Swagatika Mishra

Drama


3  

Swagatika Mishra

Drama


ବୃଦ୍ଧା ସାଧବ ବୋହୂ

ବୃଦ୍ଧା ସାଧବ ବୋହୂ

3 mins 13.9K 3 mins 13.9K

ବୟସର ସେଇ ପ୍ରଥମ ଫଗୁଣର ଆଶ୍ଳେସରେ କୋଉ ଗୋଟେ ଦୁର୍ବଳ ମୁହୂର୍ତ୍ତରେ ଛୁଇଁ ଯାଇ ଥିଲ ତୁମେ ଏଇ ମନକୁ, କେବଳ କେଇ ପଦ କଥାରେ । ତୁମକୁ ଦେଖିବା ଆଗରୁ ମଧ୍ୟ ବହୁ ଥର ଉତାରି ସାରି ଥିଲି ତୁମକୁ ମୋ କବିତାରେ,ଭାବନାରେ,ସ୍ୱପ୍ନରେ ଆଉ ହୃଦୟର କାନ୍ଥରେ । ଭିଜି ଯାଇଥିଲା ତନୁ ଆଉ ଓଦା ହେଇଯାଇଥିଲା ଦୁଇ ଦୁଇଟା ମନ ତୁମର ସେଇ ନିଃସର୍ତ୍ତ ପ୍ରେମରେ । ତୁମର ବାସ୍ତବ ଉପସ୍ଥିତି ଆଉ କଣ ବା ଅଧିକା କରିଥାନ୍ତା ଯେ ? ଖାଲି ଯାହା ଆନମନା ହୋଇ ଉଠିଥିଲି ଗୋଟେ ଥର ହୃଦୟରେ ଆଂକିଥିବା ତୁମ ପଟ୍ଟଚିତ୍ର ସହ ତୁମର ସଂଯୋଗକୁ ଦେଖିବାକୁ । ସେଥିପାଇଁ ତ ହୃଦୟର ଭାଷାକୁ ବୁଝି ପାରି ତମେ ଚାଲି ଆସିଥିଲ କାହିଁ କେତେ କୋଷରୁ ହଠାତ୍ ଭାବରେ ମୋ ଅଜ୍ଞାତରେ କୌଣସି ପୁର୍ବଭାସ ନଦେଇ, ମନର ମରୁଭୂମିରେ ଢ଼ାଳିଦେବା ପାଇଁ ପିୟୁସର ରସ ଆଉ ପ୍ରୀତିର ବିଶ୍ୱାସ । ଆଉ ପ୍ରଥମ ଦେଖାରେ ବୁଝି ବୋଧେ ପାରିଥିଲ ଏଇ ହୃଦୟର ବିସ୍ତୀର୍ଣ୍ଣ ସମୁଦ୍ରରେ ତୁମ ପାଇଁ ଥିବା ପ୍ରେମର ଗଭୀରତାକୁ,ତୁମ ପ୍ରତି ଥିବା ନିରୀହ ହଳେ ଆଖିର ସମ୍ପୂର୍ଣ୍ଣ ସମର୍ପଣକୁ,ଛାତି ତଳର ଅକୁହା ଆବେଗକୁ । ଆଉ ପ୍ରତି ବଦଳରେ ଦେଇ ଯାଇଥିଲ ଜୀବନ ସାରା ଏକାଠି ରହିବାର ଏକ କଅଁଳ ପ୍ରତିଶୃତି । ସାଧବ ବୋହୂ ସାଜି ଦର୍ପଣ ଆଗରେ ଖିଲି ଖିଲି ହସର ମେଞ୍ଚାଏ ସ୍ବପ୍ନ,ମାଖି ଦେଇ ଯାଇ ଥିଲ ମୋର ଏହି ଗୋରା ଦେହରେ ତୁମ ପ୍ରେମର ଅଷ୍ଟମ ରଙ୍ଗ ଆଉ ସମ୍ପ୍ରସାରିତ ଅଧରରେ ଆତ୍ମତୃପ୍ତିର ଚେନାଏ ହସ।

ଆଂଜୁଳାଏ ସୁନେଲି ସ୍ବପ୍ନ,କେଇ ବୁନ୍ଦା ଆଶା ଆଉ ଦଲକାଏ ଶାଶ୍ୱତ ପ୍ରେମର ମହ ମହ ବାସ୍ନାରେ ମହକାଇ ଦେଇଥିଲି ନିଜକୁ ଆଉ ମସଗୁଲ ହେଇ ଯାଇ ଥିଲି ତୁମ ପ୍ରତୀକ୍ଷାରେ । ବୋଧେ ଏଇଠୁ ହିଁ ଆରମ୍ଭ ହୋଇଥିଲା ଆମ ପ୍ରେମ ପର୍ବ । ବଞ୍ଚିବା ପାଇଁ ଏତିକି ତ ଲୋଡ଼ି ଥିଲି ମୁଁ ।

