Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହଳଦୀ ବସନ୍ତ
ହଳଦୀ ବସନ୍ତ
★★★★★

© Swagatika Mishra

Inspirational

7 Minutes   561    10


Content Ranking

ବହୁତ ଦିନ ହେଲା ଭଲ ଶାଢୀ ଟିଏ କିଣା ହୋଇନି।ତେଣୁ କଞ୍ଜୁସ... ମଖିଚୁସ ପରି ଭୀଷଣ ଅଭିଯୋଗ ଆଣିବା ସହ ଶ୍ରୀମୟୀ ସାମାନ୍ୟ ରୋଷ କରି ବସିଲେ।ସ୍ୱାମୀ ଚିନ୍ମୟ ଯଦିଓ ଟିକେ କଞ୍ଜୁସ ତଥାପି ପତ୍ନୀଙ୍କର ଏହି କଟୁକ୍ତି ତାଙ୍କୁ ଅସହ୍ୟ ବୋଧ ହେଲା।ଅଫିସ ରୁ ଆସିଲା ପରେ ଶ୍ରୀମୟୀ ଙ୍କର ଚମ୍ପା ଫୁଲିଆ ହସ ବଦଳରେ ଆଜି ଉତ୍ତପ୍ତ ଲାଭା ଉଦ୍ଗିରଣ ଦେଖି ଚାଆ ଟା ଦି ଢ଼ୋକରେ ସାରି ଦେଇ ମଟର ସାଇକେଲ ଟା ଛୁଟେଇ କୁଆଡେ ଚାଲିଗଲେ।ପ୍ରାୟ ଦୁଇ ତିନି ଘଣ୍ଟା ପରେ ଚିନ୍ମୟ ଫେରିଲେ।କବାଟ ଖୋଲିଲା ବେଳେ ଶ୍ରୀମୟୀ ନଜର କଲେ ଚିନ୍ମୟଙ୍କ ହାତରେ ଗୋଟେ ଶାଢ଼ୀ ବ୍ୟାଗ।ଭାରି ଖୁସିରେ ବ୍ୟାଗ ଟାକୁ ଉଣ୍ଡି ପକାଇଲେ ଶ୍ରୀମୟୀ।

--ଇ ମାଆ!ତମେ ମୋ ପାଇଁ ଶାଢ଼ୀ ଆଣିଛ?ଦେଖି ଦେଖି ଶାଢ଼ୀ ଟା।

ବ୍ୟାଗ ଟି ଖୋଲି ସାରିବା ପରେ କିନ୍ତୁ ଶ୍ରୀମୟୀଙ୍କ ମନ ଟା ପୁରା ଆମ୍ବିଳା ହୋଇ ଗଲା।କହୁ କହୁ ଶ୍ରୀମୟୀ କହି ପକାଇଲେ

--ହଇଓ!ତୁମକୁ କଣ ଆଉ କିଛି ରଙ୍ଗ ମିଳେନି!ଯେତେ ବେଳେ ଆଣିଲ ଏଇ ହଳଦୀ ରଙ୍ଗ ଆଣିଲ!ବୁଝିଲ ତମର ଏଇ ଫାଲତୁ ପସନ୍ଦ ପାଇଁ କଲୋନୀ ସାରା ଲୋକ ମତେ ହଳଦୀ ବସନ୍ତ ବୋଲି କହି ବୁଲି ଲେଣି।

ଚିନ୍ମୟ ଏବେ ଯାଏଁ ଧୈର୍ଯ୍ୟ ଧରି ଚୁପ ଥିଲେ କାଳେ ଶାଢ଼ୀ ପାଇଁ କେତେବେଳେ ପ୍ରସଂଶା ଟିକେ ମିଳି ଯିବ।ହେଲେ ଆଉ ରହି ପାରିଲେନି।ଶାଢ଼ୀ ଆଣିବ ପୁଣି ଗାଳି ଶୁଣିବ!ବାଧ୍ୟ ହେଇ ମୁହଁ ଖୋଲିଲେ।

