ନୁଆଁବର୍ଷ
ନୁଆଁବର୍ଷ
ମନେରହିଲା ଦିନଠୁ ଏଇ ସମୟଟିକୁ ମୁଁ ସବୁବେଳ ଅପେକ୍ଷା କରିଥାଏ , କିନ୍ତୁ କେଵେବି ଠିକରେ ଅନୁଭୋଗ କରିପାରେନା, ଛୁଆବେଳେ ବାପା ବିରକ୍ତି ହେଲେବି ଆଜିର ଦିନରେ ବୋଉ ମୋର , ପୁରଦିଆ ମଣ୍ଡା ଆଉ ଏଣ୍ଡୁରୀ କରିଥିବ । କାନ୍ଦି-କାନ୍ଦି ସୁମିଦେଇ ବାପାଙ୍କଠୁ ସହଜରେ ନେଇଯିବ ନୂଆବର୍ଷର ପିକିନିକି ଚାନ୍ଦା .. ଗଲାବେଳକୁ ମୋଟାଦାନ୍ତ ଦେଖାଇ ଖତେଇ ହେଲେ ମୁ ପୁଣି ଚିଡିଯାଇ କାନ୍ଦି ଉଠିବି....ବୋଉ ରନ୍ଧା ଘରୁ ପାଟିକରି କହିବ....”ସୁମି” ......!
ବୋଉର ପାଟିଶୁଣି ସୁମିଦେଇ ଫେରାର ....!
ହାତୀ-ଘୋଡା ର ବାହାନା ଦେଇ ସକାଳୁ ସକାଳୁ ସୁମିଦେଇ ବାହାରିଜିବ ପିକିନିକି - ନୂଆବର୍ଷ ପାଇଁ । ମୋ କାନ୍ଦୁରା ମୁହଁ ଦେଖି ବୋଉ ଆଉ ସମ୍ଭାଳି ପାରେନା ବାପାଙ୍କୁ କହି ମୋତେ ସଜକରି ବଜାର କୁ ପଠାଇ ଦିଏ ନୂଆବର୍ଷରେ ବୁଲିବାକୁ .....
ନୂଆବର୍ଷରେ ବଜ଼ାର ବୁଲିବାର କୁ ଅଭ୍ୟାସ ଟା ବୋଉଠୁ ଆରମ୍ଭ ହୋଇଥିଲେ ବି ଆଜିଯାଏଁ ମୁ ତାକୁ ସେମିତି ଜାରିରଖିଛି । ବାପାଙ୍କ କାନ୍ଧରେ ବସି ବଜ଼ାର ର ଏ ଛକ ରୁ ଆର ଛକ ବୁଲିବାର ମଜା......ଓଃ.....ସତରେ ପୁଣି ଫେରିଆସନ୍ତା କି ସେ ଦିନ ସବୁ .....!
************
ହେଲେ ଏବେ ସମୟ ବଦଳି ଯାଇଛି ଧୂଳି-ଧୁସର ଦାଣ୍ଡରୁ ଦାଣ୍ଡଏବେ ପକ୍କାହୋଇଯାଇଛି । ସୁମିଦେଇ ଶାଶୁଘର ଯାଇ ଏବେ ବୁଢ଼ୀହେବାକୁ ଗଲାଣି , ମୋ ବୋଉର ଫୋଟୋରେ ଅନେକ ଦିନ ହେଲା ଫୁଲ ଲାଗିଲାଣି ; ସଞ୍ଜ ହେଉ-ହେଉ ଗାଁ ଛକରେ ମାର୍କୋରିଲାଇଟ ବି ଜଳିଲାଣି... ଗାଁ ତ ଆଉ ଗାଁ ହୋଇ ନାହିଁ ;ଏବେ ସହର ସହର ବାସିଲାଣି ।
ସବୁ ନୂଆବର୍ଷରେ ମୁ ବଜାରଯାଏ ଖୋଜିବାକୁ , ଗଲା ତିରିଶିବର୍ଷ ତଳେ ବାପାଙ୍କ କାନ୍ଧରେ ବସି ଆରମ୍ଭ କରିଥିବା ନୂଆବର୍ଷ ର ଠିକଣା କୁ....! ଏବେବି ମୁ ଖୋଜି ପାଏନା ସେ ନୂଆବର୍ଷକୁ , ବଜାରର ଏ ଗଳି ରୁ ଆର ଗଳି ପର୍ଯ୍ୟନ୍ତ ପାଗଳଙ୍କ ପରି ଖୋଜିବୁଲେ ନୂଆବର୍ଷ ର ଠିକଣା । ସଭିଙ୍କୁ ପଚାରି ବୁଝି ନିଏ--- " ହେ କିଏ ନୁଆବର୍ଷ କୁ ଦେଖିଚ...? " ନୁଆବର୍ଷ ପାଇଁ ଫୁଲ ଆଉ ବେଲୁନ ସଜଉ-ସଜଉ... ସମସ୍ତେ ମୋତେ ଵଲ-ଵଲକରି ସେମିତି ଚାହିଁଥାନ୍ତି..; ଶୀତରାତି ସହ ବଢୁଥାଏ ଦେହ ଆଉମନର ତାତି ସମସ୍ତେ ନୂଆବର୍ଷକୁ ନେଇ ହରଷ କିନ୍ତୁ ମୁ ଭୟଙ୍କର ଭାବେ ନିରାଶ....!
