Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସୁକନ୍ୟା
ସୁକନ୍ୟା
★★★★★

© sushama Parija

Inspirational Tragedy

7 Minutes   2.1K    13


Content Ranking

ସୁକନ୍ୟା

---------

ଟିକିଏ ଛାଇ ନିଦ ଲାଗି ଆସୁଥିଲା ବେଳେ ଟମି ର ଉତ୍କଟ ଚିତ୍କାର ରେ ନିଦ ଭାଙ୍ଗିଗଲା ବୈଷ୍ଣବୀ ଙ୍କର । ଭୟାତୁର ହୋଇ ଖଟ ଟି ଉପରେ ଉଠି ବସିଲେ ସେ। କେହି ବୋଧହୁଏ ଗେଟ୍ ଖୋଲି ହତା ଭିତରେ ପଶିଲା କି କ'ଣ । ପାଦ ଶବ୍ଦ ଟି ଘର ର ଗ୍ରୀଲ୍ ଗେଟ୍ ଯାଏଁ ଆସି ପୁଣି ଫେରି ଯିବାର ଅନୁଭବ କଲେ ବୈଷ୍ଣବୀ। ଅନୁମାନ କଲେ ବୋଧେ ଚିଠି ପତ୍ର ନେଇ ପୋଷ୍ଟମ୍ୟାନ୍ ଟି ଆସିଥିବ ଗ୍ରୀଲ୍ ରେ ଲାଗିଥିବା

ଡାକବାକ୍ସ ରେ ପକାଇ ଦେଇ ଯାଇଥିବ । ଘରକୁ କେହି ବାହାର ଲୋକ ପଶିବାର ଦେଖିଲେ ଏମିତି କାନଫଟା ଚିତ୍କାର କରେ ଟମି । ପୁଅ ବୋହୂ ଅଫିସ୍ କୁ ଏବଂ ପିଲାମାନେ ସ୍କୁଲ୍ କୁ ବାହାରି ଗଲା ପରେ

ଘରେ କେବଳ ବୈଷ୍ଣବୀ ଆଉ ଟମି । ଦିନସାରା ଏମିତି ତୁହା କୁ ତୁହା ଟମି ର ଉତ୍କଟ ଚିତ୍କାର ଆଉ ମେଞ୍ଚାଏ

ଖାଇ ଗୋଡାଉଥିବା ନୀରବତା କୁ ନେଇ ବୈଷ୍ଣବୀଙ୍କର ଜୀବନ । ଗାଁ ରେ ଥିବା ବେଳେ ଏଇ ଜୀବନ ଟା

ମୋଟେ ବାଧୁ ନଥିଲା ବୈଷ୍ଣବୀ ଙ୍କୁ । ସାଧାରଣ ମଣିଷଙ୍କ ଭଳି ଜୀବନଧାରଣ କରୁଥିଲେ ସେ ।ଜନ୍ମ ରୁ ଗୋଟିଏ ଆଖି ହରାଇଥିବା ବୈଷ୍ଣବୀ ଙ୍କର ବିବାହ ହୋଇଥିଲା ମଧୁପୁର ଗାଁ ର ଗୋଟେ ଜମିଦାର ଘର ର ଯୌଥ ପରିବାର ରେ । ପତ୍ନୀହରା ହୃଦାନନ୍ଦ ରାୟଙ୍କ ଦ୍ଵିତୀୟା ପତ୍ନୀ ହୋଇ ସେ ଆସିଥିଲେ ସ୍ବାମୀଙ୍କର ଚାରୋଟି ସାନ ସାନ ପିଲାଙ୍କର ଦାୟିତ୍ବ ନେବା ଲାଗି । ଘରେ ଚାକର ବାକର ମୂଲିଆ ପାଣିଆ ଙ୍କର ଅଭାବ ନଥିଲା । ଆଖି ଟିଏ ନଥିଲେ ମଧ୍ୟ ଚାଷବନ୍ଦୀ ଘର ର ସବୁ କାମଦାମ ସୁରୁଖୁରୁରେ ଚଳେଇ ନେଇଥିଲେ ବୈଷ୍ଣବୀ। ସମୟକ୍ରମେ ଗୋଟିଏ ପୁଅ ଏବଂ ତିନୋଟି ଝିଅ ଙ୍କୁ ଜନ୍ମ ଦେଇଥିଲେ । ହୃଦାନନ୍ଦ ଙ୍କ ସାନଭାଇ ପ୍ରେମାନନ୍ଦ ଙ୍କର କେହି ସନ୍ତାନ ସନ୍ତତି ନଥିଲେ । ତେଣୁ ପ୍ରେମାନନ୍ଦ ଙ୍କ ପତ୍ନୀ ମାଧବୀ ମଧ୍ୟ ସେଇ ପିଲାଙ୍କ ସେବା ଶୁଶ୍ରୁଷା କରିବା ସହିତ ବୈଷ୍ଣବୀଙ୍କୁ ଭଉଣୀ ଟିଏ ଭଳି ଦେଖୁଥିଲେ। ପିଲାମାନେ ମାଆ ଠାରୁ ଖୁଡୀ କୁ ବେଶୀ ଆଦରି ନେଇଥିଲେ । କେଡେ ଆନନ୍ଦ ରେ କଟି ଯାଉଥିଲା ସେ ଦିନସବୁ ।

