Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy Inspirational

3  

Amiya Bej

Tragedy Inspirational

ଲେବଲ୍ କ୍ରସିଂ

ଲେବଲ୍ କ୍ରସିଂ

4 mins
7.3K


{୧}

ମା-ବାବା ମାନେ ନିଜ ଛୁଆଙ୍କ ପ୍ରତି ଢେର୍ ସତର୍କ ରୁହନ୍ତି । ଏ ଉକ୍ତିରେ ହତବମ୍ବ ହେଲାପରି କିଛିନାହିଁ । ଅତି ମାମୁଲି କଥାଟିଏ ଇୟେ ।

ବିଜେତା କିନ୍ତୁ 'ଆରାଧ୍ୟ' ପାଇଁ ଟିକେ ଅଧିକା ସତର୍କ ହୁଏ । କାରଣ ହୋଇପାରେ , ଦଶବର୍ଷରେ ଦଶଟା ଛୁଆ ଜନ୍ମ କଲାପରି ମା' ଟିଏ ସେ ନୁହଁ ବୋଲି କି କଣ । ଆରାଧ୍ୟ ଆସିବାକୁ ଦଶବର୍ଷର ଏକ ସୁଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ତାକୁ ।

ତା'ରି ଭିତରେ ସେ ଶିଖିନେଇଥିଲା ଲାଳନପାଳନର ସବୁଯାକ କୌଶଳ ଅନ୍ୟମାନଙ୍କ ଠାରୁ ।

ଦୀପେଶ୍ ବି ତାଙ୍କ ଚାକିରୀକୁ ନେଇ ସବୁବେଳେ ବାହାରେବାହାରେ ରହିବା ଅନ୍ୟତମ କାରଣ ହୋଇପାରେ । 

ପାଖରେ ସ୍ୱାମୀ ନରହିଲେ , ସ୍ତ୍ରୀ ଟିଏ ଆଉ ଘରକୋଣା ହୋଇ ରହିପାରେନି । ଲୁଣ କିଣିବାଠୁଁ ପୁଅର ସ୍କୁଲ୍ ଯାଏଁ ସବୁଯାକ କାମ ନିଜେ କରେ ବିଜେତା । ବୋଝ ଭାବେନି ଏସବୁକୁ , ଖୁସି ମିଳେ ତାକୁ । ଦୀପେଶ କୁହେ -

- ତୁମେ ପାଖରେ ନରହିବାର କଷ୍ଟ କେବଳ ଛାତିକୁ ହୁଏ । କିନ୍ତୁ ତୁମେ ପାଖରେ ଥିଲେ ଦେହରେ ସାପକାତି ଚଢିଯାଇଥାନ୍ତା । ସବୁଥିରେ ତୁମକୁ ନିର୍ଭର କରିକରି ମୁଁ ଅକାମୀ ହୋଇପଡ଼ିଥାନ୍ତି । ବସିଖାଇ ଓଜନିଆ ହୋଇଯାଇଥାନ୍ତି ଖାଲି । ସ୍ଥୂଳରୁ ସୁକ୍ଷ୍ମ ହେବାର ରହସ୍ୟ ବି ଇୟେ !!!

{୨}

ଆରାଧ୍ୟର ସ୍କୁଲ୍ ବାଟରେ ପଡେ ଲେବଲ୍ କ୍ରସିଂ । ସାରା ଦୁନିଆର ଟ୍ରେନ୍ ବୋଧେ ଏଇବାଟ ଦେଇଯା'ନ୍ତି । ଯେବେ ଦେଖିଲେ ଫାଟକ ବନ୍ଦ । ବିଶ୍ଵର ସର୍ବବୃହତ୍ ବିଭାଗ ଭାରତୀୟ ରେଳ , ଆଖିରେ ଇୟେ ଏଯାଏଁ ପଡିନି । ଅନ୍ତତଃ ଓଭରବ୍ରିଜ୍ ଟେ ହୋଇପାରନ୍ତା ! 

