କୁଲ୍ଫି
କୁଲ୍ଫି
ପରୀକ୍ଷା ପାଇଁ , ସାମାଜିକବିଜ୍ଞାନ ର ଏକ କଠିନ ବିଷୟ ବୁଝାଇବାବେଳେ , ଶୁଭିଲା ଟିନ୍ଟିନ୍ଟିନ୍।
'ଗୁଗୁ' ହଲଚଲ୍ ହେଲା। ଶବ୍ଦଟା ଧିରେଧିରେ ତଳ ଗେଟ୍ ଯାଏଁ ପହଞ୍ଚିଲାରୁ , ଗୁଗୁ' ମୁଣ୍ଡଟେକି କହିଲା
- ମାମା
- ନୋ'
- ମାମା ପ୍ଲିଜ୍
- ନୋ' ଗୁଗୁ ! ଟନସିଲ୍ ବଢିଛି।
- ହୁଁଉଁଉଁଉଁ !!!
- ମନାକଲି । ବାସ୍ ।
ଲୀଳା' ର ଏଇ ଟିକେ ଧମକାଣିରେ , ସିଙ୍କୁଡିଯାଏ ଝିଅ। ଆଖି ନାଲିକରି ସାମାଜିକବିଜ୍ଞାନ ବହିଉପରେ ମୁହଁ ଗୁଞ୍ଜିଲା ଗୁଗୁ' !
କୁଲ୍ଫି ବାଲା ଇଡିୟଟ୍ ! ଯାଉନଥିଲା ଗେଟ୍ ମୁହଁରୁ। ଟିନ୍ଟିନ୍ଟିନ୍। ଟିନ୍ଟିନ୍ଟିନ୍।
ଏଥର ସତରେ ଚିଡ୍ଡିଗଲା ଲୀଳା' ! ବାଲକୋନୀ ଉପରକୁ ଯାଇ କହିଲା -
- ଯାଃଅ ଏଠୁ । କେହି ପିଲା ନାହିଁ ଏଠି ।
ଲୋକଟା ଚାଲିଗଲା ଆଗକୁ। ଟିନ୍ଟିନ୍ଟିନ୍। ଶବ୍ଦ ଧିରେଧିରେ ଅସ୍ପଷ୍ଟ ହେଲା। ଲୀଳା' ମୁଣ୍ଡରୁ କିନ୍ତୁ ଜମା ହଟୁନଥିଲା ଟିନ୍ଟିନ୍ଟିନ୍! ଟିନ୍ଟିନ୍ଟିନ୍!
★★★
ଖରା ଖେଳୁଥିଲା ବାଲ୍କୋନୀରେ। ଲୀଳା' ଫେରୁଥିଲା ପଛକୁ। ଦୁଇଝିଅ,ଦୁଇପୁଅରେ ସାନମଝିଆଁ ଲୀଳା' । ଅଭାବୀ ଘରକୁ ରୋଗୀଣା ମା' । ଈଲାନାନୀ , ଘରେ ବଡ। ବାପାଙ୍କ ଅଧିକା ଭରସା ଆଉ ବିଶ୍ୱାସ ତାରିଠାରେ। ବାପା ସବୁବେଳେ କୁହନ୍ତି -
- ସେ ହିଁ ମଙ୍ଗ ଧରିବ ପରିବାରର। ସାନ ମାନଙ୍କୁ ବାଟ ଦେଖାଇବ।
ଈଲାନାନୀ ସେଥିପାଇଁ ସ୍ୱତନ୍ତ୍ର। ଢେର ମାମଲତିକାର। ସାନମାନଙ୍କ ଉପରେ ଥିଲା ତା'ର
କଠୋର ନିୟନ୍ତ୍ରଣ।
ମା' ଆଦୌ ଆକଟ କରେନି ତାକୁ। କହେ
- ସେ ଜେଷ୍ଠ । ଏ ଘରୁ ଆଗ ବିଦାହେବ ।
ବଡ , ଘର ସଜାଡିବ ନହେଲେ ବିଗାଡିବ। ସେଇ ଈଲାନାନୀ ଦିନେ ପ୍ରେମରେ ପଡିଗଲା। ଅବଶ୍ୟ ଲୀଳା ସେତବେଳକୁ ପ୍ରେମକଣ ଜାଣିନଥିଲା। ଜମା ଚଉଦ ବର୍ଷ ବୟସରେ ଈଲାନାନୀ କୁ ବି କଣଟା ଜଣାଥିଲାଯେ ?