ସୁଖର ଦିନ ଗୁଡିକ ପାଣି ପରି ବୋହି ଯାଏ । ଚାରିଟା ଦିନ ଜରରେ ପଡି ଆଖି ବୁଜିଲେ ହୃଦାନନ୍ଦ । ଡକା ହକା ହେଲା ଭଳି ଛଅଟା ମାସ ରେ ଚାଲିଗଲେ ପ୍ରେମାନନ୍ଦ।ଏକୁଟିଆ ପଡି ଗଲେ ବୈଷ୍ଣବୀ ଆଉ ମାଧବୀ ।

ପର ଲଗା ଚଢେଇ ପରି କ୍ରମେ କ୍ରମେ ପିଲାମାନେ ବଡ ହେଲେ । ଝିଅ ମାନେ ବାହାତୋଳା ହୋଇ ଚାଲିଗଲେ ନିଜ ନିଜର ସଂସାର କରିବା ଲାଗି । ପୁଅମାନେ ବି ପାଠଶାଠ ପଢି ଚାକିରୀ ବାକିରୀ କରି ନିଜ ନିଜର ପରିବାର ଧରି ବାହାରି ଗଲେ ଘରୁ । ସାନ ଭଉଣୀ ଟି ପରି ଦୁଃଖ ସୁଖରେ ସାଥୀ ହୋଇ ଥିବା ସାନ ଯାଆ ଟି ରୋଗରେ ପଡି ସେପାରି କୁ ଚାଲିଗଲା ପରେ ଘରେ ସଂପୂର୍ଣ୍ଣ ଏକା ହୋଇପଡିଲେ ବୈଷ୍ଣବୀ। ବୟସ ଭାର ଠାରୁ ଚିନ୍ତା ର ଭାର ବଳି ପଡୁଥିଲା । ବଡ ପୁଅ ରମେଶ ର ଗୋଟିଏ ରୋଜଗାର ନିଅଣ୍ଟିଆ ହେଉଥିଲାଏତେ ବଡ ପରିବାର ଟି ଚଳେଇବା ଲାଗି । ତା'ର ନିଜର ଆଠ ଆଠଟା ପିଲାଙ୍କ ସହିତ ଘରର ସଂପୂର୍ଣ୍ଣ ଖର୍ଚ୍ଚ ତୁଲାଇବାକୁ ଖୁବ୍ କଷ୍ଟ ହେଉଥିଲା ତେଣୁ ମଝିରେ ମଝିରେ ନାରୀ ମହଲରେ ଖିଟ୍ ଖାଟ୍ ଲାଗି ରହୁଥିଲା । ପଛ ମାଆଟି ଦ୍ବାରା ପ୍ରତିପାଳିତ ହୋଇ ଥିବା ବଡପୁଅ ଟି ପ୍ରାଣପଣେ ଚେଷ୍ଟା କରୁ ଥାଆନ୍ତି ପଛ ମାଆ ଏବଂ ତାଙ୍କର ପିଲାମାନଙ୍କୁ ଦେଖାଶୁଣା କରିବା ଲାଗି ହେଲେ ପ୍ରତିକୂଳ ପରିସ୍ଥିତି ରେ ତାହା ସମ୍ଭବ ହେଉ ନଥାଏ । ଏମିତି ମାନସିକ ଅଶାନ୍ତି ଭିତରେ ଦିନେ ହୃଦ୍ ଘାତ ର ଶିକାର ହୋଇ ପ୍ରାଣ ହରାଇଲେ ସେ । ନିଜ ଜନ୍ମିତ ପୁଅ ଠାରୁ ବି ଅଧିକ ସ୍ନେହ କରୁଥିବା ବଡ ପୁଅ କୁ ହରାଇ ବୈଷ୍ଣବୀ ଙ୍କର ଆଖିରୁ ଲୁହ ଶୁଖୁ ନଥିଲା। ତାଙ୍କର ଶେଷ ଆଶାବାଡ଼ି ଟି ଭାଙ୍ଗି ଯାଇଥିଲା । ଗୋଟିଏ ଆଖି ତ ଜନ୍ମ ରୁ ନଥିଲା ଏବେ କାନ୍ଦି କାନ୍ଦି ତାଙ୍କର ଆର ଆଖି ଟି ମଧ୍ୟ ଦୃଷ୍ଟି ଶକ୍ତି ହରାଇ ଥିଲା। ସେ ଘର କାମ ଲାଗି ସଂପୂର୍ଣ୍ଣ ଅସମର୍ଥ ହୋଇ ପଡିଥିଲେ। କହିବାକୁ ଗଲେ ଘର ପାଇଁ ଅଲୋଡା ହୋଇ ପଡିଥିଲେ। ଏଇ ପରିସ୍ଥିତି ରେ ଏବେ ନିଜର ଅନିଚ୍ଛା ସତ୍ତ୍ବେ ମଧ୍ୟ ବୈଷ୍ଣବୀ ଙ୍କୁ ବାଧ୍ୟ ହୋଇ ସାନ ପୁଅ ସହିତ ରହିବା ଲାଗି ଯିବାକୁ ପଡିଲା ରାଉରକେଲା ।

