Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମା’ ମୋତେ କ୍ଷମା କରି ଦେ
ମା’ ମୋତେ କ୍ଷମା କରି ଦେ
★★★★★

© Dr Jagatabandhu Mohapatra

Drama Tragedy

6 Minutes   14.8K    20


Content Ranking


· ଡାଃ ଜଗତବଂଧୁ ମହାପାତ୍ର


“ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ” ଏହି ଉକ୍ତି କାହିଁକି କେଜାଣି ଆଜି ସମରଜିତ ମନକୁ ବିଶେଷ ଭାବରେ ଆନ୍ଦୋଳିତ କରୁଥାଏ I ତା' ଆଖି ଆଗରେ ନାଚି ଉଠୁଥାଏ, ତା' ମା'ର ମୁହଁ I କ'ଣ କଲା, ସେ, ବାପାଙ୍କ ସଙ୍ଗେ ସାମାନ୍ୟ ବଚସାରୁ ସିଏ ଘର ଛାଡି ଦେଲା, ହେଲେ ତା' ମା' ତାକୁ ଅନେକ ବୁଝେଇଥିଲା, ନେହୁରା ହୋଇ କହିଥିଲା ଯେ, ସେ ଚାଲିଗଲେ, ତା' ମା' ବି ତାକୁ ଝୁରି ଝୁରି ନିଶ୍ଚେ ମରିଯିବ I କାହିଁକି କେଜାଣି ସେଦିନ କାହାରି କଥା ସମରକୁ ସନ୍ତୁଷ୍ଟ କରି ପାରିନଥିଲା I ଏକ ଅଟଳ ଓ ଦୃଢ ନିଷ୍ପତ୍ତିରେ ସେ ସେଦିନ ସମସ୍ତଙ୍କୁ ପର କରି ଦେଇ ଘର ଛାଡିଥିଲା I


ପୁଅଟିଏ ପାଇବା ପାଇଁ ତା' ମା' କେତେ ଓଷା, ବ୍ରତ, ଉପାସ କରିଥିବା କଥା ତା' ମା'ଠାରୁ ଶୁଣିଥିଲା I ପିଲାଟି ଦିନରୁ କେତେ ଲାଳନ ପାଳନ କରି ବଢେଇଥିଲା, ତାକୁ I କେତେ ଅଳି, ଅଝଟ ସହିଥିଲା, ତାର ମା' I ପୁଅ ହୋଇ ସେଇ ଗର୍ଭଧାରିଣୀ ସ୍ନେହମୟୀ ମା'କୁ ପର କରିଦେଇ କେମିତି ଚାଲି ଆସିଲା, ସମର ? ତା'ର ଅନ୍ତର ଆତ୍ମା ବିଳପି ଉଠୁଥିଲା I ମା, ମା' ବୋଲି ଚିତ୍କାର କରୁଥିଲା I ସେ ଜମା ସ୍ଥିର ରହି ପାରୁନଥିଲା I ତା' ଆଖିକୁ ନିଦ ଆସୁନଥିଲା I ଖାଇବାକୁ ବି ଇଚ୍ଛା ବି ହେଉନଥିଲା I କିଛି କାମ ବି ସେ କରିପାରୁନଥିଲା I

ସେ ଦୃଢ ନିଷ୍ପତ୍ତି ନେଲା ଯେ, ସେ ଯେମିତି ବି ହେଉ, ତା’ ମା' ପାଖକୁ ନିଶ୍ଚିତ ଯିବ I ଆଜି ହିଁ ଯିବ I ଆଜି ରାତିରେ ତାକୁ ଏ ଯାଗା ଛାଡିବାକୁ ପଡିବ I କିନ୍ତୁ କେମିତି ? ସେ ତ ଏକ ଅଜଣା ଅଶୁଣା ରାଜ୍ୟରେ ପଶିଯାଇଛି I ଯୋଉଠୁ ଫେରିବାକୁ ଚେଷ୍ଟା କଲେ, ତା’ର ମରିବାଟା ସୁନିଶ୍ଚିତ I ଏଠୁ ଯିବାଟା ତା' ପାଇଁ ବିପଦପୂର୍ଣ୍ଣ, ତଥାପି ତା' ମା'ର ଆକର୍ଷଣ ତାକୁ ଏଠୁ ଚାଲିଯିବା ପାଇଁ ବାଧ୍ୟ କଲା I ସେ ଫେରିଯିବ, ତା'ର ସେଇ ସ୍ନେହମୟୀ, ମମତମୟୀ ଜନନୀ କୋଳକୁ, ସେଇଠି ସେ ଶାନ୍ତି ପାଇବ, ମୁକ୍ତି ପାଇବ I


