Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Others

2  

Anil Kumar Parhi

Others

କିଞ୍ଚିତ ଅନାବରଣ - 25

କିଞ୍ଚିତ ଅନାବରଣ - 25

6 mins
7.0K


ପରୀକ୍ଷାମୂଳକ ଲେଖା ଓ ପାରଂପାରିକତା

ଏକବିଂଶ ଶତାବ୍ଦୀରେ ରଚନାତ୍ମକ ସୃଷ୍ଟିରେ ପୌନଃପୁନିକତାକୁ ବର୍ଜନ କରାଯିବା ଆରମ୍ଭ ହୋଇସାରିଛି। ଭାରତୀୟ ସାହିତ୍ୟ ଓ ଆମ ପରି ପ୍ରାନ୍ତୀୟ ସାହିତ୍ୟରେ ଏ ବର୍ଜନ ପ୍ରକ୍ରିୟା ଏଯାବତ୍ ଦୃଷ୍ଟିଗୋଚର ନହେଲେ ମଧ୍ୟ କେବେ ବି ଆରମ୍ଭ ହୋଇଯାଇପାରେ। ତେବେ, କଣ ଏ ପୌନଃପୁନିକତା ? ଏହାକୁ ପାରଂପାରିକ ଲେଖା କୁହାଯାଇପାରିବ କି?

ପ୍ରକୃତକଥା ହେଲା ମୋର ଏକ ଗଳ୍ପ ଉପରେ ମୁଁ ଲେଖିଥିବା ଆଲେଖ୍ୟରୁ " ପରୀକ୍ଷାମୂଳକ" ଶବ୍ଦଟିକୁ ବାହାରକରି ଜଣେ ଧୁରୀଣ ସାହିତ୍ୟିକ ବନ୍ଧୁ ମୋତେ ପଚାରିଥିଲେ ଏହି ପରୀକ୍ଷାମୂଳକ ଜିନିଷଟି ପ୍ରକୃତରେ କଣ! ବନ୍ଧୁଙ୍କ ସେହି ସୃଜନାତ୍ମକ ପ୍ରଶ୍ନରୁ ଆଜିର ଆଲୋଚନା କରିବା।

ପୌନଃପୁନିକତା ହେଉଛି ବାରମ୍ବାର ପ୍ରୟୋଗ ହେବା - ଘଟଣା, ଚରିତ୍ର, ଶୈଳୀ, ବିଷୟବସ୍ତୁ ଇତ୍ୟାଦି। ଜଣେ ଲେଖକ ଦ୍ବାରା ଏହାର ରିପିଟେସନ୍ ସେହି ଲେଖକର ବିଭିନ୍ନ ଲେଖାରେ ହେବା ବା କିଛି ଲେଖକଙ୍କର ତାହା ହେବାକୁ ପୌନଃପୁନିକତା କୁହାଯାଇପାରେ। ପ୍ରକୃତ କଥା ହେଲା, ଏପରି ସତରେ ହୁଏ କି? ବନ୍ଧୁ ଏ ବିଷୟରେ ଚମତ୍କାର ପ୍ରଶ୍ନଟିଏ ବି ରଖିଥିଲେ ଯେ ପ୍ରତ୍ୟେକ ଲେଖକ ସ୍ବକୀୟ ଶୈଳୀରେ ରଚନା ଲେଖେ ଏବଂ ଚେଷ୍ଟାକରେ ଭିନ୍ନତା ଆଣିବା ପାଇଁ, ଓ ଆଣେ ମଧ୍ୟ। ତେବେ, ମାତ୍ର କେତେଜଣ ଲେଖକଙ୍କ ଲେଖାକୁ ପରୀକ୍ଷାମୂଳକ କହିବାର କାରଣ କଣ? ବିବିଧତା ବା ଭିନ୍ନତା ଦୃଷ୍ଟିରୁ ପ୍ରତ୍ୟେକଟି ଲେଖା ପରୀକ୍ଷାମୂଳକ। ବନ୍ଧୁଙ୍କ ଏ ପ୍ରଶ୍ନ ଆଜିର ଆଲୋଚନା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

