ଓଡିଆ ଶିଶୁ ଗପ

Children


2  

ଓଡିଆ ଶିଶୁ ଗପ

Children


ବାଘ ଏବଂ ସୁବର୍ଣ୍ଣ କଙ୍କଣ

ବାଘ ଏବଂ ସୁବର୍ଣ୍ଣ କଙ୍କଣ

3 mins 8.0K 3 mins 8.0K

ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲା । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖିଲା ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣକୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି । ପୁଣି ବାଘ ହାତରେ ଏକ ସୁବର୍ଣ୍ଣ କଙ୍କଣ ଧରିଛି । କଙ୍କଣଟିରେ ସୂର୍ଯ୍ୟ କିରଣ ପଡୁଥିବାରୁ ବେଶ୍ ଝଲ୍ମଲ୍ ଦେଖାଯାଉଛି । ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ବ୍ରାହ୍ମଣ ମନରେ ଲୋଭ ଜାତ ହେବା ସ୍ୱାଭାବିକ୍ କଥା । କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବ କିପରି? ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାଏ ।

କିଛି ସମୟ ପରେ ବାଘଟି ବ୍ରାହ୍ମଣକୁ କହିଲା, “ହଇରେ ବ୍ରାହ୍ମଣ! ମୁଁ ଏଠାରେ ଘାସ ଖାଉଥିବାର ଦେଖିତୁ ଆଶ୍ଚର୍ଯ୍ୟ ହୋଇ ଯାଇଥିବୁ । ତା’ପରେ ତୋତେ ମୋହାତରେ ସୁବର୍ଣ୍ଣ କଙ୍କଣ ଦେଖି ଆହୁରି ଆଶ୍ଚର୍ଯ୍ୟ ଲାଗୁଥିବ । ମୁଁ ତୋତେ ଏହି କଙ୍କଣଟି ଦେବାକୁ ଚାହୁଁଛି । ମୋ ପାଖରେ ଏହି ଜିନିଷଟି ରହି କ’ଣ ଲାଭ? ବରଂ ଜଣେ ମନୁଷ୍ୟକୁ ଏହା ଦାନ କଲେ ଜିନିଷଟି ତା’ର କାମରେ ଆସିବ । ତୁ ମୋ ଠାରୁ ଏହା ଗ୍ରହଣ କର । ମୋତେଏକ ହିଂସ୍ରଜନ୍ତୁ ବୋଲି ଭାବି ତୁ ବୋଧହୁଏ ଭୟ କରୁଥାଇପାରୁ । ମୁଁ ମୋର ଯୁବକ ଅବସ୍ଥାରେ ବହୁ ବନ୍ୟଜନ୍ତୁ, ମନୁଷ୍ୟ ମାନଙ୍କୁ ମାରି ଖାଇଛି । ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥିଲି । ଥରେ ଜଣେ ସାଧୁଙ୍କ ସହିତ ମୋର ପରିଚୟ ହେଲା । ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ । ସାଧୁ ମହାତ୍ମାଙ୍କ ଉପଦେଶମାନି ମୁଁ ନିରାମିଶାଷୀ ପାଲଟି ଯାଇଛି । ପ୍ରତିଦିନ ମୁଁ ଏହି ନଦୀରେ ଗାଧୋଇ ସାରି ନଦୀ କୂଳରେ ଥିବା ଘାସକୁ ଖାଏ । ବୋଧହୁଏ ସେଇଥିପାଇଁ ମୋର ଦାନ୍ତ ଏବଂ ପଂଝା ଗୁଡିକ ନଷ୍ଟ ହୋଇଗଲାଣି ।” ମୋ କଥା ଶୁଣିସାରିବା ପରେ ତୁ ତଥାପି ମୋତେ ବିଶ୍ୱାସ କରିପାରୁନୁ । ଦୟାକରି ମୋତେ ତୁ ବିଶ୍ୱାସ କର । ମୋଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ ପତ୍ନୀ କୁ ଦେଇଦେ । ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ ।

ବିଶ୍ୱାସ ଜନ୍ମାଇବା ପାଇଁ ବାଘଟି ବ୍ରାହ୍ମଣକୁ କହିଲା, “ହେ ବ୍ରାହ୍ମଣ! ତୁ ଆଜିପର୍ଯ୍ୟନ୍ତ ଜୀବନର ମାୟା ଛାଡିପାରିନୁ । ଜୀବନ କ୍ଷଣସ୍ଥାୟୀ । ତଥାପି ମଧ୍ୟ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ । ମୁଁ ଜାଣିପାରୁଛି ତୁ ଦ୍ୱନ୍ଦ୍ୱରେ ପଡିଯାଇଛୁ । ଏହି ସୁବର୍ଣ୍ଣ କଂକଣଟି ନିଶ୍ଚୟ ତୋର ଦରକାରରେ ଆସିବ । ଲୋକେ କହନ୍ତି ବ୍ରାହ୍ମଣ ଉଚ୍ଚ ଜାତି; ସେମାଙ୍କୁ ଦାନଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, କାରଣ ଭଗବାନଙ୍କ ସହ ସେମାନଙ୍କର କୁଆଡେ ସିଧା ସମ୍ପର୍କ ଅଛି ବୋଲି ସ୍ୱୟଂ ବ୍ରାହ୍ମଣମାନେ ହିଁ କୁହନ୍ତି । ସାଧାରଣ ଲୋକଙ୍କୁ ଦେବା ଅପେକ୍ଷ୍ୟା ତୋତେ ଦେଲେ ଭଗବାନ ଅଧିକ ଖୁସି ହେବେ, ତେଣୁ ଏ କଙ୍କଣ ମୁଁ ତୋତେ ଦେଇ ପୁଣ୍ୟ ଆର୍ଜିବାକୁ ଚାହୁଁଛି । ତୁ ଯଦି ଏହାକୁ ମୋ ଠାରୁ ଗ୍ରହଣ ନକରିବୁ, ତା’ହେଲେ ମୁଁ ଏହାକୁ ଅନ୍ୟ କାହାକୁ ଦାନ କରିଦେବି । ବାଘର କଥାଶୁଣି ବ୍ରାହ୍ମଣ ସଂଗେ ସଂଗେ କହିଲା, “ଦେଖ! ତୁମେ ଏହାକୁ ଅନ୍ୟ କାହାକୁ ଦାନ କରିବା ଦରକାର ନାହିଁ । ତୁମର କଥାବାର୍ତ୍ତା ଶୁଣିବାପରେ ମୋର ତୁମ ପ୍ରତି ଅବିଶ୍ୱାସ ଥିଲେ ମଧ୍ୟ କିଛି କିଛି ବିଶ୍ୱାସ ଜାତ ହେଉଛି ।”