XXXXXXXXXXXXXXXXXXX


ଶୁଣ, ସମୁଟା ଆଉ ଚିଠି ଦେଇନି, ବିଛଣାରେ ଶୋଇ ରହି ପଚାରୁଥିଲେ, ଶାନ୍ତି I ଶାନ୍ତିଙ୍କ ବିଛଣା ପାଖରେ ଗୋଟେ ଚେୟାରରେ ବସି ପେପର ଉପରେ ଆଖି ପକଉଥିଲେ, ବିରାଜ I ନା, ବୋଧେ କାମରେ ବ୍ୟସ୍ତ ଥିବ, ଦେଇନି -ଶାନ୍ତିଙ୍କ ପ୍ରଶ୍ନର ଉତ୍ତରରେ କହିଲେ, ବିରାଜ I ଏଡେ ବୋକା ପିଲାଟା, ଚିଠି ନ ଦେଲେ, ନାହିଁ, ଫୋନରେ ତ କଥାବାର୍ତ୍ତା ହୋଇପାରନ୍ତା I ସେତକ ବି କରୁନି - କହିଲେ, ଶାନ୍ତି I ବିରାଜ ଶାନ୍ତିଙ୍କ କପାଳରେ ହାତ ରଖି କହିଲେ, ତମେ ଶୋଇ ପଡ I ତମର ତ ବ୍ଲଡ ପ୍ରେସର ଅଧିକା ଅଛି I ଡାକ୍ତର କହିଛନ୍ତି, ବିଶ୍ରାମ ନେବାକୁ I ସେ ସବୁ ନ କରି ତମେ ବକର ବକର ହେଲେ ଦେହ ବେଶି ଖରାପ ହବ I ଶାନ୍ତି କହିଲେ, ଯେତେ ଚେଷ୍ଟା କଲେ ବି ମୋ ଆଖିକୁ ଜମା ନିଦ ଆସୁନି I ସବୁବେଳେ ସେଇ ସମୁ କଥାଟା ମନକୁ ଆସୁଛି I ମୋତେ ଲାଗୁଛି, ସେ ଆମ କଥା ବୁଝିବନି I ତା’ କଥା ତା’ର I ଆମେ ବାପା ମାଆ ବୋଲି ତା’ର କଣ ଟିକେ ଖାତିର ଅଛି ? ବିରାଜ କହିଲେ, ଓହୋ, ତମେ ସେମିତି କ’ଣ ପାଇଁ ଭାବୁଛ I ପିଲାଟା ବ୍ୟସ୍ତତା ଭିତରେ ଫୋନ କରି ପାରୁନି, ହେଲେ ତା’ର ଗୋଟେ ସାଙ୍ଗ ମୋତେ ଦେଖା ହୋଇଥିଲା I ସେ ବି ସେହି ସହରରେ ଚାକିରୀ କରେ I ସେ କହୁଥିଲା, ଆସନ୍ତା ସପ୍ତାହରେ ସେ ଆସିବ I ନିଶ୍ଚୟ ଆସିବ I


ବିରାଜଙ୍କ ହାତକୁ ଚାପି ଧରିଲେ, ଶାନ୍ତି, ଆଉ କହିଲେ, ତମେ ସତ କହୁଛ, ସେ ଆସିବ I ହେଲେ ଶୁଣ, ସେ ଆସିଲେ, ତମେ ତା’ ସହିତ ଜମା ପାଟିତୁଣ୍ଡ କରିବନି I ବଡ ଅଭିମାନି ପିଲାଟା ଆମ ସମୁ, ଟିକିଏ କଥାରେ ଆମକୁ ଛାଡି ଚାଲିଗଲା I ବିରାଜ ଶାନ୍ତିଙ୍କ ହାତକୁ ଧରି କହିଲେ, ଶାନ୍ତି ମୁଁ ତମକୁ କଥା ଦଉଛି I ମୁଁ ତାକୁ ଆଉ କେବେ କିଛି କହିବିନି I ସେ ଖାଲି ଆସୁ I ତମ ଯତ୍ନ ନଉ I ତମ କଥା ବୁଝୁ I ମୁଁ କେବଳ ଏତିକି ଚାହେଁ I ଶୁଣ, ସେ ଆମ ପୁଅ I ଆମକୁ ଛାଡି ସେ କେତେଦିନ ବାହାରେ ରହି ପାରିବ ! ସେ ପରା ଆମର ରକ୍ତ I ରକ୍ତ କ’ଣ ରକ୍ତକୁ ପର କରିପାରିବ ? ଏଥର ଆସିଲେ, ତା’ କାନ ମୋଡି ତାକୁ ଶାସନ କରି ରଖିବି I ସେ ଆଉ କୁଆଡେ ଯାଇ ପାରିବନି I ଆଉ ତାକୁ ମୁଁ ବୁଝେଇଦେବି I ତମ ସାଙ୍ଗେ ସିଏ ଜମା ପାଟିତୁଣ୍ଡ କରିବନି I ବିରାଜଙ୍କ ମିଛ କଥାକୁ ସତମଣି ବଡ ଆତ୍ମସନ୍ତୋଷରେ କଥା ଗୁଡାକ କହିଚାଲିଥିଲେ, ଶାନ୍ତି I


