Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପରାହତ ପ୍ରଜାପତି
ପରାହତ ପ୍ରଜାପତି
★★★★★

© Dr Jagatabandhu Mohapatra

Action Crime Inspirational

6 Minutes   8.1K    31


Content Ranking

ଡାଃ ଜଗତବଂଧୁ ମହାପାତ୍ର


ଆଡ଼ଭୋକେଟ ସୃଷ୍ଟି ମହାନ୍ତି, ଆଜି ରୀନା ବଳତ୍କାର ମାମଲାରେ ଦୋଷୀ ହୋଇଥିବା ଅପରାଧୀମାନଙ୍କୁ ଦଣ୍ଡ ଦେଇପାରିବାରେ ସକ୍ଷମ ହୋଇପାରିଛି I କୋର୍ଟରୁ ଆସି ଘରେ ପହଞ୍ଚିଲା ସୃଷ୍ଟି I ନିଜ କୋର୍ଟ ଓ କେସ ଫାଇଲ ରଖୁ ରଖୁ ସେ ତା’ ମା’କୁ କୋର୍ଟରେ ରୀନା କେସକୁ ନେଇ ଘଟିଥିବା ସମସ୍ତ ଘଟଣାକୁ ଜଣେଇଲା I ମା’ ତା’ର ବହୁତ ଖୁସି ହେଲେ, ଆଉ କହିଲେ, ଯାହା ହଉ, ତୋର ବହୁ ଦିନର ଆଶା ଆଜି ସଫଳ ହୋଇଛି ଓ ରୀନା ଭଳି ଜଣେ ଗରିବ ଝିଅର ଦୋଷୀମାନେ ଦଣ୍ଡିତ ହୋଇଛନ୍ତି I ସବୁ ଦୋଷୀମାନେ ଏମିତି ଦଣ୍ଡ ପାନ୍ତେ କି !!!!


ରାତିରେ ଶୋଇପାରିଲାନି, ସୃଷ୍ଟି I ମା’ର ସେହି ପଦକ କଥା “ସବୁ ଦୋଷୀମାନେ ଏମିତି ଦଣ୍ଡ ପାନ୍ତେ କି” ଏହି ଶବ୍ଦ ଗୁଡିକ ତା’ ମନ ଭିତରେ ଗୁଞ୍ଜରିତ ହୋଇ ଉଠୁଥିଲା । ଏଇ କଥାପଦକ କଷ୍ଟ ଦେଇଆସୁଥିଲା, ତା’ କଲେଜ ସମୟରୁ, ତା’କୁ I ସୃଷ୍ଟିର ସୃଷ୍ଟି ତ ହୋଇଛି, ସେଥିପାଇଁ I ଅତୀତ କଥାଗୁଡିକ ତା’ ଆଖିଆଗରେ ନାଚି ଉଠୁଥିଲା I


XXXXXXXX

ବେବିନା………. ତା’ ଭଲ ନାଁ ଥିଲା, ଇତିଶ୍ରୀ ରଥ । +୨ ବିଜ୍ଞାନ ଶ୍ରେଣୀର ଛାତ୍ରୀ । ଭବିଷ୍ୟତରେ ଡାକ୍ତର ହେବାର ସ୍ଵପ୍ନ ବି ଦେଖିଥିଲା । ସ୍ଵଭାବରେ ସେ ଭଦ୍ର, ଶାନ୍ତଶିଷ୍ଟ, ମେଳାପୀ ଓ ବହୁତ ଖୁସି ମିଜାଜର ପିଲା ଥିଲା । ବେବିନା ବହୁତ ଭଲ ପାଠ ବି ପଢୁଥିଲା । ଗଣିତ ଓ ବିଜ୍ଞାନରେ ସେ ସବୁବେଳେ ଆଗରେ ରହୁଥିଲା । ଆମେ ଦୁହେଁ ଏକା ସାଙ୍ଗରେ ପଢୁଥିଲୁ । ସବୁଦିନ ଆମେ ନେଉଥିବା ଟିଫିନକୁ ସାଥିରେ ବସି ଖାଉଥିଲୁ । କ୍ଲାସରୁମରେ ପାଖାପାଖି ବସୁଥିଲୁ । ବହିପତ୍ର, ନୋଟ ଦିଆନିଆ ସବୁ ଚାଲୁଥିଲା, ଆମ ଭିତରେ ।

