Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Tragedy

5.0  

Arabinda Rath

Tragedy

ବଳି

ବଳି

16 mins
7.8K


ଆରେ ପୁଅ ଟିକେ ଚଞ୍ଚଳ ଚାଲ୍, ତେଣେ ବେଶି ଡେରି ହେଲେ ଯାତ୍ରା ସରିଯିବ ଯେ?

ନରିଆ ପଛେପଛେ ବୁଲୁ ତା ଗେଲ ବସରିଆ କାଳୁ କୁ ନେଇ ତରତର ହୋଇ ବାହାରିଲା। ପଛରୁ ନରିଆର ସ୍ତ୍ରୀ ନେତ ପାଟି କରି କହିଲା – ସେ ଯାଗାକୁ କାଳୁ କୁ କାହିଁକି ନେଇ ଯାାଉଛ ଯେ? ତୁମେ କଣ ଜାଣିନ ସେ ଝାଙ୍କରର ମତିଗତି? କାଳୁ ଘରେ ଥାଉ, ତୁମେ ବାପପୁଅ ଯାତ୍ରା ଆଡେ ଘେରାଏ ବୁଲି ଆସ। ଆସିଲା ବେଳେ କାଳୁ ପାଇଁ ହଳେ ଘୁଙ୍ଗୁର ଆଣିବ। ମୋର କେତେ ମନ ଅଛି ତା ବେକରେ ହଳେ ଘୁଙ୍ଗୁର ପିନ୍ଧାଇବା ପାଇଁ। କେତେ ଖୁସି ରେ ପିଲା ଟା ଡିଆଁଚିରା ମାରି ବୁଲିବ।

ନରିଆ ପାଖକୁ ଲାଗି ଆସି ନେତ କାନ ରେ କହିଲା-- ଆଲୋ ତୁ ସେମିତି ଅବୁଝା ହେଲେ ଚଳିବ! ! କାଳୁ କୁ ଗ୍ରାମଦେବତୀ ପାଖରେ ଥରେ ନେଇ ବୁଲେଇ ଆଣିଲେ, ସାପ ବି ମରିବ ବାଡି ବି ଭାଙ୍ଗିବନି। ଯାହା ହେଲେ ବି , ମୁଁ ପରା ମାସେ କାଳ ମାଆ ପାଖରେ ଅଧିଆ ପଡି, ବଳି ଯାଚିଲା ପରେ ଆମ ଘରେ କୁଆଁ କୁଆଁ ଡାକ ଶୁଭିଲା। ବଳି ସିନା ଦେବିନି, କିନ୍ତୁ କାଳୁ କୁ ଥରେ ତା ପାଖକୁ ନେଇ ଦେଖାଇ ଦେବାରେ ଅସୁବିଧା କଣ ଅଛି ? ମାଆ ପାଖରେ ଦ୍ରୋହୀ ହୋଇ ରହିବା ଟା କଣ ଭଲ ହେବ-- ତୁ ନିଜେ ଥରେ ଭାବି ଦେଖ୍ ।

ନେତ ମୁହଁ ପୋତି ଛିଡା ହେଲା। କାଳୁ କୁ ପାଖକୁ ଭିଡି ଆଣି ଗେଲ କରି କହିଲା-- ପୁଅରେ ଘରକୁ ଚଞ୍ଚଳ ଫେରି ଆସିବୁ, ମାଆ ତୋତେ ଚାହିଁ ବସିଥିବ। ଏପଟ ସେପଟ ନ ହୋଇ ଭାଇ ପଛେପଛେ ଚାଲୁଥିବୁ। ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ହାତ ଯୋଡି ମନେ ମନେ କଣ ସବୁ ପ୍ରାର୍ଥନା କରିବା ପରେ ବୁଲୁ କୁ କହିଲା--

– ଆରେ ଧନ, ଯାତ୍ରା ଯାଗାରେ ବହୁତ ଭିଡ ହୋଇଥିବ, ଟିକେ ସାବଧାନ ହୋଇ ରହିବୁ, କାଳୁ କୁ ଜମା ଛାଡିବୁନି, ଭିଡରେ ହଜିଗଲେ ଆଉ ମିଳିବନି। କେତେ ଜାତି ର ଲୋକ ଥିବେ ସେ ଯାଗାରେ , ତୁ ହୁସିଆର୍ ନ ହେଲେ ଅସୁବିଧାରେ ପଡିବୁ। ପୁଅ ହାତରେ କୋଡିଏ ଟଙ୍କା ଗୁଞ୍ଜି କହିଲା-- ନେ ଦୁଇଜଣ ଖଜା ଖାଇବ।

ବୁଲୁ ହସିହସି କହିଲା - - - ମାଆ, ତୁ ଜମା ବ୍ଯସ୍ତ ହେବୁନି, ଆମେ ଚଞ୍ଚଳ ଫେରି ଆସିବୁ। କାଳୁ ମୋ ପାଖେ ପାଖେ ଥିବ, ତାକୁ କେମିତି ହଜାଇଦେବି କହିଲୁ?

ଭିଡରେ କାଳେ ହଜିଯିବ ବୋଲି କାଳୁ ବେକରେ ନେତ ଗୋଟିଏ ଫିତା ବାନ୍ଧି ଦେଇଥିଲା ଓ ବୁଲୁ ହାତରେ ଧରାଇ ତାକୁ ସାବଧାନ ରହିବାକୁ ବାରମ୍ବାର କହିଥିଲା।

ବଡବଡ ପାହୁଣ୍ଡ ପକାଇ ବୁଲୁ, ନରିଆ ପଛରେ ଚାଲିଲା ଓ ତା ପଛରେ କାଳୁ ଡିଆଁ ମାରି ଦଉଡିଲା।

ଶରଧାପୁର ଗ୍ରାମର ନରିଆ ମାଝି। ପରିବାର ବୋଇଲେ ସ୍ତ୍ରୀ ନେତ ଓ ଏକ ମାତ୍ର ପୁଅ ବୁଲୁ। ମୂଲ ମଜୁରି କରି ନରିଆ ପେଟ ପାଇଁ ଦାନା ଯୋଗାଡ କରେ। ଗାଁଆ ମୁଣ୍ଡରେ ଏକ ସାନ କୁଡିଆରେ ରହୁଥିବା ନରିଆ ପାଇଁ ତା ପରିବାର ହିଁ ସ୍ବର୍ଗ ଥିଲା। ବିଭାଘର ର ବହୁ ବର୍ଷ ପରେ ମଧ୍ଯ ପିଲାପିଲି ନ ହେବାରୁ, ଉଭୟଙ୍କ ମନରେ ପାଉଁଶ ତଳ ନିଆଁ ପରି ଦୁଃଖ ରହି ଯାଉଥିଲା। କେତେ ଦିଅଁ ଙ୍କ ପାଖରେ ପୂଜା, ମାନସିକ କରିବା ପରେ ମଧ୍ଯ ଏନ୍ତୁଡିଶାଳ ରୁ ଉମେହି ଧୂଆଁ ଉଠିଲାନି। ଶେଷରେ ଗ୍ରାମଦେବତୀଙ୍କ ପାଖରେ ଅଧିଆ ପଡିଲା ନରିଆ। ମାଆଙ୍କୁ ବୋଦା ବଳି ଯାଚନା କରି, ଆଶିର୍ବାଦ ପାଇବା ଆଶାରେ ଚାତକ ପରି ଚାହିଁ ରହିଲା। ବୋଧେ ନରିଆର ନିଷ୍ଠାରେ ଗ୍ରାମଦେବତୀ ସନ୍ତୁଷ୍ଟ ହେଲେ ; ନେତ ଗର୍ଭରୁ ଭୂମିଷ୍ଠ ହେଲା ଗୋରା ତକ ତକ ରାଜକୁମାର ପରି ପୁତ୍ର। ସେଦିନ ଗାଁଆରେ ଲୋକଙ୍କୁ ମିଠା ବାଣ୍ଟିଲା ବେଳେ, ଗୁରୁଜନ ମାନେ ତାକୁ ଚେତେଇ ଦେଇ ମାନସିକ କଥା ମନେ ପକାଇଦେଲେ। ଗ୍ରାମଦେବତୀଙ୍କୁ ବଳି ଯାଚନା କରିଛି ସେ । କିନ୍ତୁ ପୁତ୍ରଜନ୍ମ ଖୁସିରେ ବିଭୋର ହୋଇ ନରିଆ ସେ କଥା ପୁରା ଭୁଲି ଯାଇଥିଲା। ପିଲା ଟା ବଡ ହେବାକୁ ଲାଗିଲା, ମାତ୍ର ସଦା ବେଳେ ଦେହ ଖରାପ ରହିବାରୁ ଡାକ୍ତର ପାଖକୁ ଦଉଡି ନରିଆ ବଡ ହନ୍ତସନ୍ତ ହେଲା। ଗ୍ରାମଦେବତୀ ଙ୍କ ପାଖରେ ଝଡାଫୁଙ୍କା କରିବା ବେଳକୁ ଥରେ ଝାଙ୍କର ବଳିଯାଚନା କଥା ପଚାରିଲା। ନରିଆ ନିଜ ଶପଥ ଭୁଲି ମସ୍ତବଡ ପାପ କରିଛି ବୋଲି ସେ ଚେତେଇ ଦେଇ କହିଲା--- ଦେଖ୍ ନରିଆ, ମାଆଙ୍କ ପାଖେ ଖଚମିଛ ଚଳେନି। ତୁ ବଳି ଦେବୁ ବୋଲି କହି ପାଞ୍ଚ ବରଷ ବିତାଇ ସାରିଲୁଣି, କେତେ ଦିନ ମାଆ କୁ ଠକିବୁ? ପୁଅ ଦେହ ଖରାପ କରି, ମାଆ ତୋତେ ମନେ ପକେଇ ଦେଉଛି ତୋ ଶପଥ କଥା। ଯଦି ସେତିକି ରେ ତୋ ମୁଣ୍ଡରେ ବୁଦ୍ଧି ନ ପଶିବ, ନେଡି ଗୁଡ କହୁଣୀ କୁ ବୋହି ଯିବ। ତା ପରେ ଅଖା ଧୋଉଥିବୁ, ଗୁଣ ଗାଉଥିବୁ।