ବିରାଜ ଏଇ ସମୟରେ ଶାନ୍ତିଙ୍କୁ ଉଠେଇ ବସେଇଲେ, ତାଙ୍କ ହାତକୁ ଔଷଧ ଆଉ ପାଣି ଦେଲେ I ତା’ ପରେ ଗୋଟେ ଗ୍ଲାସରେ ହର୍ଲିକ୍ସ ଗୋଳିକି ଦେଲେ, ଆଉ କହିଲେ, ପିଇଦିଅ I ଟିକେ ଶୋଇପଡ I ଆରାମ ଲାଗିବ I ଶାନ୍ତି ଔଷଧ ଖାଇ ହର୍ଲିକ୍ସ ପିଇ ଶୋଇବାକୁ ଚେଷ୍ଟା କରୁଥାନ୍ତି I ଚେୟାରରେ ବସି ଭାବି ଚାଲିଥାନ୍ତି, ବିରାଜ ତାଙ୍କ ଅତୀତକୁ I


XXXXXXXXXXXXXXXXXXXXX


ବିବାହର ୪/୫ ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ସନ୍ତତି ନ ହେବାରୁ ଅନେକ କଥା ସହିବାକୁ ପଡିଛି, ଶାନ୍ତିଙ୍କୁ I କେତେ ଓଷା, ଉପାସ, ମାନସିକ ବ୍ରତ, କରିଛନ୍ତି, ସିଏ I ଶେଷରେ ତାଙ୍କର ନାରୀ ଜନ୍ମର ପୂର୍ଣ୍ଣତା ହେଲା, ଯେତେବେଳେ ତାଙ୍କ କୋଳମଣ୍ଡନ କରିଆସିଲା, ଏଇ ସମୁ, “ସମରଜିତ” I ତା’ର ସେଇ କୁନି କୁନି ଓଠରେ ମା’ ଡାକରେ ଜନ୍ମଜନ୍ମାନ୍ତରର ସାର୍ଥକତା ଲାଭ କରିଥିଲେ, ଶାନ୍ତି I ସମର ବଡ ହେଲା, ପାଠ ପଢିଲା, କିନ୍ତୁ ଶାନ୍ତିଙ୍କ ଅତ୍ୟଧିକ ସ୍ନେହ ପାଇ କେମିତି କେଜାଣି ଟିକେ ଅଧିକ ଅବାଧ୍ୟ ହୋଇଉଠିଲା I ନିଜେ ରୋଜଗାର କରିବା କଥା, ସିଏ ଯେମିତି ଭୁଲି ଯାଇଥିଲା I ବାପା ଧନ ନେଇ ମଉଜ ମଜଲିସ କରିବା ଯେମିତି ତା’ର ନିତିଦିନିଆ କାମରେ ପରିଣତ ହେଉଥିଲା I ଅତ୍ୟଧିକ ଜିଦଖୋର ବି ଥିଲା, ସିଏ I ତା’ର ସବୁ ଅଳି ଅର୍ଦ୍ଧଳି ଶାନ୍ତି ହିଁ ସମ୍ଭାଳି ନେଉଥିଲେ I ଖରାପ ସାଙ୍ଗମାନଙ୍କ ସହିତ ମିଶି ଯେତେବେଳେ ସେ ଏକ ଗଣ୍ଡଗୋଳ କେସରେ ଥାନା ହାଜତରେ ପଶିଲା, ଆଉ ଥାନା ବାବୁ ତାକୁ ଜାମିନରେ ଆଣିବା ପାଇଁ ମତେ ଡାକିଲେ, ତାକୁ ମୁଁ ଜାମିନରେ ଆଣିଲି I ଘରେ ବହୁତ ବୁଝେଇଲି, ହେଲେ ଯେତେବେଳେ ମୋର ସବୁ ଚେଷ୍ଟା ସବୁ ଉଦ୍ୟମ ବିଫଳ ହେଲା, ସେତେବେଳେ ମୁଁ ନିଜକୁ ସମ୍ଭାଳି ପାରିଲିନି, ମୋ ପାଟିରୁ ସ୍ଵତଃ ବାହାରି ଆସିଥିଲା, ଏଭଳି ପୁଅ ଥିଲେ, ଯେତିକି ନଥିଲେ ବି ସେତିକି I ବାସ୍ ସେଇଦିନ ରାତିରେ ସମର ଘର ଛାଡି ଦେଇଥିଲା I


