Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସଂସ୍କାର
ସଂସ୍କାର
★★★★★

© Laxman Kumar Behera

Tragedy

5 Minutes   7.2K    15


Content Ranking

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ଆଜି ଏତେ ଭିଡ ଏ ବସ୍ ରେ, କେମିତି ଚଢିବି ? ଇଏ ମାଆ ଲୋ ••• ।

ମୋ ସାମ୍ନାରେ, ବସ୍ ରେ ଚଢିବାକୁ ଉଦ୍ଯମ କରୁଥିବା କଲେଜ୍ ପଢୁଆ ଝିଅଟିର କୋମଳ କଣ୍ଠରୁ ଏଇ ଦୁଇ ପଦ ମଧୁର କଥା ଭାସି ଆସିଲା । ମୁଁ ସେ ଝିଅଟିକୁ ଭଲ ଭାବରେ ଜାଣିଥିଲି । ତା' କଥା ଶୁଣି ମୁଁ ହସି ଦେଇ କହିଲି, ହଁ ମାଆ ତୁ ଆଗ ଚଢ ।

ବସ୍ ରେ ଚଢିଲି । ଠିକ୍ ୯ଟାରେ । ସେଦିନ ମୁଁ ଔଷଧ କିଣିବା ପାଇଁ ଦେବଗଡ ଯାଉଥାଏ । ବସ୍ ରେ ଛିଡା ହେଇଥାଏ, ମୋ ସହିତ ସେଦିନ ଛିଡା ହୋଇଥିଲେ ଅନେକ ଲୋକ । କଲେଜ୍ ପାଠ ପଢୁଥିବା ପୁଅ ଆଉ ଝିଅମାନେ ବି ଥିଲେ ସେଇ ବସ୍ ରେ । ବସ୍ ଭିତରେ ବହୁତ ଭିଡ ଥାଏ । ସେଦିନ ମୁଁ ସେ ବସ୍ ରେ କାହିଁ ଯେ' ଚଢୁଥିଲି, ବସ୍ ରୁ ଓହ୍ଲାଇବା ପରେ କେବଳ ସେଇ କଥା ହିଁ ଭାବୁଥାଏ ।

ସେଦିନ ସୋମବାର । ମୋ ଅଞ୍ଚଳର ଅତି ଜଣାଶୁଣା ବଜାର, " ବଳମ ବଜାର " । ସବୁ ଗାଁରୁ ଲୋକେ କିଣା ବିକା କରିବା ପାଇଁ ସେଇ ବସ୍ ରେ ଚଢିଥାନ୍ତି । ସେଥିରୁ ଅନେକଙ୍କୁ ମୁଁ ଚିହ୍ନିଥିଲି । ସେଇ ବସ୍ ରେ ପୁଣି କଲେଜ୍ ପିଲାଙ୍କ ଭିଡ । ମୋ ସହିତ ସେଦିନ ପାଞ୍ଚମହଲା ଛକରୁ ତିନି ଜଣ କଲେଜ୍ ରେ ପଢୁଥିବା ପିଲା ଓ ଜଣେ ଝିଅ ଚଢିଥିଲେ । ସେମାନେ ମୋତେ ବୋଧହୁଏ ଚିହ୍ନି ନଥିଲେ, କିନ୍ତୁ; ମୁଁ ସେମାନଙ୍କୁ ଚିହ୍ନି ଥିଲି । ବସ୍ ଭିତରଟା ଏତେ ଭିଡ ଥିଲା ସେଦିନ ଯେ' ସେକଥା କହିବାକୁ ବି ଲାଜ ଲାଗୁଛି । ତଥାପି କହୁଛି •••