ଠିକ୍ ସ୍କୁଲ୍ ସମୟରେ ପାର୍ ହେବ ରାଜଧାନୀ । ନୋଇଲେ ମାଲଗାଡିଟାଏ ।

ଦୀପେଶ କୁହନ୍ତି ଦଶମିନିଟ୍ ଆଗରୁ ବାହାରିଯାଅ । ସକାଳୁ ଉଠି , ନିଜକାମ , ଘରକାମ ପରେ ପୁଅକୁ ରେଡି କରିବାରେ ସରିଯାଏ ସମୟ । ଦଶମିନିଟଟେ ବଳିପଡ଼େନି ଯେତେ ଚେଷ୍ଟା କଲେବି । 

ବାସ୍ ! ସ୍କୁଟି ବାହାର କରୁକରୁ , ପ୍ରେୟାର୍ କ୍ଲାସ୍ ପାଇଁ ଆଉ ରୁହେ ପାଞ୍ଚ ମିନିଟ୍ । ଚଷମା ପୋଛି ମୁଣ୍ଡରେ ହେଲମେଟ୍ ଚଢାଏ ବିଜେତା । ଅଭିଭାବକ ମାନେ ସବୁବେଳେ ମନେକରନ୍ତି ଛୁଆମାନଙ୍କର ମୁଣ୍ଡ , ତାଙ୍କଠାରୁ ବେଶି ଶକ୍ତ କି କଣ ! ସେଥିପାଇଁ ପିଲାଙ୍କୁ ହେଲମେଟ୍ ଲୋଡାପଡେ ନାହିଁ । ଏବେ ଅଧିକା କରି ଏକ୍ସିଲିଟର୍ ମୋଡିଲେ ବି ପଡିଯାଇଥାଏ ଫାଟକ । ଆରାଧ୍ୟ ବ୍ୟସ୍ତ ହୁଏ । ବୁଝିପାରେ ମାମାର ଅସହାୟତାକୁ ।ଆଉଟିକେ ଅଧିକା ବେଳା ମାମା ସହ ଗାଡିଉପରେ ବସିବାର ଭିତିରି ଖୁସିଟେ ଥାଏ ଆରାଧ୍ୟର ! ସବୁଛୁଆ ଅସହାୟତା ବୁଝିପାରନ୍ତି । ଆମେ ଅଯଥାରେ ସେମାନଙ୍କୁ ଜିଦ୍ଦିଆ ମନେକରୁଁ ।

{୩}

ଏଇ ସମୟରେ ପିକୁନ୍ ଆସି ପହଞ୍ଚେ ତା' ବାବାଙ୍କ ସହ । ପିକୁନ୍ ର ବାବା ସ୍ମାର୍ଟ । ବିଜେତା ଆଡକୁ ନିଶ୍ଚିତ ଥରୁଟିଏ କଣେଇ ଚାହାନ୍ତି । କାନିକୁ ଆଉଟିକେ ଟାଣିନେଇ ପେଟ ଲୁଚାଇ ଦିଏ ବିଜେତା । ଏଇ କାରଣରୁ ଅଧିକା ଦୁଇଟି ସେପ୍ଟିପିନ୍ ମାରେ ସେ, ଶାଢୀ ଆଉ ବ୍ଲାଉଜକୁ ମିଶେଇ । ଲେବଲ୍ କ୍ରସିଂ ପରି ନାରୀର ଦେହ । ଟିକେ ଅସତର୍କ ହେଲେ ,ପୁରୁଷର ଆଖିରେ ନିଆଁ ଲାଗିଯାଏ । ଏଥର ପିକୁନ୍ ଡେଇଁପଡେ ତଳକୁ । ତା' ବାବା ଆରମ୍ଭ କରନ୍ତି କସରତ । ଗାଡିକୁ ନୁଆଣିଆଁ କରି ଗେଟ୍ ପାର କରିଦିଅନ୍ତି । ପିକୁନ୍ ଚାହେଁ ଆରାଧ୍ୟ ଆଡକୁ । ସେତେବେଳକୁ ସେ ଗଡଜୟ କରିସାରିଥାଏ । ହାତ ହଲେଇ ତାକୁ ବାଏ କରେ । ଗାଡି ଛୁଟାଇ ଦିଅନ୍ତି ପିକୁନ୍ ର ବାବା ।

- ଓଃ! ମାମା !

- ଆରେ ତା' ବାବାଙ୍କ ଅଫିସ୍ ଟାଇମ୍ ବୋଲି ବ୍ୟସ୍ତ ହୁଅନ୍ତି । ଏମିତି ଗେଟ୍ ପାରିହେବା ଅପରାଧ ।

- କାଶ୍ ! ମୋ ବାବା ପାଖରେ ଥାନ୍ତେ !

- ରହିଯା ! ବ୍ୟସ୍ତ ହେ'ନି ।

ଟ୍ରେନ୍ ଆସିବାକୁ ଆଉରି ସମୟ ଥାଏ । ଫାଟକ ଏପଟେ ମା'ପୁଅ ଜଗିରୁହନ୍ତି ।

{୪}

ବାବା-ମାମା ଭିତରେ ଫରକ୍ ଆଉ କ'ଣ କି ? ଆକାଶ ଚାନ୍ଦକୁ ଦେଖାଇ ମା' ଟିଏ କୋଳରେ ଝୁଲାଉଥାଏ , ତ ବାପାଟିଏ ସେ ଚାନ୍ଦ ତୋଳିଆଣି ପିଲା ହାତରେ ଧରାଇଦେବା ପ୍ରୟାସରେ , ଜୀବନ ସାରୁଥାଏ ...!

