Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Others

2  

Rajabala Tripathy

Others

ପଳାତକ

ପଳାତକ

7 mins
432


*ପଳାତକ*

ଆଖି ବନ୍ଦ କରି ଧ୍ୟାନସ୍ଥ ହେବାର ସବୁ ଚେଷ୍ଟା ବିଫଳ ହେଉଥିଲା ତଥାଗତର । ଆଖି ବୁଜିଲେ ବନ୍ଦ ଆଖିର ଅନ୍ଧାରକୁ ଚିରି ଦେଖା ଯାଉଥିଲା ବୋଉର କାନ୍ଦୁରା ମୁହଁ, ବାପାଙ୍କର ଲୁହ ଛଳ ଛଳ ପେଜୁଆ ଆଖି। କାନକୁ ଶୁଣା ଯାଉଥିଲା ଚିର ପରିଚିତ ଉଦାସୀ ସ୍ୱରଟିଏ । "ସତରେ କଣ ମୋତେ ଛାଡ଼ି ଚାଲିଯିବ " । ସେ ସ୍ୱର ତା ପ୍ରିୟତମା ଧାରାର, ଧରିତ୍ରୀର। ଲୋକ ଲଜ୍ୟା, ବଡ଼ ଚାକିରିଆ ବରର ଲୋଭକୁ ପାଦରେ ଏଡେଇ ଦେଇ ଯିଏ ତାଙ୍କ ପିଲାଦିନର ପ୍ରେମକୁ ହୃଦୟରେ ବସେଇ ତା ହାତ ଧରିବା ପାଇଁ ଅନନ୍ତ କାଳ ପାଇଁ ପ୍ରତୀକ୍ଷା କରିବାର ଭୀଷ୍ମ ଶପଥ ନେଇଥିଲା। ହେଲେ ସେ କଲା କଣ ତାର ପ୍ରେମ, ପ୍ରତୀକ୍ଷା, ବଳିଦାନକୁ ମୁହୂର୍ତ୍ତକରେ ପ୍ରତ୍ୟାଖ୍ୟାନ କରି ପଳାତକ ସାଜିଲା।

"ପଳାତକ" ନିଜ ମନରୁ ଉଠୁଥିବା ଏହି ଶବ୍ଦଟିକୁ ଶୁଣି ନିଜେ ନିଜେ ଚମକି ପଡିଲା ତଥାଗତ । ସେ କଣ ପଳାତକ। ନା...ସେ ଯେ ମୁକ୍ତି କାମୀ । ଏ ଦୁଃଖ ଯନ୍ତ୍ରଣା ପୂର୍ଣ୍ଣ ଜୀବନରୁ। ସେ ଏକ ସୁଖମୟ ଶାନ୍ତିମୟ ଜୀବନର ଯାତ୍ରୀ କେବଳ। ଏହି ଲକ୍ଷ୍ୟ ନେଇ ତିନିମାସ ତଳେ ଗାଁ ଘର ପରିବାର ପ୍ରେମ ଛାଡି ବାବା କୃଷ୍ଣପାଦଙ୍କ ହରିଦ୍ୱାରର ଏହି ଆଶ୍ରମରେ ପାଦ ଦେଇଥିଲା ସେ।

ତଥାଗତର ବାପା କୃପାସିନ୍ଧୁଙ୍କର ଥିଲା ଦୁଇମାଣ ଜମି। ସେତିକି ହିଁ ତାଙ୍କ ପରିବାରର ଭାତ ହାଣ୍ଡି। ବଡ଼ ଭଉଣୀଙ୍କ ପରେ ସେ, ତା ତଳକୁ ସାନ ଭଉଣୀ। ଚାଷ ଜମିରେ ନିଜକୁ ମାଟିରେ ମିଶେଇ ଦେଉଥିଲେ ବାପା। ଧାନ ଚାଷ ସରିଲା ପରେ ମୁଗ ପୁଣି ରତୁ ଅନୁଯାୟୀ ଭଳି କି ଭଳି ପରିବା ବି। ଗାଁ ହାଟରେ ଧାନ ଆଉ ପରିବା ବିକ୍ରି କରି ହାତରେ କିଛି କଞ୍ଚା ପଇସା ବି ଆସୁଥିଲା। ଘରର ତେଲ ଲୁଣ ପରେ ପିଲାଙ୍କ ପଢା ଖର୍ଚ୍ଚବି ଚଳିଯାଉଥିଲା। ବାକିତକ ଜମା ହେଉଥିଲା ସାହୁକାର ଘରେ ଋଣ ସୁଝିବା ପାଇଁ। 