ବସ୍ ଭିତରେ ମୋ ଆଗରେ ଆଉ ଫଛରେ ଦୁଇଟି କଲେଜ୍ ଝିଅ ଠିଆ ହୋଇଥିଲେ । ମୋ ପଛରେ ଥିବା ଝିଅଟି ମୋତେ ସବୁବେଳେ ଠେଲି ଦେଇ କହୁଥାଏ, ମଉସା ତୁମେ ଟିକେ ଭଲରେ ଛିଡା ହେଉନ । ଅଣ୍ଟା ଭାଙ୍ଗି ଛିଡା ହେଇଛ ଯେ' ସିଧା ହେଇ ଛିଡା ହେଉନ । ତା' କଥା ଶୁଣି ମୋ ଆଖିରେ ଲୁହ ଭରି ଯାଉଥାଏ । କହିଲି ଏ ମା' ମୁଁ ବୁଢା ଲୋକ । ଭଲରେ କେମିତି ଛିଡା ହେଇ ପାରିବି । ବସ୍ ରେ ତ ନିଃଶ୍ଵାସ ପ୍ରଶ୍ବାସ ନେବା ପାଇଁ କଷ୍ଟ ହେଇ ଯାଉଛି । ପାଦ ରଖିବାକୁ ଜାଗା ନାହିଁ । ଏଇ ସମୟରେ କଣ୍ଡକ୍‌ଟରର ସ୍ବର ଶୁଭିଲା, ପଛକୁ ଚାଲ - ପଛକୁ ଚାଲ ••• ।

ଏତେ ଭିଡ ଭିତରେ, ତଥାପି ମଧ୍ୟ କଣ୍ଡକ୍ଟର ପ୍ରତି ଛକରେ ଲୋକମାନଙ୍କୁ ଚଢାଉ ଥିଲା । ମୁଁ ମନା କଲି, କାହିଁକି ଚଢାଉଛ, ବସ୍ ରେ ତ ଲୋକ ଭର୍ତ୍ତି । ମୋ କଥା ଶୁଣି ସମସ୍ତେ ହସିଦେଲେ । କଣ୍ଡକ୍‌ଟରର ସପକ୍ଷରେ ସେଦିନ ସମସ୍ତେ ଥିଲେ । ମୋତେ ବହୁତ ଖରାପ ଲାଗୁଥାଏ ।

ମୋ ଆଗରେ ଥବା ଝିଅଟି ସେଦିନ ଚୁପଚାପ ଛିଡା ହେଇଥିଲା । ପଦେ ବି ପାଟି ଫିଟେଇ କହୁ ନଥାଏ । ବୋଧେ ମୋତେ ଚିହ୍ନିଥିଲା, ସେଥିପାଇଁ ।

ସବୁବେଳେ କଣ୍ଡକ୍‌ଟର ଡାକିବାର ଶୁଣୁଥିଲି, ପଛକୁ ଚାଲ, ପଛକୁ ଚାଲ ••• ହେଲେ ଡ୍ରାଇଭର ଆଗକୁ ଗତି ବଢାଉ ଥାଏ । ବସ୍ ର ଦୁଆର ମୁହଁରେ ବହୁତ ଭିଡ ଥିଲା । ହେଲପର୍ ସମସ୍ତ ଭାର ନିଜେ ସମ୍ଭାଳି ଥିଲେ ।

ଦୁଇ ତିନିଟି ଛକ ଡେଇଁଲା ପରେ ••• ଶୁଣିଲି, ମଉସା ଟିକିଏ ସାଇଡ୍ ଦିଅନ୍ତୁ । ଆମେ ଆଗ ଛକରେ ଓହ୍ଲାଇବୁ । ମୁଁ ତା' ମୁହଁକୁ ଦେଖି ଜାଣିଲି ଏ ତ ରାଧା, ମୋ ଗାଆଁ ଝିଅ । ସମ୍ଭାନ୍ତ ଓ ଉଚ୍ଚ ଜାତିର ଝିଅ । ବିବାହ କରିଛି ପାଖ ଗାଁରେ । ମୋତେ ଦେଖି ଝରକା ଆଡେ ଛେପ ମେଞ୍ଚାଏ ଥୁ କରି ପକାଇ ଦେଇ କହିଲା ଟିକେ ସାଇଡ୍ ହୁଅ ••• ଛୁଇଁହେବ ! ମୁଁ ବହୁତ କଷ୍ଟରେ ଟିକିଏ ଦୂରକୁ ଘୁଞ୍ଚିଗଲି । ଭାବିଲି ଏ ବସ୍ ରେ ବି ଛୁଆଁ ଅଛୁଆଁ ଭେଦଭାବ । ମନ କୋହରେ ଭରି ଯାଇଥାଏ ।