ମୁହଁ ଶୁଖିଯାଏ ବିଜେତା ର । ଠିକ୍ ସମୟରେ ପୁଅକୁ ପହଁଚାଇ ପାରେନି ପ୍ରାୟ ଦିନ । ପିଲାଟା ଏକ ଅସନ୍ତୋଷରୁ ସ୍କୁଲ୍ ଆରମ୍ଭ କରେ । ଖୁବ୍ ଚେଷ୍ଟା କରେ ବାପାଟିଏ ହେବାକୁ । କେଉଁଠି ନା କେଉଁଠି ମା'ଟିଏ ବାପାପରି ହେବାରେ ବିଫଳ ହେଉଥାଏ ।

ବାପାମାନେ ଅଭଙ୍ଗା ପଥର । ଛୁଆଙ୍କ ପାଇଁ ନିଆଁକୁ ଡେଇଁପଡିବାର ସାହାସ ରଖିଥାନ୍ତି । ମା ମାନେ ଡିଅଁନ୍ତି ସତ , କିନ୍ତୁ ଛୁଆଙ୍କୁ ସାଥିରେ ନେଇଯା'ନ୍ତି । ଯେତେ କଲେବି ଏକ ଅଭାବ ବୋଧ ଗ୍ରାସି ରହେ ତାକୁ । ଖୁବ୍ ଆବଶ୍ୟକତା ପଡେ ଦୀପେଶଙ୍କର । ସାଙ୍ଗ ହୋଇ ରହୁଥିଲେ , କେବଳ ଏଇ ପୁଅକୁ ସ୍କୁଲ୍ ନେବା ଆଣିବାରେ ନୁହଁ , ବହୁକିଛିରେ ସରଳ ସମାଧାନଟେ ହୋଇପାରନ୍ତା । ଏକୁଟିଆ ନାରୀଟିଏ ସଂସାର ରଥ ଟାଣି ନେବା ଅସହଜ । ଭାଙ୍ଗିଯାଏ ସବୁତକ ଅଣ୍ଟାଭିଡା ସାହାସତକ । ମା'ଟିଏ ବାପାର ଦାୟିତ୍ଵ ନେବା ଅସମ୍ଭବ ସତରେ ।

{୫}

ଅନ୍ୟଦିନ ପରି , ଫାଟକ ପାଖରେ ପିକୁନ୍ ପହଞ୍ଚିଲା ତା' ବାବାଙ୍କ ସହ । ଆରାଧ୍ୟ କହିଲା 

- ଆଜିବି ସେ ଆଗ ପହଞ୍ଚିବ ମାମା !

ବିଜେତା କାହିଁକି କେଜାଣି ଚିଡିଗଲା ପିଲାଟା ଉପରେ ।

- ପହଞ୍ଚୁ ଆଗ ସେ । ବାବାଙ୍କ ସହ ଅଛି , ତୋ'ପରି ସେ ମାମା ସହ ଯାଉନି ।

ମାମାର ରାଗ ଦେଖି ଚୁପ୍ ହୋଇଗଲା ପିଲାଟା ।

ପ୍ରତିଥର ପରି ସେମାନେ ଗାଡି ନୁଆଁଣିଆଁ କରି ଗଡଜୟ କରିସାରିଥିଲେ । ପିକୁନ୍ ର ବାବା ତା' ଆଡକୁ କଣେଇ ଚାହିଁ ସାରିଥିଲେ । ସେ କାନି ସଳଖେଇ ନେଇଥିଲା । ପିକୁନ୍ ହାତ ହଲାଇ ବାଏବାଏ ବି କହିଦେଲା।

କିନ୍ତୁ ଏ'କଣ ? ବାବା ମାନେ ମା' ତୁଳନାରେ ଏତେ ଅସତର୍କ ? ଏତେ ଅପାରଗ ?

ଆଖିପିଛୁଳାକେ ଘଟିଗଲା ସବୁକିଛି । ମା' କୋଳରୁ ପିଲାଟିକୁ ଛଡେଇନେଇଗଲା ଏକ ସାମାନ୍ୟ ଦାୟିତ୍ୱହୀନତା !!!

ଅମୀୟ ବେଜ୍


Rate this content
Log in

Similar oriya story from Tragedy