 ସମୟର ସର୍ପିଳ ଗତିରେ ଅନେକ କିଛି ବଦଳି ଯାଇଥିଲା ତଥାଗତର ପରିବାରରେ। ବୟସ ବଢି ଯାଉଥିଲା ଉଭୟ ବାପା ବୋଉ ଆଉ ପିଲାମାନଙ୍କର। ଖରା ତରାରେ ବିଲରେ ଖଟି ଖଟି ଧୀରେ ଧୀରେ ଶକ୍ତି ହୀନ ହୋଇଯାଉଥିଲେ କୃପାସିନ୍ଧୁ । ବଡ଼ ଭଉଣୀ ମାଟ୍ରିକ ପରେ ପାଠ ପଢ଼ା ଅଧାରୁ ଛାଡି ଘରେ ବସିଥିଲେ। ସାନ ଏବେ ମାଟ୍ରିକରେ । ବଡ଼ ଝିଅକୁ ହାତରୁ ଦୁଇ ହାତ କରିବା ଚେଷ୍ଟାରେ ଲାଗିଥିଲା କୃପାସିନ୍ଧୁ। ତଥାଗତ ସ୍କୁଲ ପଢ଼ା ସାରି ଦୂର ସହରରେ କଲେଜ ପଢା ଆରମ୍ଭ କରିଥିଲା । ତାର ପିଲା ଦିନର ସାଥି ଧରିତ୍ରୀ ସାଙ୍ଗରୁ ପ୍ରେମିକା ପର୍ଯ୍ୟାୟକୁ ଆସିଯାଇଥିଲା। କିନ୍ତୁ ସ୍କୁଲ ପଢା ପରେ ତାକୁ କଲେଜ ପାଇଁ ଅନୁମତି ମିଳି ନଥିଲା। 


ଇତିହାସରେ ସ୍ନାତକ ସାରି ତଥାଗତ ଗାଁକୁ ଫେରିଲା ବେଳକୁ ତା ପରିବାରର ଭାତ ହାଣ୍ଡି ଦୁଇମାଣ ଜମି ବଡ଼ ଭଉଣୀର ବିବାହ ପାଇଁ ବାହା ବଜାରର ବର କିଣାରେ ନିଲାମ ହେଇଯାଇଥିଲା। ବାକି ଥିଲା କେଇ ଗୁଣ୍ଠର ଚେନାଏ ମାଟି। ଝିଅର ସୁଖ ସଂସାର ପାଇଁ ବ୍ୟବସ୍ଥା କରି ଦେଇ କୃପାସିନ୍ଧୁ କିନ୍ତୁ ନିଜ ଘର ପାଇଁ ଡାକି ଆଣିଥିଲେ ଦୁଃଖର କଳା ବାଦଲ। ପୂର୍ଵ ପୁରୁଷର ଜମିକୁ ହରେଇ ନିଜକୁ ଭାରି ନିଃସ୍ୱ ଅନୁଭବ କରୁଥିଲେ ସେ। ତା ସହ ସାନ ଝିଅର ବିବାହ ଚିନ୍ତା ପୁଅ ଭାଗରେ ପୈତୃକ ସମ୍ପତ୍ତିରୁ କିଛି ରହିବ କି ନାହିଁର ସନ୍ଦେହ ତାଙ୍କୁ ଭିତରୁ ଭିତରୁ କୋରି ଖାଉଥିଲା । କେବଳ ଗୋଟିଏ ଆଶା ଥିଲା ତଥାଗତର ଚାକିରୀ। 