--ତମେ ଯୋଉ ସବୁ ବେଳେ ମତେ ଆକାଶୀ ରଙ୍ଗ ର ସାର୍ଟ ଆଣି ଦଉଚ ସେଥି ପାଇଁ ପରା ପୁରା କଲୋନୀ ଲୋକ ମତେ ଚିନ୍ମୟ ସାର ବଦଳ ରେ ଆକାଶିଆ ସାର ଡାକି ଲେଣି।ଖୁସିରେ ଆଣିଦେଲି ତମକୁ ପସନ୍ଦ ଆସିବ ବୋଲି।ହଳଦୀ ରଙ୍ଗ ଶାଢ଼ୀକୁ ନୀଳ ରଙ୍ଗର ପାଢ଼ୀ।କେଡେ ସୁନ୍ଦର ଲାଗୁଚି ଦେଖିଲ!ପୁରା ଆଠ ହଜାର ଟଙ୍କାର ସମ୍ବଲପୁରୀ ପାଟ୍ଟ ଶାଢ଼ୀ ଟା।ତମକୁ କିନ୍ତୁ ଗନ୍ଧଉଛି।ଘୁଷୁରୀ କୁ କଣ ପାଚିଲା କଦଳୀ ଭଲ ଲାଗେ?

-ହେଇଟି କହି ଦଉଚି ମତେ ଘୁଷୁରୀ କହିବନି।ଏଇ ଘୁଷୁରୀ କୁ ତମେ ହିଁ ପସନ୍ଦ କରି ଆଣି ଥିଲ।ତମେ ମତେ ନ ନେଇ ନିଜ ମନ ଇଛା କିଣିବ ସେଥିରେ ସବୁ ଦୋଷ ମୋର।ଆରେ କିଛି ନ କହିଲରୁ!ଗଣି ଗଣି କି ଛଅ ଖଣ୍ଡ ହଳଦୀ ରଙ୍ଗ ଶାଢ଼ୀ ହେଲାଣି।ଆଉ ବୟସ ଅଛି ଏଇ ହଳଦୀ ରଙ୍ଗର ଶାଢୀ ପିନ୍ଧିବି!ଛି ଛି ଲୋକ ମତେ ମଧୁବାଲା କହିବେ।ଏତକ ଏକ ନିଶ୍ୱାସ ରେ କହି ଦେଇ ସବୁ ସ୍ତ୍ରୀ ଲୋକ ମାନଙ୍କ ଭଳି ଶ୍ରୀମୟୀ ଶାଢ଼ୀ ଟିକୁ ଖୋଲି ମନ ଦେଇ ଦେଖିବା ଆରମ୍ଭ କଲେ।ଆଉ କିଛି ସମୟ ପରେ ରାଗରେ ଗର ଗର ହେଇ ଝପଟି ଆସି ଶାଢ଼ୀ ଟିକୁ ଆଣି ଚିନ୍ମୟଙ୍କ ଆଖି ପାଖରେ ମାଡି ଦେଉ ଦେଉ କହିଲେ

--ହଇଓ ତମ ଆଖି ନା ସେ ବୋତାମ!ଆରେ ଏଇ ଶାଢ଼ୀ କାନୀ ପାଖରେ ଏମିତି ଗୋଟେ ଦାଗ ଅଛି ତମକୁ କଣ ଦେଖା ଗଲାନି?ଗଲା ପୁରା ଆଠ ହଜାର ବରବାଦ।

ଚିନ୍ମୟ ମଧ୍ୟ ଧ୍ୟାନର ସହ ଦେଖିଲେ।ଆଉ ମୁହଁ କୁ ଟିକେ ସୁଖେଇ କହିଲେ ହଉ ଦାଗ ଯଦି ଅଛି ଶାଢ଼ୀଟା ଫେରେଇଦେବା କାଲି,ହେଲେ ଭାରି ସୁନ୍ଦର ଦିଶୁ ଥିଲା ଶାଢ଼ୀଟା।ତମର ତ ଇଛା ନାହିଁ ତେଣୁ ଫେରେଇ ଦେବା ଟା ଠିକ ହେବ।