ପ୍ରକୃତରେ ବନ୍ଧୁ ଯେଉଁ ପରିମାପକରେ ପ୍ରତ୍ୟେକଟି ଲେଖା ଅନ୍ୟ ଠୁଁ ଭିନ୍ନ ହେବା କଥା କହିଲେ ତାହା ପରୀକ୍ଷାମୂଳକ ଭାବେ ସତ୍ୟ ନୁହେଁ। କିପରି? ଆସନ୍ତୁ ଦେଖିବା।

କ୍ରିଏଟିଭ ପ୍ରୋସେସ୍ ଗୋଟିଏ ଅସରନ୍ତି, ଚଳମାନ ପ୍ରକ୍ରିୟା। ଗୋଟିଏ ରଚନାର ଶେଷ ହୋଇଗଲା ବୋଲି ଲେଖକ ଭାବୁଥିଲେ ହେଁ ଏହା ପ୍ରକୃତରେ ଶେଷ ହୋଇନଥାଏ। ପ୍ରତ୍ୟେକ କମ୍ପ୍ଲିଟ୍ ଲେଖା ନିଶ୍ଚିତ ଭାବରେ ଇନକମ୍ପ୍ଲିଟ୍। ଲେଖାର ଏହି ଇନକମ୍ପ୍ଲିଟନେସ ହିଁ ଲେଖାକୁ ସଫଳ କରାଏ। ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଖଣ୍ଡ ଭିତରେ ଜଣେ ଲେଖକ ଯାହା ଲେଖେ ସାଧାରଣତଃ ସବୁଥିରେ ଏକ ସୂକ୍ଷ୍ମାତିସୂକ୍ଷ୍ମ ପୌନଃପୁନିକତା ଦେଖିବାକୁ ମିଳେ ଯଦିଓ ଲେଖକ ତାକୁ ଲୁଚେଇବାକୁ ଆପ୍ରାଣ ଉଦ୍ୟମ କରିଥାଏ। ପୌନଃପୁନିକତାକୁ ଲୁଚେଇବାର ଚେଷ୍ଟା ଗୋଟାଏ ନୂତନ ଶୈଳୀକୁ ଜନ୍ମ ଦିଏ। ହେଲେ ଶୈଳୀଗତ ପରିବର୍ତ୍ତନ ପୌନଃପୁନିକତାକୁ ପ୍ରତିହତ କରିପାରେନା।

