Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦାୟାଦ
ଦାୟାଦ
★★★★★

© Subal Mohapatra

Drama Others

7 Minutes   7.8K    14


Content Ranking

ପ୍ରେମ କେବଳ ଯେ ସ୍ୱାମୀ, ସ୍ତ୍ରୀ କିମ୍ବା ପ୍ରେମିକ, ପ୍ରେମିକାଙ୍କ ଭିତରେ ସୀମିତ ରହେ ସେକଥା ନୁହଁ , ପ୍ରେମ କାହା ସହ ବି ହୋଇପାରେ I ବାପା, ମା, ଭାଇ, ଭଉଣୀ ନାତି ନାତୁଣୀ ଓ ଅନ୍ୟ ମାନଙ୍କ ସହ ମଧ୍ୟ I ସେଥିଲାଗି ଗୋଟେ ନିର୍ମଳ ହୃଦୟ ଓ କିଛି ଭଲପାଇବା ଦରକାର ଯାହା I 

---x---

ଘରର ଦୁଆର ମୁହଁ ଖୋଲା I ଶକୁନ୍ତଳା ଦେବୀ ଦୁଆର ପିଣ୍ଡାରେ ବସି ଚାଉଳ ବାଛୁଥାନ୍ତି I ହଠାତ ଘର ଭିତରେ କିଏ ଜଣେ ପ୍ରବେଶ କଲା I ଆସ୍ତେ ଆସ୍ତେ ଶକୁନ୍ତଳା ଦେବୀଙ୍କ ପାଖକୁ ଯାଇ ପଛପଟୁ ତାଙ୍କ ବେକରେ ଓହଳେଈ ହେଇ ପଡିଲା I 

ଶକୁନ୍ତଳା ଦେବୀ ଚାଉଳ ବାଛୁଥିଲେ ସତ, କିନ୍ତୁ ଅନ୍ୟ ମନସ୍କ ଥିଲେ I କେତେ କଣ ଭାବି ଯାଉଥିଲେ I ମନଟା ଆଜି ଗୋଳେଇ ଘାଣ୍ଟି ହେଉଥିଲା I ରଥଯାତ୍ରା ଆଉ ଦି ଦିନ ରହିଲା I ପାଞ୍ଚ ବର୍ଷ ତଳେ ଜଣେ କଥା ଦେଇଥିଲା ରଥଯାତ୍ରାରେ ଗାଁକୁ ଆସିବ, କିନ୍ତୁ ଆଉ ଆସିଲାନି I ଫୋନରେ କିଛି ଦିନ କଥାବାର୍ତ୍ତା, କିନ୍ତୁ ତାପରେ ସବୁ ବନ୍ଦ I ସେ ବି କଣ କରିପାରିଥାନ୍ତେ? ଏଠି ଗାଁରେ ଘର ତାଙ୍କର I ଗାଁରେ ଲୋକ ମାନେ ଜାତିପ୍ରଥାକୁ ନେଇ ଭାରି ସିରିଏସ I ନିଜ ଘରେ ପଛେ ପାଣିରେ ବୁଡ଼ିଯାଉ, ଅନ୍ୟକୁ ଦେଖେଇ ଶିଖେଇ କହିବା ଲୋକ କିଛି କମ ନାହାନ୍ତି I ଅଜାଣତରେ ତାଙ୍କ ଆଖିରୁ ଦି ଧାର ଲୁହ ବୋହି ଯାଇ ଥାଏ I 