ନାନୀ ପ୍ରେମକଲା ପୁଣି ଟିନ୍ଟିନ୍ଟିନ୍ କୁ !!!
କଳା ମଚମଚ ସେ ଭେଣ୍ଡିଆଟା ଯେବେ ସାଇକେଲ ଠେଲି ଗାଁ ମୁଣ୍ଡରେ ପହଞ୍ଚି ଯାଏ , ଈଲାନାନୀ ର କାନ ଶୁଙ୍ଘିନିଏ! ଟିନ୍ଟିନ୍ଟିନ୍ ଆବାଜ୍ କୁ । କେଉକାମରେ ଆଉ ମନ ଲାଗେନି ତାର। ଇତସ୍ତତଃ ହୁଏ। ଏଇକଥାକୁ ସମସ୍ତେ ଠଉରାନ୍ତି। ସେ ଦୁଇଟଙ୍କିଟେ ଦେଇ ଭାଈକୁ ପଠାଏ ।
- ଯା ଆଣିବୁ।
ଭାଇ ଚାରୋଟି କୁଲ୍ଫି ଧରି ଫେରେ।
ଫେଏରେ ସେ ଭେଣ୍ଡିଆ ଠିକ୍ ଦୁଆର ପାଖରେ ଥାଇ ବଜାଏ ଟିନ୍ଟିନ୍ଟିନ୍, ଟିନ୍ଟିନ୍ଟିନ୍।
ଏଥର ସଭିଙ୍କ ଆଗରେ ବିରକ୍ତ ହେଲାପରି , ଈଲାନାନୀ ଯାଏ ଦାଣ୍ଡକୁ। ତାକୁ ଦେଖିଲାପରେ ଭେଣ୍ଡିଆ ଚାଲିଯାଏ ଆଗକୁ।
★★★
ବାଲ୍କୋନୀରେ ଖରା ଦାଉସାଧୁଥିଲା। ଲୀଳା କିନ୍ତୁ ଘର ଭିତରକୁ ଆସିପାରୁନଥିଲା। ଗୁଗୁ' ,ତା' ସୁନାଝିଅ କେବେ ନାଲିଆଖି ସହିପାରେନି। ସାମାନ୍ୟ କୁଲ୍ଫିଟେ ପାଇଁ , ଛୁଆଟା ଉପରେ ଏମିତି ବିରକ୍ତ ହେବାଟା ଠିକ୍ ହେଲାନି ଜମା।
ଏକ ଲମ୍ବା ଜୀବନର ଇତିହାସ ଢେର୍ ବିଚିତ୍ର। ରାଜରାଣୀଙ୍କ ଅତୀତବି ଢେର୍ ଦୁର୍ବିସହ। ନିଜେ ଭୋଗିଥିବା ଅସଂଗତାରୁ , ମା' ମାନେ ଅନୁଭୂତି ପାଇ , ଭବିଷ୍ୟତ କୁ ସଜାଡନ୍ତି। କାରଣ ନିଜ ଭୁଲ୍ ସବୁ 'ଭୟ' ହୋଇ ମଣିଷ କୁ ସବୁବେଳେ ଗୋଡାଉଥାଏ।
ଈଲାନାନୀ ଦିନେ ଧୂଧୂ ଖରାବେଳେ କାହାକୁ କିଛି ନ'କହି ଚାଲିଗଲା। ଧାଡିଏ ଚିଠି ଛାଡିଦେଇଗଲା
- ବାପା , ମୋତେ କ୍ଷମା ଦେବ।
ବାପା ଶୁଦ୍ଧି ହୋଇଗଲେ। ପ୍ରଚାର କଲେ ମୋର ସମୁଦାୟ ତିନୋଟି ଛୁଆ!
