Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅମର ପ୍ରେମ
ଅମର ପ୍ରେମ
★★★★★

© Abanindra Ojha

Romance Tragedy

4 Minutes   7.4K    11


Content Ranking

ପ୍ରଥମ ଥର ରାତି ୧୨ଟା ପରଠୁ ବିକାଶକୁ ମେସେଜ ପରେ ମେସେଜ ଆଉ କଲ୍ ଆସୁଥାଏ ଜନ୍ମଦିନର ଶୁଭେଚ୍ଛାକୁ ନେଇ । ଆଜି ବିକାଶର ନିଦ ସକାଳ ୬ଟାରୁ ଭାଙ୍ଗି ସାରିଥାଏ । ଭାଙ୍ଗିବନି ଅବା କେମିତି ଆଜି ତା' ଜନ୍ମଦିନ। ପ୍ରୀତି ଆସିବାର ଥାଏ ଘରକୁ । ୮ଟା ବେଳେ ଟ୍ରେନ୍ ଆସି ପହଞ୍ଚିବ । ସମ୍ବିତ ଓ ରଶ୍ମିତା ମାଉସୀ ପୁଅ ଭାଇ ବୁଲୁ ତାଙ୍କ ସ୍ତ୍ରୀ ଆଉ ଦୁଇଟି ପୁଅ ମଧ୍ୟ ପହଞ୍ଚି ସାରିଥାନ୍ତି । ଆଦିତ୍ୟ ଯାଇଥାଏ ପ୍ରୀତିକୁ ଷ୍ଟେସନରୁ ଆଣିବା ପାଇଁ । ଓଡ଼ିଶାର ଜଣେ ନାମୀଦାମୀ ଯୁବ କବିଙ୍କ ଜନ୍ମଦିନ ଥିବାରୁ ସକାଳୁ ସକାଳୁ ବିଭିନ୍ନ ବର୍ଗର ଲୋକଙ୍କ ଯାତାୟତ ମଧ୍ୟ ଲାଗିରହିଥାଏ ବିକାଶର ଘରକୁ । ଏତେ ସବୁ କୋଳାହଳ ଭିତରେ ମଧ୍ୟ ବିକାଶର ମନ କିନ୍ତୁ ଚାହିଁ ରହିଥାଏ ପ୍ରୀତିର ଆସିବା ବାଟକୁ । ଦିନ ନଅଟା ହେଲାଣି ଏପର୍ଯ୍ୟନ୍ତ ପ୍ରୀତି ଆସି ନଥାଏ । ବିକାଶ ଆଖିକୁ ଦେଖିଲେ ଜଣାପଡ଼ୁଥାଏ ଯେମିତି ତା' ଆଖିର ଭୋକ ପ୍ରୀତିକୁ ଦେଖିଲାପରେ ହିଁ ମେଣ୍ଟିବ ।

ପ୍ରୀତିକୁ ଆସିବାର ଦୁଇ ଘଣ୍ଟା ହେଲାଣି ହେଲେ ବିକାଶ ତା'ର ଟିକେ ଝଲକ ପାଇନଥାଏ ଏପର୍ଯ୍ୟନ୍ତ । ଆସିଲା ବେଳକୁ ଅସୁବିଧା ହେଇନିତ, ଏପର୍ଯ୍ୟନ୍ତ ଖାଇଲାଣି କି ନାହିଁ ଏମିତି ଗୁଡ଼ାଏ ପ୍ରଶ୍ନ ବିକାଶ ମନରେ ଚାଲୁଥାଏ, କିନ୍ତୁ ସେ ଅବା ପଚାରିବ କେମିତି ? ପ୍ରୀତି ତ ଆସିଲା ବେଳଠୁ ପରିବାର ଲୋକଙ୍କ ଦ୍ୱାରା ଘେରି ହେଇଥାଏ ବିକାଶ କେମିତି କଥା ହବ ତା' ସାଙ୍ଗରେ ? ଆଉ ଏପଟେ ସନ୍ଧ୍ୟାରେ ଘରେ ଜନ୍ମଦିନର ଭୋଜିକୁ ନେଇ ପୂରା ବ୍ୟସ୍ତ ଥାଏ ବିକାଶ । ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଆସିବାର ଥାଏ ତେଣୁ ତାଙ୍କ ଆଥିତେୟତାରେ ଯେମିତି ଅସୁବିଧା ନହୁଏ ସେଥିପାଇଁ ସେ ବୁଲୁ ସମ୍ବିତ ଆଦିତ୍ୟ ପୂରା କାର୍ଯ୍ୟରେ ଲାଗିଯାଇଥାନ୍ତି ।