ଝାଙ୍କର କଥା ଶୁଣି ନରିଆ ଓ ନେତ ମନରେ ପାପ ଛୁଇଁଲା। ଯାହା କଷ୍ଟ ପଡୁ ପଛେ ,ଏଇ ସନ ମାଆଙ୍କ ପୂଜାରେ ବଳି ପକାଇବାକୁ ହେବ। କିଛି ଦିନ ଉତ୍ତାରୁ ପଇସା ଯୋଗାଡ କରି, ନରିଆ ହାଟରୁ ଗୁଲୁଗୁଲିଆ କଳାରଙ୍ଗର ବୋଦାଟିଏ ଧରି ଘରକୁ ଫେରି ନେତ କୁ କହିଲା

– - ଦେଖ୍ ନେତ, ଗ୍ରାମଦେବତୀଙ୍କ ପାଇଁ କେଡେ ସୁନ୍ଦରିଆ ବୋଦାଟିଏ ଆଣିଛି। ଟଙ୍କା ତିନି ଶହ ନେଲା ସତ, କିନ୍ତୁ ଜାତିଆ ଚିଜ ଟେ ମିଳିଛି। ଥରେ ଦେଖିଦେଲେ ମନ ପୁରି ଯାଉଛି। ମାଆଙ୍କ ପାଖରେ ୟାକୁ ବଳି ଦେଲେ ଆମ ପୁଅର ସବୁ ରିଷ୍ଟ କଟିବ, ମାଆ ତାକୁ ଘଣ୍ଟ ଆଢୁଆଳରେ ଘୋଡେଇ ରଖିବେ- - ଭାରି ପ୍ରତ୍ଯକ୍ଷ ମାଆ ସିଏ।

ନେତ ବୋଦାଟି ଆଗରେ କିଛି ଘାସ ପକେଇ ଆଉଁସି ଦେଇ କହିଲା-- କେତେ ସୁନ୍ଦର ନିଷ୍ପାପ ଜୀବଟି ହୋଇଛି ଦେଖିଲ! !, ତାକୁ ମାରିବା ପାଇଁ ଝାଙ୍କରର ହାତ ଯିବ ଟି ? ଏ ପ୍ରଶ୍ନର ଉତ୍ତର ନରିଆ ପାଖରେ ନଥିଲା। ସେ କେବଳ ଦୀର୍ଘ ନିଶ୍ବାସ ପକେଇ କହିଲା-- ଯାହା ତା କପାଳରେ ଲେଖା ,ତାକୁ କିଏ ଆନ କରି ପାରିବ?

ଦିନ ପରେ ଦିନ ବିତି ଚାଲିଲା। ବୁଲୁ ସାଙ୍ଗରେ ବୋଦାଟି ପାଣିରେ କ୍ଷିର ପରି ମିଶିଗଲା। ଦୁଇ ଜଣ ଦେଖିବାକୁ ଭାରି ଡଉଲ ଡାଉଲ ଦିଶୁଥିଲେ। ବୋଦାଟିର କୁନି ମୁହଁରେ ଭଗବାନ ସବୁ ସୁନ୍ଦରତା ଖୁନ୍ଦି ଦେଲା ପରି ଲାଗୁଥିଲା। କାଚ ବାଟି ପରି ଆଖି ଦୁଇଟିରେ ନିରିହତା ଉକୁଟି ଉଠୁଥିଲା। ଅଳ୍ପ ଉଚ୍ଚ କପାଳରେ ଶୋଭା ପାଉଥିଲା ପୁନେଇ ଚାନ୍ଦ ସମ ଧଳା ଟୀକା। ଟାଆଁସିଆ ଘଞ୍ଚ କଳା ଲୋମରେ ଘୋଡେଇ ହୋଇ ରହିଥିଲା ତାର ସମଗ୍ର ଶରୀର। ଦିନ ସାରା ଖାଇ ଖାଇ ପେଟଟି ଲାଉ ତୁମ୍ବା ପରି ଝୁଲି ରହୁଥିଲା। କୋଳ କୁ ଟେକି ନେଇ ଗେଲ କରି ଦେବା ପାଇଁ ,ଯେ କେହି ଲୋକର ମନରେ ଯେ ପ୍ରବଳ ଲୋଭ ହେବ, ଏ କଥାରେ ଦ୍ବିମତ ନାହିଁ। ଦୂରରୁ ଦେଖିଲେ ଲାଗିବ ସତେକି ଏକ କଣ୍ଢେଇ ଥାକୁଲୁ ଥାକୁଲୁ ଡିଆଁ ମାରି ଆସୁଛି। ସେ ବଡ ସ୍ନେହ ରଙ୍କୁଣିଆ ଥିଲା। ପାଖରେ ବସିଲେ ବାରମ୍ବାର ମୁହଁ ଘଷି ଗେଲ କରିବାକୁ ଅଳି କରିବାରେ ଅବହେଳା କରୁ ନ ଥିଲା। କରିବନି ବା କେମିତି! ! ବାପାମାଆ ଓ ଛୁଆ ତ ସଦାବେଳେ ତାକୁ ମୁଣ୍ଡରେ ବସେଇ ରଖିଲେ।

ପିଲାଟି ଦିନରୁ ବୁଲୁ ସେଇ ବୋଦା ସାଙ୍ଗରେ ସବୁ ସମୟରେ ଖେଳାବୁଲା କରୁଥିଲା। ଗେଲରେ ତାକୁ କାଳୁ ବୋଲି ଡାକୁଥିଲା। ନରିଆର ଘରେ କେବଳ ଦୁଇଟି ନାଁଆ ସଦାବେଳେ ଶୁଭୁଥିଲା "ବୁଲୁ ଓ "କାଳୁ"। ନରିଆ ଓ ନେତ ଦୁଇ ଜଣଙ୍କ ପାଇଁ କାଳୁ ଆଉ ଗୋଟିଏ ସନ୍ତାନ କହିଲେ ଭୁଲ ହେବ ନାହିଁ। ଘର ଭିତରେ ବୁଲୁ ପାଖରେ ହିଁ ରହୁଥିଲା କାଳୁ,ତାଆରି ପାଖରେ ଖାଇବା, ପିଇବା, ଶୋଇବା ସବୁ କିଛି। ସେ ନାମକୁ ମାତ୍ର ଘାସ ବା ଗଛର ପତ୍ର ଖାଉଥିଲା, ଅର୍ଦ୍ଧାଧିକ ସମୟ ବୁଲୁର ବଳକା ଖାଦ୍ଯ ହିଁ କାଳୁ ଭାଗରେ ପଡୁଥିଲା। ଏକୋଇ ର ବଳା ବିଶିକେସନ ବୁଲୁର ଖାଇବା ପିଇବା ରେ ଯେମିତି କିଛି ଉଣା ନ ହେବ ସେ କଥା ପାଇଁ ସ୍ବାମୀ ସ୍ତ୍ରୀ ସଦାବେଳେ ଜାଗତିଆର ରହୁଥିଲେ। କ୍ଷିର, ଘିଅ ନ ହେଲେ ବୁଲୁ ତଣ୍ଟିରେ ଭାତ ଗଳୁ ନ ଥିଲା। ସେଥିରୁ କିଛି କିଛି କାଳୁ ଭାଗରେ ପଡୁଥିଲା। ତେଣୁ ସେ ମଧ୍ଯ ବୁଲୁ ପରି ଗୁଲୁଗାଲିଆ ହୋଇ ବଢିବାରେ ଲାଗିଥିଲା।

