Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Others

5.0  

Writer Roja Panda

Others

ବୁରା ନା ମାନୋ ହୋଲି ହେ

ବୁରା ନା ମାନୋ ହୋଲି ହେ

5 mins
566


ଗରିବ ହେଇ ଜନ୍ମ ନେବା କ'ଣ ଗୋଟେ ଅଭିଶାପ ? ଜଣେ ଗରିବ ଲୋକ କଣ ସମାଜରେ ଅଧିକାରର ସହିତ ବଞ୍ଚିପାରିବ ନାହିଁ ? କାହିଁକି ଏତେ ପାତର ଅନ୍ତର ? କାହିଁକି ଜଣେ ଗରିବ ଲୋକକୁ ସମାଜ ଏତେ ହୀନ ଆଖିରେ ଦେଖେ ? ଏହାର ଉତ୍ତର କିଏ ଦେବ ? ମୁଁ ନିଜକୁ ଏମିତି ପ୍ରଶ୍ନ ସବୁ ପଚାରି ଚାଲିଥିଲି ଯେତେବେଳେ ଗୋଟେ ଗରିବ ଲୋକଟିକୁ ସମାଜ ଦ୍ୱାରା ଲାଞ୍ଚିତ ହେଉଥିବାର ଦେଖିଲି ।

ଆଜି ଯେତେବେଳେ ଇନକମ୍ ଟ୍ୟାକ୍ସ କାମ ପାଇଁ ଉକ୍ତ ଅଫିସକୁ ଯାଇଥିଲି ସେଠାରେ ଏକ ଅଫିସ ଚୌକିଦାରଙ୍କୁ ଦେଖିଲି । ସେ ଖୁବ ବିନମ୍ର ଭାବରେ ସମସ୍ତଙ୍କ ଅଵ୍ୟର୍ଥନା କରୁଥିଲେ । ଯେଉଁ ଅଫିସର ମାନେ ଅଫିସକୁ ଆସୁଥିଲେ ସମସ୍ତଙ୍କୁ ସଲାମ କରୁଥିଲେ । କିନ୍ତୁ ଉକ୍ତ ଅଫିସରେ ଥିବା କେତେ ଜଣ ଉପର କର୍ମଚାରୀ ମାନେ ସେହି ଚୌକିଦାର ଙ୍କୁ ବହୁତ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ।

ଚୌକିଦାର ଜଣକ ସବୁ ସହିଯାଉଥିଲେ । ମୁଁ ଏସବୁ ଦେଖି ତାଙ୍କ ପାଖକୁ ଗଲି ଏବଂ ତାଙ୍କୁ ପଚାରିଲି - ଆଜ୍ଞା ଆପଣ କାହିଁକି ଆପଣଙ୍କ ସହିତ ହେଉଥିବା ଖରାପ ବ୍ୟବହାର କୁ ସହିଯାଉଛନ୍ତି ? କାହିଁକି ଏସବୁ କୁ ପ୍ରତିବାଦ କରୁନାହାଁନ୍ତି ?

ମୋ କଥା ଶୁଣି ସେଇ ଚୌକିଦାର ଜଣକ ଖୁବ ବିନମ୍ର ଭାବରେ କହିଲେ - ମୁଁ ଗରିବ ପରା । ମୋର ଗୋଟାଏ ମାନ ସମ୍ମାନ କଣ ? ଚାକିରୀ ଖଣ୍ଡେ ପାଇଛି ବୋଲି ଅଳ୍ପ ବୋହୁତେ ମୋର ଗୁଜୁରାଣ ମେଣ୍ଟି ଯାଉଛି । ସ୍ତ୍ରୀ ପିଲା ମିଶି ଚାରି ପ୍ରାଣୀ । ଚାକିରୀ ଖଣ୍ଡକ ଚାଲିଗଲେ ଭୋକ ଉପାସରେ ମରିଯିବୁ । କିଏ କଣ ଟିକେ କହିଦେଲେ କି ଧକ୍କାଟିଏ ପକାଇଦେଲେ କଣ ମୋ ଜୀବନ ଚାଲିଯିବ ? ହେଲେ ମୁଁ କାହାକୁ କଣ ଟିକେ କହିଦେଲେ ପରା ମୋର ଚାକିରୀଟା ଚାଲିଯିବ ଆଜ୍ଞା ।

