Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanta Nayak

Inspirational

4.0  

Sukanta Nayak

Inspirational

ଷ୍ଟାଣ୍ଡର୍ଡ଼ ନା ଶିକ୍ଷିତ ଭିକାରୀ

ଷ୍ଟାଣ୍ଡର୍ଡ଼ ନା ଶିକ୍ଷିତ ଭିକାରୀ

3 mins
14.7K


ରମେଶ ତାର ପିଏଚ୍. ଡି. ସାରି ସୁଦୂର ଇଉରୋପ ଚାଲିଯାଏ ଆଗକୁ ଗବେଷଣା କରିବାକୁ। ଇଉରୋପର କଥା ହିଁ କିଛି ଅଲଗା। ନିଆରା ପରିବେଶକୁ ନିଆରା ଲୋକ। ଯେମିତି ହଷ୍ଟେଲରେ ଥିଲାବେଳେ ସାଙ୍ଗମାନେ କହୁଥିଲେ ବର୍ଷସାରା କଉଠି ଥଣ୍ଡା ଅଛି ତ ସେଇଟା ହଉଛି ସେକ୍ଟର ଦୁଇର ଠିପି ବନ୍ଦ ମଦ ଦୋକାନର ବୋତଲସବୁ। କିନ୍ତୁ, ନା ଏଇଟା ସତ ନୁହେଁ, ଅତିକମରେ ଇଉରୋପ ଆସିଲାପରେ ତ ଜମା ନୁହଁ। ଏଠିକାର ବାୟୁରେ ଗୋଟେ ଅଲଗା ହି ଯାଦୁ ଅଛି। ସକାଳର କୁହୁଡି ଭରା ଆକାଶ ପୁଣି ଗଛର ଲାଲିଆ ହଳଦିଆ ସୁନ୍ଦରିଆ ଫୁଲ ସବୁ ମନକୁ ଏକ ଅଲଗା ସ୍ତରକୁ ଟାଣିନିଏ। ଘାସ ଉପରେ ଯଉ ଶିଶିର ଗୁଡିକ ପଡିଥାଏ ଯେମିତି ଲାଗେ ଆକାଶରେ ଥିବା ରାତିର ତାରାଗୁଡିକ ଟିମ୍ ଟିମ୍ କରୁଛି। ଏହିପରି ଥାଏ ଝରକା ସେପାଖର ଦୃଶ୍ୟ। ଦେଖିକି ମନ ଭରିଯାଏ। ଆଉ ସକାଳ ସୁନ୍ଦର ତ ଦିନ ଭି ବହୁ ସୁନ୍ଦର ଯାଏ। କେବେ କେବେ ଏପରି ଲାଗେ ଯେ କାଳେ ମୁ କେବେ କିଛି ପୁଣ୍ୟ କରିଥିବି ନିଶ୍ଚୟ, ସେଥିପାଇଁ ଆଜି ଏ ଦିନ ଦେଖୁଛି।