କାଳୁ ବୋଲି ଡାକିଦେଲେ, ସେ ଦଉଡି ଆସି ପାଖରେ ହାଜର ହୋଇଯାଏ। ପାଖରେ ଶୋଇଲେ ମୁହଁ ଗେଞ୍ଜି ତାକୁ ଗେଲ କରିବାକୁ ଅଳି କରେ। କେତେ ବେଳେ ନରିଆ ତାକୁ କୋଳରେ ବସେଇ ଦେହରୁ ଗୁଗୁଚି ଛଡାଇଲାଣି, ତ କେତେ ବେଳେ ନେତ ମୁଣ୍ଡରେ ଥିବା ଧଳା ଚାନ୍ଦକୁ ଘଷିମାଜି ଚକମକ କରିବାରେ ଲାଗିଲାଣି। କେବେକେବେ ନେତ ଗାଁଆ ପୋଖରିରେ ତାକୁ ଭଲରେ ଘଷିମାଜି ଗୋଧୋଇ ଦିଏ। ଦେଖିବା ଲୋକ କୁହନ୍ତି, ନେତ ର ମୁଣ୍ଡ ଗୋଳମାଳ ହୋଇଗଲାଣି, ନ ହେଲେ ଗୋଟେ ବୋଦା ପାଇଁ ଏତେ ସରାଗ କାହା ମନରେ ଥିବ। ନେତ ବଡ ଯତ୍ନରେ ପୋଖରି ହୁଡାରୁ ଦୁବ ଘାସ ତୋଳି କାଳୁ ପାଟିରେ ଦିଏ, ସେ ମନ ଖୁସି ରେ କୁନି ଲାଞ୍ଜଟି ହଲାଇ ସବୁ ଖାଇଦିଏ। ଏତିକି ଭଲପାଇବା ପାଇ, କାଳୁ ବି ଭୁଲି ଯାଇଥିଲା ସେ ମଣିଷପିଲା ନୁହଁ ବୋଲି, କାରଣ ତାର କାର୍ଯ୍ଯକଳାପ ଦେଖିବା ଲୋକ ଭାବିବ, କାଳୁ ନିହାତି ଭାବରେ ପଶୁଦେହରେ ଲୁଚି ରହିଥିବା ମଣିଷ ଆତ୍ମା।

ସେଦିନ ସକାଳୁ ଗାଁଆର ମାଧବ ସାହୁ ଚେତେଇ ଦେଲା ପରି ନରିଆ କୁ କହିଲା-- ଆରେ ସେ ବୋଦା ଟା ପଛରେ କାହିଁକି ବାଇ ହେଉଛୁ, ତାକୁ ବଳି ଦେବା ପାଇଁ ଆଣିଛୁ ନା ଘରେ ପୋଷିବାକୁ ଆଣିଛୁ? ତା ବେକରେ ନାଲି ଫିତା ଟେ ବାନ୍ଧିଲେ ସିନା ସବୁ ଜାଣିବେ ସେ ମାଆର ବଳି ବୋଦା ବୋଲି। ନ ହେଲେ ଗାଁଆର ମାଉଁସ ରଙ୍କୁଣିଆ ଟୋକା କେତେବେଳେ ଟେକି ନେଇ ଆମ୍ବତୋଟାରେ ଭୋଜି କରିଦେବେ ଯେ! !

ମାଧବର କଥା ସବୁ ତୀର ପରି ଗଳିଗଲା ନରିଆ ଛାତିରେ। ସେ ଲଥ୍ କରି ମୁଣ୍ଡରେ ହାତ ଦେଇ ତଳେ ବସିପଡିଲା। ଆରେ ସତେ ତ, ସେ ପୁରା ଭୁଲି ଯାଇଛି ବଳି ଦେବା କଥା। କାଳୁ ପାଇଁ ଏତେ ମୋହ ରଖିଲେ, ତାକୁ ବଳି ମୁହଁକୁ ଠେଲିବ କେମିତି? ନିଜ ପିଲା ପରି ଭଲ ପାଇଲେ କଣ ହେବ, ତାକୁ ସେ ଆସିଛି ଗ୍ରାମଦେବତୀ ପାଖରେ ଉତ୍ସର୍ଗ କରିବା ପାଇଁ। ପିଣ୍ଡାରେ ବସିଥିଲା ବେଳେ କାଳୁ ତା ପାଖକୁ ଦଉଡି ଆସି ମୁହଁ ଘଷି ଗେଲ କରିବାକୁ ଅଳି କଲା। ହଠାତ୍ ତାକୁ ଏକ ଗୋଇଠା ପକାଇଲା ନରିଆ ; ବିଚରା କିଛି ଦୂରକୁ ଛିଟିକି ପଡିଲା। କଣ ହେଲା ବୁଝି ପାରିଲାନି କାଳୁ,ସେ ବା କାହୁଁ ବୁଝିବ ନରିଆ ମନର ଅବସ୍ଥା। କିଛି ସମୟ ଢଳଢଳ ଆଖିରେ ଚାହିଁ, ପୁଣି ଥରେ ସେ ନରିଆ କୋଳରେ ମୁହଁ ଗୁଞ୍ଜିଲା। ଏଥର ନରିଆ ରହି ପାରିଲାନି। ଭୋ ଭୋ କାନ୍ଦି କହିଲା-- ମୋତେ ମୋହଜାଲ ରେ ଛନ୍ଦି ପକାନି ରେ କାଳୁ, ତୋତେ ବଳି ଦେବା ପାଇଁ ମୁଁ ଆଣିଛି। କଣ ବୁଝୁଛୁ ତ? ତୁ ଗ୍ରାମଦେବତୀ ପାଖରେ ହାଣ ଖାଇବୁ। ତୋ ମୁଣ୍ଡ ଛିଡି ତଳେ ପଡିବ, ମରିଯିବୁ ତୁ। କଣ ସେ ବୁଝିଲା କେଜାଣି , ସବୁ ଦିନ ପରି ନରିଆ ଦେହରେ ଘଷିହୋଇ ମେଁ ମେଁ ଡାକ ଦେଇ ଖେଳିବାକୁ ଲାଗିଲା।

ଏସବୁ ଘଟଣା ଚୁପ୍ ଚାପ୍ ଦେଖୁଥିଲା ନେତ। ସେ କଳି ଲାଗିଲା ପରି ଦଉଡି ଆସି, ନରିଆକୁ ମନଇଚ୍ଛା ଶୋଧି ଦେଇଗଲା। କାଳୁ କୁ ନିଜ କୋଳକୁ ଟାଣି ନେଇ କହିଲା-- ଦେଖିବା, କିଏ ମୋ କାଳୁ କୁ ବଳି ଦେବ। ହେଇଟି, କାନେ କାନେ କହି ଦେଉଛି, ଯଦି ମୋ କାଳୁ ଦିହରେ ଆଞ୍ଚୁଡା ଦାଗଟେ ବି ପଡିବ, ମୋ ମଲା ମୁହଁ ଦେଖିବ। ମୁଁ କୋଉ ଗ୍ରାମଦେବତୀ କୁ ଜାଣିନି। କଣ ଏମିତି ସେ କରି ପକାଇଲା ଯେ ତା ପାଖେ ମୋ ପୁଅ କୁ ବଳି ଚଢେଇବି। ତାକୁ ପରା ଲୋକେ ମାଆ ବୋଲି କହୁଛନ୍ତି, କୋଉ ମୁହଁରେ ସେ ବଳି ଖାଉଛି। ଲାଜ ନାହିଁ ତା ମୁହଁ କୁ ଯାହା।