ଦରମା ଟଙ୍କା ଯାହା ମିଳୁଛି ସେଥିରେ ଘର ଚଳୁନି ବୋଲି ମୁଁ ଦୁଇଜଣଙ୍କର ଡିଉଟି କରୁଛି ଅଧିକା ସମୟ, କିଛିଟା ଅଧିକା ଟଙ୍କା ପାଇଁ । ପୁଅଟା ସ୍କୁଲରେ ପଡ଼ିଲାଣି । ତାର ବହି,ଖାତା, କଲମ ଆଉ ସ୍କୁଲ ଦରମାରେ ଅଧା ଟଙ୍କା ସରିଯାଉଛି । ଆଉ ଝିଅଟି ଜମାରୁ ଦୁଇ ବରଷର । ସ୍ତ୍ରୀ ମୋର ଶ୍ୱାସରୋଗୀ ଆଜ୍ଞା । ଏଠି ଏଇ ବଡ ବଡ ଅଫିସରଙ୍କ ସାଙ୍ଗରେ ମୁହଁ ଯୋଡିଲେ କଣ ହେବ ?

ମୁଁ ଏସବୁ ଶୁଣି ବହୁତ ଦୁଃଖୀ ହେଇଗଲି । ସତରେ କଣ ଗରିବ ଲୋକମାନଙ୍କର ମାନ ସମ୍ମାନ ବୋଲି କିଛି ନାହିଁ । ସେ ଚୌକିଦାର ଜଣକ ଛୋଟ ଚାକିରୀ ଖଣ୍ଡେ କରିଛନ୍ତି ବୋଲି ତାଙ୍କର କଣ ସମାଜରେ ଇଜ୍ଜତ ବୋଲି କିଛି ନାହିଁ ? ଆମ ମାନଙ୍କର ସଂସ୍କାର କଣ ଏତେ ନୀଚ୍ଚ ? ଆମେ ଏତେ ପାଠ ପଢି,ଏତେ ଜ୍ଞାନ ଆହରଣ କରି ମଧ୍ୟ ଜଣେ ଚୌକିଦାର ସାମ୍ନାରେ ଛୋଟ ହେଇଯାଉନେ ତ ! ସେ ଗରିବ ହେଇ ମଧ୍ୟ ସଂସ୍କାର ଶିଖିଛନ୍ତି । ଅନ୍ୟମାନଙ୍କୁ ସମ୍ମାନ ଦେଉଛନ୍ତି । ହେଲେ ଆମ ଭଳି ଶିକ୍ଷିତ ଉଚ୍ଚ ପଦବୀ ଧାରୀ ଲୋକମାନେ କ'ଣ କରୁଛେ ? ଏମିତି ଗୁଡ଼ାଏ ପ୍ରଶ୍ନ ମୋ ମୁଣ୍ଡ ଭିତରକୁ ଆସିଯାଉଥାଏ ।

ହଠାତ କେହିଜଣେ ମତେ କିଛି ପଚାରିବାର ଶୁଣିଲି," ଝିଅ କି ରଙ୍ଗ ନେବ ? ନାଲି,ନେଲି,ହଳଦୀ.. ।

ମୁଁ ଏସବୁ ଶୁଣି ଚମକି ପଡିଲି ଆଉ ମୋ ଚିନ୍ତା ରାଇଜରୁ ବାହାରି ଦେଖିଲି ଯେ ମୁଁ ଅନ୍ୟମନସ୍କ ହୋଇ କେତେବେଳୁ ଯେ ଉକ୍ତ ଅଫିସରୁ ବାହାରି ଏକ ରଙ୍ଗ ବଜ଼ାରରେ ପହଞ୍ଚି ସାରିଲିଣି । ବଜ଼ାରର ରଙ୍ଗ ପସରା ଦେଖି ମୋର ମନେ ପଡ଼ିଲା , ଆରେ କାଲି ପରା ହୋଲି !

