Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

4.3  

Lopamudra Mishra

Others

ପରିଧାନ

ପରିଧାନ

3 mins
1.1K


ଲୋପାମୁଦ୍ରା ମିଶ୍ର

ଦୀର୍ଘ ନଅମାସର ଗର୍ଭ ବେଦନାକୁ ଅନ୍ତ କରି କୁନି ଝିଅଟେ ଆସିଲା । ଅନ୍ଧକୂପରୁ ମୁକ୍ତି ପାଇ ସେ ଆଲୋକ ଦେଖିଲା । ମାଆ ଝିଅ ଉଭୟ ନିର୍ବସ୍ତ୍ରା । ଏମିତି ଅନେକ ପ୍ରାକୃତିକ ପ୍ରକ୍ରିୟା ପରିଧାନ ଲୋଡ଼ନ୍ତିନି ।

ରାଣୀ ଏବେ ଡାଇପର ପିନ୍ଧେ । ଦେହ ଫୁଙ୍ଗୁଳା । ଦେଢ଼ଫୁଟ ଲମ୍ବର ସେହି ନରମ ଫୁଙ୍ଗୁଳା ଦେହଟାରେ କାହାର ନଜର ଲାଗିଗଲା ? ଘରଲୋକେ ଖୋଜି ଖୋଜି ନୟାନ୍ତ । ରାଣୀର ରକ୍ତାକ୍ତ ମୃତ ଦେହ କୀଆବୁଦା ମୂଳେ ପଡିଛି । ଖବର କାଗଜ ର ମୁଖ୍ୟ ଖବର "ଲଜ୍ଜ୍ୟା -ଚାରିମାସ ର ଶିଶୁକନ୍ୟା ଦୁଷ୍କର୍ମର ଶିକାର । ବୁଦାତଳୁ ମୃତଦେହ ଉଦ୍ଧାର " ।

ପରୀ ଚତୁର୍ଥ ଶ୍ରେଣୀରେ ପଢୁଛି । ସ୍କର୍ଟ, ଟପ୍ ପିନ୍ଧି ସ୍କୁଲ ଯାଏ । ମାଆ ସାମାନ୍ୟ ବିଳମ୍ବ କରିଦେଲେ ଛୁଟିବେଳକୁ ଆସି ଝିଅକୁ ଘରକୁ ଆଣିବାରେ । ପରୀ ସ୍କୁଲରେ ନାହିଁ । କୁଆଡେ ଗଲା ? ସନ୍ଧ୍ୟା ଯାଏଁ ଖୋଜା ଖୋଜି । ରାତିରେ ପୁଲିସର ସହାୟତା । ଘରେ ସମସ୍ତଙ୍କ ନିଦ ଉଭାନ । ସକାଳୁ ସ୍କୁଲର ବାଥ୍ ରୁମ୍ ରୁ ପରୀର କଅଁଳିଆ ଦେହ ଅନାବୃତ୍ତ ଅବସ୍ଥାରେ ଉଦ୍ଧାର । ଦୁଷ୍କର୍ମର ଶିକାର ସେହି କୁନି ଝିଅଟିର ଟିକି ପ୍ରାଣ ଛଟପଟ ହୋଇ ରୋଗଗ୍ରସ୍ଥ ଦୁନିଆଁରୁ ବିଦାୟ ନେଇଛି ।

ଦେବୀର କଲେଜରେ ଆଜି ପ୍ରଥମ ଦିନ । କଲେଜ ୟୁନିଫର୍ମରେ ଘରୁ ବାହାରିଲା । ଛାତି ଉପରେ ଓଢଣୀଟି ଭଲକରି ଘୋଡେଇ ରଖିଛି । ତଥାପି କୋଉଠି କେମିତି ତା ଯୌବନରେ ଛିଟା ସୁଧାର ପୁରୁଷଙ୍କ ମସ୍ତିସ୍କକୁ ଅସ୍ତବ୍ୟସ୍ତ କରିପକାଇଲା । ବିଚାରୀ ଝିଅଟି କଲେଜ ରେ ପହଞ୍ଚି ପାରିଲାନାହିଁ । ଚିରା ଫଟା ଚୁଡିଦାର ପଂଜାବୀରେ ଘରକୁ ଫେରିଲା ।