ନରିଆ ତା ମୁହଁରେ ହାତ ରଖି ଚୁପ୍ ହେବାକୁ କହିଲା। ଗାଁଆ ଲୋକେ ଶୁଣିଲେ ନିଆଁପାଣି ବାଛନ୍ଦ କରିଦେବେ ଯେ। ତାକୁ ବୁଝାଇ କହିଲା-- ତୁ କହ ନେତ ମୁଁ କଣ କରିବି। ମାଆ ପାଖରେ ଅଧିଆ ପଡିଲା ବେଳେ ମାନସିକ କରିଥିଲି, ତୁ ଭୁଲି ଗଲୁ କି? ମାଆ କୃପା କଲା ବୋଲି ସିନା ଆମ ଘରେ କୁଆଁ ଡାକ ଶୁଭିଲା। ଆମ ବୁଲୁ କଥା ଭାବ୍ ଥରେ। ଯଦି ତାର କିଛି ଅମଙ୍ଗଳ ହେବ, ତୁ ସମ୍ଭାଳି ପାରିବୁ ଟି ? ଦେବୀ ଅଭିଶାପ ପଡିଲେ ଆମ ସବୁ ଛାରଖାର ହୋଇଯିବା।

– – ସେ ସବୁ କଥା ମୁଁ ଜାଣିନି। ମୋ କାଳୁ ଯଦି ବଳି ଦେବାକୁ ନେବ ମୋ ମଲା ମୁହଁ ଦେଖିବ। ମୋର ଅଧିକା କିଛି କହିବାର ନାହିଁ।

ସେଦିନ ପରଠାରୁ ସଦାବେଳେ ନରିଆ ଅନ୍ଯମନସ୍କ ରହିବାକୁ ଆରମ୍ଭକଲା। ଏମିତି ଏକ ଧର୍ମ ସଙ୍କଟରେ ପଡିବ ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା। ଗୋଟିଏ ପଟରେ କାଳୁର ଢଳଢଳ ନିରିହ ଆଖି ଓ ଅନ୍ଯ ପଟରେ ଗ୍ରାମଦେବତୀଙ୍କ ରକ୍ତପିପାଷୁ ଲହଲହ ଜିଭ। କାହାକୁ ସେ ଅଧିକ ଗୁରୁତ୍ବ ଦେବ, କାଳୁ ପ୍ରତିଥିବା ମୋହ କୁ ନା ଗ୍ରାମଦେବତୀଙ୍କ ପାଖରେ କରିଥିବା ବଳିଯାଚନା କୁ। ପରିବାରର ହସଖୁସି ରେ ଯେମିତି କାହାର ନଜର ଲାଗି ଯାଇଥିଲା। ସେଦିନର ଘଟଣା ପରେ ନେତ କୁ ବଡ ଅସୁରକ୍ଷିତ ଲାଗୁଥିଲା। ରାତି ଅଧରେ ଚମକି ଉଠି ସେ ପାଟି କରି କାନ୍ଦୁଥିଲା – କାଳୁ ରେ, ମୋତେ ଛାଡି ଯାଆନି--- କେହି ନିଅନି ମୋ କାଳୁ କୁ.... ମୋ ପୁଅ କୁ---- ମାରନି ତାକୁ........। ଚାରିପଟରେ କଣ ଘଟି ଯାଉଛି ସେ ବିଷୟରେ ଅଜ୍ଞ ଥିଲେ, କେବଳ ଦୁଇଜଣ; ବୁଲୁ ଓ କାଳୁ। ସେମାନଙ୍କ ଭଲପାଇବା ଓ ଆତ୍ମୀୟତାରେ କୌଣସି ପ୍ରକାରର ଭଟ୍ଟା ପଡି ନଥିଲା।

ଶେଷରେ ନରିଆ ନିଷ୍ପତ୍ତି ନେଲା, ଗ୍ରାମଦେବତୀଙ୍କ ପାଖକୁ ଯାଇ କ୍ଷମାଯାଚନା କରିବ ଓ ଓଝା ପାଖରେ ନିଜ କାହାଣୀ ଶୁଣାଇବ। ସକାଳୁ ଯାଇ ପହଞ୍ଚିଲା ମନ୍ଦିରରେ। ଯୋଗକୁ ଝାଙ୍କର ଏକୁଟିଆ ମନ୍ଦିରରେ ଥିଲା। ଆଉ ଅଳ୍ପ ଦିନ ପରେ ଠାକୁରାଣୀଙ୍କ ପୂଜା, ତେଣୁ ମନ୍ଦିରକୁ ସାଜସଜ୍ଜା କରିବାରେ ସେ ଲାଗିଥିଲା। ନରିଆ ପାଖରୁ ସବୁ ଶୁଣିବା ପରେ, କିଛି କ୍ଷଣ ଚୁପ୍ ରହି ସେ କହିଲା-- ଦେଖ୍ ନରିଆ, ତୁ ଯାହା କହୁଛୁ ଭାବିଚିନ୍ତି କହୁଛୁ ତ? ମାଆ ପାଖରେ ଏସବୁ ଚଳିବ ନାହିଁ, ତୁ ଜାଣିନୁ ସେ କେତେ ପ୍ରତ୍ଯକ୍ଷ। ତା ପାଖରେ ଜବାବ୍ ଦେଇ ଯଦି କଥା ନ ରଖିବୁ, ତୋ ବଂଶ ତ ବୁଡିବ -- ଆମ ଗାଁଆ ବି ଧ୍ବଂସ ହୋଇଯିବ। ତୋ ପାପର ଦଣ୍ଡ ସବୁ ଗାଁଆ ଲୋକେ ଭୋଗିବେ। ପାଦ ତଳେ ଲମ୍ବ ହୋଇ ପଡିଗଲା ନରିଆ ଓ କେତେ କାକୁତି ମିନତି ହେଲା। ଶେଷରେ ଝାଙ୍କର କୁ କିଛି ଟଙ୍କା ଦେବା ପାଇଁ ମଧ୍ଯ ରାଜି ହେଲା। ଟଙ୍କା କଥା ଶୁଣି ତା ସ୍ବର ଟିକେ ନରମିଗଲା।

ସେ କହିଲା-- ଆରେ ମୋର କଣ ହେବ ଟଙ୍କା, ସବୁ ସେଇ ମାଆର। ତୁ ଦୋଷ କରିଛୁ ଯେତେ ବେଳେ, ତାକୁ ସନ୍ତୁଷ୍ଟ କରିବା କାମ ବି ତୋର। ମୁଁ ଖାଲି ନିମିତ୍ତ ମାତ୍ର। ଏତେ ନେହୁରା ବିକଳ ହେଲୁଣି ଯେତେବେଳେ, ମୁଁ ମାଆ ପାଖରେ କିଛି ସମୟ ଅଧିଆ ପଡେ, ସେ କଣ କହୁଛି ଜାଣିଲା ପରେ ତୋତେ କହିବି।

ନରିଆ ମନ୍ଦିର ପାଖ ଗଛ ମୂଳରେ ଅପେକ୍ଷା କଲା। ଝାଙ୍କର ଭିତରେ ଦୁଇ ତିନି ଘଣ୍ଟା ରହିବା ପରେ ଆସି କହିଲା-- ମାଆ ତୋ ଉପରେ ବହୁତ ରାଗିଛି, ତୋ ବଉଁଶ ବୁଡେଇଦେବ ବୋଲି କହୁଛି। କେତେ ନେହୁରା ହେଲା ପରେ ମାଆ କହିଲା – ଯାଃ ସେ ପାପୀ କୁ କହିବୁ ମନ୍ଦିର ପାଇଁ ଟଙ୍କା ପାଞ୍ଚ ହଜାର ଦେବ। କିନ୍ତୁ ଟଙ୍କା ଦେବା କଥା କାହାକୁ କହିଲେ ମୁଁ ତା ରକ୍ତ ପିଇଦେବି।

ଏତେ ଗୁଡେ ଟଙ୍କା କଥା ଶୁଣି ନରିଆ ମୁଣ୍ଡ ବୁଲେଇ ଦେଲା। ଟଙ୍କା ଦେବାରେ ନିଜର ଅସାମର୍ଥ୍ଯତା ଦେଖାଇ, ଅନ୍ଯ କିଛି ବାଟ ଅଛି କି ବୋଲି ପଚାରିଲା। କିନ୍ତୁ ଝାଙ୍କର ରାଗି ଯାଇ, ତାକୁ ବହୁତ ଗାଳି ଦେଇ କହିଲା-- ସେ ଚାଲାକି ଦେଖାନି, ନୋହିଲେ ଧ୍ବଂସ ହୋଇଯିବୁ। ତୋ କଥାରେ ପଡି ମୁଁ ମାଆ ପାଖେ ଅଧିଆ ପଡିଲି। ଏବେ, ତୁ କଥା ନ ରଖିଲେ ମୋ ପ୍ରାଣ ସେ ନେଇଯିବ। ଭଲ ମଙ୍ଗଳ ଅଛି ତ ଟଙ୍କା ଯୋଗାଡ କରି ଚୁପ୍ ଚାପ୍ ମୋ ହାତରେ ଧରେଇ ଦେବୁ। ନୋହିଲେ ଆଗକୁ ଯାହା ହେବ ମୋତେ ଦାୟୀ କରିବୁନି।