ତାପରେ ଯେଉଁ ଆଡୁ ପ୍ରଶ୍ନ ଆସିଥିଲା ସେଇଆଡକୁ ବୁଲି ଚାହିଁଲି । ଦେଖିଲି ସାମ୍ନାରେ ଗୋଟେ ରଙ୍ଗ ଦୋକାନ ଲାଗିଛି । ରଙ୍ଗ ବିକ୍ରି କରୁଥିବା ମଉସା ଜଣଙ୍କ ବିଲକୁଲ ଗୋଟେ ଜୋକର ପରି ସଜେଇ ହେଇଛନ୍ତି । ଦେହରେ ରଙ୍ଗବେରଙ୍ଗର ଛିଟ ଛିଟ ସାର୍ଟ କୁ ମୁଣ୍ଡରେ ଗୋଟେ ଇନ୍ଦ୍ରଧନୁ ପରି ପ୍ଲାଷ୍ଟିକ ଟୋପି ଆଉ ସେଥିରୁ ବାହାରିଛି ହାତେ ଲମ୍ବର ରଙ୍ଗ ବେରଙ୍ଗ ନକଲି ଝୋଟ ଚୁଟି । ଆଖିରେ ନାଲି ରଙ୍ଗର ଚଷମା । ଗୋଟେ ହାତରେ ରଙ୍ଗ ପ୍ୟାକେଟ ଏବଂ ଅନ୍ୟ ହାତରେ ଏକ ଖେଳନା ପିଚକାରୀ । ଗ୍ରାହକ ମାନଙ୍କୁ ଆକର୍ଷିତ କରିବାପାଇଁ ଦୋକାନୀ ମଉସାଙ୍କର ଏହି ଚମତ୍କାର ବେଶ ଦେଖି ମୁଁ ବିସ୍ମିତ ହେଇ କିଛି କ୍ଷଣ ପାଇଁ ତାଙ୍କୁ ଚାହିଁ ରହିଲି ।

ଦୋକାନୀ ମଉସା ପୁଣି ପଚାରିଲେ , - କି ରଙ୍ଗ ନେବ ? ଅବିର ,ମୁଣ୍ଡଫଟା,ନା ଏଇ ନୂଆ ଖୁସବୁଦାର ପ୍ୟାକେଟ ରଙ୍ଗ ? ପିଚକାରୀ ନୋଉନା ? ଟୋପି ନବ ?

ମଉସାଙ୍କର ଏକାବେଳେ ଏତେ ଗୁଡ଼ାଏ ପ୍ରଶ୍ନ ଶୁଣି ଦୋକାନରେ ସଜା ହୋଇ ରଖା ଯାଇଥିବା ଥିବା ରଙ୍ଗ,ନାନାଦି ଟୋପି,ପିଚକାରୀ ଏବଂ ବିଭିନ୍ନ ଆକୃତିର ଭଳିକିଭଳି ଆକର୍ଷଣୀୟ ହୋଲି ମୁଖା ଉପରେ ମୋର ନଜର ପଡିଲା । କଣ ନେବି କି ନ ନେବି ଭାବୁଥିବା ସମୟରେ ହଠାତ କାହାର କଅଁଳ ସ୍ୱର ମୋର କାନରେ ବାଜିଲା । ବୁଲି କରି ଦେଖିଲି ଗୋଟେ ପାଞ୍ଚ ବର୍ଷର ଛୋଟ ପିଲାଟିଏ ।

ଦେହରେ ଗୋଟେ ମାଟିଆ ରଙ୍ଗର ହାତକଟା ଗଞ୍ଜି ସାଙ୍ଗକୁ ନୀଳ ରଙ୍ଗର ସ୍କୁଲ ପ୍ୟାଣ୍ଟ , ପାଦରେ ଜୋତା କି ଚପଲ କିଛି ନାହିଁ । ତାର କୁନି କୁନି ହାତରେ ଦୋକାନୀ ମଉସାଙ୍କୁ ପାଞ୍ଚ ଟଙ୍କା ଟିଏ ବଢ଼ାଇ କହୁଥିଲା - ମଉସା ରଙ୍ଗ ଦେଲ ।