ଲୋକଙ୍କ ଛି ଛିକାର ଆଉ ଥୁ ଥୁ ରେ ଦେବୀର ଦିନ ଆଉ ରାତି ଦୁର୍ବିସହ ହୋଇଗଲା । ଆଜି ତା ଘର ଆଗରେ ଲୋକ ଗହଳୀ । ପୁଲିସ, ମିଡ଼ିଆ ଵାଲାଙ୍କ ପଚରା ଉଚୁରା, ଫୋଟୋ ଉଠା । ଦେବୀର ନିସ୍ତେଜ ଶରୀର ପଙ୍ଖା ତଳକୁ ଓହଳି ରହିଛି ।

ଲକ୍ଷ୍ମୀ ସ୍ୱାବଲମ୍ବୀ । ଚାକିରୀ କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିଛି । ସନ୍ଧ୍ୟାରେ ଅଫିସ ରୁ ଫେରି ନିଜ ପୁରୁଷ ବନ୍ଧୁ ସହ ସୁନ୍ଦର ଗୋଟେ ସମୟ ଵିତେଇବାକୁ ଜିନ୍ସ ଟପ୍ ପିନ୍ଧି ଓ ଖୁବ ସଜବାଜ ହୋଇ ରାସ୍ତା ଉପରକୁ ଆସିଲା । ଅନ୍ଧାର ରାତିରେ, ରାଜରାସ୍ତା ଉପରେ ଏପରି ପୋଷାକ ପିନ୍ଧି ପୁଣି ଗୋଟେ ପୁରୁଷର ହାତ ଧରି ଚାଲିବ !! ଏତେ ସାହସ !! ବରଦାସ୍ତ କରିହୁଏନାହିଁ । ପୁରୁଷ ବନ୍ଧୁ ଜଣଙ୍କ ସମାଜ ରକ୍ଷକଙ୍କ ମାଡ଼ରେ ଧରାଶାୟୀ । ଲକ୍ଷ୍ମୀର ଦେହରୁ ପୋଷାକ ଉତ୍ତାରି ଉଚିତ ଦଣ୍ଡ ତାକୁ ଦେଇଦେଲେ ଶିଷ୍ଟ ପୁରୁଷ ଦଳକ । ସେମାନଙ୍କର ଦୋଷ କଣ? ଦୋଷ ଲକ୍ଷ୍ମୀରେ ପୋଷାକ ପରିଧାନ ଓ ଚାଲିଚଳନରେ ଥିଲା । ପୁରୁଷ ବନ୍ଧୁ ସହ ବୁଲିବା ମଧ୍ୟ ବଡ଼ ଅପରାଧ । ପୁରୁଷ ବନ୍ଧୁ ହୋସକୁ ଆସି ଆଖି ଖୋଲିଲା ବେଳକୁ ଲକ୍ଷ୍ମୀ ଆଖି ବୁଜିସାରିଛି ।