ନରିଆର ଶୁଖିଲା ମୁହଁ ଦେଖି ନେତ ସବୁ ପଚାରି ବୁଝିଲା। କାଳୁର ଜୀବନ ରକ୍ଷା ପାଇଁ ବାଟ ବାହାରି ଗଲା ବୋଲି ଜାଣି ସେ ଖୁସି ରେ ବହେ ନାଚିଗଲା। କାଳୁକୁ ବୋକ ରେ ପୋତି ପକେଇଲା। ଟଙ୍କା କଥା ଶୁଣି ସେ କହିଲା-- ତୁମେ ଏମିତି ବ୍ଯସ୍ତ ହେବାର କାରଣ ନାହିଁ। ମୋ ପାଖେ ଯାହା ସୁନା ଗହଣା ଅଛି ସବୁ ବିକ୍ରି କରିଦିଅ,ମୋର ସେସବୁ ଦରକାର ନାହିଁ, ମୋ କାଳୁ ଜୀବନ ବଞ୍ଚେଇ ଦିଅ। ନେତର ହାତ କୁ ଜାବୁଡି ନରିଆ କହିଲା-- ତୁ କଣ ସତ କହୁଛୁ? ତୋର ସବୁ ସୁନା ଯଦି ବିକ୍ରି କରିଦେବି, ତୁ ପିନ୍ଧିବୁ କଣ? ବାହା ହେଲା ବେଳେ ଯେତିକି ସୁନା ଆଣିଥିଲୁ ସେତିକି ତ ଅଛି ତୋ ପାଖରେ। ମୁଁ ଏତେ ଦିନ ଯାଏ ତୋ ପାଇଁ ଗୋଡ ମୁଦି ଟେ ବି କରି ପାରିଲିନି। ନେତ ହସି କହିଲା-- ତୁମେ, ବୁଲୁ ଓ କାଳୁ ହେଲ ମୋର ଗହଣା, ତୁମ ମାନଙ୍କ ଠାରୁ ଅଧିକା ମୂଲର ଚିଜ ମୋର ଲୋଡା ନାହିଁ। ସବୁ ବିକ୍ରି କରିଦିଅ, ମୋ କାଳୁ କୁ ବଞ୍ଚେଇ ଦିଅ।

ଶେଷରେ ନରିଆ ଝାଙ୍କର ହାତକୁ ଦାବୀ ମୁତାବକ ଟଙ୍କା ଟେକି ଦେଇ ଗ୍ରାମଦେବତୀଙ୍କ ପାଖରେ ମୁଣ୍ଡିଆ ମାରିଲା ଓ ପାଦତଳେ ପଡି କୃତଞତା ଜଣାଇଲା। ମନ୍ଦିର ରେ ଥିବା କିଛି ଗାଁଆ ଲୋକେ ନରିଆକୁ ଘଟଣା କଣ ବୋଲି ପଚାରିଲେ। ମାତ୍ର ସେ କାହାକୁ କିଛି ନ କହି ଘରକୁ ଫେରିଲା। ସେ ଫେରିଲା ବେଳକୁ ଝାଙ୍କର ପାଖକୁ ଡାକି କହିଲା-- ଶୁଣ୍ ନରିଆ, ମାଆ ଆଦେଶ ଦେଇଛି--ଗାଆଁ ପୂଜା ଦିନ ତୋ ବୋଦା କୁ ନେଇ ପୂଜା ଯାଗାକୁ ଆସିବୁ। କେବଳ ମାଆ ପାଖରେ ଥରେ ଦେଖେଇ ନେଇଯିବୁ। ମୁଣ୍ଡ ଟୁଙ୍ଗାରି ହଁ ଭରିଲା ନରିଆ।

ସେଦିନ ନରିଆର ଘରେ ଖୁସିର ଲହରି ଛୁଟିଥିଲା, କୋଳ କୁ ଟେକି ନେଇ ମନ ଭରି କାଳୁ କୁ ଗେଲ କରି ଚାଲିଲା ସେ। ବୁଲୁ କିଛି ବୁଝି ନ ପାରି କେବଳ ବଲବଲ ଚାହୁଁଥାଏ। ନେତ ବୁଲୁ କୁ କହିଲା-- ଏବେ କାଳୁ ଆମକୁ ଛାଡି କୁଆଡେ ଯିବନି ସେ ସବୁ ଦିନ ଆମ ପାଖରେ ରହିବ। ଆଉ କାଳୁ--- ସେ ଡିଆଁ ମାରି ଘର ସାରା ବୁଲି ନିଜର ଖୁସି ଜାହିର୍ କରିବାରେ ଲାଗି ଯାଇଥିଲା। ସେ ବା କଣ ଜାଣିବ, କେତେ ବଡ ବିପଦରୁ ନେତ ଓ ନରିଆ ତାକୁ ବଞ୍ଚେଇଛନ୍ତି।

ଗାଁଆ ଯାତ୍ରା ଆଉ ଅଳ୍ପ ଦିନ ରହିଲା। ନୂଆ ବୋହୁ ବେଶ ହେବା ପରି ମନ୍ଦିର ସଜେଇ ହୋଇ ଗଲାଣି। ଲୋକଙ୍କ ଘରକୁ ବନ୍ଧୁ କୁଣିଆ ମାନଙ୍କର ଧାଡି ଲମ୍ବିବା ଆରମ୍ଭ ହେଲାଣି। ଆଖପାଖର ପନ୍ଦର ଖଣ୍ଡ ଗାଁଆ ଭିତରେ ସବୁଠାରୁ ବଡ ଯାତ୍ରା ଶରଧାପୁରରେ ହେବ। ସେଦିନ ଗ୍ରାମଦେବତୀ ଝାଙ୍କର ଦେହରେ ଆବିର୍ଭାବ ହେବେ-- ଲୋକଙ୍କ ଦୁଃଖ ଶୁଣିବେ, ଆଶିର୍ବାଦ ଦେବେ। ତାଙ୍କ ଆଗରେ ଶହ ଶହ ବୋଦା ଓ କୁକୁଡାଙ୍କ ବଳି ପଡିବ। ସେ ରକ୍ତ କୁ ମାଆ ଓ ତାଙ୍କ ଅନୁଚର ମାନେ ପିଇବେ। ଯେତିକି ପଶୁପକ୍ଷୀଙ୍କୁ ବଳି ଦିଆ ଯାାଇଥିବ, ସେମାନଙ୍କ ମାଂସରେ ହେବ ବିରାଟ ଭୋଜିର ଆୟୋଜନ। ଗାଁଆ ଲୋକେ ନିଜ ନିଜ କ୍ଷମତା ଅନୁସାରେ ଜିନିଷପତ୍ର ଯୋଗାଇବେ ଓ ଗାଁଆ ଦାଣ୍ଡରେ ଲୋକମାନେ ବସି ଭୋଜି ଖାଇବେ। କାହିଁ କେତେ କାଳରୁ ଏ ପ୍ରଥା ଚାଲି ଆସିଛି। ମାଂସ ଟିକେ ଖାଇବା ଲୋଭରେ ଲୋକେ କାହିଁ କେତେ ଦୂରରୁ ଯାତ୍ରା ଦେଖିବାକୁ ଦଉଡି ଆସନ୍ତି। ସେଦିନ କାହାକୁ ଭୋଜି ଖାଇବାରୁ ବାରଣ କରାଯାଏନି, ତେଣୁ ବାହାର ଗାଁଆ ଲୋକେ ସଞ୍ଜବେଳୁ ଗାଁଆ ଦାଣ୍ଡରେ ପତର ବିଛାଇ ମାଉଁସ ଭୋଜି କୁ ଚାତକ ପରି ଚାହିଁ ରହିଥାାନ୍ତି।