ରଚନାଶୀଳ ପ୍ରବାହ ହିଁ ସେହିପରି। ଅସମ୍ପୂର୍ଣ୍ଣ ରହିଥିବା ଘଟଣା, ଚରିତ୍ର, ବିଷୟବସ୍ତୁମାନେ କ୍ରିଏଟିଭ୍ ଡିସ୍କ ଭିତରେ ଘୂରିବୁଲୁଥାନ୍ତି। ସେମାନେ ସବୁବେଳେ ଲେଖକର ପରବର୍ତ୍ତି ଲେଖାଟି ଅପେକ୍ଷାରେ ଥାଆନ୍ତି ଏବଂ ଲେଖାଟିଏ ଆରମ୍ଭ ହେବା କ୍ଷଣି ନିଜର ପୂର୍ଣ୍ଣତା ସକାଶେ ଲେଖା ଭିତରକୁ ଡେଇଁ ପଡନ୍ତି ଯଦିଓ ଲେଖକର ରଚନାଶୀଳତା ଥିବା ଯାଏ ସେମାନେ କେବେ ବି କମ୍ପ୍ଲିଟ ହୋଇପାରନ୍ତି ନାହିଁ। ଏହା ଲେଖକୀୟ ଅସମ୍ପୂର୍ଣ୍ଣତାର ଅଭିନବ ଦୃଷ୍ଟାନ୍ତ। ଲେଖକ ଲେଖାଟି ଲେଖିଲା ବେଳେ ଅନ୍ୟ ଅନେକ କାରଣରୁ ଲେଖାର ପ୍ରତିଟି ଖଣ୍ଡ ପାଇଁ ଯଥେଷ୍ଟ ଦୃଷ୍ଟି ଦେଇପାରେନା। ଦେଇପାରିବା ମଧ୍ୟ ସମ୍ଭବ ନୁହେଁ। ସେମିତି ହେଲେ ଜଣେ ଲେଖକ ତା ଜୀବଦ୍ଦଶା ଭିତରେ ଗୋଟିଏ ବି ଲେଖା ସମ୍ପୂର୍ଣ୍ଣ କରିପାରିବ ନାହିଁ। ଏମିତି କି ପୃଥିବୀର ସବୁଠୁ ବଡ ସ୍ବତଃସ୍ପୃତ ଭାବେ ଲେଖା ଲେଖୁଥିବା ଲେଖକ ମଧ୍ୟ ମନ ଭିତରେ ଲେଖାର ବିଭିନ୍ନ ଉପାଦାନକୁ ନେଇ ଅହରହ କାଲ୍କୁଲେସନ କରିଥାଏ। ଅହରହ ବ୍ୟସ୍ତ ହୋଇ ବିଚ୍ଛିନ୍ନ ହେବାକୁ ଚେଷ୍ଟା କରୁଥିବା ଘଟଣା, ଚରିତ୍ରମାନଙ୍କୁ ଗୋଟାଏ ପ୍ୟାଟର୍ଣ୍ଣରେ ପକାଇବା ପାଇଁ ଲେଖକ ସେମାନଙ୍କର ନିର୍ଦ୍ଦୟ ଭାବରେ କାଟଛାଟ କରେ। ଏହାହିଁ ଅସମ୍ପୂର୍ଣ୍ଣତା। ଅସମ୍ପୂର୍ଣ୍ଣ ଚରିତ୍ର ଓ ବିଷୟବସ୍ତୁ ମାନେ ଲେଖକଟିଏ ଅନ୍ୟ ଲେଖା ଲେଖିବା ବେଳକୁ ତା ଉପରେ ଭୀଷଣ ଚାପ ପକାନ୍ତି, ପ୍ରବେଶ କରନ୍ତି, ପ୍ରବେଶର ଅନୁମତି ନମିଳିଲେ ଅନୁପ୍ରବେଶ କରନ୍ତି। କେବେକେବେ ସେମାନେ ଗୋଟିଏ ଲେଖକକୁ ଛାଡି ଅନ୍ୟ ଲେଖକକୁ ଆକ୍ରମଣ କରନ୍ତି। ସବୁଠୁ ଅଧିକ ଅସମ୍ପୂର୍ଣ୍ଣ ଲେଖାଟି ଶ୍ରେଷ୍ଠ ବୋଲି ବିବେଚିତ ହୁଏ କାରଣ ତା ଭିତରେ ପାଠକଟି ପାଇଁ ସ୍ଥାନଥାଏ।

ବନ୍ଧୁ ଆଉ ଗୋଟିଏ ପ୍ରଶ୍ନ ଯୁଗକୁ ନେଇ କରିଥିଲେ। ତାଙ୍କର କହିବା କଥା ହେଲା ପାଠ ପଢିବା ଓ ପଢେଇବାର ସୁବିଧା ଦୃଷ୍ଟିରୁ ଆମେ ସାହିତ୍ୟକୁ ବିଭିନ୍ନ ଯୁଗରେ ବାଣ୍ଟିଥାଉ, ବିବିଧତା ଦୃଷ୍ଟିରୁ ନୁହେଁ। ହୋଇପାରେ ଏହା କେତେକାଂଶରେ ସତ କାରଣ ଇଂରାଜୀ ସାହିତ୍ୟର ବିଭିନ୍ନ ଯୁଗରେ ଲେଖକମାନଙ୍କ ଭିତରେ ରଚନାଶୀଳ ବିଭେଦ ଦେଖିବାକୁ ମିଳେ। ମୁଁ ତାକୁ ହିଁ ପରୀକ୍ଷାମୂଳକ ରଚନା କହୁଛି। ତେବେ, ଗୋଟିଏ ନିର୍ଦ୍ଦିଷ୍ଟ ଯୁଗର ଲେଖକମାନଙ୍କ ଭିତରେ ସେମାନଙ୍କ ରଚନାକୁ ନେଇ ସାଦୃଶ୍ୟ ଥାଏ। ଲେଖକମାନେ ସେହି ଏକା ଯୁଗରେ ଗୋଟିଏ ସମାଜ, ପରଂପରା ଭିତରେ ବାସ କରୁଥାନ୍ତି ଏବଂ ଏହାହିଁ ସାଦୃଶ୍ୟ ଆଣିଦିଏ। ସେହି ସାଦୃଶ୍ୟକୁ ଦେଖି ଯୁଗର ନାମକରଣ କରାଯାଏ।