ସାନ ପୁଅ ବିଭାସ ଥିଲା ଷ୍ଟିଲ୍ ପ୍ଲାଣ୍ଟ ର ଜଣେ ପଦସ୍ଥ ଅଫିସର । ତା'ର ସ୍ତ୍ରୀ ମଧ୍ୟ ସେଠାରେ ଗୋଟିଏ ଉଚ୍ଚ ପଦାଧିକାରୀ ଥିଲା । ଗୋଟିଏ ଝିଅ ଆଉ ଗୋଟିଏ ପୁଅକୁ ନେଇ ତାଙ୍କର ସଂସାର ଖୁବ୍ ଆରାମ ରେ ଚାଲିଥିଲା । ବାହାଘରର ପରଠାରୁ ଗାଁ ରୁ ବିଭାସ ଙ୍କର ଭଉଣୀ ମାନଙ୍କୁ ଜଣ ଜଣ କରି ଆଣି ପାଖରେ ରଖି ପଢାପଢି କରାଉଥିଲେ । ସେମାନେ ପଢାପଢି କରିବା ସହିତ ତାଙ୍କର ପିଲାମାନଙ୍କର ଦେଖାଶୁଣା କରୁଥିଲେ

ତେଣୁ ପାର୍ଟ ଟାଇମ୍ ମେଡ୍ ରେ କାମ ଚଳିଯାଉଥିଲା ସେମାନଙ୍କର । ଭଉଣୀ ମାନେ ବାହାତୋଳା ହୋଇ ଚାଲିଗଲା ବେଳକୁ ପିଲାମାନେ ଟିକେ ବଡ ହୋଇ ନିଜ କାମ ନିଜେ କରିବାକୁ ଆରମ୍ଭ କରିଥିଲେ ।