ଶ୍ରୀମୟୀ ଙ୍କ ମୁହଁ ଟିକେ ଉଜ୍ଜ୍ଵଳ ଦିଶିଲା।ଖୁସି ହେଇ କହି ପକାଇଲେ କାଲି ମତେ ଟିକେ ଦୋକାନ ଆଡେ ନେଇ ଯାଅନ୍ତନି।ମୁଁ ବି ଶାଢ଼ୀଟା ବଦଳେଇ ମୋ ପସନ୍ଦ ର ନୂଆ ଶାଢ଼ୀଟାଏ ଆଣନ୍ତି।

ଏଥର କିନ୍ତୁ ଚିନ୍ମୟ ଦୋକାନ ଟି ବହୁ ଦୂରରେ ବୋଲି ଦର୍ଶାଇ ରୋକ ଠୋକ ମନା କରିଦେଲେ ଏବଂ ଚୁପ ଚାପ ତାଙ୍କ ଅତି ଅପ୍ରିୟ ଘାସ ତରକାରୀ ମାନେ ବନ୍ଧା କୋବି ଆଉ ରୁଟିରେ ମନ ଦେଲେ।ଶ୍ରୀମୟୀ ଚିନ୍ମୟଙ୍କ ମୂଡ଼ ଦେଖି ଆଉ କଥା ଟାକୁ ବଢ଼େଇଲେ ନାହିଁ।ଏଇ ହଳଦୀ ରଙ୍ଗରୁ ତ ତାଙ୍କୁ ମୁକ୍ତି ମିଳିବ ସେ ଆଉ ଯୋଉ ରଙ୍ଗ ହେଉ ପଛେ।ଏଲୋ ରଙ୍ଗ ଟା ତାଙ୍କୁ ପୁରା ପୁରୁଣା କାଳିଆ ଲାଗେ।ଆସନ୍ତା କାଲି ଚିନ୍ମୟଙ୍କ ସହ ମାର୍କେଟ ଯିବା କଥାଟା କଥା ହେବେ ବୋଲି ମନରେ ଭାବି ସେ ମଧ୍ୟ ରାତ୍ରି ଭୋଜନ ରେ ଧ୍ୟାନ ଦେଲେ।

ପରଦିନ ସକାଳୁ ଅଫିସ ଯିବା ସମୟ ରେ ସାଥିରେ ନେଇ ଗଲେ ଏଲୋ ରଙ୍ଗର ଶାଢ଼ୀଟା।କିନ୍ତୁ ନା ଶ୍ରୀମୟୀ କୁ ଡାକିଲେ ନା କିଛି କହିଲେ।ଶ୍ରୀମୟୀ ମଧ୍ୟ ଯିବା ପାଇଁ ବେସି ଜିଦ କଲେ ନାହିଁ।ସନ୍ଧ୍ୟା ବେଳକୁ ଫେରିଲା ବେଳେ ସାଥିରେ ନେଇ ଆସିଥାନ୍ତି ଗୋଟେ ଗାଢ଼ ବାଇଗଣୀ ଆଉ ଗୋଲାପୀ ମିଶା ଶାଢ଼ୀ ଟିଏ।ଖୁବ ଖୁସି ହେଇ ଗଲା ଶ୍ରୀମୟୀ ନୂଆ ଶାଢ଼ୀ ଟାକୁ ଦେଖି।ଭାରି ପ୍ରସଂଶା କଲା ଚିନ୍ମୟଙ୍କ ପସନ୍ଦର।

