Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରକ୍ତର ରଜ୍ଜୁ
ରକ୍ତର ରଜ୍ଜୁ
★★★★★

© T.Durga Prasad Rao

Tragedy

7 Minutes   7.9K    23


Content Ranking

ରୁନା ସ୍କୁଟରଟିକୁ ଦାଣ୍ଡପିଣ୍ଡାରେ ଷ୍ଟାଣ୍ଡ ମାରୁ ମାରୁ ଶୁଣିଲା କିଏ ଜଣେ ପିଲା ଘର ଭିତରୁ କିଳିକିଳା ରଡ଼ି ଛାଡ଼ି କାନ୍ଦୁଛି । ବିରକ୍ତ ହୋଇ ଉଠିଲା ରୁନା । ଏଇତ... ପୁଣି ଆସି ଡେରା ଜମେଇଲେଣି ଏମାନେ... । କେତେଦିନ ରହିବେ କେଜାଣି । କାଲି ପରା ତ ଆସିଥିଲେ, ପୁଣି ଥରେ... । କଣ ଏତେ ସବୁ ଏମାନଙ୍କର ଏଠାରେ ଶରଧା ଲାଗିଛି, କେଜାଣି? ଅଲାଜୁକ ଗୁଡ଼ାକ । ଥରକୁ ଥର ଏମାନଙ୍କ ଦୌରାତ୍ମରେ କେତେ ଏ ମଣିଷ ଦହଗଞ୍ଜ ହେବ? ମନେ ମନେ ଗୁଣୁ ଗୁଣୁ ହୋଇ ଘର ଭିତରେ ପ୍ରବେଶ କଲା ରୁନା । ଦାଣ୍ଡଘରେ ପଶି ଚିହିଁକି ଉଠିଲା। ଆରେ ହେ ହେ... ଇଏ କଣ? ମୋ ଜୁଲୋଜି ରେଜିଷ୍ଟର! କଣ ହେଇଛି? ବଡ଼ ପାଟିରେ ଡାକ ଛାଡ଼ିଲା - ଏ ନାନୀ... ମିଲିନାନୀ! ତୁ କୋଉଠି ମରୁଛୁ ବା? ଗଲା ମୋର ଜୁଲୋଜି ରେଜିଷ୍ଟରଟା ପୁରା ଚିରି ସାରିଲାଣି... । ତାପରେ ଠାଏ କରି ଚାପୁଡ଼ାଏ କଷି ଦେଲା ଛଅ ବର୍ଷର ଭଣଜା ଟୁକୁନୁ ଗାଲରେ । କୁଳାଙ୍ଗାର କୋଉଠିକାର... । କିରେ ଏଇଟା କଣ ତୋ କାଗଜ ଡଙ୍ଗା କରିବା ପାଇଁ କିଣି ଆଣିଥିଲି । ଭେଁ କିନା କାନ୍ଦି ଉଠିଲା ଟୁକୁନୁ। ଭିତରୁ ମିଲିନାନୀର ପାଟି ଶୁଭିଲା- କଣ ହେଲା କିରେ ରୁନା?

- ହଁ, ତୁ ସେଇଠି ଥାଇ ପାଟି କରୁଥା । ଏଣେ ତୋର ଗୁଣମନ୍ତ ପୁଅ କଣ କଲାଣି ଦେଖ୍ ମୋ ଖାତା ବହି ସାଙ୍ଗରେ । ପିଲାମାନଙ୍କୁ ତ ସମ୍ଭାଳି ପାରୁନୁ । ଗୋଟେ ଏଠି ଏକ କରି ଅପରିଷ୍କାର କଲାଣି । ଆଉ ଗୋଟେ ମୋଠୁ ତାର କେଉଁ ଜନ୍ମର ପ୍ରତିଶୋଧ ନେଉଛି, କେଜାଣି? ଛି ଛି ଛି... ।