କିଏ ଜଣେ ପଛରୁ ଧରି ପକେଇଲାରୁ ସେ ଚମକି ପଡି ଉଠି ପଡିଲେ I ପିଲାଟା ବେକରେ ଓହଳେଈ ହେଇଥିଲା I ଶକୁନ୍ତଳା ଦେବୀ ଉଠିପଡ଼ିଲାରୁ ସେ କିଛି ବାଟ ଉପରକୁ ଉଠି ଯାଇ ଖସି ପଡିଲା I ମୁଣ୍ଡଟା ମାଟିଘର ଚଟାଣରେ ପିଟି ହେଇ ଗଲା I କିନ୍ତୁ କିଛି ହେଇନି I ପିଲାଟା ତଥାପି ହସୁ ଥାଏ I ଭୂଇଁରୁ ପିଲାଟାକୁ ଟେକି ଆଣି …ଆଃ ଲୋ ଲୋ ମୋ ଛୁଆ.... କହି କୋଳେଇ ନେଲେ ତାକୁ I ଲୁଗା କାନିରେ ମୁଣ୍ଡଟାକୁ ଆଉଁସି ଦେଲେ I ପିଠିଟାକୁ ଥାପୁଡ଼େଇ ଦେଲେ I ପିଲାଟା ଶକୁନ୍ତଳା ଦେବୀଙ୍କୁ ଚାହିଁ "ଜେଜେମା" ବୋଲି ଡାକି ଦେଲା ଆଉ ଗାଲରେ ହାତ ବୁଲେଇ ଚୁମାଟେ ଦେଲା I ଚମକି ପଡିଲେ ଶକୁନ୍ତଳା ଦେବୀ "ଜେଜେମା" ? କିଏ ଇଏ ? ମୁଁ ତ ୟାକୁ କେବେ ଦେଖିନି ଗାଁରେ I କାହାର ଛୁଆ? 

ଛୁଆଟା ୩-୪ ବର୍ଷର I ଗୁଲୁଗଲିଆ ହୋଇ ଭାରି ସୁନ୍ଦରିଆ ଛୁଆଟିଏ I ଭଲ ଘରର ଛୁଆ ପରି ଲାଗୁଥାଏ I ନୂଆ ଡ୍ରେସ ପିନ୍ଧିଥାଏ I ଛୁଆକୁ କାଖେଇ ବାହାରକୁ ଆସିଲେ ଶକୁନ୍ତଳା ଦେବୀ I ବାହାରେ ବି କେହି ନାହାନ୍ତି I ଆରେ ଆରେ କିଏ ଅଛ କଉଠି ? କିନ୍ତୁ ନା କେହି ବି ନାହାନ୍ତି ବାହାରେ I ସେ ସ୍ଵପ୍ନ ଦେଖୁଛନ୍ତି କି ଆଉ ? ନିଜକୁ ଚିମୁଟି ଦେଖିଲେ I ହେଲେ ଏ ଛୁଆ କାହାର ? ବ୍ୟସ୍ତ ହେଇ ପଡୁଥିଲେ ସେ I 

--ଆରେ, ତୋ ନାଁ କ’ଣ ?

--ଦରୋଟି ଭାଷାରେ ଛୁଆଟି କହିଲା, “ଲି..ପୁ..ନ, ଛଦାଛିବ ମିଶ ଲ” I 

--ତୋ ବାପାଙ୍କ ନା କଣ?

--ଜା..ନି..ନି I 

--ଏଠିକୁ କେମିତି ଆସିଲୁ ?

--ଏ..ଇ..ଟା ଆମ ଘ ..ଲ.. I ତମେ ମୋ ଜେ..ଜେ..ମା I 

ଶକୁନ୍ତଳା ଦେବୀଙ୍କ ଆଖି ବାହାରେ କାହାକୁ ଖୋଜୁଥିଲା I କିନ୍ତୁ କେହି ନଥିଲେ ବାହାରେ I ପିଲାଟା ଶକୁନ୍ତଳା ଦେବୀଙ୍କ କାନର ଝୁମୁକା ସହ ଖେଳିବା ଆରମ୍ଭ କରି ଦେଇ ଥାଏ I ବ୍ୟସ୍ତ ହେଇ ପଡୁଥିଲେ ଶକୁନ୍ତଳା ଦେବୀ I ଛୁଆଟା ନିଜର ନିଜର ଲାଗୁଥାଏ I ଦେହର ବାସ୍ନା, ପ୍ରକାଶ ପରି I ହେଲେ ଇଏ କଣ ପ୍ରକାଶର ଛୁଆ I ନା, ପ୍ରକାଶ ତ ପାଞ୍ଚ ବର୍ଷ ହେଲା ଘରକୁ ଆସିନି I କିନ୍ତୁ ଇଏ ମୋତେ ଜେଜେମା ଡାକୁଛି କାହିଁକି ? ପ୍ରକାଶ ତ ମୋର ଗୋଟିଏ ବୋଲି ପୁଅ I 

--ତୋ ବାପା ମା କୁଆଡେ ଗଲେ?

