Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Others

3  

Chinmayee Barik

Others

ହ୍ୟାଣ୍ଡସମ୍ ଅଙ୍କଲ୍

ହ୍ୟାଣ୍ଡସମ୍ ଅଙ୍କଲ୍

6 mins
14.5K


ହଁ ,ମୁଁ ଖୁବ୍ ହ୍ୟାଣ୍ଡସମ୍ ।ନିଜକୁ ନିଜେ ମେନଟେନ୍ କରିବାର ସବୁ ପ୍ରକାର କଳାକୁ ମୁଁ ଆୟତ୍ତ କରିଛି ।ସବୁ ଦିନ ଜଗିଂଠୁ ଆରମ୍ଭ କରି ସେଭିଂ ,ହେୟାର ଡାଏ,ପ୍ରପର୍ ନ୍ୟୁଟ୍ରିସନ ,ମେଡି ଟେସନ୍ ଠୁ ଆରମ୍ଭ କରି ୟୋଗ ଥେରାପି ଯାଏଁ ସବୁ କିଛି କରେ ।ଏହା ପଛରେ ଗୋଟିଏ ହିଁ କାରଣ ଯେ ମୁଁ ବୁଢା ହେବାକୁ ପସନ୍ଦ କରେନା ।

ଚମ ଲୋଚା କୋଚା ହୁଏ...ଆଖି ଅସ୍ପଷ୍ଟ ହୁଏ...କାନ ବଧିରା ହୁଏ...ଚୁଟି ବି ପାଚେ ।ବୁଢା ହେବାର ସବୁ ଆଲାରାମ୍ ବଜାଇ ସାରିଥାଏ ଏ ଶରୀର ହେଲେ ମନ ମୋର ରାଜି ନୁହେଁ ବୁଢା ହେବାର ଅସ୍ତିତ୍ୱକୁ ଗ୍ରହଣ କରିବାକୁ ।ଶରୀର ସିନା ବୁଢା ହୁଏ ହେଲେ ମନ ବୁଢା ହେବାରେ ନାଁ ଗନ୍ଧ ଧରେନା ।ମନ ନାକ ଟେକେ ବୁଢାର ଅସ୍ତିତ୍ୱକୁ ।ମୁଁ ଏତିକି ଜାଣେ ଯେ ମନର ବି ଗୋଟିଏ ଶରୀର ଥାଏ ।ଦେହ ନିଥର ହୋଇଗଲା ପରେ ମଣିଷ ମନର ଦେହରେ ବଞ୍ଚେ ।

ମନର ଦେହରେ ବଞ୍ଚିବା ବି କଣ ଖରାପ ଯେ ??ମନର ବଳ ଯୋଗୁଁ ତ ସେଦିନ ମମତାର ବେହୋସ୍ ଦେହକୁ ହାତରେ ଟେକି ଷାଠିଏ ପାହାଚ ଉଠିଆସିଥିଲି ଘର ଭିତରକୁ ଯେତେବେଳେ ସେ ସନ୍ ଷ୍ଟ୍ରୋକରେ ପାହାଚ ତଳେ ପଡିଥିଲା ଆଉ ଲିଫ୍ଟ ଖରାପ ଥିଲା ।ମୁଁ ଏବେବି ଯୁବକଟିଏ ଷାଠିଏ ବର୍ଷରେ ପଦାର୍ପଣ କରି ମଧ୍ୟ ।ମୁଁ ନିଜକୁ ନିଜେ ଯାହା ଭାବେ ।

ହଁ ,ମମତା ତୁମେ ମୋ ସହ ଚାଳିଶ ବର୍ଷ ଧରି କାଟି ଆସିଛ ହେଲେ ଶେଷ ସମୟରେ କେଉଁ ବୁଢା ପଣିଆ ତୁମକୁ ଏତେ ଅବୁଝା କରିଦେଲା??ତୁମେ ବି ମୋତେ ସନ୍ଦେହରେ ଅନେଇଲ??ମୁଁ ଆଶ୍ଚର୍ଯ୍ୟ ।କିନ୍ତୁ ବେଶ୍ ଭଲ ହେଇଛି ତୁମ ସନ୍ଦେହ ଆଖିରୁ ବାହାରି ଆସି ମୁଁ ବୃଦ୍ଧା ଆଶ୍ରମରେ ଖୁବ୍ ଭଲରେ ଜିଇ ପାରୁଛି ।