ମିଲିନାନୀ ଦଉଡ଼ି ଆସିଲା ରୋଷେଇ ଘରୁ । ଦେଖିଲା ଦାଣ୍ଡଘରଟା ପୁରା ରୁନାର ବହି ଖାତା ଖେଳେଇ ହେଇ ପଡ଼ିଛି । ତାରି ଭିତରେ ତାର ବର୍ଷକର ସାନ ଝିଅ ଗେହ୍ଲି ଘରଟାକୁ ଅପରିଷ୍କାର କରି ଏପଟ ସେପଟ ହେଉଛି । ହସିଦେଲା ମିଲିନାନୀ । ହଁ ହେଲାରେ ... ମୁଁ ସଜାଡ଼ି ଦେଉଛି । କାହିଁକି ଏମିତି ପାଟିଟା କରୁଛୁ । ଯା ଦଶ ମିନିଟି ବାହାରେ ବସ ।

- କଣଟା ସଜାଡ଼ିବୁ? ପୁରା ତ ଚିରି ସାରିଲାଣି । ରୁନା କାନ୍ଦ କାନ୍ଦ ହେଲା । କାଲି ଜୁଲୋଜି ପ୍ରାକ୍ଟିକାଲ୍ ଅଛି । ମୁଁ ଏବେ କଣ କରିବି?

ରୁନା ବାହାରକୁ ଆସିଲା । ସେଠାରେ କ୍ଷଣଟିଏ ବି ନ ରହି ସ୍କୁଟର ଷ୍ଟାର୍ଟ ମାରି ସାଙ୍ଗ ଘରକୁ ପଳେଇଲା ।

ଏଇଟା ଗୋଟିଏ ଦିନର କାହାଣୀ ନୁହେଁ । ପ୍ରତି ଚାରି ପାଞ୍ଚ ମାସରେ ଥରେ ମିଲିନାନୀ ଘରକୁ ଆସେ । ପନ୍ଦର କୋଡ଼ିଏ ଦିନ ମା ଘରେ ରହି ଆଡ୍ଡା ଜମାଏ । ଯାବତୀୟ ଜିନିଷ ବରାଦ କରେ ତା ପାଇଁ, ତା ପିଲାମାନଙ୍କ ପାଇଁ । ପୁଣି ଗଲା ବେଳେ ଗୁଡ଼ାଏ ସାମାନ ଗଣ୍ଠିଳି କରି ତା ଶାଶୁ ଘରକୁ ଯାଏ । ଆଉ ସେ ସାମାନତକ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ପହଞ୍ଚାଇବା ଦାୟିତ୍ୱ ବି ରୁନାର । ବାପାଙ୍କର ଭାରି ତାଗିଦ୍ ସେଥିପାଇଁ। ଏମାନଙ୍କୁ ଘରେ ଦେଖିଲେ ହିଁ ରୁନା ଭାରି ବିରକ୍ତ ହୁଏ ।

ରୁନାର ବିରକ୍ତି ମାଙ୍କ ଆଖିରେ ପଡେ଼ । ସେ ରୁନାକୁ ବୁଝାଇବା ଛଳରେ କହନ୍ତି - ଝିଅ ଜନମ ଭାରି ହିନିମାନରେ ବାପା । ସମସ୍ତଙ୍କ ମନକୁ ଜଗି କାମ କରିବାକୁ ହୁଏ । ସେ ତ ଆଉ ରୋଜଗାର କରୁନି । ତାପରେ ସହଜେ ତାଙ୍କ ପରିବାର ଟିକିଏ ଗରିବ ଶ୍ରେଣୀର । ବାପଘରୁ କିଛି ଅଧିକା ଦରବ ନେଇ ପାରିଲେ ତା ସ୍ୱାମୀ, ଶାଶୁ ତାକୁ କାଳେ ବେଶୀ ଭଲପାଇବେ ସେଇ ଲୋଭରେ ସେ ମାଗିଯାଚି ସବୁ ଜିନିଷ ଏକାଠି କରି ନିଏ ।

ରୁନା ମୁହଁ ଛାଟେ । ହଁ, ହଁ ତୋର ସେ ଝିଅ ସୁଆଗୀ କଥା ଥାଉ । କୋଉ ଝିଅ ଏମିତି ମା ଘରେ ମାସ ମାସ ପଡ଼ି ରହେ କହ । ପୁଣି ସବୁଥିରେ ଗୋଟେ କାଙ୍ଗାଳ ପରିକା କଥା । କିରେ ରୁନା, ସେ ରାକ୍ଷୀ ପୂର୍ଣ୍ଣମୀର ଭାଗଟା କାହିଁ ଦେଲୁନୁ ତ? ଆରେ ମୁଁ କଣ ଚାକିରୀ କରୁଛି। ଆକୁ ସବୁ ଦଉଥିବି ।