କିନ୍ତୁ ଏବେ ମାଆ ଆସିଲା ପରେ ସବୁ ଅସୁବିଧା । ପାର୍ଟ ଟାଇମ୍ ମେଡ୍ ଟି ଯଥାରୀତି ସକାଳୁ ଥରେ ଏବଂ ସନ୍ଧ୍ୟାରେ ଥରେ ଆସି ବାସନ ମଜା, ଝାଡୁପୋଛା କାମ କରୁଥିଲା । ରୋଷେଇଆ ସକାଳୁ ସକାଳୁ ଆସି ଦୁଇ ଓଳି ପାଇଁ ରୋଷେଇ କରି ଦେଇ ଯାଉଥିଲା । ଦିନ ଯାକ ଘରେ କେବଳ ଟମି କୁ ଛାଡି ଆଉ କେହି ରହୁନଥିଲେ । ଗାଆଁ ଘରେ ଏତେ ଗୁଡ଼ାଏ ଲୋକ ଙ୍କ ଗହଳି ଭିତରେ ଚଳି ଆସିଥିବା ବୈଷ୍ଣବୀ ସହର ର ଏଇ ଏକୁଟିଆ ଜୀବନରେ ଅଣନିଃଶ୍ବାସୀ ହୋଇ ପଡୁଥିଲେ ।

ବିରାଟ ବଙ୍ଗଳା, ଦାମୀ କାର୍ ଆଉ ଅପର୍ଯ୍ୟାପ୍ତ ଐଶ୍ଵର୍ଯ୍ୟ ର ଅଧୀଶ୍ବର ପୁଅଟି କିନ୍ତୁ ଥିଲା ମାଆ ପ୍ରତି ସମ୍ପୁର୍ଣ୍ଣ ଉଦାସୀନ । କାରଣ ପିଲାଟି ଦିନରୁ ସେ ତାଙ୍କର ଯୌଥ ପରିବାର ରେ ଖୁଡୀ ତା'ର ଲାଳନପାଳନ କରିଥିଲେ । ନିଜର ଚାରି ସନ୍ତାନଙ୍କ ସମେତ ମାଆ ଟିର ଆହୁରି ଚାରୋଟି ସନ୍ତାନ ଥିଲେ। ସେମାନଙ୍କର ଦେଖାଶୁଣା କରୁ କରୁ ମାଆଟି ହୁଏତ ପର୍ଯ୍ୟାପ୍ତ ସମୟ ଦେଇ ପାରିନଥିଲା ନିଜର ସନ୍ତାନ ଟିକୁ । ସେଥିଲାଗି ମାଆ ପାଇଁ ପୁଅର ମନରେ ଦାୟିତ୍ବବୋଧ ଥିଲା ସିନା ମାତୃତ୍ବ ର ଆକର୍ଷଣ ନଥିଲା । ଯୌଥ ପରିବାର ରେ କର୍ତ୍ତବ୍ୟର ଦ୍ବାହି ରେ ବାଧ୍ୟ ହୋଇ ପୁଅ ଟି ମାଆଙ୍କୁ ଗାଁ ରୁ ଆଣି ନିଜ ପାଖରେ ରଖିଥିଲା ସିନା ତା'ର ପରିବାର ମାଆଟି କୁ ପାଖରେ ରଖି ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଲାଗି ଚାହୁଁ ନଥିଲେ। ବୈଷ୍ଣବୀ ତାଙ୍କୁ ଗୋଟିଏ ଅନାବଶ୍ୟକୀୟ ବୋଝ ଭଳି ମନେ ହେଉଥିଲେ।