କଲେଜ ପରେ ଚାକିରୀ ପାଇଁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା ତଥାଗତ। କେଉଁଠି ଇଣ୍ଟରଭିୟୁରେ କଟି ଯାଉଥିଲା ତ କେଉଁଠି ଡୋନେସନ ଟଙ୍କା ତା ପରିବାରର ହାତ ପାହାନ୍ତା ଠୁ ଖୁବ ଅଧିକ ଥିଲା। ବୋଉର ଦେବୀ ଦେବତାଙ୍କ ପାଖରେ ନଡିଆ, କଦଳୀ ବା କଳା ବୋଦା ମାନସିକ ବି କିଛି କାମ କରୁ ନଥିଲା। ପାଖା ପାଖି ଦୁଇ ବର୍ଷ ବିତି ଯାଇଥିଲା। ତାର ଯେ ଚାକିରୀ ହେବ, ବଳା ପାରିଲେ କଳା ଛାଡିବ ନ୍ୟାୟରେ, ଘରେ ସୁଖର ଦିନ ଫେରି ଆସିବ ଏ ଆଶା ଧୀରେ ଧୀରେ ହରେଇ ବସୁଥିଲେ ବାପା ବୋଉ । ତଥାଗତର ବି ଧୈଯ୍ୟହାନି ଘଟୁଥିଲା। କିନ୍ତୁ ମାଆ ବସୁନ୍ଧରା ପରି ଗଭୀର ଆଶା ଓ ଧୈଯ୍ୟ ସହ ନିଜକୁ ଆଉ ତାକୁ ଆହୁରି ଲାଗ ଆହୁରି ଲାଗ ବୋଲି ବୁଝେଇ ଚାଲିଥିଲା କେବଳ ଜଣେ, ସେ ଧରିତ୍ରୀ। ତା ପରି ସୁନ୍ଦରୀ ଗୁଣବତୀ ପାଇଁ ଆସୁଥିବା ଭଲ ଭଲ ବିବାହ ପ୍ରସ୍ତାବକୁ ପାଦରେ ଆଡେଇ ଦେଇ ଆଶାର ଆଖିରେ କେବଳ ଚାହିଁ ରହିଥିଲା ସେ ତଥାଗତ ଆଡ଼କୁ। କିନ୍ତୁ ତଥାଗତ ଠିକ ପଢି ପାରୁଥିଲା ତା ଚାହାଣୀ ପଛର ଅଧିରତାକୁ। ଗାଁରୁ ଜଣକ ପରେ ଜଣେ କୁଆଁରୀ ଶାଶୁ ଘର ବାହୁଡୁଥିଲେ, ଏକୁଟିଆ ହେଇ ଯାଉଥିଲା ଧାରା। କିନ୍ତୁ ତା ପରିବାର ଚାପ କେବେ ନଇଁ ପାରି ନଥିଲା ତା ପ୍ରେମ ପ୍ରତ୍ୟୟର କାଉଁରିଆ କାଠିକୁ। ୟା ଭିତରେ ଝିଅକୁ ଗୁଣି କରିବା ଦୋଷରେ ତଥାଗତର ପରିବାର ସହ ଖୁବ ଗୋଟେ ଝଗଡା କରିଥିଲେ ଧରିତ୍ରୀର ବାପା। ଜଣେ ବାପାର ବିବଶତାକୁ ବେଶ ବୁଝିପାରିଥିଲା ତଥାଗତ । ହେଲେ କଣ ବା ସେ କରିପାରିବ। ଏବେ ଏବେ ସେ ଧରିତ୍ରୀର ଏଭଳି ଅବସ୍ଥା ପାଇଁ ନିଜକୁ ଭାରି ଦୋଷୀ ଅନୁଭବ କରିଥିଲା ତଥାପି ବି ତାକୁ ନିଜଠୁ ଦୁରେଇ ଦେବାର ଭାବନା ଶୂନ୍ୟ କରି ଦେଉଥିଲା ତା ଅନ୍ତକରଣ। ପାରୁ ନଥିଲା ସେ। 