ଏହାପରେ ବାଘ କହିଲା, “ହଇରେ ବ୍ରାହ୍ମଣ! ପ୍ରଥମେ ତୁ ନଦୀରେ ସ୍ନାନ ସାରି ଆସିବା ପରେ ମୁଁ ତୋତେ ଏହାକୁ ଦାନ କରିବି ।” ବ୍ରାହ୍ମଣ ତ’ମନ ଭିତରେ ବାଘକୁ ଅବିସ୍ୱାଶ କରୁଥାଏ । ସେ ଚିନ୍ତାକଲା ବୁଢା ବାଘଟି ତ ତାହାର କିଛି କ୍ଷତି କରିପାରିବନି, ନଦୀରେ ବୁଡ଼ଟାଏ ମାରିସାରିବାପରେ ଦେଖିବା ସେ କଣ କହୁଛି । ଏହା ଭାବି ସେ ସଂଗେ ସଂଗେ ନଦୀକୁ ଗାଧୋଇବା ପାଇଁ ଚାଲିଲା । ଧୀରେ ଧୀରେ ନଦୀରେ ପ୍ରବେଶ କଲା । ମାତ୍ର ଏ କଣ? ନଦୀଟିରୁ ବୁଡ ମାରି ଉଠିବା ପରେ ଦେହସାରା ପଙ୍କ କାଦୁଅ ବୋଳି ହୋଇଯାଇଛି । ଦେହ ଏତେ ଭାରୀ ହୋଇଯାଇଛିଯେ ଗୋଡ ଉଠାଇ ଚାଲିବା ମଧ୍ୟ କଷ୍ଟକର ହୋଇପଡୁଛି । ବାଘଟି ତ’ ସୁଯୋଗ ଅପେକ୍ଷାରେ ଥାଏ । ସେ ଯେମିତି ବ୍ରାହ୍ମଣର ଏପରି ଅବସ୍ଥା ଦେଖିଲା, ସଂଗେ ସଂଗେ ତା’ ଉପରକୁ ଝାମ୍ପ ମାରି ନଖ ଓ ଦାନ୍ତ ନଥାଇ ମଧ୍ୟ ତାକୁ ଖଣ୍ଡିଆ ଖାବରା କରି ମାରିଦେଲା । ତେଣୁ କଥାରେ କୁହାଯାଇଛି, “ବିଦ୍ୱାନପୁତ୍ର, ଶୃଙ୍ଖଳିତ ପତ୍ନୀ, ପ୍ରଜାମାନଂକୁ ସୁଶାସନ ପ୍ରଦାନ କରୁଥିବା ରାଜା, କଥା କହିବା ପୂର୍ବରୁ ଚିନ୍ତା କରୁଥିବା ବ୍ୟକ୍ତି, ହଜମ ହେଉଥିବା ଖାଦ୍ୟ ଏବଂ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଶତ ବାର କାର୍ଯ୍ୟ ସଂପର୍କରେ ଚିନ୍ତା କରୁଥିବା ବ୍ୟକ୍ତି କଦାପି ବିପଦର ସମ୍ମୁଖୀନ ହୁଏ ନାହିଁ । ବ୍ରାହ୍ମଣଟି ଯଦି ଲୋଭର ବଶବର୍ତ୍ତୀ ନହୋଇ କିଛି ସମୟ ଚିନ୍ତା କରିଥାଆନ୍ତା ତା’ହେଲେ ତାକୁ ମୃତ୍ୟୁବରଣ କରିବାକୁ ପଡିନଥାନ୍ତା । କଥାରେ ଅଛି ପରା “ଲୋଭରୁ ପାପ, ପାପରୁ ମୃତ୍ୟୁ” । କପଟୀ, ମିଛୁଆ, ଲାଞ୍ଚୁଆ, ଧୂର୍ତ୍ତ, ଭଣ୍ଡ ଓ ଲୋଭି ଜାତି ସର୍ବଦା ପ୍ରଥମେ ତ ସୁଖ ପାଆନ୍ତି କିନ୍ତୁ ପରେ ଦୁଃଖ ପାଆନ୍ତି ।


Rate this content
Originality
Flow
Language
Cover Design