Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୫୨
ଜହ୍ନମାମୁଁ -୫୨
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

3 Minutes   7.4K    10


Content Ranking

ବିଷ୍ଣୁ ପୁରାଣ - ୧

ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଦୁଇସେନା ମଝିରେ ରଖିଲେ । ଦୁଇପକ୍ଷର ସୈନ୍ୟଙ୍କୁ ଦେଖି ଅର୍ଜୁନଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ଶତୃପକ୍ଷରେ ଯେଉଁମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ଗୁରୁଜନ, ବନ୍ଧୁଜନ, ଭାଇମାନେ ଓ ଅନ୍ୟାନ୍ୟ ଆତ୍ମୀୟମାନେ ବି ଥିଲେ । ଅର୍ଜୁନଙ୍କ ହସ୍ତ ଶିଥିଳ ହୋଇ ସେଥିରୁ ଧନୁ ଖସି ପଡିଲା ଓ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡି କହିଲେ, “ଏମାନଙ୍କୁ ମାରି ଯେଉଁ ରାଜ୍ୟ ଲାଭ ହେବ ସେଥିରେ ଆମର କୌଣସି ପ୍ରୟୋଜନ ନାହିଁ । ଯେଉଁମାନେ ଆମର ବନ୍ଧୁ, ଆତ୍ମୀୟ ଓ ସୁହୃଦ ସେମାନଙ୍କୁ ସାମାନ୍ୟ ରାଜ୍ୟ ପାଇଁ ହତ୍ୟା କରି ନରକଗାମୀ ହେବାକୁ ମୁଁ ଚାହେଁନାହିଁ । ମୁଁ ଏ ଯୁଦ୍ଧ କରିବି ନାହିଁ ।” ଏତିକି କହି ଅର୍ଜୁନ ତୀବ୍ର ବିଷାଦ ଭାବରେ ଅସ୍ତ୍ର ତ୍ୟାଗ ପୂର୍ବକ ସେଇଠାରେ ହିଁ ବସି ପଡିଲେ ।

ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ସେ କହିଲେ, “ହେ ଅର୍ଜୁନ, ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ର ଶସ୍ତ୍ର ତ୍ୟାଗ କରି ଏପରି ହତାଶ ହୋଇ ବସି ରହିବା କୌଣସି ବିବେକବାନ୍ କ୍ଷତ୍ରିୟର କାର୍ଯ୍ୟ ନୁହେଁ; କେବଳ ଭୀରୁ ଓ କାପୁରୁଷମାନେହିଁ ଏପରି କରନ୍ତି । ଦେଶ ଓ କାଳ ଅନୁସାରେ ନିଜର କର୍ତ୍ତବ୍ୟ ପାଳନ କରିବାହିଁ ସବୁଠାରୁ ବଡ ଧର୍ମ । ପ୍ରକୃତରେ ପରମେଶ୍ୱରହିଁ ଏକମାତ୍ର କର୍ତ୍ତା । ଅନ୍ୟାୟ ଓ ଅଧର୍ମକୁ ସମୂଳେ ବିନାଶ କରି ଧର୍ମ ସ୍ଥାପନ କରିବା ହେଲା ତାଙ୍କର କାର୍ଯ୍ୟ । ମନୁଷ୍ୟ ତ କେବଳ ନିମିତ ମାତ୍ର । ଯୁଗ ଯୁଗ ଧରି ଏଇ ଧର୍ମ ସଂସ୍ଥାପନ ପାଇଁ ତମେ ଓ ମୁଁ ନରନାରାୟଣ ରୂପେ ଅବତୀର୍ଣ୍ଣ ହୋଇ ଆସୁଛେ । ବୋଧହୁଏ ତମର ଏସବୁ କିଛି ସ୍ମରଣ ନାହିଁ, ମାତ୍ର ମୋର ସ୍ମରଣ ଅଛି । ତମେ ନିଜର କର୍ତ୍ତବ୍ୟ କର ଓ ଭଗବାନଙ୍କ ଯନ୍ତ୍ର ଭାବରେ ମୋର ଉପଦେଶ ଶ୍ରବଣ କରି ସେହି ଅନୁସାରେ କାର୍ଯ୍ୟ କର । ଏବେ ଉପସ୍ଥିତ କ୍ଷେତ୍ରରେ ତମେ ପୁନଶ୍ଚ ଅସ୍ତ୍ର ଧାରଣ କରି କ୍ଷତ୍ରିୟୋଚିତ କର୍ତ୍ତବ୍ୟ ସ୍ମରଣ କରି ଯୁଦ୍ଧରେ ପ୍ରବୃତ ହୁଅ ।”

ଶ୍ରୀକୃଷ୍ଣ ଏତେ କହିବା ପରେ ମଧ୍ୟ ଅର୍ଜୁନଙ୍କ ମନରେ ଆହୁରି ବି କିଛି ସନ୍ଦେହ ଥିଲା । ଅର୍ଜୁନଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ଦେବା ପାଇଁ ଶ୍ରୀକୃଷ୍ଣ ତାଙ୍କ ସମକ୍ଷରେ ନିଜର ବିଶ୍ୱରୂପ ପ୍ରକଟ କଲେ । ତହିଁରେ ଅର୍ଜୁନ ଦେଖିଲେ ବିଶ୍ୱବ୍ରହ୍ମାଣ୍ଡ, ଛତିଶକୋଟି ଦେବତା, ସୃଷ୍ଟି, ସ୍ଥିତି, ପ୍ରଳୟ । ସେଥିରେ ସେ ଶ୍ରୀକୃଷ୍ଣଙ୍କୁ ମହାକାଳ ରୂପେ ଦେଖିଲେ – ଯେଉଁଥିରେ କି ସବୁ କିଛି ଅବଶେଷରେ ବିଲୟ ହୋଇ ଯାଉଛି ।

ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖି ଅର୍ଜୁନ ଅବତାରଙ୍କ କାର୍ଯ୍ୟର ଗୁରୁତ୍ୱ ଉପଲବ୍ଧ କଲେ । ତା’ପରେ ସେ ଦୃଢ ଭାବରେ କେବଳ ଗୋଟିଏ କଥା ସ୍ମରଣ ରଖିଲେ ଯେ “ଶ୍ରୀକୃଷ୍ଣହିଁ ଜଗତର ପ୍ରଭୁ, ସେ ଯାହା କହିବେ ମୁଁ କେବଳ ତାହାହିଁ କରିବି, ମୁଁ ତ ତାଙ୍କରି ହାତରେ ଯନ୍ତ୍ରଟିଏ ମାତ୍ର ।”

ସେ ହୃଦୟଙ୍ଗମ କଲେ ଯେ କ’ଣ ଠିକ୍ କ’ଣ ଭୁଲ୍ ଏସବୁ ନିର୍ଣ୍ଣୟ କରିବା ମଣିଷର ମନ ପକ୍ଷରେ ଯମା ସହଜ ନୁହେଁ । ପୃଥିବୀରେ ନାନା ପ୍ରକାର ନୀତି ନିୟମ ରହିଛି । ଗୋଟାଏ ନୀତି ପାଳନ କରିବାକୁ ଯାଇ ଜଣେ ଅନ୍ୟ ଏକ ନୀତି ଲଙ୍ଘନ କରିବା କିଛିବି ଅସମ୍ଭବ ନୁହେଁ । କିନ୍ତୁ ଭଗବାନ ସ୍ୱୟଂ ହେଲେ ସବୁ ନୀତି ଓ ସବୁ ଧର୍ମର ଉଦ୍ଧ୍ୱର୍ରେ ଥିବା ଏକମାତ୍ର ସତ୍ୟ । ତାଙ୍କ ପ୍ରେରଣାରେ କାର୍ଯ୍ୟ କରିବାର ସୁଯୋଗଠୁଁ ବଳି ସୌଭାଗ୍ୟ ଆଉ କ’ଣ ବା ଥାଇପାରେ? ଶ୍ରୀକୃଷ୍ଣଙ୍କୁ ସଖା ତଥା ଦିଗ୍ଦର୍ଶକ ରୂପେ ପାଇଥିବାରୁ ଅର୍ଜୁନ ନିଜକୁ ଧନ୍ୟ ମନେ କଲେ ଓ ତାଙ୍କୁ ପ୍ରଣାମ କଲେ ।

ଏଇ ଭାବ ମନ ଭିତରେ ଉଦୟ ହେବା ମାତ୍ରେ ଅର୍ଜୁନଙ୍କ ମନରେ ଯଥେଷ୍ଟ ବଳ ଆସିଲା ଓ ସେ ତତ୍କ୍ଷଣାତ୍ ନିଜର ପରିତ୍ୟକ୍ତ ଧନୁ ଓ ଅସ୍ତ୍ରଶସ୍ତ୍ର ଧାରଣ ପୂର୍ବକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ । ଏହି ସୁଯୋଗରେ ଶ୍ରୀକୃଷ୍ଣ ଯୁଦ୍ଧାରମ୍ଭର ସୂଚନା ଦେବାକୁ ଯାଇ ନିଜର ପଂଚଜନ୍ୟ ଶଙ୍ଖ ବଜାଇଲେ । ତା’ପରେ ପରେ ଦୁଇ ପକ୍ଷରୁ ଶତ ଶତ ଶଙ୍ଖ ବାଜି ଉଠିଲା ଓ ଯୁଦ୍ଧ ଆରମ୍ଭ ହେଲା ।

ଦିନ ପରେ ଦିନ ଏଇପରି ଅଠର ଦିନ ଯୁଦ୍ଧ ଲାଗି ରହିଲା । ମାତ୍ର ଅବଶେଷରେ ଶ୍ରୀକୃଷ୍ଣଙ୍କ ସହାୟତାରେ ପାଣ୍ଡବଦଳ ବିଜୟ ଲାଭ କଲେ ।

ଶାନ୍ତିଦୂତ ରୂପରେ ଶ୍ରୀକୃଷ୍ଣଙ୍କ ଭବିଷ୍ୟତବାଣୀର ସତ୍ୟତା ପ୍ରମାଣିତ ହେଲା । ଭୀମ ନିଜର ପ୍ରତିଜ୍ଞା ପାଳନ କରିବାକୁ ଯାଇ ଦୁଃଶାସନର ରକ୍ତରେ ଦ୍ରୌପଦୀଙ୍କର ବେଣୀବନ୍ଧନ କଲେ । ଅଭିମନ୍ୟୁ ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ । କର୍ଣ୍ଣ ମଧ୍ୟ ନିଜର ସ୍ୱରୂପ ପ୍ରାପ୍ତ ହୋଇ ଶିବଙ୍କ ସହ ଲୀନ ହୋଇଗଲେ । ପୃଥିବୀମାତାଙ୍କୁ ବିଷ୍ଣୁ ଦେଇଥିବା କଥା ଅନୁସାରେ ପାପଭାର ଲାଘବ ହେଲା ।

ଶ୍ରୀକୃଷ୍ଣ ଅର୍ଜୁନ ସୈନ୍ୟ

Rate the content


Originality
Flow
Language
Cover design

Comments

Post

Some text some message..