ବେବିନା ଗୋଟିଏ ସୁନ୍ଦର ପ୍ରଜାପତିଟିଏ ପରି ଉଡି ବୁଲୁଥିଲା I ନିଜେ ଖୁସିରେ ରହିବା ସହ, ନିଜ କଥାବାର୍ତ୍ତା ଓ ବ୍ୟବହାରରେ ସମସ୍ତଙ୍କୁ ଆପଣାର କରିଦେବାର କୌଶଳ ସତେ ଯେମିତି ସେ ଜାଣିଥିଲା । ପାଠପଢା, ବକ୍ତୃତା ପ୍ରତିଯୋଗିତା, ଖେଳକୁଦ ସବୁଥିରେ ଆଗରେ ରହୁଥିବା ସହ ଏନ.ଏସ.ଏସରେ ମଧ୍ୟ ଆଗଧାଡିରେ ରହୁଥିଲା । ଆଗକୁ ଆସି କାମ କରିବାର ଶ୍ରଦ୍ଧା ରହିଥିଲା ତା'ର I


XXXXX


ଆଜି ବି ମନେପଡିଯାଉଛି, ସେଦିନର କଥା । ବେବିନା କେବେ ବି କଲେଜ ବନ୍ଦ କରେନି । ଘଟଣାର ପରଦିନ ବେବିନା କଲେଜକୁ ଆସି ନଥିଲା । ବେବିନା ସମ୍ପର୍କରେ ଜାଣିବା ପାଇଁ ସେହି ଗାଁର ଝିଅ ମୀନା, ଯିଏ କି +୨ କଳାରେ ଆମ କଲେଜରେ ପଢୁଥିଲା, ତା’ ପାଖକୁ ଯାଇ ଶୁଣିଲି ଯେ, ସେ ଆଗ ଦିନ ରାତିରେ ଘରକୁ ଫେରି ନଥିଲା । ମୋ ମନ ଅଜଣା ଆଶଙ୍କା ଭିତରେ ଘୁରି ବୁଲିଥିଲା । ଭାବିଲି, ମୀନାକୁ ନେଇ ତା’ ଘରକୁ ଯିବି । ମୀନାକୁ କହିଥିଲି, ମୋ ମନର କଥା, ସେ ମୋ ପ୍ରସ୍ତାବରେ ରାଜି ହୋଇଥିଲା ଓ ଆମେ ଦୁହେଁ ବେବିନାର ଘରକୁ ଯାଇଥିଲୁ I ବେବିନା କୋହଭରା କଣ୍ଠରେ ଗତ ରାତିର କଥା ଆମକୁ କହିଥିଲା ଓ ସେସବୁ ତା’ଠାରୁ ଶୁଣି ମୁଁ ହତବାକ୍ ହୋଇଯାଇଥିଲି ।


XXXXX

ଯେହେତୁ ଆମ ଦୁଇଜଣଙ୍କର ଗାଁ ଅଲଗା ଥିଲା, କଲେଜକୁ ଯିବା ସମୟରେ ଆମେ ସାଥି ହୋଇ ଯାଇପାରୁନଥିଲୁ, କିନ୍ତୁ କଲେଜରେ ଥିବା ସମୟରେ ଆମେ ସବୁବେଳେ ସାଥି ହୋଇ ରହୁଥିଲୁ । ଆମ ଗାଁ ପୂର୍ବରୁ ଗୋଟେ କିଲୋମିଟର ଦୂରରେ ଯେଉଁ ଚାରିଛକ ଅଛି, ସେହି ଚାରିଛକଠାରେ ପହଞ୍ଚିଲେ, ଆମେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇ ନିଜ ନିଜ ଗାଁକୁ ଯାଉଥିଲୁ I