ମୋ ଆଗରେ ଛିଡା ହେଇଥିବା ସେଇ କଲେଜ୍ ଝିଅଟିକୁ ସେ ତା' କାନ ତଳେ ଅନେକ କଥା ତୁନି ତୁନି କହୁଥାଏ, ମୁଁ ଶୁଣୁଥାଏ, କିଛି କହିବି ବୋଲି ଭାବୁଥାଏ । ହେଲେ ଭାବିଲି ଆଗରୁ ତ କଣ୍ଡକ୍‌ଟରକୁ ପ୍ରତିବାଦ କଲି ମୋ ସପକ୍ଷରେ କେହି ରହିଲେ ନାହିଁ । ଥାଉ, ଏହା ଭାବି କିଛି କହିଲି ନାହିଁ ।

ସେ ତା'ର ଛକକୁ ପହଞ୍ଚିବା ଯାଏ କହୁଥାଏ, ଏ ବୁଢାଟା ତଫସିଲଭୁକ୍ତ ଜାତିର । ତା' କୁ ଛୁଇଁଲେ ତୁମ ଜାତି ମାରା ହେଇଯିବ, ଦୂରେଇ କି ରୁହ । ଆମ ଗାଆଁରେ ମୋ ବାପା ଉଚ୍ଚ ସମାଜର ସଭାପତି । ମୋ ବାହାଘରରେ ଏଇ ବୁଢାର ପରିବାର ଭୋଜିଭାତ ଖାଇବାକୁ ଆସିଥିଲେ ଯେ' ମୋ ବାପା ସେମାନଙ୍କୁ ଟେଣ୍ଟ ତଳେ ଥିବା ଚେୟାରରେ ନ ବସାଇ ଗୁହାଳ ଘରେ ଖାଇବାକୁ ଦେଲେ । ତା' କଥା ଶୁଣି ଝିଅଟି ବସ୍ ରେ ଭିଡ ଥିଲେବି ପୁରା ପଛକୁ ପଳାଇ ଗଲା । ମୋତେ ଜମାରୁ ଭଲ ଲାଗୁ ନଥାଏ ।

ସେଦିନ ମୋ ଗାଆଁର କଲେଜ୍ ପଢୁଆ ଝିଅଟି ସବୁ ଦେଖୁଥାଏ । ମୁଁ ତା'କୁ ଯେତେବେଳେ ଚାହିଁଲି ସେ ବି ମୋତେ ଅନେଇ ଥାଏ ଲୁହ ଭରା ଆଖିରେ । ସେତେବେଳେ ମୋ ଆଖିରୁ ଦୁଇ ଥୋପା ଲୁହ ଥପ୍ ଥପ୍ ଝରି ପଡିଥିଲା, ମୁଁ ଜାଣି ପାରି ନଥିଲି ।

ବଳମ ଛକ ପହଞ୍ଚିଲା । ବଜାରକୁ ଆସିଥିବା ଲୋକେ ଓହ୍ଲାଇଲେ । ସେଇ ଛକରୁ ମୋର ଅତି ପରିଚିତ ଜଣେ ଯୁବ ବନ୍ଧୁ ବସ୍ ରେ ଚଢିଲେ । ମୁଁ ତା' ଙ୍କୁ ଦେଖି ଭାରି ଖୁସି । ଲିପନ, ଅବିବାହିତ । ଖୁସି ମିଜାଜର ପିଲାଟିଏ । ଭାରି ସରଳ । ବୟସ ତିରିଶ ଛୁଉଁଥିବ । ଗରିବ ହେଲେ ଚଳଣୀ ସମ୍ଭ୍ରାନ୍ତ ଭଳି । ପ୍ରାୟ ତିନି ବର୍ଷ ହେଲାଣି ପୋଷ୍ଟାଲରେ ଚାକିରି, ପୁଣି ସମ୍ବଲପୁର ସହରରେ । ବହୁତ ଦିନ ପରେ ଦେଖିଲି ।