ପାଶ୍ଚାତ୍ୟ ଗବେଷଣା କହେ ଯେ ଏକକ ସୃଷ୍ଟିଟିଏ ସମ୍ଭବ ନୁହେଁ। ଗୋଟିଏ ସୃଷ୍ଟି ଉପରେ ବହୁ ସୃଷ୍ଟିର ପ୍ରଭାବ ରହିଥାଏ। ଏହି ଦୃଷ୍ଟିକୋଣରୁ ସୃଷ୍ଟିଟିଏ ବହୁ ସୃଷ୍ଟିର ସମାହାର। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀ ବି ସ୍ବୀକାର କରେ ଯେ ସାରା ସଂସାରରେ ମାତ୍ର ଗୋଟିଏ ଲେଖା ଅଛି, ଅନ୍ୟ ସମସ୍ତ ଲେଖା ସେହି ଏକହିଁ ଲେଖାର ପ୍ରତିରୂପ। ଏଇଠି ପୁଣିଥରେ ଆମେ ଲାଇସେନ୍ସଡ ପୌନପୌନିକତାକୁ ଗ୍ରହଣ କରୁଛୁ। ବାସ୍ତବରେ ଏହି ଉକ୍ତିଟି ମଣିଷ ଜୀବନର ସଂଘର୍ଷ ଓ ସନ୍ଧିକୁ ନେଇ କୁହାଯାଇଛି। ଅର୍ଥାତ୍ ସାହିତ୍ୟ ମଣିଷକୁ, ସମାଜକୁ ଛାଡି ତିଆରି ହୋଇପାରିବ ନାହିଁ। ମୁଁ ଏହି ବିଶ୍ବାସକୁ ହିଁ ପାରମ୍ପାରିକତାର ନାମ ଦେଉଛି। ଏକ ବୃହତ ଦୃଷ୍ଟିକୋଣରୁ ଦେଖିଲେ ମଣିଷକୁ ବାଦ୍ ଦେଇ ସାହିତ୍ୟର ରଚନା ଅସମ୍ଭବ ମନେହୁଏ। ରଚନା ଭିତରେ ବିଷୟବସ୍ତୁ ମଣିଷ କି ସମାଜ ନହୋଇପାରେ, ହେଲେ ଏହାକୁ ଲେଖେ ମଣିଷ। ସେହି ଲେଖାରେ ତାହାର ଦୃଷ୍ଟିଭଙ୍ଗୀ ଥାଏ, ବିଶ୍ବାସଅବିଶ୍ବାସ ଥାଏ। ଏଣୁ ମଣିଷକୁ କନେକ୍ଟ ନକରି ସାହିତ୍ୟ ଲେଖିହେବ ନାହିଁ। ସାହିତ୍ୟ ଭିତରେ ମଣିଷ ରହିବାକୁ ବାଧ୍ୟ, ସେ ପାରଂପାରିକ ଲେଖା ହେଉ କି ପରୀକ୍ଷାମୂଳକ ଲେଖା ହେଉ। ଏଠାରେ ସଂକଟର କଥା ହେଲା ଯେ ଆମେ କେମିତି ପାରଂପାରିକ ଲେଖାକୁ ପରୀକ୍ଷାମୂଳକ ଲେଖା ଠାରୁ ଅଲଗା କହିବା!