ସେଦିନ କଲେଜରୁ ପ୍ରାକ୍ଟିକାଲ ସାରି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା । ନିଛାଟିଆ ରାସ୍ତା ସାଙ୍ଗକୁ ସନ୍ଧ୍ୟାର ଝିପିଝିପି ବର୍ଷା ହେଉଥିଲା । ଚାରି ଛକରୁ ଆମେ ପରସ୍ପରଠାରୁ ବିଦାୟ ନେଇଥିଲୁ । ବେବିନା ଘରକୁ ଫେରୁଥିବା ବେଳେ ଜାଣିବାକୁ ପାଇଲା ଯେ, ଦୁଇ ତିନି ଜଣ ମଦ୍ୟପ ଯୁବକ ତାକୁ ପିଛା କରୁଛନ୍ତି । ପ୍ରାଣ ବିକଳରେ ବେବିନା ଜୋରରେ ସାଇକେଲ ଚଳାଇ ପଶିଯାଇଥିଲା, ଥାନା ଭିତରକୁ । ଥାନା ଭିତରେ ଥାନା ବାବୁ, କନେଷ୍ଟବଳ ଭୋଜି ଭାତରେ ମସଗୁଲ ଥିଲେ । ବେବିନାର ପରିସ୍ଥିତିଟାକୁ ସେମାନେ ବୁଝିଯାଇଥିଲେ । ମଦୁଆମାନେ ପଳାଇଯାଇଥିଲେ ସିନା, ହେଲେ ରକ୍ଷକମାନେ ଯେ ଭକ୍ଷକ ହୋଇଯିବେ, ଏ କଥା ବେବିନା ଜାଣି ନ ଥିଲା । ବେବିନା କିଛି କହିବା ପୂର୍ବରୁ ତାକୁ ଜୋର ଜବରଦସ୍ତି ଟେକି ନେଇଯାଇଥିଲେ, ହାଜତ ଭିତରକୁ । ଜଣେ କନେଷ୍ଟବଳ ବନ୍ଦ କରିଦେଇଥିଲା, ଥାନାର ଦୁଆର ମୁହଁକୁ । ଆଉ ଜଣେ କନେଷ୍ଟବଳ ତା'ପାଟିକୁ ଏମିତି ଜାବୁଡି ଧରିଥିଲା ଯେ, ସେ ଜମା ପାଟି ଖୋଲିପାରିନଥିଲା । ତା’ପରେ ଜଣକ ପରେ ଜଣେ ନାରୀ ମାଂସ ଲୋଭୀ କୁକୁରଗୁଡାକ ତା'ର ସର୍ବସ୍ଵ ଲୁଟିବାରେ ଲାଗିପଡିଥିଲେ । ତା' ଶରୀରକୁ ଝୁଣି ଝୁଣି ଖାଇଯାଇଥିଲେ I ଚେତା ଆସିବା ବେଳକୁ ସେ ଦେଖିଲା, ତା’ ପାଖରେ ଆଉ କେହି ନାହାନ୍ତି । ରାକ୍ଷସଗୁଡାକ ତାକୁ ଅନ୍ଧାରୁଆ ରାତିର ନିଛାଟିଆ ରାସ୍ତାରେ ପକାଇ ଚାଲିଯାଇଛନ୍ତି । ବେବିନା ଦେହରେ ଅନେକ ଯନ୍ତ୍ରଣା I ଚେଷ୍ଟା କରି ବି ତଳୁ ଉଠିପାରିଲାନି, ସେ I ବହୁ କଷ୍ଟରେ କେତେ ସମୟ ପରେ ଉଠି ଧୀରେ ଧୀରେ ଗାଁ ଆଡକୁ ସେ ଯାଇଥିଲା । ସେତେବେଳକୁ ରାତି ଅନେକ ହୋଇଯାଇଥିଲା । ଛୋଟବେଳୁ ବାପା ତା'ର ଆରପାରିକୁ ଚାଲିଯାଇଥିଲେ, ଏକୁଟିଆ ମା’ ଓ ଛୋଟ ଭାଇ ତା’ର ଅନେକ ଭୟ ଓ ଆଶଙ୍କା ଭିତରେ ଖୋଜି ବୁଲୁଥିଲେ, ବେବିନାକୁ । ବେବିନା ଯାଇ ପହଞ୍ଚିଥିଲା, ତା’ ମା’ ପାଖରେ । ଝିଅର ଏମିତି ଅସହାୟ ଅବସ୍ଥା ଦେଖି ଭୟଭୀତ ହୋଇଯାଇଥିଲେ, ତା'ର ମା’ ।