ପ୍ରତିଶୃତିର ଏକ ସୁକ୍ଷ୍ମ ବଳୟ ଆଉ ପ୍ରତିଘାତର ତୀବ୍ର ଘୂର୍ଣ୍ଣିଝଡ.... ମଝିରେ ସମ୍ପର୍କର ଅବୋଧ ଶିଶୁଟା ଝଡ ବେଳେ କାନ୍ଦି ଉଠେ ଆଉ ଝଡ ଥମିଗଲେ ଫିକ୍ କରି ହସିଦିଏ । ଏଇ ଅତର୍କିତ ଝଡ଼ର ଆକ୍ରମଣ ଆଉ ମୁଣ୍ଡନୁଆଁ ଶାନ୍ତି ମଝିରେ କେଜାଣି କେମିତି ବିତି ଗଲା ଆଠ ବର୍ଷର ପ୍ରେମ ସମ୍ପର୍କ । ପରିଶେଷରେ ହାର ମାନିଲା ଝଡ,ସମ୍ପର୍କର ସେତୁବନ୍ଧ ଆଗରେ । ଅଧା ଗଢ଼ା ସ୍ୱପ୍ନର ତାଜମହଲଟା ଜୀବନ୍ତ ହୋଇ ଉଠିଲା, ଯେଉଁ ଦିନ ପକ୍ଷୀରାଜ ଘୋଡ଼ା ଚଢି ତୁମେ ଆସିଥିଲ ବର ବେଶରେ ଆଉ ଭରି ଦେଇଥିଲ ଧାରଟେ ସିନ୍ଦୂର ।

ପାଦରେ ଅଳତା, ମଥାରେ କୁଙ୍କୁମ,ଗଭାରେ ଗଜରା,ପାଟ ଶାଢ଼ୀ ଆଉ ନାଲି ଚୁଡ଼ି ପିନ୍ଧି ତୁମ ମନ ଅଗଣାରେ ପାଦ ଥାପିଥିଲି ସପନର ସାଧବ ବୋହୂରୁ କୂଳବଧୁ ସାଜି । ହେଲେ ତୁମ ପାଇଁ ରହିଯାଇଥିଲି ଆଜୀବନ ସେଇ ଲାଲ ଟୁକ୍ ଟୁକ୍ ସାଧବ ବୋହୂଟିଏ ହେଇ । ରଂଗମୟ ହେଇଯାଇଥିଲା ଜୀବନର ପରିଧି । ଭରିଯାଇଥିଲା ମଥା ଆଉ କେତେ ଦିନ ପରେ ପୂର୍ଣ୍ଣ ହୋଇ ଯାଇଥିଲା ଶୂନ୍ୟ କୋଳ ।ଆଭୁସିତ ହୋଇଥିଲି ମାତୃତ୍ୱର ସର୍ବଶ୍ରେଷ୍ଠ ଅଳଙ୍କାରରେ ।

ସମୟର ପ୍ରଖର ସ୍ରୋତରେ ଆଖି ଆଗରେ ଭାସି ଚାଲିଗଲା ପରିବେଶ ଆଉ ପରିସ୍ଥିତିର କୁଟାସବୁ । ପିଲା ଦୁହିଁଙ୍କୁ ଖଣ୍ଡି ଉଡା ଶିଖାଉ ଶିଖାଉ କେତେବେଳେ ଏତେ ଉପରକୁ ଉଡିଗଲେ କେଜାଣି,ନା ପାଇଲା ଆଖି ନା ହାତ ! ଯୋଉ ହାଥ ଦୁଇଟା ତାଙ୍କ ମଥା ଉପରେ ଆଶୀର୍ବାଦର ବର୍ଷାକରି ରକ୍ଷା କବଚ ସାଜିଥିଲା,ସେ ହାଥ ଯୋଡ଼ାକ ଚାହୁଁ ଚାହୁଁ ବୋଝ ପାଲଟି ଗଲା ସେମାନଙ୍କ ପାଇଁ । ସେଥିପାଇଁ ତ ନିଜ ବୋଝକୁ ନିଜେ ମୁଣ୍ଡେଇବା ପାଇଁ ତୁମ ନିସ୍ପତିରେ ନିଜକୁ ସାମିଲ କରି ତୁମର ଥରିଲା ହାଥକୁ ଧରି ଚାଲି ଆସିଥିଲି ତମ ସହ ବୃଦ୍ଧାଶ୍ରମକୁ ନିର୍ଦ୍ୱନ୍ଦରେ ବିବାହର ଦୀର୍ଘ ତିରିଶ ବର୍ଷ ପରେ । ସେଇ ଦିନଠୁ ଏଇ ବୃଦ୍ଧାଶ୍ରମ ହିଁ ପାଲଟି ଯାଇଥିଲା ଆମର ସ୍ଥାୟୀ ଠିକଣା । ଏଇତ ପ୍ରେମ । ଖୁସି ଯଦିଅଛି କେବଳ ତୁମ ସହ ହିଁ ଅଛି ।