ଯାତ୍ରା ଦିନ ଗାଁଆ ଦାଣ୍ଡରେ ରକ୍ତର ନଦୀ ବୁହେ। ଗାଁଆର ବୁଦ୍ଧିଆ ଲୋକେ କୁହନ୍ତି, ମାଆ ସମ୍ମୁଖରେ ବଳି ପଡୁଥିବା ଜୀବଜନ୍ତୁଙ୍କର କାହିଁ କେତେ ଦିନର ତପସ୍ଯା ସଫଳ ହୁଏ। ସେମାନେ ପଶୁ ପକ୍ଷୀ ଜନ୍ମରୁ ମୁକ୍ତି ପାଇ ଭଲ ଯୋନୀ ରେ ପୁର୍ନଜ୍ଜନ୍ମ ନିଅନ୍ତି। ତାଙ୍କ ଦେହ ରୁ ନିଗିଡି ପଡୁଥିବା ରକ୍ତ ସବୁ ଲୋକଙ୍କର ଦୁଃଖଦୁର୍ଦ୍ଦଶା କୁ ଦୂରେଇ ଦିଏ ଓ ସେମାନଙ୍କ ବଳୀଦାନ ଫଳରେ ଲୋକେ ଦୀର୍ଘାୟୁ ,ସୌଭାଗ୍ଯ ଲାଭ କରନ୍ତି। ଗ୍ରାମଦେବତୀଙ୍କ ପାଖରେ କେତେ ଲୋକଙ୍କର ମାନସିକ ଥାଏ ତାର ହିସାବ ନାହିଁ। ସେମାନଙ୍କ ଭିତରୁ କେତେଜଣ ମାଆର ଆଶିଷ ପାଇଛନ୍ତି ସେ କଥା ଭଗବାନଙ୍କୁ ଜଣା; କିନ୍ତୁ ମାଆ ମନ୍ଦିର ରେ ଅଧିଆ ପଡି ସେମାନେ ବଳି ଯାଚନା କରି ନିଜ ନିଜର ସୁଖ, ସମୃଦ୍ଧି କାମନା କରନ୍ତି। ଲୋକେ କୁହନ୍ତି, ମାଆ ପାଖରେ ବଳି ଯାଚିଲେ, ନ ହେବା କାମ ବି ହୋଇଯାଏ। ତେଣୁ ପ୍ରତି ବର୍ଷ ଅଧିକ ମୁଣ୍ଡ ଗଡେ ମାଆ ପାଖରେ ଓ ଗାଁଆ ଦାଣ୍ଡର ମାଟି ବେଶି ଭିଜେ ତଟକା ରକ୍ତରେ। ଝାଙ୍କର କୁହେ-- – ବଳି ଦେଲା ପରେ ପଶୁ ପକ୍ଷୀ ମାନେ, କଷ୍ଟରେ ନୁହଁ ବରଂ ପ୍ରଣାମ ଜଣାଇବା ଉଦ୍ଦେଶ୍ଯରେ ଗୋଡ ହାତ ଛାଟନ୍ତି । ପାଠଶାଠ ପଢି ନ ଥିବା ନରିଆ ଏତେ କଥା ବୁଝି ପାରେନି। ରକ୍ତ ଦେଖିଲେ ତା ଦେହ ହାତ ଥରେ, ତେଣୁ ସେ କେବେ ବି ବଳି ପଡୁଥିବା ଯାଗା କୁ ଯାଏନି।


ଯାତ୍ରା ହେବା ଯାଗା ପାଖେଇ ଆସିଲାଣି। ନରିଆ ବୁଲୁ କୁ ତାଗିଦ୍ କରି କହିଲା-- କାଳୁ ର ରଶି କୁ ଭଲରେ ଧରି ଥା। ବହୁତ୍ ଭିଡ ହୋଇଛି, ଟିକେ ଆନମନା ହେଲା ସେ ଖସି ଦଉଡି ଯିବ। ବୁଲୁ କୁ ଦୂରରୁ ଶୁଭୁଥାଏ ଢୋଲ, ଘଣ୍ଟ, ମାଦଳ ଓ ତୁରୀ ର ବାଜଣା ର ଧ୍ବନି। ମଝିରେ ମଝିରେ କାହାର ଆର୍ତ୍ତ ଚିତ୍କାର ଓ ଲୋକ ମାନଙ୍କର ପାଟି, ତା ଛାତି ଥରେଇ ଦେଉଥାଏ। ସେସବୁ ର କାରଣ କଣ, ଜାଣିବାକୁ ଚାହିଁବାରୁ ନରିଆ ବୁଝାଇ ଦେଲା-- ମାଆ ଙ୍କ ପାଖରେ ବଳି ଦିଆ ଯାଉଛି। ବଳିର ଅର୍ଥ କଣ ଜାଣିବାକୁ ଚାହିଁବାରୁ ନରିଆ ନିରୁତ୍ତର ରହିଲା। ସେ ନିଜେ ବି ଜାଣିନି ବଳିର ଅର୍ଥ କଣ। ଧିର ସ୍ବରରେ କହିଲା – ପୁଅରେ ମାଆଙ୍କ ପାଖରେ ପଶୁପକ୍ଷୀମାନଙ୍କୁ ମରା ଯାଉଛି। କିନ୍ତୁ ବୁଲୁ ମନରେ ପ୍ରଶ୍ନର ପାହାଡ। ସେ ପୁଣି ପଚାରିଲା-- ବାପା, ଗ୍ରାମଦେବତୀ ପରା ଠାକୁରାଣୀ। ପଶୁ,ପକ୍ଷୀ ,ମଣିଷ ସବୁ ତ ତାଙ୍କରି ସନ୍ତାନ, ତେବେ ତାଙ୍କ ପାଖରେ ପୁଣି ବଳି......।

ଏଥର ଚିଡି ଉଠିଲା ନରିଆ-- ଏତେ କଥା ଜାଣିବା ତୋର କଣ ଦରକାର କହିଲୁ? ତୁ ଯାତ୍ରା ଦେଖ୍ ମଜା କର। ସେସବୁ ଜିନିଷ ରୁ ଆମକୁ କଣ ମିଳିବ। ଜଲଦି ଯାତ୍ରା ଦେଖି, ଘରକୁ ଘୁଙ୍ଗୁର ନେଇ ଫେରିଲେ ତୋ ମାଆ କାଳୁ ବେକରେ ଲଗେଇବ, ଭୁଲି ଗଲୁ ନା କଣ? ଚଞ୍ଚଳ ଗଲେ, ଦେଖିବୁ ଗ୍ରାମଦେବତୀ କେମିତି ଝାଙ୍କର ଦେହରେ ଆସିଛନ୍ତି। ତାଙ୍କୁ ଓଳିଗି ହୋଇ ପାଠ ମାଗିଲେ ସେ ବହୁତ ପାଠ ଦେବେ। ଏଥର ବେଶି ପ୍ରଶ୍ନ ନ ପଚାରି ବୁଲୁ ଡିଆଁ ମାରି ମାରି ଚାଲିଲା। ତା ପଛକୁ କାଳୁ ଖୁସି ରେ ଚାଲୁଥିଲା ; କେଉଁଠି କଅଁଳ ପତ୍ର ଦେଖିଲେ ଦଣ୍ଡେ ରହିଯାଇ ସେତକ ପାଟିରେ ଜାକି ପୁଣି ଚାଲୁଥିଲା। କିଛି ବାଟ ଗଲା ପରେ କାଳୁ ଆଗକୁ ବଢିବାକୁ ଅମଙ୍ଗ ହେଲା ପରି ଲାଗିଲା। ଗୋଟିଏ ଯାଗା ରେ ଛିଡା ହୋଇ ସେ ବୁଲୁ ଧରିଥିବା ଦଉଟି କୁ ଟାଣିବାକୁ ଲାଗିଲା।