ଚିନ୍ମୟ ଭାବୁ ଥିଲା ଯିଏ ଗଲା କାଲି ତାକୁ ତା ପସନ୍ଦକୁ ଏତେ ନିନ୍ଦା କରୁଥିଲା ସେ ପୁଣି ଆଜି ତାର ପ୍ରସଂଶାରେ ସତମୁଖ।ସେ ଯାହା ବି ହଉ ଆଜି କିନ୍ତୁ ତା ପ୍ରିୟ ପୁରୀ ଆଉ ଆଳୁ କସା କୁ ଶାନ୍ତିରେ ଉଦରସ୍ଥ କରି ଶୋଇବାକୁ ଯାଉ ଯାଉ ହଠାତ ଚିନ୍ମୟଙ୍କ ଫୋନ ଟା ବାଜି ଉଠିଲା।ଫୋନ ରେ କଥା ହେବା ପରେ ଚିନ୍ମୟ ଖୁବ ବ୍ୟସ୍ତ ବିବ୍ରତ ହେଇ ପଡିଲେ ଓ ଏଇଠୁ ଆସୁଛି କହି ଏବଂ ଶ୍ରୀମୟୀର କୋୖଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ସମୟ ନାହିଁ ବୋଲି ଦର୍ଶାଇ ତର ତର ହେଇ ଚାଲିଗଲେ ଯେ ଫେରିଲେ ପର ଦିନ।

ସକାଳୁ ଶ୍ରୀମୟୀର ଉଷୁନା ହାଣ୍ଡି ପରି ମୁହଁ ଦେଖି ନିଜ ଭୁଲ ବୁଝିବା ବଦଳରେ ଆହୁରି ବିରକ୍ତ ହୋଇ ପଡିଲେ ଚିନ୍ମୟ।ଦୁଇ ପତି ପତ୍ନୀଙ୍କ ମଧ୍ୟରେ କଥା କଟକାଟି ଆଉ ତା ପରେ ବାକ ଯୁଦ୍ଧ।ଶ୍ରୀମୟୀ ଙ୍କୁ ମଧ୍ୟ ଯେତେ ବୁଝାଇଲେ ସେ ବୁଝିବାକୁ ନାରାଜ।ଏବେ ଶ୍ରୀମୟୀ ଙ୍କ ମନରେ ସନ୍ଦେହ ବସା ବାନ୍ଧି ସାରିଥାଏ।ଶ୍ରୀମୟୀ ଙ୍କ ଆଖି ଆଗରେ ଚିନ୍ମୟ ଗୋଟେ ଅପରାଧୀ ର ପରିଚୟ ନେଇ ବଞ୍ଚୁଥାନ୍ତି।ଯଦିଓ ବହୁ ଥର ଘଟଣା ଟିକୁ ଠିକ ଭାବରେ ବୁଝାଇବା ପାଇଁ ଚିନ୍ମୟ ଚେଷ୍ଟା କରୁଥିଲେ ତଥାପି ଶ୍ରୀମୟୀଙ୍କ ଆଖିର ଅବିଶ୍ୱାସର ଅନ୍ଧ ପୁଟୁଳି ନା ତାଙ୍କୁ କିଛି ଦେଖାଇ ଦେଉଥିଲା ନା ଶୁଣେଇ ଦେଉଥିଲା!ପାରିବାରିକ ଅଶାନ୍ତି ଗଣ୍ଡଗୋଳର ଶେଷ ସୀମା ସେଇ ଦିନ ପାର କରି ଯାଇଥିଲା ଯେଉଁ ଦିନ ରାୟ ବାବୁଙ୍କ ଫୋନ ନମ୍ବରରୁ ସୁ ମଧୁର ବାବୁଆଣୀଙ୍କ ସ୍ୱର ଭାସି ଆସିବା ନିଜ କାନରେ ଶ୍ରୀମୟୀ ଶୁଣି ଥିଲା।ଚିନ୍ମୟ ମଧ୍ୟ ଫୋନ ପାଇବା ପରେ କୌଣସି ସମୟ ନଷ୍ଟ ନକରି ଶ୍ରୀମୟୀ ଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ଘରୁ ବାହାରି ଯାଇଥିଲେ।