ଅବଶ୍ୟ ବହୁତ କିଛି ବଦଳିଯାଇଚି ଇତି ମଧ୍ୟରେ । ଧୋକା ଦେଇ ଚାଲିଯାଇଚି ଯଉବନ, ବାଟ ଭାଙ୍ଗି ଚାଲି ଯାଇଛନ୍ତି ପିଲାମାନେ,ହାର ମାନି ନେଇଛି ଦେହର ବଳ,ହେଲେ ବଦଳିନି ତୁମ ମୋ ମଧ୍ୟର ପ୍ରେମର ପରିଭାଷା ଓ ପ୍ରତିଶୃତିର ଅର୍ଥ । ପ୍ରେମର କଣ କିଛି ବୟସ ଥାଏ !!

ସତରେ ତମେ ସତ କହୁଥିଲ । ପ୍ରେମ ଆସେ କେବେ ବୟସର ଚପଳତାରେ,କେବେ ଯୌବନର ଉଦ୍ଦାମତାରେ,ପୁଣି କେବେ ବାର୍ଦ୍ଧକ୍ୟର ଶିଥିଳତାରେ ।

ଏମିତି କେତେ କଣ ଭାବି ପ୍ରେମ ବିବାହ କରିଥିବା ପ୍ରଭାଦେବୀ ଭାସୁ ଥିଲେ ଅତୀତର ଢେଉରେ । ବିବାହର ପଞ୍ଚତିରିଶ ତମ ବିବାହ ବାର୍ଷିକୀ ଉପଲକ୍ଷେ ସାଉଁଟି ଆଣୁ ଥିଲେ ସ୍ମୃତି ସବୁକୁ । ଠିକ୍ ଏତିକି ବେଳେ ବଂକୁଲି ବାଡ଼ି ଟାକୁ ଠକ ଠକ କରି ପହଁଚିଲେ ପ୍ରଭାଦେବୀଙ୍କର ସ୍ୱାମୀ, ପରେଶ ବାବୁ । ବୟସ ପଞ୍ଚଶଠି ପରେ । ପ୍ରଭାଙ୍କ ଆଖି ଦୁଇଟାକୁ ମୁଜି ଦେଇ ପ୍ରଭାଦେବୀଙ୍କ ହାତରେ କଣ ଗୋଟାଏ ଦେଇ ଦେଇ ପାକୁଆ ପାଟିରେ କହି ପକାଇଲେ

-ଦେଖିଲ ପ୍ରଭା କେମିତି ଲାଗୁଚି?

ପ୍ରଭା ଦେବୀ ଲାଜେଇ ଯାଇ ଦେଖନ୍ତି ତ ନାଲି ରଙ୍ଗର ସମ୍ବଲପୁରୀ ଶାଢ଼ୀଟାଏ ।

-ମା କି ସୁଂଦର ହେଇଛି ଶାଢ଼ୀଟା ! ! ଖୁସିରେ କହି ପକାଇଲେ ପ୍ରଭାଦେବୀ ।

-ଯାଅ ପ୍ରଭା ପିନ୍ଧି ଦେଇ ଆସ ଶାଢ଼ୀଟା । ମୁଁ ବି ତ ଦେଖେ ମୋ ବୁଢ଼ୀ ସାଧବ ବୋହୂକୁ କେମିତି ମାନୁଛି ଏଇ ବୁଢା ସାଧବ ପୁଅ ଆଣି ଥିବା ଶାଢ଼ୀ ଖଣ୍ଡକ ।

ପ୍ରଭାଦେବୀ ଶାଢ଼ୀଟାକୁ ଜାକିଧରି ଆଉଜି ପଡ଼ିଥିଲେ ପରେଶ ବାବୁଙ୍କ ଛାତିରେ । ବୋଲ ମାନୁ ନଥିଲା ଆଖିରେ ଖୁସିର ଲୁହ ଗୁଡାକ ।

ଜୀବନର ସାୟାନ୍ହ ରେ ଆଜିବି ଝରିପଡୁଥିଲା ପାକୁଆ ପାଟିରୁ ପ୍ରେମସ୍ନିକ୍ତ ହସର ପାଖୁଡା । ସ୍ନେହର ପ୍ରଦୀପ,ତ୍ୟାଗର ସଳିତା,ଆଉ ଭକ୍ତିର ଅର୍ଘ୍ୟରେ ହୃଦୟର ନିଭୃତ କୋଠରୀରେ ଆଜି ଵି ପାଳନ ହେଉଥିଲା ପ୍ରେମ ପର୍ବ ।


Rate this content
Originality
Flow
Language
Cover Design