ମଣିଷର ବୟସ ଅଧିକ ହେଲେ ତାକୁ ବୁଢା କୁହାଯାଏ ।ତା ପରେ ସେ ପାଲଟି ଯାଏ ଘରର ଗୋଟିଏ ଆସବାବ ପତ୍ର କିମ୍ବା ଗୋଟିଏ ମୁଜରିମ୍ ।ଦଶ ବର୍ଷ ହେଲା ତୁମର ଆଉ ମୋର ରୁମ୍ ଅଲଗା ହୋଇ ସାରିଛି ।ତୁମର ଆଉ ମୋର ବିଛଣା ବି ଅଲଗା ହୋଇ ସାରିଛି ।କିଏ କରିଥିଲା ଏସବୁ??ଏଇ ପୁଅ ବୋହୂ ମାନେ ତ??ଟିକେ ଭାବି ପାରିଲେନି ଏ ବୟସରେ ସ୍ୱାମୀ ସ୍ତ୍ରୀର ପାଖା ପାଖି ରହିବା କେତେ ଆବଶ୍ୟକ ?ପୁଅ ବୋହୂ କଥା ତ ଅଲଗା ...ତୁମେ ବି କୋଉ ବୁଝିପାରିଲ ମୋତେ ମମତା??ଖାଇବା ଥାଳି ଖାଲି ପେଲି ଦେଲେ ସବୁ କର୍ତ୍ତବ୍ୟ ହୁଏନି ?ପୁଅ ଝିଅ ,ନାତି ନାତୁଣୀଙ୍କୁ ନିଜର କରି ମୋତେ ତୁମେ ବି ଅବହେଳା କରିଛ ।

ଯେତେବେଳେ ସନ୍ତାନ ମାନେ ନିଷ୍ପତ୍ତି ନେବା ଆରମ୍ଭ କରନ୍ତି ସେତେବେଳେ ସବୁ କଥାରେ ବାପା ମା ହିଁ ଦୋଷୀ ପାଲଟି ଯାଆନ୍ତି ।ଆମେ ଦୁହେଁ ବି ପ୍ରତିକ୍ଷଣ ଦୋଷୀ ପାଲଟି ଯାଉଥିଲେ ପ୍ରତି କଥାରେ ।

ତୁମେ ସଜେଇ ହେଲେ ମୋତେ ଭଲ ଲାଗେ ହେଲେ ତୁମର ସଜେଇ ହୋଇ ରହିବାଟା ବୋହୂ ମାନଙ୍କର ଦୃଷ୍ଟି କଟୁ ହୁଏ ।ତେଣୁ ତୁମେ ସବୁବେଳେ ଆଲୁରୁ ବାଲୁରୁ ହୋଇ ବଞ୍ଚିବା ଶିଖି ଗଲ ।ଯାହା ତାହା ଖାଇବାରେ ଅଭ୍ୟସ୍ତ ହୋଇଗଲ ।ଫଟା ଲୁଗା ଆଉ ଢିଲା ବ୍ଲାଉଜ୍ ପିନ୍ଧିବାରେ ତୁମର ଆପତ୍ତି ନ ଥାଏ ।ଏ ସବୁ ର ହଠାତ୍ ପରିବର୍ତ୍ତନ କାହିଁକି ମମତା??ନା..ମୁଁ ଗ୍ରହଣ କରିପାରେନା ଏସବୁ ।ମୋତେ ସବୁବେଳେ ରଫ୍ ଏଣ୍ଡ ଟଫ୍ ଲୁକ୍ ଭଲ ଲାଗେ ।କିଛି ତ ଅଭାବ ନ ଥିଲା ତୁମର ତଥାପି ତୁମେ ଗୋଟିଏ ଗରୀବ ପଣିଆରେ ବଞ୍ଚୁଥିଲ କାରଣ ତୁମ ମନକୁ ବୁଢୀ ହେବାର ରୋଗ ଗ୍ରାସି ସାରିଥିଲା ।

ନିଜକୁ ବୁଢାବୁଢୀ ଭାବିବା ଗୋଟିଏ ହୀନମନ୍ୟତାର ଲକ୍ଷଣ ନୁହେଁ କି??ହଁ ବୟସ ସିନା ଦେହକୁ ସାଥୀ ଦିଏନି ହେଲେ ମନକୁ ଯୁବକ ରଖିବାରେ ଏତେ ଆପତ୍ତି କାହିଁକି ସମସ୍ତଙ୍କର ??ବୁଝି ହୁଏନି ଏସବୁ ।ବାପା ମା’ଙ୍କୁ ବୁଢା ବୁଢୀ କହି ସନ୍ତାନ ମାନେ ବୋଧେ ନିଜର ଯୌବନ ପରିପ୍ରକାଶ କରିବାରେ ସମର୍ଥ ହୁଅନ୍ତି ।