ସକାଳ ହେଲା, ବେବିନାର ମା, ତା’ ସାନ ଭାଇ ଓ ଶମ୍ଭୁ କାକା ତିନି ଜଣ ଯାଇ ପହଞ୍ଚିଲେ, ଥାନାର ବଡବାବୁଙ୍କ ପାଖରେ I ଥାନାର ବଡ ବାବୁ ଏମାନଙ୍କୁ ଦେଖି ବୁଝିନେଇଥିଲେ ସବୁ । ଏମାନଙ୍କ ଦୁଃଖ କଥା ଶୁଣିବା ଆଗରୁ ଅକଥ୍ୟ କଟୁ ଭାଷାରେ ଗାଳି କରି ଫେରାଇ ଦେଇଥିଲା I ଗରିବ ଲୋକଙ୍କ କଥା ଶୁଣିବ ବା କିଏ ? ତଥାପି ସାହସ ବାନ୍ଧି ବେବିନାର ମା’ ଶମ୍ଭୁ କାକାଙ୍କୁ ଧରି ପହଞ୍ଚିଲା, ସରପଞ୍ଚଙ୍କ ପାଖରେ । ସରପଞ୍ଚ ସେମାନଙ୍କ ପାଖରୁ ସବୁ କଥା ଶୁଣିଲା ସିନା ହେଲେ ଚାଟୁକାର ଏମାନଙ୍କ କଥାକୁ ଗୁରୁତ୍ଵ ଦେଇନଥିଲା, ବରଂ ବେବିନାର ଚରିତ୍ରକୁ ନେଇ ଆକ୍ଷେପ କରି ଅନେକ କଥା କହିଥିଲା ।


XXXXXXX


ବେବିନାଠାରୁ ସବୁ କଥା ଶୁଣି ଆସିବା ପରେ ରାତି ସାରା ମୋତେ ନିଦ ହୋଇ ନଥିଲା I ବ୍ୟସ୍ତ ବିବ୍ରତ ହୋଇଯାଇଥିଲି, ମୁଁ I ମନେ ମନେ ଭାବୁଥିଲି, କେମିତି ବେବିନା ଭଳି ଗରିବ ଝିଅକୁ ସଠିକ ନ୍ୟାୟ ମିଳିପାରିବ । ତା’ ପରଦିନ କଲେଜ ଯାଇଥିଲି, ଆମର ସାଙ୍ଗମାନଙ୍କ ଭିତରେ ଆଲୋଚନା କରିଥିଲୁ । ମୀନା ବି ତା’ କ୍ଳାସର ସାଙ୍ଗମାନଙ୍କୁ ଏ ବିଷୟରେ କହିଥିଲା । ସମସ୍ତେ ଏକାଠି ହୋଇ ଥାନାକୁ ଗଲୁ ଓ ଥାନା ଅଧିକାରୀଙ୍କୁ ଦଣ୍ଡିତ କରି ବେବିନାକୁ ଉଚିତ ନ୍ୟାୟ ଦେବା ପାଇଁ ପ୍ରତିବାଦ କରିଥିଲୁ ।

ଆମର ପ୍ରତିବାଦକୁ ଜିଲ୍ଲା ଏସ. ପି. ଶୁଣିଥିଲେ ଓ କେସଟିକୁ ଗ୍ରହଣ କରିଥିଲେ ଏବଂ ବେବିନାକୁ ଡାକ୍ତରୀ ମାଇନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ଥାନାବାବୁଙ୍କର ପ୍ରତିପତ୍ତି ଓ ପଇସା ବଳ ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲା ଏବଂ ବେବିନା ମୁଣ୍ଡରେ କଳଙ୍କିନୀର କଳଙ୍କ ଲଦି ଦିଆଯାଇଥିଲା । ଭାବିଥିଲି, ବେବିନା ଭଳି ନିରୀହ ନିଷ୍ପାପୀ ଝିଅଟି ନ୍ୟାୟ ପାଇବ । ମାତ୍ର ସବୁ ଉଲଟ ପାଲଟ ହୋଇଯାଇଥିଲା I ପରେ ଜାଣିବାକୁ ପାଇଥିଲି, ସରପଞ୍ଚ ଠାରୁ ଆରମ୍ଭ କରି ଏସ. ପି. ସମସ୍ତେ ଥାନାବାବୁକୁ ସାହାଯ୍ୟ କରୁଥିଲେ ।