★★★
ଘର ଭିତରେ କେହିଜଣେ , ଭୂଲ୍ କରୁ ଅବା ଠିକ୍ , ଭୋଗେକିନ୍ତୁ ସାରାପରିବାର !!!!
ମଫସଲ ଗାଁ ରୁ କଟକ ଯାଏଁ ଆସି , ଘରସଂସାର କରିବାରେ ଲୀଳା ପାଇଁ ଢେର୍ ବାଧକ ସାଜିଥିଲା ଈଲାନାନୀ ର କୃତକର୍ମ। ଏବେବି କଥା ବିଗିଡିଲେ ସୁଶାନ୍ତ , ଲୀଳାର ଘର,ବଂଶ, ବାପଭାଇ, ଈଲାନାନୀ କଥା କହିକହି ସଙ୍କୁଚିତ କରାଇଦିଅନ୍ତି ଲୀଳାକୁ। ଢେର୍ କଟୂକଷ୍ଟ ବି ଦିଅନ୍ତି।
ମା' ମରିବାଯାଏଁ ଏୟା କହୁଥିଲା ଯେ , ମୋଝିଅ ସୁନା । ଜମା ଚଉଦ ବର୍ଷର ନିରୀମାଖି। ସେ ଅଳପେଇସାଟା ....।
ଲୀଳା ଚମକି ପଡେ। ଗୁଗୁକୁ ବି ଏବେଏବେ ଚଉଦ ଚାଲିଲା। ଗୋଟେ କୁଲ୍ଫି ବାଲାକୁ ନେଇ ,ନିଜ ଝିଅ ଉପରେ ସନ୍ଦେହ ନଥିଲା ତା'ର। କିନ୍ତୁ ଭଲମନ୍ଦ ବିଚାରି ନପାରୁଥିବା ବୟସଟାକୁ ଝିଅ ସତର୍କତା ରେ ପାରି ହେଇଯାଉ , ଏଇ ଆଶାରେ ସେ ସବୁବେଳେ ଚିନ୍ତିତ ଥିଲା।
ମା' ର ସର୍ବଶ୍ରେଷ୍ଠ ଦାୟିତ୍ୱ ତ ଏତିକି। ବାକି କାମତ ପିଲାଏ ନିଜ ହାତଗୋଡରେ କରିନେବେ।
★★★
ସୁଶାନ୍ତଙ୍କୁ ଫୋନ ଲଗାଇଲା ଲୀଳା ।
- ଫେରିବାବେଳେ ଗୋଟେ ଚକୋଲେଟ୍ କୋନ୍ ଆଣି ଆସିବ।
- ଆଇସକ୍ରିମ ? ଝିଅକୁ ଥଣ୍ଡା ପରା ?
- ହଁ ! ଗୋଟାକରେ କିଛି ଅଡୁଆ ନାହିଁ।
- କି କଥା ??
- ଆଣିବ ତ କହିଲି। ପ୍ଲିଜ୍।
- ଓକେ ଓକେ ।
ସୁଶାନ୍ତ ଫୋନ୍ କାଟିଦେଲେ। ଲୀଳା କହିପାରିଲାନି ଯେ ,
" ଚଉଦ ବର୍ଷ , ଆଉ ସାମାନ୍ୟ ଟିନ୍ଟିନ୍ ଶବ୍ଦ ବି , ବେଳେବେଳେ ଭୟଙ୍କର ଅନ୍ୟମନସ୍କତାର କାରଣ ହୋଇପଡେ !!"
■ ଅମୀୟ ବେଜ୍, ଘଟଗାଁ, କେନ୍ଦୁଝର ■