ଏ ଭଳି ଅନ୍ତଦ୍ବନ୍ଦ ଭିତରେ ଦିନେ ବେଡି ଉପରେ କୋରଡା ପରି ସେସନ ଚକଡ଼ା ଆକ୍ରମଣରେ ସବୁ ତକ ଫସଲ ନଷ୍ଟ ହେଇଗଲା। ଦାନାଟିଏ ବି ବିଲରୁ ଘରକୁ ଆସିପାରିଲାନି। ଧାନ ବିକ୍ରି ଟଙ୍କାରେ ପୁରୁଣା ଋଣ ସୁଝିବାକୁ ଭାବିଥିବା ତଥାଗତର ବାପା ଚିନ୍ତାରେ ଶଯ୍ୟାଶାୟୀ ହୋଇ ଗଲେ। ଦେହର ଅର୍ଦ୍ଧେକ ଅଂଶ ତାଙ୍କର କାମ କରିବା ବନ୍ଦ କରିଦେଲା। ବାପାଙ୍କର ଏ ଭଳି ଅବସ୍ଥା ଦେଖି ହତ ବାକ ହେଇ ପଡ଼ିଲା ତଥାଗତ । ବୋଉ ଆଉ ସାନ ଭଉଣୀର ସହଯୋଗରେ ବାପାଙ୍କ ଚିକିତ୍ସା ଚାଲିଲା। ଝିଅ ବାହାଘରର ପାଇଁ କାଟି କୁଟି ସଞ୍ଚିଥିବା ବୋଉର ପଇସା ପାଣି ଭଳି ବୋହିଗଲା। କିଛି କରଜ ବି ହେଇଗଲା। ବାପା ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ । ଚାକିରୀ ପଛରେ ଆଉ ନ ଧାଇଁ ବାପାଙ୍କ ସହ ଚାଷରେ ମନ ଦେବାକୁ ଆପାତତ ସ୍ଥିର କରି ଦେଇଥିଲା ସେ। କିନ୍ତୁ ମନ ଜମା ମାନୁ ନଥିଲା ତାର। ଧରିତ୍ରୀ କଥା ଭାବି ଆହୁରି ବିବ୍ରତ ହୋଇ ପଡୁଥିଲା ।

ଜୀବନର ଏ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଭେଟ ହୋଇ ଯାଇଥିଲେ ସ୍ୱାମୀ ଆନନ୍ଦ, ବାବା କୃଷ୍ଣ ପାଦଙ୍କର ପଟ ଶିଷ୍ୟ। ପାଖ ଗାଁକୁ ଏକ ଧାର୍ମିକ ଅନୁଷ୍ଠାନରେ ମୁଖ୍ୟ ପୁରୋଧା ତଥା ପ୍ରବଚକ ରୂପେ ତାଙ୍କୁ ନିମନ୍ତ୍ରଣ ମିଳିଥିଲା। ଜୀବନ ଜଞ୍ଜାଳ ଓ ନିରାଶାରେ ଭରପୁର ତଥାଗତର ମନ ତାଙ୍କ ପ୍ରତି ଖୁବ ଆକର୍ଷିତ ହୋଇ ପଡ଼ିଥିଲା। ଖୁବ ଭଲ ଲାଗିଥିଲା ମିଛ ମାୟା ପୂର୍ଣ୍ଣ ଜୀବନର ମୋହ ଛାଡି ପ୍ରଭୁ ପାଦରେ ନିଜକୁ ସମର୍ପିତ କରିଦେବାର କଥା ଟି। ନାମ ଜପ ହିଁ ଆନନ୍ଦର ଉତ୍ସ କହି ହରେ ରାମ ହରେ କୃଷ୍ଣର ଉତ୍ତାଳ କୀର୍ତ୍ତନ ଆରମ୍ଭ କରି ଦେଉଥିଲେ ସେ, ତାଙ୍କ ସହ ତଲ୍ଲୀନ ହୋଇ ଯାଉଥିଲେ ତଥାଗତ ଭଳି ଅନେକ ଦୁଃଖ ଭୁଲି ବାକୁ ଚାହୁଁଥିବା ମନ। ସତରେ ବି ଏକ ଅଦ୍ଭୁତ ଆନନ୍ଦ ମିଳୁଥିଲା ତଥାଗତକୁ ସେ କୀର୍ତ୍ତନରୁ । ମୁକ୍ତ ପକ୍ଷୀଟିଏ ପରି ଅନୁଭବ ହେଉଥିଲା। ସେତିକି ସମୟ ପାଇଁ ସେ ଭୁଲି ଯାଉଥିଲା ତାର ବର୍ତ୍ତମାନର ବିଫଳତାର ଦୁଃଖ ଅଭାବର ଦାଉ। ସେ ସମୟ ସମାପ୍ତ ପରେ ପୁଣି ମାଡି ବସୁଥିଲେ ସବୁତକ ଠିକ ବଳୀ ଖୁଣ୍ଟକୁ ନେବା ପାଇଁ ଛେଳିଟିକୁ ମାଡି ବସିଲା ପରି। ସ୍ୱାମୀ ଆନନ୍ଦଙ୍କର ପ୍ରିୟ ଶିଷ୍ୟ ପାଲଟି ଯାଇଥିଲା ତଥାଗତ, ଦିନ ରାତି କଟି ଯାଇଥିଲା ତାଙ୍କ ପାଖରେ । କିପରି ସେ ଯୁବା ବୟସରୁ ସଂସାର ଛାଡି ସାଧନାର ପଥ ଆପଣେଇ ନେଇଛନ୍ତି ଏ ବିଷୟରେ ମଧ୍ୟ ପ୍ରାଞ୍ଜଳ ଭାବରେ କହିଦେଇଥିଲେ। ତା ସହ ତଥାଗତ ପରି ମୁକ୍ତିକାମୀ ପାଇଁ ବାବା କୃଷପାଦ ଙ୍କର ଆଶ୍ରମ ଯେ ସବୁ ବେଳେ ଖୋଲା ଏ କଥା ବି କଥା ଛଳରେ କହି ଦେଇଥିଲେ। ଦୁଃଖ ଯନ୍ତ୍ରଣାରୁ ମୁକ୍ତି ଚାହୁଁ ଥିବା ତଥା ଗତର ଅଵଚେତନ ମନକୁ ଏ ପ୍ରସ୍ତାବ ଟି ଖୁବ ଭଲ ଲାଗିଥିଲା। କିନ୍ତୁ ତା ଉପରେ ଭରସା କରିଥିବା ବାପା ବୋଉ ସାନ ଭଉଣୀଙ୍କୁ ଏ ଭଳି ନିଃସହାୟ କରି କିପରି ବା ଛାଡି ଯିବ । ପୁଣି ଧରିତ୍ରୀ। ବିବେକ ବାଧା ଦେଉଥିଲା ତାର।" ବେଟା କୋନ କିସ କା ହୈ । ସବ ମୋହ ମାୟା। ଉନ୍ନକେ ବାରେ ମେ ମତ ସୋ ଚୋ । ଜିସନେ ଉନ୍ନ କୋ ଜୀବନ ଡି ୟା ହୈ ୟେ ଉସ କା ଜିମ୍ମେ ଦାରୀ ହୈ। ଅପନେ ମୁକ୍ତି କେ ବାରେ ମେ ସୋ ଚୋ ବଚେ। ପରମାତ୍ମା ତୁମହେ ବୁଲା ରହା ହୈ। ଉସ ଆବାଜ କୋ ସୂ ନୋ। ମୋହ କି ରସି ସେ ମୁକ୍ତ ହୋ ଜାଓ ବଚେ" 