ରୁନାର ସବୁ ରାଗ, ବିରକ୍ତି ସତ୍ତ୍ୱେ ମିଲିନାନୀ ସେଇମିତି ନିୟମିତ ତାଙ୍କ ଘରକୁ ଆସେ । ମାସେ ପାଖାପାଖି ରହେ । ଗଲାବେଳେ ସେଇମିତି ପାଞ୍ଚ ଛଅଟା ଗଣ୍ଠିଳି କରି ଶାଶୁ ଘରକୁ ଯାଏ ।

ଇତି ମଧ୍ୟରେ ରୁନାର ଚାକିରୀ ଖଣ୍ଡିଏ ହେଇଯାଇଛି । ତାକୁ ଏବେ ଖର୍ଚ୍ଚ ପାଇଁ କାହାକୁ ହାତ ପତାଇବାକୁ ପଡୁନାହିଁ । ତାପରେ ବି ସେ ଯେତେବେଳେ ମିଲିନାନୀର କହିବା ଶୁଣେ - ରୁନାରେ, ଏ ରୁନା, ଟୁକୁନୁ ପାଇଁ ସାଇକେଲଟେ କିଣି ଦେନା । କେତେ ଚାଲି ଚାଲି ଇସ୍କୁଲୁକୁ ଯିବ? ତା ସାଙ୍ଗମେଳରେ କହିବରେ ତାର ମାମା ଦେଇଛି ବୋଲି । ପୁଣି କେତେବେଳେ - ଜାଣିଛୁ ଗେହ୍ଲି ବଢ଼ିଆ ଗୀତ ଗାଉଛି, ତା ଗୀତ ଶୁଣିବୁ? ଏ ଗେହ୍ଲି! ମାମାକୁ ତୋର ସେ ହିନ୍ଦି ଗୀତ, କଣ ସେଇଟା? ହଁ, ହଁ, ୟୁଁ ତୋ ମେ ବତଲାତା ନେହିଁ, ତେରି ପରଵାହ କରତା... ଗାଇ ଶୁଣେଇଲୁ... । ରୁନାରେ... ପଡ଼ିଶା ମୀରା ଦିଦି ବା... କହୁଥିଲେ ତାକୁ ସଙ୍ଗୀତ କ୍ଲାସ୍ ଛାଡ଼ିବାକୁ । ହେଲେ ମୋ ପାଖରେ ପଇସା କାହିଁ? ସେ ତ ମାସକୁ ହଜାରେ ଟଙ୍କା ନବ ଶିଖେଇବା ପାଇଁ । ପାଖରେ ଥିଲେ ଦଉନୁ । ଗେହ୍ଲି କଣ ତୋ ଛୁଆ ନୁହଁ? ଗୀତ ଶିଖିଲେ ତୋ ଭାଣିଜି ବୋଲି ତୋତେ କଣ ଗର୍ବ ହବନି? ରୁନା ବିରକ୍ତ ହେଇଯାଏ । କେତେବେଳେ ଦିଏ, କେତେବେଳେ ପୁଣି ରୋକ୍ ଠୋକ୍ ମନା କରିଦିଏ । କହେ - ସବୁବେଳେ ମୋ ସହିତ ଝିକ୍ ଝିକ୍ କରନା ତ । ପଇସାପତ୍ର ଏବେ କିଛି ନାହିଁ ।

ଆଗକୁ ଦଶହରା । ରୁନା ଠିକ୍ ଜାଣିଥିଲା । ଦଶ ପନ୍ଦର ଦିନ ଆଗରୁ ମିଲିନାନୀ ଆସି ଟପକି ଯିବ ତାର ପିଲାଛୁଆଙ୍କୁ ନେଇ । ଆଉ ସବୁଥର ପରି ତାକୁ ବିରକ୍ତ କରିବ । ଏଇଟା ଦରକାର, ସେଇଟା ଦରକାର । ନା, ଏଥର ସେ ଆଉ ଘରେ ରହିବନି । ଛୁଟି ତ ଅଛି । ଆଉ କିଛି ଦିନ ସାମୟିକ ଛୁଟି ମିଶେଇ ସାଙ୍ଗ ସହିତ ପଳେଇଯିବ ବେଙ୍ଗଲୁରୁ ଆଡେ଼ । ନିତିଦିନିଆ କିଚି କିଚି ଠାରୁ ଏଇଟା ବରଂ ଭଲ ଉପାୟ ହେବ । ଖର୍ଚ୍ଚ ବଞ୍ଚିଯିବ, ଆଉ ସେଇ ଖର୍ଚ୍ଚରେ ବୁଲା ବି ହେଇଯିବ ।