ସବୁ ବିଶ୍ୱାସ ମହମ ପରି ତରଳି ଆସିଥିଲା ଶ୍ରୀମୟୀ ଙ୍କର।ଆଉ ଗୋଟାଏ ମୁହୂର୍ତ୍ତ ସେ ଚିନ୍ମୟ ସହ ରହିବାକୁ ଚାହୁଁ ନଥିଲେ ବି ପିଲାଟା ମୁହଁକୁ ଚାହିଁ ପଡି ରହିଥିଲେ ଶ୍ରୀମୟୀ।ଗୋଟେ ଛାତ ତଳେ ରହିଲେ ବି ଉଭୟ ଙ୍କ ଭିତରେ କଥାବାର୍ତ୍ତା ପ୍ରାୟ ବନ୍ଦ ହୋଇ ସାରିଥିଲା।ଖାଲି ମୁହଁ ଫୁଲା ଫୁଲି ଆଉ ଦୋଷ ଦିଆ ନିଆ ଭିତରେ ବିଚରା କେବେ କେବେ ଭୋକିଲା ରହିଯାଏ ପୁଅଟା।ଶ୍ରୀମୟୀ ମଧ୍ୟ ଛାଡିବା ଲୋକ ନୁହେଁ। ରାୟ ବାବୁଙ୍କ ବାବୁଆଣୀର ଖବର ନେବାରେ ପୁରା ଲାଗି ପଡ଼ିଥାନ୍ତି।

ବିଲେଇ କପାଳ କୁ ସିକା ଛିଡିବା ପରି ସେଦିନ ରବି ବାର ଥାଏ।ଚିନ୍ମୟ ହଠାତ ଆସି ଅନୁରୋଧ କଲେ ତାଙ୍କ ବନ୍ଧୁ ରାୟ ବାବୁଙ୍କର ଗୋଟେ ପାର୍ଟି କୁ ଯିବା ପାଇଁ।ଯଦିଓ ଶ୍ରୀମୟୀ ଚାହୁଁ ନଥିଲେ ଚିନ୍ମୟଙ୍କ ସହ ଯିବା ପାଇଁ ତଥାପି ରାୟ ବାବୁ ଙ୍କ ନାଁ ଟା ଶୁଣୁ ଶୁଣୁ କାଳେ ବାବୁଆଣୀ ଓରଫ ସୌତୁଣୀଙ୍କ କିଛି ଖବର ମିଳିଯିବ ସେ ଉଦ୍ଧେଶ୍ୟ ରେ ଯିବା ପାଇଁ ହଁ ଭରିଲେ।ଗଲା ବେଳେ ଚିନ୍ମୟ ଆଣିଥିବା ବାଇଗଣୀ ରଙ୍ଗ ଶାଢ଼ୀ ଟିକୁ ପିନ୍ଧି ଯଥା ସମୟରେ ପାର୍ଟିରେ ପହଁଚିଲେ।