ଏ ସାରା ବିଶ୍ବ ପଞ୍ଚତତ୍ତ୍ବର ଆଧାରରେ ନିର୍ମିତ। ଏହା ବୃହତ୍ତମ ହାର୍ଡ ଡିସ୍କ ବା ଭିଡିଓ ପ୍ଲେୟାର୍। ସଂସାରରେ ଏମିତି କିଛି ଜିନିଷ ନାହିଁ କି ନଥିଲା ଯାହାକୁ ମଣିଷ ନିଜର ବୁଦ୍ଧି, ଜ୍ଞାନ ଦ୍ବାରା ଆବିଷ୍କାର ବା ଉଦ୍ଭାବନ କରିପକାଇଛି। ଯାହା ଆମେ ଆମର ଆବିଷ୍କାର ବୋଲି କହୁଛେ ତାହା ଏଇଠି ହିଁ ଥିଲା। ଆମର ଅଜ୍ଞାନତା ଯୋଗୁଁ ଆମେ ତାକୁ ଦେଖିପାରୁନଥିଲୁ। ମାଧ୍ୟାକର୍ଷଣ ଶକ୍ତି କଣ ନିଉଟନ୍ ଙ୍କ ପୂର୍ବରୁ ନଥିଲା! ସେ କେବଳ ଏହାକୁ ରିଡିସ୍କଭର କଲେ। ତଥାପି ମୁଁ ଏହାକୁ ନିଉଟନ୍ ଙ୍କ ପରୀକ୍ଷାମୂଳକ ରଚନା କହିବି। କାହିଁକି? ସାଧାରଣତଃ ପ୍ରାଚ୍ୟ ଗବେଷକମାନେ ଆମ ପରିବର୍ତ୍ତିତ ସାହିତ୍ୟର ଧାରା ବିଷୟରେ ଗୋଟିଏ କଟୂ ମନ୍ତବ୍ୟ ଦେଇଥାନ୍ତି, ତାହା ହେଲା - ଆମ ନୂଆ ସାହିତ୍ୟ ନୂଆ ବୋତଲରେ ପୁରୁଣା ମଦ। ଏହା ପାରଂପାରିକ। ପରୀକ୍ଷାମୂଳକ ସାହିତ୍ୟ ଟିକିଏ ଅଲଗା - ପୁରୁଣା ବୋତଲରେ ନୂଆ ମଦ। ଏହି ନୂଆ ମଦକୁ ଆପଣ ବିଷୟବସ୍ତୁ, ଚରିତ୍ର, ଶୈଳୀ ଇତ୍ୟାଦି ନେଇ ପାରନ୍ତି। ପୁରୁଣା ବୋତଲ ହେଲା ସମାଜ।

ମଣିଷର କଳ୍ପନା ଅନ୍ତହୀନ ନୁହେଁ। ମଣିଷ ଯେଉଁଠି ବାସ କରେ ସେଇଠୁ ତାହାର କଳ୍ପନା ଆରମ୍ଭ ହୋଇ ଟିକିଏ ଆଗକୁ ଗତି କରେ। ଆମେ ଯେତେବେଳେ ଖଗୋଳ ଶାସ୍ତ୍ର ବିଷୟରେ ବହୁ କିମ୍ଭୁତକିମ୍ବାକାର କଳ୍ପନା କରି ଆଶ୍ଚର୍ଯ୍ୟାନ୍ବିତ ହେଉ ବା ଭୟଭୀତ ହେଉ ତାହା ପ୍ରକୃତରେ ଆମର କଳ୍ପନା ନୁହେଁ, ତାହା ଆମର ଫ୍ୟାନ୍ସି। ଫ୍ୟାନ୍ସିକୁ ନେଇ ସାହିତ୍ୟ ରଚନା କରିହୁଏନା। ଫ୍ୟାନ୍ସିରେ ଯୋଡିବା ପାଇଁ ଅଠା ନଥାଏ।