ସନ୍ଧ୍ୟା ସମୟ। ବିକାଶର ଘର ଛାତ ଉପରେ ଭୋଜିର ଆୟୋଜନ ହେଇଥାଏ। ଲୋକ ଆସୁଥାନ୍ତି ବିକାଶକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ରାତ୍ରିଭୋଜନ କରି ନିଜ ନିଜ ଘରକୁ ଫେରୁଥାନ୍ତି । ଏମିତି ପ୍ରାୟ ରାତି ଏଗାରଟା ଯାଏଁ ଚାଲିଥାଏ । ୟାଭିତରେ ପ୍ରୀତି ସହ ମାତ୍ର ବିକାଶ ଗୋଟିଏ ପଦ କେବଳ କଥା ହେଇଥାଏ ଯେ କେମିତି ଅଛ ବୋଲି । ଆଉ ପ୍ରତି ଉତ୍ତରରେ ଭଲ ଅଛି କହି କାମରେ ବ୍ୟସ୍ତ ହେଇଯାଏ ପ୍ରୀତି ।

ପ୍ରୀତି ବିକାଶର ମା'ର ମନକୁ ଜିତିବା ପାଇଁ ନିଜର ଚେଷ୍ଟା ଜାରି ରଖିଥାଏ । ବିକାଶର ଜନ୍ମଦିନରେ ପ୍ରୀତି ରଶ୍ମିତା ଦେଇଥିବା ଶାଢ଼ୀ ପିନ୍ଧିଥାଏ । କିନ୍ତୁ ପ୍ରକୃତରେ ଶାଢ଼ୀଟି ରଶ୍ମିତା ହାତରେ ବିକାଶ ହିଁ ଦେଇଥାଏ । ପ୍ରୀତି ନିଜ ଚାଲିଚଳଣ ଆଚାର ବ୍ୟବହାରରେ ଘରର ପ୍ରତିଟି ସଦସ୍ୟଙ୍କ ମନ କିଣି ସାରିଥାଏ କେଇଟା ସମୟ ଭିତରେ ।

ଅତିଥିମାନେ ଖାଇସାରି ବିଦା ହେଇ ସାରିଥାନ୍ତି । ଏବେ ଖାଇବା ପାଳିଥାଏ ଘର ଲୋକଙ୍କର । ବିକାଶର ବାପା ମଧ୍ୟ ଖାଇସାରି ଶୋଇବାକୁ ପଳାନ୍ତି ନାତି (ବୁଲୁ ପୁଅ) ଦୁହିଁଙ୍କୁ ନେଇ । ପ୍ରଥମେ ବିକାଶ ବୁଲୁ ସମ୍ବିତ ଆଦିତ୍ୟ ବସି ଖାଇ ନିଅନ୍ତି । ଆଦିତ୍ୟ ଖାଇ ସାରି ନିଜ ଘରକୁ ପଳାଏ । ତା'ପରେ ପାଳି ପଡ଼େ ମହିଳାମାନଙ୍କର । ବିକାଶର ମା',ଭଉଣୀ, ଭାଉଜ ରଶ୍ମିତା ଆଉ ପ୍ରୀତି ଖାଉଥିବା ସମୟରେ ବିକାଶ ବାରମ୍ବାର ସେହି ପଟେ ଯିବା ଆସିବା କରୁଥାଏ । ଆଉ ବିକାଶର ଏପରି ଅବସ୍ଥାକୁ ଦେଖି ପ୍ରୀତି ଆଉ ରଶ୍ମିତା ମୁରୁକି ମୁରୁକି ହସୁଥାନ୍ତି । ଘରର ସବୁ କାମ ସରିଲା ବେଳକୁ ରାତି ଗୋଟାଏ । ତେଣୁ ସମସ୍ତେ ଥକି ପଡ଼ିଥାନ୍ତି । ଯାହାର ଯଉଠିଁ ଶୋଇବାର ବ୍ୟବସ୍ଥା ହେଇଥାଏ ସେମାନେ ଯାଇ ସେଠି ଶୁଅନ୍ତି । ବିକାଶ ସମ୍ବିତ ଆଉ ବୁଲୁ ନିଜ ବିଛଣା ଛାତ ଉପରେ ବିଛେଇଥାନ୍ତି । ସମସ୍ତେ ଶୋଇପଡ଼ିଥାନ୍ତି ହେଲେ ବିକାଶ ଆଉ ପ୍ରୀତି ଛାତ ଉପରେ ଠିଆ ହେଇ କଥା ହଉଥାନ୍ତି ।

- ଘର କେମିତି ଲାଗିଲା ?

- ଭଲ । ତମେ ଗୋଟେ କଥା କହିଲ । ତମେ କ'ଣ ତମ ଘର ଲୋକଙ୍କୁ ଜଣେଇ ଦେଇଛ ଆମ ବିଷୟରେ ।

- ମୁଁ ଜଣେଇନି । ଆଜି ସକାଳେ ସମ୍ବିତ ମା' ଭଉଣୀ ଆଉ ଭାଉଜଙ୍କୁ ଜଣେଇ ଦେଇଛି । କାହିଁ କ'ଣ ହେଲାକି ?

- ନା କିଛି ନାହିଁ ?

- ମମ୍ମି କିଛି କହୁଥିଲେ କି ?