ସେଇ କୁନିପିଲାର ନିରୀହ କଥା ଶୁଣି ମୁଁ ଆଉଥରେ ମୋର ଭାବନା ରାଇଜରେ ବୁଡ଼ିଗଲି । ଆଉ ମନେ ପଡ଼ିଲା ସେଇ ଚୌକିଦାରଙ୍କ କଥା । ଆଉ ମନେ ପଡ଼ିଲା କେତେ ଅଭାବ ଅନାଟନରେ ସେ ଚଳୁଛନ୍ତି । ସେ କଣ କାଲି ହୋଲି ଖେଳିବେ ? ସେ କଣ ତାଙ୍କ ଛୁଆ ମାନଙ୍କ ପାଇଁ ରଙ୍ଗ , ପିଚକାରୀ କିଣିଥିବେ ?

ହଠାତ କାହିଁକି କେଜାଣି ସେଇ ଚୌକିଦାର ଜଣଙ୍କୁ ହୋଲି ଉପଲକ୍ଷେ କିଛି ଭେଟି ଦେବାପାଇଁ ମନରେ ଆଗ୍ରହ ସୃଷ୍ଟି ହେଲା । ମୁଁ ଦୋକାନୀ ମଉସାଙ୍କ ଠାରୁ କିଛି ରଙ୍ଗ ,ଦୁଇଟି ପିଚକାରୀ ଆଉ ପାଖରେ ଥିବା ମିଠା ଦୋକାନରୁ ପୁଡାଏ ମିଠା କିଣିଲି । ନିଜ ପରିବାର ପାଇଁ ତ ସମସ୍ତେ ସବୁ ପର୍ବପର୍ବାଣୀରେ କିଛି ନା କିଛି କରନ୍ତି କିନ୍ତୁ ଆଜି ମୁଁ ଯେ ଜଣେ ଅଜଣା ଅଚିହ୍ନା ଚୌକିଦାର ପାଇଁ ଏମିତି କିଛି କରିବାକୁ ଉଦ୍ୟମ କରୁଥିବାରୁ ମନରେ ଏକ ଅଦ୍ଭୁତ କୌତୁହଳ ଏବଂ ଆନନ୍ଦର ଲହରୀ ଛୁଟୁଥାଏ ।

ଉକ୍ତ ଅଫିସ ଦ୍ୱାରରେ ଯେମିତି ପହଞ୍ଚିଲି ସୁଇଚ ଟିପା ରୋବଟ ଭଳି ସେଇ ଚୌକିଦାର ଜଣକ ନିଜ ଆସନ ଛାଡି ଠିଆ ହେଇଗଲେ ଏବଂ ସଲାମ ମାରି କହିଲେ - " ଗୁଡ଼ ଆଫଟର ନୂନ ମ୍ୟାଡାମ " ।

ତାଙ୍କୁ ଚାହିଁ ମୁଁ ଟିକେ ହସିଦେଲି ଓ ଆଣିଥିବା ହୋଲି ଭେଟି ତାଙ୍କ ଆଡକୁ ବଢ଼ାଇ କହିଲି - " ହ୍ୟାପି ହୋଲି"

ଚୌକିଦାର ଜଣଙ୍କ ଟିକେ ଆହାପି ଗଲେ ଆଉ ସାମାନ୍ୟ ପଛଘୁଞ୍ଚା ଦେଇ କହିଲେ - ଏ କଣ ମ୍ୟାଡାମ ? ମୁଁ ସାମାନ୍ୟ ଚୌକିଦାର ଟିଏ । ମୁଁ କଣ ଏସବୁ ନେଇପାରିବି ?