ସନ୍ଦେହ ଦୂର ହୋଇ ଗଲା। ଏବେ କେବଳ ଚରମ ନିଷ୍ପତ୍ତିର ବେଳ।

********

"ମୁଁ ହରିଦ୍ୱାର ଯାଉଛି" ତଳକୁ ମୁହଁ କରି ଚୋର ପରି କହିଲା ତଥାଗତ ।

"କଣ ..କଣ କହୁଛ" ଚମକି ପଡିଲା ଧରିତ୍ରୀ।

"ହଁ ବାପା ବୋଉକୁ କହିପାରିବିନି। କିନ୍ତୁ ତୁମକୁ କହିଦେଲି। ଆଉ ମୋତେ ଅପେକ୍ଷା କରିବନି । ମୁଁ ଏବେ ସାଧନାର ପଥରେ, ବିବାହ ପରିବାର ଏ ସବୁ ମୋ ପାଇଁ ମୋହ ମାୟା।ପାରିବ ତ ମୋତେ କ୍ଷମା କରିଦେବ " ବଡ଼ କଷ୍ଟରେ ଗୋଟେ ନିଶ୍ୱାସରେ କହିଲା ସେ। 

"ସତରେ କଣ ମୋତେ ଛାଡ଼ି ଚାଲିଯିବ" ବାହୁକୁ ମୁଠେଇ ଧରିଲା ଧରିତ୍ରୀ । କିଛି ଉତ୍ତର ନଦେଇ ବାହୁରୁ ହାତକୁ ଛଡେଇ ନେଲା ସେ।