ତେବେ, କଥା ହେଲା ସ୍ବର୍ଗ ଯାହାକୁ ଆମେ ଦେଖିନାହୁଁ ତା ବିଷୟରେ ଏତେ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ହୋଇଛି କିପରି! ଏହାକୁ ପାରଂପାରିକ ନା ପରୀକ୍ଷାମୂଳକ ଲେଖା କୁହାଯିବ! ନିର୍ଦ୍ବନ୍ଦ୍ବରେ ମୁଁ କହିପାରେ ଯେ ଏହା ହିଁ ପରୀକ୍ଷାମୂଳକ ରଚନା। କଥା ହେଲା ପ୍ରତ୍ୟେକ ଲେଖକର କଳ୍ପନାର ସାମର୍ଥ୍ୟ ଅଲଗା ଅଲଗା ହୋଇଥାଏ। ବହୁ କମ୍ ଲେଖକ ସତରେ ସ୍ବର୍ଗକୁ ଦେଖିଛନ୍ତି। ଆପଣ ତାଙ୍କୁ ବ୍ୟାସ ବା ବାଲ୍ମିକୀ କହିପାରନ୍ତି। ସେମାନେ ବର୍ଣ୍ଣନା କରିଥିବା ସ୍ବର୍ଗ ଫ୍ୟାନ୍ସି ନୁହେଁ କଳ୍ପନା। ଇମାଜିନେସନ୍। ଏପରି ଦକ୍ଷତା ଯାହା ପାଖରେ ରହିବ, ସେ ପରୀକ୍ଷାମୂଳକ ଲେଖା ଲେଖିପାରିବ। ସେହି ଲେଖା ପରୀକ୍ଷାମୂଳକ ଯେଉଁଠି ଆଗରୁ କେବେ ପାଠକର କଳ୍ପନା ପହଞ୍ଚିନଥିବ। ସେ ହୁଏତ ତାକୁ ଦେଖୁଥିବ, ଶୁଣୁଥିବ। ହେଲେ ପରୀକ୍ଷାମୂଳକ ଲେଖା ଲେଖୁଥିବା ଲେଖକଟିଏ ତାକୁ ଏକ ରଚନାତ୍ମକ ଇଣ୍ଟରପ୍ରିଟେସନ ଦେବ।

ଆପଣଙ୍କୁ ମଇଦା,ଅଣ୍ଡା ଆଉ ଘିଅ, ଚିନି ଦିଆଗଲା। ଆପଣ କେତେଜଣଙ୍କୁ କେକ୍ ତିଆରି କରିବାକୁ କୁହାଗଲା। ଆପଣ ସମସ୍ତେ ଏକା ପ୍ରକାର କେକ୍ ତିଆରି କରିପାରିବେ କି? ନା, ରଚନାତ୍ମକତା ଦ୍ବାରା ଏହା କେବଳ ରୂପରେ ନୁହେଁ, ସ୍ବାଦ ଏବଂ ଆକାରରେ ମଧ୍ୟ ଭିନ୍ନ ହୋଇପାରେ। ଆପଣଙ୍କୁ ତ ସମାନ ଉପାଦାନ ଦିଆଯାଇଥିଲା, ପ୍ରଡକ୍ଟ ଅଲଗା ହେଲା କିପରି! ଏହି ନିୟମକୁ ସାହିତ୍ୟରେ ପକାନ୍ତୁ।