ମୁଁ କହିଲି - ମଉସା, ମୁଁ ଯଦି ଆପଣଙ୍କର ଝିଅ ହେଇଥାନ୍ତି ତାହାଲେ କଣ ମନା କରିଥାନ୍ତେ ? ଏକଥା ଶୁଣି ଚୌକିଦାରଙ୍କ ଆଖି ଛଳ ଛଳ ହେଇଗଲା । ସେ କିଛି ପ୍ରତିଉତ୍ତର ଦେବା ପୂର୍ବରୁ ମୁଁ ଆଣିଥିବା ରଙ୍ଗ ପ୍ୟାକେଟରୁ କିଛି ରଙ୍ଗ ନେଇ ତାଙ୍କର ଦୁଇ ପାଦରେ ଅର୍ପଣ କରି ହୋଲିର ଶୁଭେଚ୍ଛା ଆଉଥରେ ଜଣାଇଲି ।

ଠିକ ସେତିକିବେଳେ ଅଫିସ ବାରଣ୍ଡାର ଅପର ପକ୍ଷରୁ ଏକ ତୀବ୍ର ,କର୍କଶ ସ୍ୱର ଗୁଞ୍ଜି ଉଠିଲା ," ଏ କଣ କରୁଛନ୍ତି ମ୍ୟାଡ଼ମ ?

ଉଠି କରି ଦେଖିଲି ସୁଟ, ବୁଟ ଓ ଟାଏ ପିନ୍ଧା ଜଣେ ମୋଟା ସୋଟା ଭଦ୍ରଲୋକ କାଖତଳେ ଗୋଟେ ମୋଟା ଫାଇଲ ଜାକି କରି ଠିଆ ହୋଇଛନ୍ତି । ବେଶଭୁଷାରୁ ପ୍ରତୀତ ହେଉଥିଲା ଯେ ସେ ଭଦ୍ରବ୍ୟକ୍ତି ଜଣକ ଏହି ଅଫିସ ର ଜଣେ ଉଚ୍ଚ ପଦସ୍ତ କର୍ମଚାରୀ ହୋଇଥିବେ ବୋଲି । ମୁଁ ଦେଖିଲି ସେ ଆମ ଆଡ଼କୁ ଅଗ୍ରସର ହେଉଛନ୍ତି ।

ଚାଲୁ ଚାଲୁ ଆଉଥରେ ସେଇ ଭଦ୍ରବ୍ୟକ୍ତି ଜଣକ କର୍କଶ ସ୍ୱରରେ କହିଚାଲିଲେ - ସେ ଜଣେ ସାମାନ୍ୟ ଚୌକିଦାର । ତାକୁ ଏସବୁ ଦେବା କଣ ଦରକାର ? ତା ପରି ଗରିବ ଲୋକ ଏସବୁ କଣ ବୁଝିବ ? ସେ କଣ ଏସବୁ କେବେ ଆଗରୁ ଦେଖିଥିବ ? ଏମିତି କେତେ କଟୁ କଥା କହି କହି ସେ ଆମ ପାଖରେ ଆସି ପହଞ୍ଚିଲେ । ଏପଟେ ଅପମାନରେ ଚୌକିଦାର ମଉସାଙ୍କ ମୁହଁ ଲାଲ ପଡିଯାଇଥାଏ ।

ମୋ ମନ ମଧ୍ୟ ରାଗରେ ଜାଳି ଉଠୁଥାଏ । ମନେ ହେଉଥାଏ ଯେ ଗରୀବ ର ଗରିବତାକୁ ଅଟ୍ଟହାସ୍ୟ କରୁଥିବା ସେଇ ସମ୍ଭ୍ରାନ୍ତ , ଅଭଦ୍ର, ଭଦ୍ରବ୍ୟକ୍ତିଙ୍କୁ ପାଦରୁ ଚପଲ କାଢି ସେକି ଦେଇଯାଆନ୍ତି । କିନ୍ତୁ କିଛି କ୍ଷଣ ନିଜକୁ ସଂଯତ କରି ମିଠା ପ୍ୟାକେଟରୁ ମିଠା ଗୋଟେ କାଢି ତାଙ୍କ ଆଡେ ବଢ଼ାଇ ଦେଇ କହିଲି - ବୁରା ନା ମାନୋ ହୋଲି ହେ ....।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା,କଟକ


Rate this content
Log in