ତାକୁ ଝୁରି ଝୁରି ଶାନ୍ତି ବିଚରା ଶଯ୍ୟାଶାୟୀ ହୋଇପଡିଲେ I ତାଙ୍କୁ ସୁସ୍ଥ କରିବାକୁ ମୁଁ ମିଥ୍ୟାର ବାହାନା ନେବାକୁ ବାଧ୍ୟ ହେଲି I ନିଜେ ଚିଠି ଲେଖି ସମର ନାଁ ରେ ଶାନ୍ତିଙ୍କ ପାଖକୁ ପଠେଇଲି I ତାଙ୍କୁ ପଢି ଶୁଣେଇଲି I ସେଇ ମିଥ୍ୟାର ସାହାରାରେ ଆଜକୁ ୬ ମାସ ହେବ, ଶାନ୍ତି ବଞ୍ଚି ରହିଛନ୍ତି I ନ ହେଲେ କେବେଠୁ ସେ ମତେ ଛାଡି ଯାଇ ସାରନ୍ତେଣି, କାରଣ ୬ ମାସ ତଳେ ତାଙ୍କର ଫାଷ୍ଟ ଷ୍ଟ୍ରୋକ ହୋଇ ସIରିଛି I ମୋ ମିଛ ଯୋଗୁଁ ଶାନ୍ତି ବଞ୍ଚିଛନ୍ତି, ଯଦି ସେ ଜାଣି ପାରନ୍ତି, କ’ଣ ଯେ ଅବସ୍ଥା ହବ !!! ନା, ମୁଁ କିଛି ବି ହବାକୁ ଦେବିନି I ଏଇ କଥା କେହି ବି କିଛି ଜାଣି ପରିବେନି I


XXXXXXXXXXXXXXXX

ସରଦଣ୍ଡା ଜଙ୍ଗଲ ଭିତରେ ରାତିର ଅନ୍ଧକାରରେ ଜୀବନକୁ ପାଣି ଛଡାଇ ଦଉଡି ଚାଲିଥିଲା, ସମର I କାଳେ ତାକୁ ଯଦି କିଏ ଦେଖିଦେବେ, ତା’ ପ୍ରାଣ ନେଇଯିବେ I ଜଙ୍ଗଲ ପାରି ହେଲା ବେଳକୁ ସକାଳ ହୋଇ ଆସୁଥାଏ, କିନ୍ତୁ ଦିନର ଆଲୋକରେ କାହାକୁ ମୁହଁ ଦେଖାଇ ପାରିବ ନାହିଁ, ସମର I ତେଣୁ ଏକ ନିକାଞ୍ଚନ ଯାଗାରେ ଲୁଚି ରହିବା ପାଇଁ ପସନ୍ଦ କଲା, ପୁଣି ସନ୍ଧ୍ୟା ହେଲେ ସେ ଷ୍ଟେସନ କିମ୍ବା ବସଷ୍ଟାଣ୍ଡକୁ ଆସିବ I ଯାହା ହଉ ଭଗବାନ ତାକୁ ସାହା ହେଲେ, ସେଦିନ ରାତିରେ ତାଙ୍କ ଘରକୁ ଆସିବା ପାଇଁ ସେ ଟ୍ରେନ ଧରିଲା I