ରୁନା ଯେତେବେଳେ ବୁଲାବୁଲି ସାରି ଘରକୁ ଫେରିଲା, ଶୁଣିଲା ସେ ଥର ମିଲିନାନୀ ଆଉ ଘରକୁ ଆସିନି । ମିଲିନାନୀର ଏ ବ୍ୟତିକ୍ରମରେ ରୁନା ଟିକିଏ ଆଶ୍ଚର୍ଯ୍ୟ ହେଲେ ବି ଆଶ୍ୱସ୍ତ ହେଲା । ଯା ହେଉ ଭଲ ହେଲା ।

ଧୀରେ ଧୀରେ ମକର ଗଲା । ଗୁଣ୍ଡିଚା ଗଲା । ମିଲିନାନୀ, ତାର ପିଲା କି ତାର ବର କେହି ବି ଆସିଲେନି । ହେଲେ ରାକ୍ଷୀରେ ବି ମିଲିନାନୀ ଯେତେବେଳେ ଘରକୁ ଆସିଲାନି ରୁନାର ମନ ଘାଣ୍ଟି ଗୋଳେଇ ହେଲା । କଣ ଜୋର୍ କରି କେବେ କିଛି କହିଦେଲା କି ତା ଅଜାଣତରେ ମିଲିନାନୀକୁ । କିଛି ବାଧିଲା ପରି? ନା, ସେଇଟା ଅଲାଜୁକୀଟା । ଯାହା କହିଲେ ବି ତା କଥା କାହିଁକି ଧରି ବସିବ । ନାଇଁ, ଜଞ୍ଜାଳ ବଢ଼ିଥିବ, ଆସିପାରୁନି । ରୁନା ସାମୟିକ ଭାବରେ ଚିନ୍ତାଶୂନ୍ୟ ହେଇଗଲା ।

ଦିନ ଗଡ଼ି ଚାଲିଲା । ମିଲିନାନୀର ଅନୁପସ୍ଥିତି ଧୀରେ ଧୀରେ ଯେମିତି ତାକୁ ଶୂନ୍ୟତା ଆଡ଼କୁ ଠେଲି ଦେଉଛି । ଘରେ ବାକି ସବୁ ଲୋକଙ୍କର ଉପସ୍ଥିତିରେ ତାର ଯେମିତି କିଛି ଯାଏ ଆସେନା । ତା ମନରେ ଖାଲି ମିଲିନାନୀ, ଟୁକୁନା ଆଉ ଗେହ୍ଲିର ଚେହେରା ଭାସି ଆସୁଛି । ଘରଟା କାହିଁ ଖାଁ ଖାଁ ଲାଗୁଛି । ଗେହ୍ଲିର ପାଉଁଜି ଶବ୍ଦ ତାକୁ ଆଉ ବିରକ୍ତ କରୁନି । ବିରକ୍ତ କରୁନି ଟୁକୁନୁର ଅଳି ଅର୍ଦ୍ଦଳି । କେହି ତାକୁ କହୁନି ରୁନାରେ ... ଟୁକୁନୁର ଇସ୍କୁଲୁ ବୁଟୁ ଛିଡ଼ିଯାଇଛି, ଆଣି ଦେବୁନୁ ହଳେ ।