--ବାପା.. ଙ୍କୁ.. ମୁଁ ଦେଖି.. ନି I ମା ମୋତେ ଏଠି ଛାଡି ଦେଇ ଗ.. ଲା.. ଭା.. ଲି.. I

ଏ ଛୁଆ କିଏ ? କିଏ ତା ବାପା ମା ? କିଛି ଜଣାନାହିଁ I କିଏ ଜଣେ ଛାଡି ଦେଇ ଗଲା ଭାରି I ଶକୁନ୍ତଳା ଦେବୀ କଣ କରିବେ କିଛି ଭାବି ପାରୁ ନଥିଲେ I ଛୁଆକୁ କୋଳରୁ ଓଲ୍ଲାହୁ ଓଲ୍ଲାହୁ ତା ପକେଟରେ କିଛି ଥିବା ଅନୁଭବ କଲେ I ପିଲାଟିକୁ ଓ଼ଲ୍ଳେଇ ଦେଇ ପକେଟରେ ହାତ ଭର୍ତ୍ତି କରି ଚିଠି ଗୋଟେ ପାଇଲେ ସେ I ତର ତର ହୋଇ ଚିଠିଟିକୁ ପଢିବାକୁ ଲାଗିଲେ I

ମା, ବାପା , 

ପ୍ରଣାମ ନେବେ I ମୁଁ ଆପଣଙ୍କ ବୋହୁ I ବୋହୁ ବୋଲି ତ କହିବାର ଅଧିକାର ନାହିଁ , କିନ୍ତୁ ଲିପୁନ ଆପଣଙ୍କ ନାତିI ଆପଣଙ୍କର ମନେଥିବ ଆପଣଙ୍କ ପୁଅ ପ୍ରକାଶ ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଗାଁକୁ ଆସିଥିଲେ ଆଉ ତାଙ୍କ ବାହାଘର ବିଷୟରେ କହିଥିଲେ I କିନ୍ତୁ ଗାଁ ଲୋକଙ୍କ ଭୟରେ ଆପଣ ଆଉ ବାପା ତାଙ୍କୁ ମନା କରିଥିଲେ ଯେ ସେ ଯେଉଁ ଜାଗାରେ ଚାହୁଁଛନ୍ତି ସେଠି ବାହାଘର କରିବା ସମ୍ଭବ ନୁହଁ I ପ୍ରକାଶ ଗାଁରୁ ଗଲା ପରେ ବହୁତ ଡିପ୍ରେସ ଥିଲେ I କିଛି ଦିନ ଅଫିସକୁ ବି ଯାଇ ନଥିଲେ I ବେଳେ ବେଳେ ଆପଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଏତେ ଡିପ୍ରେସ ଥିଲେ ଯେ ତାଙ୍କୁ ଡାକ୍ତର ଦେଖେଇ ମେଡ଼ିସିନ ଦେବାକୁ ହେଉ ଥିଲା I ଡାକ୍ତର କହିଲେ ସେ କେତେ ବେଳେ ବି ଆତ୍ମହତ୍ୟା କରି ପାରନ୍ତି I ତାଙ୍କର ଦେଖାଶୁଣା ଭଲରେ କର I ସେତେବେଳେ ତାଙ୍କର ଦେଖାଶୁଣା କରିବାକୁ ପାଖରେ କେହି ନଥାନ୍ତି I ମୁଁ ବାଧ୍ୟ ହୋଇ ମୋ ରୁମ ଛାଡି ତାଙ୍କ ପାଖରେ ଆସି ରହିଲି I କିଛି ଦିନ ପରେ ସେ ଆସ୍ତେ ଆସ୍ତେ ଭଲ ହୋଇ ଆସିଲେ I ସେତେବେଳେ ମୁଁ ତାଙ୍କ ରୁମରେ ହିଁ ରହୁଥାଏ I ମାତ୍ର କିଛି ଦୁର୍ବଳ ମୁହୂର୍ତ୍ତରେ ମୁଁ ହେଲି ଗର୍ଭବତୀ I କିଛି କରିବାର ନଥିଲା I ଦିନେ ସେ ଘର ଛାଡି କୁଆଡେ ଚାଲି ଗଲେ I ଏ ଅବାଞ୍ଛିତ ମାତୃତ୍ୱକୁ ଧରି ମୁଁ ପଡି ରହିଲି ତାଙ୍କ ଅପେକ୍ଷାରେ I ବିଗତ ପାଞ୍ଚ ବର୍ଷ ହେଲା ମୁଁ ଅପେକ୍ଷା କରିଛି ତାଙ୍କ ଫେରିବା ବାଟକୁ I 