ପାର୍ଟିଟି ଯଦିଓ ବେସି ଚକ ଚକିଆ ନ ଥିଲା ତେବେ ଏତେ ଖରାପ ବି ନଥିଲା।ରଙ୍ଗୀନ ଆଲୁଅ ଆଉ ମୃଦୁ ପାନୀୟ ମଜା ଉଠାଉ ଉଠାଉ ଶ୍ରୀମୟୀ ଦେଖିଲେ ଆଉ ଏକ ଦୃଶ୍ୟ।ଚିନ୍ମୟ ତା ପାଇଁ ଆଣିଥିବା ସେଇ ଅବିକଳ ହଳଦୀ ରଙ୍ଗ ପାଟ୍ଟ ଶାଢ଼ୀଟା ପିନ୍ଧି ଆସି ପହଁଚିଲେ ଜଣେ ସ୍ତ୍ରୀ ଲୋକ।ଭଦ୍ର ମହିଳା ଜଣଙ୍କ ଶ୍ରୀମତୀ ରାୟ ବୋଲି ଚିନ୍ମୟ ଶ୍ରୀମୟୀଙ୍କୁ ଚିନ୍ହଆଇ ଦେବାପରେ ଜଳ ଜଳ କରି ଶ୍ରୀମତୀ ରାୟଙ୍କୁ ଶ୍ରୀମୟୀ ଅନେଇବା ସହ ଆଶଙ୍କାରେ ପୁଣି ଆଖି ବୁଲେଇ ଆଣିଲେ ଶାଢ଼ୀଟା ଉପରେ।ଏବଂ ନିଜକୁ ବୁଝାଇବାକୁ ଯାଇ ମନକୁ ମନ କହିଲେ ବଜାରରେ ଏକ ଭଳି ଶାଢ଼ୀ ବି ମିଳୁଥାଇ ପାରେ!ଏତିକି ବେଳେ ତାଙ୍କର ହଠାତ ମନେ ପଡ଼ିଲା ସେଇ ଶାଢୀରେ ଥିବା ଦାଗ କଥା।ଏବେ ଶ୍ରୀମୟୀ ପାଦ ବଢ଼ାଇଲେ ଶ୍ରୀମତୀ ରାୟଙ୍କ ଆଡକୁ।ଶ୍ରୀମତୀ ରାୟ କୌଣସି ଭଦ୍ର ଲୋକଙ୍କ ସହ କଥା ହେଉ ଥାନ୍ତି।ଖୁବ ସନ୍ତର୍ପଣ ସହ ଚିନ୍ମୟୀ ପଛକୁ ଯାଇ ଅଳ୍ପ ଦୂରରେ ଠିଆ ହେଇ ଖୋଜି ପକେଇଲେ ସେଇ ନୀଳ ରଙ୍ଗର ଦାଗ ଟିକୁ।ଆଶ୍ଚର୍ଯ୍ୟ!ଅବିକଳ ସେଇ ଦାଗ ଟି ଶାଢ଼ୀ ର ଠିକ ସେହି ସ୍ଥାନରେ।ଆଖିରେ ଟଳମଳ ହେଉଥିବା ଲୁହ ଦି ଟୋପା ଅଟକେଇ ରଖିବାର ସତ ଚେଷ୍ଟା ପରେ ବି ନିଗିଡି ଆସିଲା ଆଖିରୁ।ଥକ୍କା ମାରି ବସି ପଡ଼ିଲେ ଶ୍ରୀମୟୀ।ଶେଷ ରେ ତା ସନ୍ଦେହ ଠିକ ହେଲା।ଏଇ ହେଉଛି ସେଇ ସୌତୁଣୀ ଯାହାର ଗୋଟେ ଫୋନ କଲ ରେ ତା ସ୍ୱାମୀ ତାକୁ ଛାଡି ରାତି କଟାଇ ଫେରୁଥିଲେ।ତା ପାଇଁ ଶ୍ରୀମୟୀ ସହ ଝଗଡା କରୁଥିଲେ, ଆଉ ଏଇ କିଛି ଦିନ ହବ ତା ସହ ଠିକ ରେ କଥା ପଦେ ବି ହେଉ ନାହାନ୍ତି।ଠିକ ଏହି ସମୟରେ ତା ଭାବନା ରେ ପୂର୍ଣ୍ଣଛେଦ ପକେଇ ଶ୍ରୀମତୀ ରାୟ ମଞ୍ଚ ଉପରେ ମାଇକି ରେ କହିବା ଆରମ୍ଭ କଲେ।