କିନ୍ତୁ, ଏ ଖୁସି ଅଳ୍ପ ଦିନର ଥିଲା କାହିଁକିନା ପୋଷ୍ଟଡକ୍ (ଡକ୍ଟରେଟ୍ ପର ଗବେଷଣା) କେବଳ ଦୁଇ ବର୍ଷ ପାଇଁ ଥିଲା। ତଥାପି ଅଳ୍ପଦିନରେ ଜିଇଁ ଯାଇଥିଲା ସବୁ ସୁଖ ସେ। ଘରକୁ ଫେରିବାର ସମୟ ପାଖେଇ ଆସୁଥାଏ। ହେଲେ ଫେରିବାର ଇଚ୍ଛା ନଥାଏ। କିଏ ସେ ପରିସ୍କୃତ ଜୀବନକୁ (ସୋଫିଷ୍ଟିକେଟେଡ଼ ଲାଇଫ) ଛାଡିକି ଆସିବାକୁ ଚାହେଁ। ହଉ ଯାହା ଭି ହଉ ଏଥର ଯିବାକୁ ପଡ଼ିବ ଘରୁ ଭି ଡାକରା ଆସିଲାଣି ଆଉ କୁଆଡେ କଉଠି ପୋଷ୍ଟଡକ୍ ହେବାର ସମ୍ଭାବନା ଭି ଜଣା ପଡୁନି। ତାହାଲେ ଗୋଟିଏ ରାସ୍ତା, ନିଜ ଦେଶରେ କଉଠି ଗୋଟେ ଭଲ ଜାଗାରେ ଯାଇ କାମ କରିବାକୁ ପଡିବ। ସବୁ ଇଉନିଭରସିଟି ଗୁଡ଼ାକରେ ଆବେଦନ କରିବାକୁ ଲାଗିଲା। ଆଉ ଭଲ ଜାଗାରେ କାମ ମିଳି ଭି ଗଲା କାହିଁକିନା ଇଉରୋପ ଫେରନ୍ତା ତ। ଆମ ଦେଶର ଏଇୟା ହିଁ ଦୁର୍ଭାଗ୍ୟ ପରା ଯଦି କୌଣସି ଜିନିଷ ଇଉରୋପ ବା ଆମେରିକା ସ୍ୱୀକୃତପ୍ରାପ୍ତ ହୁଏ ତାହାଲେ ତା’ର ଚାହିଦା ବହୁତ। କଲେଜବେଳେ ଏସବୁକୁ ଭାରି ଘୃଣା କରୁଥିଲି, କେତେଜାଗାରେ ବକ୍ତୃତା ପ୍ରତିଦ୍ବନ୍ଦିତାରେ ଏମିତି ସମାଲୋଚନାକରି ପୁରସ୍କୃତ ଭି ହୋଇଛି ହେଲେ କଣ କରିବି ଆଜି ନିଜକୁ ଲାଜଲାଗୁଛି। ମାନେପଡିଯାଏ କଲେଜ ଦିନର କଥା କି ରାଗ ସେ ପ୍ରବାସୀ ଭାରତୀୟଙ୍କ ଉପରେ। ପଢିବେ ଏଇଠି, ସରକାର ପଢ଼ାରେ ଖର୍ଚ କରିବ ଓ ଭାରତୀୟଙ୍କ ଟଙ୍କା। ହେଲେ ଏମାନେ ସବୁ ବିଦେଶ ପାଇଁ କାମ କରିବେ। ମୁ ଆଜି ଲଜ୍ଜିତ କିନ୍ତୁ ଟିକେ ଆଶ୍ୱସ୍ଥ ଭି। ଫେରିଆସିଛି ମୋ ଜନ୍ମଭୂମୀ, ମୋ ଜନ୍ମମାଟିକୁ। କିଛି କରିବି ଆମ ଲୋକଙ୍କ ପାଇଁ। ଗୋଟେ ବିଶ୍ୱାସ ନେଇ ରମେଶ କର୍ମ କରିଚାଲିଥାଏ। ୟା ଭିତରେ ଗୋଟେ ବର୍ଷ ପୁରିଯାଇଥାଏ ଆଉ ଖରା ଛୁଟିର ସମୟ ଆସେ। ଦୂର ରାଜ୍ୟରୁ ଫେରୁଥାଏ ଓଡିଶା ମାଟି। ଷ୍ଟେସନରେ ଟ୍ରେନର ଅପେକ୍ଷା କରିଥାଏ। ଟ୍ରେନ୍ ଦି ଘଣ୍ଟା ବିଳମ୍ବରେ ଆସିବାର ଥାଏ।। ସେହି ବିଳମ୍ବ ଭିତରେ, ସେ ନିଜ ମନରେ ସ୍ୱପ୍ନର ଓଡିଶା ତୋଳିବାରେ ଲାଗିଥାଏ।