ଘରେ ଟମି ଥିଲା ସଭିଙ୍କର ପ୍ରିୟପାତ୍ର । ସେ ମଣିଷ ଭଳି ଘରେ ସବୁଆଡେ ଚଳପ୍ରଚଳ କରୁଥିଲା, ତା' ଗାଧୁଆପାଧୁଆ ଲାଗି ସ୍ବତନ୍ତ୍ର ସାବୁନ, ଶାମ୍ପୋ , ତା'ର ଖାଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଥିଲା ,ଶୋଇବା ଲାଗି ସ୍ବତନ୍ତ୍ର ଖଟ ଶେଯ କମ୍ବଳ ଥିଲା । ପୁଅ ବୋହୂ ଆଉ ପିଲାମାନେ ଘରେ ପଶିବା କ୍ଷଣି ଆଗ ସରାଗରେ ଖୋଜି ପକାଉଥିଲେ ଟମି କୁ । ସେମାନଙ୍କ କୋଳରେ ସେ ସବୁ ବେଳେ ବସି ରହୁଥିଲା ,ଶ୍ରଦ୍ଧା ରେ ଚାଟି ପକାଉଥିଲା ସେମାନଙ୍କୁ । ଗାଁ ରେ ଥିବା ବେଳେ କୁକୁର କୁ ଛୁଇଁଲେ ଆଉଥରେ ଗାଧୁଆପାଧୁଆ ନକଲେ ଘରେ ପଶୁ ନଥିଲେ ବୈଷ୍ଣବୀ, କିନ୍ତୁ ଏଠାରେ ଟମି ସହିତ ତାଙ୍କୁ ସବୁବେଳେ ରହିବାକୁ ପଡୁଥିଲା । ବଙ୍ଗଳା ର ଗୋଟିଏ କଣିକିଆ ଘରେ ରହିବାକୁ ଦିଆଯାଇଥିଲା ତାଙ୍କୁ । ଘର ଭିତରେ ଥିଲା ଆଟାଚ୍ ଲାଟ୍ରିନ୍ ଆଉ ବାଥ୍ ରୁମ୍ । ପ୍ରଥମେ ପ୍ରଥମେ ଆସିଲା ବେଳେ ଟିକେ ଅସୁବିଧା ହେଉଥିଲେ ବି ଧୀରେ ଧୀରେ ସେ ଅଭ୍ୟସ୍ତ ହୋଇ ଯାଇଥିଲା ଅଣ୍ଡାଳି ଅଣ୍ଡାଳି ନିଜର ନିତ୍ୟକର୍ମ କରିବା ଲାଗି ସେଇ ନିର୍ଦ୍ଧିଷ୍ଟ ଇଲାକା ଟିରେ । ସକାଳ ଜଳଖିଆ ଦେଲା ବେଳେ ବୋହୂ ଆଉ ଗୋଟିଏ ହଟ୍ କେସ୍ ଭିତରେ ମଧ୍ୟାହ୍ନ ଭୋଜନ ରଖି ଦେଇ ଯାଉଥିଲା । ପାଖରେ ରଖାଯାଇଥିବା ଟେବୁଲ୍ ଉପରେ ଥୁଆ ହୋଇ ରହୁଥିଲା ଥାଳି ଗ୍ଲାସ୍ ଆଉ ପାଣି ବୋତଲ ।

ବାସ୍ ଦିନ ନଅଟା ବେଳେ ସମସ୍ତେ ବାହାରି ଯାଉଥିଲେ କାମରେ ।

ତା'ପରେ ସନ୍ଧ୍ୟା ରେ ସମସ୍ତେ ସାଙ୍ଗ ହୋଇ ଫେରିଆସିଲା ପର୍ଯ୍ୟନ୍ତ ସେ ବିରାଟ ବଙ୍ଗଳା ରେ ଚାଲେ ଟମି ର ରାଜୁତି । ରାଜାଧିରାଜ ଭଳି ବଙ୍ଗଳା ର ଭିତରେ ବାହାରେ ଘୁରି ବୁଲୁଥିବା ଟମି ଅଜଣା ଲୋକଟିଏ ଦେଖିଲେ ଭୋଃ ଭୋଃ କରି ଚିତ୍କାର କରି କମ୍ପାଉଥାଏ । ବାହାର ଲୋକଙ୍କୁ ଭୟ ଲାଗେ କି ନାହିଁ କେଜାଣି ବୈଷ୍ଣବୀ ଙ୍କର ଦେହ ଶୀତେଇ ଯାଏ ଭୟ ରେ । ସବୁବେଳେ ମନେ ହୁଏ ଏଇ ଟମି ଆସିବ ଆଉ ଝାମ୍ପି ପଡିବ ତାଙ୍କ ଉପରେ । ଟୁକୁରା ଟୁକୁରା କରି ପକେଇବ ତାଙ୍କୁ । ଆନନ୍ଦ ରେ ସକାଳୁ ବଟର୍ ଦିଆ ବ୍ରେଡ୍ ଚାକୁ ଚାକୁ କରି ଖାଇଲା ଭଳିଆ ଚାଟି ଦେଇଯିବ ତାଙ୍କର ହାଡ ମାଂସ ର ଟୁକୁରା ତକ ।