--ପ୍ରିୟ ଭାଇ ଓ ଭଉଣୀ ମାନେ! ମୁଁ ଗଢିଥିବା କ୍ଷୁଦ୍ର ବୟନଶିଳ୍ପ ପ୍ରତିଷ୍ଠାନ ଟି ଆପଣ ମାନଙ୍କ ଶ୍ରଦ୍ଧା ଓ ଭଲପାଇବା ଯୋଗୁ ଏତେ ଆଗକୁ ଆସି ପାରିଛି।ଏବଂ ସେଥି ପାଇଁ ରୋଜଗାର କ୍ଷମ ହେଇ ପାରିଛନ୍ତି ଅନେକ ବେସାହାରା ମହିଳା।ତେବେ ଆଜିର ଏହି ସଫଳତା ର ଶ୍ରେୟ ମୁଁ ଦୁଇ ଜଣଙ୍କୁ ଦେବା ପାଇଁ ଚାହୁଁଛି।ମୋର ସ୍ୱାମୀ,ଯିଏ ନିଜର ଅସୁସ୍ଥତା ମଧ୍ୟରେ ମତେ ଦୃଢ଼ ମନୋବଳ ଯୋଗାଇ ଏତେ ସାହାଯ୍ୟ କରିଛନ୍ତି ଏବଂ ମୋ ସାନ ଭାଇ ସମ ଚିନ୍ମୟ, ଯିଏ ନଥିଲେ ହୁଏତ ଏତେ ସବୁ ମୋ ପକ୍ଷେ କଦାପି ସମ୍ଭବ ହୋଇ ପାରି ନଥାନ୍ତା।ମୁଁ ସହରଠୁ ଦୂରରେ ଥିଲା ବେଳେ ମୋ ଅସୁସ୍ଥ ସ୍ୱାମୀଙ୍କ କଥା ବୁଝିବା ଠୁ ରାତି ରାତି ଡାକ୍ତରଖାନା ରେ ରହିବା,ତାଙ୍କର ସେବା କରିବା ତା ଛଡା ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବାରେ ଖୁବ ସାହାଯ୍ୟ କରିଛି ଚିନ୍ମୟ।ଯଦିଓ ମୋ ସ୍ୱାମୀ ଓ ଚିନ୍ମୟ ଦୁହେଁ ସହକର୍ମୀ ଥିଲେ ତଥାପି ସେ ଆମ ଠାରୁ ବୟସରେ ଢେର ସାନ।ଅସୁସ୍ଥତା ଯୋଗୁଁ ସ୍ୱାମୀଙ୍କର ଚାକିରୀ ଯିବା ପରେ ସେ ହିଁ ମତେ ଉତ୍ସାହିତ କରି ଥିଲା କିଛି କରିବା ପାଇଁ।ସବୁଠୁ ବଡ଼ କଥା ଯାହା ମୁଁ ତା ଠାରୁ ଶିଖିଛି ତା ହେଲା ଶ୍ରମ ପ୍ରତି ସମ୍ମାନବୋଧ।ଯେଉଁଥି ପାଇଁ ତାକୁ ଉପହାର ସ୍ୱରୂପ ଗୋଟାଏ ଦାମୀ ଶାଢ଼ୀ ଜଚା ଯାଇଥିଲେ ବି ସେ ତା ବଦଳରେ ବାଛି ନେଇ ଥିଲା ସାମାନ୍ୟ ଦାଗ ହେତୁ ବିକ୍ରି ହେଇ ପାରୁ ନଥିବା ହଳଦୀ ରଙ୍ଗର ଶାଢୀଟିଏ।ଧନ୍ୟବାଦ ଚିନ୍ମୟ!ବୟସ ରେ ସାନ ହେଲେ ମଧ୍ୟ ତୋ ମାନବିକତା,ପରୋପକାରିତା ଏବଂ ଶ୍ରମ ପ୍ରତି ମର୍ଯ୍ୟାଦାବୋଧ ପରି ଗୁଣ ନିକଟରେ ଆମେ ମୁଣ୍ଡ ନୁଆଁଉଛୁ।ତୋ ପରି ସାନ ଭାଇ ସବୁ ଭଉଣୀ ମାନଙ୍କୁ ମିଳୁ।