କିଛି ଦିନ ପୂର୍ବରୁ ମୋର ଦେହ ଖରାପ ହେଲା I ଡାକ୍ତର କହିଲେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ I ମୋତେ ବ୍ଲଡ଼ କ୍ୟାନ୍ସର I ସେଥିପାଇଁ ଲିପୁନକୁ ଆପଣଙ୍କ ପାଖେ ଛାଡିବାର ନିଷ୍ପତି ନେଲି I ମୁଁ ଏବେ ପୁଣି ଫେରି ଯାଉଛି ହସ୍ପିଟାଲକୁ I ମୋ ପାଖରେ ବୋଧ ହୁଏ ଆଉ ମାସେରୁ ଅଧିକ ସମୟ ନାହିଁ I ଦୟା କରି କ୍ଷମା କରି ଦେବେ I ଆପଣଙ୍କ ନାତି ଆପଣଙ୍କୁ ଲାଗିଲା I ପ୍ରକାଶ ଯଦି କେବେ ଫେରି ଆସନ୍ତି ତେବେ ଏ ଚିଠିଟା ତାଙ୍କୁ ଦେବେ ଓ କହିବେ ଲିପୁନ ତାଙ୍କ ପୁଅ I ରହୁଛି I 

ଇତି 

ଆପଣଙ୍କର ହତଭାଗିନୀ ବୋହୁ

ଲୁସି 

ଚିଠିଟିକୁ ଏକ ନିଶ୍ୱାସରେ ପଢି ସାରି ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଯାଇଥିଲେ I ଆଖିରୁ ଧାର ଧାର ଲୁହ ବୋହୁ ଥାଏ I ପୁଅକୁ ହରାଇବାର ଦୁଃଖ ଦ୍ବିଗୁଣିତ କରୁଥାଏ ଲିପୁନର ମୁହଁକୁ ଦେଖି I କାହାର କଣ କ୍ଷତି କରିଥିଲା ପିଲାଟି I ନା କେବେ ଦେଖିଛି ବାପାକୁ, ନା ପାଇଲା ମାର ସ୍ନେହ I ପୁଅ ପ୍ରକାଶର କିଛି ଖୋଜ ଖବର ନାହିଁ I କୁଆଡେ ଗଲା ସେ ? ବାପା, ମା ଆଉ ଗାଁକୁ ଭଲ ପାଉଥିବା ପିଲାଟା ଏତେ ବଦଳି ଗଲା କେମିତି?

ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଅପେକ୍ଷା କରିଥିଲେ ସ୍ୱାମୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ I କିଛି ବୁଦ୍ଧି ଦିଶୁ ନଥିଲା I ଛୁଆଟିକୁ ପୁଣି ଥରେ କୋଳେଇ ନେଲେ I

ମନେ ପଡି ଯାଉଥିଲା ତାଙ୍କର…

ପାଞ୍ଚ ବର୍ଷ ତଳେ ପ୍ରକାଶ ଆସିଥିଲା ଗାଁକୁ I ବାହା ହେବା ପାଇଁ ଝିଅ ଠିକ କରି ସାରିଛି ବୋଲି କହିଲା I ହେଲେ ଝିଅଟି ଖ୍ରୀଷ୍ଟିଆନ I ଗାଁରେ ଦୁଇ ଚାରି ଜଣ ଜାଣିଲା ପରେ ଘୋର ବିରୋଧ କଲେ I ଗାଁ ଵାଲା ତାଙ୍କୁ ବାଛନ୍ଦ କରିବେ ବୋଲି ଧମକ ଦେଲେ I ବ୍ରାହ୍ମଣର ପୁଅ ହୋଇକି ସେ ବାହା ହେବ କିରସ୍ତାନକୁ?