ମୋତେ କଣ୍ଡକ୍‌ଟର ସିଟ୍ ଟିଏ ଦେଲେ ବସିବା ପାଇଁ । ମୁଁ ଅପେକ୍ଷାରେ ଥାଏ, ଲିପନ୍ ମୋ ପାଖରେ ବସିବେ ବୋଲି । ସେ ମୋତେ ଦେଖି ହଠାତ୍ ଚିହ୍ନି ପକାଇ ଖୁସିରେ କହିଲେ,

- ମଉସା ନମସ୍କାର, କୁଆଡେ ବାହାରିଲେ ।

- ଭଲରେ ଥାଅ । ଦେବଗଡ ଯାଉଛି । ବ୍ଲଡ୍ ପ୍ରେସର୍ ଔଷଧ ସରିଯାଇଛି ତ ଆଣିବାକୁ ଯାଉଛି ।

- ଓଃ !

- ଆସ ବସିବା ।

- ହଁ ହଁ, ଧନ୍ଯବାଦ୍ ମଉସା ।

(ଏକା ସିଟ୍ ରେ ବସିବା ପରେ)

- ପୁଅ ଝିଅ ଆପଣଙ୍କର ଭଲ ଅଛନ୍ତି, ମଉସା । ଘରେ ମାଉସୀ ଭଲ ତ !

- ହଁ ପୁଅ - ବୋହୂ, ଝିଅ - ଜ୍ବାଇଁ, ତୁମ ମାଉସୀ, ସମସ୍ତେ ଭଲ । ଆଉ ତମେ ବିବାହ କଲଣି ?

- ନାହିଁ ମଉସା । ମୁଁ ଯାହାକୁ ଭଲ ପାଉଥିଲି, ବିବାହ କରିବାକୁ କଥା ଦେଇଥିଲି, ସେ ଆଉ କାହାକୁ ବାହା ହେଇ ଚାଲିଗଲା ।

- ଓଃ । ସେ ତୁମକୁ ପସନ୍ଦ କରୁ ନଥିଲା କି ?

- ନା ନା । ସେ ମୋତେ ପସନ୍ଦ କରୁଥିଲା । ନହେଲେ କେମିତି ମୋ ସହିତ ଗୁଜୁରାଟ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶାର ପୁରୀ, ଭୁବନେଶ୍ବର, ସମ୍ବଲପୁର, କନ୍ଧମାଳ, କୋରାପୁଟ, ଜଗତସିଂହପୁର, କଟକ ଆଦି ବିଭିନ୍ନ ଜାଗାରେ ମାସ ମାସ ଧରି ରହୁଥିଲା । ମୁଁ କେବେ ଜାଣି ପାରିଲି ନାହିଁ, ସେ ମୋତେ ଭଲ ପାଇବାର ଅଭିନୟ କରୁଥିଲା ବୋଲି । ମୋର ପତ୍ଯେକ ଉପହାର ଆଉ ଅର୍ଥ ପଛରେ ସେ ପାଗଳି ଥିଲା । ସେ ଏବେ ଜଣେ ସରକାରୀ ଶିକ୍ଷୟତ୍ରୀ । କହିବା ବେଳେ ଲୁହ, କୋହ ଆଉ କ୍ରୋଧରେ ଯେମିତି ଫାଟି ପଡୁଥିଲା ଲିପନ୍ ।

- ସେ ଝିଅର ଘର କେଉଁ ଠାରେ କି ଲିପନ୍ ?