ନିଜକୁ ନିଜେ ଯୁବକ ହେବାର ପ୍ରୟାସ ଶେଷରେ ମୋର କାଳ ହେଲା ।

ଏତେ କଥା ତୁମକୁ କାହିଁକି ଲେଖୁଛି ମମତା???ଯେତେବେଳେ କି ମୁଁ ତୁମକୁ ଘୃଣା କରିବା ଆରମ୍ଭ କରି ସାରିଲିଣି...

.________***********____________**********_______________

ପଡିଶା ଘର ଅଠର ବର୍ଷର ନାତୁଣୀ ଭଳି ଝିଅ ସ୍ୱିଟି ହିଁ କେବଳ ମୋତେ ଡାକେ ହ୍ୟାଣ୍ଡ ସମ୍ ଅଙ୍କଲ୍ ।ତାର ଏ ଡାକରେ ମୋ ଦେହରେ ଜୀବନ ଭରିଦିଏ ।କଲୋନୀ ସାରା ସବୁ ଲୋକ ମୋତେ ଭଲ ପାଆନ୍ତି ।ମୁଁ ହ୍ୟାଣ୍ଡସମ୍ ହେଲେ ବି ଗୋଟିଏ ମର୍ଯ୍ୟଦା ଭିତରେ ସବୁବେଳେ ରୁହେ ।

ଜୀବନ ଭରିଦେବାକୁ ଗୋଟିଏ ଶବ୍ଦ ବି ଯଥେଷ୍ଟ ।ତୁମେ ଜାଣ ମମତା ଏ ଦୁନିଆର ସବୁ ପ୍ରତିକ୍ରିୟା ହୀନ ନାରୀ ଓ ପୁରୁଷ ହିଁ ଅହଲ୍ୟା ।ପଥର ପରି ଜୀବନ ବିତାଉଥିବା ମଣିଷକୁ ଆଉ କଣ କୁହାଯିବ??ମୋ ଅହଲ୍ୟା ପଣରେ ସ୍ୱିଟି ହିଁ ଜୀବନ ଭରିଦିଏ ହ୍ୟାଣ୍ଡସମ ଅଙ୍କଲ କହି ।ପଥର ଦେହରେ ପ୍ରାଣ ଦେଉଥିବା ମଣିଷ ହିଁ ତ ରାମଚନ୍ଦ୍ର ...ତେଣିକି ସେ ନାରୀ ହେଉ ଅବା ପୁରୁଷ ।

ଅଙ୍କ ହୁଏନି ତାର ।ଅଙ୍କ ବୁଝିବାକୁ ଆସେ ମୋ ପାଖକୁ । ତା ଡାକରେ ...ହସରେ ...ଚପଳାମୀରେ...ସେ ମୋତେ ପଥରରୁ ମଣିଷ କରିଦିଏ ।ସେ କମ୍ ଅଲିଅଳି ବି ତ ନ ଥିଲା ତୁମ ପାଖରେ??ହେଲେ ତୁମେ ତା ପରଶରେ ବି ପଥରରୁ ମଣିଷ ହୋଇ ପାରିଲନି ।ପ୍ରତିକ୍ରିୟାହୀନ ହୋଇ ରହିଲ ।ନିଜେ ନିଜକୁ ଭୂଲି ସାରିଥିଲ ।