ଅନେକ ଥର ସେକଥା ପୁଅକୁ କହିବାକୁ ବାହାରି ଥିଲେ ବି ପିଲାମାନଙ୍କ ଟମି ପ୍ରତି ଥିବା ସ୍ନେହ ଦେଖି ଚୁପ୍ ରହିଥାଆନ୍ତି ସେ । କାଳେ କିଏ ଖରାପ ଭାବିବେ କି ଓଲଟା ଦି' ଚାରି ପଦ ଶୁଣିବାକୁ ପଡିବ ସେଇ ଭୟରେ।

ଦିନ କୁ ଦିନ ଟମି ର ଭୟ ଗ୍ରାସ କରି ଚାଲିଥାଏ ତାଙ୍କୁ । ଶରୀର ରୁଗ୍ ଣ ହେବା ସହିତ ମାନସିକ ଦୁର୍ବଳତା

ବଢି ବଢି ଚାଲିଥାଏ । ଏମିତି ଭାବି ଭାବି ଶେଷରେ ମାନସିକ ବିଷାଦଗ୍ରସ୍ତ ହୋଇ ପାଗଳୀ ଙ୍କ ଭଳି ଏଣୁ ତେଣୁ ଗପିବାକୁ ଆରମ୍ଭ କରିଥିଲେ ବୈଷ୍ଣବୀ ।

ମାଆଙ୍କୁ ଏମିତି ଗପିବାର ଦେଖି ପ୍ଲାଣ୍ଟ ହସ୍ପିଟାଲରେ ଆଡ୍ ମିସନ୍ କରି ଦେଇଥିଲେ ବିଭାସ । ଚିକିତ୍ସା ଚାଲିଲା କିନ୍ତୁ କିଛି ଲାଭ ହେଲାନି । ବିଭାସ ଗାଁ କୁ ଖବର ଦେଲେ କେହିଜଣେ ଆସି ବୋଉକୁ ନେଇଯାଅ, ଯାହା ପଇସା ପତ୍ର ଲାଗିବ ମୁଁ ଦେବି, ସେଇଠି ଗୋଟିଏ ଲୋକ ରଖିଦେବ ତା'ର ସେବା ଶୁଶ୍ରୁଷା କରିବ , ଏଠି ତା'ର

ଦେଖାଶୁଣା କରିବାଲାଗି ଆମ ପାଖରେ ସମୟ ନାହିଁ କି ପଇସା ପତ୍ର ଦେଲେ ମଧ୍ୟ କେହି ସେମିତି ଲୋକ ମିଳୁ ନାହାଁନ୍ତି ତା'ର ସେବା ଶୁଶ୍ରୁଷା କରିବା ଲାଗି । ଗାଁ ରୁ ଖବର ଦେଲା ପୁତୁରା '' ଏଠାରେ ମୋ ବୋଉର

ଦେହ ବହୁତ ଖରାପ ଦାଦା, ଆଗଭଳି ଗାଁ ରେ କାମଧନ୍ଦା କରିବାକୁ ଲୋକ ମିଳୁନାହାଁନ୍ତି, ମାଆ ର ଦେଖା ଶୁଣା କିଏସେ କରିବ, ତମେ ବରଂ ପିଇସି ମାନଙ୍କ ଭିତରୁ କାହାକୁ କୁହ, ସେ ନେଇ ମାଆଙ୍କୁ ରଖନ୍ତୁ '' ।

ପୁତୁରା ପାଖରୁ ନିରାଶ ହୋଇ ନିଜର ଭଉଣୀ ମାନଙ୍କୁ ଖବର ପଠାଇଥିଲେ ବିଭାସ । ତିନି ଭଉଣୀଙ୍କ ମଧ୍ୟରୁ