ପୁଣି ଗୋଟିଏ ରାକ୍ଷୀ ଚାଲିଗଲା । ଏଥର କିନ୍ତୁ ଚୁପ୍ ରହି ପାରିଲାନି ରୁନା । ମାଙ୍କୁ ପଚାରିଲା । କାହିଁ ମିଲିନାନୀ ଆସିଲାନି ତ ଏଥର ବି? ମା ଥରେ ଚାହିଁଲେ ରୁନା ଆଡେ଼ । ତାପରେ କହିଲେ - କଣ କାମ ଥିବ । ନୂଆ ନୂଆ ବାହା ହେଇଥିବା ଝିଅମାନେ ସିନା ମା ଘରକୁ ଜଲଦି ଜଲଦି ଆସନ୍ତି । ତୋ ମିଲିନାନୀ କଣ ଆଉ ନୂଆ ବୋହୁ ହେଇଛି ଯେ ସବୁବେଳେ ଆସୁଥିବ । ତା ଧନ୍ଦା ତାକୁ ଲାଗିଲାଣି । ସମୟ ହେଉନଥିବ ଆସିବା ପାଇଁ, ଆଉ କଣ ।

ମାଙ୍କ ଉତ୍ତର ରୁନା ମନକୁ ପାଇଲା ନାହିଁ । ରାତି ତାକୁ ଭଲରେ ନିଦ ହେଲାନି । ସ୍ଥିର କଲା କାଲି ଯେମିତି ହେଲେ ସେ ମିଲିନାନୀ ଘରକୁ ଯିବ । ମିଲିନାନୀ ବାହା ହେଲାଠୁ ରୁନା ବୋଧେ ମାତ୍ର ଥରେ କି ଦି ଥର ତା ଶାଶୁ ଘରକୁ ଯାଇଛି । ମିଲିନାନୀ ଆଉ ତାର ପିଲାମାନେ ତ ପ୍ରାୟ ତାଙ୍କ ଘରେ ଡେରା ପକଉଥିଲେ, ସେ ଆଉ ତାଙ୍କ ଘରକୁ ଯାଇ କଣ ଅଧିକାଟା ବା କରି ପକାଇଥାନ୍ତା?

ସକାଳ ହେଲା । ରୁନା ତାର ନୂଆ ବାଇକ୍.ରେ ତାର ଜଣେ ସାଙ୍ଗକୁ ନେଇ ପହଞ୍ଚିଲା ମିଲିନାନୀ ଗାଁରେ ଦୀର୍ଘ ଅଶୀ କିଲୋମିଟର ରାସ୍ତା ଅତିକ୍ରମ କରି । ଘରେ ପହଞ୍ଚି ଦେଖିଲା ଦରଜାରେ ଝୁଲୁଛି ତାଲାଟିଏ । ସାଇ ପଡ଼ିଶା ପଚାରି ବୁଝିଲା, ଦୁଇଦିନ ହେଲା ପୁରା ପରିବାର ଯାଇଛନ୍ତି କଟକ ବଡ଼ ମେଡ଼ିକାଲକୁ । ଟୁକୁନୁର କଣ ଦେହ ଭଲ ନାହିଁ । ରୁନା ଆଶ୍ଚର୍ଯ୍ୟ ହେଲା । ଟୁକୁନୁର ଦେହ ଖରାପ, ଅଥଚ କିଛି ଖବର ନାହିଁ ତା ପାଖରେ । ସେ ବାଇକ୍.ଟିକୁ ସାଙ୍ଗ ହାତରେ ଦେଇ ଘରକୁ ଫେରିଯିବାକୁ କହିଲା ଓ ନିଜେ ବସ୍.ରେ ବାହାରି ପଡ଼ିଲା କଟକ ଅଭିମୁଖେ।

କଟକରେ ଟିକିଏ ଖୋଜା ଖୋଜି କଲା ପରେ ହୃଦ୍.ରୋଗ ବିଭାଗର ଗୋଟିଏ ୱାର୍ଡରେ ଟୁକୁନୁର ବେଡ୍ ପାଇଲା । ମିଲିନାନୀ ତାକୁ ଦେଖି ଆଉ ସମ୍ଭାଳି ପାରିଲାନି । ତାକୁ ଜାବୁଡ଼ି ଧରି କାନ୍ଦି ପକାଇଲା । କହିଲା ଡାକ୍ତର କହୁଛନ୍ତି ଟୁକୁନୁର ହୃତ୍.ପିଣ୍ଡରେ କଣ ଗୋଟେ କଣା ହେଇଯାଇଛି । ଅପରେସନ୍ କରିବାକୁ ପଡ଼ିବ । ରୁନାର ଛାତି ଦାଉଁକିନା ଲାଗିଲା ।

- କଣ ହେଲା ଏ.ଏସ୍.ଡି., ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟ?