- ଏଇ ଦେବଗଡ ଜିଲ୍ଲାରେ ମଉସା ।

- ତା' ର ନାଆଟି କ'ଣ କି ଲିପନ୍ ?

ଲିପନ୍ ସେଦିନ ସେ ଝିଅର ନାମ ଋକ୍ମିଣୀ ବୋଲି ଅତି ଖୁସି ମନରେ ମୋ କାନ ତଳେ କହିଲା । ମୁଁ ଶୁଣି ଅଚଳ ହେଇଗଲି । ମୋ ଛାତିରେ ଏକ ଶକ୍ତ ବିଜୁଳି ଧକ୍କା ଦେଲା । ମୋତେ ଲାଗିଲା ଯେମିତି ପଞ୍ଚଭୂତ ସ୍ଥିର ହେଇଗଲେ । ପଦେ ବି କଥା ମୋ ପାଟିରୁ ଆଉ ବହାରିଲା ନାହିଁ । ସେ ମୋତେ ଆହୁରି ଅନେକ କଥା ଶୁଣାଉ ଥାଏ । ମୁଁ ଯେମିତି ଜଡ ଭଳି ସବୁ ଶୁଣୁଥାଏ ହେଲେ କିଛି କହି ପାରୁନଥାଏ ।

ସେଦିନ ଦେବଗଡ ବସଷ୍ଟାଣ୍ଡ୍ ରେ ମୁଁ ବସ୍ ରୁ ଓହ୍ଲାଇଲି । ଆଖିରୁ ଥପ୍ ଥପ୍ ଲୁହ ସବୁ ଝରି ପଡୁଥାଏ । ବର୍ଷାରେ ଲୁହ ସବୁ ମିଶି ଯାଉଥାଏ । ମୋ ଲୁହ କାହାରିକୁ ଦେଖା ଯାଉ ନଥାଏ ।

( ବର୍ଷାରେ ଭିଜି ଭିଜି ) ସେଦିନ ମୋ ଝିଅ ତା'ହେଲେ ମୋତେ ସବୁ ମିଛ କହିଥିଲା । କାହାକୁ ମୁଁ ଭଲପାଏ ନାହିଁ ବୋଲି ସେ ମୋତେ କାହିଁକି କହିଲା ? ଥରୁଟିଏ ପାଟି ଖୋଲି ତ ମୋତେ କହି ପାରିଥାନ୍ତା ।

ସେ ତା' ହେଲେ ଏଇ ଲିପନକୁ ଭଲ ପାଉଥିଲା । ମୁଁ ମୋ ଝିଅକୁ କେମିତି ଚିହ୍ନି ପାରିଲି ନାହିଁ । ମୋର ସମ୍ମାନ ରକ୍ଷା ପାଇଁ ମୁଁ ଠିକ୍ କରିଥିବା ପ୍ରସ୍ତାବକୁ ସେ ସ୍ବୀକାର କଲା । ହେ ମାଆ, ମୋତେ ତୁ କ୍ଷମା କରିଦେବୁ । ତୋ ଇଚ୍ଛା, ତୋ ଭଲ ପାଇବାକୁ କେବେ ମୁଁ ବୁଝି ପାରିଲି ନାହିଁ । ଏହା କହି ଶିବରାମ ସେଦିନ କାନ୍ଦିବାକୁ ଲାଗିଲେ । ଆଉ କାନ୍ଦି କାନ୍ଦି କହୁଥିଲେ, ଜୀବନ ବାଟରୁ ମୁଁ ସୁନ୍ଦର ଜ୍ବାଇଁଟିଏ ହଜାଇଦେଲି ।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ପିନ୍ - ୭୬୮୧୦୮

ଭ୍ରାମ୍ଯଭାଷ - ୦୯୬୬୮୨୪୨୭୨୦

ସଂସ୍କାର ବସ୍ ବଜାର

Rate the content


Originality
Flow
Language
Cover design

Comments

Post

Some text some message..