ଦୁଇ ଚାରିଦିନ ରହି ପ୍ରକାଶ ଫେରି ଯାଇଥିଲା ତା କର୍ମକ୍ଷେତ୍ର ପୁନେକୁ I କିଛି ଦିନ ଫୋନରେ କଥାବାର୍ତ୍ତା I କଥାବାର୍ତ୍ତା ବେଳେ ବି ସେ ବହୁତ ଟେନସନରେ ରହିଲା ପରି ଲାଗୁଥିଲା I ଅଳ୍ପ କିଛି ଦିନର କଥାବାର୍ତ୍ତା ପରେ ଫୋନ ବି ବନ୍ଦ କରି ଦେଲା I ଯେତେ ଫୋନ କଲେ ବି ବାରମ୍ବାର ଫୋନ ସ୍ଵିଚ ଅଫ ଆସୁ ଥାଏ I ଶକୁନ୍ତଳା ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I କିଛି ଅନିଷ୍ଟ ହୋଇଥିବା ଭାବି ସ୍ୱାମୀଙ୍କୁ ପୁନେ ପଠେଇଲେ ଖୋଜ ଖବର ନେବା ପାଇଁ I କିନ୍ତୁ ପ୍ରକାଶର ଅଫିସରେ ବି କେହି କିଛି କହି ପାରିଲେ ନାହିଁ I କେବଳ ଏତିକି କହିଲେ କିଛି ଦିନ ହେବ ସେ ପାଗଳଙ୍କ ପରି ବ୍ୟବହାର କରୁଥିଲା I ଧୁମ ମଦ ପିଉଥିଲା I କିଛିଦିନ ମଦ ପିଇ ଅଫିସ ଆସିବାରୁ ତାକୁ ନୋଟିସ ବି ଦିଆ ହେଇଥିଲା I କିଛି ଦିନ ପରେ ସେ ଅଫିସ ଆସିବା ବନ୍ଦ କରି ଦେଲା I ଅଫିସର କିଛି ଲୋକ ତା ଖୋଜ ଖବର ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ I ତା ବିଷୟରେ କେହି ବି କିଛି ଜାଣି ନାହାନ୍ତି I ବିଫଳ ହୋଇ ଫେରିଥିଲେ ସୌମ୍ୟ ରଞ୍ଜନ ବାବୁ I

**********

ବାପା ମାଙ୍କର ଏକୋଇରବଳା ବିସିକେଶନ କେଉଁଠି ହଜି ଯାଇଛି I ଆଜି ଯାଏ ତା'ର ଖୋଜ ଖବର କିଛି ମିଳିନି I ଏଇ ସମୟରେ ପ୍ରକାଶର ପୁଅ ଆସି ଘରେ I ମୁଣ୍ଡ କାମ କରୁ ନଥିଲା I ସ୍ୱାମୀଙ୍କ ବାଟକୁ ଅନେଇ ବସିଥିଲେ I ଗାଁ ଲୋକେ କଣ କହିବେ ଭାବୁଥିଲେ I ସେପଟେ ଚାଉଳ ଅଧା ବଛା ହୋଇ ଥୁଆ ହୋଇ ଥାଏ I ଚୁଲିରେ ଭାତ ପାଇଁ ପାଣି ଫୁଟୁ ଥାଏ I କୌଣସି କଥାକୁ ଆଉ ଧ୍ୟାନ ନଥାଏ ତାଙ୍କର I ଦାଣ୍ଡ ପିଣ୍ଡାରେ ବସି ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଦେଖା ଯାଉ ନଥାଏ ତାଙ୍କୁ I 

ସୌମ୍ୟ ରଞ୍ଜନ ବାବୁ ଆସିଲା ପରେ ସବୁ ଶୁଣି ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡିଲେ I 

ଭାବି ଯାଉଥିଲେ, ଗାଁ ଲୋକଙ୍କ ବିରୋଧ I ବାଛନ୍ଦ I ସାଇ ଭାଇଙ୍କ ଟାହି ଟାପରା .. 