ସେଦିନ ତାଙ୍କ ପରିବାର ଆଉ ଆମ ପରିବାର ସବୁ ଗଲେ ଗୋଟିଏ ମେରେଜ୍ ଫଙ୍କସନକୁ ।ମୁଁ ସବୁ ଦିନ ପରି ଏକା ଘରେ ଥିଲି ।ସ୍ୱିଟି ବି ମୋ ଜିମାରେ ରହିଲା ତାର ପରୀକ୍ଷା ଥିବାରୁ ।ମୁଁ ଶୋଇବା ଘରେ ଟିଭି ନ୍ୟୁଜ୍ ଦେଖୁଥାଏ ।ସେ ଷ୍ଟଡିରୁମରେ ପାଠ ପଢୁଥାଏ ଆଉ ମୋବାଇଲ୍ ବି ଦେଖୁ ଥାଏ ।କିଛି ସମୟ ପରେ ସେ ଅଙ୍କ ବୁଝିବାକୁ ଆସିଲା ଆଉ ମୋ ହ୍ୟାଣ୍ଡସମ୍ ଅଙ୍କଲ କହି ମୋତେ ଜାବୁଡି ଧରିଲା ।ମୋତେ ଆଚକା ଲାଗିଲା ।ସେ ମୋ ନାତୁଣୀ ବୟସର ।ତାକୁ ହସି ହସି ନିଜ ପାଖରୁ ଦୂରେଇ ଦେଇ କହିଲି ଦେଖା କେଉଁ ଅଙ୍କ ହେଉନି ??ହେଲେ ସେ ପୁଣି ସେମିତି ଗେଲ ହେବାର ପ୍ରୟାସ କଲା ।ମୁଁ ଅସ୍ୱାଭାବିକ ମନେ କଲି । ତା ଠୁ ଦୂରେଇ ଯାଇ ବାଲକୋନୀରେ ବସିଲି କିନ୍ତୁ ସେ ସେଠି ବି ପୁଣି....

ପାଠ ...ଶିକ୍ଷା...ବୁଦ୍ଧି...ସଂସ୍କାର ସବୁ ...ଅସଲ ବେଳେ ଚୂଲି ମୁଣ୍ଡକୁ ଯାଏ ।ମୋର ବି ସେଇଆ ହେଲା ।କାହାକୁ ଝିଅ ଆଉ ନାତୁଣୀ ଭାବିବା ଆଉ ନିର୍ଜନ ସମୟରେ ତା ଦେହର ସ୍ପର୍ଶରେ ନିଜ ଦେହ ଲାଗିଗଲେ ଭାବନା କିଛି ଅଲଗା ହୋଇଯାଏ... ଯେତେବେଳେ କି ବିଶେଷତଃ ସେ ନିଜ ରକ୍ତ ସଂପର୍କୀୟ ହୋଇ ନ ଥିବ ।ଉପଯୁକ୍ତ ପରିବେଶ ବି ତ ବେଳେ ବେଳେ ମଣିଷର ଚରିତ୍ରକୁ ଉଲଗ୍ନ କରିବାରେ ଯଥେଷ୍ଟ ସାମର୍ଥ୍ୟ ରଖେ ??

ମୋର ବି ତ ସେଇଆ ହେଲା...ମନର ଭାଷା ଆଉ ଦେହର ଭାଷା ଦୁଇଟି ଅଲଗା ଅଲଗା କଥା କହୁଥିଲେ ...

ଦେହରେ ମୋର ଚାରିଶହ ଚାଳିଶ ଭୋଲ୍ଟେଜ୍ ଯେପରି....ଅଣାୟତ୍ତ ହେବାକୁ ଆଉ କମ୍ ସମୟ ବାକି...

ତାର ପୁଣି ସେଭଳି ପ୍ରୟାସରେ ମୁଁ ନିଜକୁ ରକ୍ଷା କରିବାକୁ ଯାଇ ଥୋଇଲି ତା ଗାଲରେ ଦୁଇଟା ବ୍ରହ୍ମ ଚାପୁଡା...ସେ ସେଇଠି ହୋଇଗଲା ଚେତା ଶୂନ୍ୟ ।

ନୀରିହ ଗାଲଟି ଲାଲ୍ ହୋଇ ଯାଇଛି ତାର ମୋ ଆଙ୍ଗୁଳିର ଛାପ ରେ।

ତା ମୋବାଇଲ୍ ଦେଖିଲି ...ଦେଖୁଥିଲା ସେ ଗୋଟିଏ ଅସଡ ଫିଲ୍ମ ।

ଦୟା ଆସିଲା ।ପାଣି ଛାଟି ତାକୁ ସାଷ୍ଟମ କରାଇଲି ହେଲେ ସେ ଲଜ୍ଜା ,ଭୟ ଓ ସଙ୍କୋଚରେ କାନ୍ଦୁଥିଲା ।

ମୁଁ ବି କାନ୍ଦି ପକେଇଲି ତାକୁ ଦେଖି ।ଠିକ୍ ଭାବରେ ଲାଳନ ପାଳନ ନ ହୋଇଥିବା ଆଉ ସ୍ୱଛେଚାରିତାରେ ବଞ୍ଚୁଥିବା ଏ ନୀରିହ ଝିଅଟିକୁ ମୁଁ ଆରାମରେ ବୁଝାଇ ପାରି ଥାଆନ୍ତି ହେଲେ ମୁଁ ନିଜକୁ କଉ ନିୟତ୍ରଣରେ ରଖିପାରିଥିଲି ଯେ??ଦୁହିଁଙ୍କୁ ବଞ୍ଚାଇବାକୁ ଯାଇ ତାକୁ ପିଟି ପକେଇଲି ।

ନାଁ...ମୁଁ ଠିକ କରି ନ ଥିଲି ।ହେଲେ ଆଉ ଉପାୟ କଣ ଥିଲା ଯେ ହଠାତ୍ ନିଜକୁ ରୋକିବାକୁ ??