ଧରିତ୍ରୀର ମୁହଁର ଭାବ ନ ଦେଖି ପଛକୁ ବୁଲିପଡ଼ି ଚାଲିବାକୁ ଲାଗିଲା। 

ନାଁ ଆଉ ଦେଖି ହେବନି। ଦେଖିଲେ ପାଦ ଅଟକି ଯାଇପାରେ। ମାୟାର ଡୋରି କାଟିବାକୁ ହେବ। ନାକ ସିଧା ଦୌଡ଼ିଲା ପରି ଚାଲିବାକୁ ଲାଗିଲା ସେ। ଆଃ ଧାରା ଏବେ ନିର୍ବାକ ହୋଇ ବସି ରହିଥିବ ନା..ଛାତି ଭିତରଟା ମକଚି ଗଲା। ନାଁ ଜମା ଦୁର୍ବଳ ହେବନି। 

ବାପା ବୋଉଙ୍କ ପାଇଁ ଠିକଣା ବିହୀନ ଚିଠିଟିଏ ଲେଖି ଭଉଣୀର ପଢା ବହି ଭିତରେ ରଖିଲା ସେ। ସେଦିନ ରାତିରେ କେହି କିଛି ଜାଣିବା ଆଗରୁ ଘର ଛାଡ଼ି ଆପାତତ ଅନ୍ୟମାନଙ୍କ ପାଇଁ ନିରୁଦ୍ଧିଷ୍ଟ ହୋଇଗଲା। 

ତା ପରେ ହରିଦ୍ୱାରର ସେ ଆଶ୍ରମ, ଅନବରତ ମନେ ପଡୁଥିବା ମୁହଁ ସବୁକୁ ଆଡେଇଦେଇ ସାଧନାର ପଥରେ ବ୍ରତୀ ହେବାକୁ ଚେଷ୍ଟିତ ତଥାଗତର ତିନିମାସର ସଂଘର୍ଷପୂର୍ଣ୍ଣ ଜୀବନର।


"ତଥାଗତ, ଏ ତଥାଗତ" ଡାକ ଶୁଣି ଭାବନା ରାଜ୍ୟରୁ ଫେରି ଆଖି ଖୋଲି ଚାହିଁଲା ସେ। ରାତ୍ରିର ସେ ଝାପ୍ସା ଅନ୍ଧାରରେ ତା ସାମ୍ନାରେ ଠିଆ ହେଇଥିଲା ଏକ ଧୁଆଁଳିଆ ଛାଇ। ଠିକ ତାରି ପରି । ସତେ ଯେପରି ତାରି ହିଁ ପ୍ରତିଛବି। "କିଏ ..କିଏ ତୁମେ, ମୋତେ ଚିନ୍ହିଲ କେମିତି" ଦୁଇ ହାତରେ ଆଖି ମଳି ଚିନ୍ହିବାକୁ ଚେଷ୍ଟା କରୁଥିଲା ସେ। 

"ମୋ କଥା ଛାଡ, ତୁ ନିଜକୁ ଚିନ୍ହିଛୁତ ତୁ କିଏ ବୋଲି" 

"ହଁ ...ମୁଁ ତଥାଗତ, ବାବା କୃଷ୍ଣ ପାଦଙ୍କର ଶିଷ୍ୟ"

"ନା ତୋର ଏ ସବୁ ପରିଚୟ ମିଛ । ବର୍ତ୍ତମାନ, ତୁ କେବଳ ଜଣେ ପଳାତକ"