XXXXXXX


ସେଦିନ କଲେଜରୁ ଆସି ବ୍ୟାଗଟାକୁ ପଢାଘର ଟେବୁଲ ଉପରେ ପକେଇ ଦେଇ ନିଜ ବିଛଣାର ତକିଆରେ ମୁହଁ ଦେଇ କଇଁ କଇଁ ହୋଇ କାନ୍ଦିଥିଲି, ମୁଁ । ମା’ ରୋଷେଇ ଘରେ ରୋଷେଇ କରୁଥିଲା । ମୋର କାନ୍ଦଣା ତା’ କାନରେ ପଡିଥିଲା, ସେ କାନ୍ଦଣା ଶବ୍ଦ ଶୁଣି ମୋ ରୁମକୁ ଆସିଥିଲା । ମୋତେ ଉଠାଇ ମୋ ଆଖିରୁ ଲୁହ ପୋଛି କାନ୍ଦିବାର କାରଣ ପଚାରିଥିଲା ।


କୋହ ସମ୍ଭାଳି ନ ପାରି ମା’କୁ କହିଥିଲି, ମୋ ସାଙ୍ଗ ବେବିନା ଗତ କାଲି ରାତିରେ ବିଷ ପିଇଦେଇଥିଲା । ଆଜି ସକାଳେ ତା’ ଘର ଲୋକମାନେ ସେ ଶୋଇଥିବା ଘରେ ତା’ର ମର ଶରୀରଟିକୁ ଦେଖିବାକୁ ପାଇଥିଲେ । ଆଜି ତା’ ମୃତ୍ୟୁ ଖବର କଲେଜରେ ପହଞ୍ଚିଲା ପରେ ତା’ ପାଇଁ ଶୋକସଭା କରାଯାଇ କଲେଜକୁ ଛୁଟି କରିଦିଆଯାଇଥିଲା ।


ମା’ ଆଖିରେ ବି ଲୁହ ପଳାଇଆସିଥିଲା, ସେଦିନ, ମନକୁ ମନ । ହଁ, ମା, ମୋର ସବୁଠୁ ପ୍ରିୟ ସାଙ୍ଗ ସେ ହିଁ ଥିଲା । ବେବିନା ଜୀବନରେ ଏମିତି ଏକ ଘଟଣା ଘଟିବ ବୋଲି ନା ସେ ଜାଣିଥିଲା, ନା କେହି ବି କେବେ ସ୍ଵପ୍ନରେ ଚିନ୍ତା କରିଥିଲା । ଘଟଣା ପରଠାରୁ ସେ ଆଉ କଲେଜ ଆସିନଥିଲା । ମୁଁ ତା’ ଘରକୁ ମଝିରେ ମଝିରେ ଯାଇ ବହୁତ ବୁଝାଉଥିଲି ଏବଂ ଏଭଳି ଏକ କଠୋର ନିଷ୍ପତ୍ତି ନ ନେବା ପାଇଁ କେତେ ଥର କହିଥିଲି ଏବଂ ମୁଁ ତା’ ସହ ସବୁବେଳେ ରହିଛି ବୋଲି କହି ତାକୁ ସାହସ ଦେଉଥିଲି । ହେଲେ, ଘଟଣାର ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସୁଥିଲା । କାରଣ ଏ ସମାଜ ତା’ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଲୋକଙ୍କ ଟାହି ଟାପରା ସହିପାରିଲାନି ସେ, ଶେଷରେ ନିଜକୁ ଶେଷ କରିଦେଲା । ଆଉ ସେ ମୋତେ ଆଜି ଏକୁଟିଆ କରି ଛାଡି ଚାଲିଗଲା । ବେବିନାର ମୁହଁ, କଥାବାର୍ତ୍ତା ମୋର ସବୁ ମନେ ପଡିଯାଉଛି, କହି ମା’କୁ ଜାବୁଡି ଧରି ଭୋ ଭୋ କରି ବହୁତ ଜୋରରେ କାନ୍ଦିଥିଲି, ମୁଁ ।