ବୁଲୁ ତାକୁ ଗେଲରେ କହିଲା-- କାଳୁ ହେଇ ଦେଖ୍ , ଆମେ ଯାତ୍ରା ପଡିଆକୁ ଆସିଗଲେ । ଏବେ କେତେ ମଜା ହେବ-- ବେଲୁନ, ପେଁକାଳି , କଣ୍ଢେଇ କିଣିବା, ଖଜା ଖାଇବା, ତୋ ପାଇଁ ଘୁଙ୍ଘୁର ବି କିଣିବା। ଯେତେ ଯାହା କହିଲେ ବି କାଳୁ ଅଚଳ ମହାମେରୁ ଛିଡା ହୋଇଛି, ସେ ଜାଗାରୁ ହଲିବାର ନାମ ଧରୁ ନାହିଁ। ଶେଷରେ ନରିଆ କାଳୁକୁ କୋଳରେ ଟେକି ଧରିଲା। ମାତ୍ର କୋଳରେ ଥାଇ ମଧ୍ଯ ସେ ଛାଟିପିଟି ହେଲା-- ସତେକି ସେ ଏକ ନିଶ୍ବାସରେ ଦଉଡି ଘରକୁ ପଳେଇବ, ସେ ସ୍ଥାନରେ ଦଣ୍ଡେ ରହିବାକୁ ତାର ଇଚ୍ଛା ନାହିଁ। ଧିରେଧିରେ ତା ମୁଣ୍ଡକୁ ଆଉଁସିଲା ନରିଆ। ଗେଲ କରି କହିଲା-- ତୋତେ ଖାଲି ମାଆ ଆଗକୁ ଥରେ ନେଇଯିବି ଓ ତା ପରେ ଆମେ ଯାତ୍ରା ବୁଲିବା। ମୋ ସୁନା ଟା ପରା, ବାପା କଥା ମାନିବୁନି? ତା କଥାରେ କି କୁହୁକ ଥିଲା କେଜାଣି, ସୁନା ପିଲା ପରି କାଳୁ ତା କୋଳରେ ବସି ରହିଲା। ଗାଁଆର କିଛି ଲୋକ ନରିଆ କୁ ଦେଖି କହିଲେ-- ଆରେ ନରିଆ, ଯାହା ହେଉ ପିଞ୍ଛାଳିଆ ବୋଦାଟେ ଆଣିଛୁ, ଏମିତି ବଳି ଦେଖି ଗ୍ରାମଦେବତୀ ଖୁସି ହୋଇଯିବେ। ଅନ୍ଯ ଜଣେ ଲୋକ ଦାନ୍ତ ନିକୁଟି କହିଲା-- ଆରେ ଏ ବୋଦା କୁ ଗ୍ରାମଦେବତୀ ଙ୍କୁ ଝାଙ୍କର ଦେଲେ ସିନା ସେ ନେବେ। ଆମ ଗାଁଆ କଣ୍ଟ୍ରାକ୍ଟର ବାବୁକୁ ଏ ବୋଦା ଟା ଦେବ ବୋଲି ଝାଙ୍କର ଆଗରୁ ଜବାବ୍ କରିଛି ପରା। ସେତିକି ଦେଲେ କଣ୍ଟ୍ରାକ୍ଟର ଝାଙ୍କର କୁ କେତେ ବସ୍ତା ସିମେଣ୍ଟ ଦେବ ବୋଲି କଥା ଛିଡିସାରିଛି। ସେ ରାଜନୀତି ବଡ ଗହନ ରେ ଭାଇ, ମୁଣ୍ଡ ଖେଳେଇଲେ ଅସୁବିଧା।

ନରିଆ କିଛି କହିବା ପୂର୍ବରୁ ବୁଲୁ ଚିତ୍କାର କରି କହିଲା-- ସେ ମୋ କାଳୁ, ମୋ ଭାଇ। ତାକୁ ଆମେ ଯାତ୍ରା ବୁଲେଇ ଆଣିଛୁ ବଳି ଦେବା ପାଇଁ ନୁହେଁ। ତୁମେ ସବୁ ଖରାପ ଲୋକ, ସେମିତି ବାଜେ କଥା କଣ ପାଇଁ କହୁଛ?

ସେ ଲୋକ ଗୁଡାକ ଛିଗୁଲାଇ କହିଲେ-- କିରେ ନରିଆ, ତୋର ଏମିତି ବୋଦା ଛୁଆ ଅଛି ବୋଲି ଆଜି ଜାଣିଲୁ। ତୋ ଛୁଆର ମାଂସ ସୁଆଦଟା ଆଜି ସିନା କଣ୍ଟ୍ରାକ୍ଟର ଚାଖିବ, ଆର ସନ କୁ ପୁଣି ଆଉ ଗୋଟେ ବୋଦା ବଳି ଦେବୁ ଯେ ଆମେ ଟିକେଟିକେ ଭୋଗ ପାଇବୁ। ତାଙ୍କ କଥା ଶୁଣି ଭୀଷଣ କ୍ଷତାକ୍ତ ହେଲା ନରିଆ ଓ ବୁଲୁ ରଡି ଛାଡି କାନ୍ଦି ଉଠିଲା। ସେ କାନ୍ଦିକାନ୍ଦି ଘରକୁ ଫେରି ଯିବାକୁ ଅଳି କଲା।

ସେତିକି ବେଳକୁ ଦୃଶ୍ଯ ହେଲା ଶତାଧିକ ବୋଦା ଓ କୁକୁଡାଙ୍କ କଟା ମୁଣ୍ଡ ଭୂଇଁରେ ଲୋଟୁଛି। ଚାରିଦିଗରେ କେବଳ ରକ୍ତର ନଦୀ ବୋହୁଛି। ତା ସାଙ୍ଗକୁ ଶୁଭୁଛି ବିକଳ କ୍ରନ୍ଦନ ଓ ଆର୍ତ୍ତ ଚିତ୍କାର। ଜଣେ ଲୋକ ହାତରେ ଏକ ଧାରୁଆ ଖଣ୍ଡା ଧରି ଗୋଟିଏ ଚୋଟରେ ପଶୁପକ୍ଷୀ ମାନଙ୍କର ମୁଣ୍ଡଗଣ୍ଡି ଅଲଗା କରିଦେଉଛି।

ରକ୍ତନଦୀରେ ଗାଧୋଇ ଝାଙ୍କର ବିକଟାଳ ଚିତ୍କାର କରି କହୁଛି-- ଦିଅ ମୋତେ ବଳି, ଦିଅ ମୋତେ ରକ୍ତ--- ନୋହିଲେ ସମସ୍ତଙ୍କୁ ମାରି ଖାଇଯିବି। ବଡ ଭୟାନକ ଓ ବିଭତ୍ସ ଥିଲା ସେ ଦୃଶ୍ଯ। ନରିଆ ଓ ବୁଲୁ ସେ ଜାଗାରେ ବାନ୍ତି କରି ପକେଇଲେ। ସେ ସମୟରେ କିଏ ଜଣେ ଆସି ନରିଆ କୁ ଟାଣି ନେଲା ଝାଙ୍କର ପାଖକୁ। ନରିଆ ପାଟି କରି କହୁଥାଏ-- ନାଁ ମୁଁ ବଳି ଦେବାକୁ ଆସିନାହିଁ। ମୋ କାଳୁ କୁ ବୁଲେଇବାକୁ ଆଣିଛି। ବୁଲୁ କାନ୍ଦିକନ୍ଦି ଭୂଇଁରେ ଲୋଟି ପଡୁଥାଏ। ମୋ କାଳୁ-- ମୋ କାଳୁ-- କହି ବିକଳରେ ଚିତ୍କାର କରି ଚାଲିଥାଏ। କଣ ହେଉଛି ବୁଝି ନ ପାରି କାଳୁ, ହାତ ଗୋଡ ଛାଟିବା ଆରମ୍ଭ କରି ଦେଇଥିଲା। ସେ ଜାଗାରୁ କୌଣସି ଉପାୟରେ ଖସି ଯିବାକୁ ସେ ଆପ୍ରାଣ ଉଦ୍ଯମ ଚଳାଇଥିଲା। ଅବସ୍ଥା ଏପରି ହେଲା ଯେ, ସେ ନରିଆ ହାତରୁ ତଳକୁ ଡିଆଁ ମାରି ଏଣେ ତେଣେ ଦଉଡିଲା। ଲୋକଙ୍କ କବଳରୁ ନିଜକୁ ଖସାଇ, ନରିଆ ତା ପଛରେ ଗୋଡାଇବାକୁ ଲାଗିଲା। ମାତ୍ର ତଳେ ପଡିଥିବା ରକ୍ତରେ ଗୋଡ ଖସି ଯିବାରୁ ସେ କଚାଡି ହୋଇ ପଡିଲା। ଉଠି ଦେଖିଲା ଜଣେ ଲୋକ କାଳୁକୁ ଜବରଦସ୍ତି ବଳି ଖୁଣ୍ଟ ପାଖକୁ ଘୋଷାରି ନେଉଛି। ବୁଲୁ କୁ ଦୁଇ ଜଣ ଲୋକ ମାଡି ବସିଛନ୍ତି ଓ ମନ୍ଦିର ର ଝାଙ୍କର ପିଶାଚଙ୍କ ପରି ଅଟ୍ଟହାସ୍ଯ କରି ଜିଭ ଲହଲହ କରି କାଳୁ ଆଡକୁ ମାଡି ଯାଉଛି। ସେ ଝାଙ୍କର ଗୋଡ ତଳେ ପଡି ନେହୁରା ହୋଇ କହିଲା-- ମାଆ ଙ୍କ ଆଦେଶ ଅନୁସାରେ ତୁମକୁ ପାଞ୍ଚ ହଜାର ଟଙ୍କା ଦେଲି, ତେବେ କଣ ପାଇଁ ମୋ କାଳୁକୁ ତୁମେ ବଳି ଖୁଣ୍ଟ ପାଖକୁ ନେଉଛ।