ସ୍ୱିଟି କାନ୍ଦୁ ଥିଲା ଆଉ ମୁଁ ତାକୁ ଦେଖି କାନ୍ଦୁଥିଲି ....ମୋତେ ପଥରରୁ ଜୀବନ ଦେଇଥିବା ଠାକୁରଙ୍କୁ ଦେଖି...

ମୁଁ ଜାଣିଥିଲି ସେ ଗୋଟିଏ କୋମଳ ,ସ୍ଵେଚ୍ଛା ଝିଅ ହେଲେ ନିଜକୁ ଆୟତ୍ତ ରଖିବାର କଳା ଜାଣିନି ।କିଏ ଜଣେଇବ ତାକୁ??ସେମିତି କିଛି ଶିକ୍ଷା ବ୍ୟବସ୍ଥା ବି ତ ନାହିଁ ଆଉ ମୋବାଇଲରେ ତ ସବୁ ଖୋଲା ମେଲା....

ସେତିକି ବେଳେ ତୁମେମାନେ ସବୁ ଘରେ ପହଞ୍ଚିଗଲ ।ତା ଗାଲ ଲାଲରୁ ରକ୍ତ ଜମାଟ ହୋଇ ନୀଳ ହୋଇ ସାରିଥିଲା...ଆଖି ସାରା ଲୁହ...ମୁହଁ ଥମ୍ ଥମ୍ ।ଗୋଟିଏ କାକୁତି ମିନତି ଆଖିରେ ସେ ଅନାଉଥିଲା କିଛି ନ ଜଣାଇବାକୁ ।ହଁ...ପିଲାମାନେ ବି ତ ଭୂଲ କରନ୍ତି ବେଳେବେଳେ ।ଉନ୍ମାଦନା ମଣିଷକୁ ନଷ୍ଟ କରେ ।

ମୋତେ ତାକୁ ଦେଖି ଦୟା ଲାଗୁଥିଲା ।ଯଦି ସତ କହିବି ତେବେ ସେ ସମସ୍ତଙ୍କ ଆଖିରେ ଛୋଟ ହୋଇଯିବ ବିଶେଷ କରି ତା ନିଜ ପରିବାର ଆଗରେ ।ଛୁଆଟା ଭୂଲ୍ ତ କରିଛି ହେଲେ ତାକୁ ସୁଧାରି ଯିବାକୁ କ’ଣ ଗୋଟିଏ ବି ସୁଯୋଗ ଦିଆ ଯିବନି??ମୁଁ ଚୁପ୍ ରହିଲି ।ଭାବିଲି ସମୟ ସୁବିଧା ଦେଖି ମମତାକୁ ଆଉ ପିଲାମାନଙ୍କୁ ଏ ବିଷୟରେ କହିବି ବୋଲି ।ମୋ ପରିବାର ଉପରେ ମୋର ଭରସା ଯଥେଷ୍ଟ ଥିଲା ।ଜୀବନ ସାରା ଆଦର୍ଶ ହିଁ ତ ଶିଖାଇ ଆସିଛି ସମସ୍ତଙ୍କୁ ।

କିନ୍ତୁ କେହି କିଛି ନ ପଚାରି ସମସ୍ତେ ବୁଝିନେଲେ ମୁଁ ପ୍ରୟାସ କରିଛି ବଳତ୍କାରର...ସ୍ୱିଟି ବି ଚୁପ୍ କାରଣ ସତ କଥା କହିବାର ସାହାସ ସେ ହରାଇ ବସିଥିଲା ।

ହଁ..ପିଲାମାନେ ନିଷ୍ପତ୍ତି ନେବା ଆରମ୍ଭ କଲେ ସବୁ ବାପା ମା ଦୋଷୀ ହୁଅନ୍ତି ଆଉ ମୁଁ ବି ଦୋଷୀ ହେଲି ।ସ୍ୱିଟି ମୋର ପ୍ରିୟ ଥିଲା ।କେମିତି କହିଥାଆନ୍ତି ସତ କଥା???ଭାବିଥିଲି ଏକାନ୍ତରରେ କହିବି ସବୁ କଥା ତୁମକୁ ମମତା...ହେଲେ ପୁଅ ବୋହୂ କହିଦେଲେ ଏଠି ବାପା ରହିବେ ନ ହେଲେ ଆମେ....

