ପାଉଁଜି(ନିବେଦିତା ମିଶ୍ର)
ପାଉଁଜି(ନିବେଦିତା ମିଶ୍ର)
ପାଉଁଜି ହଳେ କିଣିଚି ମାନିନୀ।ତା'ସାଙ୍ଗର ନିକାହରେ ଆସି ପାରି ନଥିଲା।ହେଲେ ଏଥର ଛୁଟିରେ ସେ ତାକୁ ଭେଟିବ।ଭାରି ଖୁସି ଥାଏ ମାନିନୀ।
ସକାଳୁ ଗାଁରେ ପହଞ୍ଚି ଜାଣିଲା ଯେ-କାଲି ଗାଁରେ ଦଙ୍ଗା ହୋଇଯାଇଛି।ପୂରା ଗାଁଟା ଦୁଇଭାଗ ହେଇଯାଇଛି।ମଉଳି ଗଲା ତା'ମନଟା।
ପରଦିନ ସକାଳୁ ଗାଧୋଇ ଗଲାବେଳେ ପାଉଁଜି ହଳକ ଲୁଚେଇକି ନେଇଥାଏ ସାଙ୍ଗରେ ।କାଳେ କଉଠି ଦେଖାହେଲେ ଦେଇଦବ ବୋଲି।
ଦୂରରୁ ଦେଖିଲା ସେ ଆସୁଚି।
ଭାରି ସୁନ୍ଦର ଦିଶୁଥାଏ ସେ .. ନିକାହ ପରେ।ସେ ବି ମାନିନୀକୁ ଅପଲକ ନୟନରେ ଦେଖିଚାଲିଥାଏ।
ମାନିନୀ ଚୁପକିନା ପାଉଁଜି ହଳକ ଗୋଟିଏ ବଡ ପଥର ପାଖେ ଥୋଇଦେଇ ଟିକିଏ ଆଗେଇ ଗଲା।
ସେ ବି ଆସି ଆସି ଠିକ ସେଇଠାରେ ଝୁଣ୍ଚି ପଡିବା ଆଳରେ ସେଇଟିକୁ ଉଠେଇ ନେଲା।
ତା'ପର ଦିନ ସେ ପାଉଁଜି ହଳକ ପିନ୍ଧି ଆସିଥାଏ ଓ ଜାଣିଶୁଣି ଗୋଡ ଦିଟା ପାଣିରେ ବାଡଉ ଥାଏ।ଆଉ ମାନିନୀ ଆର କୂଳରେ ଖୁସିରେ ପୁରି ଉଠୁଥାଏ ।
ସତରେ ବନ୍ଧୁତାକୁ କୌଣସି ନିୟମ ଅଟକାଇ ପାରିବ ନାହିଁ।