ଦୁଇଜଣ ଶାଶୁ ନଣନ୍ଦ ଘରେ ମାଆଙ୍କୁ ନେଇ କୋଉଠି କେମିତି ରଖିବୁ ବୋଲି କହି ଦାୟିତ୍ବ ଖସାଇ ଦେଲେ

ନିଜ ନିଜର ମୁଣ୍ଡ ରୁ । ଶେଷରେ ମାଆଙ୍କୁ ବଞ୍ଚାଇବାକୁ ଅଣ୍ଟା ଭିଡି ଥିଲା ବଡ ଝିଅ ଗୌତମୀ । ସ୍ବାମୀ ଙ୍କୁ ସାଥିରେ ନେଇ ପହଞ୍ଚିଥିଲା ରାଉରକେଲା ରେ । ହସ୍ପିଟାଲରେ ଚିକିତ୍ସାଧିନ ଥିବା ମୁମୁର୍ଷୁ ମାଆଙ୍କୁ ସାଙ୍ଗରେ

ଆଣିଥିଲା କଟକ । ଝିଅ କୁ ଦେଖି ସାହସ ବଢିଥିଲା ବୈଷ୍ଣବୀ ଙ୍କର । ଅନେକ ଦିନ ର ଚିକିତ୍ସା ଏବଂ ଗୌତମୀର ସେବା ଶୁଶ୍ରୁଷା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନୂଆ ଜୀବନ ପାଇଥିଲେ ବୈଷ୍ଣବୀ । ଯେଉଁ

ନର୍କକୁଣ୍ଡ ରୁ ଥରେ ସେ ବାହାରି ଆସିଥିଲେ ପୁନର୍ବାର ଆଉ ଫେରି ନଥିଲେ ସେଠିକି । ଜୀବଦ୍ଦଶା ଥିଲା ଯାଏଁ ରହିଥିଲେ ଝିଅ ଘରେ । ଶେଷ ସମୟରେ କାନେ କାନେ କହିଥିଲେ ଝିଅ କୁ, ମଲେ ଗାଁ କୁ ପଠାଇ ଦେବୁ ଲୋ ଝିଅ , ସେଇଠି ତୋ ବାପା ଅଛନ୍ତି, ତୋ ଖୁଡୀ ଅଛି, ମୁଁ ସେଇଠି ରହିବି, ମୋର ଆତ୍ମା ସେଇଠି

ଶାନ୍ତି ପାଇବ ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ବୈଷ୍ଣବୀ ପୁଅ ପାଖରେ ଏତେ ଗୁଡ଼ାଏ କଷ୍ଟ ପାଇ ଆସିଥିବା ସତ୍ତ୍ୱେ ମଧ୍ୟ

ଦିନେ ହେଲେ କାହାକୁ ସେ କଥା ସବୁ କହୁନଥିଲେ କି କେବେହେଲେ ଆଖିରୁ ଲୁହ ଟୋପାଏ ଗଡାଉ ନଥିଲେ କାଳେ ତାଙ୍କ ପୁଅର ଅମର୍ଯ୍ୟାଦା ହେବ କି ଅମଙ୍ଗଳ ହେବ ବୋଲି । ଝିଅ ଚାହିଁଲେ ବି ବଡଭାଇ ର

ମୁହଁକୁ ଚାହିଁ କିଛି କହି ପାରୁନଥିଲା ସିନା ମାଆର କଷ୍ଟ ତା'କୁ ସବୁବେଳେ ଶତ ବୃଶ୍ଚିକ ର ଦଂଶନ ଭଳି

ଜ୍ବାଳା ଦେଉଥିଲା । ବୈଷ୍ଣବୀ ଙ୍କ ଝିଅ ଗୌତମୀ ମାଆର କଥା ରଖିଥିଲା । ଯେତେ ଦିନ ବଞ୍ଚି ରହିଥିଲେ ସୁଖରେ ରଖିଥିଲା, ଯେବେ ସେ ମୃତ୍ୟୁବରଣ କରିଥିଲେ, ନେଇ ଯାଇଥିଲା ତାଙ୍କ ଗାଁ ମଶାଣି ରେ ସଂସ୍କାର କରିବାକୁ । ସୁକନ୍ୟା ହୋଇ ମାଆର ସବୁ ଇଚ୍ଛା ପୂର୍ଣ୍ଣ କରିଥିଲା ଗୌତମୀ।

ସୁକନ୍ୟା ଅନୁମାନ ଜମିଦାର

Rate the content


Originality
Flow
Language
Cover design

Comments

Post

Some text some message..