ଓଡିଆ ସାହିତ୍ୟରେ ଏବେଏବେ ପରୀକ୍ଷାମୂଳକ ଲେଖା ନାମରେ ବହୁ ଉଦ୍ଭଟ, ମୂଲ୍ୟହୀନ ଲେଖା ଦେଖିବାକୁ ମିଳୁଛି। ପରୀକ୍ଷା ନାମରେ ନୂତନପିଢୀର କିଛି ଲେଖକ ଓଡିଆ ସାହିତ୍ୟକୁ ଗୋଟାଏ ଫାର୍ସରେ ପରିଣତ କରିସାରିଲେଣି। ଏମାନେ ଏତେ ପରିମାଣରେ ଅଜ୍ଞ ଯେ ବୁଝିପାରୁନାହାଁନ୍ତି କିଛି ଅଲଗା କରିବା ନାମରେ ମନଇଚ୍ଛା ଲେଖିବା ପରୀକ୍ଷାମୂଳକ ଲେଖା ନୁହେଁ। ଏହି ଅହଂକାରୀ ଗୋଷ୍ଠୀଟି ପରାମର୍ଶ ନେବାକୁ ଅପମାନଜନକ ମନେକରନ୍ତି। ପାଶ୍ଚାତ୍ୟ ସାହିତ୍ୟକୁ ମୂର୍ଖଙ୍କ ପରି କପି କରି ଓଡିଶାରେ ପୁରସ୍କାର ବା ବାହାବା ଗୋଟା ଯାଇପାରେ, ହେଲେ ଏହା କାହାକୁ ଉଦ୍ଭାସିତ କରିପାରିବ ନାହିଁ। ପରୀକ୍ଷାମୂଳକ ଲେଖା ଆଦୌ କଷ୍ଟକର ନୁହେଁ ବୁଝିବା ପାଇଁ। ଏହା ବ୍ୟାପକ ଅର୍ଥଥିବା, ଆଦୌ ଅର୍ଥନଥିବା ଶବ୍ଦମାନଙ୍କୁ ଲୋଡେ ନାହିଁ। ଓଡିଶାରେ ପ୍ରୟୋଗ ନାମରେ ଭାଣ୍ଡାମୀ କରୁଥିବା ଗୋଷ୍ଠୀର ସାହିତ୍ୟକୁ କେବଳ ସେହି ଗୋଷ୍ଠୀର ସଭ୍ୟ/ସଭ୍ୟିାମାନେ ପ୍ରୋତ୍ସାହିତ କରୁଛନ୍ତି ଓ ଏସବୁକୁ ମାନ୍ୟତା ଦେବା ପାଇଁ କିଛି ପ୍ରକାଶକ ଅଣ୍ଟା ଭିଡିଛନ୍ତି। ଓଡିଆ ସାହିତ୍ୟିକମାନେ ଏବେ ଜାଣିଗଲେଣି ଯେ ସେମାନେ ଯେତେ ବଡ ସାହିତ୍ୟିକ ହୋଇଥାନ୍ତୁ ନା କାହିଁକି, ଏବେଏବେ ଉତୁରି ପଡିଥିବା ଯୁବ ସାହିତ୍ୟିକମାନଙ୍କୁ ନଧରିଲେ ସେମାନେ ତିଷ୍ଠିପାରିବେ ନାହିଁ। ଏଣୁ, କିଛି ବରିଷ୍ଠ, ବଳିଷ୍ଠ ଏ ପ୍ରକାର ସାହିତ୍ୟକୁ ଉର୍ଦ୍ଧ୍ବମୂଲ୍ୟାୟନ କରୁଛନ୍ତି। ହେଲେ, ଏମାନଙ୍କ ଏହି ପରୀକ୍ଷା ମୂଳକ ସାହିତ୍ୟ ପ୍ରକୃତରେ କେଉଁ ପ୍ରକାର ବିସ୍ମୟ ଓ ଚମକ ସୃଷ୍ଟିକରେ ଜାଣନ୍ତି, ଯେମିତି କି ଆପଣ କବାଟ କୋଣରେ ଲୁଚି ଠିଆହୋଇଛନ୍ତି ଓ କାହାକୁ ହଠାତ୍ ପାଟିକରି ଡରେଇଦେଉଛନ୍ତି! ଏଥିରେ ନେଚୁରାଲ କଣ୍ ଅଛି ଯେ!

ପରୀକ୍ଷାମୂଳକ ଲେଖା ପାଠକକୁ ଚିନ୍ତା କରିବା ପାଇଁ, ନିଜର କଳ୍ପନାକୁ ବିସ୍ତାରିତ କରିବାପାଇଁ ଅଧିକ ସୁଯୋଗ ଦେଇଥାଏ। ଠିକ୍ ମାର୍କେଟକୁ ଆସିଥିବା ଗୋଟାଏ ନୂଆ ପ୍ରଡକ୍ଟ ପରି। ପରୀକ୍ଷାମୂଳକ ଲେଖାଟିଏ ପାଇଁ ଲେଖକକୁ ତା ଗବେଷଣାଗାରରେ ବହୁ ପରୀକ୍ଷାନିରୀକ୍ଷା କରିବାକୁ ପଡେ, ବାରମ୍ବାର ହାରିବାକୁ ହୁଏ ଏବଂ ଅକ୍ଳାନ୍ତ ପରିଶ୍ରମ ଓ ଅସୀମ ଧୈର୍ଯ୍ୟ ସାହାଯ୍ୟରେ ସେ ଗୋଟିଏ ପରୀକ୍ଷାମୂଳକ ଲେଖା ଲେଖିପାରେ।

ଅନୀଲ କୁମାର ପାଢୀ


Rate this content
Log in