ମା’ ମୋତେ ବହୁତ ବୁଝାଇଥିଲା, ସେଦିନ I ବେବିନାର ଆତ୍ମାକୁ ଶାନ୍ତି ଦେବା ପାଇଁ ମୋତେ ସାହସ ବାନ୍ଧି ଆଗକୁ ବଢିବାର ମନୋବଳର ଖୋରାକ ଯୋଗାଇଥିଲା, ମୋର ମା’ । ମୋ ଭିତରେ ଗୋଟିଏ ନୂତନ ଆଶାର କିରଣ ସଂଚାରିତ କରାଇଥିଲା, ସେ । ମୋ ଜୀବନର ଗତିପଥ ବଦଳାଇବାର ପ୍ରତିଜ୍ଞ। କରିଥିଲି, ମୁଁ ସେହିଦିନ । ଭିତରୁ ସଂପୂର୍ଣ୍ଣଭାବେ ଭାଙ୍ଗି ପଡିଥିବା ସୃଷ୍ଟିର ପୁଣିଥରେ ନବକଳେବର ହୋଇଥିଲା I


ନିଜକୁ ନିଜେ ଦୃଢ କଲି, ଯୁଡୋ କରାଟେ ଶିଖିଲି । ଡାକ୍ତର ହେବାର ଆଶାକୁ ବଳି ପକେଇଦେଇ ଓକିଲ ହେବା ପାଇଁ ଶପଥ ନେଲି । ଏମିତି ଏକ ଓକିଲ ହେବି, ଯେମିତି ପ୍ରତିପତ୍ତି କ୍ଷମତା ସମ୍ପନ୍ନ ଥିବା ଦୋଷୀମାନେ ଦଣ୍ଡ ପାଇବେ, ପ୍ରମାଣ ଅଭାବରୁ ଆଇନ ହାତରୁ ଏମାନେ ଖସି ନ ଯିବେ !!!!!


XXXXXXX


ହଠାତ୍ ବେଡରୁମର ଲାଇଟ ଜଳି ଉଠିଲା । ସୃଷ୍ଟିର ମା’ ସୃଷ୍ଟିକୁ କହିଲେ, ମା’ ତୁ ଏ ଯାଏଁ ଶୋଇନୁ । ସୃଷ୍ଟିର ଆଖି ଛଳ ଛଳ ଦେଖି ସେ ଠିକ୍ ବୁଝିଗଲେ, ଆଉ କହିଲେ, ମା’ ତୁ ବେବିନା କଥା ଭାବୁଛୁ ? ସେତେବେଳେ ବେବିନାର ଦୋଷୀମାନେ ସିନା ଖସିଗଲେ, କିନ୍ତୁ ଆଜି ରୀନାର ଅପରାଧୀମାନେ ତ ଦଣ୍ଡ ପାଇଲେ ।


ଏ ଦୁନିଆରେ ଶହ ଶହ ବେବିନାମାନେ ଅପେକ୍ଷା କରି ଅଛନ୍ତି, ନ୍ୟାୟ ପାଇବା ପାଇଁ । ବେବିନା ମରିଯାଇନି, ବେବିନା ଏବେ ବି ବଞ୍ଚିଛି, ଆଉ ସେ ସୃଷ୍ଟି କରୁଛି, ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ, ଦୋଷୀକୁ ଦଣ୍ଡ ଦେବା ପାଇଁ । ଏଇ ସଂଗ୍ରାମକୁ ଆଗେଇ ନେବାକୁ ପଡିବ, ବେବିନା ପାଇଁ, ଏହା ସୃଷ୍ଟି ପାଇଁ ହୋଇଛି ଏକ ଆହ୍ଵାନ । ଆହୁରି ଶକ୍ତ ହୋଇଉଠିଲା, ସୃଷ୍ଟି, । ମନୋବଳ ତା’ର ଯଥେଷ୍ଟ ବଢିଯାଇଥିଲା ।

ଠିକ୍ ସେତିକିବେଳେ ହଠାତ୍ ପାଖରେ ଥିବା ଠାକୁରଙ୍କ ମନ୍ଦିରରୁ ଘଣ୍ଟ ଘଣ୍ଟାର ଧ୍ୱନି ପ୍ରତିଧ୍ଵନିତ ହେବା ସହିତ ବେଦ ଧ୍ୱନି ଉଚ୍ଚାରିତ ହେଲା I ପ୍ରକୃସ୍ଥିତ ହୋଇ ଉଠିଲେ, ସେମାନେ I ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡି ଛିଡା ହେଲେ ।



ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


ବଳତ୍କାର ବେବିନା ରକ୍ଷକ ଭକ୍ଷକ ଚରିତ୍ର ପଇସା ବଳ ବିଷ

Rate the content


Originality
Flow
Language
Cover design

Comments

Post

Some text some message..