ହେଲେ ତୁମେ ବି ତ ମୋତେ ଦେଖି ଛିଃ କହିଦେଲ ।ରାଗରେ କହିଲ ତୁମେ ପୁରୁଷ ଗୁଡା ନିଜ ଝିଅ ବୋହୂକୁ ବି ଛାଡିବନି...ଚରିତ୍ରହୀନ ଗୁଡା ...

ମୋ ହାତ ଶକ୍ତ ହୋଇ ଆସୁଥିଲା...ମାରିବାକୁ ଇଛା ହେଉଥିଲା ତୁମକୁ ପ୍ରଥମ ଥର ଲାଗି ହେଲେ ତୁମେ ମୋର ମାଡ ଖାଇବାର ସବୁ ଯୋଗ୍ୟତା ବି ହରାଇ ସାରିଥିଲ ।ଥରେ ବି ପଚାରିଲନି ଘଟଣା କଣ ବୋଲି ??ସବୁବେଳେ ଗୋଟିଏ ପୁରୁଷ ହିଁ କାହିଁକି ଦୋଷୀ ହୁଏ??ଭୂଲ୍ ତ କାହାର ବି ହୋଇ ପାରେ??

ବିଶ୍ୱାସ ତୁଟିଲେ ସବୁ ତୁଟି ଯାଏ ।

ରାତାରାତି ଚାଲି ଆସିଲି ଘର ଛାଡି...ତୁମ ମାନଙ୍କ ମୁହଁ ବି ପଛକୁ ହୋଇ ସାରିଥିଲା ମୋ ଲାଗି ।

--'---********----'''''''''****************----''''''''''''''''*******&&&&-----

ମୁଁ ବୃଦ୍ଧା ଶ୍ରମରେ ଖୁସିରେ ଅଛି ।ସ୍ୱିଟି କେମିତି ଖବର ପାଇ ମୋ ପାଖକୁ ଚିଠିଟେ ଲେଖିଛି...ଆଇ ଆମ୍ ସରି...ମାଇଁ ହ୍ୟାଣ୍ଡସମ୍ ଅଙ୍କଲ ।ଖୁସି ହେଲି ।ସେ ନିଜ ଭୂଲ୍ ବୁଝିଛି ।ହେଲେ ଯେଉଁ ପରିବାରକୁ ଷାଠିଏ ବର୍ଷ ଧରି ପାଳି ପୋଷି ମଣିଷ କଲି ସେମାନେ ମୋତେ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ଅବସର ଟିଏ ବି ଦେଲେନି...ଦୁଃଖର କଥା ।

ଏ ଲେଖା ଲେଖୁଛି ତୁମ ଲାଗି ମମତା, ହେଲେ ଏହାକୁ ବି ମୁଁ କେବେ ଚିରିଦେବି ।ସତ୍ୟ ଆସିବ ହେଲେ ଖୁବ୍ ଡେରିରେ ।ସେଇ ସ୍ୱିଟି ହିଁ ସବୁ କହିବ...ହେଲେ ମୁଁ ଆଉ କେବେ ଫେରିବିନି...ଏହା ମୋ ନିଷ୍ପତ୍ତି ।

ଘଟଣା ପଛରେ ଅନେକ ଘଟଣା ଥାଏ ,ଏହା ଆଉ କେବେ ବୁଝିବ ଏ ସମାଜ??

ତଥାପି ମୁଁ ମୋ ନିଜକୁ ଚିର ଯୌବନ ଆଉ ହ୍ୟାଣ୍ଡସମ୍ କରି ରଖିବି ଜିଇଥିବା ଯାଏ କାରଣ ଏମିତି ଅନେକ ବାପାଙ୍କ ଜୀବନରେ ନିଜ ଶବ ନିଜେ ବୋହିବାକୁ ପଡେ ।

ହଁ ..........ମୁଁ ଜଣେ ହ୍ୟାଣ୍ଡସମ୍ ବୟସ୍କ ଚରିତ୍ରହୀନ ଅଙ୍କଲଟେ ।


Rate this content
Log in