" ନାଁ ...ମୁଁ ପଳାତକ ନୁହେଁ। ମୁଁ ମୁକ୍ତିକାମୀ। ମୁଁ ସାଧକ" ପାଟି କରି କହି ଉଠିଲା ତଥାଗତ ।

"ହା ହା ହା...ମୁକ୍ତି କାମୀ...ସାଧକ... ହା ହା ହା" ଅଟହାସ୍ୟ କରି ଉଠିଲା ଛାୟାଟି।

"ତୁ ଭୀରୁ, ପଳାତକ କେବଳ" ତାତ୍ସଲ୍ୟ କରି ଉଠିଲା ଛାୟା। 

"ନିଜ ପରିବାରକୁ ଦୁଃଖ ଯନ୍ତ୍ରଣାରେ ସଢିବାକୁ ଛାଡ଼ିଦେଇ, ପ୍ରେମିକାକୁ ପ୍ରତିକ୍ଷିତ ଅବସ୍ଥାରେ ଛାଡି ଯିଏ ଚାଲିଯାଏ ସେ ସାଧକ ନୁହେଁ, ପଳାତକ। ଦାୟିତ୍ୱ ଓ କର୍ତ୍ତବ୍ୟକୁ ଡରି ଯିଏ ଅନ୍ୟକୁ ଏକୁଟିଆ କରି ବାଟ କାଟି ଚାଲି ଯାଏ ସେ ଭୀରୁ। ପ୍ରକୃତି ଦତ୍ତ ମସ୍ତିଷ୍କ ଓ ଶରୀରର ବ୍ୟବହାର କରି ନିଜର ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଯେଉଁମାନେ ପୃଥିବୀକୁ ସ୍ୱର୍ଗ ଭଳି ସୁନ୍ଦର କରିବା ବଦଳରେ ମୃତ୍ୟୁ ପରର କେଉଁ ଏକ କାଳ୍ପନିକ ସ୍ୱର୍ଗ ରାଜ୍ୟ ପ୍ରାପ୍ତିର ଲୋଭରେ ସାରା ଜୀବନ ବଂଚି ଥାଉ ଥାଉ ମୃତ ପରି ବଂଚି ରହନ୍ତି, ଜୀବନ ଯନ୍ତ୍ରଣାର ଉପଶମ ଖୋଜିବା ବଦଳରେ ଯେଉଁମାନେ ଜୀବନକୁ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରି ମୁକ୍ତି ମୋକ୍ଷ ପ୍ରାପ୍ତିର ମୋହରେ ଏକ କାଳ୍ପନିକ ରାଜ୍ୟରେ ବିଚରଣ କରନ୍ତି ସେମାନେ ସମସ୍ତେ ପଳାତକ। ଆଉ ତୁ ବି ସେଇ ପଳାୟନ ପନ୍ଥୀମାନଙ୍କ ଗୋଷ୍ଠୀରେ ସାମିଲ। ତୁ ପଳାତକ, ପଳାତକ ...." ଗର୍ଜି ଉଠିଲା ଛାୟା। 

" ନାଁ ମୁଁ ପଳାତକ ନୁହେଁ।ଶୁଣ... ଶୁଣି ଯାଅ..."ବସିବା ଜାଗାରୁ ଉଠିପଡି ଛାୟା ଆଡ଼କୁ ଧାଇଁ ଗଲା ତଥାଗତ। କାହିଁ କିଏ କେଉଁଠି। ରାତ୍ରିର ସେ ଶୂନ୍ୟତାକୁ ଭେଦି କେବଳ ତାଆରି ସ୍ୱର ହିଁ ଶୁଣା ଯାଉଥିଲା। ତେବେ କଣ ସେ ମୋର ଅନ୍ତ ସ୍ୱର। ଶ୍ରମ କ୍ଲାନ୍ତ ବ୍ୟକ୍ତିଟିଏ ପରି ତଳେ ଭୁଇଁରେ ବସିପଡ଼ିଲା ସେ। ପୂର୍ବ ଦିଗକୁ ଚାହିଁ ଦେଖିଲା, ଧୀରେ ଧୀରେ ଫର୍ଚ୍ଚା ହେଇ ଆସୁଥିଲା। 

*************

ସେଦିନ ମୁହଁ ସଂଜ ବେଳେ ତଥାଗତର ଘର କବାଟରେ କେହି ଜଣେ ଠକ ଠକ କଲା। ତଥାଗତର ବୋଉ କବାଟ ଖୋଲିଲେ। ମିଞ୍ଜି ମିଞ୍ଜି ଡିବିରି ଆଲୁଅରେ ଦେଖାଗଲା କେହି ଜଣେ ନଇଁ ପଡି ବୋଉଙ୍କର ପାଦ ଛୁଇଁଲା। "ମୁଁ ଫେରି ଆସିଲି ବୋଉ" ପଦଟିଏ ଉଚ୍ଚାରିତ ହେଲା ଯାହା ଯଥେଷ୍ଟ ଥିଲା ବୋଉଙ୍କର ଦୁନିଆ ଓ ସେ ଅନ୍ଧାରର ଘରକୁ ଆଲୋକିତ କରିବା ପାଇଁ।

ରାଜବାଳା 27।4।19


Rate this content
Log in