ଗୌରୀ ସ୍ୱାମୀ ପରିତ୍ୟକ୍ତା । ଛୁଆକୁ କାଖରେ ଧରି ଏଘରେ ସେଘରେ ବାସନ ମାଜିବାକୁ ଯାଏ । ଘରର ଯାବତୀୟ କାମ ଭିତରେ ପିନ୍ଧା ଲୁଗା ପ୍ରତି ଧ୍ୟାନ ଦେଇପାରେ ନାହିଁ । ମାଲିକ ଙ୍କ ନଜର ଗୌରୀର ଫୁଙ୍ଗୁଳା ପିଠି ଓ ଅର୍ଦ୍ଧ ଉନ୍ମୁକ୍ତ ଛାତି ଉପରେ । ମାଲିକ ସଞ୍ଜମତା ହରେଇବା ସ୍ୱାଭାବିକ । ଗୌରୀର ଭୁଲ । ସେ ପୋଷାକ ପିନ୍ଧିବାରେ ଶାଳୀନତା ରକ୍ଷା କରିପାରିଲା ନାହିଁ । ଶାସ୍ତି ପାଇଲା । ମେଞ୍ଚାଏ ଟଙ୍କା ଗୌରୀର ମୁହଁକୁ ଫିଙ୍ଗି ଦେଇ ପାଟି ବନ୍ଦ ରଖିବାକୁ ପରାମର୍ଶ । ନମାନିଲେ ଅସଭ୍ୟ, ଚରିତ୍ରହୀନା ନାରୀର କଳଙ୍କଟେ ମୁଣ୍ଡେଇବା ସାର ହେବ । ଗୌରୀ ଚୁପ । ମାଲିକ ନିଷ୍କଳଙ୍କ ।

ସତୁରୀ ବର୍ଷର ସୀତା ମନ୍ଦିରରେ ଆଳତୀ ଦେଖି ସଞ୍ଜ ପରେ ଘରକୁ ଆସୁଥିଲେ । ପତଳା ଲୁଗା ତଳୁ ବୃଦ୍ଧାନାରୀ ଙ୍କ ଅବଶିଷ୍ଟ ଯୌବନର ଝଲକ । ବାଡ କଡ଼ରେ କେହି ଜଣେ ବିଚରା ପୁରୁଷ ଠିଆ ହେଇ ଲକ୍ଷ ରଖିଥିଲେ । ମଦ ନିଶାରେ ଚୁର । ସୀତା ବୟସରେ ବୃଦ୍ଧା ହେଲେ ମଧ୍ୟ ଜାତିରେ ନାରୀ । ରାତିରେ ଘରୁ ଗୋଡ଼ କାଢ଼ିବାକୁ କିଏ କହୁଥିଲା ? ସୀତାଙ୍କ ସଫେଦ ଶାଢ଼ୀ ପୋଖରୀ ହୁଡ଼ାରେ ପଡିଛି । ଚମ ଧୁଡୁ ଧୁଡୁ ନିଷ୍ପ୍ରାଣ ଶରୀରଟା ପୋଖରୀ ର ମାଟିଆ ପାଣିରେ ଭାସୁଛି ।

ଶିଶୁ, କିଶୋରୀ, ଯୁବତୀ, ବୃଦ୍ଧା ଦୋଷ ସବୁ ଏମାନଙ୍କର । ଡାଇପର୍, ଫ୍ରକ୍,ଜିନ୍ସ, ଶାଢ଼ୀ ତଳେ ନାରୀତ୍ୱ କୁ ଲୁଚେଇ ରଖିବାର ପ୍ରୟାଶ କରିବା ମଧ୍ୟ ଭୁଲ । ନାରୀର ପରିଧାନ ତଳେ ଲୁଚିଥିବା ଅପରାଧୀ ଶରୀରଟା ହିଁ ଯୌନବିକାର ଗ୍ରସ୍ଥ ପୁରୁଷର ଲୁକାୟୀତ ଇଚ୍ଛାକୁ ଆମନ୍ତ୍ରଣ କରେ ।

ପରିଧାନ କେବେ ଢାଲ ହେଇ ଶରୀରକୁ ଲୋଲୁପ ଦୃଷ୍ଟି ରୁ ରକ୍ଷା କରିପାରେ ନାହିଁ ।

ମାନସିକ ସ୍ତରରେ ରୋଗଗ୍ରସ୍ଥ ହୁଏ ଜଣେ କିନ୍ତୁ ଦୋଷ ହୁଏ ଅସଂଯତ ପରିଧାନର ।

ଲୋପାମୁଦ୍ରା ମିଶ୍ର


Rate this content
Log in