- କ'ଣ କହିବେ ? ମୋ ବିଷୟରେ ସବୁ ପଚାରି ବୁଝୁ ଥିଲେ । ବାପା କ'ଣ କରନ୍ତି, ମା' କ'ଣ କରନ୍ତି, ଆମେ କେତେ ଭାଇ ଭଉଣୀ, ଗାଁ କଉଠି, ଗାଁରେ ସବୁ କିଏ କିଏ ଅଛନ୍ତି । ମୋ ରାଶି ନକ୍ଷତ୍ର ବହୁତ କିଛି ।

- ଭାଉଜ କିଛି କହୁଥିଲେ ।

- ନା । ସେ ବହୁତ ଭଲ । ମତେ ନିଜ ସାନ ଭଉଣୀ ପରି ବ୍ୟବାହାର କରୁଥିଲେ ।

- ଆଉ ମୋ ଭଉଣୀ ।

- ଆରେ ସେ ତ ଫସେଇ ଦେଇଥିଲା । ତମ ବାପାଙ୍କ ଆଗରେ ମତେ ଭାଉଜ ବୋଲି ସେ ଦୁଇ ତିନି ଥର ଡାକି ଦେଇଛି । ହେଲେ ସେ କିଛି ଜାଣି ପାରିଲେନି ।

- ଡାକିଲା ତ ଅସୁବିଧା କ'ଣ ହେଲା ? ତମେ ତ ତା' ଭାଉଜ ହବ ନା ।

- ହଉ ଥାଉ ସେତିକି । ମୁଁ ଯାଉଛି ଶୋଇବି । ମତେ ନିଦ ଲାଗିଲାଣି ।

- ( ବିକାଶ ପ୍ରୀତିର ହାତ ଉପରେ ହାତ ରଖି) ତମେ ସତରେ କାଲି ପଳେଇବ ?

- ହଁ । କ'ଣ କରିବି କହୁନ କାଲି ରାତି ଶୁଦ୍ଧା ଯେମିତି ହେଲେ ମତେ ଘରେ ପହଞ୍ଚିବାକୁ ପଡ଼ିବ । ପହର ଦିନ ୧୨ ଟା ବେଳେ ଫ୍ଲାଇଟ ଅଛି ଦିଲ୍ଲୀକୁ । ତା'ପରେ ସେଠୁ ଜାପାନ ।

- ତମେ ବର୍ଷେ ପାଇଁ ଯାଉଛନା ?

- ଆରେ ବର୍ଷେ ନୁହେଁ। ଜାପାନ୍ ରେ ଦୁଇ ମାସ ତାପରେ ଦିଲ୍ଲୀରେ ସେହି ସାତ ଆଠ ମାସ ରହିବୁ । ତାପରେ ଭୂବନେଶ୍ୱର ।

- ଏତେ ଦିନ? ମତେ ଜମାରୁ ଭଲ ଲାଗିବନି । ହଉ ଛାଡ଼ ସେସବୁ କଥା । ତମେ ଭଲରେ ଯାଇକି ଫେରି ଆସ । ମୁଁ ଏପଟେ ମୋ ଘର ଲୋକଙ୍କୁ ରାଜି କରଉଛି ଆମ ବାହାଘର ପାଇଁ ।

ଏହି କଥାଟି ଶୁଣିବା ମାତ୍ରକେ ପ୍ରୀତିର ଆଖିରୁ ଲୁହ ଖସି ଆସେ । ବିକାଶର ଛାତି ଆଉଜେଇ ହେଇ ବହୁତ କାନ୍ଦେ । ବିକାଶ ତାକୁ ତୁନି କରେଇ ଶୋଇବାକୁ ପଠେଇଦିଏ । ଆଉ ତାକୁ କହେ - ଧନ୍ୟବାଦ ପ୍ରୀତି । ପ୍ରୀତି କିଛି ନକହି ତଳକୁ ପଳାଏ ଶୋଇବା ପାଇଁ ।

ବିକାଶ ସେମିତି ଛାତ ଉପରେ ଠିଆ ହେଇଥାଏ । ଆଖିରୁ ଲୁହ ଝରୁଥାଏ , ଆଉ ମନେ ମନେ କହୁଥାଏ –

ପ୍ରଥମ ଥର ଆଜି ଆସି ମୋ ଘରକୁ

କନ୍ଦେଇ ଦେଇ ଯାଉଛୁ ଏ ମୋ ମନକୁ

କେବେ ଆସିବୁ କହ ହାତରେ ଶଙ୍ଖା

ସିନ୍ଥିରେ ସିନ୍ଦୂର ମଥାରେ ଓଢ଼ଣା ଦେଇ

କହ କେବେ ଜାଳିବୁ ଲୋ ସଂଜ ସଳିତା

ତୁଳସୀ ଚଉଁରା ମୂଳେ ମୋ ଘର କୁଳବଧୂ ହେଇ ।

ବିକାଶ ପ୍ରୀତି ସନ୍ଧ୍ୟା

Rate the content


Originality
Flow
Language
Cover design

Comments

Post

Some text some message..