

- ଆରେ ଉଁ...ଆଁ... କଣ କରୁଛୁ କହୁନୁ !!

ମନୁଆର ଆଦୌ ମନେ ପଡ଼ୁନି ପୁଅ ନା ଝିଅ.. ଏଇ ଟିକେ ଆଗରୁ ଡାକ୍ତର ବାବୁ ତାକୁ ବଧେଇ ଜଣେଇ କହିଲେ, କିନ୍ତୁ ଝିଅ କହିଲେ ନା ପୁଅ କହିଲେ ସେତକ ମସ୍ତିଷ୍କରେ ବହୁତ ଜୋର ଦେଇ ମନେ ପକାଇବା ପାଇଁ ଚେଷ୍ଟା କରୁଛି କିନ୍ତୁ ତାର ମନେ ପଡ଼ୁନି ।

- ନା ମାନେ... ବାପା ମୁଁ ଉପରେ ଯାଇ ଆପଣଙ୍କୁ ଫୋନ୍ କରୁଛି..

- ନା ଥାଉ, ଆଉ କରିବା ଦରକାର ନାହିଁ.. ଆମେ ନିଜେ ଯାଇ ଦେଖିନେବୁ । ବୋଉମା ଡାକ୍ତରଖାନା ଯିବା ଆଗରୁ ଫୋନ୍ କରି କହିଥିଲା, ଆମେ ଘରୁ ବାହାରି ଏବେ ଜୟଦେବ ବିହାରରେ ପହଞ୍ଚିଲୁ... ଟିକେ ପରେ ଆସି ଡାକ୍ତରଖାନାରେ ପହଞ୍ଚିବୁ... ପିଲାର ବାପା ହେଲୁ ଏଥର ଆପାତତଃ... ଛାଡ଼...

- ଓ ହୋ, କାହିଁକି ଛୁଆଟାକୁ ମୋର ଏତେ କଥା କହୁଛ, ଏତେ ଟେନସନରେ ଭୁଲି ଯାଇଥିବ । ଦେଲ ମୋତେ ଫୋନ୍ ଦିଅ ।

ବାପା ଆଉ କଣ କହିବାକୁ ଯାଇ କିଛି କହିବା ଆଗରୁ ବୋଉ ବାପାଙ୍କ ଠାରୁ ଫୋନ୍ ଟା ନେଇ ଗଲା...

- ସମାପ୍ତ -

© ରାକେଶ ମିଶ୍ର


Rate this content
Log in

Similar oriya story from Comedy