XXXXXXXXXXXXXXXX


ସକାଳୁ ସକାଳୁ ନିଜ ଘର ଦୁଆର ମୁହଁରେ ପହଞ୍ଚିଥିଲା, ସମର I କିନ୍ତୁ ଏ କ’ଣ ? ତାଙ୍କ ଦୁଆର ଆଗରେ ଅନେକ ଲୋକଙ୍କ ଭିଡ I ଭିଡ ଠେଲି ଭିତରକୁ ପଶିଗଲା, ସମର I ଯାହା ଦେଖିଲା, ତା’ ପାଦତଳୁ ମାଟି ଖସିଗଲା, ପରି ଲାଗିଲା I ତାକୁ ଚାରିଆଡ ଅନ୍ଧାର ଦିଶିଲା I ତା’ ମୁଣ୍ଡ ଘୁରେଇ ଦେଲା I ସେ ତା’ ମା’ ଗୋଡତଳେ ପଡିଯାଇ ଗୋଡ ଦିଟାକୁ ଧରି ଭୋ ଭୋ ହୋଇ କାନ୍ଦି ଉଠିଲା, ଆଉ କହିଲା, ମା’ ତୁ ମୋ ଉପରେ ଅଭିମାନ କରି ଚାଲିଗଲୁ I ତୁ ମତେ କ୍ଷମା କରିଦେ, ମା’ I ମୁଁ ତୋ ପାଇଁ କିଛି କରିପାରିଲିନି I ତୋର ଚାଲିଯିବାର କାରଣ ହେଲି, ମୁଁ, କେବଳ ମୁଁ I


ବିରାଜ ସମର କାନ୍ଧରେ ହାତ ରଖି କହିଲେ, ଆସିବାକୁ ତୁ ବହୁତ ଡେରି କରିଦେଲୁରେ, ସମୁ I ତତେ ଝୁରି ଝୁରି ତୋ ମା’କୁ ଫ୍ରାଷ୍ଟ ଷ୍ଟ୍ରୋକ ହେଲା I ମିଛର ବାହାନା ନେଇ ମୁଁ ତାଙ୍କୁ ଆଜି ଯାଏଁ ବଞ୍ଚେଇ ରଖିଥିଲି I ତୁ ଚିଠି ଦଉଛୁ, ଟଙ୍କା ପଠାଉଛୁ, ଚାକିରି କରୁଛୁ I ତୁ ଆସିବୁ, ନିଶ୍ଚୟ ଆସିବୁ I ହେଲେ ଆଉ ପାରିଲିନି, ଆଜି ପାହାନ୍ତିଆରୁ ତାଙ୍କର ସେକେଣ୍ଡ ଷ୍ଟ୍ରୋକ ହେଲା, ଆଉ ସେ ଆମକୁ ଛାଡି ଆରପାରିକୁ ଚାଲିଗଲେ I


ବାପାଙ୍କର ଗୋଡ ଦୁଇଟାକୁ ଧରି କାନ୍ଦି ଉଠିଲା, ସମର, ଆଉ କହିଲା, ବାପା ତମେ ମତେ କ୍ଷମା କରିଦିଅ I ତମ କଥାକୁ ଖରାପ ଭାବି ମୁଁ ସେଦିନ ପଳେଇଗଲି, ହେଲେ ଗୋଟେ ଅଜଣା ପଥରେ ପାଦ ଦେଇଦେଲି I ଯେଉଁଥିପାଇଁ ମୁଁ ମୋ ସ୍ନେହର ମା’କୁ ହରେଇଲି, ସେ ପଥଟା ହେଲା, ମୁଁ ମାଓ ସଂଗଠନରେ ଯୋଗ ଦେଇଥିଲି I ହଁ, ବାପା, ଖାଲି ମୋ ନିଜ ମା’ଙ୍କ ପ୍ରତି ନୁହଁ, ମୋ ଜନ୍ମଭୂମି ପ୍ରତି ବି ମୁଁ ଅନ୍ୟାୟ କରିଛି I ନିଜ କୃତ କର୍ମ ପାଇଁ ମୋ ମା’ଙ୍କ ଠାରୁ ସିନା କ୍ଷମା ପାଇବା ପାଇଁ ମୁଁ ଯୋଗ୍ୟ ହୋଇପାରିଲିନି, ହେଲେ ମୋ ଜନ୍ମଭୂମିକୁ ଏବେ କ୍ଷମା ମାଗୁଛି I ଏ ଜଘନ୍ୟ ପଥକୁ ମୁଁ ଏଇ ବର୍ତ୍ତମାନ ତ୍ୟାଗ କଲି I ଆଉ ମୋ ପରି ମାଓ ସଂଗଠନରେ ମିଶିଥିବା ଭାଇ ଭଉଣୀମାନଙ୍କୁ ବି ଜାତୀୟ ସ୍ରୋତରେ ସାମିଲ କରିବା ପାଇଁ ମୋ ଜୀବନକୁ ବାଜି ଲଗେଇଦେବି, ତମେ ମୋତେ କ୍ଷମା କରିଦିଅ, ବାପା, କ୍ଷମା I


ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


ମା ସମୁ ମାଓ ସଂଗଠନ

Rate the content


Originality
Flow
Language
Cover design

Comments

Post

Some text some message..