ଝାଙ୍କରର ଶକ୍ତ ଗୋଇଠାରେ ସେ ତଳେ ପଡିଗଲା। ଘୋରଘର୍ଘର ନାଦରେ ଝାଙ୍କର କହିଲା-- ମୋତେ ଜାଣି ପାରୁନୁ ମୁର୍ଖ, ମୁଁ ହେଲି ଗ୍ରାମଦେବତୀ। ମୋତେ ରକ୍ତ ଦେ....ମୋତେ ବଳୀ ଦେ...ନୋହିଲେ ତୋ ତଣ୍ଟି କଣା କରିଦେବି। ନରିଆ ଜାଣି ସାରିଥିଲା ଝାଙ୍କର କେବଳ ଅଭିନୟ କରୁଛି ଓ ନିଜ ସ୍ବାର୍ଥ ହାସଲ କରିବାକୁ କାଳୁ କୁ ବଳି ଦେବାପାଇଁ ଟାଣି ନେଉଛି।

ଝାଙ୍କରକୁ ଧକ୍କା ମାରି ସେ କାଳୁ କୁ ବଞ୍ଚାଇବାକୁ ଧାଇଁଲା। କିନ୍ତୁ ହାୟରେ କପାଳ.....ତାକୁ ଲୋକ ମାନେ ଧରି ପକାଇଲେ। ଢୋଲ ଓ ତୁରୀ ବାଜିବାର ଶବ୍ଦରେ କାନର ଅତଡା ଫାଟିଯିବା ପରି ଲାଗୁଥିଲା। କାଳୁ ନିଜର ସମସ୍ତ ଶକ୍ତି ଖଟାଇ ନରିଆ ଆଡକୁ ଚାହିଁ ମେଁ ମେଁ ଡାକିବାରେ ଲାଗିଥିଲା। ତା ଆଖିରେ ଥିଲା ଭୟ ଓ ନିରିହତା। ବିଚରା ବିକଳ ହୋଇ ସତେ ଯେପରି କହୁଥିଲା – ମୋତେ ଏମାନଙ୍କ କବଳରୁ ବଞ୍ଚେଇ ଦିଅ ବାପା, ମାଆ ପାଖକୁ ମୋତେ ନେଇଯାଅ। ମୋତେ ଭୀଷଣ ଡର ଲାଗୁଛି।

କିନ୍ତୁ ନରିଆ ଯେ ଲୋକମାନଙ୍କର ବାହୁ ବନ୍ଧନରେ ଆବଦ୍ଧ, ତାର ହଲିବାର ମଧ୍ଯ ଅବକାଶ ନ ଥିଲା। ବୋଧେ କାଳୁ ଜାଣି ସାରିଥଲା କଣ ହେବାକୁ ଯାଉଛି, ତା ନିରିହ ଆଖିି ଯୋଡିକରେ ଲୁହ ଜକେଇ ଆସୁଥିଲା। ଚାରି ପଟରେ ପଡିଥିବା କଟାମୁଣ୍ଡ ଓ ରକ୍ତ ଦେଖି ତା ଦେହର ଲୋମ ସବୁ ଠିଆ ହୋଇ ଯାଉଥିଲା। ସେ ଜାଣି ପାରିଥିଲା, କିଛି କ୍ଷଣ ମଧ୍ଯରେ ତା ମୁଣ୍ଡ କଟି ଭୂଇଁରେ ଲୋଟିବ। ଶେଷ ଥର ପାଇଁ ସମସ୍ତ ଶକ୍ତି ଖଟାଇ କାଳୁ ଛାତି ଥରାଇ ଦେବା ପରି ଚିତ୍କାର କଲା ମାଁ........ମାଁ..........ସେତିକି ବେଳକୁ ତା ବେକରେ ପଡିଲା ଖଣ୍ଡାର ଶକ୍ତିଶାଳୀ ଚୋଟ। ତା ଆଖିର ଲୁହ ସହିତ ମୁଣ୍ଡଟି କଟି ଭୂଇଁରେ ପଡିଗଲା। ମୁଣ୍ଡବିହୀନ ଗଣ୍ଡିଟି କିଚି ସମୟ ଛଟପଟ ହେବା ପରେ ନିଶ୍ଚଳ ହୋଇଗଲା। ଜଣେ ଲୋକ ରକ୍ତ ଝରୁଥିବା କଟା ମୁଣ୍ଡ ଧରି ଝାଙ୍କର ପାଖରେ ଟେକି ଧରି କହିଲା-- ନେ ମାଆ ରକ୍ତ ନେ.... ନେ ତୋ ବଳି। ନରିଆ ଏବେ ବି ଦେଖି ପାରୁଥିଲା କାଳୁର ନିର୍ଜୀବ ଆଖି ଯୋଡିକ ତା ଆଡକୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲା। ତା ମୁଣ୍ଡ କଣ ହୋଇଗଲା ଓ ସେ ଚିତ୍କାର କରି କହିଲା-- ଅସୁର ମାନେ ମୋ ପୁଅ କୁ ମାରିଦେଲେ। କାହାର ବିଧା ଗୋଇଠା ମାଡରେ ସେ ଅଚତ ହୋଇ ସେହି ରକ୍ତଭିଜା ମାଟିରେ ପଡିଗଲା।

ନରିଆ ଅଚେତ ବୁଲୁ କୁ ଧରି ଘରକୁ ଫେରିଲା। ନେତ ପିଣ୍ଡାରେ ସେମାନଙ୍କର ଆସିବାକୁ ଅପେକ୍ଷା କରି ରହିଥିଲା। ଏକ ସାନ ପାଛିଆରେ ସଜ ଦୁବ ଘାସ ତୋଳି ଚାହିଁ ରହିଥିଲା କାଳୁ କୁ ଖୁଆଇବା ପାଇଁ। ମନରେ ତାର କେତେ ସ୍ବପ୍ନ ଥିଲା, କାଳୁ ବେକରେ ଘୁଙ୍ଘୁର ବାନ୍ଧିଲେ ସେ କେମିତି ଡେଇଁବ, ନାଚ କରିବ, ଝୁଣୁଝୁଣୁ କରି ଘର ସାରା ବୁଲିବ.....ଏମିତି କେତେ କଣ। ହଠାତ୍ ନରିଆ କୁ ଏ ଅବସ୍ଥାରେ ଦେଖି ସେ ଚମକି ପଡିଲା। ପାଖକୁ ଦଉଡି ଆସି କାଳୁକୁ ପରସ୍ତେ ଖୋଜି ସାରି ପଚାରିଲା-- ମୋ କାଳୁ କୁଆଡେ ଗଲା? କେଉଁଠି ଛାଡିଲ ତାକୁ? ମୋ ପୁଅ କୁ ସାଙ୍ଗରେ ନ ଆଣି କୁଆଡେ ହଜାଇଦେଲ? କଣ ହେଲା ମୋ ପୁଅର? କେତେ ନେହୁରା ହୋଇ କହିଥିଲି ତାକୁ ଯାତ୍ରା ଯାଗା କୁ ନିଅନି, ମୋ କଥା ଟିକେ ବି ଶୁଣିଲନି?

ନରିଆ ବୁଲୁ କୁ ପିଣ୍ଡାରେ ଶୁଏଇ ଦେଇ ଭୋ ଭୋ କାନ୍ଦି କହିଲା --- ସେମାନେ ଆମ ବୁଲୁ କୁ ମାରିଦେଲେ ନେତ, ଆମ ବୁଲୁ କୁ ଜବରଦସ୍ତି ବଳି ଦେଇଦେଲେ। ଅସୁର ମାନେ ମୋ ପୁଅ କୁ କୋଳରୁ ଛଡେଇ ନେଇ ହାଣିଦେଲେ। ମୁଁ ପାପୀ ସେ ଝାଙ୍କର କଥାରେ ବିଶ୍ବାସ କରି କେତେ ବଡ

ଭୁଲ କରିଦେଲି ନେତ....

ଅଗଣାରେ ଥବା କୂଅ ଭିତରେ କିଛି ପଡିବାର ଶବ୍ଦ ଶୁଣି ନରିଆ ଚାରି ଆଡକୁ ଦେଖିଲା ବେଳକୁ ନେତ ତା ପାଖରେ ନାହିଁ। ସେ ପ୍ରାଣବିକଳରେ କୂଅ ପାଖକୁ ଦଉଡିଲା.........

ସେଦିନ ଗ୍ରାମଦେବତୀଙ୍କ ପୂଜାରେ ନରିଆ ପରିବାରରୁ କେତେ ଗୋଟି ବଳି ପଡିଥିଲା ବୋଲି, ଗାଁଆ ଲୋକଙ୍କ ଭିତରେ ଢେର୍ ଦିନ ଯାଏଁ ଆଲୋଚନା ଚାଲିଲା।

– ସମାପ୍ତ --


Rate this content
Log in

Similar oriya story from Tragedy