ଶ୍ରୀମୟୀ ଆଁ କରି ଅନେଇ ଥିଲେ ମଞ୍ଚ ଆଡେ।ଏହି ସମୟ ରେ ଚିନ୍ମୟ ଚୁପ କରି କାନରେ ଆସି କହିଲେ, ଭୁଲ ବୁଝିଲ କି ମତେ!ତମେ ତ ଜାଣିଛ ମୁଁ ଟିକେ କଞ୍ଜୁସ, ଶାଢୀ ଟା ଫ୍ରି ରେ ମିଳିଲା ତା ଛଡା ସେ ଦାଗ ଟା ଯୋଗୁ ବିକ୍ରି ବି ହେଇ ପାରୁ ନଥିଲା ସେଥି ପାଇଁ ଆଣି ଦେଇଥିଲି।ନହଲେ ମୋ ଭଳି ଲୋକ ଶାଢୀରେ ଆଠ ଦଶ ହଜାର ଖର୍ଚ୍ଚ କରିବା ଭାରି କଷ୍ଟ।ହେଲେ ତମ ଆଖିରୁ ସେ କଣ ବଞ୍ଚିଲା!ଏହି ସମୟରେ ରାୟ ବାବୁ ଓ ତାଙ୍କ ପତ୍ନୀ ମଞ୍ଚ ଉପରୁ ଓଲହେଇ ଆସି ଶ୍ରୀମୟୀ ସହ କଥା ହେବା ସହ ଉଭୟଙ୍କ ଉଦେଶ୍ୟ ରେ କହିଲେ, ଗଲା ଥର ଉପହାର ଟି ଦାଗ ପାଇଁ ଫେରି ଆସିଥିଲା ଆଶା କରୁଛି ଏଥର ଉପହାର ଦୁଇ ଜଣଙ୍କୁ ପସନ୍ଦ ଆସିବ।ଏତକ କହି ଖୁସିରେ ପତି ପତ୍ନୀଙ୍କୁ ଉପହାର ପ୍ୟାକେଟ ଟି ବଢ଼ାଇ ଦେଉ ଦେଉ ଘରକୁ ସପରିବାର ନିମନ୍ତ୍ରଣ କରି ଚାଲିଗଲେ।

ଘରକୁ ଫେରିବା ବେଳେ ଶ୍ରୀମୟୀ ନିଜ ଦ୍ୱାରା ହେଇ ଥିବା ଭୁଲ ବୁଝାମଣା ପାଇଁ ରାସ୍ତା ସାରା ଜିଭ କାମୁଡୁ ଥାନ୍ତି।ଅବିଶ୍ୱାସ ର ଘନ କୁହୁଡ଼ି ଆସ୍ତରଣ ଅପସରି ଯାଇ ଥାଏ।ଘରକୁ ଆସିବା ପରେ ଖୁବ ଆଗ୍ରହ ସହ ଶ୍ରୀମୟୀ ଧଡପଡ ହେଇ ପ୍ୟାକେଟ ଟିକୁ ଖୋଲି ଦେଖନ୍ତି ତ ପ୍ୟାକେଟ ଭିତରେ ଅବିକଳ ସେଇ ହଳଦୀ ରଙ୍ଗର ନୀଳ ଧଡି ପକା ପାଟ୍ଟ ଶାଢ଼ୀ ସହ ଚିନ୍ମୟ ପାଇଁ ସମ୍ବଲପୁରୀ କୁର୍ତ୍ତା ଟିଏ।ଭଲ ଭାବରେ ନିରୀଖି ଦେଖିଲେ ଶ୍ରୀମୟୀ;ଏଥର କିନ୍ତୁ କୌଣସି ସ୍ଥାନରେ ଦାଗ ନଥିଲା ଶାଢ଼ୀଟିରେ। ଭିତରେ ଭିତରେ ଲାଜରେ ସରି ସାରି ଥିଲେ ଶ୍ରୀମୟୀ।ଖୁସିରେ ଭାବ ବିହ୍ଵଳ ହେଇ କହି ପକାଇଲେ

--ଏଥର ଯିଏ ଯେତେ ହଳଦୀ ବସନ୍ତ କହିଲେ ବି ମୋର କିଛି ଫରକ ପଡିବନି।

ବହୁ ଦିନ ପରେ ଶ୍ରୀମୟୀଙ୍କ ଗାଲରେ ଖେଳୁଥିଲା ଲାଜ ମିଶା ଖୁସିର ଭଉଁରୀ।ଦୂରରୁ ଶ୍ରୀମୟୀଙ୍କୁ ଲକ୍ଷ କରି ମୁରୁକି ମୁରୁକି ହସୁ ଥିଲେ ଚିନ୍ମୟ।

ସ୍ୱାଗତିକା ମିଶ୍ର

ଶ୍ରୀମୟୀ ଚିନ୍ମୟ ଶାଢ଼ୀ

Rate the content


Originality
Flow
Language
Cover design

Comments

Post

Some text some message..