- ହଁ ସେମିତି ଗୋଟେ କଣ ।

- ଏ ରୋଗ ତ ପିଲାବେଳରୁ ଥିବ? ଜାଣିକି କେତେ ଦିନ ହେଲା?

ମିଲିନାନୀ ଟିକିଏ ଇତଃସ୍ତତଃ ହେଲା ।

- ଆରେ କହୁନୁ?

- ଦୁଇ ବର୍ଷ ହେଲା ।

- କଣ ହେଲା, ଦୁଇ ବର୍ଷ ହେଲା ଜାଣିଛୁ ଆଉ ମୋତେ କେମିତି କହିନୁ?

- କଣ ଆଉ କହିବି? ସବୁ ବେଳେ ତମମାନଙ୍କ ଉପରେ ନିର୍ଭର କରି ରହିଲି । ପରିବାରର ପ୍ରତି ଛୋଟ ଛୋଟ କଥାରେ ମଧ୍ୟ ତତେ ମୁଁ ବିରକ୍ତ କରୁଛି । ଏବେ ୟାର ଅପରେସନ ପାଇଁ ଡାକ୍ତର କହୁଛନ୍ତି ପାଞ୍ଚ ଛଅ ଲକ୍ଷ ଲାଗିବ । ମୋର ଏତେ ସମ୍ବଳ କାହିଁ? ଏ ଦୁଇବର୍ଷ ହେଲା ତାର ଚିକିତ୍ସାରେ ଘର ଖଣ୍ଡିକ ବନ୍ଧା ପଡ଼ିଛି । ତାକୁ ବିକି ଦେଇ ଆଉ ଯାହା ହେବ ଦେଖିବି ଯଦି କିଛି ଯୋଗାଡ଼ ହେଇଯିବ ... ।

ରାଗିଗଲା ରୁନା । ହଁ, ଭଲ ନାନୀଟାଏ ତୁ ମୋର । ଛତା, ଯୋତା ଦରକାର, ମୋତେ କହିବୁ । ଆଉ ଯେତେବେଳେ ବଡ଼ କିଛି ଅସୁବିଧା ଆସିବ, ତୁ ଏକା ସମ୍ଭାଳିବୁ । ତୁ କଣ ଭାବିଲୁ ତୋର ଏ ଭାଇ ମରିଯାଇଛି ବୋଲି?

ଚୁପ୍ ହେଇ ଯାଇଥିଲା ମିଲିନାନୀ । ତା ପାଟିରୁ ଆଉ କିଛି କଥା ବାହାରୁ ନଥିଲା । ରୁନା ତା ଆଖିରୁ ଲୁହ ପୋଛି ଦେଇ କହିଲା - ତୁ ଜମା ବ୍ୟସ୍ତ ହନା ମିଲିନାନୀ ସବୁ ଠିକ୍ ହେଇଯିବ । ଆମେ ତାକୁ ଚେନାଇ ଆପୋଲୋ ହସ୍ପିଟାଲ୍ ନେଇଯିବା । ମୋ ସାଙ୍ଗର ବାପାଙ୍କର ଜଣେ ଡାକ୍ତର ବନ୍ଧୁ ଅଛନ୍ତି ସେଇଠି । ସେ ସବୁ ବ୍ୟବସ୍ଥା କରିଦେବେ । ଖର୍ଚ୍ଚ କଥା ଭାବି ତୁ ମୋଟେ ବ୍ୟସ୍ତ ହନା, ମୁଁ ଦେଖିବି । ଟୁକୁନା କଣ ମୋ ଛୁଆ ନୁହଁ କି?

ମିଲିନାନୀ ରୁନାକୁ ଲୁହମିଶା ଆଖିରେ ଚାହିଁ ରହିଥିଲା । କେତେ ବଡ଼ ହେଇଗଲାଣି ରୁନା ସତରେ!

ରୁନା ମିଲିନାନୀ ଅପରେସନ

Rate the content


Originality
Flow
Language
Cover design

Comments

Post

Some text some message..