ପୁଣି ଫେରିଆସି ସବୁ ଫୋପାଡିବା ଆରମ୍ଭକରିଦିଏ...ନୂଆବର୍ଷ ଖୋଜିପାଇବାର ବିଫଳତାରେ....ଓଃ...କି ଯନ୍ତ୍ରଣା...ସତେ...!
ବାହାର କୁ ଆସି ଦେଖେ ତ ...ହାଡଭଙ୍ଗା ଶୀତ ଆଉ କଳା ମଚ-ମଚ ଅନ୍ଧର ରାତି ରେ ରଙ୍ଗ ବେରଂଗ ର ଆଲୁଅ...ହିସାବ-ନିକାସ ର ବର୍ଷ ବୋଧେ ସରିଯାଇଛି... ; କାହିଁ କୋଉଠି କିଛି ତ ନାହିଁ…..!
ସାର୍ବଜନୀନ ସ୍ଵିକୃତିପ୍ରାପ୍ତ ନୂଆବର୍ଷ ଆସିଛି ସେଇ ପୁରୁଣା ସକାଳକୁ ନେଇ ଖାଲି ଯାହା ବଦଳିଛି ରଘୁ ଚାହା ଦୋକାନର ଭୌଗଳିକତା
ରଘୁ ତା ଚା'ଦୋକାନ ଠେଲାଗାଡିର ଚାରିପଟେ ରଙ୍ଗ ଜରି ଆଉ ବେଲୁନ ସଜେଇ ଦେଇଛି...
- ମୁଁ ପଚାରି ବୁଝିନେଲି....କିରେ ରଘୁ....ଆଜି ପୁଣି ....??
- ଚା' ଦେଉ ଦେଉ ହସି ହସି କହେ ବାବୁ ଆପଣ ବି ବଡ ଭୁଲା ଲୋକ
- ମୁଁ ଭୁଲା ଲୋକ....?? ମୁଁ ଚମକି ଉଠିଲି......!
- ଆଜି ବା ନୁଆଁବର୍ଷ ଏଇଥି ପାଇଁ ଗାଁ ରୁ ବାପାକୁ ନେଇ ଆସିଛନ୍ତି
ପାଞ୍ଚ ଟଙ୍କା ବଦଳେ ପଚାଶ ଟଙ୍କା ବଢ଼ାଇ ଦିଏ ରଘୁ ହାତକୁ -କେବେ ଦେଖିନଥିବା ନୁଆଁବର୍ଷର ଉତ୍ସବ ମନାଇବା ପାଇଁ ; ....ମୁଁ ନ ଦେଖିଲା କଣ ହେଲା ଵିଶାସୀ ରଘୁ ତ ଦେଖିଚି....!
ନୁଆଁବର୍ଷ ରେ ବାପାମାନେ ଆଉ ବଜାର ଯାଆନ୍ତିନି ଯାଆନ୍ତି - "ଜରାଶ୍ରମ".....!
ସେଇ ବାପା ମଣିଷକରି ହାତରେ ଚାରିଚକିଆଗାଡି ଧରାଇଥିବା ପୁଅମାନଙ୍କ ନୁଆଁବର୍ଷ କଟେ ପବ ଆଉ ହୋଟେଲ ରେ । ଶୀତୁଆ ରାତି ର ଝିଲମିଲ ଆଲୁଅ ରେ ଝୁମି ଉଠେ ସହର- । ୟାରି ଭିତରେ ଚାଲି ଥାଏ ମୋ ନୁଆଁବର୍ଷ ଖୋଜା ଅଭିଯାନ ଯେମିତି ଦିନେ ଆରମ୍ଭ ହୋଇଥିଲା ଆମ ଗାଁ ଛକରୁ ଠିକ ତିରିଶି ବର୍ଷ ତଳେ ।
ବର୍ଷ ବଦଳି ଯିବାର ଖୁସିରେ ନାଚିଉଠି ମଣିଷ ଏଠି ମତୁଆଲା ହେବାର ଦେଖିଚି ଆଉ ତମାମ ବର୍ଷ ମଣିଷ ଏଠି ବଦଳି- ବଦଳି ମତଲବି ବି ହେବାର ଦେଖିଛି...ଦିନେ ଜଙ୍ଗଲ ସଫା କରି ମଣିଷ ସହର ଆଉ ସଭ୍ୟତା ଗଢୁଥିଲା କିନ୍ତୁ ଆଜି ସେ ସହର ଆଉ ସଭ୍ୟତା ମଣିଷ କୁ ସହରୀ ରୁ ପୁଣି ଜଙ୍ଗଲୀ କରି ଦେଇଛି
ଏ ଯାଏ ବୁଝି ପାରିଲିନି ନୁଆଁବର୍ଷ କଣ... ?? ଯାହା ରଘୁ ବୁଝିପାରିଛି ….କେହି କହିବେ କି ସତରେ କେବେ ଆସିବ ସେ ନୁଆଁବର୍ଷ...??
ପ୍ରିୟମ୍ବଦ ପଟ୍ଟନାୟକ
କରାଖଣ୍ଡି;ହିଞ୍ଜଳିକାଟୁ,ଗଂଜାମ
ଦୂ:ଭା :- ୮୮୨୮୧୨୫୫୨୫