ଏପଟେ ପୁଅର ପୁଅ ଆଉ ସେପଟେ ଗାଁ ..

ପୁଅର ଦାୟ ନା ଗାଁର...

କଣ କରିବେ..? 

ସମ୍ପର୍କର ଦୋ ଛକିରେ ଠିଆ ହୋଇଥିଲେ ସେ ..

ଭାବି ପାରୁ ନଥିଲେ ଏବେ ଅବସ୍ଥା କଣ ହେବ?

ମୁଣ୍ଡ ବୁଲେଇ ଦେଉଥିଲା ତାଙ୍କର...

ପଡି ଯାଉ ଯାଉ ଚୌକି ଉପରେ ବସି ପଡିଲେ ସେ ..

ଗୋଟେ ପଟେ ପ୍ରେମ... ଆର ପଟେ ବାପା ମା, ସମାଜ, କୁସଂସ୍କାର ଓ ଆହୁରି ବହୁତ କିଛି ... କଣ କରି ପାରିଥାନ୍ତା ପ୍ରକାଶ?? 

କିଛି ସମୟ ପରେ ମୁହଁଟା ତାଙ୍କର ଲାଲ ହୋଇ ଉଠିଲା I ସେ ଭୀଷଣ ନିଷ୍ପତି ନେଇ ସାରିଥିଲେ ଏତିକି ସମୟ ଭିତରେ I ଶେଷ ନିଷ୍ପତି ଥିଲା ,"ଯିଏ ଯାହା କହୁ ପଛେ ମୋ ନାତି ମୋ ପାଖରେ ରହିବ I କାଲି ଯାଇ ମୋ ବୋହୁକୁ ମୁଁ ନେଇ କି ଆସିବି I ତା’ର ଶେଷ ସମୟ ତକ ସେ ଆମ ପାଖେ ରହିବ I ଗାଁ ଲୋକ ବାଛନ୍ଦ କରିବେ ତ କରନ୍ତୁ I ମଣିଷକୁ ନେଇ ସମାଜ ନା ସମାଜକୁ ନେଇ ମଣିଷ? "

ଶକୁନ୍ତଳା ଦେବୀଙ୍କ ମୁଣ୍ଡରୁ କୁଞ୍ଚିତ ରେଖା ଗୁଡିକ କ୍ରମଶଃ ସିଧା ହୋଇ ଆସୁଥିଲେ I ନିଜେ ଜଗନ୍ନାଥ ଯେ ନିଜେ ଆଜି ଏ ଘରେ ପାଦ ଦେଇଛନ୍ତି, ଏକଥା ସେ ହୃଦୟଙ୍ଗମ କରୁଥିଲେ I ମୁହଁରେ ଧାରେ ହସ ଲାଖି ରହିଥିଲା I କାଳିଆ ଉଦ୍ଦେଶ୍ୟରେ ହାତ ଯୋଡି ସାରି ସେ ଛୁଆଟିକୁ ପଚାରିଲେ ଖାଇଛୁ କଣ?

ସକାଲେ.. ପୁଲି.. ଖାଇଥିଲି I

ଦିନ ଆସି ବାରଟା ହେଲାଣି I ଛୁଆଟା ଖାଇନି କିଛି I ଶକୁନ୍ତଳା ଦେବୀ ସ୍ୱାମୀଙ୍କ ପାଖରେ ପିଲାକୁ ଛାଡି ତର ତର ହୋଇ ଉଠି ଗଲେ କିଛି ଖାଦ୍ୟ ଆଣିବାକୁ I 

ସୌମ୍ୟ ରଞ୍ଜନ ବାବୁ ପିଲାକୁ କୋଳକୁ ନେଇ ତା ମୁଣ୍ଡ ଆଉଁସି ଦେଉଥିଲେ ....

--x--

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com

#Love

ଗାଁ ପ୍ରକାଶ ଚିଠି କୁସଂସ୍କାର

Rate the content


Originality
Flow
Language
Cover design

Comments

Post

Some text some message..