ହଠାତ୍ ପୁଣି ପିଏଚ୍. ଡି. କଥା ମାନେପଡିଯାଏ। ପିଏଚ୍. ଡି. ର ଶେଷ ବର୍ଷ ଥାଏ, ଏମିତି ଶେଷ ବର୍ଷ ବୋଲି କିଛି ନାହିଁ ପିଏଚ୍. ଡି. ରେ; ଯେତେବେଳେ ନିଜ ସୁପଭାଇଜର୍ କୁହନ୍ତି ଯେ ଥେସିସ୍ ଲେଖିବା ସମୟ ହେଇଗଲା ସେତେବେଳଠୁ ଶେଷ ବର୍ଷ ଆରମ୍ଭ। ଏକ୍ ତ ଥେସିସ୍ ଲେଖିବା ଚିନ୍ତା ସେପଟେ ଷ୍ଟାଇପେଣ୍ଡ ବନ୍ଦ ହେଇଯିବାର ଭୟ ପୁଣି ଚାକିରୀ ଚିନ୍ତା। ମଣିଷ କରିବ ତ କ'ଣ କରିବ। ମୁଣ୍ଡ ଖାଲି ଘାଇଁ ଘାଇଁ ହଉଥାଏ। ଆଉ ସେତେବେଳର ଚାକିରୀ ପରିସ୍ଥିତି ଯନ୍ତ୍ରଣା କହିଲେ ନ ସରେ। ଏମିତିରେ ସେଇ ଆମ ସସ୍ମିତା ଦିଦିଙ୍କ କଥା ଭାବିଲେ ରାଗର ପରା ମୁଣ୍ଡକୁ ଚଢିଯାଏ। ଅବଶ୍ୟ ସେ ଅଲଗା ଡିପାର୍ଟମେଣ୍ଟରେ ପିଏଚ୍. ଡି. କରୁଥିଲେ। କିନ୍ତୁ ତୁଚ୍ଛାଟାରେ ଏନ୍. ଆଇ. ଟି. ର ନାଁ ଆଉ ଷ୍ଟାଣ୍ଡର୍ଡ଼ ତଳେ ପକେଇବା କଥା କଣ ଭଲ। ଯେମିତି ଆମର ପରିଶ୍ରମ ଆଉ ପଢ଼ାର କିଛି ମୂଲ୍ୟ ନାହିଁ। ସେଥିପାଇଁ ସେ ଟଙ୍କା ପନ୍ଦର କୋଡିଏ ହଜାର ପାଇଁ ଭୁବନେଶ୍ୱରର ଛତୁଫୁଟା ଇଂଜିନିୟରିଂ କଲେଜ ଗୁଡିକରେ କାମ କରିଲେ। ଯଦି ଏମିତି ଚାଲିବ ତାହାଲେ ଆଗକୁ ଆମ ଅବସ୍ଥା କ'ଣ ହେବ। ଏସବୁ ଭାବି ମୋ ହାଡ ଜଳୁଥାଏ। ଠିକ୍ ସେହିସମୟରେ ଗୋଟେ ଭିକାରୀ ଆସି ପହଞ୍ଚେ। ରମେଶ, ମନ ଟିକେ ନରମ କରି ପକେଟରେ ଥିବା ଦୁଇଟଙ୍କିଆ କଏନଟି ତା ହାତରେ ଦେଇଦିଏ। କିନ୍ତୁ ସେ ଆଉ ସମୟ ନଷ୍ଟ ନକରି ଟଙ୍କାଟି ରମେଶ ପାଖରେ ଝାଡିଦେଇ ଚାଲିଯାଏ ଓ କହେ ଯଦି ଦେବାର ଅଛି ଦଶ ଟଙ୍କା ଦିଅ ନହଲେ ତୁମ ପଇସା ତୁମେ ରଖ। ଏତିକି ଶୁଣି ମୁଣ୍ଡରେ ଚଢିଥିବା ରାଗ ଅସମ୍ଭାଳ ହୁଏ। ରାଗରେ ଗାରୁଗାରୁ ହୋଇ ଟ୍ରେନରେ ଚଢେ। ଆଉ କାହାକୁ ନିନ୍ଦା କରିବ ସେ, ଷ୍ଟାଣ୍ଡାର୍ଡ ଭିକାରୀକୁ ନା ଶିକ୍ଷିତ ଭିକାରୀକୁ, ଜାଣିପାରେନା। ଶେଷରେ ରାଗକୁ ଛେପ ଘୋଟିଲା ପରି ଘୋଟିଦେଇ ଖୁଣ୍ଟ ପରି ସିଟରେ ବସିରହେ।

---

Email: sukantgacr@gmail.com


Rate this content
Log in

Similar oriya story from Inspirational